Dr Arati Pattajoshi

Inspirational

3  

Dr Arati Pattajoshi

Inspirational

ଅସୁରକ୍ଷିତ

ଅସୁରକ୍ଷିତ

5 mins
184



ଝିଅଟି ସମସ୍ତଙ୍କର ପସନ୍ଦ ହେଇଛି ଜାଣିବା ପରେବି କେମିତି ଗୋଟେ ଉଦାସ ହୋଇପଡିଲେ ଅଳକା। ଆଜିଯାଏଁ ଯେତେ ଝିଅ ସେ ଦେଖୁଥିଲେ, କାହାର କେମିତି ପସନ୍ଦ ହୁଏନି'ତ ପ୍ରସ୍ତାବ ଭାଙ୍ଗିଯାଏ। ଘରର ସମସ୍ତେ ଦୁଃଖି ଥିଲାବେଳେ ଅଳକା କିନ୍ତୁ ଖୁସି ହୁଅନ୍ତି। ହେଲେ କାହିଁକି ? ସେ ନିଜେ ବୁଝିପାରୁନାହାନ୍ତି। କାହିଁକି କେଜାଣି ମନ ଭିତରେ କେମିତି ଗୋଟେ ଅଜଣା ଭୟରେ ଥରି ଉଠୁଛନ୍ତି। ଘରେ ସମସ୍ତେ ଉତ୍ସାହି ଥିଲାବେଳେ ସେ କିନ୍ତୁ ମୁହଁ ଶୁଖେଇ ବୁଲୁଛନ୍ତି, ବାରମ୍ବାର ଅନ୍ୟମନସ୍କ ରହୁଛନ୍ତି। କୌଣସି କାମରେ ତାଙ୍କର ମନ ଲାଗୁନି। ଝିଅଟି ସୁନ୍ଦର, ପାଠ ପଢ଼ିଛି, ଗୁଣବି ଭଲ, ଶାନ୍ତଶିଷ୍ଠ ମଧ୍ୟ। ତଥାପି ବି କାହିଁକି ତାଙ୍କୁ ଏମିତି ଭୟ ଲାଗୁଛି ? କୌଣସି କାମରେ ଆଜି ଉତ୍ସାହ ଆସୁନି ଅଳକାର। ଚୁପ ଚାପ ଆସି ବେଡ଼ରୁମ ବେଡ଼ ଉପରେ ଗଡି ପଡିଲେ। କିଛି ସମୟ ପାଇଁ ଏକଡ଼ ସେକଡ଼ ହୋଇ ପୁଣି ବସି ପଡିଲେ। କାହିଁକି କେଜାଣି ଭାରି ଚିଡି ଚିଡି ଲାଗୁଛି ତାଙ୍କୁ। ଖଟ ଉପରୁ ଓହ୍ଲେଇ ଘର ସାରା ଏପଟ ସେପଟ ଘୁରି ବୁଲିଲେ, ପୁଣି କ'ଣ ଭାବିଲେ, ଡ୍ରେସିଂ ଟେବୁଲ ସାମ୍ନାରେ ଯାଇ ବସିଗଲେ। ଦର୍ପଣରେ ତାଙ୍କ ପ୍ରତିଛବି ନିରେଖି ଚାହିଁଲେ। କାନ ପାଖରେ କିଛି କିଛି ପାଚିଲା ଚୁଟି, ଅନ୍ୟମନସ୍କ ଭାବେ ପାନିଆ ଟିକୁ ମୁଣ୍ଡରେ ବୁଲେଇଲେ। ନିଜକୁ ନିଜେ କହିଲେ, ସତରେ କ'ଣ ପୁଅ ତାଙ୍କର ବାହା ହେବ ? ସେ ଶାଶୁ ହେଇଯିବେ। ଶାଶୁ....? ତାହେଲେ ସେ କ'ଣ ବୁଢ଼ୀ ହେଇଗଲେ ? ତାଙ୍କର କ'ଣ ତାହେଲେ ଏ ଘରୁ ସବୁ କର୍ତ୍ତୃତ୍ୱ ସରିଗଲା ? ପୁଅ ଆଉ ତାଙ୍କୁ କ'ଣ ଭଲ ପାଇବନି ? ପୁଅ କ'ଣ ତାଙ୍କଠୁ ଏବେ ଦୁରେଇ ଯିବ ? ତାଙ୍କୁ କ'ଣ ଆଉ କେହି ଖୋଜିବେନି କି ପଚାରିବେନି ? ସେ କ'ଣ ତେବେ ଅଲୋଡା ହେଇ ଯିବେ ? ଏମିତି ସବୁ ଅନାବନା କଥା ମୁଣ୍ଡରେ ପୁରେଇ ଆଜି ତାଙ୍କୁ ଭାରି ଉଦାସ ଲାଗୁଛି। ଏମିତିବି ସେ ଲକ୍ଷ କରୁଛନ୍ତି, ପୁଅ ହଷ୍ଟେଲ ଯିବା ପରଠୁ କେମିତି ଏକପ୍ରକାର ତାଙ୍କଠୁ ଦୁରେଇ ଯାଉଛି। ଆଉ ଆଗପରି ତାଙ୍କୁ ଭଲ ପାଉନି। ଆଗପରି ଟିକେ କଥାରେ ମାଆ ମାଆ ହେଉନି............!!


