STORYMIRROR

Dr Arati Pattajoshi

Inspirational

4  

Dr Arati Pattajoshi

Inspirational

ଉଚ୍ଚାଭିଳାଷୀ

ଉଚ୍ଚାଭିଳାଷୀ

5 mins
245


କାଲି ଅଫିସ୍ ରୁ ମହାନ୍ତିବାବୁ ଫୋନ୍ କରିଥିଲେ, କହିଲେ "ଜାଣିଛନ୍ତି ମାଡାମ୍ ! ମିଶ୍ରବାବୁ ଚାଲିଗଲେ, କିନ୍ତୁ ବଡ଼ ଦୁଃଖର ବିଷୟ ପୁଅଟିକୁ ଏତେ କଷ୍ଟକରି ପାଠ ପଢେଇ ମଣିଷ କଲେ, ଉଚ୍ଚଶିକ୍ଷିତ କଲେ, ହେଲେ ପୁଅ ବିଦେଶକୁ ଗଲା ଯେ ଗଲା ଆଉ ଫେରିଲାନି"। ସତରେ ମ...!! ଆଜିକାଲି ପିଲାଗୁଡା଼ କେମିତି କୃତଘ୍ନ ହେଇପଡୁଛନ୍ତି କେଜାଣି ? ପାଠପଢେଇ କେତେ କଷ୍ଟରେ ବାପା, ମାଆ, ମଣିଷ କରୁଛନ୍ତି, ନିଜ ପେଟ ପିଠିରୁ କାଟି ପିଲାଙ୍କ ପାଇଁ ସଂଚୁଛନ୍ତି, କିନ୍ତୁ ପିଲା ଯଦି ବିଦେଶ ଗଲା ତ ବାପା, ମାଆ, ଆଉ ମନେପଡୁ ନାହାନ୍ତି। ଇଏ କି ଯୁଗ ଆସି ହେଲା, ପିଲାଗୁଡା଼ ଏତେ ଅମଣିଷ ହେଇଯାଉଛନ୍ତି କେମିତି କେଜାଣି...!! ସତରେ ମିଶ୍ରବାବୁଙ୍କ ପାଇଁ ଭାରି ଦୟା ଆସୁଛି। ସବୁ ଶୁଣିବା ପରେ ଯଦିଓ ମହାନ୍ତି ବାବୁଙ୍କ କଥାରେ ମୁଁ ଏକମତ ନଥିଲି କିନ୍ତୁ ଫୋନ୍ ରେ ଏସବୁ ଆଲୋଚନା ସମୟ ସାପେକ୍ଷ ଭାବି ଫୋନ୍ ରଖିଲି..!!


