ଉଆଁସୀ କନ୍ୟା
ଉଆଁସୀ କନ୍ୟା


ସକାଳୁ ସକାଳୁ ବିଶ୍ୱନାଥ ବାବୁଙ୍କ ଘରକୁ ଖଡିରତ୍ନ ଜ୍ୟୋତିଷ ଆସି କହିଲେ – ବୁଝିଲେ ଆଜ୍ଞା, ଝିଅର ସପ୍ତମରେ ବୃହଷ୍ପତି ଓ ଦଶମରେ ଚନ୍ଦ୍ର ଅବସ୍ଥାନ ହେତୁ ଏବର୍ଷ ବାହାଘର ନକରିବା ଭଲ ହେବ । ଆସନ୍ତା ବର୍ଷ ଫାଲ୍ଗୁନ ପରେ ମାନେ ଠିକ୍ ଆଉ ନଅ ମାସ ପରେ ବାହାଘର କଲେ ଅତ୍ୟନ୍ତ ଶୁଭ ହେବ । ପୁ’ଣି ଝିଅ ଯେହେତୁ ଅମାବାସ୍ୟାରେ ଜନ୍ମ , ତେଣୁ ...... । ଜ୍ୟୋତିଷ ଆଉ କିଛି ନ କହି ମନ ଦୁଃଖରେ ଚୁପଚାପ ଘରୁ ବାହାରି ଚାଲିଆସିିଲେ । ବିଶ୍ୱନାଥ ବାବୁଙ୍କ ଏକ ମାତ୍ର ଅଲିଅଳୀ କନ୍ୟା ସଞ୍ଜୁକ୍ତା । ଡାକ ନାଁ ସଞ୍ଜୁ । ଏବର୍ଷ ବି.ଏ ପରୀକ୍ଷା ଦେଇଛି । ସଞ୍ଜୁ ଟିକେ ନାକ କାନ୍ଦୁରି । ଟିକେ ଟିକେ କଥାରେ କାନ୍ଦି ପକାଏ । ବାହାଘର କଥା ଶୁଣି ଦୁଇ ଦିନ ହେଲା କାନ୍ଦୁଥିଲା । ବାହାଘର ଆସନ୍ତା ବର୍ଷକୁ ହେବ ଶୁଣି ତା ମୁହଁରେ ଟିକେ ହସ ଫୁଟିଛି । ବିଶ୍ୱନାଥ ବାବୁଙ୍କ ନାଁ ଏ ଖଣ୍ଡମଣ୍ଡଳରେ ବେଶ୍ ଜଣାଶୁଣା । ଗାଁରେ ପ୍ରତି ବର୍ଷ ଦୋଳ ମେଲଣ ଠାରୁ ଆରମ୍ଭ କରି ଯାନିଯାତ୍ରା ପର୍ବପର୍ବାଣୀ ପର୍ଯ୍ୟନ୍ତ ବିଶ୍ୱନାଥ ବାବୁଙ୍କ ସାହାଯ୍ୟ ଅତୁଳନୀୟ ।
ସଞ୍ଜୁ ବି.ଏ ପାସ୍ ପରେ ଉକ୍ରଳ ୟୁନିଭରସିଟିରେ ଏମ୍.ଏ ରେ ଆଡମିସନ୍ ନେଇଛି । ହଷ୍ଟେଲରେ ରହୁଛି । ମଝିରେ ମଝିରେ ଛୁଟିରେ ଗାଁକୁ ବୁଲି ଆସୁଛି । ସେ ଗାଁକୁ ଆସିଲେ ବିଶ୍ୱନାଥ ବାବୁଙ୍କ ପାଦ ତଳେ ଲାଗେନି । ଏ କୋଡିଏ ଖଣ୍ଡ ମୈାଜାରେ ଏମ୍.ଏ ପଢୁଆ ଝିଅ ନାହାନ୍ତି । ସେଥିପାଇଁ ବିଶ୍ୱନାଥ ବାବୁ ମନେ ମନେ ଖୁସି ହୁଅନ୍ତି ।
ବେଳେବେଳେ ନିସ୍ତବ୍ଧ ରାତିରେ ଶୋଇବାକୁ ଯାଉଥିବା ସମୟରେ ଝିଅ କଥା ମନେ ପଡିଲେ ତାଙ୍କ ଆଖିରୁ ନିଦ ହଜିଯାଏ । ସେ ଭାବନ୍ତି – ଝିଅଟିଏ ଅମାବାସ୍ୟାରେ ଜନ୍ମ ହେବା କ’ଣ ପାପ ? ଯେଉଁ ଝିଅ ପାଇଁ ସେ ଏତେ ତ୍ୟାଗ କରିଛନ୍ତି , ବିବାହ ପରେ ତାର ଯଦି କିଛି