Arabinda Rath

Inspirational Tragedy

2.5  

Arabinda Rath

Inspirational Tragedy

ଉପହାର

ଉପହାର

13 mins
14.7K


– – ମାଆ ଟିକେ ବଜାରକୁ ଯିବି, ଅଳ୍ପ ସମୟରେ ପଳେଇ ଆସିବି। ମୁଁ ଆସିଲା ପରେ ବକିଆ କାମ ସବୁ ସାରିଦେବି। ଆପଣ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ। ମାଲିକାଣୀଙ୍କୁ ଏତିକି କହି ଯଶୋଦା ଅନୁମତି ପାଇଁ ଅପେକ୍ଷା କରି ରହିଲା।

--- ଆରେ ଏତିକି ବେଳକୁ ବଜାର ଯିବା କ'ଣ ଦରକାର୍, ଆଜି ସନ୍ଧ୍ୟାରେ ପରା ଘରକୁ ସବୁ ଲୋକେ ଆସିବେ। କେତେ କାମ ଅଛି ଜାଣିଛୁ ତ? ତୋର ବଜାର ଯିବା ଦରକାର କ'ଣ? ସଦାବେଳେ ତ ମୋ ସାଙ୍ଗରେ ଯାଉ, ଆଜି ଏକୁଟିଆ ଯିବାକୁ ମନ ବଳାଇଲୁ କାହିଁକି କହିଲୁ ଟିକେ ! ବିରକ୍ତି ଭରା କଣ୍ଠରେ କହିଲେ କମଳା।

ଯଶୋଦା ସେ ଯାଗାରେ ଛିଡା ହୋଇଥିବାର ଦେଖି, ଚିଡିଲା ପରି କହିଲେ – ହେଉ, ଯିବୁ ଯଦି ଯାଆ, କିନ୍ତୁ ଘଣ୍ଟେ ଭିତରେ ଚାଲିଆସିବୁ। ତୁ ଘରେ ଥାଉଥାଉ, ଯଦି ମୁଁ କାମ କରିକରି ମରିବି ତେବେ ତ କଥା ସରିଲା ଜାଣ। ସେ ସୁନା ଚେନକୁ ଭଲରେ ଘୋଡେଇ କି ଯିବୁ। ନ ହେଲେ ଆଜି କାଲି ସହରର ଯାହା ଅବସ୍ଥା, ବେକ ଲଣ୍ଡା କରି ଦେଇ ଯିବେ ତୁ ଜାଣି ମଧ୍ୟ ପାରିବୁନି।

ଅନୁମତି ପାଇଲା ପରେ ମନ ଖୁସିରେ ଯଶୋଦା ବଜାର ଆଡକୁ ମୁହାଁଇଲା।

ସେଦିନ ସନ୍ଧ୍ୟାରେ କମଳା ଓ ହରିବାବୁ ସାନ୍ଧ୍ୟ ଭ୍ରମଣ କଲା ବେଳକୁ କାହାର କ୍ରନ୍ଦନ ଶୁଣି ଛିଡା ହୋଇଗଲେ। ଦେଖିଲା ବେଳକୁ ଗଛ ମୂଳରେ ଜଣେ ସ୍ତ୍ରୀ ଲୋକ କାନ୍ଦିବାରେ ଲାଗିଛି। ଘଟଣା କ'ଣ ଜାଣିବାକୁ ସେମାନେ ସ୍ତ୍ରୀ ଲୋକଟିର ପାଖକୁ ଯାଇ କଥାବାର୍ତ୍ତା କଲେ। ସେ କାନ୍ଦିକାନ୍ଦି ସବୁ ଘଟଣା କହି ଚାଲିଲା।

ପାଖ ଗାଁଆରେ ତା ଘର। ବୟସ ପାଖାପାଖି ଚାଳିଶି ବା ପଇଁଚାଳିଶି ହେବ। ତା ସ୍ଵାମୀ ମହାଜନ ଘରେ ମୂଳିଆ ଭାବରେ ଖଟୁଥିଲା। ଅଳ୍ପ ଦିନ ତଳେ ବିଲରେ ଚାଷ କରୁଥିବା ସମୟରେ ଟ୍ରାକ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଲା। ସ୍ଵାମୀ ସ୍ତ୍ରୀ ଦୁଇଜଣ କୌଣସି ମତେ ଅଳ୍ପ ରୋଜଗାରରେ ଚଳି ଯାଉଥିଲେ। ଘରେ ଅର୍ଥର ଅଭାବ ଥିଲା ସତ, କିନ୍ତୁ ଆନନ୍ଦର ପ୍ରଚୁର୍ୟ୍ୟତା ଥିଲା। ବିଭାଘରର ଏତେ ବର୍ଷ ପରେ ବି ତାର ସନ୍ତାନ ସନ୍ତତି ନ ଥିଲେ। ସ୍ଵାମୀ ଚାଲିଯିବା ପରେ ସଂସାରରେ ତାର ନିଜର ବୋଲି କେହି ରହିଲେ ନାହିଁ। ବାପଘର ଛାଡିବା ଦିନରୁ ତା ସ୍ଵାମୀ ହିଁ ତାର ଦେବତା ଥିଲା। ସଂସାରରେ ତା ସ୍ଵାମୀ ବ୍ୟତୀତ ଅନ୍ୟ କଥା ଚିନ୍ତା କରିବାର ଅବକାଶ ଆସି ନ ଥିଲା। କିନ୍ତୁ ନିୟତିର ଦାରୁଣ ଆଘାତରେ ବିଚାରୀର ସଂସାର ଉଜୁଡି ଗଲା। କାହା ଭରସାରେ ବଞ୍ଚିବ ଭାବିଲା ବେଳକୁ ମହାଜନର ଲୋଲୁପ ଦୃଷ୍ଟିର ଶିକାର ହେଲା। ତା ସ୍ଵାମୀ କରିଥିବା ଉଧାର ପଇସା ଶୁଝିବାକୁ ମହାଜନ ବାରମ୍ବାର ଚାପ ପକାଇବା ଆରମ୍ଭ କଲା। ଏପରିକି ଥରେ ଦୁଇଥର ଘର ଭିତରେ ଧସେଇ ମଧ୍ୟ ପଶିଲା। ସାହି ପଡିଶା ଲୋକେ ମୁହଁ ବୁଲେଇ କିଛି ନ ଦେଖିଲା ପରି ଅଭିନୟ କଲେ। କାହିଁକି ବା ସେମାନେ କାଦୁଅରେ ପଶି ଗୋଡ ମଇଳା କରିବେ। ତା ସ୍ଵାମୀ ବାହାଘର ସମୟରେ ଦେଇଥିବା ପତଳା ସୁନା ଚେନ୍ ଟି ଉପରେ ସମସ୍ତଙ୍କର ନଜର ଲାଖି ରହିଲା। କାରଣ ସେ ଚେନ୍ ଟିକୁ ଛାଡିଦେଲେ ତାର ନିଜର ସମ୍ପତ୍ତି ବୋଲି କିଛି ନ ଥିଲା। ମହାଜନର ପାପ ଅଭିଳାଷ ପୂର୍ଣ୍ଣ ନ ହେବାରୁ ସେ ଯଶୋଦାକୁ ବାଧ୍ୟ କଲା ରଣ ଟଙ୍କା ନ ଶୁଝି ପାରିଲେ ସେ ଘର ତାକୁ ଦେଇଦେବା ପାଇଁ। ନେହୁରା ମିନତି ହୋଇ କିଛିଦିନ ବିତିଗଲା। କିନ୍ତୁ ସେଦିନ ମହାଜନ ଲୋକ ଲଗେଇ ଘର ଭିତରୁ ସବୁ ଜିନିଷପତ୍ର କାଢି ତାଲା ପକେଇ ଦେଲା ଓ କହିଲା ପଇସା ଶୁଝିଲେ ଘର ଚାବି ଦେବ । କାଳେ କାହା ଘରେ ଆଶ୍ରା ନେବ ଭାବି, ଲୋକେ ତାଟି କବାଟ ପକେଇଦେଲେ। ପେଟରେ ଦାନା ପକେଇବାକୁ ପଇସା ନାହିଁ। କୁଆଡେ ଯିବ, କ'ଣ କରିବ ବାଟ ଦିଶିଲାନି ତାକୁ। ସତରେ ତା ସଂସାରଟା ଉଜୁଡି ଯାଇଥିଲା। ଉପାୟ ନ ପାଇ ସେ ଗଛ ମୂଳରେ ବସି ନିଜ ଭାଗ୍ୟ କୁ ନିନ୍ଦିବାରେ ଲାଗିଥିଲା।

