Dr Arati Pattajoshi

Inspirational

4  

Dr Arati Pattajoshi

Inspirational

ସମୁଚିତ ଶିକ୍ଷା

ସମୁଚିତ ଶିକ୍ଷା

8 mins
208



ଘରେ ଦିନସାରା ବସି କଣ କରୁଛ ? ଘରେ ବସି ବସି ଦିନସାରା ତୁମେ କରୁଛ କଣ ? ଏହିଭଳି ପ୍ରଶ୍ନ ବାରମ୍ବାର ସ୍ୱାମୀଙ୍କଠୁ ଶୁଣି ଶୁଣି ଅତିଷ୍ଠ ହୋଇଗଲାଣି ପ୍ରିତୀ। କାହାକୁ କେମିତି ସେ ବୁଝେଇବ ଯେ ଘର ଭିତରେ ସେ ଦିନସାରା ବସି କଣ କରୁଛି ବୋଲି !!


ଘରେ ଶାଶୁ ଶଶୁର ଦୁହେଁ ବୟସ୍କ। ଜଣେ ପାରାଲିସିସ ତ ଆଉ ଜଣେ ଡାଇବେଟିସ, ଉଚ୍ଚ ରକ୍ତଚାପ ଓ ଆଣ୍ଠୁ ଗଣ୍ଠି ରୋଗରେ ପୀଡିତ। ଦୁହିଁଙ୍କୁ ଗୋଡେ ଗୋଡେ ଜଗିଥାଏ ପ୍ରିତୀ। ଫିଲୋସଫିରେ ଏମ.ଏ. କରିସାରିବା ପରେ ନିଜ ଗୋଡ଼ରେ ନିଜେ ଠିଆ ହେବାର ସ୍ୱପ୍ନ ପିଲାବେଳୁ ଦେଖିଥିଲା ପ୍ରିତୀ। କାହା ହାତ ଟେକାକୁ ନିର୍ଭର କରିବନି ବୋଲି ପିଲାବେଳୁ ଇଚ୍ଛା କରିଥିଲା ସେ, ହେଲେ ହେଲା କଣ ? ତାକୁ ସ୍ୱାବଲମ୍ବୀ ହେବାଯାଏ କେହି ହେଲେ ତାକୁ ଅପେକ୍ଷା କଲେନି। ପିଉସୀର ଦୂର ସମ୍ପର୍କୀୟ, ଭଲ ପ୍ରସ୍ତାବ, ସରକାରୀ ଚାକିରୀ, ଗୋଟେ ବୋଲି ପୁଅ, ଏମିତି କେତେ କଣ ସ୍ୱପ୍ନର ମୋହରେ ବାପା ବୋଉ ପଡିଗଲେ। ପ୍ରିତୀର ଲକ୍ଷେ ଅନୁରୋଧକୁ ଏଡେଇଦେଇ ବାହା କରିଦେଲେ ତାକୁ। ପରୋକ୍ଷରେ ବୁଝେଇ କହିଲେ କଣ ନା...!! ଘରେ ଗୋଟେ ବୋଲି ତ ପୁଅ, କଣ ଆଉ କାମ ଅଛି କି ? ତୁ ଚାହିଁଲେ ବାହାଘର ପରେ ମଧ୍ୟ ଆଉ ଅଧିକା ପଢି ପାରିବୁ ଓ ଚାକିରୀ ବି କରିପାରିବୁ। ବିଚାରି କିଂ କର୍ତବ୍ୟ ବିମୁଢ ପ୍ରିତୀ କାହାରି ମନରେ ଦୁଃଖ ନଦେଇ କାହାରି କଥାକୁ ଅସମ୍ମାନ ନକରି ବାହା ହୋଇ ଶାଶୁ ଘରକୁ ଚାଲି ଆସିଲା। ବାହାଘର ଦେଢ଼ ବର୍ଷ ପରେ ସୋନୁର ଜନ୍ମ। ପୁଅକୁ ପାଳୁ ପାଳୁ ଶଶୁର ସିଡିରୁ ଖସି ପଡିଲେ ଯେ ଅଣ୍ଟାରୁ ତଳକୁ ଅଚଳ ହୋଇଗଲା ତାଙ୍କର। ଶାଶୁ ତ ସହଜେ ରୋଗିଣା। ଏମାନଙ୍କୁ ସମ୍ଭାଳୁ ସମ୍ଭାଳୁ ତା ସ୍ୱପ୍ନ ଟିକକ କେଉଁ ଅନ୍ଧାରି ଗୁମ୍ଫା ଭିତରେ ହଜିଗଲା..........!!


