Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Dr Arati Pattajoshi

Tragedy

3  

Dr Arati Pattajoshi

Tragedy

ଘର ବାହୁଡା

ଘର ବାହୁଡା

5 mins
38



ଯା ହେଉ ଶେଷରେ ଜିନିଷପତ୍ର ଧରି ଵସ୍ ରେ ଚଢିଲା ସନା। ଦୀର୍ଘ ୧୦ ମାସ ପରେ ଆଜି ସେ ଘରକୁ ଯାଉଛି। ଆଗରୁ ପ୍ରତି ୪/୫ ମାସରେ ଥରେ ସେ ଛୁଟି ନେଇ଼ ଘରକୁ ଯାଉଥିଲା। କିନ୍ତୁ କୁଆଡୁ ଆସିଲା ଏ କରୋନା ରୋଗ ସବୁକିଛି ଧୁଳିସାତ୍ କରିଦେଲା। ନା ରହିଲା ରୋଜଗାର, ନା ଫେରିପାରିଲେ ଘରକୁ। ଗାଁ ରେ ବାପା, ମା, ଭାଇ, ଭାଉଜ ଆଉ ଗୋଟେ ଛୋଟ ପୁତୁରା। ସମସ୍ତେ ଭାରି ମନେ ପଡୁଛନ୍ତି। ମାସେ ତଳେ ଭାଇ ଫୋନ୍ କରିଥିଲା, ଏଠି କିଛି ରୋଜଗାର ନାହିଁ ରେ ସନା। ଘର ଚଳେଇବା ଭାରି ମୁସ୍କିଲ୍। ଲକ୍ ଡାଉନ ଯୋଗୁ ସବୁ ବନ୍ଦ, କିଛି ପଇସା ପଠେଇବୁ। କଣ ବା ପଠେଇଵ ସନା ? ତାର'ଵି ତ ସେଇ ଅବସ୍ଥା....!! ତଥାପି ନିଜ ପେଟରୁ କାଟି ସଂଚିଥିବା ୫୦୦୦ ଟଙ୍କା ଭାଇ ପାଖକୁ ପଠେଇ ଦେଇଥିଲା। ତା ପରେ ଯଦିଓ ସେ ନିଜେ ବହୁତ ହଇରାଣ ହେଇଥିଲା। କାରଣ ବାହାର ଯାଗା,ଓ ସେଥିରେ ସୂତା କଳ ବନ୍ଦ। ସୁରଟ ରୁ ଓଡିଶା ପାଖ ବାଟ ଵି ନୁହେଁ ଯେ ଚାଲିକି ପଳେଇ ଆସିଵ। ଘରେ ପଛେ ଶାଗ ପଖାଳ ଖାଇବ....!! ଯା ହେଉ ଶେଷରେ ପ୍ରଭୁ ଜଗନ୍ନାଥଙ୍କର କରୁଣା ହେଲା ଆଉ ସେ ଗାଁ କୁ ବାହୁଡ଼ିଲା। ସମସ୍ତେ କହିଲେ ତାଙ୍କ ସରକାର କାଳେ ସେମାନଙ୍କୁ ଘରକୁ ଫେରେଇ ନେବାକୁ ବ୍ୟବସ୍ଥା କରିଛନ୍ତି, ହେଲେ କାଇଁ....?? କାଇଁ ସେମାନଙ୍କ ପାଖରେ ତ ସେମିତି କିଛି ସୁବିଧା ପହଁଚିନି। ସେମାନେ ୨୫ ଜଣ ଗୋଟେ ବସ୍ ଭଡ଼ା କରି ଭାଗ ବାଣ୍ଟି ପଇସା ଦେଇ ଘରକୁ ଫେରୁଛନ୍ତି, ତା ପୁଣି ଅଧିକା ପଇସା। ଯାହା ଵି ହେଉ ଘରକୁ ଫେରିବାକୁ ହେବ। ଵସ୍ ଗଡିଲା, ମନରେ ଅନେକ୍ ଉତ୍କଣ୍ଠା....!! ତା ଗାଁ, ତା ବାପା, ମା, ତା ଭାଇ, ଭାଉଜ, ସାଙ୍ଗ ସାଥୀ ସମସ୍ତେ ମନେ ପଡୁଥିଲେ।   


