Dr Arati Pattajoshi

Inspirational Others

4  

Dr Arati Pattajoshi

Inspirational Others

ଟଙ୍କାଗଛ

ଟଙ୍କାଗଛ

6 mins
189



ଏକଲୟରେ ମାଟିକୁ ଚାହିଁ ରହିଥିଲା ଖୁସି। କଣ ସେ ଦେଖୁଥିଲା କେଜାଣି, ହେଲେ ମୁଁ କିନ୍ତୁ କିଛି ଜାଣି ପାରୁନଥିଲି। ତା ନାଁ ପ୍ରକୃତରେ ଖୁସି ନୁହେଁ। ତା ମାଆ ତାକୁ କାନ୍ଦୁରୀ ବୋଲି ଡାକେ ଆଉ କିଏ କେମିତି ତାକୁ "କାନ୍ଦୁ", କିଏ "କୁନ୍ଦୁରୁ" ଏମିତି ସବୁ ଅଜବ ଅଜବ ନାଁରେ ତାକୁ ଡାକନ୍ତି। ଏତେ ସୁନ୍ଦର ଗୁଲୁଗୁଲିଆ ହସକୁରୀ ଝିଅଟାକୁ ଏମିତି କାନ୍ଦୁରୀ ଡାକିବାକୁ ମୋତେ କାହିଁ ଯମା ଭଲ ଲାଗୁନଥିଲା ତେଣୁ ମୁଁ ତା ନାଁ ଦେଇଥିଲି "ଖୁସି"। ଆଉ କେବଳ "ଖୁସି" ବୋଲି ମୁଁ,ହିଁ ତାକୁ ଡାକେ।

 

