Sucharita Sena

Inspirational

4  

Sucharita Sena

Inspirational

ତତ୍ତ୍ୱନିର୍ଣ୍ଣୟ

ତତ୍ତ୍ୱନିର୍ଣ୍ଣୟ

5 mins
220



ସାନମଙ୍ଗଳା ପୁର ଗାଁର ବୈକୁଣ୍ଠନାଥ ଦାସ କହିଲେ ଆଖ ପାଖ ଚାରି ଖଣ୍ଡିର ଲୋକ ଜାଣି ପାରିବେ | ଜାତିରେ ବ୍ରାହ୍ମଣ | ଦେଖିବାକୁ ଗୋରା ତକ୍ ତକ୍ | ଦେହରେ ସବୁବେଳେ ପଇତା ପଡ଼ିଥିବ | ମୁଣ୍ଡ ଠାରୁ ନାକ ପର୍ଯ୍ୟନ୍ତ ଚନ୍ଦନ ଚିତା | ବଡ ବଡ ପୂଜା, ବ୍ରତଘର, ବାହାଘର ସବୁ କରନ୍ତି | ସେ ଯେତବଳେ ଶ୍ଳୋକ ପଢିବା ଆରମ୍ଭ କରନ୍ତି, ଯିଏ ହୁଅନ୍ତୁନା କାହିଁକି ନିମିଷେ ଚାହିଁ ରୁହନ୍ତି | ସମସ୍ତେ କୁହା କୁହି ହୁଅନ୍ତି ସତରେ ମା ସରସ୍ୱତୀ ବିଜେ କରିଛନ୍ତି ନନାଙ୍କ କଣ୍ଠରେ | ଲୋକମାନେ ଶ୍ରଦ୍ଧାରେ ଅଥବା ଭକ୍ତି ଭାବରେ ମୁଣ୍ଡ ନୁଆନ୍ତି ବୈକୁଣ୍ଠନାଥ ନନା ଙ୍କ ପାଖରେ |

ବୈକୁଣ୍ଠ ନନା ଙ୍କ ମନରେ ସବୁବେଳେ ବାଛବିଚାର ଥାଏ | ଅନ୍ୟ ଜାତିର ଲୋକଙ୍କ ଘରେ ପାଣି ପିଅନ୍ତି ନାହିଁ | ଛୋଟ ଅଥବା ନିମ୍ନ ଜାତିର ଲୋକଙ୍କୁ ଛୁଇଁଲେ ତାଙ୍କ ପଇତା ମାର ହୋଇଯାଏ | ଯଦି ଭୁଲୁରେ କିଏ ତାଙ୍କୁ ସ୍ପର୍ଶ କରେ ସେ ଗଙ୍ଗା ଜଳରେ ସାନ୍ନ କରି ଗୋ ମୂତ୍ର ପାନ କରନ୍ତି | ନିଜ ଧର୍ମର ଲୋକଙ୍କ ଠାରୁ ବେଶୀ ଘୃଣା କରନ୍ତି ଅନ୍ୟ ଧର୍ମର ଲୋକଙ୍କୁ | ଯଦି ଅନ୍ୟ ଧର୍ମର ଲୋକ ଛୁଇଁବେ ତାହେଲେ ବୈକୁଣ୍ଠ ନନା ଙ୍କୁ ବୈକୁଣ୍ଠ ପ୍ରାପ୍ତ ହେବନି | ଏହା ତାଙ୍କ ବିଚାର ଥିଲା |

