Satyabati Swain

Inspirational

4  

Satyabati Swain

Inspirational

ଟପ୍ ଟିମ୍

ଟପ୍ ଟିମ୍

8 mins
24.1K



ଆମର ଗୋଟିଏ କ୍ଲାସ୍ ରେ ଚାରିଟି ସେକ୍ସନ ଥିଲା।ଚାରି ସେକ୍ସନ୍ ରେ ପାଠରେ ପ୍ରଥମ ହେଉଥିବାପିଲାଙ୍କୁ ନେଇ ଆମେ ଚାରିଜଣ ଗୋଟେ ଟିମ୍ ଗଢି ଥିଲୁ।ଟିମ୍ ଅର୍ଥ ଏଇଆ ଯେ ଆମେ ଭଲ ବନ୍ଧୁ ଥିଲୁ,ଭଲ ପଢୁ

ଥିଲୁ,ଏକାଠି ଖେଳୁଥିଲୁ।ଯିଏ ଯାହା ଘରୁ ଆଣୁଥିଲା ସାଙ୍ଗ ହୋଇ ଖାଉଥିଲୁ।ଯଦିଓ ଆମେ ଆମ ଟିମ୍ ନାଁ ଦେଇ ନଥିଲୁ;ଅନ୍ୟ ପିଲାମାନେ କିନ୍ତୁ ଡାକୁଥିଲେ "ଟପ୍ ଟିମ୍।"ଆମ ଟିମ୍ ରେ ସମସ୍ତେ ଙ୍କ ମିଶିବାକୁ ଇଚ୍ଛା ।ଭଲ ପଢ଼ୁଥିବା ପିଲା ସାର୍ ଙ୍କ ଅତି ପାଖ ଥାଆନ୍ତି।ଯେହେତୁ ଆମେ ମେଧା ତାଲିକାରେ ଶହେ ପିଲା ଭିତରେ ଆଗରେ ଥିଲୁ,ବୁର୍ତ୍ତି ପାଉଥିଲୁ ସେହେତୁ ସାର୍ ମାନେ ଅତି ଭଲ ପାଉଥିଲେ।


ଆମ ସ୍କୁଲରେ ଏମିତି ନିଜ ରୁଚି ଅନୁଯାୟୀ ସମାସ୍କନ୍ଦ ସାଙ୍ଗଙ୍କୁ ନେଇ କେତେ ଟିମ୍ ହୋଇଥାଏ।ସବୁ ପିଲା ଆମ ଟପ୍ ଟିମ୍କୁ ବେଶୀ ଭଲ ପାଆନ୍ତି।ଆମେ ମାନେ ମଳୟ,ଚନ୍ଦନ, ମଧୁ ଓ ମୁଁ ଚୈତାଳି,ଚାରି ବନ୍ଧୁଙ୍କ ଗୋଟିଏ ଗାମୁଛା।


ଆମେ ସ୍କୁଲ ଛୁଟି ପରେ ନିରୋଳାରେ ବର ଗଛ ମୂଳେ ବସି ଯୋଜନା କରୁ।କଣ କଲେ ରାଜା ସବୁଦିନ ଦୁଷ୍ଟାମୀ ଛାଡିବ।ରାଜା ଆମ କ୍ଲାସ୍ ର ଗୋଟେ ଦୁଷ୍ଟ ପିଲା।


ରାଜା ଅତ୍ୟାଚାର ବଢି ଚାଲୁଥିଲା ଦିନୁ ଦିନ।


ଶିବା ନନାଙ୍କ ପୁଅ ରାଜା ଆମ ସ୍କୁଲ ଡନ୍ ଥିଲା।ତା ମନ ଇଛା ଯାହାକୁ ପାଏ ତାକୁ ମାରେ।ପାଠ ହେଉ ନଥିବାରୁ ଗୋଟିଏ ଶ୍ରେଣୀରେ ଦି ଦି ବର୍ଷ ରହିବା ରେକର୍ଡ କରିଥିଲା ସିଏ।ଏଣୁ ଆମ ସମସ୍ତ ଭିତରେ କେବଳ ମୋଟା ସୋଟାରେ ନୁହେଁ ବୟସରେ ବି ଯଥେଷ୍ଟ ବଡ଼ ଥିଲା ସେ।ସେ ଯେପରି ଦୁଷ୍ଟ ସେପରି ନିଷ୍ଠୁର ପ୍ରକୃତିର ପିଲାଟିଏ ଥିଲା।