ତା କାହାଣୀ ଶୁଣି କମଳା ଓ ହରି ତାକୁ ଘରକୁ ନେଇ ଆସିଲେ। ଘରେ କାମ କରିବାକୁ ଲୋକଟିଏର ଆବଶ୍ୟକତା ଥିଲା। ସେମାନେ ଭାବୁଥିଲେ ଯଶୋଦା ପରି ଜଣେ ଲୋକକୁ ଘରେ ରଖି କାମ ଧାମ କରାଇଲେ କିଛି ଅସୁବିଧା ନାହିଁ। ସେମିତି ବି ତାର ନିଜର ବୋଲି କେହି ନାହିଁ, ଦୁନିଆ ନଜରରେ ସେ ସମ୍ପୂର୍ଣ୍ଣ ନିରାଶ୍ରୟ। ମନର କଥା ଖୋଲି କହିଲେ କମଳା। ଯଶୋଦା ପାଖରେ ଆପତ୍ତି କରିବାର କୌଣସି ବଳିଷ୍ଠ କାରଣ ନ ଥିଲା। ହରିବାବୁ ମନେମନେ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଉଥିଲେ। କାରଣ କାମ କରିବା ପାଇଁ କୌଣସି ସର୍ତ୍ତ ରଖିବା ବା ଅଧିକା ଟଙ୍କା ମାଗିବାର ସାହାସ ଯେ ଯଶୋଦା ପାଖରେ ନାହିଁ ; ସେ ଠିକ୍ ରେ ଠଉରାଇ ସାରିଥିଲେ। ତଥାପି ଧର୍ମକୁ ଆଖିଠାର ମାରିବା ପରି କହିଲେ ।

-- ଦେଖ୍ ମାଆ, ଆଜିଠାରୁ ତୁ ଆମ ଘରେ ରହିବୁ। ପିଲା ମାନେ ସବୁ ବାହାରେ ରୁହନ୍ତି, ଘରେ କେବଳ ଆମେ ବୁଢା ବୁଢୀ ଦୁଇଜଣ। ଘର ଲୋକ ପରି ଖାଇ ପିଇ ଆନନ୍ଦରେ ରହିବୁ ଓ ମାଆଙ୍କୁ କାମ ଧାମରେ ସାହାଯ୍ୟ କରିବୁ। ତାଙ୍କ ଦେହରେ ତ ହଜାରେ ରୋଗ । ମୁଁ ଅଫିସ୍ କାମରେ ସଦାବେଳେ ବ୍ୟସ୍ତ ରୁହେ, ତେଣୁ ଘର କଥା ବୁଝିବାରେ ହେଳା ହୋଇଯାଏ। ଏବେ ଘରର ଯାବତୀୟ ଦାୟିତ୍ଵ ତୋତେ ମୁଣ୍ଡାଇବାକୁ ପଡିବ। କଣ ତୁ ରାଜି ତ?

– – ହଁ ବାବୁ ମୋର କୌଣସି ଥିରେ ଆପତ୍ତି ନାହିଁ, ଆପଣ ମାନେ ମୋ ପାଇଁ ଦେବତା। ମୋତେ କୂଳ କିନାରା ଦିଶୁ ନ ଥିଲା, ଜୀବନ ହାରିଦେବି ବୋଲି ଭାବୁଥିଲି, ସେତିକି ବେଳେ ତୁମ ମୋତେ ଶରଣ ଦେଲ । ମୋ ଜୀବନ ଥିବା ଯାଏ ଆପଣଙ୍କର ସେବା କରୁଥିବି ବାବୁ। ମୋତେ କେବେ ଘରୁ ତଡି ଦେବନି। ମୋର ନିଜର ବୋଲି କେହି ନାହିଁ। ଏ ଘରୁ ବାହାର କରିଦେଲେ କେବଳ ମଶାଣିକୁ ଯିବି।

– – ସେମିତି କହନି ଲୋ ମାଆ। ତୁ ଭଲରେ ଚଳିଲେ ସାରା ଜୀବନ ଆମ ପାଖରେ ରହିବୁ। ତୋତେ ମାଗଣା ଖଟାଇବୁ ବୋଲି ଭାବିବୁନି, ପ୍ରତି ମାସରେ ତୋତେ ପନ୍ଦରଶହ ଟଙ୍କା ଦରମା ବି ଦେବି।

– – ଟଙ୍କା କଥା କୁହନି ବାବୁ। ମୋର କିଛି ଲୋଡା ନାହିଁ। ଯାହା କାମ ଦେବ ସବୁ କରିବି, ମୋର ଟଙ୍କା ଲୋଡା ନାହିଁ।

– – ସେପରି କହିଲେ ହେବନି ମାଆ, ପ୍ରତି କାମର ମୂଲ୍ୟ ଥାଏ। ତୋତେ ମାଗଣାରେ ଖଟାଇ, ପାପର ଭାଗୀଦାର ହେବାକୁ ମୁଁ ଚାହୁଁନି।