ବୈକୁଣ୍ଠ ନନା ଙ୍କ ଗୋଟେ ବୋଲି ପୁଅ | ପୁଅର ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ, ଆର ସାହି ପିତାମ୍ବର ବ୍ରାହ୍ମଣ ଙ୍କ ଝିଅ ସହିତ | ନିଜଇଛାରେ ଝିଅ ବାଛିଥିଲେ ପୁଅ ପାଇଁ | ବୋହୂଟି ବି ଖୁବ୍ ସୁନ୍ଦର ଓ ସଂସ୍କାରି ଥିଲା | ବୈକୁଣ୍ଠ ନନା ଆନନ୍ଦ ଥିଲେ ନିଜ ପସନ୍ଦ ଉପରେ | କିନ୍ତୁ ଦଇବର ଖେଳ ନିଆରା ଥିଲା | ବିବାହର ତିନି ବର୍ଷ ପରେ ଝୁଅଟିଏ ଜନ୍ମ ଦେଇ ବୋହୁ ଆର ପାରିକୁ ଚାଲିଗଲା | ବୋହୁ ଯିବାର ୬ଟି ମାସ ପୂରିନି ଦଇବ ପୁଅକୁ ବି ଛଡାଇ ନେଇଗଲା | ଗୋଟେ ସଡ଼କ ଦୁର୍ଘଟଣା ରେ ପୁଅ ବି ଆଖି ବୁଜିଲା | ବୈକୁଣ୍ଠନନା ଦାରୁ ପାଲୋଟି ଗଲେ | କିନ୍ତୁ କୋଳରେ ଥିଲା ନାତୁଣୀ ଶଲ୍ୟାଶ୍ରୀ | ତା ମୁହଁକୁ ଚାହିଁ ବୈକୁଣ୍ଠ ନନା ବଂଚିବାକୁ ନିଷ୍ପତି ନେଲେ | ଯାହା ପ୍ରଭୁଙ୍କ ଇଛା | ନାତୁଣୀ ଟି ଭିତରେ ନିଜ ପୁଅ, ବୋହୁ, ଓ କୂଳର ପ୍ରତିମା କୁ ଦେଖୁଥିଲେ | ଶଲ୍ୟାଶ୍ରୀ କୁ ଅତ୍ୟନ୍ତ ସ୍ନେହ ଶ୍ରଦ୍ଧାରେ ବଡ କରାଉ ଥିଲେ |

ଶଲ୍ୟାଶ୍ରୀ ଶ୍ଳୋକ ଅତି ସୁନ୍ଦର ଭାବରେ ପଠନ କରେ | ଏହାର ସମସ୍ତ ଶ୍ରେୟ ବୈକୁଣ୍ଠନନାଙ୍କୁ ହିଁ ଯିବ | ଦିନ ରାତି ସେ ଶଲ୍ୟାଶ୍ରୀ ପଛରେ ଲାଗିଥାନ୍ତି | କିପରି ସେ ଭଲ ପାଠ ପଢିବ, ଚାକିରୀ କରି ନିଜ ଗୋଡ଼ରେ ଠିଆ ହେବ |

ଶଲ୍ୟାଶ୍ରୀ ବିଭିନ୍ନ ପ୍ରତି ଯୋଗିତାରେ ଅଂଶ ଗ୍ରହଣ କରେ | ଖୁବ୍ ସୁନ୍ଦର ଭାବରେ ଶ୍ଳୋକ ଉଚ୍ଚାରଣ କରେ, ଭାଷଣ ଅଥବା ବିଭିନ୍ନ ପ୍ରକାର ଲେଖନୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କୃତ ହୁଏ | ବୈକୁଣ୍ଠନନା ଙ୍କ ଛାତି ଚଉଡା ହୋଇଯାଏ | ନାତୁଣୀ ନିଶ୍ଚୟ ଦିନେନା ଦିନେ ତାଙ୍କ ନାଁ ରଖିବ |

ଶଲ୍ୟାଶ୍ରୀ ସପ୍ତମ ରେ ପଢ଼ିଲାଣି | ସେଦିନ ବିଦ୍ୟାଳୟରୁ ଆସି ବୈକୁଣ୍ଠ ନନା ଙ୍କୁ କହିଲା........ " ଜେଜେ , ରବିବାର ମୋର ଗୋଟେ ଶ୍ଳୋକ ପ୍ରତିଯୋଗିତା ଅଛି | ରାଜ୍ୟ ସ୍ତରରେ ହେବ | ଆମ ବିଦ୍ୟାଳୟ ତରଫରୁ ମୁଁ ଚୟନ ହୋଇଛି | ରବିବାର ସକାଳୁ ବାହାରି ଯିବା | " |

ବୈକୁଣ୍ଠନନା, ଗେଲ୍ହାରେ ଆଉଁଷି ଆଣିଲେ ଶଲ୍ୟାଶ୍ରୀ ର ମୁଣ୍ଡକୁ | " ହଁ ନିଶ୍ଚୟ ଯିବା, ତୁ ଟିକେ ତା ପୂର୍ବ ଦିନ ମତେ ମନେ ପକେଇ ଦେବୁ " | କହି ବସିଲେ ବୈକୁଣ୍ଠନନା |

