The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Dr Arati Pattajoshi

Horror Tragedy Others

3  

Dr Arati Pattajoshi

Horror Tragedy Others

ବବଲୁ ର ଘର

ବବଲୁ ର ଘର

8 mins
39



କିଣିବ କି କିଣିବନି ଦ୍ଵନ୍ଦ ଭିତରେ ପନ୍ଦର ଦିନ ଘାଣ୍ଟିହେଲା ପରେ ଯାଇ ଶେଷରେ ଘରଟିକୁ କିଣିବାର ନିଷ୍ପତି ନେଲା ବିନୋଦ। ସମସ୍ତେ ମନା କରୁଥିଲେ, ଥାଉ ସେ ଘରଟି କିଣିନା। ସେ ଘରଟା ବହୁତ ଅଶୁଭ, ସେ ଘରେ ଗୋଟେ ଆତ୍ମା ଅଛି, ନୂଆ ନୂଆ ସେ ଘର ଭଡ଼ା ବି ଲାଗିଥିଲା, ହେଲେ କେହି ବି ଦୁଇ ତିନି ଦିନରୁ ଅଧିକା ରହି ପାରିଲେନି। କିନ୍ତୁ ଭୂତ ପ୍ରେତରେ ବିଶ୍ୱାସ ରଖୁନଥିବା ବିନୋଦ ସେ ଘରଟିକୁ କିଣିବାକୁ ଚାହୁଁଥିଲା। ୟା ପଛରେ ଅବଶ୍ୟ କାରଣ ଵି କିଛି ଥିଲା ଯେମିତିକି ପ୍ରଥମତଃ ତା ପକେଟ ଅବସ୍ଥାକୁ ଚାହିଁ ଘରଟିର ରେଟ୍ ଠିକ୍ ଥିଲା, ଦ୍ବିତୀୟ କଥା ଘରଟି ବହୁତ ସୁନ୍ଦର ମଧ୍ୟ ଥିଲା। ଆଉ ଏ ଶୁଣା କଥାକୁ ବିଶ୍ୱାସ କରି ଏତେ ଭଲ ସୁଯୋଗକୁ ହାତ ଛଡ଼ା କରବା ମୁର୍ଖାମି ହେବ ଭାବି ଅଗତ୍ୟା ବିନୋଦ ନିଷ୍ପତି ନେଲା ଘରଟିକୁ ସେ କିଣିନେବ। ଏତେ ଶସ୍ତାରେ ଏତେ ସୁନ୍ଦର ଘର ହୁଏତ ଆଗକୁ ନମିଳି ପାରେ। ଘରଟି କିଣିବା ପରେ ଓ ପିଲାମାନଙ୍କୁ ଆଣିବା ପୂର୍ବରୁ ନିଜେ କିଛିଦିନ ରହି ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରିବା ଉଚିତ୍ ହେବ ଭାବି ଅଳ୍ପ କିଛି ନିଜେ ଚଳିବା ଭଳି ଜିନିଷ ଧରି ଘରକୁ ପ୍ରବେଶ କଲା ବିନୋଦ। ମନଭିତରେ କିଛି ମାତ୍ରାରେ ଭୟ ଅବଶ୍ୟ ଥାଏ। ଅନେକ୍ ଦିନରୁ ବନ୍ଦ ଥିବା ଘରଟିକୁ ଖୋଲିବାକୁ ଯାଇ କବାଟରେ ହାତ ମାରିବାରୁ ଏକ ଦେହ ଥରା ବିକଟାଳ କେଁଏ...ଏ...ଏ ଶବ୍ଦ କରି କବାଟ ଟି ତାକୁ ସ୍ବାଗତ କଲା। ରୁମ ଟାଁକୁରି ଉଠିଲା ବିନୋଦ'ର। ମନର ଭୟକୁ ମନ ଭିତରେ ଚାପି ରଖି ଘରେ ପ୍ରବେଶ କଲା ବିନୋଦ।


