Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Bauribandhu Lenka

Inspirational

4.5  

Bauribandhu Lenka

Inspirational

ଉତ୍ତର ପିଢି

ଉତ୍ତର ପିଢି

8 mins
609


ହଁ ସେ ଦିନ ଥିଲା ଅବିନାଶଙ୍କ ଅଣଚାଳିଶ ବର୍ଷ ଚାକିରି ଜୀବନର ଶେଷଦିନ । ବ୍ୟାଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମକର୍ତ୍ତା ଭାବେ ଅନେକ ଅଭିଜ୍ଞତା ଅର୍ଜନ କରିଛନ୍ତି ସେ । ଶେଷ ଦିବସରେ ସହକର୍ମୀମାନଙ୍କ ଦ୍ୱାରା ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ସଭା କିଛି ସମୟ ପରେ ଆରମ୍ଭ ହେବ । ହେଲେ ଅବିନାଶ ସବୁଦିନ ପରି ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟବ୍ୟସ୍ତ । ତାଙ୍କ ସ୍ଥାନରେ କାହାକୁ ପୋଷ୍ଟିଙ୍ଗ୍ ହୋଇ ନଥିବାରୁ ତାଙ୍କର ଅଧସ୍ତନ ଅଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ପ୍ରଧାନ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଛି । ତେଣୁ ସେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ସମ୍ବନ୍ଧରେ ତାଙ୍କୁ ଅବଗତ କରାଉଛନ୍ତି । ସନ୍ଧ୍ୟା ହୋଇ ଆସିଲାଣି । କେହି ଜଣେ ସହକର୍ମୀ ତାଙ୍କ ଚାମ୍ବରକୁ ଆସି କହିଲେ, " ସାର୍ ଆସନ୍ତୁ । ସମସ୍ତେ ଆପଣଙ୍କୁ ଅପେକ୍ଷା କରିଛନ୍ତି" । ଅବିନାଶ ଆଉ କାଳ ବିଳମ୍ବ ନକରି ସଭା ସ୍ଥଳକୁ ବାହାରି ପଡିଲେ । ସଭା କାର୍ଯ୍ୟ ଆରମ୍ଭ ହେଲା । ସମସ୍ତ ସହକର୍ମୀ ଅବିନାଶଙ୍କର ଗୁଣାବଳି, କାର୍ଯ୍ୟଶୈଳୀ, ବ୍ୟାଙ୍କ ପ୍ରତି ଆନୁଗତ୍ୟ, ସହକର୍ମୀ ମାନଙ୍କ ପ୍ରତି ସମ୍ବେଦନଶୀଳତା ଓ ସର୍ବୋପରି ତାଙ୍କ ସାଧୁତା ଉପରେ ଆଲୋକପାତ କରି ବକ୍ତବ୍ୟ ରଖିଲେ ଓ ତାଙ୍କର ଅବସର ପରବର୍ତ୍ତୀ ଜୀବନ ନିରୋଗ ଓ ସୁଖମୟ ହେଉ ବୋଲି କାମନା କରିଥିଲେ । ଅବଶେଷରେ ଅବିନାଶ ସମ୍ବର୍ଦ୍ଧନାର ଉତ୍ତରରେ କିଛି କହିବା ପାଇଁ ଉଠି ଠିଆ ହେଲେ । ସମସ୍ତ ସହକର୍ମୀ ମାନଙ୍କୁ ଆନୁଷ୍ଠାନିକ ଭାବେ ତାଙ୍କର ଶେଷ ନମସ୍କାର ଜଣାଇଲେ । ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜନ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣେଇଲେ । ସେ ଅତ୍ୟନ୍ତ ଭାବୁକ ହୋଇ ପଡିଥିଲେ । କଣ କହିବେ ଠିକ୍ କରି ପାରୁନଥିଲେ । ସମ୍ମୁଖରେ ରଖା ଯାଇଥିବା ପାଣି ଗ୍ଳାସଟି ଉଠେଇ ଟିକେ ପାଣି ପିଇଲେ । ତାଙ୍କର ଜାଣତରେ ବା ଅଜାଣତରେ ଯଦି କାହାରି ମନରେ ଦୁଃଖ ଦେଇଥିବେ ସେଥିପାଇଁ କ୍ଷମା ପ୍ରାର୍ଥନା କଲେ ଓ ନିଜର ଦୀର୍ଘ ଅନୁଭୂତିରୁ କେତୋଟି ଘଟଣା ଉପରେ କହି ସମସ୍ତଙ୍କୁ ନିଷ୍ଠା ଓ ସାଧୁତାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଉପଦେଶ ଦେଇ ନିଜର ବକ୍ତବ୍ୟ ଶେଷ କରିଥିଲେ ଓ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