ତା ନନା ଆମ ସରପଞ୍ଚ।ସେହି ହିସାବରେ ସେ ଇନ୍ଦ୍ର ଚନ୍ଦ୍ର ମାନେନି।ଆମ ସାର୍ ମାନଙ୍କୁ ମଧ୍ୟ ଛାଡେନି।ଅଲେଖ ସାର୍ ଙ୍କୁ ଡାକିବ ଅଲିଆ ନନା,ଧୋତି ଫିଟିଗଲା ପଛକୁ ଅନା।ରାମ ସାରଙ୍କୁ କହିବ ରାମ ଦେବ ଏଡ଼େ ଏଡ଼େ ଡିମ।ବନମାଳୀ ସାର୍ ଙ୍କୁ କହିବ ବନମାଳୀ ମାର୍ ତାଳି।ଗଦାଧର ସାର୍ ଙ୍କୁ କହିବ ଗଦା ନା ଅଦା ମାର୍ ଦିଟା ବିଧା।ନରି ସାରଙ୍କ ଉପରେ ତାର ସବୁଠୁ ବେଶୀ ରାଗ।କାହିଁକିନା ନରି ସାର୍ କିଲିକିଆ ବିଧା ଦିଅନ୍ତି।କହିବ ଆରେ ଆରେ ପାପିଷ୍ଠ ନରି ଆଉ ରକ୍ଷା ନାହିଁ ତୋହରି।ତୁ ବୋବେଇବୁ ଏଥର ମେଏଁ ମେଏଁ ଛେଳି ପରି।


ସାର୍ ଙ୍କ କାନ କୁ ଗଲେ ବହେ ବାଡ଼ିଆ ଖାଏ।ସାର୍ ଯେମିତି ଯାଆନ୍ତି କହିବ ମାଡ଼ଟିଏ ନା ପାଡଟିଏ।ହା ଫୁସ୍, ଛୁ ଛୁ ମନ୍ତ ର ,ଦେଖ୍ ମାଡ଼ ଗାଏବ।କେଉଁ ପିଲା କି ସାର୍ ତାକୁ ଭଲ ପାଆନ୍ତି ନାହିଁ।ଏତେ ନିଷ୍ଠୁର ଭାବେ ମାରିବ ଯେ ବଡ଼ ଲୋକ ମାଇଲା ପରି।ହଁ ପିଲା ଲୋକ ଦୁଷ୍ଟାମୀ କରନ୍ତି।କେହି କାହାର ହାତ ଗୋଡ଼ ଭାଙ୍ଗନ୍ତି କି?ଦିନେ ନିଖିଳ୍ କୁ ଏମିତି ଧରି ବୁଲେଇ ବୁଲେଇ କଚାଡି ଦେଲା ଯେ ବିଚରାର ଆଜି ଯାଏ ଗୋଟିଏ ହାତ ଭଙ୍ଗା। :ବୁଢା'କୁ ମାଇଲା ଏକ ଚଟକଣି ଯେ ତାର ଚାରିଟା ଆଗ ଦାନ୍ତ ଭାଙ୍ଗିଗଲା।ପିକୁଲାର୍ ଗୋଡି ମାରି ମୁଣ୍ଡ କଣା କରି ଦେଇଥିଲା।ଏମିତି ପ୍ରତିଦିନ କେହି ନା କେହି ପିଲା ଖଣ୍ଡିଆ ଖାବରା ତା ଯୋଗୁଁ ହେଉଥିଲେ।ସବୁ ପିଲାଙ୍କ ବାପା ମା କହିଲେ ରାଜା ଯଦି ସ୍କୁଲକୁ ଆସୁଛି ତ ଆମେ ଆମ ପିଲାଙ୍କୁ ଗୋଡ଼ହାତ ଭାଙ୍ଗି କିବା ମୁଣ୍ଡ ଫଟାଇବାକୁ ଛାଡ଼ିବୁ ନାହିଁ।


ସାର୍ ବଡ଼ ଅସୁବିଧାରେ ପଡିଲେ।ସରପଞ୍ଚଙ୍କ ପୁଅ;ତାକୁ ମନା କରିବା ଅର୍ଥ ବିପଦକୁ ସ୍ୱାଗତ କରିବା।ତା ଛଡା ଜଣେ ଶିକ୍ଷକ କେବେ କୌଣସି ପିଲାକୁ ସ୍କୁଲ ଆସିବା ମନା କେମିତି କରିବ?ସେ ବା ମଣିଷ ଗଢ଼ା ମଣିଷ ମେସି ନ୍ ଟିଏ ! ପୁଣି ସରପଞ୍ଚ ;ରାଜା ଗୋଜା ଯାହା ବୁଝିବେ ସେଇଆ।ଯଦି ତାଙ୍କ ଆଗେ ଫେରାଦ ହେବ ଓଲଟି ସେ କହୁଥିଲେ କଣ କରୁଛ କି ଗଣ୍ଡା ଗଣ୍ଡା ମାଷ୍ଟ୍ରେ;ପିଲାଙ୍କୁ ଜଗି ପାରୁନ?।ରାଜା ଦୁଷ୍ଟ ପିଲା ବୋଲି ପଢିବ ନାହିଁ?ସେଇଠୁ ରାଗ ରଖି ଟ୍ରାନ୍ସଫର ହେବ ଶିକ୍ଷକ ନଈ ସେ ପାରିକୁ।କେବଳ ମାତ୍ର ସାର୍ ଆମର ଚେଷ୍ଟା କରନ୍ତି କେମିତି ସ୍କୁଲରେ ସେ ଗଣ୍ଡ ଗୋଳ ନ କରୁ।