ଘର ଭିତରଟା କେମିତି ଗୋଟେ ଉତ୍କଟ ଗନ୍ଧ ଆଉ ଅସମ୍ଭବ ଥଣ୍ଡା ଅନୁଭୂତ ହେଉଥାଏ। ହଁ ଅନେକ୍ ଦିନ ହେଲା ଘରଟି ବନ୍ଦ ଥିଲା ତ ? ବୋଧହୁଏ ସେଥିପାଇଁ ଏପରି ହୋଇଥାଇପାରେ ଭାବିଲା ବିନୋଦ। ଘର ଭିତରେ ଅଳ୍ପ କିଛି ସାମାନ୍ ଵି ଥିଲା। ଯେମିତିକି ଦୁଇଟି ଚେୟାର, ଗୋଟେ ଖଟ, ଗୋଟେ ପୁରୁଣା କାଠ ଆଲମିରା, କାନ୍ଥରେ ଗୋଟେ କାନ୍ଥ ଘଣ୍ଟା ଆଉ ଗୋଟେ ପୁରୁଣା ଦର୍ପଣ ଯାହାକି କାନ୍ଥରେ ଝୁଲୁଥିଲା। କିନ୍ତୁ ବଡ଼ ଆଶ୍ଚର୍ଯ୍ୟ କଥା, ଘରେ କେହି ଲୋକ ନଥିଲେଵି ଘରଟି ସେମିତି କିଛି ଅପରିଷ୍କାର ନଥିଲା ଏବଂ କାନ୍ଥ ଘଣ୍ଟାଟି ଏବେବି ଟିକ୍ ଟିକ୍ ଶବ୍ଦ କରି ଚାଲୁଥିଲା। ଡ୍ରଇଂ ରୁମ୍ ଟିରେ ଜିନିଷ ପତ୍ର ଗୁଡିକୁ ଥୋଇଦେଇ ଘର ଗୁଡିକୁ ଆଉଥରେ ବୁଲି ଦେଖିଲା ବିନୋଦ। ଡ୍ରଇଂ ରୁମ୍ ତୁଳନାରେ ଅନ୍ୟ ଦୁଇଟି ରୁମ୍ ଅବଶ୍ୟ ଟିକେ ଅପରିଷ୍କାର ଥିଲା। ସିଡ଼ି ରେ ଚଢି ଛାତ ଉପରକୁ ଗଲା ବିନୋଦ। ଛାତ ଉପରେ ଦୁଇଟି ଗୋଲାପ ଗଛ ଓ ଗୋଟେ କାକ୍ଟସ୍ ଗଛ ଯାହା ଏବେବି ସତେଜ ଥାଏ। ଗୋଲାପ ଗଛରେ ଫୁଲ ଭର୍ତି ହୋଇଥାଏ ଆଉ ଏସବୁକୁ ଦେଖି ସେହି ସମୟରେ ଟିକେ ଆଶ୍ଚର୍ଯ୍ୟ ଓ ଭୟ ନିଶ୍ଚୟ ଆସିଥିଲା ବିନୋଦ ମନକୁ। କାରଣ ଗଛ ମୂଳ ଓଦା ଥିଲା। ଯଦି ଘରେ କେହି ନାହାନ୍ତି ତେବେ ଗଛକୁ ଏମିତି ତାଜା ଓ ସତେଜ ରଖିଛି କିଏ...? ହେଲେ ଶୁଣିଥିବା ଭୂତ ଘର ନାଁ ପାଇଁ ବୋଧେ ତାକୁ ଏମିତି ଲାଗୁଛି ଭାବି ନିଜକୁ ଷ୍ଟ୍ରଙ୍ଗ କଲା। ତଳକୁ ଓହ୍ଲେଇ ଆସି ଘର ପରିଷ୍କାର କରିବାରେ ମନଦେଲା ବିନୋଦ।