  

       ଅବିନାଶଙ୍କର ପତ୍ନୀ ଅରୁନ୍ଧତୀ ଘରେ ତାଙ୍କ ଅପେକ୍ଷାରେ ବସିଥାନ୍ତି । ଅରୁନ୍ଧତୀ ଘରେ ଏକୁଟିଆ ରହୁଥିଲେ । ଦୁଇ ଝିଅ ବିବାହ ପରେ , ସେମାନଙ୍କ ଶ୍ୱଶୁର ଘରେ ଓ ପୁଅ ବୋହୂ ସହିତ ତାର କର୍ମକ୍ଷେତ୍ର ପୁନେରେ ରହୁଥିଲା । ଅବିନାଶ ସବୁବେଳେ ବ୍ୟାଙ୍କ୍ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କାରଣରୁ ଘର ବିଷୟ କିଛି ବି ବୁଝୁ ନଥିଲେ । ତେଣୁ ବିବାହ, ବ୍ରତ, ଜନ୍ମଦିନ , ମଲା ମୃତିକିଆ ଇତ୍ୟାଦି ସବୁ କଥା ଅରୁନ୍ଧତୀଙ୍କୁ ହିଁ ବୁଝିବାକୁ ପଡୁଥିଲା । ଗାଆଁରେ ଥିବା ଜମିକୁ ଭାଗଚାଷ କରୁଥିବା ଲୋକଙ୍କ ସହିତ ମଧ୍ୟ ସେ ହିଁ କଥାବାର୍ତ୍ତା କରୁଥିଲେ । ଘର ପାଇଁ ପନିପରିବାଠୁ ଆରମ୍ଭ କରି ତେଜରାତି ଜିନିଷ ପର୍ଯ୍ୟନ୍ତ ସବୁକିଛି ସେ ହିଁ ଘରପାଖ ଦୋକାନକୁ ଯାଇ ଆଣୁଥିଲେ ।ସେଦିନ ସେ ମନେ ମନେ ଟିକେ ହାଲୁକା ଅନୁଭବ କରୁଥିଲେ । କେତେ ବର୍ଷ ପରେ ତାଙ୍କୁ ଅନେକ ଦାୟିତ୍ୱରୁ ମୁକ୍ତି ମିଳିବ । ଅବିନାଶ ଏବେ ଠାରୁ ତାଙ୍କ ସହିତ ଘରେ ରହିବେ । ଘରେ କଣ ଖାଲି ଅଳସୁଆ ହୋଇ ବସିରହିବେ ? କିଛି ନା କିଛି ଘରକାମ ତ କରିବେ ନା ? ଠିକ୍ ଏଇ ସମୟରେ ଅବିନାଶ ଘରେ ପହଞ୍ଚିଲେ । ହାତରେ ଫୁଲତୋଡା, ଉପହାର ପ୍ୟାକେଟ୍ ସବୁ ଓ ବ୍ରୀଫ୍ କେଶ୍ ଟି ଧରି ସେ ଘର ଭିତରକୁ ପ୍ରବେଶ କଲେ । ଅରୁନ୍ଧତୀ ଆଜି ହସ ହସ ମୁହଁରେ ତାଙ୍କୁ ସ୍ୱାଗତ କଲେ । ତାଙ୍କ ହାତରୁ ଫୁଲତୋଡା ଉପହାର ପ୍ୟାକେଟ୍ ସବୁ ନେଇ ଟେବୁଲ ଉପରେ ରଖିଦେଲେ ।