    ଆଜକୁ ୬ଵର୍ଷ ତଳେ ଘର ଛାଡ଼ି ସୁରଟ ଯାଇଥିଲା ସନା। ମାଟ୍ରିକ ପାସ୍ କଲାପରେ ଆଉ ପଢେଇ ପାରିବେନି ବୋଲି ବାପା ମନା କରିଦେଲେ। କୋଉ କୂଳକୁ ହେଲାନି ସନା। ଦୋକାନ କରି ବସିବାକୁ ପଇସା ନାହିଁ। ଗାଁ'ର ରଘୁ ବୋଲି ପିଲାଟିଏ, ଆଗରୁ ସୁରଟ ଯାଇଥିଲା। ଗାଁକୁ ଯେବେ ଵି ଫେରେ ପୁରା ପୁରି ବାବୁ ଭଳି ଚଳେ। ସେ କହେ ସେଠି କାଳେ ପଇସା ଉଡୁଛି, ଗୋଟେଇ ପାରିଲେ ହେଲା.....!!ଘରର ଆର୍ଥିକ ଅବସ୍ଥା ଶୋଚନୀୟ। ବଜାର ଉପରେ ଭାଇ'ର ପାନ ଦୋକାନଟିଏ, ସେଥିରେ ପୁଣି ୫ପ୍ରାଣି କୁଟୁମ୍ବ। କେମିତି ଚଳିବ ? ରଘୁଆର କଥା, ରଘୁଆର ପରାମର୍ଶ କ୍ରମେ ଘର ଛାଡିବାକୁ ନିଷ୍ପତି ନେଲା ସନା। ବାପା କିନ୍ତୁ ମନା କରୁଥିଲେ, କାହିଁକି ଏତେ ଦୁରକୁ ଯିବୁ ? ବରଂ ଜମି ଖଣ୍ଡେ ବିକି ଦଉଛି, ଛକରେ ଦୋକାନଟିଏ କର, ନ'ହେଲେ ଜମିବାଡ଼ି କଥା ବୁଝ। ଯେତିକି ଅଛି ଦୁଃଖେ ସୁଖେ ଚଳିଯିବାନି ? କିନ୍ତୁ କେଜାଣି କେମିତି, ରଘୁଆର ଚଳଣି ତାକୁ କୁହୁକ କରିଦେଲା। ନିଜ ପରିବାରକୁ ଖୁସିରେ ରଖିବା ପାଇଁ, ନିଜ ପରିବାରର ଆର୍ଥିକ ଅବସ୍ଥା ସୁଦୃଢ଼ କରିବା ପାଇଁ, ଭାରି ଭଲ ପାଉଥିବା ଗାଆଁକୁ ଆଉ ତା ପ୍ରିୟ ପରିଜନଙ୍କୁ ଛାଡ଼ି ପରଦେଶୀ ହେବାକୁ ନିଷ୍ପତ୍ତି ନେଲା। ଭାବିଲା ସେ ଵି ରଘୁଆ ପରି ବହୁତ ପଇସା କମେଇବ, ଚାଳ ଘରକୁ ଛାତ କରିବ ଓ ନିଜ ଲୋକଙ୍କୁ ସବୁ ସୁଖ ସୁବିଧା ଦେବ। ଆଖିରେ ଆଖିଏ ସ୍ବପ୍ନ ନେଇ଼ ସେ ଘର ଛାଡିଲା। ରଘୁଆ ତାକୁ ଏ ସୁତାକଳରେ ରଖେଇ ଦେଇଥିଲା। ଏତେ ବଡ଼ ସହରରେ ବଖରାଏ ଘର ଗୋଟେ ଭଡ଼ା ନେଇ଼ ପାଞ୍ଚ ଜଣ ରହୁଥିଲେ। ଯାହାଵି ହେଉ କଷ୍ଟେ ମଷ୍ଟେ ନିଜେ ଚଳି ଘରକୁ ଦୁଇ ପଇସା ପଠେଇ ପାରୁଥିଲା। ହେଲେ ଏ କରୋନା ସବୁ କିଛି ଓଲଟ ପାଲଟ କରିଦେଲା। ଲକ୍ ଡାଉନ ଯୋଗୁ ଘରେ ବସି ବସି ଖାଲି ବାର ଚିନ୍ତା ବାର କଥା ମାଡିବସିଲା। ଦିନେ ଖାଇଲେ ଦିନେ ଉପାସ। ଆଉ କେତେଦିନ ସେ ରହିପାରିଥାନ୍ତା...??  ଏମିତି ଅନା ବନା କଥା ଭାବୁ ଭାବୁ କେତେବେଳେ ଘୁମେଇପଡ଼ିଲା ସନା। ସ୍ୱପ୍ନରେ ଦେଖିଲା ତାକୁ ଫେରି ପାଇ ଘରେ ସମସ୍ତେ କେତେ ଖୁସି.....!! ବାପା, ମା, ଭାଇ, ତାକୁ ଦେଖି କୁଂଢ଼େଇ ପକଉଛନ୍ତି। ସାଙ୍ଗସାଥି ମାନେ ତା ଫେରିବା ଖବରପାଇ ଘରକୁ ଆସୁଛନ୍ତି ଓ ତାକୁ କୋଳେଇ ନେଉଛନ୍ତି। ହଠାତ୍ ଗାଡ଼ିର ବ୍ରେକ କଷିବାରେ ନିଦ ଭାଙ୍ଗିଗଲା ସନା'ର। ଗାଁ ମୁଣ୍ଡ ବସ୍ ଷ୍ଟାଣ୍ଡରେ ପହଂଚିଗଲା ସନା। ତା ଗାଁ ଆଉ ଅଳ୍ପବାଟ। କି ସୁନ୍ଦର ବାସ୍ନା ତା ମାଟିର....!! କି ସୁନ୍ଦର ଦୃଶ୍ୟ ତା ଗାଁ'ର....!! ସତରେ ଓଡିଶା ମାଟିର ମହକ ନିଆରା....!! କେତେ ଆପଣାର ଏଠିକା ଲୋକମାନେ.....!! ଗାଁ ଗୋଟାକ କେହି କାହାର ରକ୍ତର ନ ହେଲେବି କେତେ ନିଜର....!! କେତେ ଆପଣାର....!! ସାଙ୍ଗ ବାବୁଲାକୁ ଫୋନ୍ ଲଗେଇଲା ସନା। ବାଇକଟା ନେଇ଼କି ଆସିଲେ ତାକୁ ସେ ଗାଁକୁ ନେଇଯିବ........!!!