ସରଳ ସାବଲୀଳ ପ୍ରିତୀ ଆଜିକା ଯୁଗର ଅତ୍ୟାଧୁନିକତାକୁ ଆପଣେଇ ପାରିନି ସତ। ନା ମୋବାଇଲ, ନା ଲାପଟପ, କେଉଁଥିରେ ବି ଦକ୍ଷତା ନାହିଁ ତାର। କେବେହେଲେ ଘରୁ ଗୋଡ କାଢ଼ିବାର ସୁଯୋଗ ନଥିବା ହେତୁ ସହରର ରାସ୍ତା ଘାଟ, ଗଳି କନ୍ଦି ଚିହ୍ନିବାର କି ଜାଣିବାର ସୁଯୋଗ ମଧ୍ୟ ନାହିଁ। ସେଥିପାଇଁ ସବୁବେଳେ ସ୍ବାମୀଙ୍କ ନଜରରେ ସେ ଜଣେ ଗାଉଁଲି ଅଶିକ୍ଷିତା। ଆଜି ଏତେ ପାଠ ପଢି ମଧ୍ୟ ସେ ଅଶିକ୍ଷିତା କାରଣ ତାର ଆଉଟ ଲୁକ ବୋଲି କିଛି ନାହିଁ। କ୍ଲବ, ପାର୍ଟି, ତାକୁ ଅଣନିଶ୍ୱାସୀ ଲାଗେ। ନାଇଟ କ୍ଲବରେ ନାଚ ହେଉ ବା ସାମ୍ପେନ ର ବର୍ଷାରେ ଭିଜିବା ହେଉ, ତାକୁ ଭୀଷଣ ଶ୍ୱାସରୁଦ୍ଧ ହେଲା ଭଳି ଲାଗେ। ତା ଦୁନିଆଟା ତା ପାଇଁ ଏରୁଣ୍ଡି ଏପଟେ ଆଉ ସେଇଥିରେ ସେ ଖୁବ ଖୁସି ମଧ୍ୟ। ଯାହା ସବୁ ସେ ଚାହିଁଥିଲା ସେସବୁ ତ କିଛି କରି ପାରିଲାନି ତେଣୁ ଜୀବନ ପ୍ରତି ତାର ଅଭିମାନ ପ୍ରବଳ। ତଥାପିବି ସେସବୁକୁ ପଛରେ ପକେଇ ଖୁସି ଖୁସି ଘର ଗୋଟାକର କାମ କରିଯାଏ ସେ। କାହାକୁ ବି ଜଣେଇବାକୁ ଦିଏନି ତା ଜୀବନର ସ୍ବପ୍ନକୁ। ସକାଳୁ ଶାଶୁ ଶଶୁର ଦୁହିଁଙ୍କ କାମ ସାରି ତର ତର ହୋଇ ଗାଧେଇ, ଲାଗିପଡ଼େ ରୋଷେଇ ବାସ ସହ ଘରର ଅନ୍ୟାନ୍ୟ ନିତି ଦିନିଆ କାମରେ। ପୁଅ ଓ ସ୍ବାମୀଙ୍କ ପାଇଁ ଟିଫିନ ଯୋଗାଡ କରି ଥୁଅ, ସେମାନଙ୍କ ଜୋତା ପଲିସ କର, ଡ୍ରେସ ଆଇରନ୍ କର, ଦୁହିଁଙ୍କ ପ୍ୟାଣ୍ଟ, ସାର୍ଟ, କୋର୍ଟ, ଟାଇ, ବେଲ୍ଟ, ରୁମାଲ ସବୁ ସଜାଡ଼ିକି ଥୁଅ। ତା ସତ୍ୱେ ବି ସ୍ୱାମୀ ଚିଡି