କଣ କିଛି ଖାଇବାକୁ ଦେବିକି ?—ଅରୁନ୍ଧତୀ ପଚାରିଲେ ଅବିନାଶଙ୍କୁ ।

"ନା ଖାଲି ପାଣି ଗ୍ଳାସେ ଦିଅ" — ଅବିନାଶ ଉତ୍ତର ଦେଲେ ।


ଅରୁନ୍ଧତୀ ପାଣି ଆଣିବାକୁ ଗଲାବେଳେ ମନେ ମନେ ଆଶ୍ଚର୍ଯ୍ୟ ଅନୁଭବ କରୁଥିଲେ କାରଣ ପାଣି ମାଗିକରି ପିଇବା ଆଜି ପ୍ରଥମ ଥର ଦେଖୁଛନ୍ତି ସେ । ସେ ଦେଖିବାରେ କେବଳ କିଛି ଖାଇଲେ ସେ ପାଣି ପିଇଥାନ୍ତି । ସେ ଅନେକ ଥର ପାଣି ଟିକେ ଅଧିକ ପିଇବାକୁ ତାଙ୍କୁ କହିଥିଲେ ମଧ୍ୟ ସେ ତାକୁ ଏ କାନରେ ପୂରେଇ ସେ କାନରେ ବାହାର କରି ଦେଇଥାନ୍ତି ।

ଅରୁନ୍ଧତୀ ପାଣି ଗ୍ଳାସଟି ଅବିନାଶଙ୍କ ହାତକୁ ବଢାଇ ଦେଲେ । ପାଣି ପିଇବା ପରେ ଦୀର୍ଘଶ୍ୱାସଟିଏ ଛାଡି ସେ ସୋଫା ଉପରେ ବସି ପଡିଲେ । ଅରୁନ୍ଧତୀ ମଧ୍ୟ ତାଙ୍କ ପାଖରେ ଆସି ବସିପଡିଲେ । "କେମିତି ଫିଲ୍ କରୁଛ ?"— ପଚାରିଲେ ଅରୁନ୍ଧତୀ ।


ସବୁ ଠିକ୍ ଠାକ୍ । ବହୁତ ହାଲୁକା ଅନୁଭବ କରୁଛି ବୋଲି କହିଲେ ଅବିନାଶ । ତାଙ୍କର ଏ ଉତ୍ତର କେବଳ ଅରୁନ୍ଧତୀଙ୍କ ପାଇଁ ହିଁ ଉଦ୍ଦିଷ୍ଟ ଥିଲା ।


ପ୍ରକୃତରେ ତ ଅବିନାଶ ଟିକେ ଇମୋସନାଲ୍ ହୋଇ ପଡିଥିଲେ । ବୋଧେ ତାଙ୍କର ହୃତସ୍ପନ୍ଦନ ଟିକେ ବଢିଯାଇଥିଲା । ଟିକେ ଅସ୍ୱସ୍ତିକର ଅନୁଭବ କରି ସେ ପାଣି ପିଇବାକୁ ମାଗିଥିଲେ । ଅବଶ୍ୟ ଅଳ୍ପ ସମୟ ପରେ ସେ ସାଧାରଣ ଅବସ୍ଥାକୁ ଫେରି ଆସିଥିଲେ ।

ଅବସର ପରେ ଅବିନାଶ ଏକ ନୂତନ ଜୀବନ ପର୍ଯ୍ୟାୟ ଭିତରେ ପାଦ ରଖିବେ । ସମୟ ତାଙ୍କର କିପରି ଅତିବାହିତ ହେବ ନିଶ୍ଚୟ ମନକୁ ଆନ୍ଦୋଳିତ କରୁଥିବ । ଅଳସୁଆ ହୋଇ ଘରେ ତ ବସି ରହିବେ ନାହିଁ , ନିଶ୍ଚିତ ଭାବେ କୌଣସି ନା କୌଣସି କାମ କରିବାକୁ ପଡିବ । ଏହିପରି ଅନେକ କଥା ମନ ଭିତରକୁ ପଶି ଆସୁଥିଲା । ସେଦିନର ସେ ରାତିରେ ତାଙ୍କୁ ଠିକ୍ ଭାବେ ନିଦ ହୋଇନଥିଲା । ଦୀର୍ଘ ଷାଠିଏ ବର୍ଷର ଇତିହାସକୁ ସେ ରୋମନ୍ଥନ କରୁଥିଲେ । ସ୍କୁଲ ଶିକ୍ଷା ଶେଷ ହେବା ପର୍ଯ୍ୟନ୍ତ ଗ୍ରାମ୍ୟ ଜୀବନର ସୁନ୍ଦର ଛବି ଆଖି ଆଗରେ ନାଚି ଯାଉଥିଲା । ଯୌଥ ପରିବାର, ପିଲାଛୁଆଙ୍କ ଗହଳି, ଓଷା , ବାହା, ପୁଣ୍ୟ ପର୍ବ, ରଜ, ଦଶହରା, କୁମାର ପୁର୍ଣ୍ଣିମା ଓ ଦୋଳ ପର୍ବ, ସାଙ୍ଗ ସାଥୀମାନଙ୍କ କଥା ସବୁ ଚଳଚିତ୍ରର ଛବି ପରି ଦୃଶ୍ୟମାନ ହେଉଥିଲେ । ପରିବାରର କୌଣସି ବି ସଦସ୍ୟ ନିଜକୁ ଏକୁଟିଆ ବୋଲି ଭାବୁ ନଥିଲେ । ବୃଦ୍ଧ ବା ବୃଦ୍ଧାମାନଙ୍କର କୌଣସି ଚିନ୍ତା କରିବାର କିଛି ନଥିଲା । ସବୁ ସମୟରେ କେହି ନା କେହି ସେମାନଙ୍କ ସେବା ଶୁଶ୍ରୂଷା କରିବା ପାଇଁ ସେମାନଙ୍କ ପାଖରେ ରହୁଥିଲେ । ଆଜିକାଲି ପରି ସେତେବେଳେ ସମାଜ ଏତେ ବିକାଶ କରି ନଥିଲା । ରାସ୍ତା ଘାଟର ସୁବିଧା ନଥିଲା । ଶିକ୍ଷା , ଚିକିତ୍ସା , ଖାଦ୍ୟପେୟ ଓ ବାସଗୃହ ଇତ୍ୟାଦି ଅନେକ କ୍ଷେତ୍ରରେ ବହୁତ ପଛରେ ଥିଲା ।