ଖୁସିର ବାପା ଥିଲେ ଜଣେ ଅଟୋ ଡ୍ରାଇଭର। ଖୁସିର ଗୋଟେ କୁନି ଭାଇଟିଏ ମଧ୍ୟ ଅଛି। ସେମାନେ ଆମଘର ଆଗ ସାମନା ମିଶ୍ର ବାବୁଙ୍କ ବାରିପଟକୁ ଥିବା ଗୋଟିକିଆ ନୂଆଣିଆ ଆଜବେଷ୍ଟସ ଘରେ ରୁହନ୍ତି। ସେ ଘର ଖଣ୍ଡିକ ବି ମିଶ୍ରବାବୁ ହିଁ ତୋଳି ଦେଇଥିଲେ ଖୁସି ପରିବାର ପାଇଁ। ଅନେକ ଦିନ ହେଲା ଖୁସିର ବାପା "ସନା", ମିଶ୍ର ବାବୁଙ୍କ ଘରେ ରହି ବୋଲ ହାକ କରୁଥିଲା। ସମୟକ୍ରମେ ସନା ବିବାହ କଲା ଓ ବ୍ୟାଙ୍କରୁ ଲୋନ୍ କରି ନିଜର ଗୁଜୁରାଣ ପାଇଁ ଅଟୋଟିଏ କିଣି ଚଲଉଥାଏ। ଖୁସିର ମାଆ ମଧ୍ୟ ପାଖ ପଡିଶା ୨/୪ ଜଣଙ୍କ ଘରେ ଯାଇ ରୋଷେଇ ବାସ କରେ। କଷ୍ଟେ ମଷ୍ଟେ ଚଳି ଯାଆନ୍ତି ସେମାନେ। କାହା ପାଖରେ ହାତ ପାତିବାକୁ ପଡେନି ସେମାନଙ୍କୁ। ଖୁସି ଭାରି ଚାଲାଖ୍ ଓ ଦେଖିବାକୁ ଭାରି ଗୁଲୁଗାଲିଆ। ତାର ଗୁଲୁଗୁଲିଆ କଥା ଶୁଣିବାକୁ ମୋତେ କେଜାଣି କାହିଁକି ବହୁତ ଭଲଲାଗେ। ତେଣୁ ଏକୁଟିଆ ବାଲକୋନିରେ ବସିଥିଲା ବେଳେ ମୁଁ ତା ସହ ବକବକ ହୁଏ। ସେଦିନ ଖୁସି ଏମିତି ମାଟିକୁ ଏକାଲୟରେ ଚାହିଁଥିବାର ଦେଖି ଭାବିଲି, ପୋକ କି କଙ୍କି କିଛି ଗୋଟେ ଧରୁଥିବ ବୋଧେ। ପଚାରିଲି, ଖୁସି କଣ କରୁଛୁ କି ? ପାଟିରେ ଆଙ୍ଗୁଠି ରଖି କହିଲା ସ୍..ସ୍..ସ୍.. ପରେ କହିବି। ମୁଁ କହିଲି କାଇଁ କେହିତ ନାହାଁନ୍ତି କଣ ହେଲା କହୁନୁ। ସେ ଚାରି ଆଡକୁ ଚାହିଁଲା, କହିଲା ସତରେ କେହି ନାହାନ୍ତି ତ ? ଚାରିଆଡୁ ଆଖି ବୁଲେଇ ଆଣି ଯେତେବେଳେ ତାର ହୃଦବୋଧ ହେଲା ସତରେ କେହି ତା ଆଖ ପାଖରେ ନାହାନ୍ତି ସେତେବେଳେ ଟିକେ ପାଚେରୀ ପାଖକୁ ଲାଗିଆସି କହିଲା, ଦିଦି ! ଦେଖ ମୁଁ ଏଠି ଟଙ୍କାଗଛ ଲଗେଇଛି। ଏଥିରେ ଟଙ୍କା ଫଳିଲାଣି କି ନାହିଁ ଦେଖୁଥିଲି। ଆଶ୍ଚର୍ଯ୍ୟ ହୋଇ ମୁଁ ପଚାରିଲି ଟଙ୍କାଗଛ ? କୋଉଠୁ ଆଣିଲୁ ? ସେ କହିଲା ବାପାଙ୍କ ସାଙ୍ଗରେ ଜଣେ ବାବୁଙ୍କ ଘରକୁ ଯାଇଥିଲି, ତାଙ୍କ ପୁଅର ଜନ୍ମଦିନ ଥିଲା ତ। ସେ ବାବୁଙ୍କ ପୁଅ ବାପାଙ୍କ ଅଟୋରେ ସବୁଦିନ ସ୍କୁଲ ଯାଏ। ତାଙ୍କର ଡାକିଥିଲେ ଭୋଜି ଖାଇବାକୁ। ତାଙ୍କରି ଘରୁ ଆଣିଛି। ତାଙ୍କ ପୁଅ କହୁଥିଲା, ଏଇଟା କୁଆଡେ ଟଙ୍କାଗଛ। ଘରେ ରଖିଲେ କାଳେ ଟଙ୍କା ଆସେ। ତାଙ୍କ ଘରସାରା ପରା ଖାଲି ଟଙ୍କାଗଛ। ମୁଁ ତାଙ୍କ ପୁଅକୁ ମାଗିଲି, ମୋତେ ଗୋଟେ ଟଙ୍କା ଗଛ ଦେବୁ ? ସେ କହିଲା, ତୁ ଖାଇସାରି ଗଲାବେଳକୁ ଦେବି। ମୁଁ ଆସିଲାବେଳେ ତାକୁ ମାଗିକି ଆଣିଥିଲି। ହଁ ! ସେ କହିଛି, ଟିକେ ବଢ଼ିଗଲେ କାଟିକାଟି ତାକୁ ବିଭିନ୍ନ ଜାଗାରେ ଲଗେଇବୁ। ତମକୁ ବି ମୁଁ ଦେବି ଦିଦି। ତମେବି ଘରେ ଲଗେଇବ, ତମର ବି ବହୁତ ପଇସା ହବ। ହେଲେ ଦିଦି, ପାଞ୍ଚ ଦିନ ହେଲା ଲଗେଇଲିଣି ଟିକେ ବି ବଢିନି କେଵକୁ ଟଙ୍କା ଫଳିବ କେଜାଣି ? ତାର ଏପରି ପିଲାଳିଆ କଥା ଶୁଣି ମୋତେ ମନେ ମନେ ଭାରି ହସ ଲାଗୁଥାଏ ତେଣୁ ମୁଁ ହସିଦେଲି। କିନ୍ତୁ ଛୋଟ ପିଲାଟାକୁ କେମିତି ବା ମୁଁ ବୁଝେଇବି ? କିଛି ସମୟ ଚୁପ ରହି ତାକୁ କେବଳ କହିଲି, ତୁ ଆମ ଘରକୁ ଆ, ତୋତେ ମୁଁ କହିଦେବି କେବେ ତୋ ଟଙ୍କା ଗଛରେ ଟଙ୍କା ଫଳିବ। ଆଶ୍ଚର୍ଯ୍ୟ ଓ ଅତି ଉତ୍ସାହିତ ହୋଇ ସେ ପଚାରିଲା, ସତରେ ଦିଦି ତମେ ଜାଣିଛ ? ମୁଁ କହିଲି, ହଁ ଜାଣିଛି। ହେଲେ ତୁ ଆଗେ ଆମ ଘରକୁ ଆ ତାପରେ ଯାଇ ମୁଁ କହିବି, କାରଣ ତା ସହ ଟିକେ ବକ ବକ ହୋଇ ଦୁଇ ଚାରିପଦ କଥା ହୋଇଗଲେ ମୋତେ ଖୁବ ଆନନ୍ଦ ମିଳେ ହେଲେ ସେ କିନ୍ତୁ ମୋ କଥାକୁ ସତ ମଣି ବଡ ବ୍ୟସ୍ତ ହୋଇ କହିଲା, ଟିକିଏ ରୁହ ଦିଦି, ଯାଉଛି। ମାଆ କାମରୁ ଆସୁ, ଘରେ ଭାଇ ଏକା ଅଛି ନା ? ହଉ ! ଠିକ ଅଛି, କହି ମୁଁ ଘର ଭିତରକୁ ଆସିଲି ଆଉ ଖୁସି ପାଇଁ ଫ୍ରିଜରୁ କିଛି ମିଠା କାଢି ଡାଇନିଂ ଟେବୁଲ ଉପରେ ଥୋଇଲି। 