ସେହି ଦିନଠାରୁ ଯଶୋଦାର ନୂଆ ଠିକଣା ହୋଇଗଲା ହରି ବାବୁଙ୍କର ଘର। ହରିବାବୁ ମନେମନେ ଆଶ୍ଵସ୍ତ ଥିଲେ, କାରଣ ଆଜିକାଲି କାମ କରିବାକୁ ଲୋକଟିଏ ପାଇବା କାଠିକର ପାଠ ହୋଇଗଲାଣି। ତା ପରେ କାମ କରିବା ପାଇଁ ଲୋକ ଠିକ୍ କଲେ ତିନି ଚାରି ହଜାର ଟଙ୍କାରୁ କମ୍ ଦେଲେ କେହି ରାଜିହେବେନି। ପୁଣି ସପ୍ତାହରେ ତାଙ୍କର ଛୁଟି ଦରକାର, କାମ ନ କରିବାର ହଜାର ବାହାନା ଖୋଜିବାରେ ସେମାନେ ଉସ୍ତାଦ୍, ମୁହଁରେ ଜବାବ୍ ଦେବାରୁ ଆରମ୍ଭ କରି, କିଛି ନ କହି କାମକୁ ନ ଆସିବା ଜଞ୍ଜାଳ ବି ଅଛି। ସେସବୁ ଦେଖିଲେ ଯଶୋଦାକୁ ପାଇ ସେ ଲାଭରେ ଅଛନ୍ତି। ସେ ସଦାବେଳେ ଘରେ ରହିବ, କାମ କରିବାର ନିର୍ଘଣ୍ଟ ନାହିଁ ବା ବାହାନା ନାହିଁ। ଯେତେବେଳେ ଯାହା ବରାଦ୍ କଲେ ସେ କରିବାକୁ ବାଧ୍ୟ। ଏତେ କାମକୁ ପନ୍ଦରଶହ ଟଙ୍କା କିଛି ବି ନୁହଁ। ତଥାପି କମଳାଙ୍କ ମନରେ ଶାନ୍ତି ନ ଥିଲା। ସେ ହରିଙ୍କୁ କହି ଚାଲିଥିଲେ-- ଅଜଣା ଅଶୁଣା ଲୋକଟାକୁ ଘରେ ଆଶ୍ରୟ ତ ଦେଲେ, ପୁଣି ଟଙ୍କା କାହିଁକି ଦେବା? ସେ ଘରେ ମାଗଣା ରହିବ, ମାଗଣା ଖାଇବ ; ତେବେ ପଇସା ଦେବାର ଆବଶ୍ୟକତା କ'ଣ ଅଛି? ହରି ନୀରବ ରୁହନ୍ତି, କାରଣ ସେ ଜାଣିଛନ୍ତି ସବୁ କଥାରେ ଅଶାନ୍ତି ହେବା ଗୁଣଟା କମଳାଙ୍କ ପାଖରେ ଯଥେଷ୍ଟ ଅଧିକ ଅଛି। କମଳାଙ୍କୁ ବୁଝାଇ କୁହନ୍ତି-- ଆଗେ ଦେଖିବା କାମ କେମିତି କରୁଛି। ଯଦି ଠକିବା ଆରମ୍ଭ କରିବ, ଆମେ ତାକୁ ବିଦା କରିଦେବା। ତା ସହ କୋଉ ଚୁକ୍ତି ପତ୍ର କରିଛେ ଯେ ଏତେ ଚିନ୍ତା।

ଆସିବା ଦିନରୁ ଯଶୋଦା ମନଦେଇ କାମ କରିବାରେ ଲାଗିଗଲା। ଘର ଝାଡୁ, ପୋଛାପୋଛି, ଲୁଗା ଧୁଆ, ବାସନ ମଜା, ରୋଷେଇ ବାସ ଆଦି କାମରେ ସେ କେବେ କମଳାଙ୍କୁ ହାତ ମରେଇବାକୁ ଦିଏ ନାହିଁ। କେବଳ ସେତିକି ନୁହଁ, ଘର କାମ କରି ସାରିବା ପରେ ସେ କମଳାଙ୍କ ସେବା ଶୁଶ୍ରୂଷାରେ ଲାଗିଯାଏ। ତାଙ୍କ ଗୋଡ ଘଷି ଦେବା, ମୁଣ୍ଡରେ ତେଲ ଲଗେଇଦେବା, ଔଷଧ ଦେବା ଆଦି କାମ ମଧ୍ୟ ଯଶୋଦା ହିଁ କରୁଥିଲା। ପାଖ ଦୋକାନରୁ ପରିବା ପତ୍ର, କ୍ଷୀର ଆଣିବା କାମ ମଧ୍ୟ ତାକୁ ବଳାଉ ନ ଥିଲା। ମନେମନେ ଖୁସିରେ ଫାଟି ପଡୁଥିଲେ ହରି। କାରଣ ତାଙ୍କର ଅଧାଅଧି ଦାୟିତ୍ଵ ଯଶୋଦା ହିଁ ସମ୍ଭାଳୁଥିଲା। ସେତିକି କରିବା ପରେ ମଧ୍ୟ କମଳା ସନ୍ତୁଷ୍ଟ ନ ଥିଲେ। ସମୟ ସମୟରେ ବିନା କାରଣରେ ସେ ଯଶୋଦାକୁ ଗାଳି ମନ୍ଦ କରୁଥିଲେ। ବାସି ଖାଇବା ଦେବା, ବାରମ୍ବାର ଡାକି ବିନା କାରଣରେ ଘଣ୍ଟାଘଣ୍ଟା ଛିଡା କରାଇବା ଓ ତା ଦାରିଦ୍ର୍ୟ ବିଷୟରେ କହି ନାନା ଗଞ୍ଜଣା କଥା କହିବାରେ ସେ ଅଶେଷ ଆନନ୍ଦ ପାଉଥିଲେ। କେବେକେବେ ଯଶୋଦା କଷ୍ଟ ସହି ନ ପାରି କାନ୍ଦି ପକାଉଥିଲା, କିନ୍ତୁ ସେ କାହା ଆଗରେ ବା ଦୁଃଖ ଗାଇବ। ଶୁଣିବା ଲୋକ ତ ସାତ ପର କରିଦେଇ ଚାଲିଗଲା। କେବଳ ଭାଗ୍ୟକୁ ନିନ୍ଦିବା ଛଡା ଅନ୍ୟ କିଛି କରିବାର ବାଟ ନ ଥିଲା।

ସେଦିନ ହରି ଘରକୁ ଆସିବା ବେଳକୁ କମଳାଙ୍କ ଉଗ୍ର ମୂର୍ତ୍ତି ଦେଖି ପ୍ରମାଦ ଗଣିଲେ। ଭୀଷଣ ଚିତ୍କାର କରି କମଳା ଗାଳି ଦେଇ କହୁଥାଆନ୍ତି – – ତୋ ଓୌକାତ୍ ଭୁଲି ଯାଉଛୁ ନା କଣ? ରାସ୍ତା କଡରେ ବୁଲା କୁକୁର ପରି ପଡିଥିଲୁ, ଆମେ ଘରକୁ ଆଣି ରଖିଲୁ ବୋଲି ମୁଣ୍ଡରେ ଚଢିବୁ? ତୁ ଏକା ଘରଟାକୁ ଟେକି ଧରିଛୁ ଆଉ ମୁଁ ନିକମ୍ମା ହୋଇ ବସିଛି? ମହାରଣା ବାବୁ ସ୍ତ୍ରୀ ତୋତେ ଏତେ ପ୍ରଶଂସା କଲା ବେଳକୁ ତୁ କହି ପାରିଲୁନି ଯେ ମୁଁ ଘରର ସବୁ କାମ କରୁଛି ବୋଲି? ସେ ମୋ ମୁହଁରେ କହି ଦେଇଗଲା ଯେ, ତୁ ମୋ ଘରକୁ ଆସିବା ପରେ ମୁଁ ନିକମ୍ମା ହୋଇ ମୋଟା ହୋଇଗଲିଣି। ତୁ ତାଟକା ହୋଇ ଶୁଣୁଥିଲୁ କଣ; ତୋ ମାଲିକାଣୀକୁ ମୋଟୀ କହିଲା ବେଳକୁ ତୁ ଶୁଣିପାରିଲୁ କେମିତି? ତାକୁ ଚାହା ଜଳଖିଆ ଦେବାକୁ କିଏ କହିଥିଲା, ତୋ ବୋପା ପଇସା ଦେଉଛି ଯେ ମନଇଚ୍ଛା ଖର୍ଚ୍ଚ କରିଚାଲିଛୁ। ଯାହା ତ କାମ କରୁଛୁ ଛାଡ, ସେଥିରେ ଦିନକୁ ଚାରି ଓଳି ନ ଖାଇଲେ ପେଟ ଥଣ୍ଡା ହେଉନି। ଖାଇଯା ସବୁ ଖାଇଯା,ମୋତେ ବି ଖାଇଯା। ହରି ଘଟଣାଟା କଣ ଅନୁମାନ କରି, ପରିସ୍ଥିତି କୁ ଶାନ୍ତ କରିବାରେ ଲାଗିଲେ। ଯଶୋଦା କୁ ସେ ଯାଗାରୁ ଯିବା ପାଇଁ ଇସାରା କରି ସେ କମଳାଙ୍କୁ କୌଣସି ମତେ ବୁଝାଇ ଚୁପ୍ କରାଇଲେ।