ସେ ଦିନ ଘର ଗୁଡିକୁ ପରିଷ୍କାର କରି ଓଳେଇ ପୋଛି ଥକି ପଡ଼ିଥିଲା ବିନୋଦ। ଗାଧୋଇ ପାଧୋଇ ଫ୍ରେଶ୍ ହୋଇ ଘର ତାଲାମାରି ବଜାରକୁ ବାହାରିଲା। କିଛି ସଉଦା ପତ୍ର ଓ ରାତି ପାଇଁ କିଛି ଖାଇବା ନେଇ଼ ଆସିବ। ବଜାରରେ ଘଣ୍ଟାଏ ଖଣ୍ଡେ କଟେଇ ଫେରିଲା ଘରକୁ। ହଠାତ୍ ଘରେ ପଶି ଦେଖିଲା ବାଥ୍ ରୁମ୍ ପାଇପ୍ ରୁ ଟପ୍ ଟପ୍ ହୋଇ ପାଣି ପଡୁଛି....!! କିନ୍ତୁ ସେ ତ ବାଥ୍ ରୁମ୍ ର ପାଇପ୍ ବନ୍ଦ କରିଥିଲା, ସେ କଣ ଆଉ ବାଉଳାରେ ପାଇପ୍ ଖୋଲିଦେଇଛି କି କେଜାଣି ? ବୋଧେ ସେଇଆ ହେଇଥିବ....ଭାବି ଖାଇପିଇ ଶୋଇପଡ଼ିଲା ବିନୋଦ। ଦିନସାରା ଘର କାମ କରି କରି ଥକି ପଡ଼ିଥିଲା, ତେଣୁ ଶେଯ ଛୁଉଁ ଛୁଉଁ ନିଦ ମଧ୍ୟ ହେଇଗଲା। ହଠାତ୍ ଏକ ପ୍ରଚଣ୍ଡ ଶବ୍ଦରେ ନିଦ ଭାଙ୍ଗିଗଲା ଵିନୋଦର। ଚାରିଆଡେ ଆଖି ବୁଲେଇ ଆଣିଲା କାହିଁ କୋଉଠି କିଛି ନାହିଁ ତ...? ଏକ ଅଜଣା ଭୟରେ ଆଉ ନିଦ ଆସୁନଥାଏ ସେମିତି ଶେଯରେ ଗାଲେଇକି ଶୋଇ ରହି କାନ ଡ଼େରିଲା ବିନୋଦ। କିଛି ସମୟ ପରେ ହଠାତ୍ ଶୁଣିବାକୁ ପାଇଲା ମାଉଥ ଅର୍ଗାନ୍ ସ୍ୱର, ହ...! କିଏ ବଜଉଥିବ କୋଉଠି ? ଆଖିରେ ଆଖିଏ ନିଦ ତେଣୁ ଆଖି ମୁଜି ଚୁପ୍ ଚାପ୍ ଶୋଇବାକୁ ଚେଷ୍ଟା କଲା ବିନୋଦ । କିନ୍ତୁ ଏ କଣ...? କିଛି ସମୟପରେ ପୁଣି ଶୁଭିଲା ଆଲମିରା ଟି ଚରର୍ କରି ଖୋଲିବାର ଶବ୍ଦ । ଚୋର ପଶିଲା କି ଭାବି ଶେଯରୁ ଉଠି ଲାଇଟ ଲଗେଇଲା ବିନୋଦ । କାହିଁ କେହିତ କୋଉଠି ନାହାନ୍ତି ? ଆଲମିରା କୁ ଚାହିଁଲା। ଆଲମିରା କବାଟଟି ଟିକେ ଖୋଲା ଅଛି। ଘରସାରା, ଖଟତଳ, କବାଟପଛ, ସବୁଆଡେ ଖୋଜିଗଲା, ହେଲେ କେହି କୋଉଠି ତ ନାହାନ୍ତି ? ପବନରେ ବୋଧେ ଖୋଲି ଯାଇଥିବ ଭାବି ଝରକାର କବାଟକୁ ବନ୍ଦ କରି ପୁଣି ଶୋଇବାକୁ ଗଲା । ପୁନର୍ବାର ନିଦ ଲାଗି ଆସୁଥାଏ ତ ଗୋଟେ ଠକ୍ ଠକ୍ ଶବ୍ଦରେ ନିଦ ଭାଙ୍ଗିଗଲା ବିନୋଦର । ପୁଣି ଇଏ କି ଶବ୍ଦ...? ମନେ ମନେ ଚିଡି ଉଠିଲା ଓ କାନ ଡ଼େରିଲା...!! ବଲ ର ଠକ୍ ଠକ୍ ଶବ୍ଦ, ସତେ ଯେପରି ଘର ଭିତରେ କେହି ଜଣେ ବଲ ଖେଳୁଛି। ଘର ଭିତରେ ବଲ କିଏ କାହିଁକି ଖେଳିବ ଭାବି ପୁଣି ବସି ଉଠିଲା ବିନୋଦ। ହେଲେ କେହି କେଉଁଠି ନାହାନ୍ତି କି ବଲ ଵି ତ ନାହିଁ ? ଭୟ ଓ ଦ୍ଵନ୍ଦ୍ଵ ଭିତରେ ବିରକ୍ତ ହୋଇ ଶୋଇଗଲା ବିନୋଦ। କେତେ ସମୟ ପରେ ତାକୁ ଧିରେ ଧିରେ ନିଦ ଆସିଗଲା। ଏଥର କିନ୍ତୁ ସକାଳ ହେଲା ବିନା ବାଧାବିଘ୍ନରେ।