ମନେ ପଡିଗଲା ପିଲାଦିନର ସେ ଅଭୁଲା କଥା.....!! ଥରେ ଆମେ ଭାଇ ଭଉଣୀ ତିନିଜଣ ଯାକ ବସି ଘରେ ସପେଟା ଖାଉଥିଲୁ। କଥା ବାଉଳାରେ ଗୋଟେ ସପେଟା ମଞ୍ଜି ମୁଁ ଅଜାଣତରେ ଗିଳି ଦେଇଥିଲି। କାନ୍ଦି କାନ୍ଦି ଯାଇ ବୋଉକୁ କହିଲି, ବୋଉଲୋ ମୁଁ ସପେଟା ମଞ୍ଜି ଗିଳିଦେଲି। ମୋ ଭାଇନା ଶୁଣି କହିଲେ ଏହେ..!! କଣ କଲୁ ? ଏବେ ତୋ ପେଟରେ ସପେଟା ଗଛ ଉଠିବ। ଭଲ ହେଲା, ଅବଶ୍ୟ ଗଛ ଉଠିଲେ ସପେଟା ଆଉ ଆମକୁ କିଣିବାକୁ ପଡିବନି। ଆମେ ତୋ ମୁଣ୍ଡ ଉପରୁ ତୋଳି ଆଣି ଖାଇବୁ। ସେ ଦିନଯାକ ମୁଁ ତ କାନ୍ଦି କାନ୍ଦି ନୟାନ୍ତ। ପାଟିରେ ହାତ ପୁରେଇ ବାନ୍ତି କରି ମଞ୍ଜି କାଢ଼ିବାକୁ ବହୁତ ଚେଷ୍ଟାକଲି। ବୋଉ ମୋତେ ବହୁତ ବୁଝେଇଲା, କହିଲା, ଆଲୋ ମଞ୍ଜି ଗିଳିଦେଲେ ପେଟରେ ଗଛ ଉଠେନି। କିନ୍ତୁ ଭାଇନା ଚିଡ଼େଇକି ବାରମ୍ବାର କହୁଥାଏ, ଗଛ ଉଠିବ। ତା ପରେ ଭାଇନା ଉପରେ ବସିଲା ମାଡ଼। ମୁଁ ସେମିତି ଓକାରୁ ଥିଲା ବେଳେ ହଠାତ ଟପ୍ କି ଗୋଟେ ମଞ୍ଜି ଖସିଲା। ବୋଉ କହିଲା, ହେଇଟି ଦେଖ, ବାହାରିଗଲା ମଞ୍ଜି, ତେବେ ଯାଇ ମୁଁ ସେଦିନ ଶାନ୍ତ ପଡିଥିଲି। ସମୟ କ୍ରମେ ବଡ଼ ହେଲାପରେ ଜାଣିଲି ମୋତେ ଶାନ୍ତ କରିବାକୁ ଯାଇ ସେଇ ଭାଇନା ହିଁ ସେଦିନ ମଞ୍ଜିଟିକୁ ପଛପଟୁ ମୋ ଆଗରେ ପକେଇ ଦେଇଥିଲେ। ସତରେ ପିଲାମାନଙ୍କୁ ବୁଝେଇବା ଅତି ସହଜ କିନ୍ତୁ ସେଥିପାଇଁ ଉପଯୁକ୍ତ ଉପାୟଟେ ଖୋଜିବା ଭାରି କଷ୍ଟ....!! ନୁହେଁ......? 