ପିଲାମାନେ କଣ ପଢିଲେ କି ନପଢିଲେ ସେ ବିଷୟ କେହି ବି ବୁଝୁ ନଥିଲେ । ପିଲା ସ୍କୁଲ ଗଲେ କି ନାହିଁ , କଣ ପଢିଲେ , ବହିପତ୍ର ଅଛି କି ନାହିଁ ସେ ସବୁ ଦିଗ ପ୍ରତି ସବୁ ପିତାମାତା ଏତେ ଯତ୍ନବାନ ନଥିଲେ। ସେ କିନ୍ତୁ ତାଙ୍କ ପିତାମାତାଙ୍କର ଏକ ମାତ୍ର ପୁଅ ଥିଲେ । ପଢିବା ସମୟରୁ ପିତାଙ୍କୁ ହରାଇ ସେ କିପରି ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ ସବୁ ତାଙ୍କ ଭାବନା ଭିତରକୁ ଠେଲି ହୋଇ ପଶି ଆସୁଥିଲା ।


        ମାଆ ଏକୁଟିଆ ରହୁଥିଲେ । ଚାକିରି କରିବା ପରେ ତାଙ୍କୁ ବିବାହ କରିବାକୁ ମାଆ ବାଧ୍ୟ କଲେ । ବହୁତ କମ ବୟସରେ ବିବାହ କରି ପତ୍ନୀ ଓ ମାଆଙ୍କୁ ନେଇ ସେ କର୍ମକ୍ଷେତ୍ର ଭୁବନେଶ୍ୱରକୁ ଚାଲି ଆସିଥିଲେ ସେ ସବୁର ଚିତ୍ର ତାଙ୍କ ମାନସ ପଟରେ ଭାସି ଯାଉଥିଲା । ଧୀରେ ଧୀରେ ଗାଆଁକୁ ଯିବା ଆସିବା କରିବା କମି ଯାଇଥିଲା । ମହାବାତ୍ୟାରେ ଗାଆଁରେ ଥିବା ଘର ସମ୍ପୂର୍ଣ୍ଣ ରୂପେ ମାଟିରେ ମିଶି ଯିଇଥିଲା । ପଡିଶା ଭାଇମାନେ ଧୀରେ ଧୀର ସେ ଜାଗାକୁ ମାଡି ଆସୁଥିଲେ । ସେଠାରେ ଘର ଖଣ୍ଡେ ନକଲେ ବାପଅଜା ନାଁ ବୁଡିଯିବାର କଥା ମଧ୍ୟ ମନ ଭିତରକୁ ଆସୁଥିଲା ।

  

