Dr Arati Pattajoshi

Tragedy Inspirational

4  

Dr Arati Pattajoshi

Tragedy Inspirational

ଏବଂ ଶେଷରେଡ଼ଃ ଆରତି ପଟ୍ଟଯୋଷୀ

ଏବଂ ଶେଷରେଡ଼ଃ ଆରତି ପଟ୍ଟଯୋଷୀ

5 mins
230


ବୋଉ !

“ଉଁ”

ପକ୍ଷୀ କେମିତି ଉଡ଼େ ?

“ତାର ଡେଣା ଅଛି ନା”

ହେଲେ ମୋର କାହିଁକି ନାହିଁ ?

“ବୋକା ! ମଣିଷଙ୍କର କଣ ଥାଏ ? କେବଳ ପକ୍ଷୀମାନଙ୍କର ଥାଏ"।

ବୋଉ ସେଇଟା କଣ ?

“ଜହ୍ନ"!

ସେ ସେଠି କଣ କରୁଛି ? 

“ସିଏ ତା ମାଆ କୋଳରେ ଶୋଇଛି, ତୁ ବି ଶୋଇପଡ। ଉଠିଲେ ସ୍କୁଲ ଯିବୁ, ପାଠ ପଢିବୁ, ବଡ଼ ମଣିଷ ହବୁ। ହଁ ! ମୋ ଧନ ବହୁତ ପାଠ ପଢିବ, ବଡ଼ମଣିଷ ହବ, ତା ମାଆର ନାଆଁ ରଖିବ"।

ହଁ ! ଯେ ବୋଉ ମୁଁ ତୋ କୋଳରେ ଶୋଇବି । ତୁ ଗୋଟେ ଗୀତ ଗାଆ ।

“ହଉ ବାବା ହେଲା, ମୁଁ ତତେ ଗୀତ ଗାଇ ଶୁଆଇଦେବି"।

ବୋଉ, ତୁ ଏମିତି ମୋତେ ସବୁଦିନ ତୋ କୋଳରେ ଶୁଆଇଦବୁ ନା ? ସବୁବେଳେ ମୋ ପାଖେ ପାଖେ ଥିବୁ ନା ? 

“ବାୟାଟା ! ଠିକ୍ ଅଛି, ମୁଁ ସବୁବେଳେ ତୋ ପାଖେ ପାଖେ ଥିବି"।

ଆଛା ବୋଉ, ତୁ ଏତେ କଥା କେମିତି ଜାଣୁ ? କୋଉଟା ଭଲ, କୋଉଟା ମନ୍ଦ, କୋଉଟା କରିବା ଉଚିତ, କୋଉଟା ନୁହେଁ, ହେଲେ ମୁଁ କାହିଁକି ଜାଣି ପାରୁନି ?

“କାହିଁକି ନା, ମୁଁ ମାଆ, ଆଉ ତୁ ପୁଅ"।

ମୋତେ ସବୁବେଳେ ଏମିତି ସବୁ କଥା ଶିଖେଇ ଦବୁନା ?

“ହଁ ବାବା"

*******************

ବୋଉ ତୋ ଆଶୀର୍ବାଦରୁ ମୁଁ ଆଜି ଆଇ.ଆଇ.ଟି. ପାଇଛି।

“ମୁଁ ଜାଣିଥିଲି, ମୋ ଧନ ନିଶ୍ଚୟ ପାଇବ"।

ହେଲେ ବୋଉ, ତୋତେ ଛାଡ଼ି ହଷ୍ଟେଲରେ ମୁଁ କେମିତି ଏକୁଟିଆ ରହିବି ? ତୋ ବିନା ତ ମୁଁ ଗୋଟେ ମୁହୂର୍ତ୍ତ ବି ଚଳି ପାରିବିନି। ଏସବୁ ସମ୍ଭବ କେବଳ ତୋ ପାଇଁ। ତୋ ପରି ମାଆ ଯାହାର ଥିବ ସେ, ସବୁ କରିପାରିବ। ସବୁ ମାଆମାନଙ୍କଠୁ ମୋ ବୋଉ ବହୁତ ଭଲ।