ଶଲ୍ୟାଶ୍ରୀ ହଁ ଭରିଲା |

ରବିବାର ଭୋରୁ ଉଠି, ସମସ୍ତେ ପୂଜା ପାଠ ସାରି ବୈକୁଣ୍ଠ ନନା ପ୍ରସ୍ତୁତ ହୋଇଗଲେ | ସକାଳୁ ଜେଜେ ଓ ନାତୁଣୀ ବାହାରିଗଲେ ନିଜ ନିଜ ସାଇକେଲ ଧରି | ଯେଉଁ ବିଦ୍ୟାଳୟରେ କାର୍ଯ୍ୟକ୍ରମ ହେଉଥିଲା, ସେଠାରେ ପହଂଚିବାକୁ ପଇଁଚାଳିଶ ମିନିଟ୍ ଲାଗିବ | ନିଦ୍ଧିଷ୍ଟ ସମୟରେ ବିଦ୍ୟାଳୟରେ ପହଂଚି ଯାଇଥିଲେ ଦୁଇଜଣ | ଅନେକ ବିଦ୍ୟାଳୟର ପିଲା ସେଠାରେ ଯୋଗ ଦେଇଥିଲେ | ଶଲ୍ୟାଶ୍ରୀ ଅତି ସୁନ୍ଦର ଭାବରେ ଶ୍ଳୋକ ପଠନ କରି, ପ୍ରଥମ ସ୍ଥାନ ଅଧିକାର କଲା | ସେଦିନ ସମସ୍ତ କାର୍ଯ୍ୟ ସମ୍ପାଦନ ପରେ ପୁରସ୍କାର ବିତରଣ କାର୍ଯ୍ୟ ଶେଷ ରେ ହୋଇଥିଲା |

ଘରକୁ ଫେରିବାବେଳକୁ ମୁହଁ ସଞ୍ଜ ହୋଇ ଗଲାଣି | ବୈକୁଣ୍ଠ ନନା କଡେ କଡେ ଚାଲିଥାନ୍ତି ଶଲ୍ୟାଶ୍ରୀ ର | ଦୁହେଁ କଥା ହୋଇ ଚାଲିଥାନ୍ତି | ଘରକୁ ଆସିବାକୁ ହେଲେ ମଝିରେ କିଛି ବାଟ ଶୂନଶାନ୍ ଥାଏ | ସେଠାରେ ଦୋକାନ ବଜାର କିଛି ନାହିଁ | ରାସ୍ତାରେ କେତେବେଳେ କିମିତି ଗାଡି ମୋଟର ଚାଲିଯାଏ | ହଟାତ ଗୋଟେ ମୋଟରଗାଡି ଆସି ରହିଗଲା ଶଲ୍ୟାଶ୍ରୀ ପାଖରେ | ବୈକୁଣ୍ଠନନା କିଛି ବୁଝିବା ଆଗରୁ, ତିନିଜଣ ଗାଡ଼ିରୁ ଓଲ୍ହାଇ ଆସିଲେ | ଶଲ୍ୟାଶ୍ରୀକୁ ଦୁଇଜଣ କାବୁ କରିନେଲେ | ଆଉ ଜାଣେ ବୈକୁଣ୍ଠନନା ଙ୍କୁ ସାଇକେଲ ସହ ଗୋଇଠା ମାରି ଫୋପାଡ଼ି ଦେଲା | ଶଲ୍ୟାଶ୍ରୀ ଜୋରେ ଚିତ୍କାର କରୁଥାଏ | ସେ ବହୁତ ଡରି ଯାଇଥିଲା |

"ଜେଜେ..... ଜେଜେ" ..... ବୋଲି ଆକୁଳରେ ଡାକୁଥାଏ |

ବୈକୁଣ୍ଠନନା ନିଜକୁ ଅତି କଷ୍ଟରେ ଠିଆ କରାଇଲେ | ସେ ଅସାମାଜିକ ଯୁବକଙ୍କୁ ନେହୁରା ହେଉଥାନ୍ତି | ତାଙ୍କ ନାତୁଣୀକୁ ଛାଡି ଦେବାକୁ ବିକଳରେ ପ୍ରାର୍ଥନା କରୁଥାନ୍ତି |

ସେମାନେ ଶଲ୍ୟାଶ୍ରୀ ବେକରେ ଥିବା ସୁନା ଚେନ୍ କୁ ଛିଣ୍ଡାଇ ନେଇଗଲେ | ତାପରେ ଉଭୟ ଭିତରେ କଥା ହେଲେ....