          ପିଲାମାନେ ତାଙ୍କ ପାଖରେ ନଥିବାରୁ ସେମାନଙ୍କ କଥା ତାଙ୍କର ବେଶି ମନେ ପଡୁଥିଲା । ଦିନେ ସେମାନେ ଛୋଟ ଛୋଟ ଥିଲେ । ସ୍କୁଲରେ ପାଠ ପଢୁଥିଲେ । ସ୍କୁଲ ପରେ କଲେଜରେ ପଢିଲେ । ପଢୁଥିବା ସମୟରେ ସେମାନଙ୍କୁ ପ୍ରତିଦିନ ସନ୍ଧ୍ୟାରେ ପାଠ ପଢାଇବା , ସ୍କୁଲ ଓ କଲେଜରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ପୋର୍ଟସ୍, ଡିବେଟ୍ ଇତ୍ୟାଦିରେ ଭାଗନେବା ପାଇଁ ଉତ୍ସାହିତ କରିବାରେ କେବେହେଲେ ଅବହେଳା କରି ନଥିଲେ । ପିଲାମାନେ ମଧ୍ୟ ସେମାନଙ୍କର ସ୍କୁଲ କଲେଜ ମାନଙ୍କରେ ବହୁତ ନାମ କମେଇଥିଲେ । ସେତେବେଳେ ଯାହା ସବୁ ଦରକାର ହେଉଥିଲା ସେ ସବୁ ଯୋଗାଇ ଦେବାରେ ସେ କେବେହେଲେ ବି ପଛେଇ ନଥିଲେ । ଅବିନାଶ ମନେ ମନେ ଭାବୁଥିଲେ ତାଙ୍କ ସମୟରେ ସିନା ଦେଶରେ ଏତେ ବିକାଶ ହୋଇନଥିଲା କି ପିତାମାତାମାନେ ପିଲାଙ୍କ ପ୍ରତି ଏତେ ଯତ୍ନବାନ ନଥିଲେ, ହେଲେ ସେ ତାଙ୍କ ପିଲାମାନଙ୍କୁ ସେପରି ଅବହେଳା କରି ନଥିଲେ । ଏବେ ତ ବହୁତ କିଛି ବଦଳି ଗଲାଣି ।ପିଲାମାନେ ଛୋଟ ଥିଲାବେଳେ ମନୋରଞ୍ଜନ ପାଇଁ କେବଳ ରେଡିଓ ଛଡା ଆଉ କଣ ବା ବଜାରରେ ମିଳୁଥିଲା ଯେ । ଆଜିକାଲି ଟେକ୍ନୋଲଜି ବହୁତ ଉନ୍ନତି କରିଛି ।ବିଭିନ୍ନ ଇଲେକ୍ଟ୍ରୋନିକ୍ ଉପକରଣ ସହିତ ଇଣ୍ଟରନେଟ୍ ସାରା ପୃଥିବୀଟାକୁ ଅତି ଛୋଟ କରି ଦେଇଛି । ଆଖି ପିଛୁଳାକେ ପୃଥିବୀର କୌଣସି କୋଣରେ କଣ ଘଟୁଛି ଜାଣି ହେଉଛି । ସୋସିଆଲ୍ ମିଡିଆ ମାଧ୍ୟମରେ ଅତି କମ ସମୟ ମଧ୍ୟରେ ଖବର ମାନ ଚାରିଆଡେ ଖେଳି ଯାଉଛି । ଛୋଟ ଛୋଟ ପିଲାମାନେ ବି ପକେଟରେ ସ୍ମାର୍ଟ ଫୋନ୍ ଧରି ବୁଲୁଛନ୍ତି । ଅବିନାଶ ପିଲାଙ୍କ କଥା ମନେ ପକେଇ ଭାବୁଥିଲେ , " ତାଙ୍କ ପିଲାମାନେ ମଧ୍ୟ ପିତା ମାତା ହୋଇ ସାରିଲେଣି । ନାତି ନାତୁଣୀ ମାନଙ୍କର ଓଡିଆ, ହିନ୍ଦି ଓ ଇଂରାଜୀରେ କଥା ବାର୍ତ୍ତା, ବିଭିନ୍ନ ଇଲେକ୍ଟ୍ରୋନିକ୍ ଉପକରଣର ବ୍ୟବହାର ଦେଖି ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ସେ ଦିନେ ତାଙ୍କ ପୁଅ ଝିଅ ମାନଙ୍କର ସମସ୍ତ ଯତ୍ନ ନେଉଥିଲେ ଆଉ ଆଜି ତାଙ୍କର ପୁଅ ଝିଅମାନେ ସେମାନଙ୍କର ପୁଅ ଝିଅମାନଙ୍କର ସମସ୍ତ ଆବଶ୍ୟକତା ପୁରଣ କରିବାରେ ଟିକିଏ ହେଲେ ଅବହେଳା କରୁ ନାହାଁନ୍ତି । ସମୟ କ୍ରମେ ସବୁ କିଛି ବଦଳି ଚାଲିଛି । ଯିଏ ତାଳ ଦେଇ ନ ଚାଲୁଛି ସେ ସବୁଦିନ ପାଇଁ ପଛରେ ପଡି ଯାଉଛି "। ଏହିପରି ଅନେକ କଥା ଅବିନାଶଙ୍କ ମନକୁ ଆନ୍ଦୋଳିତ କରି ରଖିଥିଲା । ଆଖି ଟିକିଏ ଲାଗି ଆସିଲା ବେଳକୁ ରାତି ପାହି ଯାଇଥିଲା । ଘର ଉପର ଦେଇ ଯାଉଥିବା ଫ୍ଳାଇଟ୍ ଶବ୍ଦ ଶୁଣି ସେ ଆଉ ଶୋଇ ପାରି ନଥିଲେ ।


ଏହା ଭିତରେ ପାଞ୍ଚ ବର୍ଷ ଅତିବାହିତ ହୋଇଗଲାଣି । ଅବିନାଶଙ୍କୁ ପୁଣି ଥରେ କାମ କରିବାକୁ କେତୋଟି ସଂସ୍ଥାରୁ ଅଫର ଆସିଥିଲା । ହେଲେ ପୁଣି ଥରେ କାମ କରିବା ପାଇଁ ସେ ମନ ବଳେଇଲେ ନାହିଁ । ଇତି ମଧ୍ୟରେ ସେ ପୁଅ କିଣିଥିବା ଏକ ନୂଆ ଫ୍ଳାଟକୁ ଶିଫ୍ଟ୍ କରି ଯାଇଛନ୍ତି । ନିରାପତ୍ତା ଦୃଷ୍ଟିରୁ ଆପାର୍ଟମେଣ୍ଟ୍ ଭଲ ବୋଲି ପୁଅ କହିବାରୁ ସେ ସେଠାରେ ରହୁଛନ୍ତି । ପୂରୁଣା ଘରକୁ ଭଡା ଲଗେଇ ଦେଇଛନ୍ତି । ଦିନଥିଲା ପିଲାମାନେ ତାଙ୍କ ସହିତ ପରାମର୍ଶ କରୁଥିଲେ ହେଲେ ଆଜି କିନ୍ତୁ ସେ ପିଲା ମାନଙ୍କ ସହ ପରାମର୍ଶ କରୁଛନ୍ତି । ମଝିରେ ମଝିରେ ଦିଲ୍ଲୀ, ଗୁଜୁରାଟ ଓ ପୁନେ ଆଡେ ଯାଇ ପୁଅ, ଝିଅ ମାନଙ୍କ ପାଖରେ ମାସେ ଅଧେ ରହି ଭୁବନେଶ୍ୱର ଫେରି ଆସୁଛନ୍ତି । ଅବସର ନେଲା ପରେ ସେ ଲେଖାଲେଖି ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଚାରିଟି ପୁସ୍ତକ ପ୍ରକାଶ ପାଇ ସାରିଛି । ସେଥିପାଇଁ କେତେକ ସାହିତ୍ୟ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିସାରିଛନ୍ତି । ସମୟ କିପରି କଟିବ ବୋଲି ଭାବୁଥିବା ଅବିନାଶଙ୍କ ପାଖରେ ଆଜି ସମୟର ଅଭାବ ହେଉଛି ।

ଆପାର୍ଟମେଣ୍ଟର ପରିବେଶ ବହୁତ ଭଲ । ଅନେକ ବରିଷ୍ଟ ନାଗରିକ ସେଥିରେ ଫ୍ଳାଟ କିଣି ରହିଛନ୍ତି । ସନ୍ଧ୍ୟା ସମୟରେ ସୋସାଇଟ୍ ଅଫିସରେ ସେମାନଙ୍କ ସହ ବିଭିନ୍ନ ପ୍ରକାର ବାର୍ତ୍ତାଳାପରେ ଅନେକଙ୍କ ସହ ଘନିଷ୍ଟତା ବଢି ଯାଇଛି ଅବିନାଶଙ୍କର । ହଁ ଦିନେ ଜଣେ ବନ୍ଧୁ ଯେକି ଷ୍ଟେଷ୍ଟ୍ ବ୍ୟାଙ୍କ୍ ରୁ ଅବସର ନେଇଛନ୍ତି ତାଙ୍କ ସହିତ ବସି କଥା ହେଉ ହେଉ ଗୋଟେ ପେପର୍ କଟିଂ କାଢି ଦେଖେଇ କହିଲେ ଏଇଟା ଗୋଟେ oldage home ବିଷୟରେ ବାହାରିଛି । ସବୁ ପ୍ରକାର ସୁବିଧା ରହିଛି । weekly