“ନାଇଁ ବାବା ସବୁ ମାଆ ମୋ'ରି ପରି। ସେମାନେ ସବୁବେଳେ ତାଙ୍କ ପୁଅ ଝିଅଙ୍କ ପାଖେ ପାଖେ ଥାଆନ୍ତି। ତୁ ବଡ଼ମଣିଷ ହେଲେ ମୋ ଦୁଃଖ ଯିବ"।

ନିଶ୍ଚୟ ବୋଉ ! ମୁଁ ବଡ଼ମଣିଷ ହେବି। ଦେଖିବୁ, ଗୋଟେ ଭଲ ଚାକିରି କରିବି, ତୋତେ ରାଣୀ କରି ରଖିବି।

“ବାବାରେ ମାଆ ମାନେ ସବୁବେଳେ ରାଣୀ, କାହିଁକିନା ପୁଅ ଝିଅ ହିଁ ତାଙ୍କର ଅମୂଲ୍ୟ ସମ୍ପତ୍ତି ଆଉ ଅସରନ୍ତି ସୁଖ"।

*******************

ବୋଉ ତୋ ବିନା ଏଠି ଜମ୍ମା ଭଲ ଲାଗୁନି। ତୋ ହାତରନ୍ଧା, ତୋ ଉଷୁମକୋଳ, ସବୁ ମନେ ପଡୁଛି। ଭାରି ଏକା ଏକା ଲାଗୁଛି। ମୁଁ ଏଠି ଜମା ରହିପାରିବିନି।

“ଛି ବାବା !! ସେମିତି ହୁଅନ୍ତିକି ? ମୋ ସ୍ୱପ୍ନ ତେବେ କେମିତି ପୂର୍ଣ୍ଣ ହବ ? ଅଳ୍ପ ଦିନ କଷ୍ଟ କରିଦେଲେ ଆମେ ମାଆ ପୁଅ ପୁଣି ଏକାଠି ରହିବା। ସବୁଦିନ ଫୋନ କରିବୁ ଧନ। ତୋତେ ଲାଗିବ, ଯେମିତି ମୁଁ ତୋ ପାଖରେ ଅଛି"।

****************

ଗୋଟେ ଶୁଭ ଖବର ବୋଉ, ମୁଁ ଭଲ ଚାକିରିଟେ ପାଇଛି। ତୋ ଆଶୀର୍ବାଦରୁ ଆଉ କିଛି ସମସ୍ୟା ନାହିଁ। ଏବେ ଖାଲି ସୁଖ, ଆଉ ସୁଖ, ନୁହେଁ ?

“ହଁ ବାବା ଭଗବାନଙ୍କ ପାଖରେ ଏତିକି ମିନତୀ ସେ ତୋତେ ଘଣ୍ଟ ଘୋଡେଇ ଖାଲି ସୁଖହିଁ ଦିଅନ୍ତୁ"। 

ହେଲେ ବୋଉ ମୁଁ ଭାବୁଛି, ବାଇକଟେ କିଣିବି ବୋଲି, କାହିଁକିନା, ଏଠୁ ଅଫିସ ବହୁତ ଦୁର।

“ହଉ ବାବା !! ହେଲେ କେତେ ପଡ଼ିବ"?

ଅତି କମରେ ଲକ୍ଷେ ତ ନିଶ୍ଚୟ। 

“ଏତେ ଦାମ୍ !! ଧନରେ, ନୂଆଁ ନୂଆଁ ଚାକିରି, ପଚାଶ କି ପଞ୍ଚାବନ ହଜାର ଭିତରେ ହବନି ? ପ୍ରଥମରୁ ଏମିତି ଖର୍ଚ୍ଚ କଲେ ଭବିଷ୍ୟତ ପାଇଁ କଣ ସ଼଼ଞ୍ଚିବୁ ? ବିପଦଆପଦ, ଭଲମନ୍ଦ, ପାଇଁ ପଇସା ତ ଜରୁରୀ ନା"?

ବୋଉ ବୁଝିଲୁ, ତୁ କିଛି ଜାଣିନୁ। ଆଜିକାଲି ସେମିତି ବାଇକ୍ କିଏ ଚଢୁଛି କହିଲୁ ? ମୋର ପୁଣି ଗୋଟେ ପଦମର୍ଯ୍ୟାଦା ଅଛି ନା ନାହିଁ ?

“ଠିକ ଅଛି ବାବା, ତୁ ତ ବଡ଼ ହେଲୁଣି, ସବୁ ଜାଣିଲୁଣି, ଯାହା ତୁ ଠିକ ଭାବୁଛୁ ସେୟା ହିଁ କର"।

 ********************

“ବାବାରେ ତୋ ପୁଅକୁ ତ ସାମାନ୍ୟ ଥଣ୍ଡା ହେଇଛି, ଅଦା ରସ, ତୁଳସୀ ରସ, ମହୁ ମିଶାଇ ଦେଇଦେ ଦେଖିବୁ ଥଣ୍ଡା କୁଆଡେ ଯିବ, ଡାକ୍ତର କଣ କରିବ"?

ବୁଝିଲୁ ବୋଉ, ତୁ କିଛି ଜାଣିନୁ, ଟିକିଏ ଟିକିଏ ଅବହେଳା ଭବିଷ୍ୟତରେ ବହୁତ ସିରିଅସ କରିଦବ। ଡାକ୍ତର ଦେଖେଇବା ନିହାତି ଜରୁରୀ, ସେ ପୁରୁଣା କାଳିଆ କଥା ଛାଡ୍।

“ଠିକ ଅଛି ବାବା !! ମୁଁ କଣ କହୁଥିଲିକି, ପୁଅର କାଲି ବର୍ଷ ପୂରାଣି, ତୁ ଆଉ ବୋହୂ ଟିକିଏ ସତ୍ୟନାରାୟଣ ମନ୍ଦିରରେ ଦୀପଟିଏ ଜାଳି ଆସନ୍ତନି"?

ବୁଝିଲୁ ବୋଉ, ଯେତେସବୁ ଫାଲତୁ କଥା ସବୁ ତୋର। କାଲି ଏତେବଡ଼ ଦିନ କେତେ ଗେଷ୍ଟ୍ ଘରକୁ ଆସିବେ। କେକ୍, ଡେକୋରେସନ, ଭୋଜି, ଏ ସବୁ ବ୍ୟବସ୍ଥାକୁ ମୁଁ ଏକୁଟିଆ ଲୋକ, ସେଥିରେ ପୁଣି ମନ୍ଦିର ? ଯିବି କେତେବେଳେ ? ସେ ବେକାର କଥା ଛାଡ୍।

 *******************

“ପୁଅରେ ତୋ ପୁଅକୁ ସ୍କୁଲରେ ନାଆ ଲେଖେଇବୁ ପରା ? ଆଗ ଟିକିଏ ଅଗ୍ର ପୂଜ୍ୟ ଗଣେଶଙ୍କ ପାଖରେ ପୂଜା କରି, ବ୍ରହ୍ମା ! ବିଷ୍ଣୁ ! ମହେଶ୍ୱର ! ମୁଣ୍ଡୁଳା କଟେଇ ଦବୁ"।

ହେଃ !! ଯେତେ ସବୁ ଫାଲତୁ କଥା ତୋର। ତୁ କିଛି ଜାଣିନୁ ବୋଉ, ମୋ ପୁଅ ସାଧାରଣ ସ୍କୁଲ ନୁହେଁ ଇଂଲିଶ୍ ମିଡ଼ିଅମ୍ ସ୍କୁଲରେ ପାଠ ପଢିବ। କହିଲା କଣ ନା...!!

********************

“ପୁଅରେ ମୋର ଔଷଧ ସରି ଯାଇଛି। ଚଷମାଟା ବି ଭାଙ୍ଗି ଯାଇଛି। ଭାଗବତ ଟିକେ ପଢ଼ି ପାରୁନି। ଆଜି ପରା ତୁ ଛୁଟିରେ ଅଛୁ, ମୋ କାମ ଟିକେ କରିଦିଅନ୍ତୁନି"?

ଆଜି ଛୁଟି ନୁହେଁ ବୋଉ, କହ ମୁଁ ଛୁଟି ନେଇଛି, କାହିଁକିନା ତୋ ବୋହୂର ଆଜି ଜନ୍ମଦିନ। ଘରକୁ ବହୁତ ଗେଷ୍ଟ ଆସିବେ। ରାତିରେ ପାର୍ଟି ଅଛି। ତୋ କଥା ପରେ କେତେବେଳେ ସୁବିଧା ହେଲେ ଦେଖିବା। ମନେ ରହିଲା ମୋର, ସୁବିଧା ଦେଖି ତୋ କାମ ମୁଁ ପରେ କରିଦେବି, ବୁଝିଲୁ ?

“ଠିକ ଅଛି ବାବା, ଯାହା ତୋ ଇଚ୍ଛା"!!