ସକାଳୁ ସକାଳୁ କାଉ ମାନଙ୍କର କା.. କା..ରାବରେ ଆଖି ମଳି ମଳି ଶେଜରୁ ଉଠିଗଲା ବିନୋଦ। ଗତ ରାତିରେ ଘଟିଥିବା କଥା ସବୁ ମନେ ପଡ଼ିଗଲା ବିନୋଦର । ଛାଡ଼...! ଯାହା ଥିଲା ଥାଉ। ସେସବୁ କଥାକୁ ପଛରେ ପକେଇ ନିଜର ଦୈନନ୍ଦିନ ନିତ୍ୟକର୍ମ ସାରି ଜଳଖିଆ ପାଇଁ ସୁଜି ପ୍ରସ୍ତୁତ କରି ଖାଇବାକୁ ବସିଛି ତ ଲାଗିଲା, ସତେ ଯେମିତି କେହି ତା କାନ ପାଖରେ ଅସ୍ପଷ୍ଟ ସ୍ୱରରେ କହିଲା...."ମୁଁ ସୁଜି ଖାଇବିନି"। ଏକ ଅଜଣା ଭୟରେ ଚମକି ପଡ଼ିଲା ବିନୋଦ। କିଏ ସେ ବୋଲି ପଛକୁ ବୁଲି ଚାହିଁଲା, ହେଲେ କେହି ନଥିଲେ କିନ୍ତୁ କାହାର ଜଣଙ୍କର ଉପସ୍ଥିତି ସେ ଯେମିତି ଅନୁଭବ କରୁଥିଲା। ସେ ଯାହା ହେଉ, ଯେହେତୁ ଅଫିସ୍ ସମୟ ହେଇ ଆସୁଥିଲା ତେଣୁ ସେ ସବୁକୁ ଧ୍ୟାନ ନଦେଇ ତର ତର ହୋଇ ଅଫିସ୍ କୁ ବାହାରି ପଡ଼ିଲା ବିନୋଦ। ଅଫିସ୍ କାମର ବ୍ୟସ୍ତତା ଭିତରେ ଘରକଥା ସବୁ ଭୁଲିଯାଇଥିଲା। ଅଫିସରୁ ଫେରୁ ଫେରୁ ସନ୍ଧ୍ୟା ହୋଇଗଲାଣି। ବାଇକ୍ ଟିକୁ ଗଳି ଭିତରେ ପୁରେଇ ଦେଇ ନିଜ ଘରକୁ ଚାହିଁଲା ବିନୋଦ। ଆରେ ଏ କଣ ? ଘରର ଲାଇଟ ସବୁ ଜଳୁଛି। ଚାବି ତ ତା ପାଖରେ, ଘରେ ଲାଇଟ କିଏ ଦେଲା ? ସେ ଆଉ କଣ ଲାଇଟ ବନ୍ଦ କରିନଥିଲା କି ? ବୋଧେ ସେଇଆ ଭାବି ଥକି ପଡ଼ି ସୋଫାରେ ଲଥ୍ କରି ବସିପଡ଼ିଲା। ହଠାତ୍ ତାକୁ ଲାଗିଲା ସତେ ଯେମିତି କେହି ଜଣେ ତା ପାଖରେ ଆସି ଦୁମ୍ କରି ବସି ପଡ଼ିଲା। ପାଖକୁ ଚାହିଁଲା ବିନୋଦ, କେହି ଜଣେ ବସିଲା ପରି ସୋଫାଟି ଦଵିକି ଅଛି। ଆଶ୍ଚର୍ଯ୍ୟ...! କିନ୍ତୁ କାହିଁ କେହିତ ନାହାଁନ୍ତି ? ମନର ଭ୍ରମ ଭାବି ସୋଫା ଉପରୁ ଉଠିଗଲା ବିନୋଦ, ସାର୍ଟପ୍ୟାଣ୍ଟ ବଦଳାଇ ଚା ଟିକେ ପିଇବାକୁ ଇଚ୍ଛାକରି ଚା ବସେଇବାକୁ ରୋଷେଇଘରକୁ ଯାଉଛିତ ଡ୍ରଇଂ ରୁମ୍ ରୁ ଟିଭି ସାଉଣ୍ଡ ହେଲା। ଦୌଡ଼ି ଗଲା ବିନୋଦ କାହିଁ କେହିତ ନାହାଁନ୍ତି ? ତେବେ ଟିଭି କିଏ ଅନ୍ କଲା ? ପୁଣି କାର୍ଟୁନ ଚାନେଲ...!! ରିମୋଟ୍ ଖୋଜିଲା, ସୋଫା ଉପରେ ରିମୋଟ୍। ରିମୋଟ୍ ଟିକୁ ଆଣି ଟିଭିକୁ ବନ୍ଦକଲା। ପୁଣି ଥରେ ସେଇ ଫିସ୍ ଫିସ୍ ସ୍ୱରରେ କେହି ଜଣେ ଯେମିତି କହୁଥିଲା..!! "ଥାଉ ବନ୍ଦ କରନି"। ସତେ ଯେପରି ମନେ ହେଉଥାଏ କେହି ଜଣେ ତା କାନ ପାଖରେ ଆସି କହିଲା। କିନ୍ତୁ କିଏ ? ହେଃ...!! ବେକାର ଚିନ୍ତା ? ସେସବୁକୁ ନଜର ଅନ୍ଦାଜ କରି ପୁଣି ଚା ପାଖକୁ ଫେରିଲା ଵିନୋଦ। ଏ କଣ ପୁଣି ଥରେ ଟିଭି ର ସାଉଣ୍ଡ ! ବଡ଼ ଆଶ୍ଚର୍ଯ୍ୟ...! କିଛି ବୁଝି ପାରୁ ନଥିଲା ବିନୋଦ। ଛାତି ଭିତର ଟା ଥରି ଉଠିଲା। ମନକୁ ଦୃଢ କରି ଟିଭି ପାଖକୁ ଗଲା। ନା ! ଇଏ ତ ଭ୍ରମ ନୁହେଁ ? କେହି ଜଣେ ନିଶ୍ଚୟ ! ମୁଣ୍ଡ ତାର ଗୋଳମାଳ ହେଇଯାଉଥାଏ। ଗମ୍ ଗମ୍ ହୋଇ ଦେହରୁ ଗୋଟେ ଗରମ ଝାଳ ବୋହିଗଲା। ପ୍ରକୃତିସ୍ଥ ହୋଇ ନିଜ ମନକୁ ବୁଝେଇନେଲା ବିନୋଦ। ହ ଥାଉ...ଯଦି ଵି କେହି ଥାଏ ତା ବାଟରେ ସିଏ, ମୋ ବାଟରେ ମୁଁ। ମୋର ସେ କଣ କ୍ଷତି କରୁଛି ?