medical check up , ଦରକାର ପଡିଲେ ହସପିଟାଲ୍ କୁ ନେବାର ବ୍ୟବସ୍ଥା, ପଢିବା ପାଇଁ ବହି, ଖବର କାଗଜ, ପତ୍ରିକା ଓ କମନ୍ ହଲ୍ ରେ ଟିଭି ଦେଖିବା ଭଳି ସୁବିଧା ସବୁ ଉପଲବ୍ଧ । ସେଥିରୁ ସେ ଗୋଟିଏ ବୁକ୍ କରିବାକୁ ଚାହୁଁଛନ୍ତି ।


ଆପଣଙ୍କ ମତାମତ ଦିଅନ୍ତୁ ବୋଲି ପଚାରିଥିଲେ ଅବିନାଶଙ୍କୁ । ଅବିନାଶଙ୍କୁ କଥାଟା କେମିତେ ଅଡୁଆ ଅଡୁଆ ଲାଗୁଥିଲା । ସେ ମନେ ମନେ ଭାବିଲେ କାହିଁକି ସେ oldage home ରେ ରହିବାକୁ ଚିନ୍ତା କରୁଛନ୍ତି ? ତାଙ୍କର ପୁଅ ବୋହୂ ଅଛନ୍ତି । ସେହି ଆପାର୍ଟମେଣ୍ଟ୍ ରେ ତାଙ୍କର ଝିଅ ଜ୍ୱାଇଁ ମଧ୍ୟ ରହୁଛନ୍ତି । ତଥାପି ସେ oldage home ରେ ରହିବା ପାଇଁ କାହିଁକି ଚିନ୍ତା କରୁଛନ୍ତି ? ଟିକେ ହସିଦେଇ ଅବିନାଶ ଅନ୍ୟ ପ୍ରସଙ୍ଗକୁ କଥାର ମୋଡ ବଦଳେଇ ଦେଇଥିଲେ । କିନ୍ତୁ ଅବସର ନେଲା ଦିନ ରାତି ପରି ସେଦିନ ରାତିରେ ତାଙ୍କୁ ଆଦୌ ନିଦ ହେଲାନାହିଁ । oldage home ବିଷୟଟି ତାଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା । ସେ ତାଙ୍କ ନିଜ କଥା ଭାବୁଥିଲେ । ପୁଅ ବୋହୂ ,ଝିଅ ଜ୍ୱାଇଁ ଅତି ନିକଟରେ ଥାଇ ଯଦି ଜଣେ ନିଜକୁ ଏତେ ଅସୁରକ୍ଷିତ ମନେ କରୁଛନ୍ତି , ତେବେ ସେ ନିଜେ ତ ସେ ଦୃଷ୍ଟିରୁ ଅଧିକ ଅସୁରକ୍ଷିତ । ନିକଟ ଅତୀତରେ ଖବର କାଗଜ ଓ ଟିଭିରେ ଆସିଥିବା ବରିଷ୍ଟ ନାଗରିକଙ୍କୁ କେହି ଦୁର୍ବୃର୍ତ୍ତ ଦ୍ୱାରା ହତ୍ୟା ଓ ସନ୍ଦେହ ଜନକ ମୃତ୍ୟୁ ଖବରମାନ ମଧ୍ୟ ତାଙ୍କ ଚିନ୍ତାର ବିଷୟ ହୋଇଥିଲା । ଅବଶେଷରେ ସେ ଏହି ନିଷ୍ପତ୍ତିରେ ପହଞ୍ଚିଥିଲେ କି oldage home ରେ ରହିବା କୌଣସି ସାମାଜିକ କଳଙ୍କ ନୁହେଁ କି ବଦନାମି ନୁହେଁ। ସେ ସିନା ବିଷୟଟିକୁ ଏତେ ଗୁରୁତ୍ୱର ସହ ଚିନ୍ତା କରୁଛନ୍ତି କିନ୍ତୁ ତାଙ୍କର ବନ୍ଧୁ ଯେ ଏ ବିଷୟରେ ମତାମତ ଲୋଡିଥିଲେ , ସେ ନିଶ୍ଚିତ ଭାବେ ତାଙ୍କଠାରୁ ବହୁତ ଆଗରେ ଅଛନ୍ତି । ସମୟକ୍ରମେ ଆଜି ସମାଜରେ ଯେଉଁ ସବୁ ପରିବର୍ତ୍ତନ ଘଟିଛି ସେଥିରେ ସହରାଞ୍ଚଳରେ Oldage Home, ବରିଷ୍ଟ ନାଗରିକଙ୍କ ପାଇଁ ପାର୍କ , ପାଠାଗାର , ପ୍ରାତଃ ଭ୍ରମଣ ପାଇଁ ସ୍ୱତନ୍ତ୍ର ଟ୍ରାକ୍ ଇତ୍ୟାଦି ଗୋଟିଏ ଗୋଟିଏ ଆବଶ୍ୟକୀୟ ସାମାଜିକ ଅଂଶ ବିଶେଷ ହୋଇ ପଡିଲାଣି । ବୃଦ୍ଧ ଅବସ୍ଥାରେ ପିଲାମାନେ ପିତାମାତାଙ୍କ ପାଖରେ ନରହିବାର କାରଣ ପିଲାମାନେ ନୁହନ୍ତି । ଯେଉଁ ପିଲାମାନଙ୍କୁ ଆମେ ପାଠସାଠ ପଢେଇ ମଣିଷ କରିଛେ , ସେମାନେ କେବେହେଲେ ଘରେ ବାପା ମାଆଙ୍କ ପାଖରେ ହାତ ବାନ୍ଧି ବସି ରହି ପାରିବେ କି ?  ସେମାନେ ତାଙ୍କର କର୍ମ କ୍ଷେତ୍ରରେ ରହିବାକୁ ବାଧ୍ୟ । ପିତା ମାତାଙ୍କୁ ନେଇ ପାଖରେ ରଖିବାକୁ ସେମାନେ ଚାହୁଁଥିଲେ ବି , ପିତାମାତା ବିଭିନ୍ନ କାରଣରୁ ସ୍ଥାୟୀ ଭାବେ ତାଙ୍କ ପାଖରେ ରହିବାକୁ ପସନ୍ଦ କରୁନାହାନ୍ତି । ତେଣୁ ଏହାକୁ ନେଇ ପୁଅ ଝିଅ ମାନଙ୍କୁ ଯେଉଁମାନେ ଦୋଷାରୋପ କରନ୍ତି , ସେମାନେ ସେମାନଙ୍କର ମାନସିକତା ବଦଳେଇବା ଦରକାର । ପୂରୁଣା ପରମ୍ପରାକୁ ସବୁଦିନ ପାଇଁ ଜାବୁଡି ଧରି ରଖିବା ସମ୍ଭବ ନୁହେଁ ।  ସମୟ ବଦଳିବା ସହ, ଜ୍ଞାନ କୌଶଳ ବଦଳୁଛି , ଚାଲିଚଳନ ବଦଳୁଛି ,ନୂଆ ପିଢିର ରୁଚିରେ ବି ପରିବର୍ତ୍ତନ ଆସିଛି । ତେଣୁ ଉତ୍ତର ପିଢିର ରୁଚି ସହିତ ଖାପ୍ ଖୁଆଇ ନେଲେ ଜୀବନ ଟିକେ ସହଜ ଓ ସୁଖମୟ ହେବ । ଏହିପରି ଭାବୁ ଭାବୁ କେତେବେଳେ ଅବିନାଶଙ୍କୁ ନିଦ ହୋଇଯାଇଥିଲା ।


ସୂର୍ଯ୍ୟୋଦୟ ହେଲାପରେ ଅନେକ ସମୟ ହୋଇଯାଇଥିଲା । ଅରୁନ୍ଧତୀ ଅବିନାଶଙ୍କୁ ଟିକେ ହଲେଇ ଦେଇ କହିଲେ, " କଣ ଆଜି ଉଠିବନିକି ? ବହୁତ ସମୟ ହେଲାଣି । ଉଠ ଚାହା ନିଅ " । ଠିକ୍ ଏହି ସମୟରେ ନାତି ଭିଡିଓ କଲ୍ କରି କହୁଥିଲା, "ଜେଜେ କେବେ ପୁନେ ଆସୁଛ " ।

*******




Rate this content
Log in