ବିଚାରି ଯଶୋଦାର କୌଣସି ଦୋଷ ନ ଥାଇ ମଧ୍ୟ ସେ ଦୋଷୀ ପରି ମସିଣା ଉପରେ ଶୋଇ ଲୁହ ଗଡାଇବାରେ ଲାଗିଥିଲା। ହରି ବାବୁଙ୍କର ବିରାଟ ଘର ଥିଲେ ମଧ୍ୟ ତା ପାଇଁ ଅଦରକାରୀ ଜିନିଷ ରଖିବା ପାଇଁ ବ୍ୟବହୃତ ହେଉଥିବା ଘରଟିକୁ ଦିଆ ଯାଇଥିଲା। ସେଇ ସାନ ଘରଟିରେ ଖଣ୍ଡେ ମସିଣା ଉପରେ ବିଚାରୀର ସମୁଦାୟ ସଂସାର ଥିଲା କହିଲେ ଚଳିବ। ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ସେ ମସିଣାଟି ଉପରେ ଗଡି ପଡିଲେ ତାକୁ ସ୍ଵର୍ଗସୁଖ ମିଳିବା ପରି ଲାଗୁଥିଲା। ଆଜି ମାଲିକାଣୀ ତାକୁ କହିଲେ, ସେ ଦିନରେ ଚାରି ଥର ଖାଉଛି, କିନ୍ତୁ ସତ କଥା ତା ଛଡା ଆଉ କେହି ଜାଣି ନାହାଁନ୍ତି। ହରିବାବୁ ଅଫିସ୍ ଗଲା ପରେ ମାଲିକାଣୀ ତାଙ୍କର ଅସଲ ସ୍ଵରୂପ ଦେଖାନ୍ତି। ନାନା କଟୁ କଥା କହିବା ସହ ଖାଇବା ଦେବାରେ ମଧ୍ୟ ହେଳା କରନ୍ତି। କାଳେ ସେ ରୋଷେଇ ଘରେ କିଛି ଖାଇ ନେବ ବୋଲି ମାଲିକାଣୀ ଗୋଡେଗୋଡେ ଜଗି ରହିଥାଆନ୍ତି। ସେ ଖାଇ ସାରିବା ପରେ ଯାହା ବଳି ପଡେ, ସେତିକି ଖାଇବା ଯଶୋଦା ଭାଗ୍ୟରେ ଲେଖା ଥାଏ। ଭୋକ ଲାଗିଲେ ପାଣି ପିଇ ଶୋଇବା ଛଡା ଅନ୍ୟ ଗତି ନାହିଁ। ଏପରିକି ପାଖରେ ପଇସା ନାହିଁ କହି, ହରିବାବୁ ଦେଉଥିବା ଦରମା ପଇସାରୁ ମଧ୍ୟ କିଛି କିଛି ମାଗି ମାଲିକାଣୀ ନେଇଯାଆନ୍ତି ଓ ଫେରାନ୍ତି ନାହିଁ। ବାହାରକୁ ପରିବା ପତ୍ର କିଣିବାକୁ ଯିବା ସମୟରେ ସେ ବିସ୍କୁଟ୍ ବା ମୁଢି କିଣି ନିଜ ପାଖରେ ରଖିଥାଏ। କେବେ ଯଦି ରାତିରେ ଭୋକ ଲାଗେ ସେଇଥିରୁ କିଛି ଖାଇ ନିଏ। କିନ୍ତୁ ସେତିକି ଖାଇବା ବି ତା ଭାଗ୍ୟରେ ସଦାବେଳେ ନ ଥାଏ। ସେ ବଖରା ରେ ଥିବା ମୂଷା ମାନେ ଅନେକ ସମୟରେ ଖାଇବା ଜିନିଷ କୁ ଖାଇଦିଅନ୍ତି। ପିନ୍ଧିବା ପାଇଁ ମାଲିକାଣୀ ପାଖରେ ଥିବା ଚିରା ଶାଢୀ ତାକୁ ସଦାବେଳେ ମିଳୁଥିଲା। ବହୁତ ଥର ଭାବିଛି, ବଜାର ଯାଇ ଶାଢୀ ଖଣ୍ଡେ ତା ପାଇଁ କିଣି ଆଣିବ ; କିନ୍ତୁ ସବୁ ଥର ମାଲିକାଣୀ ନାଲି ଆଖି ଦେଖାଇ ତାକୁ ମନା କରନ୍ତି।

କେବେକେବେ ରାଗରେ କୁହନ୍ତି-- ବୁଢୀ ହେଲୁଣି, ଆହୁରି ଛୋପରି ଗୁଣ ମନରୁ ଯାଇନି। ତୋତେ ତ ପିନ୍ଧିବା ପାଇଁ ମୁଁ ଶାଢୀ ଦେଉଛି, ପୁଣି କିଣିବା କଣ ଦରକାର ? ନାଗରୀ ସାଜିବାକୁ ତୋ ବୟସ ଆସୁଛି ନା କଣ? ଏମିତି କଥା ଶୁଣିଲେ ଯଶୋଦାର ମନଟା ଭାଙ୍ଗି ପଡେ। ଭାବେ ମାଲିକାଣୀ ସତ କହୁଛନ୍ତି, ସେ ନୂଆ ପିନ୍ଧୁ ବା ପୁରୁଣା କିଏ ବା ଦେଖୁଛି ତାକୁ !