" ଝିଅକୁ ଉଠେଇକି ନେଇଯିବା " |

ବୈକୁଣ୍ଠନନା ଭୋ ଭୋ ହୋଇ କାନ୍ଦୁ ଥାନ୍ତି | ସର୍ବୋସ୍ୱ ହରାଇଥିବା ବୈକୁଣ୍ଠନନା ନିଜ ଶେଷ ଆଶାଟିକୁ ହରାଇବାକୁ ଯାଉଛନ୍ତି | ଅନ୍ତର ତାଙ୍କର ବିଦାରିତ ହେଉଥାଏ | ବୟସ ବି ତାଙ୍କ ବିପକ୍ଷରେ ଦଣ୍ଡାୟମାନ | ନା ନିଜକୁ ଉଠାଇ ପରୁଥାନ୍ତି ନା କିଛି କରି ପରୁଥାନ୍ତି |

ଏହି ସମୟରେ ସେଠାରେ ଆଉ ଏକ ମୋଟର ଗାଡି ଆସି ପହଁଚିଲା | ସେଥିରୁ ଗୋଟେ ପିଲା ବଡ ପାଟିରେ ଚିତ୍କାର କରି, କହି କହି ମାଡି ଆସୁଥିଲା......... " ସାଲୋ, ଖୁଦା କୋ ଡରୋ | ଇତିନା ହିମ୍ମତ, ଏକ ଛୋଟୀସି ଲଡକୀ କୋ ବି ନେହି ବକ୍ସ ରେହିହୋ " | ( ଭଗବାନ ଙ୍କୁ ଡର | ତୁମ୍ଭ ମାନଙ୍କର ଏତେ ସାହସ, ଗୋଟେ ଛୋଟ ଝିଅକୁ ବି ଛାଡ଼ୁନା | ) ଏହା କହି ଝାପଟି ଆସୁଥିଲା ସେ ନର ରୂପୀ ରାକ୍ଷସଙ୍କ ପାଖକୁ | ଶଲ୍ୟାଶ୍ରୀ କୁ ଛାଡି କିଏ କୁଆଡେ ଛତ୍ରଭଙ୍ଗ ଦେଲେ |

ସେ ପିଲାଟି ଆସି ବୈକୁଣ୍ଠନନା ଙ୍କୁ ଉଠାଇଲା | ବୈକୁଣ୍ଠ ନନା ଇସାରାରେ କହିଲେ ଶଲ୍ୟାଶ୍ରୀ କୁ ଦେଖିବାକୁ | ପିଲାଟି ସନ୍ତାନା ଦେଇ କହିଲା ....... " ଚାଚା ସେ ଠିକି ଅଛି | ତମେ ଆଗେ ଉଠ " |

ବୈକୁଣ୍ଠନନା ଠିଆ ହେଲେ | ପିଲାଟି କହିଲା ମୋ ନା ସୁଲେମାନ୍ | ମୋ ଘର ଏଇ ପାଖରେ | ଚାଲ ମୋ ସାଙ୍ଗରେ | ତମ ମୁଣ୍ଡରୁ ରକ୍ତ ବାହାରୁଛି | ଝିଅ ବି ବହୁତ ଡରି ଯାଇଛି | ଟିକେ ବିଶ୍ରାମ ନେଇଁ ଯିବ |

ବୈକୁଣ୍ଠ ନନା କିଛି ଭାବିପାରୁନଥିଲେ | ସୁଲେମାନ ଆଜି ଶଲ୍ୟାଶ୍ରୀର ଜୀବନ ରକ୍ଷା କରିଛି | ତାଙ୍କୁ ଚିରଋଣୀ କରି ଦେଇଛି | ଆଗପଛ ଚିନ୍ତା ନକରି ସୁଲେମାନ ଗାଡ଼ିରେ ବସି ଆଗଉଥାନ୍ତି ଜେଜେ ଓ ଶଲ୍ୟାଶ୍ରୀ | ସେଠାରେ ପହଂଚିବା ପାରେ ଖୁବ୍ ସଂମାନ ସହ ସେମାନଙ୍କ ଭଲ ମଦ ବୁଝିଲେ ସୁଲେମାନ ର ପରିଜନ | ବୈକୁଣ୍ଠନନା ଚୁପ ବସିଥିଲେ | ମଲମ ଓ ପଟି ଭଲ ଭାବରେ ବାନ୍ଧି ଦେଲା ସୁଲେମାନ | ରାତି ଘନାଉ ଥାଏ, ଅଧିକ ବିଳମ୍ବ ହେଲେ ଘର ଲୋକ ଅଥବା ସାହି ପଡିଶା ଵ୍ୟସ୍ତ ହେଇ ପଡିବେ ବୈକୁଣ୍ଠନନା ଙ୍କର |