ତାଙ୍କର ମନେଅଛି ୨ ପଢିବା ଯାଏଁ ରାତିରେ ଅଳ୍ପ ସମୟ ପାଇଁ ହେଉପଛେ, ସେ ତାଙ୍କ ହାତରେ ମୁଣ୍ଡ ରଖି ଶୋଉଥିଲା। ନହେଲେ ତାକୁ କାଳେ ନିଦ ହୁଏନି। ବାପା ତାର ଚିଡ଼େଇକି କୁହନ୍ତି ତୁ ତ ମାଆ କୋଳ ଛାଡୁନୁ ହଷ୍ଟେଲରେ ଯାଇ କେମିତି ରହିବୁ? ମନେ ପଡୁଛି, ଅଳକା ନିଜ ହାତରେ ଦୁଇଗୁଣ୍ଡା ଖୁଆଇଦେଲେ ପୁଅ ତାଙ୍କର କେମିତି ଖୁସି ହୋଇଯାଉଥିଲା। ଆଜିବି ମନେ ଅଛି, ଯଦି ତାଙ୍କର କେବେ ମଥାରେ ବିନ୍ଦି ଲଗେଇବାକୁ ମନେ ନଥାଏ ପୁଅ କେମିତି ଚିଡିଯାଏ, କୁହେ, ମାଆ ତୁ ବିନ୍ଦି କାଇଁ ଲଗେଇନୁ ? ଭଲ ଦିଶୁନି, ଖାଲି କୁହେନି, ନିଜେ ବିନ୍ଦିଟିଏ ଆଣି ଲଗେଇଦିଏ। ଯୁଆଡେ ବାହାରିଲେ ଅଳକାଙ୍କୁ କୋଉ ଶାଢ଼ୀ ମାନିବ ତା,ବି ପୁଅ କହିଥାଏ। ହେଲେ ଏବେ ପୁଅ ଆଉ ଶୋଇଲା ବେଳେ ତାଙ୍କ ହାତ ଖୋଜୁନି। ଜାଣିଶୁଣି ବିନ୍ଦି ନଲଗେଇ ପୁଅ ପାଖକୁ ଗଲେବି ତାଙ୍କ ଖାଲି ମୁହଁ ସେ ଏବେ ଦେଖିପାରୁନି। ମାଆ ଟିକେ ଖୁଆଇଦେ କହି ଅଳି କରୁନି। କୋଉ ଶାଢ଼ୀଟା ପିନ୍ଧିବି ପଚାରିଲେ କହୁଛି, ତୋ ଇଛା ଯାହା ପିନ୍ଧିବୁ ପିନ୍ଧ। ଥରେ ଅଭିମାନ କରି ପୁଅକୁ ପଚାରିଲେ, ହଷ୍ଟେଲରେ ତୋର ମୋ କଥା ମନେ ପଡୁନିକିରେ ଧନ ? ପୁଅ ହସିଲା, କହିଲା ଇଏ କି ଅଜବ ପ୍ରଶ୍ନ। ହଁ ଲୋ ମାଆ ତୋ କଥା ମୋର ମନେ କେମିତି ପଡିବନି ? ଯେତେବେଳେ ଭଲ ଖାଇବା ନ ହୋଇଥାଏ , ଯେତେବେଳେ ପ୍ୟାଂଟ ସାର୍ଟ ଆଇରନ କରିବାକୁ ଭୁଲି ଯାଇଥାଏ, ଯେତେବେଳେ ଖାତା ବହି ପେନ କିଛି ନ ମିଳେ ସେତେବେଳେ ତୁ ମୋର ବହୁତ ମନେପଡୁ। ଭାରି କଷ୍ଟ ଲାଗିଥିଲା ପୁଅ କଥାଶୁଣି। ଲୁହ ଡ଼ବଡ଼ବ୍ ଆଖିରେ ପୁଅକୁ ପଚାରିଲେ, ଓହୋ ତେବେ କେବଳ ଦରକାର ବେଳେ ମୁଁ ତୋର ମନେପଡେ ? ଯୋଉଦିନ ସବୁ ଠିକ ଠାକ ଥାଏ ତେବେ ତ ସେ ଦିନ ମୋ କଥା ଯମା ମନେ ପଡୁନଥିବ ? ମାଆକୁ ଜାକି ଗେଲ କରିପକେଇଲା ପୁଅ। ହସିହସି କହିଲା, ନାଇଁ ଲୋ ମାଆ ତୁ ମୋର ସବୁବେଳେ ମନେପଡୁ। ଆଇ ଲଭ ୟୁ ମାମା....!! ହେଲେ ଏବେ....? ପୁଅର ସେଇ ମନେପଡିବା ସମୟତକରେ ତ ଆଉ ଜଣେ ଭାଗ ବସେଇବାକୁ ଆସୁଛି। ତାର ଯାହା ଯାହା ସବୁ ଦରକାର ସେ ସବୁ ତ ସିଏ ବୁଝିଦେବ !! ତେବେ ତ ପୁଅ ଆଉ ଜମା ଖୋଜିବନି ତାଙ୍କୁ। ସେ ତ ସମ୍ପୂର୍ଣ୍ଣ ମୋ ପୁଅକୁ ମୋଠୁ ଛଡେଇ ନେବ ? ହଠାତ ମୁହଁରେ ହାତ ରଖି କାନ୍ଦି ପକେଇଲେ ଅଳକା।