ହେଇଯାଏ ସେ ଭଲରେ ବଂଚିପାରିବେ ତ ? ଜ୍ୟୋତିଷ କହୁଥିଲେ ଅମାବାସ୍ୟାରେ ଜନ୍ମ ହେଉଥିବା ଝିଅମାନେ କୁଆଡେ .....? ଏହି କଥା ଭାବି ଭାବି କେତେବେଳେ ରାତି ପାହିଯାଏ ସେ ଜାଣିପାରନ୍ତିନି । ମନ ଭିତରେ ସୃଷ୍ଟି ହେଉଥିବା କୋକୁଆ ଭୟ ସଦାବେଳେ ତାଙ୍କ ମନରେ ଉଙ୍କି ମାରେ ।
ସଂଜୁର କ୍ଲାସମେଟ୍ ସଂବିତ୍ । ଦୁହେଁ ଦୁହିଙ୍କୁ ନିବିଡ ଭାବେ ଭଲ ପାଆନ୍ତି । ସେଦିନ ସଂଧ୍ୟାରେ ପାର୍କରେ ଦୁହେଁ ବସିଥିବା ସମୟରେ ସଂଜୁ କହିଲା –
-ଜାଣିଛ ସଂବିତ୍ , ଆମ ଗାଁରେ ଦୋଳ ମେଲଣ ହେଉଛି । ମୁଁ ସାତ ଦିନ ପାଇଁ ଗାଁକୁ ଯିବି । ବାବା ମୋତେ ଫୋନ୍ କରିଛନ୍ତି ।
-ଏତେ ଦିନ ସେଠାରେ ରହି କଣ କରିବ ?
-ମାନେ ?
-ମାନେ, ମୁଁ ତୁମକୁ ଏତେ ଦିନ ଛାଡି ରହିବି କିପରି ?
-ତା ହେଲେ ମୋ ସହିତ ଆମ ଘରକୁ ଚାଲ । ଟାଇମ୍ ପାସ୍ ହେଇଯିବ , ଜଣାପଡିବନି । କଣ କହୁଛ ?
-ଓକେ ବାବା, ମୁଁ ଯିବି ।
ଗାଁରେ ଦୋଳ ମେଲଣ ଧୁମଧାମରେ ଚାଲିଥାଏ । ସଂଜୁ ଆଉ ସଂବିତ୍ ଗାଁରେ ପହଂଚିଲା ବେଳକୁ ସଂଧ୍ୟା ହୋଇଯାଇଥାଏ । ଏମାନଙ୍କୁ ଦେଖି ପରିବାରର ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ । ସଂଜୁ ସଂବିତକୁ ନେଇ ସମସ୍ତଙ୍କ ସହ ପରିଚିତ କରାଇଦେଲା ।
ଗାଁରେ ଦୋଳ ମେଲଣ ଓ ଗାଁର ପରିବେଶ ସଂବିତକୁ ବହୁତ ଭଲ ଲାଗିଲା । ସେଥପାଇଁ ସେ ସଂଜୁର ବୁଦ୍ଧିକୁ ମନେ ମନେ ତାରିଫ୍ କଲା । ସଂବିତ୍ ସ୍ୱଭାବରେ ଥିଲା ସରଳ ଓ ନମ୍ର । ଗାଁରେ ସମସ୍ତଙ୍କ ସହ ମିଶି ଯାଉଥିଲା । ସେଥିପାଇଁ ଗାଁର ଲୋକେ ସଂବିତକୁ ବେଶୀ ଭଲ ପାଉଥିଲେ ।
ସଂବିତର ଫେରିବା ବିଳମ୍ବ ଦେଖି ସଂଜୁ ମନେ ମନେ ବ୍ୟସ୍ତ ହୋଇ ପଡୁଥିଲା । ହେଲେ ଲାଜରେ କାହାକୁ କିଛି କହି ପାରୁନଥିଲା । ଅଗଣାରେ ବସି ସଂଜୁ ତା ବାପାଙ୍କ ସହ ଚା ପିଉଥିବା ସମୟରେ ସଂବିତ୍ ପହଂଚିଲା । ସଂଜୁ କହିଲା –
-ଏତେ ସମୟ ହେଲା କୁଆଡେ ଯାଇଥିଲ ?