ସବୁଥର ବଜାର ଗଲା ବେଳେ ଯଶୋଦା ସେମାନଙ୍କର ସାଙ୍ଗରେ ଯାଏ। କିନ୍ତୁ ନିଜ ମନ ଅନୁସାରେ ସେ କିଛି କିଣି ପାରେନାହିଁ। କେବଳ ଜିନିଷ ବୋହିବା ପାଇଁ ତାକୁ ଗଧ ପରି ବ୍ୟବହାର କରାଯାଏ। ବାହାରେ ମାଲିକ ମାଲିକାଣୀ ମଉଜ କରି ଖିଆ ପିଆ କଲା ବେଳେ ସେ ହୋଟେଲ ସାମନା ରେ ଜଗୁଆଳ ପରି ଛିଡା ହୋଇଥାଏ । ଭୋକ ଲାଗିଲେ ଦୋକାନରୁ ବିସ୍କୁଟ ଖାଇ ପାଣି ମୁନ୍ଦେ ପିଇ ପୁଣି ଅପେକ୍ଷା କରିବାରେ ଲାଗିଯାଏ। କେଜାଣି କାହିଁକି, ସେମାନଙ୍କ ମନରେ ଟିକେ ବି ଦୟା ଆସେନି ! କେବେ ଥରେ ତାକୁ ପଚାରି ଦିଅନ୍ତିନି ଯେ ସେ କଣ ଖାଇବ, କଣ କିଣିବ । ଖରା ଦିନେ ପାଦ ପୋଡିଗଲା ପରି ରାସ୍ତା ତାତୁଥିଲେ ବି ସେ ଛିଣ୍ଡା ଚପଲ ହଳେ ମାଡି ମୂର୍ତ୍ତି ପରି ଛିଡା ହୋଇ ମାଲିକ ମାଲିକାଣୀଙ୍କ ଅପେକ୍ଷାରେ ଥାଏ। ସେମାନେ କେବେ ପଚାରି ଦିଅନ୍ତିନି ଯେ ଏତେ ଖରାରେ ତାକୁ ଶୋଷ ଲାଗୁଛି କି ନାହିଁ। ଶୀତ ଦିନେ ହାଡଭଙ୍ଗା ଶୀତ କାକରରେ, ପିନ୍ଧା ଶାଢୀକୁ ଗୁଡାଇ ଜାକିଜୁକି ହୋଇ ଛିଡା ହେଲା ବେଳକୁ,ମାଲିକ ମାଲିକାଣୀ ଶୀତ ବସ୍ତ୍ର ପିନ୍ଧି ଆରାମରେ ବୁଲାଚଲା କରୁଥାଆନ୍ତି।

ଯଶୋଦାର ଜୀବନଟା ଧିରେ ଧିରେ ଜଞ୍ଜାଳମୟ ହୋଇ ଚାଲିଥିଲା। ତା ମନରେ ଥରେ ଥରେ ଭାବନା ଆସେ ; ସେଦିନ ସେ ଏହି ଲୋକ ମାନଙ୍କ କଥା ବିଶ୍ଵାସ କରି ଚାଲିଆସି ଠିକ୍ କଲା ନା ଭୁଲ୍। ତାର ସେ ପତଳା ସୁନା ଚେନ୍ ପାଇଁ ବି ନାନା କଥା କହିବାକୁ ମାଲିକାଣୀ ପଛାନ୍ତି ନାହିଁ। ରାଗ ମନରେ କେବେକେବେ କୁହନ୍ତି-- ତୋ ସ୍ଵାମୀ ତୋ ଛାଡି ଆରପୁରକୁ ଗଲା, ଏବେ ସେ ସୁନା ଚେନ୍ କୁ କାହିଁକି ବେକରେ ଝୁଲେଇ ବୁଲୁଛୁ। ତୋ ସ୍ଵାମୀ ପାଇଁ ତୁ ରାଣୀ ହୋଇ ଥାଇପାରୁ,କିନ୍ତୁ ଏବେ ତୁ ଆମ ଚାକରାଣୀ । କିଏ ଚୋରୀ କରିନେଲେ ମୁଣ୍ଡ ବାଡେଇଲେ ବି କେହି ଶୁଣିବେନି। ସେ ଭଙ୍ଗୀ ଛାଡି କାମ ଧାମରେ ମନ ଦେ, କି ବେଳାରେ ତୋ ପରି ଗ୍ରହ ଆମ ଘରେ ପଶିଲା ଯେ, ମନରୁ ଶାନ୍ତି ଉଭାନ ହୋଇଗଲା। ମାଲିକାଣୀଙ୍କ ରାଗର କାରଣ ସେ ବୁଝି ପାରେନି। ତା ପରି ଜଣେ ନିରାଶ୍ରୟ ଲୋକ ପାଇଁ କାହିଁକି ଏତେ ଘୃଣା?ଯଦି ଏତେ ରାଗ, ତାକୁ ବାହାର କାହିଁକି କରି ଦେଉନାହାଁନ୍ତି।

ତାଙ୍କର ରାଗ ଆହୁରି ବଢିଯାଏ ଯେତେବେଳେ ପାଖ ପଡୋଶୀ କୁହନ୍ତି-- ବୁଝିଲେ ଆଜ୍ଞା, ଯଶୋଦା ଆସିଲା ପରେ ଆପଣଙ୍କ ଘରର ରୂପ ପୁରା ବଦଳି ଯାଇଛି। ଯେତେବେଳେ ଦେଖିବ ଘର ପରିଷ୍କାର ପରିଚ୍ଛନ୍ନ ରହୁଛି। ଯବକାଚ ପକେଇ ଖୋଜି ଆଣିଲେ ବି ଧୂଳି ଟିକେ ପାଇବା କଷ୍ଟ। ପଡୋଶୀଙ୍କ କଥା ସବୁ କମଳାଙ୍କ ହୃଦୟରେ ତୀର ପରି ନିବଦ୍ଧ ହୁଏ। ବାରମ୍ବାର ମନରେ ସେଇ କଥା ସବୁ ପ୍ରତିଧ୍ଵନିତ ହୋଇ ଚାଲିଥାଏ। ସେ ନିଜର ଅସ୍ତିତ୍ଵ ପ୍ରତି ସନ୍ଦିହାନ ହୋଇଉଠନ୍ତି ଓ ଭାବନ୍ତି ଦୁନିଆରେ କମଳା ହିଁ ତାଙ୍କର ସବୁଠାରୁ ବଡ ପ୍ରତିଦ୍ଵନ୍ଦୀ। ଅନେକ ଥର ସେ ଭାବନ୍ତି ମିଛ ବାହାନା ଦେଖାଇ ଯଶୋଦାକୁ ତଡି ଦେବା ପାଇଁ, କିନ୍ତୁ ସେପରି କିଛି ପରିସ୍ଥିତି ଉପୁଜେ ନାହିଁ। ଯେଉଁ ଦିନ କୌଣସି ଲୋକ ଯଶୋଦାର ପ୍ରଶଂସା କରେ, ସେଦିନ ରାତିରେ ତାକୁ ଖାଇବାକୁ ମିଳେ ନାହିଁ। ମିଳେ କେବଳ ଅଭିଶାପ ଓ କଟୁବଚନର ଉପହାର। ହରି ସବୁ ଜାଣି ମଧ୍ୟ ନୀରବ ରୁହନ୍ତି। ମନ ଭିତରେ ଭୀଷଣ କ୍ଷତାକ୍ତ ହେବା ପରେ ବି ଯଶୋଦାର ବ୍ୟବହାରରେ ସେମାନଙ୍କ ପ୍ରତି କୌଣସି ପରିବର୍ତ୍ତନ ଆସେ ନାହିଁ। କାରଣ ତା ନଜରରେ ମାଲିକ ମାଲିକାଣୀ ହେଲେ ଜୀବନ୍ତ ଭଗବାନ। ସେହିମାନେ ହିଁ ତାକୁ ନୂତନ ଜୀବନଦାନ ଦେଇଛନ୍ତି। ସେମାନଙ୍କର ବିରୁଦ୍ଧରେ ସେ ଚିନ୍ତା ବା କିପରି କରିବ?