ସାନ୍ତ୍ୱନୁ ମିଶ୍ର..! ଆମ ଅଫିସ୍ ର ଥିଲେ ଜଣେ ବରିଷ୍ଠ କିରାଣୀ। ଯଦିଓ ସେ ଆମଠାରୁ ବରିଷ୍ଠ ତଥାପି ବହୁ ଦିନରୁ ଆମେ ଅଫିସରେ ଏକାଠି କାମ କରିଆସିଛୁ। ଅବଶ୍ୟ ସେ ୫ଵର୍ଷ ହେଲା ଚାକିରିରୁ ଅବସର ନେଇ଼ ସାରିଲେଣି। ଚାକିରିରେ ଥିଲା ବେଳେ ନିଜ ପୁଅ ପାଇଁ ତାଙ୍କର ଅନେକ୍ ଗର୍ବ। ଅଫିସ୍ ରେ କାମ କଲାବେଳେ ସହକର୍ମୀ ମାନଙ୍କ ସହ ସେ କେବଳ ନିଜ ପୁଅ କଥା ଛଡ଼ା ଆଉ କିଛିଵି ଆଲୋଚନା କରନ୍ତିନି। କଥା ଛଳରେ ଖାଲି, ଆଜି ପୁଅ ସ୍କୁଲରେ ଏତିକି ମାର୍କ ରଖିଲା, ଆଜି ସେ ସ୍କୁଲରେ ଇଂଲିଶ ଡ଼ିବେଟ ଦେଇ ଫାଷ୍ଟ ହେଲା, ଆଜି କଲେଜ ଫକ୍ସନ୍ ରେ ପୁଅ ପ୍ରାଇଜ ପାଇଲା, ଅମୁକ କଲା ସମୁକ କଲା ଇତ୍ୟାଦି ଇତ୍ୟାଦି। ହଁ ! କହିବାକୁ ଗଲେ ପୁଅକୁ ସବୁବେଳେ ପିଲାଟିଦିନରୁ ମାତୃଭୂମି ଓ ମାତୃଭାଷା ଠାରୁ ଦୁରରେ ରହିବା କେମିତି, ସେ ଶିକ୍ଷା ଅବଶ୍ୟ ସେ ଭଲଭାବେ ଦେଇଛନ୍ତି ଓ ଶିଖେଇଛନ୍ତି। ଖେଳକୁଦ ଠାରୁ ଦୁରରେ ରଖି ପୁଅକୁ ଶିଖେଇଛନ୍ତି କେବଳ ସଂଖ୍ୟାର ଖେଳ, ଉପରକୁ ଉପରକୁ ଚଢିବାର ଖେଳ, ଆଉ ସବୁ ପରେ...! ସବୁବେଳେ ପ୍ରଥମ ପୋଜିସନରେ ରହିବାର ଖେଳ। କେଵେଵି ଯଦି ପୁଅ ସୋମୁ ଓଡ଼ିଆରେ କଥା ହେଇଛି କି ଓଡ଼ିଆରେ କିଛି କହିବାକୁ ଚେଷ୍ଟା କରିଛି ତେବେ ତାକୁ ପ୍ରବଳ ରାଗନ୍ତି ମିଶ୍ରବାବୁ ଆଉ କୁହନ୍ତି, ତୋତେ କଣ ଏଇଥିପାଇଁ ମୁଁ ଇଂଲିଶ ମିଡିୟମ୍ ରେ ପଢ଼ଉଛି ? ଓଡ଼ିଆରେ କଣ ଅଛି ? ଭବିଷ୍ୟତରେ ଉପରକୁ ଉଠିବାକୁ ହେଲେ ଇଂଲିଶ ପଢ଼, ଇଂଲିଶ କହ, ଆଉ ମୋ ସ୍ବପ୍ନକୁ ସାକାର କର। ଯଦିଓ ଜୀବନରେ ଆଗକୁ ଯିବାକୁ ହେଲେ ଇଂଲିଶର ଆବଶ୍ୟକତା ନିହାତି ଅଛି କିନ୍ତୁ ତାର ମାନେ ନୁହଁ ଯେ, ଆମେ ଆମର ମାତୃଭାଷାକୁ ଘୃଣା କରିବା ବା ଅବମୂଲାୟନ କରିବା। ସବୁବେଳେ ଖାଲି ଆକାଶରେ ଯାଉଥିବା ଉଡାଜାହାଜକୁ ଦେଖେଇ ପୁଅକୁ ଉତ୍ସାହିତ କରିଛନ୍ତି ଦୂର ଆକାଶରେ କେବଳ ଉଡିବା ପାଇଁ ଆଉ କହିଛନ୍ତି, ଦେଖ୍, ତୁ ଵି ଦିନେ ଏମିତି ଉଡାଜାହାଜରେ ଚଢିବୁ, ଆକାଶରେ ଉଡିବୁ, ବିଦେଶ ଯିବୁ, ଆଉ ମୁଁ ଗର୍ବରେ ଛାତି ଫୁଲେଇ ଚାରିଆଡେ ବୁଲି ବୁଲି କହିବି, ଦେଖ...! ମୋ ପୁଅ ଆମେରିକାରେ, ଲଣ୍ଡନରେ, ଜାପାନରେ...!! କଣ କହୁଛୁ ? ଭଲ ପାଠପଢ଼ି କରିବୁନା ମୋ ସ୍ବପ୍ନ ପୂର୍ଣ୍ଣ ? ବାପାଙ୍କ ଉପଦେଶକୁ ମାନି ସୋମୁଵି ପିଲାଟି ଦିନରୁ ସ୍ବପ୍ନ ଦେଖିବାକୁ ଆରମ୍ଭକଲା, ଉପରକୁ ଉପରକୁ ଚଢିବାର। ସୋମୁର ପାଠପଢ଼ା ପାଇଁ ଯେତେ ପଇସା ଖର୍ଚ୍ଚ ହେଲେବି ମିଶ୍ରବାବୁ ଧାର କରଜ କରିଛନ୍ତି ସିନା, ହେଲେ କେଵେଵି ପଛଘୁଞ୍ଚା ଦେଇ ନାହାନ୍ତି ସତ। ମାତ୍ର ପ୍ରକୃତପାଠ ଠାରୁ ମିଶ୍ରବାବୁ ବୋଧହୁଏ ଥିଲେ କିଛି ଦୁରରେ। ପୁଅର ମନରେ ହୀନମନ୍ୟତା ନଆସିବା ପାଇଁ ସବୁବେଳେ ପୁଅକୁ ସାହେବପରି ରଖିଛନ୍ତି, ସାହେବି ଢାଞ୍ଚାରେ ବଢ଼େଇଛନ୍ତି ଓ ସାହେବ ହେବା ପାଇଁ ଶିକ୍ଷା ମଧ୍ୟ ଦେଇଛନ୍ତି। ଏପରିକି ପୁଅକୁ ବିଦେଶ ଯିବା ପାଇଁ ନିଜେ ବହୁ କଷ୍ଟରେ କରିଥିବା ଘରଖଣ୍ଡିକୁ ମଧ୍ଯ ବିକ୍ରି କରି ଦେଇଛନ୍ତି। ପୁଅ ଯେତେବେଳେ ଆମେରିକାରେ ପ୍ରଥମେ ଚାକିରୀ ପାଇଲା, ଖୁସିରେ ପାଗଳ ହୋଇ ଯାଇଥିଲେ ସେଦିନ ମିଶ୍ରବାବୁ। ଖୁସିରେ ଘର ଘର ବୁଲି ସାହି ସାରା ମିଠା ବାଣ୍ଟିଥିଲେ ଆଉ ଗର୍ଵରେ କହି ବୁଲୁଥିଲେ ମୋ ପୁଅ ଆମେରିକାରେ ଜବ୍ କରୁଛି। ପୁଅ ମଧ୍ୟ ନିଜର ଦକ୍ଷତା ବଳରେ ବାପାଙ୍କର ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ସେଠି ସିଡ଼ି ପରେ ସିଡ଼ି ଚଢିଚାଲିଲା। ବାପାଙ୍କୁ ଯେତେବେଳେଵି ଫୋନ୍ କଲା, କେବଳ କେତେ ବାଟ ସେ ଚଢିଛି ତାର ହିସାବହିଁ ଦେଲା। ସେତେବେଳେ ଖୁସିରେ ଆତ୍ମହରା ହୋଇ ଯାଉଥିଲେ ମିଶ୍ରବାବୁ। ପୁଅ ପାଇଁ ଘରଟିକୁ ବିକି ଦେଇଥିଲେ ମଧ୍ୟ ମନରେ ନଥିଲା ଅବଶୋଷ। ଖୁସି ଖୁସି ଗୋଟେ ଛୋଟଘର ଭଡ଼ା ନେଇ଼ ଆନନ୍ଦରେ ରହୁଥିଲେ ମିଶ୍ରବାବୁ। ଦିନକପାଇଁ ହେଲେ ସେଥିପାଇଁ ମନକଷ୍ଟ କରିନାହାଁନ୍ତି। ମନେ ମନେ ଭାବୁଥିଲେ, ହଁ, ମ...! ପୁଅ ଯେତେବେଳେ ଏତେ ବଡ଼ ଚାକିରି କଲାଣି, କାଲିକି କାଲି ଘର କଣ...? ଦରକାର ହେଲେ ରାଜମହଲ ଠିଆ କରିଦେବ। ହେଲେ ସବୁସ୍ବପ୍ନ ସ୍ବପ୍ନରେହିଁ ରହିଗଲା ମିଶ୍ରବାବୁଙ୍କ'ର। ପୁଅ ଆଉ ଫେରିଲାନି ଆମେରିକାରୁ। ତାର ବା ଦୋଷ କଣ ? ବାପା ଶିଖେଇଥିବା ରାସ୍ତାରେ ଖାଲି ସିଡ଼ି ଚଢିବା ଶିଖିଲା କାରଣ ଓହ୍ଲେବା ତ ବାପା ଶିଖେଇ ନାହାନ୍ତି ଏବଂ ମନାବି କରିଛନ୍ତି। ତେଣୁ ସିଡ଼ିଟିକୁ ଧରି ତଳେ ସେମିତି ଠିଆହୋଇ ରହିଥିଲେ ମିଶ୍ରବାବୁ ଆଉ ପୁଅ ଖାଲି ଉପରକୁ ଉପରକୁ ଚଢ଼ୁଥିଲା, କାରଣ "ଉପର" ହିଁ ତାକୁ ସ୍ପଷ୍ଟ ଦିଶୁଥିଲା। "ତଳ" ତାକୁ ଖୁବ୍ ଛୋଟ ଓ ଅସ୍ପଷ୍ଟ ଦିଶୁଥିଲା। ଆଜିର ଏ ଦୁନିଆରେ ଏଭଳି ପରିସ୍ଥିତି କେବଳ ମିଶ୍ରବାବୁଙ୍କ'ର ନୁହେଁ ଏମିତି କେତେ କେତେ ମିଶ୍ରବାବୁଙ୍କ ଭଳି ବାପା ମାନଙ୍କ'ର, ଯେଉଁମାନେକି ଆଜି ସିଡ଼ି ଧରି ତଳେ ଠିଆ ହୋଇ ଅପେକ୍ଷାରେ ଅଛନ୍ତି। ହେଲେ ମନକୁ ପ୍ରଶ୍ନ ଆସେ ଏଥିରେ ପୁଅ ମାନଙ୍କ'ର ବା ଦୋଷ କଣ ? ଆମେତ ତାଙ୍କୁ କେବଳ ଚଢିବା ଶିଖେଇଛୁ ଓହ୍ଲେଇବା ଶିଖେଇନୁ ଆଉ ତାଛଡା ଆମେ ପିଲାମାନଙ୍କୁ ଏତେ ଉପରକୁ ଚଢେଇ ଦେଇଛୁ ଯେ ତଳକୁ ଓହ୍ଲେଇବା ସେମାନଙ୍କ ପାଇଁ ମୁସ୍କିଲ୍ ହେଇପଡ଼ିଛି। ଆମେତ କେତେବେଳେ ହେଲେ ଶିଖେଇ ନାହାନ୍ତି ଆମ ପୁର୍ବଜ କବି ଶ୍ରୀଯୁକ୍ତ ଗଙ୍ଗାଧର ମେହେରଙ୍କ ଲେଖା...!! "ମାତୃଭୂମି ମାତୃଭାଷାରେ ଶରଧା ଯାହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନି ଗଣରେ ଗଣିବା ଅଜ୍ଞାନି ରହିବେ କାହିଁ" ର ଅର୍ଥ !! ସତରେ, କେତେ ଦୂରଦୃଷ୍ଟି ଥିଲା ସେମାନଙ୍କ ସୃଜନିରେ ? ଆମେମାନେ ତ କେତେବେଳେ ହେଲେ ପିଲାମାନଙ୍କୁ ଆମର ପୁରାଣ, ରାମାୟଣ, ଗୀତା, ଭାଗବତ, ମହାଭାରତ, ସଂସ୍କାର ସଂସ୍କୃତି ବିଷୟରେ ନା ଶିକ୍ଷା ଦେଇଛେ ନା ପଢିବାକୁ କେଵେ ଉତ୍ସାହିତ କରିଛେ। କେଵେହେଲେ ଦିନେ ସେମାନଙ୍କୁ ମାତ୍ରୁଭୂମିକୁ ଭଲ ପାଇବା ପାଇଁ କହିନୁ କି ତଳକୁ ଚାହିଁବାକୁ ଶିଖେଇନୁ। ମିଛ ଆଭିଜାତ୍ୟ ମାୟାରେ ବାୟା ହୋଇ ଆମଠୁ ଅଲଗା କରି ଦୂରକୁ ପଠେଇଦେଇଛୁ ସେମାନଙ୍କୁ, ଆଉ ପ୍ରକୃତସତ୍ୟ ଓ ସୁଖଠାରୁ ଦୂରେଇ ରଖି ବସ୍ତୁବାଦି ହେବାକୁ ପ୍ରକାରନ୍ତେ ପ୍ରୋତ୍ସାହିତ କରିଛୁ। ବାସ୍ତବତା'ର ଆଲୋକ ଠାରୁ ଅଲଗା କରି ଅବାସ୍ତବତା'ର ଅନ୍ଧାରି ଗୁମ୍ଫା ଭିତରକୁ ଠେଲି ଦେଇଛୁ ସେମାନଙ୍କୁ। ତେଣୁ ଏବେ ମୁଣ୍ଡ ପିଟି ପିଲାଙ୍କୁ ପାଖରେ ଖୋଜି ବସିଲେ ସେମାନେ ପାଖକୁ ଆସି ଦେଖା ଦେବେ ବା କେମିତି ? ରାସ୍ତା ତ ପାଖ କି ସହଜ ନୁହଁ ? ପିଲା ଯେତିକି ଯେତିକି ଦୂରକୁ ଯାଇଛି ଆମେ ସେତେବେଳେ ସେତିକି ସେତିକି ଖୁସିଵି ହୋଇଛୁ। କହିବାକୁ ଗଲେ, ଆମେମାନେ ହିଁ ଏକପ୍ରକାର ମିଛ ମରୀଚିକା ସ୍ବପ୍ନ ପଛରେ ପଡ଼ି ଓ ଆମମାନଙ୍କର ସେସବୁ ସ୍ବପ୍ନକୁ ସେମାନଙ୍କ ମାଧ୍ୟମରେ ଚରିତାର୍ଥ କରିବା ପାଇଁ ସେମାନଙ୍କୁ ଆମେ ଆମପାଖରୁ ଦୂରେଇ ଦେଇଛୁ। ମିଛ ପ୍ରାଚୁର୍ୟ ଭିତରେ ଅନ୍ଧ ହୋଇ ସତ୍ୟର ଆଗତ ଭବିଷ୍ୟତ ବିଷୟରେ ଭୁଲିଯାଇଛୁ। ତେବେ ଆଜି ମନରେ ଏ ଦୁଃଖ କାହିଁକି ? ଆଉ କଣ ପାଇଁ ? ତେଣୁ ଏଠି ମନରେ ପ୍ରଶ୍ନ ଉଠେ ମିଶ୍ରବାବୁଙ୍କ ପୁଅର ଦୋଷ କଣ ଥିଲା ? ଏଭଳି ପ୍ରଶ୍ନ ମନରେ ଉଙ୍କି ମାରିବାଵି ସ୍ଵାଭାବିକ, କାରଣ ଦେଖିବାକୁ ଗଲେ, ଆମେ ତଥା କଥିତ ମିଶ୍ରବାବୁଙ୍କ ଭଳି ମୁରଵି ମାନେହିଁ ଏଥିପାଇଁ ପ୍ରକାରନ୍ତେ ଦାୟୀ ଓ ଦୋଷୀ। କେତେବେଳେ ହେଲେ ଆମେ ନା ନିଜକୁ ସମୀକ୍ଷା କରିଛୁ ନା ତର୍ଜମା ? "ଗୁରୁଜନ ମାନେ କେବେହେଲେ ଭୁଲ କରନ୍ତି ନାହିଁ" ନ୍ୟାୟରେ ନିଜେ କରିଥିବା ଦୋଷରୁ ଖସିଯିବାକୁ ଚେଷ୍ଟାକରି ପଳାୟନପନ୍ଥି ସାଜିଛୁ। ନିଜ ଦୋଷ ଦୁର୍ବଳତାକୁ କେବେହେଲେ ସ୍ୱୀକାର କରିନୁ କି ମାନିବାକୁ ସାହାସ ମଧ୍ୟ ଜୁଟାଇ ପାରିନୁ। ତେବେ ଆଜି କଣ ପାଇଁ ଏ ଆତ୍ମଗ୍ଳାନି ? ଦେଖିବାକୁ ଗଲେ, ସବୁ ଦୋଷତ ଆମ ମାନଙ୍କର। କଣ ମିଛ କହିଲି ? ଆପଣମାନେ ଥରେ ନିରପେକ୍ଷ ଭାବେ ତର୍ଜମା କରି କୁହନ୍ତୁ ତ ଦୋଷ କାହାର ? ଆମର, ନା ପିଲାମାନଙ୍କର, ନା ଉଚ୍ଚାଭିଳାଷୀ ହେବା ଆକାଂକ୍ଷାର......??


Rate this content
Log in

Similar oriya story from Inspirational