ରାଜା କେବଳ ଏତେ ବଡ଼ ଦୁନିଆଁରେ ତା ବାପାଙ୍କୁ ଡରେ।ତା ବାପା ବେଶୀ ଭଲ ପାଆନ୍ତି ଆମ୍ବ ଗଛକୁ। ଏ ବର୍ଷ ନୂଆ ହୋଇ ଫଳିଥିବା ହାଇ ବ୍ରିଡ଼ ଫାର୍ମ ଆମ୍ବ ଗଛ ତାଙ୍କର ଅତି ପ୍ରିୟ।ସେଥିରୁ ଗୋଟିଏ ଡାଳ ରାଜା ଭାଙ୍ଗି ଦେଇଥିଲା ବୋଲି ଗୋଟିଏ ବାଡ଼ି ଭାଙ୍ଗି ଯାଇଥିଲା ତା ପିଠିରେ।ସେଇ ଆମ୍ବ ଗଛରେ ବଲ୍ ଓହଳିଲା ପରି ଓହଳିଛି ଏଗାର ଟି ଆମ୍ବ।ବନିଲାଣି।ରାଜା ବାପା ଓ ତାଙ୍କ ଘର ଲୋକେ ଆମ୍ବ ଗଛଟିକୁ ଗୋଡେ ଗୋଡେ ଜଗିଛନ୍ତି।ପ୍ରଥମ ଆମ୍ବ ଗୋଠେଶ୍ବର ମହାଦେବ;ଯେଉଁ ମନ୍ଦିରଟି ତାଙ୍କରି ନିଜସ୍ୱ ଓ ତାଙ୍କ ବାଡ଼ିରେ ଅଛି ସେଇଟି ଭୋଗ ଲାଗିବ ଓ ପ୍ରଥମ ଆମ୍ବର ସ୍ୱାଦ କେମିତି ଚାଖିବେ ସେମାନେ।ଆମ୍ବ ଗୁଡା ଦେଖିଲା ପରି ହୋଇଥାଏ।ପାଞ୍ଚ ବର୍ଷ ଛୁଆର ହାତ ପାଇବ ଆମ୍ବକୁ।ସ୍କୁଲର ସବୁ ପିଲାଙ୍କ ପାଟିରୁ ସେ ଆମ୍ବ ଦେଖି ଲାଲ ବୁହେ।ହେଲେ ରାଢ ରାଜାର ପାକେଇ ପାଚିଲା ମୁଣ୍ଡି ଜେଜେମା ଦେଖିଲେ ଗୋଟା ଜୋବେଇ ଯିବ ପିଲାଙ୍କୁ।ତାଙ୍କ ଘରେ ଆଉ ଜଣେ ଦାଢ଼ିଆ ନନା ଥାଅନ୍ତି;ଯାହାଙ୍କ ରୂପ ଦେଖିଲେ ବଡ଼ ଲୋକଙ୍କୁ ବି ଭୟ ଲାଗେ।ସେ କାଳେ ଗୁଣୀ ଗାରେଡି ଜାଣିଛନ୍ତି।ଝଡା ଫୁଙ୍କା ବି କରନ୍ତି।ଗୋଲ୍ ଗୋଲ୍ ତଳେ ହାତ ବୁଲେଇ ମୁଣ୍ଡ ଠାରୁ ଗୋଡ଼ ଯାଏ ଫୁଙ୍କନ୍ତି।କାଟ ପାଣି ଦେଇ ପିଲା ଜନ୍ମ ନ ହେଉଥିଲେ କରି ଦିଅନ୍ତି ବୋଲି ଲୋକେ କୁହନ୍ତି।ମଶାଣୀରେ ଚଣ୍ଡି ସାଧନା କଣ ଗୋଟେ କରନ୍ତି। ପିଲାଏ କାନ୍ଦିଲେ ହେଇ ଲୋ ରଘୁଆ ନନା ଆଇଲେଣି କହିଦେଲେ ଭୟରେ ପିଲା ଆଖି ବୁଜି ଶୋଇ ପଡେ ବା ନ ଖାଉଥିଲେ ଖାଇ ଦିଏ।ଏଣୁ ଆମ ପିଲାବେଳେ ଡର କହିଲେ ରଘୁଆ ନନାଙ୍କୁ ହିଁ ବୁଝିଥିଲୁ।