ସେଦିନ ହରି ଓ କମଳାଙ୍କର ପଚିଶତମ ବିବାହ ବାର୍ଷିକୀର ଆୟଜନ ଘରେ ଜୋରଦାର ଚାଲିଥିଲା। ପିଲା ମାନେ ମଧ୍ୟ ଆସିଥିଲେ। ସନ୍ଧ୍ୟାବେଳେ ଗୋଟିଏ ଭୋଜିର ଆୟୋଜନ କରା ଯାଇଥିଲା। ବନ୍ଧୁବାନ୍ଧବ, ହରିଙ୍କ ଅଫିସ କର୍ମଚାରୀ ଓ ପାଖ ପଡୋଶୀ ମାନେ ଆସିବେ। ଯଶୋଦାକୁ ଫୁର ସତ୍ ନାହିଁ। ତିନି ଦିନ ହେଲାଣି ସେ ଦଣ୍ଡେ ନିଶ୍ଵାସ ନେବାକୁ ଫୁର ସତ୍ ପାଇନି। ପିଲାମାନେ କମଳାଙ୍କ ଗୁଣ ନେଇ ଜନ୍ମ ହୋଇଛନ୍ତି। ପାନରୁ ଚୂନ ଖସିଲେ ଗାଳି ଦେଇ ତାର ଅବସ୍ଥା ବେହାଲ କରିଦେଉଛନ୍ତି। ସେସବୁକୁ ଖାତିର ନ କରି ସେ କାମରେ ମାତିଛି। ଘରଦ୍ବାର, ଅଗଣା ଝାଡୁ ପୋଛା କରି ଚକଚକ କରି ସାରିଛି। ପ୍ରତି ବଖରା ବୁଲିବୁଲି ସବୁ କାମ ସାରିଛି। ରୋଷେଇ ଦାୟିତ୍ଵ ତା ଉପରେ। ପାଖାପାଖି ପଚାଶ ଲୋକ ଖାଇବେ। ଦଶ ପ୍ରକାର ଖାଇବା ତିଆରି ହେବ। ପରିବା ପତ୍ର ଓ ବାକି ଜିନିଷପତ୍ର କିଣା ସରିଛି। କେବଳ ରୋଷେଇ ହେବ ଯାହା। ତିନିଦିନ ହେଲାଣି ତା ଖାଇବା ପିଇବା ରେ ଠିକଣା ନାହିଁ। ରାତିରେ କିଛି ବଳିଲେ ତ ଖାଇବା ମିଲିବ! ପିଲାମାନେ ଭଲ ଖାଇବା ବାଲା ହୋଇଛନ୍ତି, ଯେତେ ବାଢିଲେ ବି ଥାଳି ନିମିଷକରେ ଖାଲି ହୋଇଯାଉଛି। ଶେଷ ଆଶ୍ରା ତା ବଖରାରେ ଥିବା ମୁଢି ନୋହିଲେ ମୂଷା ଖଣ୍ଡିଆ କରିଦେଇଥିବା ବିସ୍କୁଟ୍। ପିଲା ମାନଙ୍କ ଆଗରେ ମାଲିକାଣୀଙ୍କ କ୍ରୋଧର ବର୍ଷା ତା ଉପରେ ବେଶୀ ହେଉଛି। ବିନା କାରଣରେ ଗାଳିଫଜିତ୍ କରି ସେ ନିଜ ମାଲିକ ପଣିଆ ଦେଖାଇବାରେ ତିଳେମାତ୍ର ଅବହେଳା କରୁନାହାଁନ୍ତି। କିନ୍ତୁ ସେ ଆଡକୁ ନଜର ନାହିଁ ତାର। ତା ପାଇଁ ଯେଉଁମାନେ ଜୀବନ୍ତ ଇଶ୍ଵର ସେମାନଙ୍କର ବିବାହ ବାର୍ଷିକୀ ହେବ। କେତେ ଖୁସିର ଦିନ। ପାଞ୍ଚ ଲୋକ ଆସିବେ, ଭଲରେ ମୁଠେ ଖାଇକରି ଗଲେ ମାଲିକ ମାଲିକାଣୀଙ୍କୁ ଆଶୀର୍ବାଦ ଦେବେ। ସେ ବହୁତ ଦିନରୁ ମନରେ ଭାବିଛି ମାଲିକ ମାଲିକାଣୀଙ୍କୁ କିଛି ଗୋଟେ ଉପହାର ଦେବ। ସେମାନେ ତା ପାଇଁ ଏତେ କରିଛନ୍ତି ଯେ ସଂସାରର ଯେତେ ମୂଲ୍ୟବାନ ଜିନିଷ ଦେଲେ ବି ନିଅଣ୍ଟ ପଡିବ। ମନରେ କେତେ ଆଶା ନେଇ ବଜାର ଯିବାକୁ ବାହାରିଲା ବେଳକୁ ମାଲିକାଣୀଙ୍କ ତାଗିଦା ପଡିଗଲା।

ହାତରେ ଜରିଗୁଡା ଜ୍ୟାକେଟ୍ ଟେ ଧରି ଯଶୋଦା ଘରେ ପଶିଲା ବେଳକୁ ମାଲିକାଣୀଙ୍କ ନଜରରେ ପଡିଗଲା। ସେ ଛିଗୁଲାଇ କହିଲେ-- ଆରେ ଦେଖ ପିଲାମାନେ, ଆମର ବିବାହ ବାର୍ଷିକୀ ହେବ, ଆମେ ଜିନିଷପତ୍ର କିଣାକିଣି କରିନୁ, କିନ୍ତୁ ଆମ ଚାକରାଣୀ ବଜାର ବୁଲି ଜିନିଷ କିଣି ଫେରିଲାଣି। କେତେ ପଇସା ରଖିଛୁ ପାଖରେ ଯେ ଜରି ଭର୍ତ୍ତି କରି ଜିନିଷ କିଣି ଆଣିଲୁ ମ ! ପିଲା ମାନଙ୍କର ଟାହି ଟାପରା ଭରା ହସ ଓ ମାଲିକାଣୀଙ୍କ କୁତ୍ସା ରଟନାରେ ମନ ଭିତରଟା ଘାଣ୍ଟି ହୋଇଗଲେ ବି ସେ ମୁହଁରେ ହସ ଖେଳେଇ ଛିଡା ହେଲା।

– ଆଲୋ ଯାଆ ଏ ଯାଗାରୁ, ତୋ ଚନ୍ଦ୍ର ବଦନ ଦେଖିବାକୁ କାହାର ଆଗ୍ରହ ନାହିଁ। ଦୁନିଆ ଯାକର କାମ ପଡିଛି, ତୋ ଭଙ୍ଗୀ ଦେଖିବାକୁ ଆମ ପାଖରେ ସମୟ ନାହିଁ। ଜରିଟିକୁ ତା ବଖରାରେ ରଖି ସେ ରୋଷେଇ ଘରେ ପଶିଲା। ପେଟରେ ଦାନା ପଡିନି, ଶୋଷରେ ତଣ୍ଟି ଶୁଖିଯାଉଛି। ଭୋକରେ ହଂସା ଉଡିଗଲା ପରି ଲାଗୁଛି। କିନ୍ତୁ ଏବେ ଖାଇବା କଥା କହିଲେ ମାଲିକାଣୀ ମାରି ଗୋଡେଇବେ। ମନେମନେ ଭାବିଲା, ପାଣି ଟିକେ ପିଇ କାମ କରିବ। ଏମିତି ତ କେତେ ରାତି କଟିଛି। ସେ ରୋଷେଇ କରିବାରେ ବ୍ୟସ୍ତ ଥିଲା ବେଳେ ମାଲିକାଣୀ ପଛରୁ ଆସି କହିଲେ...