ତା ପରଦିନ ଆଲମିରା ଟିକୁ ଝାଡି ଝୁଡି କିଛି ବ୍ୟବହାର୍ଯ୍ୟ ଜିନିଷ ରଖିଦେବା ବୋଲି ଭାବିଲା ବିନୋଦ। ଆଜି ରବିବାର ଅଫିସ୍ ଛୁଟି ତେଣୁ ଆଜି ହିଁ ସଜଡା ସଜଡି କରିବା ଠିକ୍ ହେବ। ସକାଳୁ ଆଲମିରା ଟିକୁ ଝାଡିବା ପାଇଁ ଖୋଲିଲା, ଦେଖିଲା ତା ଭିତରେ ଅନେକ୍ ଖେଳନା। ଫୁଟବଲ, ବ୍ୟାଟବଲ, ଚେସ୍ ବୋର୍ଡ, ବ୍ୟାଡ଼ ମିନଟନ, ମାଉଥଅର୍ଗାନ୍, କିଛି ଡ୍ରେସ ଏବଂ ଗୋଟେ ୯/୧୦ ଵର୍ଷ ପିଲାର ସୁନ୍ଦର ଫଟୋ ଓ ଆଉ କିଛି ଆଜେ ବାଜେ ଅଦରକାରୀ ଜିନିଷ। ଫଟୋଟିକୁ ପାଖକୁ ଆଣି ପୋଛି, ଦେଖିଲା ବିନୋଦ। ହଠାତ୍ ତା ଦେହ ଭିତରଟା ଶିହରି ଉଠିଲା। ଏ କଣ..? ହଠାତ୍ ଘର ଭିତରଟା କେମିତି ଗୋଟେ ପୋଚା ସଢା ଗନ୍ଧ ସହ ଅଜବ ପ୍ରକାର ଥଣ୍ଡା ଅନୁଭୂତ ହେଲା। ତାକୁ ଲାଗିଲା କେହି ଯେମିତି ତା କାନ ପାଖରେ ଦାନ୍ତ ଚିପି ରାଗିଲା ପରି କହୁଛି.... "ଥୋଇଦିଅ, ସବୁ ଥୋଇଦିଅ ସେମିତି, ଯେମିତି ଥିଲା"। କିଛି ଶୁଣିଲାନି ବିନୋଦ। ନଶୁଣିଲା ପରି ସବୁ କାଢି ଆଣି ତଳେ ଥୋଇଦେଲା। ଠିକ୍ ସେହି ସମୟରେ ହଠାତ୍ ରୋଷେଇ ଘରେ ଝଣ ଝାଣ ହୋଇ ବାସନ ସବୁ ପଡ଼ିଯିବାର ଶବ୍ଦ। ଧାଇଁଗଲା ରୋଷେଇ ଘରକୁ। ବାସନ କୁସନ ସବୁ ଘର ସାରା ଛିନ୍ ଛତ୍ର ହୋଇ ପଡ଼ିଛି। ଛାତି ଭିତରଟା ଅଜଣା ଭୟରେ ଥରି ଉଠିଲା। ଚାରିଆଡେ ଦୃଷ୍ଟି ନିକ୍ଷେପ କରି ପାଦ ଚାପି ଚାପି ତଳୁ ବାସନ ଗୁଡିକୁ ଗୋଟଉଛି ତ, ତାକୁ ଲାଗିଲା କେହି ଯେମିତି ତାକୁ ପଛପଟୁ ଯୋରରେ ଧକ୍କା ମାରି ଠେଲିଦେଲା। ମୁହଁ ମାଡ଼ି ତଳେ ପଡ଼ିଗଲା ବିନୋଦ। ଯନ୍ତ୍ରଣାରେ ଚିତ୍କାର କରି ଉଠିଲା। ତଳେ ମାଡ଼ ହୋଇ ମୁଣ୍ଡ ଓ ନାକ ଫାଟି ରକ୍ତ ବାହୁରୁଥାଏ। ଠିକ୍ ଏତିକି ବେଳେ ତା ଗୋଡ଼କୁ ଧରି କେହି ଜଣେ ଭିଡ଼ିନେଲା ଆଲମିରା ପାଖକୁ। ପ୍ରାଣ ବିକଳରେ ଚିତ୍କାର କରି କାନ୍ଦି ଉଠିଲା ବିନୋଦ। ଛାଡ଼ି ଦିଅ, Please ମୋତେ ଛାଡ଼ି ଦିଅ, କିଏ ତୁମେ ? କାହିଁକି ମୋତେ ହଇରାଣ କରୁଛ ? କି ଦୋଷ କରିଛି ମୁଁ ତୁମର ? Please ଛାଡିଦିଅ ମୋତେ। କିଛି ଉତ୍ତର ନାହିଁ। ସବୁ କିଛି ହଠାତ୍ ନିରବ ହୋଇଗଲା। ମନ ଭିତରେ ଖେଳି ଯାଇଥିବା ଭୟକୁ ମନ ଭିତରେ ଚାପି ରଖି ସାହାସ କରି ତଳୁ ଧିରେ ଧିରେ ଉଠି ତରବର ହୋଇ ପ୍ୟାଣ୍ଟସାର୍ଟ ଗଳେଇ ହସ୍ପିଟାଲ ଗଲା ବିନୋଦ। ମୁଣ୍ଡ ଓ ନାକ ରେ ବ୍ୟାଣ୍ଡେଜ୍ କରି, କିଛି ଔଷଧ ଧରି ଘରକୁ ଫେରିଲା। ଡରି ଡରି ଘର ଭିତରେ ପାଦ ରଖିଲା ବିନୋଦ। ଆଉ କିଛି କରିବାର ମୁଡ୍ ନଥିଲା। ଦେହ ହାତ ଅବଶ ଲାଗୁଥାଏ ତେଣୁ ଚୁପଚାପ ପାଣି ଗ୍ଲାସଟିଏ ପିଇ ସିଧା ଯାଇ ଖଟ ଉପରେ ଶୋଇଗଲା। ଛାଇ ନିଦ ଲାଗି ଆସୁଥାଏ, ହଠାତ୍ କିଏ ଜଣେ ତାକୁ ଧକ୍କା ଦେଇ ଉଠେଇଲା ପରି ଲାଗିଲା। ନିଦ ଭାଙ୍ଗିଗଲା ବିନୋଦର। ଉଠିବସିଲା ଖଟ ଉପରେ। ଆଲମିରା ଖୋଲିବାର କେଁ...ଏ...ଏ...ଏ ଶବ୍ଦ। ଭୟରେ ଗୋଡ ହାତ ଥରିବାକୁ ଲାଗିଲା। ଆଉ ଶେଯରୁ ଉଠିକି ଯିବାକୁ ସାହସ କଲାନି। ସେଇଠି ବସି ଥର ଥର ହୋଇ କହିଲା..."ଦେଖ ତୁମେ କିଏ ମୁଁ ଜାଣେନା, ମୋତେ ତୁମେ ଦୟାକର ? ମୋ ଘରଛାଡି ଚାଲିଯାଅ"। ତାକୁ ଲାଗିଲା କିଛି ଦୁରରେ ଅନ୍ଧାରରେ କିଏ ଜଣେ ଠିଆ ହୋଇଛି। ମନ ଭିତରେ ସାହାସ ଜୁଟେଇ ଲାଇଟ ଲଗେଇବାକୁ ହାତ ବଢେଇଲା ବିନୋଦ। "ଥାଉ ଲାଇଟ ଲଗାଅନି, ମୋତେ ଅନ୍ଧାର ଭଲ ଲାଗେ"। କିଏ ତୁମେ ? କଣ ଚାହଁ ? ପଚାରିଲା ବିନୋଦ। "ମୁଁ ବବଲୁ, ଇଏ ମୋ ଘର"। ଡରିଗଲା ବିନୋଦ। ପଚାରିଲା..."ହେଲେ ମୋ ସହ ତୁମର କି ଶତ୍ରୁତା ? କାହିଁକି ମୋତେ ହଇରାଣ କରୁଛ ? କି ଦୋଷ କରିଛି ମୁଁ ତୁମର ? ମୁଁ ଯଦି କିଛି ତୁମ ପାଇଁ କରି ପାରିବି ତେବେ କୁହ"। ଛାଇଟି ଆଉ ଟିକେ ପାଖକୁ ଆସିଲା, ଯଦିଓ ତା ମୁହଁ ସ୍ପଷ୍ଟ ଦେଖି ହେଉ ନଥାଏ କହିଲା... କରିବ ? କରିପାରିବ ମୋତେ ସାହାଯ୍ୟ ? ତେବେ ଶୁଣ...."