ଏପରି ସ୍ଥଳେ ଏତେ ଡର ପାରି ହୋଇ ଆମ୍ବ ପାଖେ ପହଂଚିବା ସବୁ ପିଲାଙ୍କ ପାଇଁ ସ୍ବପ୍ନ ଥିଲା।ଲୋଭ କିନ୍ତୁ ଲାଗୁଥିଲା ଆମ୍ବ ଓହଳିବା ଦେଖି।


ସ୍କୁଲ ବାଁ ପଟେ ନନାଙ୍କ ଘର ।ତାଙ୍କ ବାଡିକୁ ଲାଗି ବଡ଼ ଦଣ୍ଡାଟିଏ।ତା ପାଖକୁ ଲାଗି ଗାଉଁଲି ପୋଖରୀ।ପୋଖରୀରେ ଘାଟ ହୋଇଛି ଗାଧୁଆ ପାଧୁଆ ପାଇଁ ଖରାଦିନେ।ପୋଖରୀ ସାରା ପଦ୍ମ ଫୁଲରେ ଭର୍ତ୍ତୀ।ତା ଆଗକୁ ଗାଁ ମଶାଣୀ।ଝାଡା ଲାଗିଲେ ଯାହାକୁ ଆମେ ସ୍କୁଲରେ ଦୁଇ କହୁ ;ସେଇ ଦଣ୍ଡାକୁ ଯାଉଥିଲୁ।କାହିଁକିନା ସେତେବେଳେ ସ୍କୁଲରେ ଟଏଲେଟ୍ ନଥିଲା।ଗାଁ ରେ କାଁ ଭାଁ କାହାର ଟଏଲେଟ୍ ଥିଲା।ଝାଡା ସିନା ରୋକି ପାରୁ ନାହିଁ ବୋଲି ଦଣ୍ଡାକୁ ଯାଉଥିଲୁ;କିନ୍ତୁ ଭୟରେ ପିଣ୍ଡରେ ପ୍ରାଣ ନଥାଏ ଆମର।ମଶାଣୀ ନାଁଟି ଯଥେଷ୍ଟ ଆମକୁ ଡରିବା ପାଇଁ।ମଣିଷ ମଲେ ପୋଡ଼ା ହୁଅନ୍ତି।ସେଇଠି ଭୂତ ହୋଇ ରୁହନ୍ତି ଏମିତି ଭୁଲ୍ ଧାରଣା ଆମ ପିଲା ମନ ଭିତରେ ଘର କରିଥିଲା।ଏଣୁ ଝାଡା ଯଦି ଲାଗିଲା ଭାରି ଡରି ଡରି ଯାଇ ଆଖି ପିଛୁଳାକେ ଧୁଆ ଧୋଇ ହୋଇ ଆସିବୁ ବୋଲି ବାଟ ପାଉ ନଥିଲୁ।


ରାଜାର ଅତ୍ୟାଚାର ଦିନକୁ ଦିନ ବଢ଼ୁଥିଲା।ଆମ୍ବ ଦିନକୁ ଦିନ ବଡ଼ ହେଉଥିଲା।ସ୍କୁଲ ଛୁଆଙ୍କ ଲୋଭିଲା ଆଖି ଗଳି ଯାଉଥିଲା ସେ ଆମ୍ବ ଦେହରେ।


