Sangita Mishra Satapathy

Inspirational

3.4  

Sangita Mishra Satapathy

Inspirational

ତସ୍ମୈଶ୍ରୀ ଗୁରବେ ନମଃ

ତସ୍ମୈଶ୍ରୀ ଗୁରବେ ନମଃ

2 mins
182



ଗତ ୨ଦିନ ତଳେ ମୁଁ ସ୍କୁଲ୍ ରୁ ଫେରୁଥାଏ।ଦିନ ପ୍ରାୟ ୧୨ଟା।ପ୍ରବଳ ଖରା।ଜଲ୍ଦି ଜଲ୍ଦି ପାଦ ପକାଉଥାଏ ଖରାରୁ ରକ୍ଷା ପାଇବା ପାଇଁ କିନ୍ତୁ  ହଠାତ୍ ଏକ ଅଭାବନୀୟ ଦୃଶ୍ଯ ଦେଖି ପାଦ ଅଟକିଗଲା।୫୵୭ ବର୍ଷ ର ଝିଅଟିର ହାତ ଓ ଗୋଡ ବାନ୍ଧି ସଂପୂର୍ଣ୍ଣ ଉଲଗ୍ନ କରି ତତଲା ପିଚୁ ରାସ୍ତା ରେ ମାଆ ତାର ବସାଇ ଦେଇଛନ୍ତି। ଭଉଣୀ ପରେ ୪୵୫ବର୍ଷ ଭାଇଟିକୁ ମଧ୍ୟ ସେଇ ସମାନ ଭାବରେ ବାନ୍ଧି ବସାଇଛନ୍ତି ମାଆ ତାର ।. ଶାସନ କରିବା ନାଁରେ ଅନୁଶାସନର ଦ୍ବାହି ଦେଇ। ପିଲା ଦୁଇଟିଙ୍କ ଭୁଲ୍ ଥିଲା ଗ୍ରୀଷ୍ମ କଷ୍ଟ ଲାଘବ ପାଇଁ  ସାଥୀ ପିଲାଙ୍କ ସହ ପୋଖରୀରେ ମାଆଙ୍କ ବିନା ଅନୁମତିରେ ଗାଧୋଉଥିଲେ ବେଶ୍ କିଛି ସମୟ ମନ ଭରି।ହୃଦୟ ଥରି ଉଠିଲା ।ମନ ବିଦାରି ହୋଇ ପାଦ ଅଟକିଗଲା। ଅନୁରୋଧ କଲି ମାଆଙ୍କୁ ପିଲାଦୁଇଟିଙ୍କୁ ଫିଟାଇଦେବା ପାଇଁ। ମାଆ କିଛି ବୁଝିବା ଅବସ୍ଥାରେ ନଥିଲେ।ଅନୁନୟ ବିନୟ ହୋଇ ପିଲା ଦୁଇଟିଙ୍କୁ ଅନ୍ତତଃ ନିଜ କ୍ରୋଧ ଶାନ୍ତ ହେବାଯାଏ ଛାଇରେ ବାନ୍ଧି ରଖ ବୋଲି ବୁଝାଇଲି ।କ୍ରୋଧିତ ମା ମୋର କୌଣସି କଥା ବୁଝିବା କି ଶୁଣିବା ଅବସ୍ଥାରେ ନଥିଲେ। ଆଶା ବି ଛାଡି ନଥିଲି ଯେମିତି ହେଲେ ପିଲା ଦୁଇଟିଙ୍କୁ ମାଆଙ୍କ ଅମାନୁଷିକ କାର୍ଯ୍ୟରୁ ରକ୍ଷା କରିବା ପାଇଁ ମୁଁ ଥିଲି ବଦ୍ଧ ପରିକର। ମୋ ପରି ରାସ୍ତା ରେ ଯାଉଥିବା ଅନେକ ଲୋକ ମଧ୍ୟ ଛୁଆ ଦୁଇଟିଙ୍କୁ ଫିଟାଇ ଦେବା ପାଇଁ କହୁଥିଲେ କିନ୍ତୁ ସେ ମାଆଙ୍କର କ୍ରୋଧିତ ରୂପ ସାଙ୍ଗକୁ ଅଶ୍ରାବ୍ଯ ଭାଷାରେ ଗାଳି ବାଧ୍ଯ କରୁଥିଲା ସମସ୍ତଙ୍କ ଚୁପ୍‌ଚାପ୍ ଚାଲିଯିବା ପାଇଁ। ଏପରିକି କେହି କେହି ପୋଲିସ୍ ର ଭୟ ଦେଖାଉଥିଲେ ମଧ୍ଯ ଖାତିର ନ ଥିଲା ମହିଳାଙ୍କର।ତାଙ୍କ କ୍ରୋଧିତ ରୂପକୁ ଦେଖି ପିଲା ଦୁଇଟି ଯେମିତି କାକୁସ୍ତ ହୋଇ ଲୁହ ଝରାଇ ନିରବ ପ୍ରାର୍ଥନା କରୁଥିଲେ ନିଦାଘର ଦାରୁଣ ଯନ୍ତ୍ରଣା ରୁ ରକ୍ଷା କରିବା ପାଇଁ। ଭୟରେ କୌଣସି ପଡୋଶୀ ବି ସାହାଯ୍ୟ ପାଇଁ ଆସୁ ନଥିଲେ। ଶେଷରେ ନିଷ୍ପାପ ପିଲା ଦୁଇଟିଙ୍କ ଡାକ ବୋଧ ହୁଏ ଈଶ୍ଵର ଶୁଣି ପାରିଲେ ଆଉ ଶୁଣି ପାରିଲେ ବୋଧ ହୁଏ ମୋ ଅନ୍ତରଆତ୍ମାର ନିବେଦନ ।ଆଉ ହଠାତ୍ ଅଟକି ଗଲା ଦୁଇ ଚକିଆ ଗାଡିଟିଏ।ଓହ୍ଲାଇ ଆସିଲେ ଭଦ୍ରବ୍ଯକ୍ତି ଜଣେ।କଥାରେ ଥିଲା ଦାମ୍ଭିକତା ଆଉ ଆଦେଶ "ଆଗେ ଫିଟାଅ ସେ ପିଲାଙ୍କୁ।"ତମେ ମାଆ!ଏମିତି କେହି ନିର୍ଦୟ ଭାବେ ଶାସ୍ତି ଦିଏ ପିଲାଙ୍କୁ। ତଥାପି ମହିଳାଙ୍କ ରାଗ କମି ନଥାଏ।ଭଦ୍ରବ୍ଯକ୍ତିଙ୍କ ଗାମ୍ଭୀର୍ଯ୍ୟ ଭରା କଥାରେ ଭୟ ପାଇ ପଡୋଶୀ ମହିଳା ଜଣେ ଫିଟାଇ ଦେଲେ ପିଲା ଦୁଇଟିଙ୍କୁ। ଗଭୀର ଆତ୍ମ ତୃପ୍ତି ରେ ମନ ପୁରିଗଲା।ଭଦ୍ରବ୍ଯକ୍ତିଙ୍କ ପରିଚୟ ଜିଜ୍ଞାସା କରି ଜାଣିଲି ,ଆଜ୍ଞା ଜଣେ ପ୍ରଧାନ ଶିକ୍ଷକ ।ସୁକଳ ହାଇସ୍କୁଲ ର।ସୌଜନ୍ଯତା ଦୃଷ୍ଟିରୁ ନମସ୍କାର ଜଣାଇ କିଞ୍ଚିତ୍ ଭାବ ବିନିମୟ ପରେ ନିଜ ନିଜ ଘରକୁ ଫେରିଥିଲୁ।

ମୋ ମଥା ନଇଁ ଯାଉଥିଲା ସେଇ ଶିକ୍ଷକଙ୍କ ପାଦ ତଳେ।କିଏ କହେ ଶିକ୍ଷକ କେବଳ ମାଡ ଦେଇ ଶାସନ କରିପାରେ ଆବଶ୍ୟକ ସ୍ଥଳେ ମାଆ ଠାରୁ ମାଡ ଖାଉଥିବା ଶିଶୁ ର ସୁରକ୍ଷା କବଚ ସାଜି ପାରେ ଜଣେ ଶିକ୍ଷକ।ଶିଶୁ ପ୍ରତି ହେଉଥିବା ଅନ୍ୟାୟର ଦୃଢ ପ୍ରତିବାଦ କରି ସ୍ବର ଉଠାଇବାର ସତ୍ ସାହସ କରିପାରେ ଜଣେ ଶିକ୍ଷକ। ଏମିତି  ଶିଶୁ ଶୋଷଣ ବିରୋଧରେ ଯଦି ସମସ୍ତେ ସ୍ବର ଉଠାଇ ପାରନ୍ତେ ଦେଖିବାକୁ  ମିଳନ୍ତା ନାହିଁ ହୋଟେଲ, ବା ଅନ୍ଯାନ୍ଯ ସ୍ଥାନେ ଅତ୍ଯାଚାରିତ ହେଉଥିବା ଶିଶୁମାନଙ୍କୁ। ସତରେ ଯୁଗେ ଯୁଗେ ଗୁରୁ ହିଁ ସମାଜର ପଥପର୍ଦଶକ ଆଉ ଗୁରୁ ହିଁ ସମାଜ ସଂସ୍କାରକ।ଯଥାର୍ଥରେ କୁହାଯାଇଛି" ତସ୍ମୈଶ୍ରୀ ଗୁରବେ ନମଃ।"

ମୁଁ ଆଜି ହୃଦୟର ଗଭୀରତମ ପ୍ରଦେଶରୁ ନମନ କରୁଛି ସେହି ଗୁରୁଙ୍କୁ। ଅନୁରୋଧ କରୁଛି ମାଆମାନଙ୍କୁ ଶାସନ ନାଁ ରେ ପିଲାମାନଙ୍କୁ ଏପରି ନୃଶଂସ ଭାବେ ଅତ୍ଯାଚାର ନ କରିବା ପାଇଁ। 



Rate this content
Log in

Similar oriya story from Inspirational