ଦିଦି ! ଦିଦି ! ଡାକରେ ମୋ ଭାବନାରୁ ମୁଁ ଫେରିଲି। ଖୁସି ଆସିଛି ମୋ ପାଖକୁ, କେବେ ତା ଟଙ୍କା ଗଛରେ ଟଙ୍କା ଫଳିବ ବୁଝିବାକୁ। ତାକୁ ଘର ଭିତରକୁ ଡାକି କୋଳରେ ବସେଇ ତା ଗୁଲୁଗୁଲିଆ ଗାଲରେ ଗେଲ ଟିଏ କରି ମିଠା ଖାଇବାକୁ ଦେଲି। ପାଖରେ ବସେଇ ବୁଝେଇବାକୁ ଚେଷ୍ଟାକଲି। "ଏ ଯେଉଁ ଟଙ୍କାଗଛ ନୁହେଁ ? ତାକୁ ଇଂରାଜୀରେ "ମନି ପ୍ଲାଣ୍ଟ" ବୋଲି କୁହନ୍ତି। ଜାଣିଛୁ ? ହଁ ! ସେ ବାବୁଙ୍କ ପୁଅ ବି କହୁଥିଲା ୟାକୁ କୁଆଡେ ଇଂଲିଶରେ "ମନିପ୍ଲାଣ୍ଟ" କୁହନ୍ତି। ମୁଁ କହିଲି ଗୁଡ଼ ଗାର୍ଲ, ହେଲେ ଏଇ "ମନିପ୍ଲାଣ୍ଟ" ବା ଟଙ୍କା ଗଛରେ ଟଙ୍କା ଏତେ ଶୀଘ୍ର ଫଳେନି। କାରଣ ଜାଣିବାକୁ ସେ ନିରାଶ ହୋଇ ମୋତେ ଚାହିଁ କହିଲା, ଆଉ....? କେବେ ଫଳିବ....? ମୁଁ କହିଲି, ତୋତେ ଏବେ କେତେ ବୟସ ହେଲା କହିଲୁ ? ସେ କହିଲା ଛଅ ବର୍ଷ। ମୁଁ ଟିକେ ଭାବିଲା ଭଳି ତା ଆଡେ ଚାହିଁ କହିଲି, ଆଉ ଦରକାର ୧୮ ବର୍ଷ। ସେଥି ପାଇଁବି ତୋତେ ବହୁତ ପରିଶ୍ରମ କରିବାକୁ ପଡିବ। ଖାଲି ଟଙ୍କାଗଛ ଲଗେଇ ଦେଲେ ଟଙ୍କା ଫଳେନି। ତୁ ବଡ ହେଇ ଯେବେ ଭଲ ପାଠ ପଢି ବଡ଼ ଚାକିରୀ କରିବୁ ସେବେ ଯାଇ ଏ ଗଛରେ ଟଙ୍କା ଫଳିବ ବୁଝିଲୁ ? ସେ ଅବୁଝା ଭଳି କହିଲା, ତାଙ୍କର ତ ଘର ସାରା ମନିପ୍ଲାଣ୍ଟ ଲଗେଇଛନ୍ତି ଆଉ ତାଙ୍କ ପୁଅ ତ ମୋ ଭଳି ଛୋଟ ତାଙ୍କର ଏବେ ଫଳୁଛି କେମିତି ? ମୁଁ ପଚାରିଲି ତୁ କେମିତି ଜାଣିଲୁ ତାଙ୍କର ଟଙ୍କା ଫଳୁଛି ବୋଲି ? ସେ ଆଖି ବଡ଼ବଡ଼ କରି କହିଲା ଆଉ ? ତମେ ତ ଜାଣିନ ତାଙ୍କର କେତେ ଟଙ୍କା ଅଛି କେତେ ଗାଡି କେତେବଡ଼ କୋଠା। ମୁଁ କହିଲି, ନାଇଁରେ ବାୟାଣୀ ତା ବାପା ଲଗେଇଥିଲେ ସେ ଭଲ ପାଠ ପଢିଲେ ବଡ଼ ଚାକିରୀ କଲେ ତାଙ୍କର ଏବେ ଫଳୁଛି। କିନ୍ତୁ ତାଙ୍କ ପୁଅ ଯାହା ଲଗେଇଛି ସେଥିରେ ଏବେ ଫଳିବନି ସେ ବଡ଼ ହେଲେ ଚାକିରି କଲେ ଯାଇ ଫଳିବ। ସେ ଅକ୍ଳେଶରେ ବୁଝିଗଲା ବୋଧେ ତେଣୁ କହିଲା ଓହୋ ! ବୁଝିଲି ଏଥର, ତେବେ ତ ଆମର ଗୋଟେ ଭୁଲ ହେଇଗଲା। ମୁଁ କହିଲି କଣ ? ସେ ବଡ଼ ମନ ଦୁଃଖରେ କହିଲା ବାପା ଯଦି ଏ ମନିପ୍ଲାଣ୍ଟ ଆଗରୁ ପାଇଥାନ୍ତେ ଆଉ ବହୁତ ପାଠ ପଢ଼ିଥାନ୍ତେ ତେବେ ଆମ ଟଙ୍କା ଗଛରେ ବି ଏବେ ଟଙ୍କା ଫଳୁଥାନ୍ତା ନୁହେଁ ? ମୁଁ କହିଲି ବୋଧେ ହଁ। ହଉ ଛାଡ଼ ସେ ପଛ କଥାକୁ, ତୁ ଆମର ଏବେ ଗଛର ଯତ୍ନ ନେ ଆଉ ଆଜି ଠାରୁ ମନ ଦେଇ ପଢ଼। ଯେବେ ବଡ଼ ଚାକିରୀ କରିବୁ ଦେଖିବୁ ସେତେବେଳକୁ ତୋ ପାଖରେ ଥିବ ଖାଲି ଫଳନ୍ତି ଟଙ୍କା ଗଛ। ଠିକ ଅଛି ଦିଦି ମୁଁ ମନଦେଇ ପଢିବି। ମୋ କୋଳରୁ ଉଠି ଘରକୁ ଯିବାକୁ ଉଦ୍ୟତ ହେଲା ଖୁସି। ଠିଆ ହୋଇପଡି ଦିଦି ବୋଲି ଡାକି ଆଖିର ଇଶାରାରେ ମୋତେ ପଛକୁ ଚାହିଁବାକୁ ଠାରିଲା। ମୁଁ ପଛକୁ ଚାହିଁ ଦେଖେ ତ, ମୋ ସ୍ୱାମୀ କେତେବେଳୁ ଅଫିସରୁ ଫେରି ଡ୍ରଇଂ ରୁମ୍ ର କାନ୍ଥକୁ ଆଉଜି ଠିଆ ହୋଇ ଆମ କଥାକୁ ଏକାଗ୍ରଚିତ୍ତରେ ଶୁଣୁଛନ୍ତି। ଖୁସି ତାଙ୍କୁ ଦେଖି ଦୌଡ଼ି ପଳେଇଲା ତାଙ୍କ ଘରକୁ। ତା ଯିବା ବାଟକୁ ଚାହିଁ ମୋ ସ୍ୱାମୀ ତାଳି ମାରି କହିଲେ, ୱାଓ...!! ୱଣ୍ଡରଫୁଲ...!! ବିଚକ୍ଷଣ ତୁମ ବୁଦ୍ଧି, ମାନିବାକୁ ପଡିବ, ପିଲାଙ୍କୁ ବୁଝେଇବାରେ ତୁମେ ମାହୀର। ସେଥିପାଇଁ ବୋଧେ ବେଷ୍ଟ ଟିଚର ଆୱାର୍ଡ ପାଇଛ। ମୁଁ ହସିଦେଲି, କହିଲି ଖାଲି ପିଲାଙ୍କୁ ନୁହେଁ ତୁମ ଭଳି ବୁଢ଼ାଙ୍କୁ ବି ବୁଝେଇବାରେ ମଧ୍ୟ ମାହୀର। ସେ ହସିଦେଇ କହିଲେ, ଆଛା ! ତେବେ ମୋତେ ବୁଝାଅ ତ ସତରେ ଏ "ମନିପ୍ଲାଣ୍ଟ" ଲଗେଇବାର ପ୍ରକୃତ ରହସ୍ୟ କଣ ? ମୁଁ କହିଲି ଶୁଣ, ପ୍ରକୃତ କଥାହେଲା, ସହରରେ ସୀମିତ ଜାଗା ଭିତରେ ଲୋକମାନଙ୍କ ପାଇଁ ବଗିଚା କରିବାର ସୁବିଧା ନଥାଏ। ଗଛଟିଏ ସହଜରେ ଲଗେଇ ହୁଏନି। ତୁମେତ ଜାଣ ଜୀବନ ଧାରଣ ପାଇଁ ଅମ୍ଳଜାନର ଆବଶ୍ୟକତା ଆଉ ଗଛ ନଥିଲେ ଅମ୍ଳଜାନ ମିଳିବନି। ତେଣୁ ଅମ୍ଳଜାନ ପାଇବା ପାଇଁ ଆମେ ଘରେ ସେଇସବୁ ଗଛ ଲଗାଉ ଯାହା ଉପରେ ଖରା ନ ପଡିଲେବି ସେ ଅନାୟାସରେ ବଞ୍ଚିପାରିବ ଓ ଅମ୍ଳଜାନ ଦେଇପାରିବ। ଯେମିତି... "ମନିପ୍ଲାଣ୍ଟ", "ସୋ ପ୍ଲାଣ୍ଟ", "ବକ୍ସ ପ୍ଲାଣ୍ଟ", "ଡେକୋର ପ୍ଲାଣ୍ଟ", ଇତ୍ୟାଦି ଇତ୍ୟାଦି। ହଁ ! ହୁଏତ କେତେଜଣଙ୍କ ମନରେ ଆଜି ବି ଏ "ମନିପ୍ଲାଣ୍ଟ"କୁ ନେଇ ଅନ୍ଧ ବିଶ୍ବାସ ଅଛି। "ମନିପ୍ଲାଣ୍ଟ" ଗଛଟେ ମରିଗଲେ ବା ଝାଉଁଳି ଗଲେ ସେମାନେ ପ୍ରବଳ ପ୍ରତିକ୍ରିୟା ଶୀଳ ହୋଇପଡନ୍ତି। କିନ୍ତୁ "ମନିପ୍ଲାଣ୍ଟ" ଲଗେଇଲେ ଯେ ଘରକୁ ଟଙ୍କା ଆସିବ ସେ ଧାରଣା ସମ୍ପୂର୍ଣ ଭୁଲ। ସେମିତି ହେଲେ ତ ଭାରତରୁ ଗରିବୀ ହଟି ଯାଆନ୍ତା। କେହି ଆଉ ଭିକାରୀ ରୁହନ୍ତେନି। ସମସ୍ତେ ମନିପ୍ଲାଣ୍ଟ ଗଛ ଲଗେଇ ବଡ଼ ଲୋକ ହୋଇଯାଆନ୍ତେ। କଣ ବୁଝିଲ....? ୟେସ୍ ମାମ୍....!! କହି ହସି ଉଠିଲେ ମୋ ସ୍ୱାମୀ, ଆଉ ତାଙ୍କର ସେ ହସ ଧୀରେ ଧୀରେ ସଂକ୍ରମିତ ହେଉଥିଲା ମୋ ସାରା ଶରୀରକୁ। 



Rate this content
Log in

Similar oriya story from Inspirational