-- ଶୁଣ କୌଣସି ଜିନିଷରେ ମୁହଁ ମାରିବୁନି, ତୋ ପେଟ ତ ସଦାବେଳେ ଜଳି ଯାଉଛି। ଲୋକେ ଖାଇ ସାରିବା ପରେ ତୁ ଖାଇବୁ। ଦିନେ ନ ଖାଇଲେ ଜୀବନ ପଳେଇବନି। ବଡବଡିଆ ଲୋକବାକ ଆସିବେ, ସେମାନଙ୍କ ଆଗକୁ ଆସିଲେ ଗୋଡ ଛୋଟା କରିଦେବି। ସେଇ ରୋଷେଇ ଘରେ ରହିଥିବୁ।

ଆଖିରୁ ଲୁହ ପୋଛି ମୁଣ୍ଡ ଟୁଙ୍ଗାରି ହଁ ଭରିଲା ସେ।

– – ଉଁଃ କହିଲା ବେଳକୁ ରାଧା ଦେହରେ ବାଧା ପଶି ଯାଉଛି। ସେ ଛୋପରାମୀ ବନ୍ଦ କରି କାମରେ ମନ ଦେ।

ଲୋକ ସବୁ ଆସିଲେଣି। ଅଳ୍ପ ସମୟ ପରେ କେକ୍ କଟାଯିବ ଓ ତା ପରେ ଲୋକମାନେ ଖାଇବେ। ତା ପେଟ ଭିତରଟା ମନ୍ଥି ହୋଇ ଯାଉଛି, ମୁଣ୍ଡ ଝିମଝିମ ହେବା ପରି ଲାଗୁଛି, ସେ ସକାଳୁ କିଛି ଖାଇନି। ଆଖି ସାମନାରେ ଖାଦ୍ୟର ଭଣ୍ଡାର, କିନ୍ତୁ ସେସବୁକୁ ଦେଖିବା ବି ମନା। ମନ ଭିତରେ କୋହ ଉଠି ଆସୁଛି। କିନ୍ତୁ ସେ କାନ୍ଦିବନି,ମାଲିକ ମାଲିକାଣୀଙ୍କର କାଳେ ଅଶୁଭ ହେବ !

କେକ୍ କଟା ବୋଧେ ସରିଗଲାଣି। ଲୋକ ମାନେ ଉପହାର ଦେବାକୁ ଆରମ୍ଭ କଲେଣି। ତା ଉପହାରଟା ରହିଗଲା ଯେ! କେମିତି ଦେବ? ବଡ ସନ୍ତର୍ପଣରେ ସେ ରୋଷେଇ ଘରୁ ବାହାରି ତା ବଖରା ଆଡକୁ ଗଲା। ଜରି ବ୍ୟାଗ୍ ଟି ଆଣି ମାଲିକ ମାଲିକାଣୀଙ୍କ ସାମନାରେ ଛିଡାହେଲା, ଦୁଇ ଜଣଙ୍କ ପାଦ ତଳେ ପଡି ମୁଣ୍ଡିଆ ମାରିଲା ଓ ଜିନିଷକୁ ହରିବାବୁଙ୍କ ହାତକୁ ବଢେଇ ଦେଲା। ସେ ହସିହସି ଜିନିଷଟି ଗ୍ରହଣ କଲେ।

– – ମହାରଣା ବାବୁ ସ୍ତ୍ରୀ କହିଲା, କେତେ ସୁଧାର ଲୋକଟି ଦେଖ। ତା ମାଲିକ ମାଲିକାଣୀଙ୍କୁ ଉପହାର ଦେଲା। ମୁଁ କ'ଣ ମିଛଟାରେ ତାକୁ ପ୍ରଶଂସା କରେ, ସେ ଗୋଟେ ଖାଣ୍ଟି ହୀରା। ସବୁ ଦେଖ, କେତେ ପରିଶ୍ରମ କରି ଘରଟାକୁ ଚକମକ କରିଛି, ପୁଣି ରୋଷେଇ ବି କରିଛି। ଆଜି ଖାଇବାଟା ନିହାତି ଅମୃତ ପରି ଲାଗିବ। ତାକୁ ପ୍ରଶଂସା କରିବାକୁ ହେଉ ବା କମଳାଙ୍କୁ ଚିଡାଇବାକୁ ହେଉ, ମହାରଣା ବାବୁ ସ୍ତ୍ରୀ ଏତିକି କହି କମଳାଙ୍କ ଆଡକୁ ଦେଖି ଆଖି ମିଟିକା ମାରିଲା।

ସେତିକି ବେଳକୁ ମାଲିକାଣୀଙ୍କ ଝିଅ ଦଉଡି ଆସି କହିଲା – ମାମା, ମୋ ମୋତି ମାଳଟା ରୁମ୍ ରେ ରଖିଥିଲି, ଏତେ ଖୋଜିଲିଣି ମିଳୁନି। ତୁ ଦେଖିଛୁ କି?

– ସେ ଘରକୁ ଯଶୋଦା କେତେବେଳେ ଯାଇଥିଲା?

– – ସକାଳେ ତ ସେ ଝାଡୁପାଛା କରୁଥିଲା ମୋ ରୁମ୍ ରେ। ତା ପରଠାରୁ ମିଳୁନି ମାଳଟା। କହିଲା ଝିଅ।

କେହି କିଛି ବୁଝିବା ପୂର୍ବରୁ କମଳା ରାଗରେ ଜର୍ଜରିତ ହୋଇ ଯଶୋଦାର ଚୁଟି ଘିଞ୍ଚି କାନ୍ଥରେ ପିଟିଦେଲେ ଓ କହିଲେ-- ଚୋରଣୀ କୁଆଡେ ନେଲୁ ମୋ ଝିଅର ମାଳ କହ। ସବୁ ଚୋରୀ କରୁଛୁ ତୁ ମୋ ଘରୁ। କାହାକୁ କିଛି କହୁନି ବୋଲି ତୋ ସାହାସ ବଢି ଯାଉଛି? ଆଜି ଯଦି ମୋ ଝିଅର ଜିନିଷ ନ ଦେବୁ ପୋଲିସ୍ ଡାକି ବନ୍ଧେଇଦେବି। ଗାଳି ସହିତ ଅନବରତ ମାରି ଚାଲିଥିଲେ ସେ ଯଶୋଦାକୁ। ବିଚାରି ଦେହରେ ବଳ ଟିକେ ବି ନ ଥିଲା। ସେ ପ୍ରତିବାଦ ମଧ୍ୟ କରି ପାରିଲାନି। କେବଳ ହାତ ଯୋଡି ତଳେ ବସି ରହିଲା। ତା ନୀରବତାକୁ କମଳା ଦୋଷ ସ୍ଵୀକାର କରିବାର ସଙ୍କେତ ମନେ କରି ମନଇଚ୍ଛା ମାରି ଚାଲିଲେ। ହରିବାବୁଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ଵେ ବିଚାରୀ ତାଙ୍କ କବଳରୁ ବର୍ତ୍ତି ପାରିଲା ନାହିଁ। ରାଗ ସମ୍ଭାଳି ନ ପାରି କମଳା, ମହାରଣା ବାବୁଙ୍କ ସ୍ତ୍ରୀଙ୍କୁ ବି ଭଲମନ୍ଦ କରି ଦୁଇପଦ ଶୁଣାଇ ଦେଲେ। ପାଟି କରି କହିଲେ--- ଆପଣଙ୍କ ପାଇଁ ଏ ଚୋରଣୀର ମୁହଁ ଏତେ ବଢିଯାଇଛି। ଯେଉଁ ଲୋକ କୁ ଯେତିକି ରେ ରଖିବା କଥା ତା ଠାରୁ ଅଧିକ ପ୍ରଶ୍ରୟ ଦେଲେ ଏମିତି ଫଳ ହୁଏ।