ଦିନେ ଆମେ ଭିନ୍ନ ଭିନ୍ନ ସେକ୍ସନର ଚାରି ଜଣ ପିଲା ଝାଡା ଦଣ୍ଡାରେ ଭେଟ ହୋଇଗଲୁ। ସାର୍ ଏକା ଝାଡା ଯିବାକୁ ଛାଡ଼ନ୍ତି ନାହିଁ ।ଦଣ୍ଡାଟା ପୁଣି ପୋଖରୀ ଅଛି;ସେଥିପାଇଁ ଝାଡା ଗଲାବେଳକୁ ଦଣ୍ଡାରେ ଆଉ କେହି ପିଲା ଦେଖିଲେ ମନରେ ବଳ ଆସେ;ଡର ଟିକେ କମେ।ସେଦିନ ଯୋଗକୁ ଆମେ ଚାରିଜଣ ଯେଉଁମାନେ କି ଭଲ ସାଙ୍ଗ ହେଉ ଭେଟ ହୋଇଗଲୁ ଝାଡା ପଡିଆରେ।ସେଠି ଗୋଟେ ମନ୍ତ୍ରଣା କଲୁ।ରାଜା କାଲି ପୋଖରୀକୁ ପେଲି ବିନୟକୁ ମାରି ଦେଇଥିଲା ଜାଣ।ପେଟେ ପାଣି ପିଇ ବୁଡିବା ଉପରେ। ତା ସାଙ୍ଗରେ ଯାଇଥିବା ଗଗୁ ଦଉଡ଼ି ଦଉଡ଼ି ଆସି ସାର୍ ଙ୍କୁ ଖବର ଦେଲାରୁ ବିନୟ ବଞ୍ଚିଗଲା।ନଚେତ ରାଜା ସବୁ ସାରି ଦେଇଥିଲା ଜାଣ।ସେଇଥିପାଇଁ ଆମର ତା ଉପରେ ରାଗ ଥାଏ।ରାଜାକୁ ପାନେ କେମିତି ଦେବୁ ସେଇ ମଉକାରେ ଥାଉ।ଏଣେ ତାଙ୍କ ଛୋଟ ଗଛ ଆମ୍ବ ସତେ ଯେମିତି ହାତ ଠାରି ଡାକୁଥାନ୍ତି ଆମକୁ।ଓଃ କି ଡହଳ ବିକଳ।ପୋଖରୀ ହୁଡା ଉପରେ ଆମ୍ବ ଗୁଡା ଯେପରି କିଏ ଥୋଇଛି।ଆମ୍ବ ରାଜା;ରାଜା ଆମ୍ବ।ଦୁଇଟି ଯାକ ଆମକୁ ଅସ୍ଥିର କରୁଥାନ୍ତି।


ଦୈବାତ୍ ରାଜା ସେତିକି ବେଳେ ଝାଡା ଆସିଲା।ପ୍ରକୃତରେ ଝାଡା ବାହାନାରେ କିଛି ପିଲା ବୁଲା ବୁଲି କରିବା,ପୋଖରୀକୁ ଢେଲା ମାରିବାକୁ ଖାସ୍ କରି ଆସନ୍ତି।ରାଜା ସେମାନଙ୍କ ଭିତରୁ ନମ୍ବର ୱାନ୍।ରାଜାକୁ ଦେଖି ଆମ ଟିମ୍ ଲିଡର୍ ମନକୁ ଗୋଟେ ପ୍ଲାନ ଆସିଲା। ରାଜା ସବୁବେଳେ ଇଛା କରେ ଆମ ସାଙ୍ଗ ହେବାକୁ।କିନ୍ତୁ ତା ଦୁଷ୍ଟାମୀ ହେତୁ ଆମେ ତା ସହ ମିଶିବାକୁ ଚାହୁଁନା।ମଳୟ କହିଲା "ହେ ରାଜା ଇଆଡ଼େ ଆ।ଆମ ସାଙ୍ଗ ହେବୁ?


ସେ ବିସ୍ମୟ ଓ ଅବିଶ୍ୱାସ ଆଖିରେ ଆମକୁ ଚାହିଁଲା।ଖୁସି ବି ହୋଇଗଲା।ସତରେ...ତୁମେ ମୋତେ ସାଙ୍ଗ କରିବ?।ମୁଁ "ଟପ୍ ଟିମ୍ "ର ସାଙ୍ଗ ହେବି?ତୁ ମିଛ କହୁଛୁ?


ଏଥିପାଇଁ ତୋତେ ଗୋଟେ କଥା କରିବାକୁ ପଡିବ।


କହୁନ କଣ ଏଇ ସାଙ୍ଗେ ସାଙ୍ଗେ କରି ଦେବି।


ଦୁଷ୍ଟ ହେବୁ ନାହିଁ,ପାରିବୁ?


ସେ ମୁଣ୍ଡ ଟୁଙ୍ଗାରି ହଁ କଲା।


ହଉ ତୁ ଆଜିଠୁ ଆମ ସାଙ୍ଗ ହେଲୁ।ଆମେ ସମସ୍ତେ ସାଙ୍ଗ ହୋଇ ଖେଳିବା।


ଏତିକ କହି ଆମେ ମଳୟ,ଚନ୍ଦନ,ମଧୁ ଓ ମୁଁ ଚୈତାଳି ସ୍କୁଲକୁ ପଳେଇ ଆସିଲୁ।ମୁଁ କିନ୍ତୁ ବୁଝି ପାରୁ ନଥାଏ ମଳୟ ରାଜାକୁ ଆମ ସାଙ୍ଗ କରିବା ପଛରେ କଣ ରହସ୍ୟ ଥିଲା।ଏଥିରେ ରାଜାର ତ ଲାଭ ହେଲା ତାକୁ ପାନେ ଦେବେ କେମିତି?ମଳୟ କହିଲା ତୁ ଖାଲି ଦେଖେ କଣ ହେଉଛି।


କିଛି ସମୟ ପରେ ନିଜ ସାର୍ଟ ଭିତରେ ପାଞ୍ଚ ଛଅ ଟା ଆମ୍ବ ଭର୍ତ୍ତି କରି ରାଜା ଆସିଲା।ସ୍କୁଲ ପଛ ପଟେ ଲୁଚାଇ ଦେଇ ତାଙ୍କ ଘରକୁ ଯାଇ ସାର୍ଟ ବଦଳାଇ ଆସିଲା।ଖେଳ ଛୁଟି ରେ ଆମକୁ ସେ ଡାକି କହିଲା ଦେଖ ମୁଁ ତୁମ ମାନଙ୍କ ପାଇଁ କଣ ଆଣିଛି।ଆମେ କୋତୁହଳି ହୋଇ ସ୍କୁଲ ପଛ ପଟକୁ ଯାଇ ଯାହା ଦେଖିଲୁ ଆମ ଆଖି ଖୋସି ହୋଇଗଲା।ଆମେ ବଡ଼ ପାଟିରେ ଭୟରେ ଡାକ ପକାଇଲୁ ସାର୍ ସାର୍।


ସାର୍ ସାପ ଫାପ ବାହାରିଛି କି କଣ ଭାବି ସମସ୍ତେ ସ୍କୁଲ ପଛକୁ ଦୌଡ଼ିଲେ।ସେ ବି କାବା ହୋଇଗଲେ।ରାଜା ଘର ଲୋକଙ୍କୁ ଡାକିଲେ।ସେ ରାଢ ପାକେଲା ମୁଣ୍ଡି ବୁଢ଼ୀ ଜେଜେମା ଆସି କହିଲା "ବାଡିପଡ଼େ, ମୋ ନାତିକୁ ଶିଖେଇ ଏମିତି କରିଛ।ହଇ ହୋ ମାଷ୍ଟ୍ରେ ଏମିତି ବାଳୁଙ୍ଗା ଛୁଆ କାଇଁ ପଢଉଛ।"ଭାଷା ଅଭାଷା କାନ ନ ଶୁଣିବା ଗାଳି କଲା।ଆସୁ ଆଜି ଶିବା,ଏକଥା ବିଚାର ହେବ।ମୋ ନାତି କେବେ ଆମ୍ବ ତୋଳି ଆଣି ନ ଥିବ।ତୁମେ ନାତି ନାଁରେ ମିଛ କହୁଛ।ନିଜ ଦୋଷ ରାଜା ମୁଣ୍ଡରେ ବୋଲୁଛ।


ରାଜା କିନ୍ତୁ ସ୍ପଷ୍ଟ ଭାବେ ଟିକେ ଭୟଭୀତ ନ ହୋଇ କହିଲା "ହେ ଜେଜେମା ମୁଁ ତୋଳିଛି ଆମ୍ବ ଯା ମୋର କଣ କରିବୁ।ଅନ୍ୟ ପିଲା କେହି ତୋଳି ନାହାନ୍ତି।ଯା ଘରେ ମୋ ସାର୍ଟ ଦେଖିବୁ ସେଥିରେ ଆମ୍ବ ନଶୀ ଲାଗି କଳା ହୋଇ ଯାଇଛି।"


ତାପରେ ଆଉ କଣ ଦେଖିବ"ତା ଜେଜେମା ଟାଣି ଟାଣି ଖୁନ୍ଦା ଦେଇ ଦେଇ ତାକୁ ନେଇ ଘରକୁ ଗଲା।ରାତିରେ ତା ନନା ଏମିତି ଛେଚିଲେ ଯେ ଦୁଇ ଦିନ ଯାଏ ଉଠି ପାରିଲା ନାହିଁ।ବାସ୍! ତାପର ଦିନ ରାଜା ସେ ଆମ୍ବ ଗଛକୁ ପୁରା ହାଣି ଦେଲା।


ମୋତେ ମଳୟ କହିଲା ଦେଖିଲୁ ଆମକୁ କିଛି କରିବାକୁ ପଡିଲା ନାହିଁ।ତା ଘର ଲୋକ ତାକୁ ଛେଚିଲେ।ଏଥରକ ରାଜା ଆମ ସାଙ୍ଗ ହେବ।ଦେଖିବ ଏଣିକି ନନା ଘର କେମିତି ବଦଳିବେ।ସବୁ କଥାରେ ଆମ ସ୍କୁଲ ପିଲା ଙ୍କୁ ଶୋଧୁଛନ୍ତି।ଟିକେ ଟିକେ କଥାରେ ଆମ ସାର୍ ଙ୍କୁ ଦୋଷ ଦେଉଛନ୍ତି।ଏଣିକି ରହରେ ପୁଅ ସର ପଞ୍ଚ ଦେଖେଇ ହେଉଛ।