-ଆମ୍ବ ତୋଟା ଆଡେ ଯାଇଥିଲି ।
-ବସ , ଚା ପିଇବ । ଆମ ଗାଁ କେମିତି ଲାଗୁଛି ?
-ବହୁତ ଭଲ । ଇଛା ହେଉଛି ଆଉ କିଛିଦିନ ଏଠାରେ ରହିବାକୁ ।
-ଏବେ ତ ଲମ୍ବା ଛୁଟି ପଡିଛି । ତା ହେଲେ ରହିଯାଅ ।
-ଆଉ ତମେ ?
-ମୁଁ ଏଠାରେ ତୁମକୁ ଛାଡି ଭୁବନେଶ୍ୱର ଚାଲିଯିବି ।
ସଂଜୁଠାରୁ ଏକଥା ଶୁଣି ପରିବାରର ସମସ୍ତେ ଏକ ସଙ୍ଗେ ହସି ଉଠିଲେ । ସଂବିତ୍ ଆଉ ସଂଜୁ ବି ହସିଲେ । ବିଶ୍ୱନାଥ ବାବୁ ସଂବିତକୁ ଲକ୍ଷ୍ୟ କରି କହିଲେ - ଆମ ସମସ୍ତଙ୍କର ଇଛା , ତମେ ଏଠାରେ ଆଉ କିଛିଦିନ ରହିଯାଅ । ସଂବିତ୍ ସଂଜୁ ଆଡକୁ ବୁଲି ଚାହିଁଲା ବେଳକୁ ସଂଜୁ ହସିଦେଇ ଭିତରକୁ ଚାଲିଗଲା । ଝିଅର ଖୁସି ଦେଖି ପରିବାରର ସମସ୍ତେ ମନେ ମନେ ବେଶୀ ଖୁସି ହେଉଥିଲେ ।
ଦିନେ ୟୁନିଭର୍ସିଟି ପଛପଟେ ଥିବା କୃଷ୍ଫଚୁଡା ଗଛ ମୂଳେ ସଂବିତ୍ ସଂଜୁକୁ କହିଲା –
-ଆମ ଘରେ ସମସ୍ତେ ମୋ ବାହାଘର ପାଇଁ ବ୍ୟସ୍ତ ହେଲେଣି ।
-ଆମ ଘରେ ବି ।
-ତାହେଲେ ଯଥାଶୀଘ୍ର ଯଥା ରାବଣସ୍ୟ ମନ୍ଦଦୋରୀ ହେଇଯାଉ ।
-ଧେତ୍, ତୁମର ଯେଉଁ କଥା । କିନ୍ତୁ........
-କିନ୍ତୁ ପୁଣି କ’ଣ ? ପ୍ଲିଜ୍ କୁହନା ?
-ମୁଁ ମ୍ୟାରେଜ୍ କରିପାରିବିନି ।
-କାହିଁକି ?