ଅଳକା !! ଅଳକା !! ଆରେ କୋଉଠି ଅଛ ? ବଜାର ଯିବା ପରା ? ନିର୍ବନ୍ଧ ପାଇଁ ମୁଦି ଆଣିବା ପରା ? ଡାକି ଡାକି ଘର ଭିତରକୁ ପ୍ରବେଶ କଲେ ପ୍ରିୟନାଥ ବାବୁ ଓରଫ ଅଳକାଙ୍କ ସ୍ୱାମୀ। ଆରେ କ'ଣ ହେଲା....? କାନ୍ଦୁଛ କାହିଁକି ? ସ୍ବାମୀଙ୍କର ଏତିକି କଥାରେ ଆହୁରି ଜୋରରେ କଇଁ କଇଁ ହୋଇ କାନ୍ଦି ଉଠିଲେ ଅଳକା। 

"ଆରେ ହେଲା କଣ କୁହତ"?

"ନାଇଁ କିଛି ନାହିଁ"।

ମୁଁ ଜାଣିବାରେ କିଛି ନଥାଇ କେବଳ ପାଗଳମାନେ ହିଁ କାନ୍ଦନ୍ତି ଓ ହସନ୍ତି, ଆଉ ମୁଁ ଯେତିକି ଜାଣିଛି, ମୋ ସ୍ତ୍ରୀ ତ ପାଗଳ ନୁହେଁ....!! ସ୍ବାମୀଙ୍କ କଥାରେ ଟିକିଏ ହସିଦେଇ ପୁଣି ଗମ୍ଭୀର ହୋଇଗଲେ ଅଳକା। ସ୍ତ୍ରୀଙ୍କ ଆଖିରୁ ଲୁହ ପୋଛି ଦଉ ଦଉ ପଚାରିଲେ ପ୍ରିୟନାଥ, ଏବେତ ଅନ୍ତତଃ କୁହ, କ'ଣ ହେଇଛି, ତୁମକୁ ମୋ ରାଣ।

"ଇସ...!! ରାଣ କାଇଁ ପକଉଥିଲ କହିଲ" ?

"କାରଣ ରାଣ ନପକେଇଲେ ସେମିତି ତ ତୁମେ କହିବନି ନା"? ସ୍ବାମୀଙ୍କ ସ୍ନେହ ବୋଳା କଥାରେ ନିଜ ମନର ଅସୁରକ୍ଷିତ ଭାବନା ସବୁକୁ ଗୋଟି ଗୋଟି କରି ବଖାଣି ବସିଲେ ଅଳକା, ଆଉ ମଝିରେ ମଝିରେ ମଝିରେ ନିଜ ଶାଢ଼ୀ କାନିରେ ଆଖିରୁ ଲୁହବି ପୋଛୁଥିଲେ।