ତାପରେ ଆମେ ରାଜାକୁ ଆମ ଦଳରେ ସାମିଲ କଲୁ।ପ୍ରତିଦିନ ଆମେ ଖଟା ପାଳି କରୁ।ଯାହାର ଯେଉଁ ଦିନ ପାଳି ସେ ଘରୁ ଖଟା ଆଣେ ଆମେ ସମସ୍ତେ ବାଣ୍ଟି କୁଣ୍ଟି ଖାଉ।କିନ୍ତୁ ରାଜା କୁ ତାଙ୍କ ଘରୁ କିଛି ଆଣିବାକୁ ମନା କରୁ।ମାତ୍ର ସେ କେଉଁ ମାନିଲା ଵାଲା।ଖଟା ହାଣ୍ଡିରୁ ଦିନେ ଅଧେ ଉଠାଇ ଆଣିଲା।ଆମେ କହିଲୁ ତୁ ଯା ସାର୍ ଙ୍କୁ କହିବୁ।ନଲେ ଆମେ ଖାଇବୁ ନାହିଁ।ତୋ ମା ଆସି କହିବ ମୋ ନାତିକୁ ଶିଖେଉଛନ୍ତି।ସେ ଯାଇ ସାର୍ ଙ୍କୁ କହିଲା।ସାର୍ ତା ଜେଜେମା ଙ୍କୁ ଡାକି ଖଟା ଦେଖେଇଲେ।ସେଥର ବି ଗୋଟେ ଝଡ଼ ଉଠିଲା ତାଙ୍କ ଘରେ।ଆସ୍ତେ ଆସ୍ତେ ରାଜା ଆମେ ବିଧିବଦ୍ଧ ଯୋଜନା ଜାଲରେ ପଡି ତାଙ୍କ ବାଡିରୁ ପିଜୁଳି,ଆମ୍ବ,ଖଟା ସବୁ ଆଣି ଦେଲା।କିନ୍ତୁ ଏମିତି କରେ ଓ " କୁହେ ମୋ ସାଙ୍ଗ ମୋତେ କିଛି କହୁ ନାହାନ୍ତି।ମୋ ମନକୁ ମୁଁ ଆଣୁଛି।"ମୋ ସାଙ୍ଗ କୁ ଯଦି କିଛି କହିଛ ଦେଖିବ।


ଭାରି କୃପଣ ସେ ନନା ଘର ।ପିଜୁଳି,କୋଳି, ସବୁ ବିକନ୍ତି।ଗୋଟିଏ ବି ମାଗଣା କାହାକୁ ଦିଅନ୍ତି ନାହିଁ।ଆମେ ଭୋଜି କରୁ।ସେ ବି ମିଶିବାକୁ କୁହେ।ଆମେ କହୁ ତୋ ନନା ,ଜେଜେମା ଆମକୁ ପାଟି କରିବେ।ତୁ କିଛି ନ ଦେଲେ ବି ଆମ ସହ ଭୋଜିରେ ମିଶିବୁ।କିନ୍ତୁ ସେ ଦୁଷ୍ଟ ବଦମାସ୍ ହେଲେ ବି ଭାରି ସ୍ୱାଭିମାନୀ।ତା ବୋଉଙ୍କୁ ଆମେ ବି ଶିଖାଉ।ରାଜା ଯଦି ଭୋଜିରେ ମିଶିବା ପାଇଁ ଘରୁ କିଛି ନେବାକୁ ଜିଦ୍ କରେ ତୁମେ ଗୋଟିଏ ସର୍ତ୍ତରେ ଦେବ।ଏହା କହିବକି "ତୁ ଦୁଷ୍ଟାମୀ ଛାଡି ଦେବୁ ଯଦି କହିବୁ ତାହେଲେ ଯାହା ମାଗିବୁ ଦିଆ ଯିବ।"ଏହିପରି ସାର୍ ,ରାଜା ମା ଓ ଆମେ ମିଶି ଆସ୍ତେ ଆସ୍ତେ ରାଜାକୁ ବଦଳେଇବାକୁ ଚେଷ୍ଟା କଲୁ।