-କାରଣ ମୁଁ ଗୋଟେ “ଉଆଁସୀ କନ୍ୟା” । ଅମାବାସ୍ୟାରେ ମୋ’ର ଜନ୍ମ । ଜ୍ୟୋତିଷ କହୁଥିଲେ ବିବାହ ପରେ .... । ତୁମର ଯଦି କିଛି ହେଇଯାଏ , ତା’ ହେଲେ ମୁଁ ବଂଚି ପାରିବିନି ।
-ମୋର ସେମିତି କିଛି ହେବନି । ଯେତିକ ଅନ୍ଧବିଶ୍ୱାସ ସବୁ ତୁମରି ମୁଣ୍ଡରେ । ଏତେ ପାଠଶାଠ ପଢି ତମେ ଅନ୍ଧବିଶ୍ୱାସକୁ ଯାବୁଡି ଧରିଛ କେମିତି ? ଏକଥା ଆମ ଘରେ ଶୁଣିଲେ ସମସ୍ତେ ହସିବେ ।
-ନାଇଁ ଯେ’ । ଗାଁରେ ଲୋକେ କହୁଛନ୍ତି ...ା
-ସେସବୁ କଥା ଛାଡ । ଯୁଗ ଯାଇ କେଉଁଠି ହେଲାଣି ତୁମକୁ ଜଣାନାହିଁ । ମୋ ଡାଡି ମମି ତୁମକୁ ବୋହୁ କରିବା ପାଇଁ କେଉଁଦିନୁ ଅନାଇ ବସିଛନ୍ତି । ପ୍ଲିଜ୍ , ଘରେ ସମସ୍ତଙ୍କୁ ଜଣାଇ ଦିଅ ।
ସଂବିତ୍ ସହ ସଂଜୁର ବିବାହ ବଡ ଆଡମ୍ବରରେ ସଂପନ୍ନ ହେଲା । ଚତୁର୍ଥୀ ଦିନ ନିମନ୍ତ୍ରିତ ଅତିଥୀମାନେ ଭୋଜି ଖାଇସାରିଲା ବେଳକୁ ଏଗାରଟା ବାଜିଥିଲା ।ସଂଜୁ ସଂବିତକୁ ଅପେକ୍ଷା କରି କରି ବୋର ହେଉଥିଲା । ତା ମନକୁ ବାରମ୍ବାର ପାପ ଛୁଉଁଥିଲା । ସଂବିତ୍ ଆସିବା ପରେ ସଂଜୁ ମୁହଁ ଫୁଲାଇ କହିଲା –
-ତମେ କ’ଣ କରୁଥିଲ ? ମୁଁ ବସି ବସି ବୋର୍ ହେଉଛି ।
-ତୁମ ପାଖରେ ତ ସମସ୍ତେ ଅଛନ୍ତି । ବୋର୍ ହେଲ କେମିତି ?
-ଠିକ୍ ଯେ ....ା ହେଲେ ଜ୍ୟୋତିଷ ଯାହା କହିଥିଲେ .....
ସଂବିତ୍ ତା ପାଟିରୁ କଥା ଛଡାଇ ନେଇ କହିଲା – ହଉ, ଠିକ୍ ଅଛି । ସେ ବାହାରକୁ ଯାଇ ତା’ର ଭଉଣୀ ଲିଜାକୁ ସାଥୀରେ ଧରି ସଂଜୁ ପାଖରେ ପହଂଚି କହିଲା – ଦେଖ, ଏ ମୋ ଭଉଣୀ । ଆଜିକୁ ଦଶ ବର୍ଷ ହେଲା ସେ ତା ସ୍ୱାମୀ ଓ ପିଲାଙ୍କ ସହ ଦିଲ୍ଲୀରେ ରହୁଛି । ଆଉ ଏଇ ଲିଜାର ଜନ୍ମ ବି ତୁମ ପରି ଅମାବାସ୍ୟାରେ ହୋଇଥିଲା । ଏବେ ସବୁ ବୁଝି ପାରିଲ ତ ? ଲିଜା ହସି ହସି ସୋନୁକୁ ସାଥୀରେ ଧରି ବାହାରୁ ଡୋର୍ ବନ୍ଦ କରି ଯିବା ପରେ, ସଂଜୁ ସଂବିତ୍ ପାଖକୁ ଟିକେ ଲାଗିଆସି କହିଲା – ରିୟେଲି ୟୁ ଆର୍ ଗ୍ରେଟ୍ । ମୋ ମୁଣ୍ଡରୁ ଗୋଟେ ବଡ ବୋଝ ଓହ୍ଲାଇଗଲା । ଏବେ ମୁଁ ବହୁତ ଖୁସି । ସଂଗେ ସଂଗେ ସଂବିତ୍ ଖୁସିରେ ସଂଜୁ ମଥାରେ ସରୁଚୁମାଟିଏ ଆଙ୍କି ନେଇଆସିଲା ବେଡ୍ ଉପରକୁ ।