STORYMIRROR

Sachidananda Kar

Romance

3  

Sachidananda Kar

Romance

ଉତ୍ତର ବୟସର ରୋମାଞ୍ଚ

ଉତ୍ତର ବୟସର ରୋମାଞ୍ଚ

2 mins
269


          କେମିତି ଅଛ ? କ'ଣ କରୁଛ ? ପିଲାମାନେ କ'ଣ କରୁଛନ୍ତି ? - ଏଇ ସବୁ ପ୍ରଶ୍ନଗୁଡା ବହୁତ ବେକାର୍ ଲାଗୁଥିଲା।


          ତେବେ କେଉଁଠୁ କଥା ଆରମ୍ଭ କରିବି ? ଭାବି ହେଉଥିଲି।


          ତାଙ୍କ ନାଆଁ ଡକା ହେଲା।ସେ କବିତା ପାଠ କରିବାକୁ ଉଠି ଚାଲିଗଲେ।


           ଏବେ ଭାବନାରୁ ଓହରି ଆସି ତାଙ୍କ କବିତା ଆଡକୁ ମନଧ୍ୟାନ ଦେଲି ମୁଁ। ମୋର ମନେହେଲା ଯେମିତି କବିତାଟି ସେ ମୋତେ ଶୁଣାଇବାକୁ ଲେଖିଥିଲେ।ବହୁଦିନ ତଳେ ତାଙ୍କୁ ପଚାରିଥିବା ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦେଉଥିଲେ। ବାସ୍ତବରେ ଏ ଉତ୍ତର ବୟସରେ ତାହା ଆଉ ମୋର ଆବଶ୍ୟକ ନ ଥିଲା।ସେ କାହିଁକି ଯେ ଦେଉଥିଲେ ବୁଝି ପାରୁ ନ ଥିଲି।  କୌଣସି ଗୁରୁତର ପ୍ରଶ୍ନର ଠିକ୍ ଉତ୍ତର ଠିକ୍ ସମୟରେ ନ ଦେବା କେତେକ ସୁନ୍ଦରୀ ଝିଅଙ୍କର ଅଭ୍ୟାସ।ସେଇ ଝିଅମାନଙ୍କ ଭିତରେ ସେ ଜଣେ।ଏଇଥିପାଇଁ ମୋତେ ଅନେକଙ୍କୁ ସେଇ କଥାଟିକୁ ପଚାରିବାକୁ ପଡିଥିଲା ସେତେବେଳେ। ଗୋଟିଏ ସରଳ ପ୍ରଶ୍ନ ମାତ୍ର।ହେଲେ ତାହା ଜୀବନକୁ କେମିତି ଦୋହଲାଇ ଦିଏ,ଡଙ୍ଗା ବୁଡାଇ ଦିଏ, ଆଜି ବି ସେ ଅନୁଭବ ମୋ ଭିତରେ ଥିଲା।ଧୀରେଧୀରେ ସେହି ଅନୁଭବ ପାଖକୁ ଫେରୁଥିଲି।


          ସାମ୍ନାରେ ଆଖି ନଚାଇ ନଚାଇ କବିତା ପାଠ କରୁଥିଲେ ସେ। ନୀରବତା ଏମିତି ଯେମିତି ଛୁଞ୍ଚିଟିଏ ପଡିଲେ ଶଦ୍ଦଟିଏ ହେବ।

 ସେ କବିତା ପାଠ କରି ସାରି ଆସି ପାଖରେ ବସିଲେ।


          - " ଆଜି ତୁମେ ବହୁତ ସୁନ୍ଦର ଲାଗୁଛ।ଏତେ ସୁନ୍ଦର ଯେ ନିକଟରେ ବସିଲେ ରୋମାଞ୍ଚ ଖେଳିଯାଉଛି।ମୋର ମନେହେଉଛି ଏ କବିତା ଉତ୍ସବକୁ ଆସିବା ସାର୍ଥକ ହୋଇଛି।ସତେ ଯେମିତି ସୁଦୂରରୁ ମୁଁ ଏଇ ଟିକକ ରୋମାଞ୍ଚ ପାଇଁ ଭିଡ ବସ୍ ରେ ଆସିଥିଲି। "


          ଏବେ ତାଙ୍କୁ ଏତିକି କହି ଦେବାକୁ ସ୍ଥିର କଲି।ହେଲେ କିଏ ଯେମିତି ମୋତେ ଅଟକାଇ ଦେଲା।


           କାହିଁକି କହିବି ଏତେ କଥା ? କ'ଣ ଲାଭ ହେବ ଯେ ? ଆଉ କେତେ ମିନିଟ୍ ପରେ ଉତ୍ସବ ସରିଯିବ।ସେ ଚାଲିଯିବେ।ସୂର୍ଯ୍ୟ ବୁଡିଯିବ।କାକର ପଡି ତାଙ୍କ ବସିବା ଚଉକିଟି ଥଣ୍ଡା ହୋଇଯିବ। - ମୁଁ ନୀରବରେ ଭାବିଲି।


           ବିଚରା ମୁଁ !


          ରୋମାଞ୍ଚ ବେଶୀ ସମୟ ରହେନାହିଁ।ପ୍ରେମ ବି ବେଳେବେଳେ ସ୍ବଳ୍ପାୟୁ ହୁଏ।ପବନରେ ଖେଳାଇ ଯାଏ ତା'ର ବାସ୍ନା।ଭିଡ ବସ୍ ଭିତରେ ବି ବାଣ୍ଟି ହୋଇଯାଏ।ପାପୁଲି ଭିତରେ ପାପୁଲି ଥିଲେ ମଧ୍ୟ ନ ଥିବା ପରି ଲାଗେ।


           - " ତୁମେ ମୋତେ ଭଲ ପାଅ କି ନାହିଁ ? "


           ପୁଣି ଥରେ ଏଇ ପ୍ରଶ୍ନ ପଚାରିବା ବୟସ ଆଉ ନ ଥିଲା।


           ସେଦିନକୁ ଫେରି ତାଙ୍କୁ ଝିଅଟିଏ ଭାବି ପଚାରି ଦେଇଥିଲେ ସିଏ ବି କୋଉ ଠିକ୍ ଉତ୍ତର ଦେଇଥାନ୍ତେ ଯେ ! କ'ଣ ଏଣୁ ତେଣୁ କହିଥାନ୍ତେ,ଯାହାର କିଛି ଅର୍ଥ ଇ ନ ଥାନ୍ତା।ତେଣୁ ସେମିତି ଇଚ୍ଛାକୁ ମନରେ ସ୍ଥାନ ଦେଇପାରିଲି ନାହିଁ।


           ମୋ ପାଳି ପଡିଲା।ମୁଁ ମୋର ସ୍ବରଚିତ କବିତାଟି ପାଠ କଲି।


           ଉତ୍ସବ ଶେଷ ହେଲା।ସେ ଫେରିଗଲେ।ମୁଁ ବି ଫେରି ଆସିଲି।


           ଏବେ ମୋର ମନେ ହେଉଥିଲା କବିତା ପାଠ ନୁହେଁ,ବୋଧହୁଏ ସେଇ ରୋମାଞ୍ଚ ଟିକକ ପାଇଁ ମୁଁ ସେଠକୁ ଯାଇଥିଲି।ଉତ୍ତର ବୟସର ରୋମାଞ୍ଚ।


           ହଁ,ଉତ୍ତର ବୟସର ରୋମାଞ୍ଚ।


Rate this content
Log in

Similar oriya story from Romance