ସୁଲେମାନ ନିଜ ଗାଡ଼ିରେ ଆଣି ଘର ପାଖରେ ଛାଡି ଦେଇ ଗଲା ବୈକୁଣ୍ଠନନା ଓ ଶଲ୍ୟାଶ୍ରୀ କୁ | ସେମାନେ ଘର ଭିତରକୁ ଯିବା ପର୍ଯ୍ୟନ୍ତ ସେମିତି ବାହାରେ ଠିଆ ହୋଇଥିଲା ସୁଲେମାନ | ବୈକୁଣ୍ଠନନା ହାତ ହଲାଇ କହୁଥାନ୍ତି .... " ତମେ ଯାଅ.... ରାତି ବେଶୀ ହେଲାଣି ଯାଅ " | ଘରେ ପହଂଚିବା ପରେ ଯାଇ ବାହାରୁ ମୋଟର ଗାଡି ଯିବାର ଶବ୍ଦ ଶୁଭିଲା |

ଏ ଘଟଣାର ପନ୍ଦର ଦିନ ଚାଲିଗଲା | ସେଦିନ ସୁଲେମାନ ନିଜର କୌଣସି କାମରେ ଘରୁ ବାହାରୁ ଥାଏ | ଘର ଆଗରେ ବୈକୁଣ୍ଠ ନନା ଓ ଶଲ୍ୟାଶ୍ରୀ ଦଣ୍ଡାୟମାନ | ସୁଲେମାନ ସେମାନଙ୍କୁ ଦେଖି ଆନନ୍ଦରେ ଘରକୁ ପାଛୋଟି ନେଲା | ଆସିବାର କାରଣ ପଚାରନ୍ତେ...... ବୈକୁଣ୍ଠନନା ଙ୍କ କଣ୍ଠ ଓଦା ହୋଇ ଆସିଲା, ଥର ଥର କଣ୍ଠରେ କହିଲେ..... " ଆଜି ରାଖୀ ପୂର୍ଣ୍ଣିମା | ଶଲ୍ୟାଶ୍ରୀ ଆସିଛି ତା ଭାଇ ହାତରେ ରାଖୀ ବାନ୍ଧିବାକୁ " |

ସୁଲେମାନ ମୁଖ ଚମିକି ଗଲା | ତା ଜୀବନରେ ଏହା ପ୍ରଥମ ଥିଲା | ଅତି ଖୁସିରେ ହାତକୁ ବଢ଼ାଇ ଦେଲା ଶଲ୍ୟାଶ୍ରୀ ପାଖକୁ |

ସ୍ନେହ ରେ ତା ମୁଣ୍ଡ ଆଉଁଷି ଦେଲା | ଶଲ୍ୟାଶ୍ରୀ ଖୁବ୍ ଯତ୍ନରେ ରାଖୀ ବାନ୍ଧି ଦେଲା ସୁଲେମାନ ହାତରେ | ପାଟିରେ ଖୋଇଦେଲା ମିଠା | ପାଦ ଛୁଇଁ ପ୍ରଣାମ କଲା | ସୁଲେମାନ ଆଖି ବି ଜକେଇ ଆସିଲା |

ଘରକୁ ବହୁଡୁଥିଲେ ବୈକୁଣ୍ଠନନା ଓ ଶଲ୍ୟାଶ୍ରୀ | ପଛରୁ ସୁଲେମାନ କହୁଥିଲା...... " ଭଉଣୀ ତୁ ଯାଆ, ତୋ ରାଖୀ ଉପହାର ବାକି ରହିଲା "|

ଶଲ୍ୟାଶ୍ରୀ ଓଠରେ ଖେଳିଗଲା ଗୋଟେ ହସ |



Rate this content
Log in

Similar oriya story from Inspirational