ବିଚାରୀର ଚୁଟି ଧରି ଘୋଷାରି ଘୋଷାରି ଘରୁ ବାହାର କରିଦେଲେ। ହରି ସବୁ ଦେଖୁଥିଲେ ମଧ୍ୟ କିଛି କରିବାର ଶକ୍ତି ହରାଇ ସାରିଥିଲେ। ଚତୁର୍ଦ୍ଦିଗରେ କେବଳ ନୀରବତା ବିରାଜମାନ କରୁଥିଲା ଓ ସେ ନୀରବତାକୁ କିଞ୍ଚିତ୍ ପରିମାଣରେ ଦୋହଲାଇ ଦେଉଥିଲା ଯଶୋଦାର କରୁଣ ସ୍ବର-- ମୁଁ ଚୋରଣୀ ନୁହଁ ବାବୁ, ମୋତେ ସେମିତି କୁହନାହିଁ। କେତେ ଖୁସିରେ ଆପଣ ମାନଙ୍କ ପାଇଁ ଉପହାର ଆଣିଥିଲି, ଏମିତି ହେବ ବୋଲି କେବେ ବି ଭାବି ନ ଥିଲି। ମୁଁ ଚାଲି ଯାଉଛି, ଆପଣଙ୍କ ଘରୁ, କିନ୍ତୁ ମୋତେ ଚୋରଣୀ କୁହନ୍ତୁ ନାହିଁ। କମଳା ତା ମୁହଁକୁ ଏକ ଶକ୍ତ ଗୋଇଠା ମାରିବାରୁ ବିଚାରି ମୁହଁ ମାଡି ତଳେ ପଡିଲା। କଷ୍ଟରେ ଗୁରୁଣ୍ଡି ଗୁରୁଣ୍ଡି ସେ ଯାଗାରୁ ଚାଲିଗଲା।

ସେ ଚାଲିଗଲା ପରେ ସବୁ ଘରକୁ ଆସି ଦେଖିଲା ବେଳକୁ ପୁଅ ହାତରେ ସେ ମାଳିଟି ଧରି ତା ଭଉଣୀକୁ ଚିଡେଇବାରେ ବ୍ୟସ୍ତ। ଘଟଣା ବୁଝିବାରୁ ଜଣାଗଲା ଯେ ତା ଭଉଣୀକୁ ଚିଡାଇବା ପାଇଁ ମୋତି ମାଳଟିକୁ ପକେଟ୍ ରେ ଲୁଚାଇ ରଖିଥିଲା। ହରି ମୁଣ୍ଡରେ ହାତ ଦେଇ ବସି ପଡି କହିଲେ, ପୁଅରେ ତୁ କଣ କଲୁ ? ଆମେ ମାନେ କେତେ ବଡ ପାପ କରିଦେଲୁ ତୋ ମୁର୍ଖାମି ପାଇଁ। ଥରଥର ହାତରେ ସେ ପ୍ୟାକେଟ୍ ଟି ଖୋଲିଲେ। ତା ଭିତରେ କମଳାଙ୍କ ପାଇଁ ଏକ ଦାମୀ ପାଟ ଶାଢୀ ଓ ହରିଙ୍କ ପାଇଁ ପ୍ୟାଣ୍ଟ ସାର୍ଟ କପଡା ଥିଲା। ଆବେଗ ଭରା କଣ୍ଠରେ ହରି କହିଲେ-- ଆରେ ଏ ଶାଢୀଟି ମୁଁ ସେ ଦୋକାନରେ ଦେଖିଥିଲି କିଛିଦିନ ତଳେ। ଦୋକାନୀ ପାଞ୍ଚ ହଜାର କହିବାରୁ ମୁଁ ନ କିଣି ଫେରିଆସିଲି। ତେବେ କଣ ନିଜର ସର୍ବସ୍ଵ ଦେଇ ଯଶୋଦା ଆମ ପାଇଁ ଏ ଉପହାର କିଣିଥିଲା, ଅଥଚ ଆମେ ମାନେ ତାକୁ ଗଳା ଧକ୍କା ଦେଇ, ଅପମାନିତ କରି, ଚୋରଣୀର ଆଖ୍ୟା ଦେଇ ତଡିଦେଲେ। ସେ ରାସ୍ତାକୁ ଦଉଡିଲେ ଓ ତାଙ୍କ ପଛରେ କମଳା। ବେଶି ଦୂର ଯିବାକୁ ପଡିଲାନି ସେମାନଙ୍କୁ--- ଘରଠାରୁ ଅନତିଦୂରରେ ଏକ ଆମ୍ବ ଗଛରେ ଝୁଲୁଥିଲା ଯଶୋଦା, ପିନ୍ଧିଥିବା ଶାଢୀଟି ବେକରେ ଗୁଡେଇ ହୋଇଥିଲା। ଗଛରୁ ଯଶୋଦାର ମୃତ ଦେହ ତଳକୁ ଆଣିଲା ବେଳେ ହରି ଚିତ୍କାର କରି କହିଲେ-- ଶେଷକୁ ତୋ ସ୍ଵାମୀର ଶେଷ ସନ୍ତକ ସେ ସୁନା ଚେନ୍ କୁ ବିକ୍ରିକରି ଆମ ପାଇଁ ଉପହାର ଆଣିଲୁ, କିନ୍ତୁ ଆମେ ତୋତେ ମୃତ୍ୟୁର ଉପହାର ଦେଲୁ??କମଳା ମୁହଁ ପୋତି ଲୁହ ଗଡାଉଥିଲେ, ତାଙ୍କ ପାଖରେ କହିବା ପାଇଁ ଶବ୍ଦଟିଏ ମଧ୍ୟ ନ ଥିଲା। ବାକି ଲୋକେ ଘୃଣା ଚକ୍ଷୁରେ ଦୁଇ ଜଣଙ୍କୁ ଦେଖି ସେ ଜାଗାରୁ ଚାଲିଯିବାକୁ ଆରମ୍ଭ କରି ସାରିଥିଲେ।

--ସମାପ୍ତ---


Rate this content
Log in

Similar oriya story from Inspirational