ମୁଁ ବଵଲୁ। ଏଇଟା ମୋ ଘର। ଏଇ ଘରେ ମୁଁ ମୋ ସାନଭାଇ, ବାପା, ମା, ସମସ୍ତେ ରହୁଥିଲୁ। ଦିନକର ଘଟଣା, ଲୁଚକାଳି ଖେଳୁ ଖେଳୁ ମୁଁ ଏଇ ଆଲମିରା ଭିତରେ ନିଜକୁ ବନ୍ଦ କରିଦେଲି ଯେମିତିକି ସାନ ଭାଇ ମୋତେ ଖୋଜି ପାଇବନି ବୋଲି। ସେ ଦିନ ବାପା ଅଫିସ୍ ଯାଇଥିଲେ, ଆଉ ମା ପାଖ ବଜାରକୁ ପରିବା ପାଇଁ ଯାଇଥିଲେ। ଆଲମିରା ଭିତରେ ଲୁଚୁ ଲୁଚୁ ମୋତେ କେତେବେଳେ ନିଦ ଲାଗିଗଲା ମୁଁ ଜାଣିପାରି ନଥିଲି। ନିଦ ଭାଙ୍ଗିଲା ପରେ ମୁଁ ନିଜକୁ ଅସହଜ ଅନୁଭବ କରୁଥିଲି। ମୋତେ ଭିଷଣ ଅଣ ନିଶ୍ୱାସୀ ଲାଗୁଥିଲା। ଆଲମିରା କବାଟ ଖୋଲିବାକୁ ଆପ୍ରାଣ ଚେଷ୍ଟା କଲି ହେଲେ ପାରିଲି ନାହିଁ। ସବୁ ଚେଷ୍ଟା ମୋର ବିଫଳ ହେଲା। ମା ଘରକୁ ଫେରିବା ପରେ ସବୁଆଡେ ମୋତେ ଖୋଜିଲେ, କିନ୍ତୁ ମୋର ଦୁର୍ଭାଗ୍ୟ ଆଲମିରା ପାଖକୁ ଆସିଲେ ନାହିଁ। ମୁଁ ବେଳକୁ ବେଳ ଅବଶ ହୋଇ ପଡୁଥିଲି। ମୋ ଦେହରେ ଆଉ ଶକ୍ତି ନଥିଲା। ଶେଷରେ ସେଇ ଆଲମିରା ଭିତରେ ଶ୍ୱାସ ରୁଦ୍ଧ ହୋଇ ମୋର ମୃତ୍ୟୁ ହେଲା। ଅନେକ୍ ସମୟପରେ ମା ସନ୍ଦେହ କରି ଆଲମିରା ଖୋଲିଲା ବେଳକୁ ଆଉ କିଛି ନଥିଲା। ସବୁ ଶେଷ ହୋଇଯାଇଥିଲା। ମୋତେ ହରେଇ ଝୁରି ଝୁରି ମାଆ ମୋର ପାଗଳୀ ପ୍ରାୟ ହୋଇଗଲା, ମୋ ବିଷୟରେ ଭାବି ଭାବି ମନ ଦୁଃଖ ରେ ବାପା ମଧ୍ୟ ମୋର ମୁକ ଭଳି ହୋଇଗଲେ। ମନସ୍ତାପ ଭିତରେ ସେଇ ଦିନଠାରୁ ସେମାନେ ଏ ଘର ଛାଡ଼ି ଚାଲିଗଲେ ହେଲେ ଏ ଆଲମିରା ଟିକୁ ନେଲେ ନାହିଁ। ଏ ଆଲମିରା ଭିତରେ ଦେଖ, ମୋ ଅସ୍ଥି କଳସ ଏବେବି ଅଛି। ମୋ ମାଆ ଓ ବାପାଙ୍କ ମାନସିକ ସ୍ଥିତି ଠିକ୍ ନାହିଁ, ତେଣୁ ତୁମେ ଯଦି ମୋ ଅସ୍ଥି କଳସ ଗଙ୍ଗାରେ ବିସର୍ଜନ କରିଦେଇ ଓ ଏ ଆଲମିରା ଟିକୁ ତାଙ୍କୁ ଦେଇଦିଅ, ତେବେ ମୁଁ ମୁକ୍ତି ପାଇଯିଵି। ତୁମ ସହ ମୋର କିଛି ଶତ୍ରୁତା ନାହିଁ। ତୁମର ମୁଁ କିଛି ଵି କ୍ଷତି କରିବିନି।