"ଏଥର ତୁମେ କୁହ ମୋ ମନ ଦୁଃଖ ହବନି ? ମୋ ପୁଅକୁ ସେ ମୋଠୁ ଛଡେଇନେବ"।

ହୋ...!! ହୋ...!! ହୋଇ ହସି ଉଠିଲେ ପ୍ରିୟନାଥ। ହେ ପ୍ରଭୁ...!! କି ବାୟାଣୀ ଲୋକ କିଓ ତୁମେ ? ଏମିତି ଛୋଟ ପିଲାଙ୍କ ପରି ଅଦ୍ଭୁତ ଖିଆଲରେ ତୁମେ କାନ୍ଦୁଛ ? ବାସ !! ଏଇକଥା ? ଆଛା, ତୁମେ ଆଗ ତୁମ କାନ୍ଦ ବନ୍ଦ କରି ଲୁହ ପୋଛ। ମୁଁ ତୁମର ସବୁ ଭୟ ଓ ଆଶଙ୍କାର ସମାଧାନ କରିଦେଉଛି। ମୋ ପାଖରେ ବସ କହି ହାତ ଧରି ବସେଇଦେଲେ ସ୍ୱାମୀ। ତଳକୁ ମୁହଁ ପୋତି ଲୁଗାକାନୀରେ ମୁହଁ ପୋଛୁଥିଲେ ଅଳକା। ସ୍ତ୍ରୀଙ୍କ ହାତକୁ ସେମିତି ମୁଠେଇଧରି କହିଲେ ପ୍ରିୟନାଥ...!! ଶୁଣ, ପୁଅ ଯେତେବେଳେ ଛୋଟ ଥିଲା, ଭଲ ମନ୍ଦ ବୁଝିପାରୁନଥିଲା କି ନିଜକାମ ନିଜେ କରିପାରୁନଥିଲା। ସେତେବେଳେ ସେ ତୁମ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିଲା। ତୁମ ବିନା ସେ କିଛିବି କରିପାରୁନଥିଲା।କିନ୍ତୁ ସମୟ ବଦଳିବା ସହ ତୁମ ଉପରେ ନିର୍ଭରଶୀଳ ତୁମ ପୁଅ, କ୍ରମେ ବଡ଼ ହେବାକୁ ଲାଗିଲା। ଯେତେବେଳେ ପିଲାଟି ଧୀରେ ଧୀରେ ବଡ ହୁଏ ମା,ର ହାତ ଛାଡିବାକୁ ସେ ବାଧ୍ୟ ହୁଏ, କାରଣ ସେ ବାହାରେ ରୁହେ, ସ୍ୱାବଲମ୍ବୀ ହୁଏ। ନିଜ କାମ ନିଜେ କରିବାକୁ ଇଚ୍ଛା କରେ। କାହା ଉପରେ ନିର୍ଭରଶୀଳ ହେବାକୁ ପସନ୍ଦ କରେନି। ତାଛଡା....!! ବେଳେ ବେଳେ ତା ଜୀବନରେ ତାର ନିଜର କିଛି ବ୍ୟକ୍ତିଗତ ସମସ୍ୟା ସୃଷ୍ଟି ହୁଏ ଓ ବେଳେବେଳେ ଏମିତି ଅନେକ କିଛି କଥା ଅଛି ଯାହାକୁକି ସେ ନିଜ ବାପା ମାଙ୍କୁ କହି ପାରେନି କି ଆଲୋଚନା ମଧ୍ୟ କରିପାରିନି। ସଂକୋଚ ଅନୁଭବ କରେ। ଆଉ ସେତେବେଳେ ତାର ଦରକାର ହୁଏ ସାଙ୍ଗ, କାରଣ ସେଇ ସାଙ୍ଗ ସହ ସେ ତାର ସମସ୍ତ ବ୍ୟକ୍ତିଗତ କଥା ତଥା ସମସ୍ତ ବ୍ୟକ୍ତିଗତ ସମସ୍ୟା ବା କିଛି ଅକୁହା କଥା ସବୁକୁ ବାଣ୍ଟି ଥାଏ। ତାପରେ ବୟସ ବଢିଲେ ସେ ବିବାହ କରେ, କାରଣ ଜୀବନ ନିର୍ବାହ ପାଇଁ ଜୀବନ ସାଥିଟିଏ ନିହାତି ଲୋଡ଼ାହୁଏ ତାର। ସୁଖରେ ଦୁଃଖରେ ଭାଗୀ ହେବାପାଇଁ ଦରକାର ହୁଏ ହାତଟିଏ। ଲୁହ ଢାଳିବା ପାଇଁ ଦରକାର ହୁଏ କାନ୍ଧଟିଏ। ଏଇ ଯେମିତି ତୁମେ ମୋ ପାଇଁ...!! ତୁମେ ଥରେ ଭାବ, ମୁଁ ଯାହା ସବୁ ତୁମକୁ କହିପାରେ ତା କଣ ମୋ ମାଆକୁ ମୁଁ କହିପାରିବିକି ? ଏହାତ ସଂସାରର ନିୟମ। ଆମେ ଆଜି ଅଛେ କାଲି ଆମେ ଗଲାପରେ ଆମ ପୁଅ ତ ଏକା ହୋଇଯିବ। ତାର ଯଦି ସଂସାରଟିଏ ନଥିବ ସେ କଣ କରିବ ଭାବତ। ତୁମେ କଣ ଚାହଁ ଆମ ଅନ୍ତେ ଆମପୁଅ ଏକା ହୋଇଯାଉ ? ନାହିଁ ନା ? ତେଣୁ ତୁମେ କାହିଁକି ଏମିତି ସବୁ ଅଯଥା ଓ ଅବାନ୍ତର ଭାବନା ସବୁକୁ ମନକୁ ଆଣୁଛ। ତୁମେତ ଶିକ୍ଷିତା, କିନ୍ତୁ ମୋ ମାଆ ତ ପାଠ ପଢ଼ିନଥିଲା। ଭାବତ, କେବେବି ମାଆ ତୁମକୁ ଖରାପ ବ୍ୟବହାର ଦେଖେଇଛି ? ତୁମେ ଜାଣ...? ଅଧିକାଂଶ ପରିବାରରେ ଏଇ ଶାଶୁ ବୋହୁ କଳିର ସୂତ୍ରପାତ, ମନର ଏଇ ଅସୁରକ୍ଷିତ ମନୋଭାବ ପାଇଁ। ମା ମନରୁ ପୁଅ ଦୁରେଇ ଯିବାର ଭାବନାଟା ହିଁ ଶାଶୁ ବୋହୁ ଭିତରେ ପାଚେରୀ ସୃଷ୍ଟି କରେ। ତୁମେ ଯଦି ତୁମ ବୋହୂକୁ ଭଲପାଇବା ନଦେଇ ପୁଅକୁ ନିଜର କରିବା ପାଇଁ ବୋହୁ ସହ ପ୍ରତିଯୋଗିତା କରିବ, ତେବେ ତୁମ ପୁଅ ବୋହୂ ଦୁହିଙ୍କଠୁ ତୁମେ ଧୀରେ ଧୀରେ ଦୁରେଇଯିବ। ବାସ୍ତବତାକୁ ଗ୍ରହଣ କର, ଦେଖିବ, ଜୀବନ ଖୁବ ମଧୁର ଓ ସରଳ ଲାଗିବ। ଏହାଦ୍ୱାରା ପିଲାମାନଙ୍କୁ ତୁମେ ସବୁଦିନ ପାଇଁ ତୁମ ପାଖରେ ପାଇବ। ଏହାତ ସଂସାର ନିୟମ। କ'ଣ, ଏଥର ବୁଝିଲତ ? ସ୍ବାମୀଙ୍କ କଥାରେ ସଚେତନ ହେଲେ ଅଳକା...!!

ସତେତ....!! ଏ ବାସ୍ତବ ସତ୍ୟଠୁ କେମିତି ଦୁରେଇ ଯାଇ ଅବାସ୍ତବତାର ଅନ୍ଧାରୀ ଗଳି ଭିତରକୁ ଧସେଇ ହୋଇ ଚାଲିଯାଉଥିଲେ ଅଳକା....!!

"କଣ ଆଉ ଭାବୁଛ...? ଏଥର ଯିବା...? ବାହାର"। ସ୍ବାମୀଙ୍କ ଠାରୁ ସବୁ ପ୍ରଶ୍ନର ସମାଧାନ ପାଇଯାଇଥିଲେ ଅଳକା। ମନଟା ଖୁବ୍ ହାଲୁକା ହୋଇଯାଇଥିଲା। ଆଲମୀରାରୁ ଶାଢ଼ୀ କାଢୁ କାଢୁ ହସିଦେଲେ ଅଳକା। ସତରେ କେଡେ ବୁଦ୍ଦୁ ସିଏ"..............??


     


Rate this content
Log in

Similar oriya story from Inspirational