ଚିଡି !! ତୁମର କଣ କଲର ସେନ୍ସ ନାହିଁକି ? ଏ ଡ୍ରେସ ପାଇଁ କଣ ଏଇ ଟାଇ ? ଏଇ ରୁମାଲ ? ସାର୍ଟ ଟିକୁ ଟିକେ ଭଲକରି ଆଇରନ କରିପାରିନ ? କଣ କରୁଛ ତୁମେ ଦିନସାରା ଘରେ ? ଆମେ ବାପ ପୁଅ ଗଲାପରେ ତ ତୁମ କାମ ଶେଷ। ଘରେ ତ ଆଉ ସେମିତି ବିଶେଷ କିଛି କାମ ନାହିଁ, ତେଣୁ ଘରେ ବସି ବସି ଦିନସାରା କଣ କରୁଛ ଟିକେ କହିଲ ? ଖାଲି ମୋବାଇଲ କି ଟିଭି ଦେଖିବାରେ ଅଯଥା ସମୟ କଟଉଥିବ। ସେଇଥିପାଇଁ ସବୁ ଭୁଲିଯାଅ। ଚବିଶ ଘଣ୍ଟା ବସି ଖାଲି ମୋବାଇଲ ଟାକୁ ଟିପି ଟିପି କରୁଥାଅ, ବୁଝିଲ ? ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାଏ ପ୍ରିତୀ ସ୍ବାମୀଙ୍କ ଆଡକୁ। ଏ ଅବାନ୍ତର ପ୍ରଶ୍ନ ର କି ଉତ୍ତର ଦେବ ସେ। ମନେ ମନେ ଭାବେ କେତେବେଳେ ସେ ସମୟ ପାଏ, ମୋବାଇଲ ଧରିବାକୁ ? ବାପ ଠୁ ଶିଖି ପୁଅବି ଚିଡି ଚିଡି ହୁଏ ଆଉ କୁହେ ରୁଟିନ ଦେଖି ଠିକ୍ ରେ ବହି ସଜାଡି ପାରୁନ ? ଗୋଟେ ବିଷୟ ଥିଲେ, ଆଉ ଗୋଟେ ବହି ଦଉଛ ? ଆଜିଠୁ ତୁମେ ଆଉ ମୋ ବହିରେ ହାତ ଦିଅନି, ମୁଁ ମୋର ସଜାଡିବି। ମୋତେ ନପଚାରି ମୋ ଡ୍ରେସ ସଫା କରିବା ଦରକାର ନାହିଁ। କୋଉଟା ସଫା ହବ, ନହବ ସେ କଥା ମୁଁ ମୋର କରିବି। ଏସବୁ ଶୁଣି ଶୁଣି ବେଳେ ବେଳେ ଭୀଷଣ କଷ୍ଟ ଲାଗେ ତାକୁ। ସତରେ କେତେ ଇଚ୍ଛା କରିଥିଲା ସେ....ଆଗକୁ ଆହୁରି ପଢିବ, ନିଜ ଗୋଡ଼ରେ ନିଜେ ଠିଆ ହେବ ହେଲେ ପଛକୁ ଆହୁରି ଦୁଇ ଭଉଣୀ ଅଛନ୍ତି କହି ବାପା ବାହା କରିଦେଲେ ତାକୁ ଆଉ ତାଙ୍କ କର୍ତ୍ତବ୍ୟ ସାରିଦେଲେ !!