*******************

ବୋଉ ତୁ ଚାଲିଯିବା ଅନେକଦିନ ହେଲାଣି, ତୁ ଗଲା ପରେ ଭାବିଲି, ଯାହାହଉ ଏଥର ଟେନ୍ସନ୍ ଗଲା। ମଣିଷ ଟିକିଏ ଶାନ୍ତିରେ ରହିବ। ବୁଲାବୁଲି ଟିକିଏ କରି ପାରିବ। ହେଲେ ଆଜି କିନ୍ତୁ କାହିଁକି ତୋ କଥା ବହୁତ ମନେପଡୁଛି। ତୁ କାହିଁକି ମୋତେ ଏକା ଛାଡ଼ି ଚାଲିଗଲୁ ବୋଉ। ତୁ ତ କହିଥିଲୁ, ସବୁବେଳେ ମୋ ପାଖେ ପାଖେ ଥିବୁ ବୋଲି। ଜାଣିଛୁ ବୋଉ, ଏତେ ବଡ଼ ଦୁନିଆରେ ତୋ ପୁଅ ଆଜି କେତେ ଏକା ? ପୁଅ, ଝିଅ, ସ୍ତ୍ରୀ, ସମସ୍ତେ ଯିଏ ଯାହା କାମରେ ବ୍ୟସ୍ତ। ମୋ ପାଇଁ କାହା ପାଖରେ ସମୟ ନାହିଁ। ଦିନେ ଯେମିତି ତୋ ପାଇଁ ମୋ ପାଖରେ ସମୟ ନଥିଲା। ସେଥିପାଇଁ କଣ ରାଗିକି ତୁ ଚାଲିଗଲୁ କି ? ହେଲେ, ମୁଁ ଜାଣିବାରେ ତୋତେ ତ ରାଗି ଆସେନି। ମୁଁ ପରା ତୋ ପୁଅ ? ମୋତେ କଣ କ୍ଷମା କରିବୁନି ? ଥରେ ମାତ୍ର ଓଲହେଇ ଆ ବୋଉ। ତୋ ହାତରେ ମୋତେ ମୁଠେ ଖୁଆଇ ଦେ। ତୋ କୋଳରେ ମୋତେ ଟିକେ ଶୁଆଇ ଦେ। ମୋତେ ଆଜି ପ୍ରବଳ ଭୋକ, ପ୍ରବଳ ନିଦ, ତୁ କଣ ଜାଣି ପାରୁନୁ ? ଏ ରାଜ ଉଆସ, ଏ ସୁସ୍ୱାଦୁ ବ୍ୟଞ୍ଜନ, ତୂଳି ତଳ୍ପ ଶେଯ, ଭାରି ବିରକ୍ତିକର ଲାଗୁଛି, ଭାରି ଅସହ୍ୟ ଲାଗୁଛି। ଟିକିଏ ସ୍ନେହ, ଟିକିଏ ଭଲପାଇବା, ଯାହା ମୁଁ ଚାହୁଁଛି, ଯାହାକୁକି କେବେଳ ତୁ ହିଁ ଦେଇ ପାରିବୁ। ମୁଁ ବୁଝି ପାରୁଛି, ତୋର ଶେଷ ଜୀବନର ଅସହାୟତା ଆଉ ମୋର ତୋ ପ୍ରତି ଅବହେଳା ତୋ ପାଇଁ କେତେ କଷ୍ଟକର ଓ ଦୁଃଖ ଦାୟକ ଥିବ। ମୋତେ କ୍ଷମା କରି ଥରେ ତୋ ଉଷୁମ କୋଳରେ ଆଶ୍ରୟ ଦେ ବୋଉ। ଥରେ ମୋ କପାଳରେ ତୋର ସେ ଶୀତଳ ଓଠ ଛୁଆଁଇ ଦେ। ମୁଁ ଆଉ କିଛି ଚାହୁଁନି ବୋଉ, ମୁଁ କେବଳ ଟିକେ ଶାନ୍ତିରେ ଶୋଇବାକୁ ଚାହେଁ। ବହୁତ ଥକି ପଡ଼ିଛି ମୁଁ। ତୁ,ତ ସବୁ ଜାଣିପାରୁ, ସବୁ ବୁଝିପାରୁ। ବିନା ସ୍ୱାର୍ଥରେ ମୋ ପାଇଁ ସବୁ କିଛି କରିପାରୁ। କିନ୍ତୁ ଦେଖ୍ ? ତୋ ସ୍ୱାର୍ଥପର ପୁଅକୁ !! ତୋ ପାଇଁ କିଛି ନ କରିବି ତୋଠୁ କେମିତି ସବୁ କିଛି ଦାବି କରୁଛି। ପୁଅମାନେ ବୋଧହୁଏ ସବୁବେଳେ ଏମିତି ସ୍ୱାର୍ଥପର ? ହେଲେ ତୁ ତ ମାଆ...!! ମୋତେ କ୍ଷମା କରିପାରିବୁ। ମୋର କଣ ଇଚ୍ଛା ହେଉଛି ଜାଣୁ ବୋଉ ? ପୁଣି ସେଇ ପିଲାଦିନ ଫେରି ଆସନ୍ତା ନି ? ତୋର ସେ ହାତରନ୍ଧା ଖାଦ୍ୟ, ସେ ଉଷୁମକୋଳ, ଶୀତଳ ଓଠର ସ୍ପର୍ଶ, ଆଉ ତୋର ସେ ନାନା ବାୟା ଗୀତ…!! ଓଃ କି ଶାନ୍ତି...!! ହଁ ବୋଉ !! ସବୁ ଠିକ୍ ହୋଇ ଯାଆନ୍ତା ଆଉ ଜମା ଭୁଲ ହୁଅନ୍ତାନି। ସତରେ ମୁଁ କେଡେ ବୋକା, ନୁହେଁ ବୋଉ ? ଯେତେବେଳେ ସମୟ ଥିଲା ତୋ ପାଇଁ କିଛି କରିପାରିଲିନି, ଆଉ ଯେତେବେଳେ ସମୟ ସରିଗଲା, ଭାବୁଛି ସବୁ ଠିକ କରିଦେବି। ଶେଷଥର ପାଇଁ ତୋ ପାଖରେ ଗୋଟେ ଛୋଟ ଅଳି। ମୋତେ ଓ ମୋ ଭଳି ପୁଅ ମାନଙ୍କୁ କ୍ଷମା କରିଦେବୁ ବୋଉ। ହଁ ! ଯଦିଓ ମୋ ଅପରାଧ ଅକ୍ଷମଣୀୟ ତଥାପି ବି ଶେଷରେ .....................?



Rate this content
Log in

Similar oriya story from Tragedy