ପ୍ରକୃତରେ ରାଜା ଖରାପ ପିଲା ନଥିଲା।ତାକୁ ଯାଉଁ ଆସୁ ତା ଘରେ ମାରି ମାରି ପିଲାଟିକୁ ବିଗାଡି ଦେଇଥିଲେ।ସେ ପ୍ରତି କଥାରେ ଘରେ ମାଡ଼ ଖାଏ।ମାଡ଼ ଖାଇ ଖାଇ କଇଁଥା ବାଇଗଣ ପରି ତା ଦେହ ହୋଇ ଯାଇଥିଲା।ଘର ମାଡ଼ ରାଗ ଆସି ସ୍କୁଲରେ ଶୁଝାଏ।ଅଦ୍ଭୁତ ଘର ତାଙ୍କର।ଖାଇବା,ପିନ୍ଧିବାରେ ଭାରି କଞ୍ଜୁସ।କିନ୍ତୁ ରାଜା ନା ଅନୁସାରେ ଖାଇବା,ପିନ୍ଧିବାକୁ ଚାହେଁ।ନ ପାଇଲାରୁ ଏକ ଜିଦିଆ,ନିଷ୍ଠୁର ପ୍ରକୃତିର ପିଲା ହୋଇ ଯାଇଥିଲା ସେ।


ଆମେ ତାକୁ ଆମ ଚାରି କୋଣିଆ "ଟପ୍ ଟିମ୍ 'ରେ ମିଶାଇ ତାର ସମସ୍ତ ଗୁଣ ଅତି ଚଲାକି ସହ ପରିବର୍ତ୍ତନ କଟିଦେଲୁ।ରାଜା ପରିବର୍ତ୍ତନ ହେବା ପଛରେ ଆମ ଚାରି ସାଙ୍ଗ ସହ ଆମ ସାର୍ ଓ ରାଜା ବୋଉ ବି ସାମିଲ ଥିଲେ।କାରଣ ତାଙ୍କର ଏକମାତ୍ର ପୁଅ ସୁଧୁରି ଯାଉ ସେ ଚାହୁଁ ଥିଲେ।ପ୍ରତିଦିନ ରାଜା ନାଁ ରେ କେସ୍ ଶୁଣି ଶୁଣି ସେ କାନ୍ଦି ପକାଉଥିଲେ।ନିଜ ଛୁଆ ମାଡ଼ ଖାଇଲେ କେଉଁ ମା ସହି ପାରେ କି?


ଏପରି ହେଲା ସପ୍ତମ ଶ୍ରେଣୀ ସ୍କୁଲ ଛାଡିବା ପାଇଁ ଆମକୁ ଦେଇଥିବା ଫେୟାର ୱେଲ୍ ଦିନ ରାଜା ନିଜେ କାନ୍ଦି କାନ୍ଦି ତା ମନ କଥା କହି ଥିଲା।ମଳୟ,ଚନ୍ଦନ,ମଧୁ ଓ ଚୈତାଳି ତାକୁ ତାଙ୍କ ଦଳରେ ନ ମିଶେଇ ଥିଲେ ହୁଏତ ଆଜି ସେ ନୃଶଂସ ରାଜା ଗୁଣ୍ଡା ପାଲଟି ଯାଇଥାନ୍ତା।


ଏବେ ରାଜା ଜଣେ ଦକ୍ଷ ପୋଲିସ୍ ଅଫିସର।ସେଦିନର ସେଇ ଛୋଟିଆ "ଟପ୍ ଟିମ୍ "ବନ୍ଧନ ଏବେ ବି ଅତୁଟ ଅଛି।ଆବଶ୍ୟକ ସ୍ଥଳେ ଆମେ ବିଭିନ୍ନ ସଂସ୍ଥାରେ କର୍ମରତ ପାଞ୍ଚ ବନ୍ଧୁ ବିପନ୍ନ ଲୋକ ପାଖେ ଠିଆ ହେଉ।ସାଧ୍ୟ ମତେ ସାହାଯ୍ୟ କରୁ।ଆମ ଟିମ୍ ଲିଡର୍ ଏବେ ବି ମଳୟ ମହାନ୍ତି ଜଣେ ପ୍ରଶାସନିକ ଅଧିକାରୀ ଅଛି। ଚନ୍ଦନ ଇଞ୍ଜିନିୟର,ମଧୁ ଫାର୍ମାସିଷ୍ଟ୍ ଓ ମୁଁ ଚୈତାଳି ଜଣେ ଶିକ୍ଷକ।


ଏବେ "ଟପ୍ ଟିମ୍ "ପିଲାଦିନ କଥା ମନେ ପକାଇ ଖୁ ଗୋଟେ ଖୁସିରେ ପହଁରୁ।



Rate this content
Log in

Similar oriya story from Inspirational