ଶଶୁର ଚାଲିଯିବା ପ୍ରାୟ ଦୁଇ ମାସ ହେବ। ଶାଶୁ ପୁରା ପୁରି ଭାଙ୍ଗି ପଡିଛନ୍ତି ତଥାପି ବି ପ୍ରିତୀ ଦୁଃଖରେ ଦୁଃଖୀ ହୋଇଯାଆନ୍ତି ସେ। ତାଙ୍କ ପୁଅ ଓ ନାତିଙ୍କ ଏପରି କଥା ସବୁ ତାଙ୍କୁ ବି ଭଲ ଲାଗେନି। ବେଳେ ବେଳେ ବିରକ୍ତିରେ ପାଟିରୁ ତାଙ୍କର ବାହାରିପଡ଼େ, "ପ୍ରିତୀ କେତେ କରୁଛି, ତଥାପି ତମେମାନେ ଅସନ୍ତୁଷ୍ଟ" ? ସେଦିନତ ପୁରା ପୁରି ଭାଙ୍ଗି ପଡିଥିଲା ପ୍ରିତୀ ଯେଉଁଦିନ ତା ସ୍ୱାମୀଙ୍କ ଅଫିସ ଯିବା ଡେରି ହୋଇଯିବା ଦେଖି ପୁଅକୁ ଛାଡିବାକୁ ପ୍ରିତୀ କହିଥିଲା, "ଚାଲ ବାବା ମୁଁ ତତେ ଆଜି ସ୍କୁଲରେ ଛାଡିଦେଇ ଆସିବି"। ଯଦିଓ ତା ବାପା ସବୁଦିନ ତାକୁ ସ୍କୁଲକୁ ଛାଡିବାକୁ ଯାଆନ୍ତି ହେଲେ ଏଡିକି ବକଟେ ପିଲା କହିଲା କଣ ନା, "ନା ମାମା ତୁମେ ଯାଅନି, ତୁମର ଏ ମଫ ବେଶ ଭୁଷା....ମୋତେ ଭାରି ଲାଜ ଲାଗିବ"। କାନ୍ଦି ପକେଇଥିଲା ପ୍ରିତୀ ସେଦିନ। ବାପ ପୁଅ ଗଲାପରେ ପ୍ରିତୀକୁ ପାଖକୁ ଡାକିଲେ ଶାଶୁ, ମୁଣ୍ଡକୁ ତାର ଆଉଁସି ଦେଇ କହିଲେ, ତୁ ଯମା ମନ କଷ୍ଟ କରନା ରେ ମା, ଏମାନେ ସବୁ କୃତଘ୍ନ। ଘର ଭିତରେ ଗୋଟେ ସ୍ତ୍ରୀ ଲୋକର କେତେ ଯେ କାମ ଥାଏ ଓ କଣ କଣ ସେ କରେ ଏ ପୁରୁଷ ପ୍ରାଧାନ୍ୟ ସମାଜରେ ଏ ସ୍ୱାର୍ଥପର ପୁରୁଷ ମାନେ ବୁଝି ପାରନ୍ତିନି। ଏମାନେ ଭାବନ୍ତି ଦୁନିଆଟାକୁ କେବଳ ସେମାନେ ହିଁ ମୁଣ୍ଡରେ ମୁଣ୍ଡେଇ ଚାଲିଛନ୍ତି। ବାକି ସ୍ତ୍ରୀଲୋକ ଗୁଡାଙ୍କର ଘରେ ବୋଧେ କିଛି କାମ ନାହିଁ ଖାଲି ଗୋଡ ଉପରେ ଗୋଡ ଥୋଇ ମଉଜ କରନ୍ତି। ଗୋଟେ ସ୍ତ୍ରୀର ନିଜର ତ ଇଛା ବୋଲି କିଛି ନଥାଏ। ସ୍ୱାମୀ ଦେଖେଇଥିବା ସ୍ୱପ୍ନ କେବଳ ଦେଖିବେ, ଛୁଆ ଓ ସ୍ବାମୀଙ୍କ ପସନ୍ଦର ଖାଇବେ ଓ ସେମାନଙ୍କ ଇଚ୍ଛାରେ ବଞ୍ଚିବେ, ବାସ ! ତେବେ ସବୁ ଠିକ, ଆଉ ଯଦି ଏସବୁ ବାଦ କିଛି କହିଲ, ତେବେତ ସବୁ ଭୁଲ ହେଇଯିବ। ଇଏ କଣ ଜୀବନ ? ଜୀବନଟା ସାରା ମୁଁ ସହିଲି ହେଲେ ତୋତେ ସହିବାକୁ ଦେବିନି। ଏମାନଙ୍କୁ ମଝିରେ ମଝିରେ ଉଚିତ ଶିକ୍ଷା ଦେବା ଦରକାର ଯାହାଦ୍ୱାରା ସେମାନେ ଗୋଟେ ସ୍ତ୍ରୀ ଲୋକକୁ ସମ୍ମାନ ଦେବା ଶିଖିବେ ଓ ଉପଲବ୍ଧି କରିପାରିବେ ଗୋଟେ ସ୍ତ୍ରୀ ଲୋକ ଘର ଭିତରେ କେତେ କଣ କାମ କରେ। ଶାଶୁଙ୍କ ଠାରୁ ଆଶ୍ୱାସନା ପାଇ ସେଦିନ ମନ ତାର ଟିକେ ହାଲୁକା ହୋଇଯାଇଥିଲା। ଶାଶୁ ପୁଣି କହିଥିଲେ "ମାଆରେ ମୁଁ ଗୋଟେ କଥା କହିବି କରିବୁ ? "ହଁ ! ମା କୁହଁନ୍ତୁ", କହିଥିଲା ପ୍ରିତୀ। "ତୁ କିଛି ଦିନ ପାଇଁ ଏ ଘରୁ ଚାଲିଯା, ହେଲେ ବାପ ଘରକୁ ନୁହେଁ। ମୁଁ ଯୋଉଠିକୁ କହିବି ସେଇଠିକି ଯିବୁ"। ପୁରା ଯୋଜନା ପ୍ରିତୀକୁ ବୁଝେଇ ଦେଲେ ଶାଶୁ। ଶାଶୁଙ୍କ ଠାରୁ ଏପରି କଥା ଶୁଣି ପ୍ରିତୀ ପଚାରିଲା, କିନ୍ତୁ ମାଆ ଘର କଥା ? "ବିରକ୍ତ ଭାବେ ଶାଶୁ କହିଲେ, ଘର କଥା ଚୁଲିକୁ ଯାଉ, ତୋର ଉପସ୍ଥିତି ଓ ମୂଲ୍ୟ ଏ ଘର ଭିତରେ ସେ ବାପ ପୁଅ ଜାଣିବା ଦରକାର"। ହଁ ! ଗୋଟେ କଥା ମନେରଖିବୁ, ଯେ ପର୍ଯ୍ୟନ୍ତ ମୁଁ ତୋତେ ଫୋନ ନକରିଛି ତୁ ଆଉ କାହା ଫୋନ ଉଠେଇବୁନି। ଏମିତି ଅନେକ ବୁଝେଇଲା ପରେ ଅନିଚ୍ଛା ସତ୍ୱେ ଶେଷରେ ରାଜି ହେଲା ପ୍ରିତୀ। ଦେଖ ମାଆ !! ଏକଥା ସିନା ଆଜି ମୁଁ ତୋତେ କହୁଛି ହେଲେ ଏକଥା ପରା ଆଗରୁ ଘଟିସାରିଛି। ତୁ ପରା ମହାଲକ୍ଷ୍ମୀ ପୁରାଣ ପଢିଛୁ ? ମାଆ ଲକ୍ଷ୍ମୀଙ୍କୁ ଅପମାନିତ କରି ସ୍ୱୟଂ ବ୍ରହ୍ମାଣ୍ଡ ଠାକୁର ବି ପସ୍ତେଇଛନ୍ତି। ତେଣୁ ବେଳେବେଳେ ନିଜର ମୂଲ୍ୟ ତାକୁ ବୁଝେଇବାକୁ ପଡେ !