"ହାଲୋ ବାବୁଲା ? ଆବେ ମୁଁ ସନା"

"ଆରେ ହଁ, ହଁ....!! କଣ କହ"?

"ଆରେ ମୁଁ ଗାଁ ଵସ୍ ଷ୍ଟାଣ୍ଡରେ ଠିଆ ହେଇଛି, ମୋତେ ଟିକିଏ ନେଇ଼ଯାନ୍ତୁନି"? ଜଲଦି ଆ, ମୁଁ ଏଠି ବସିଛି।

"କଣ ହେଲା ତୁ ଆସିଗଲୁ ? ଆବେ କେମିତି"? "କହନା ଭାଇ, ଦେଖା ହେଲେ କହିବି, ତୁ ଆ ଜଲଦି" "ନାଇଁ ରେ ଭାଇ, Please ମୋତେ କ୍ଷମା କରିଦେବୁ ମୁଁ ଯାଇପାରିଵିନି। ମୋର ଟିକେ Urgent କାମଅଛି, ତୁ ଚାଲିକି ପଳେଇଆ"।

ଅଗତ୍ୟା ଚାଲିଲା ସନା। ଆଉ ୨କିଲୋମିଟର ତା ଗାଁ। ଗାଁ ମୁଣ୍ଡରେ ପହଞ୍ଚିଲା ସନା। ଆରେ ଏ କଣ....? ବାଡ଼ କାଇଁ ପକେଇଛ....? ମୁଁ ପରା ଏ ଗାଁର ପୁଅ...? ନାଇଁ ଭାଇ ତୁ ସୁରଟରୁ ଆସିଛୁ। ତୋ ଦେହରେ କାଳେ କରୋନା ଥିବ...? ତୋ ପାଈଁ ଆମ ଗାଁ ସାରା ବ୍ୟାପିଯିବ। ଆମ ମଜବୁରି ବୁଝ ଭାଇ, ତୁ ବରଂ ପଳା। "କିନ୍ତୁ ମୁଁ ଯିବି କୁଆଡେ"? ହାତରୁ ପଇସା ଖର୍ଚ୍ଚ କରି ମୋ ଭିଟା ମାଟି, ମୋ ନିଜ ଲୋକଙ୍କ ପାଖକୁ ତ ଫେରିଲି, ଆଉ ଯିବି କୁଆଡେ ? "ନାଇଁ ତୁ କ୍ବାରେଣ୍ଟାଇନ୍ ସେଣ୍ଟର ପଳା"। "କିନ୍ତୁ ମୁଁ କରୋନା ପେସେଣ୍ଟ ନୁହଁ। ମୁଁ କଣ.....!! ଆମେ ଯେତେ ଜଣ ଆସିଛୁ....!! ଆମେ କେହିବି କରୋନା ପେସେନ୍ଟ ନୁହଁ"। କାରଣ ଆମେ ଗଲା ୨ମାସ ହେଲା ଘର ଭିତରେ ହିଁ ଅଛୁ। ଆମ କମ୍ପାନୀ ମାଲିକ ବହୁତ ଭଲ ଲୋକ। ଆଜି ପର୍ଯନ୍ତ କମ୍ପାନୀ ବନ୍ଦ ଥିଲେବି, ସେ ଆମ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇ ଦେଉଥିଲେ। ଆମେ କେହି ବାହାରକୁ ଯାଇନୁ, କି କାହା ସହ ମିଶିନୁ। ତଥାପି ତୁମେ ମାନେ ଯଦି କହିବ, ମୁଁ ମୋ ଘରେ ଅଲଗା ହୋଇ ରହିବି। ମୋତେ ଘରକୁ ଯିବାକୁ ତ ଦିଅ ? ସନା ଦେଖିଲା, ଖବର ପାଇ ତା ବାପା ଭାଇ ଆସୁଛନ୍ତି। ସେମାନଙ୍କୁ ଦେଖି ସନାର ସାହାସ ବଢିଗଲା। ଯାହା ହେଉ ଏଥର ସେ ଘରକୁ ଯାଇ ପାରିବ। ହେଲେ ବାପା ଏମିତି କଣ ଚୁପ୍ ଚାପ୍ ଠିଆ ହେଇଛନ୍ତି ? ବାପା ତୁମେ କିଛି କହୁନ ଯେ....?? କଣ କହିବି ସନା....?? ଗାଆଁ ର ନିୟମ ଅନୁସାରେ ବାହାରୁ କେହିବି ଆସିଲେ ତାଙ୍କୁ ଗାଆଁ ମନା, ଆଉ ଯିଏ ଏହାର ଖିଲାପ କରିବ ସେ ନିଆଁ ପାଣି ବାସନ୍ଦ ହୋଇ ରହିବ। ଆମେ ନାଚାର୍ ସନା, ତା ଛଡ଼ା ଘରେ ଆମେ ବୁଢା ବୁଢ଼ୀ ଦୁଇ ଜଣକୁ ଛୋଟ ଛୁଆଟିଏ ମଧ୍ୟ ଆମ ପାଖେ ଅଛି। ଆଉ ମୁଁ ଶୁଣିଛି ଏ ରୋଗ କାଳେ ବୃଦ୍ଧ ଓ ଶିଶୁଙ୍କ ପାଈଁ ବେଶି ବିପଦ ଦାୟକ, ତେଣୁ ମୋ କଥା ମାନି ତୁ ପଳା। ଭାଇକୁ ଚାହିଁଲା ସନା...!! ତା ଭାଇ ତାକୁ କେତେ ଭଲ ପାଏ....!! ସେ ନିଶ୍ଚୟ ସବୁକୁ ଖାତିର ନକରି ତାକୁ ଘରକୁ ନେଇଯିବ, ହେଲେ ନା....!! ସମସ୍ତେ ନୀରବ। ତାର ପ୍ରିୟ ସାଙ୍ଗ ବାବୁଲା, ପୋଲିସକୁ ଫୋନ୍ କରିଦେଲା। ପୋଲିସ ଆସି ତାକୁ ଗାଡିରେ ନେଇଗଲେ। ସଜଳ ଆଖିରେ ସମସ୍ତଙ୍କ ଉପରେ ଆଖି ପହଁରେଇ ଗାଡିରେ ବସିଲା ସନା। ହାଏରେ କରୋନା....!! ତୋ ଯୋଗୁଁ ଆଜି ସମ୍ପର୍କରେ ଫାଟ....?? ଯେଉଁ ମାନଙ୍କୁ ଖୁସିରେ ରଖିବାକୁ ସେ ଗାଆଁ ଛାଡିଥିଲା, ସେଇମାନେ ହିଁ ଆଜି ତାକୁ ପର କରିଦେଲେ....?? ଯେଉଁ ସାଙ୍ଗମାନଙ୍କୁ ସେ ଦରକାର ବେଳେ ମୁଠା ମୁଠା ଟଙ୍କା ଗଣି ଦେଉଥିଲା, ଆଜି ସେଇମାନେ ହିଁ ମୁହଁ ମୋଡ଼ିଦେଲେ....?? ଆଗକୁ ଗଡି ଚାଲିଥିଲା ଗାଡି। ଲୁହ ଡବ ଡବ ଆଖିରେ ଚାହିଁ ରହିଥିଲା ସନା....!! ତା ଗାଆଁ, ତା ପରିବାର, ତା ସାଙ୍ଗ ସାଥି ସମସ୍ତେ ତାଠୁ ଦୂରେଇ ଯାଉଥିଲେ....!! ତା ଆଖିକୁ ସବୁ ଅସ୍ପଷ୍ଟ ଦିଶୁଥିଲା....!! ଏମିତି ଘର ବାହୁଡାଠୁ ବରଂ ସେ ପରଦେଶୀ ହିଁ ଠିକ୍ ଥିଲା..........!!!


Rate this content
Log in

More oriya story from Dr Arati Pattajoshi

Similar oriya story from Tragedy