ସକାଳୁ ସକାଳୁ ବବଲୁ ର ବାପା ଙ୍କ ପାଖକୁ ଫୋନ୍ କରି ସବୁକଥା କହିଲା ବିନୋଦ। ସେମାନେ ଦୁଇ ତିନି ଦିନ ପରେ ଆସିଲେ ଓ ସେ ଆଲମିରା ଏବଂ ଅସ୍ଥି କଳସ କୁ ସାଥିରେ ନେଇଗଲେ। କିନ୍ତୁ ଏଇ ଦୁଇ ତିନି ଦିନ ଭିତରେ ବିନୋଦ ବବଲୁ ର ଖୁବ୍ ନିକଟତର ହୋଇଯାଇଥିଲା। ଦୁହିଙ୍କ ଭିତରେ ଗଢି ଉଠିଥିଲା ଏକ ଅଦେଖା ସମ୍ପର୍କ। ଶାନ୍ତିରେ ନିଶ୍ୱାସ ମାରିଲା ବିନୋଦ। ତା ପରଠୁ ଘରେ କିଛି ଅଘଟଣ ଘଟି ନାହିଁ କି କୌଣସି ଅସ୍ୱାଭାବିକ ଶବ୍ଦଵି ଶୁଭିନାହିଁ। କିନ୍ତୁ କେଜାଣି କାହିଁକି ସେଇ ଶବ୍ଦ ସବୁକୁ ମନେ ମନେ ଖୋଜୁଥିଲା ବିନୋଦ। କାରଣ ତାର ଦୟନୀୟ ମୃତ୍ୟୁ କଥା ଜାଣିଲା ପରେ ପିଲାଟି ପ୍ରତି ଏକ ଦୟା ଓ ମମତା ସୃଷ୍ଟି ହୋଇଯାଇଥିଲା। ବିଚରା ଵଵଲୁ...!! କେତେ କଷ୍ଟ ପାଇଲା ପିଲାଟା...!! ଭଗବାନ ତା ଆତ୍ମାକୁ ଶାନ୍ତି ଦିଅନ୍ତୁ। ନିଜ ପିଲାମାନଙ୍କୁ ଆଣିବା ପୁର୍ବରୁ ଘରକୁ ନୁଆ ରଙ୍ଗ କରି ଟିକେ ପୁଜା ପୁଜି କରିଦେଲା ବିନୋଦ। ନିଜ ନାମ ଫଳକ ଟି ଲଗାଇବା ବେଳେ ମନେ ପଡ଼ିଗଲା ବବଲୁର କଥା। ତେଣୁ ନିଜ ନାମଫଳକ ସହ ସାମ୍ନାରେ ଆଉ ଏକ ସାଇନବୋର୍ଡ ଟିଏ ମାରିଦେଲା....."ବବଲୁର ଘର" ।



Rate this content
Log in

Similar oriya story from Horror