ତା ପରଦିନ ପୁଅ ସ୍କୁଲରେ ବାର୍ଷିକ ଉତ୍ସବ ଥାଏ। ରାତିରେ ଡିନର କଲାବେଳେ ପୁଅ କହିଲା, ବାପା କାଲି ଆମ ସ୍କୁଲ ଆସିବନା ? ସ୍ୱାମୀ ଉତ୍ତର ଦେବା ପୂର୍ବରୁ ପ୍ରିତୀ କହିଲା "ହଁ, ହଁ, ତୁ ବ୍ୟସ୍ତ ହଅନା, ଆମେ ନିଶ୍ଚୟ ଯିବୁ"। ମା ପାଟିରୁ କଥା ନ ସରୁଣୁ ପୁଅ କହିଲା, ନା ! ମାମା, ତୁମେ ଆସନି, ମୋତେ ଲାଜ ଲାଗିବ। ମୋ ସାଙ୍ଗ ମାନଙ୍କ ମମି ମାନଙ୍କ ପରି ଟିପ୍ ଟପ୍ ହୋଇ ଆସିବା ତୁମେ ଜାଣିନ, ଏମିତି ମଫ ଭଳି ! "ବାସ, ବହୁତ ହେଲା, ରାଗି ଉଠିଲା ପ୍ରିତୀ। କଣ ଭାବିଛ ତମେ ବାପ ପୁଅ ଦୁହେଁ ? ମୋର ଆତ୍ମ ସମ୍ମାନ ବୋଲି କିଛି ନାହିଁ ? ଯଦି ମୁଁ ତୁମ ବାପ ପୁଅଙ୍କୁ ଏତେ ଅଡୁଆ ତେବେ ମୁଁ ଚାଲିଯିବି ଏ ଘର ଛାଡ଼ି"। 

"ଘର ଛାଡି ଯିବ ? କୁଆଡେ ? ତାତ୍ସଲ୍ୟ ରେ ବାପ ପୁଅ ଦୁହେଁ ଜୋରରେ ହସି ଉଠିଲେ"। କୁଆଡେ ଯିବ ଯାଅ, ଡରଉଛ କାହାକୁ ? ଭାବୁଛ କଣ ତମ ବିନା ଆମେ ଚଳି ପାରିବୁନି, ଅଚଳ ହେଇଯିବୁ ? ଯାଅ ! ଯୁଆଡେ ଯିବାକୁ ଚାହୁଁଛ ଯାଅ" କହି ବାପ ପୁଅ ଦୁହେଁ ହସି ହସି ଚାଲିଗଲେ। ବହୁତ ଅପମାନ ବୋଧ କରିଥିଲା ପ୍ରିତୀ ସେଦିନ। ଆଖିରୁ ତାର ଦୁଇ ଠୋପା ଲୁହ ବୋହି ଆସିଲା। ଶେଷରେ ବାପ ପୁଅଙ୍କୁ ସମୁଚିତ ଶିକ୍ଷା ଦେବାକୁ ସଂକଳ୍ପ ନେଲା ପ୍ରିତୀ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାଇ ଶାଶୁଙ୍କ କଥା ମାନି ଘର ଛାଡି ଶାଶୁ ଦେଇଥିବା ଠିକଣାରେ ଚାଲିଗଲା ପ୍ରିତୀ। ବାପ ପୁଅ ଦୁହେଁ ସ୍କୁଲ ବାର୍ଷିକ ଉତ୍ସବ ରୁ ଫେରି ଜାଣିଲେ, ସତରେ ପ୍ରିତୀ ଚାଲିଯାଇଛି। ହୋଟେଲ ରୁ କିଣି ଆଣି ବାପ ପୁଅଙ୍କର ସେଦିନଟା କୌଣସି ମତେ ଚଳିଗଲା। କେଉଁ ଔଷଧ କେତେବେଳେ ଖାଇବା କଥା ସବୁ ଜାଣିଥିଲେବି ଶାଶୁ ବାରମ୍ବାର ତାଙ୍କ ପୁଅକୁ ଡାକି ପଚାରିବାକୁ ଲାଗିଲେ। କିଛି କାମ ଥାଉ କି ନଥାଉ ରାତିରେ ବାରମ୍ବାର ପାଖକୁ ଡାକି ହଇରାଣ ମଧ୍ୟ କଲେ। ଶାଶୁ ବାରମ୍ବାର ଅଭିଯୋଗ କଲେ ଯେ ହୋଟେଲ ଖାଦ୍ୟ ମୋତେ ଯମା ଭଲ ଲାଗୁନି ଯାହାଦ୍ୱାରା ମୋ ଦେହ ଖରାପ ହେଉଛି କହି ମଝିରେ ମଝିରେ ଉପାସରେ ରହିଲେ ମଧ୍ୟ। ଶେଷରେ ବାଧ୍ୟ ହୋଇ ତାଙ୍କ ପୁଅ ଘରେ ରୋଷେଇ କରିବାକୁ ବାଧ୍ୟ ହେଲେ। ଦିନକୁ ଦିନ ଘର ଅସଜଡ଼ା ହେବାରେ ଲାଗିଲା। କେତେବେଳେ ଚୁଲିରେ ଭାତ ଲାଗିଯାଉଥାଏ ତ ଡାଲି ହେଇଯାଏ ଲୁଣିଆ। ବାପ ପୁଅଙ୍କ ପୋଷାକ ଆଇରନ ହୋଇ ପାରିଲାନି। ଘରେ କଅଣ ଅଛି କଣ ସରିଲାଣି ଆଉ ବଜାରରୁ କଣ ଆସିବ କେହି କିଛି ଜାଣି ପାରିଲେନି। ଅଫିସ, ସ୍କୁଲ, ଘର, ତ୍ରିଛକି ଭିତରେ ଅନଭିଜ୍ଞ ହାତ ଓ ଅନଭିଜ୍ଞ ମୁଣ୍ଡ ପେଷି ହୋଇଗଲା। ବାପ ପୁଅ ଦୁହିଁଙ୍କୁ ବୁଦ୍ଧି ବାଟ ଦିଶୁନଥାଏ। କଣ କରିବେ ସେମାନେ ଏବେ ? ଧୀରେ ଧୀରେ ବାପ ପୁଅ ଦୁହେଁ ଅନୁଭବ କଲେଣି ପ୍ରିତୀର ଅଭାବକୁ। ପ୍ରିତୀ ପାଖକୁ ଫୋନ ଲଗେଇ ଲଗେଇ ଥକି ପଡିଲେଣି, ହେଲେ କିଛି ଲାଭ ହେଉନି। ପ୍ରିତୀ ଫୋନ ଉଠଉନି। ମାଆଙ୍କୁ ଯାଇ ପଚାରିଲେ ପ୍ରିତୀଙ୍କ ସ୍ୱାମୀ, "ମାଆ ତୁ ଜାଣିଛୁକି ପ୍ରିତୀ କୁଆଡେ ଯାଇଛି" ? ପ୍ରିତୀର ବାପ ଘରକୁ, ତାଙ୍କ ବନ୍ଧୁ ବାନ୍ଧବ ସମସ୍ତଙ୍କୁ ତ ଫୋନ କରିସାରିଲିଣି ହେଲେ ପ୍ରିତୀ ବିଷୟରେ କିଛି ଖୋଜ ଖବର ମିଳୁନି। ମନକୁ ମନ ହସୁଥିଲେ ଶାଶୁ। ବ୍ୟତି ବ୍ୟସ୍ତ ହୋଇ ପଡିଲେଣି ବାପ ପୁଅ ଦୁହେଁ। କଣ କରିବେ କଣ ନକରିବେ କିଛି ବୁଦ୍ଧି ବାଟ ଦିଶୁନି। ବାପ ପୁଅ ଦୁହିଁଙ୍କର ଏପରି ବ୍ୟସ୍ତତା ଦେଖି ଶାଶୁ ପଚାରିଲେ କଣ ଦରକାର ? ଯାଉ ସେ ଯୁଆଡେ ଯାଇଛି। ଆମର କଣ ଘର ଅଚଳ ହେଇ ଯାଉଛି ? କାହିଁକି ସେ ମଫ ଗାଉଁଲି ସ୍ତ୍ରୀ ଲୋକଟାକୁ ଖୋଜୁଛ ? କଣ ସେ କରୁଥିଲାକି ଘରେ ? ମାଆଙ୍କ ଠାରୁ ଏପରି କଟାକ୍ଷ ଶୁଣି ତଳକୁ ମୁହଁ ପୋତି ଅପରାଧୀ ପରି ବସିଥିଲେ ଦୁହେଁ। ପ୍ରିତୀଙ୍କ ସ୍ୱାମୀ ସଙ୍ଗେ ସଙ୍ଗେ ଠିଆ ହୋଇପଡି ମାଆଙ୍କ ଉଦ୍ୟେଶରେ କହିଲେ, ହଁ ମାଆ ! ପ୍ରିତୀ ପ୍ରକୃତରେ ବହୁତ କିଛି କରୁଥିଲା ହେଲେ ଆମେ ତାର କାର୍ଯ୍ୟକୁ ଅଣଦେଖା କରୁଥିଲୁ, ବୁଝି ପାରୁନଥିଲୁ ତାର ଆବଶ୍ୟକତା ଓ ଉପସ୍ଥିତିକୁ। ସତରେ ଦାନ୍ତ ଥିଲାବେଳେ ଦାନ୍ତର ଉପକାରୀତାକୁ ମଣିଷ ବୁଝି ପାରେନି ଦାନ୍ତ ଝଡି ଗଲାପରେ ମଣିଷ ପସ୍ତେଇ ହୁଏ। ଆମେ ଏବେ ଜାଣି ପାରିଲୁଣି, ତା ବିନା ଆମେ ବଞ୍ଚି ପାରିବୁନି। ତା ବିନା ଆମ ଜୀବନ ଦୁରୁହ। କିନ୍ତୁ ମାଆ, ମୋର ବିଶ୍ୱାସ ପ୍ରିତୀ କୋଉଠି ଅଛି ତୁ ନିଶ୍ଚୟ ଜାଣିଛୁ। ପ୍ଲିଜ ମାଆ, ଆମକୁ କ୍ଷମା କରିଦେ। ବାପ ପୁଅ ଦୁହିଁଙ୍କୁ ଅନୁତାପରେ ଜଳୁଥିବାର ଦେଖି ପ୍ରିତୀକୁ ଫୋନ ଲଗେଇଲେ ଶାଶୁ। "ହାଲୋ ! ପ୍ରିତୀ" ! ଆର ପଟୁ ପ୍ରିତୀର ଉତ୍ତର, ହଁ, ମା ! କୁହନ୍ତୁ ? ପ୍ରିତୀର କଣ୍ଠ ସ୍ୱର ଶୁଣି ଆଖି ଛଳ ଛଳ ହୋଇଗଲା ପ୍ରିତୀ ସ୍ୱାମୀଙ୍କର। ସଙ୍ଗେ ସଙ୍ଗେ ମାଆଙ୍କ ଠାରୁ ଫୋନ ନେଇ କହିଲେ, ଫେରିଆସ ପ୍ରିତୀ, ସରି ! ତୁମ ବିନା ଆମେ ବଞ୍ଚି ପାରିବୁନି। ତୁମ ପ୍ରତି ମୁଁ ବହୁତ ଅନ୍ୟାୟ କରିଛି। ପ୍ଲିଜ ମୋତେ କ୍ଷମା କରିଦିଅ, "ସରି ମାମା ତୁମେ ଫେରିଆସ ମୋର ଭୁଲ ହେଇଛି କହି କାନ୍ଦି ଉଠିଲା ପୁଅ ସୋନୁ। ସରି ମାମା, ଏବେ ଆମକୁ କ୍ଷମା କରିଦିଅ। ସେପଟେ କାନ୍ଦି ଉଠିଲେ ପ୍ରିତୀ। "ମୁଁ ଆସୁଛି ଧନ ଶୀଘ୍ର ଫେରି ଆସୁଛି" କହି ଫୋନ ରଖିଲେ ପ୍ରିତୀ ଆଉ ଏପଟେ ପ୍ରିତୀଙ୍କୁ ସ୍ୱାଗତ କରିବା ପାଇଁ ଘର ସଜାଉଥିଲେ ପ୍ରିତୀଙ୍କ ସ୍ୱାମୀ ଓ ପୁଅ ଏକ ନୂତନ ସୂର୍ଯ୍ୟୋଦୟର ଅପେକ୍ଷାରେ !

  


Rate this content
Log in

Similar oriya story from Inspirational