STORYMIRROR

Sachidananda Kar

Abstract

4  

Sachidananda Kar

Abstract

ତମ ଆମ କପାଳ

ତମ ଆମ କପାଳ

2 mins
239


          - " ଭାରି ଖୁସି ଜଣାପଡୁଛୁ ? " ପିତେଇକୁ ଖୁସି ଦେଖି ପଚାରିଲା ବଳିଆରା।


          - " ଦି' ଦିନ ତଳେ ତଳି ହାତ କରି ଦୁଇ ଶ' ଦେଇଥିଲି।ଆଜି ଦେଖିଲାବେଳକୁ ଗରିବ ତାଲିକାରେ ମୋ ନାଆଁ ଚଢିଛି।ଖୁସି ହେବିନି ? " ହସିଦେଇ କହିଲା ପିତେଇ।


          - " ଗରିବ ଦେଶରେ ଥାଇ ଗରିବ ତାଲିକାରେ ନାଆଁ ଚଢେଇବା ପାଇଁ ଦୁଇ ଶ' ! ଭଲ ଆଉ....! " ବଳିଆରା ଅସନ୍ତୋଷ ପ୍ରକାଶ କଲା।


          ପିତେଇ କହିଲା - " ଛାଡ ସେକଥା।ଏବେ ତ ମୁଁ ଖାଲି ଦିନ ଗଣୁଛି।ସପନ ଦେଖୁଛି।କେଉଁଦିନ ମୋର ଲଟେରୀ ଉଠିବ।ମତେ ପକ୍କା ଘର,ରାସନ୍ କାର୍ଡ,ଟଙ୍କିକିଆ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା ମିଳିବ।ଦୁଇ ଶ' ଟଙ୍କାର କ'ଣ ମୂଲ୍ୟ ଅଛି କହିଲୁ ? ହାଟକୁ ନେଇ ଗଲେ ପରା ବେଗ୍ ପୂରୁନାହିଁ। "


          ଦୁହେଁ ପ୍ରାୟ ସମବୟସ୍କ।ଗୋଟିଏ ଗାଆଁରେ ଘର।ଯିବା ଆସିବା ବାଟରେ ଦେଖା ସାକ୍ଷାତ ହୋଇଗଲେ ଘଡିଏ ଅଧେ କଥାବାର୍ତ୍ତା ହୁଅନ୍ତି ନିଶ୍ଚୟ।ତା' ପରେ ଯିଏ ଯାହା କାମରେ ଯାଆନ୍ତି।


          ବଳିଆରା ମଧ୍ଯମ ବର୍ଗର ମଣିଷ।ଚାଷ ଜମି ଅଛି।ହଳେ ବଳଦର ଚାଷ।ପକ୍କା ଘରେ ରହେ।ତେଣୁ ସରକାରୀ ଯୋଜନାରୁ ଲାଭ ପାଇବାକୁ ସ୍ବପ୍ନ ଦେଖେ ନାହିଁ।ସ୍ବାଧୀନ ଓ ଶାନ୍ତିର ଜୀବନ ବଞ୍ଚେ।


          ପିତେଇର କଥାଶେଷରେ ଏଥର ସେ କହିଲା - " ଏଇ ସ୍ବପ୍ନ ତ ଆଜି କିଛି ଲୋକଙ୍କ ତୁଣ୍ଡରେ ତାଲା ପକାଇ ରଖିଛି।ଖୁଣ୍ଟରେ ବନ୍ଧା ହୋଇଥିବା ବଳଦ ପରି ଜୀବନ ବଞ୍ଚୁଛନ୍ତି ସେମାନେ।କିଏ କେତେ ଖାଇଲା, କିଏ କ'ଣ ହଡପ କଲା,କେଉଁଠି କେତେ ଘୋଟାଲା ହେଲା - ସେକଥା ବେଳକୁ କ'ଣ ସେମାନେ ପାଟି ଫିଟାଇ ପାରୁଛନ୍ତି ? "


           ପିତେଇ ଛକପକ ହେଲା।କାରଣ ବୁଝିବାକୁ ଚାହିଁଲା ବେଳକୁ କହିଲା - " କିଛି କହନା।ଆଜିକାଲି ବାଟ - ଘାଟ,ହାଟ - ବଜାର, ଛକ ଜାଗା,ସଭା ଘର ଯେତେ ଯାହା କୁହ କିଛି ବି ନିରାପଦ ନୁହେଁ।ଯାହା ଯେତେବେଳେ କହିବାକୁ ଥିବ ବୁଝି ବିଚାରି କହିବାକୁ ପଡିବ।ଜଗି ରଖି କଥା ନ କହିଲେ ମଲ।ଏମିତି ଷଡଯନ୍ତ୍ର ରଚି ଦେବେ ଯେ ଛୋଟ ଛୋଟ କାମ ପାଇଁ ବି ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସ୍ ଯାଏ ଦୌଡି ଦୌଡି କପାଳ ଝାଇଁ ମାରିଯିବ।ତେଣୁ ହୁସିଆର। "


           ବଳିଆରା ଆଶ୍ଚର୍ଯ୍ୟ ହେଲା।ଏ ପିତେଇଟା କେତେ ଡରି ମରି ଜୀବନ ବଞ୍ଚୁଛି ସତରେ ! ମନକୁମନ କହିଲା।


           ପିତେଇ ପୁଣି କହିଲା - " ଶାଗ ପେଜର ଜୀବନ ଆମର।ଭୋକର ଜଣାଣ ଆମ କଣ୍ଠରେ ଭଲ ଲାଗିବ।କାହିଁକି ବଡ କଥାମାନ ତୁଣ୍ଡରେ ଧରିବା ! ତୁ କ'ଣ ଜାଣିନୁ - ଆଠଣା ଅର୍ଜିଲେ ପରା ମୋତେ ବାରଣା ସୁଝିବାକୁ ପଡୁଛି। " 


          ଆଜିର ଦୁନିଆକୁ ବୁଝିଛି ପିତେଇ।ନ ହେଲେ ଏମିତି ମଞ୍ଜ କଥା କହନ୍ତା ! ଯିଏ ଶାନ୍ତିରେ ଜୀବନ ଜୀଇବାକୁ ଚାହେଁ - ଯେତେ ସବୁ ହିଂସା, ପ୍ରତିହିଂସା,ପ୍ରତିଯୋଗିତାର ଦୁନିଆ ଭିତରକୁ ସେ ଯିବାକୁ ଚାହିଁବ କାହିଁକି ! ତେଣୁ ବିଚାର ମନ୍ଦ ନୁହେଁ। - ମନେମନେ କହିଲା ବଳିଆରା ଓ ତା'ର ବୁଦ୍ଧିକୁ ତାରିଫ୍ ବି କଲା।


          ପିତେଇ କାପୁରୁଷ ନୁହେଁ, ବରଂ ସେ ଗୋଟେ ସାହସୀ ମଣିଷ।- ଏବେ ଏମିତି ମନେକଲା ସେ।ଭାବିଲା - ହିଂସା, ପ୍ରତିହିଂସା, ଛନ୍ଦ, କପଟ ଯା'ର ଜୀବନକୁ ଛୁଇଁ ନାହିଁ,ସେ ଖାଲି ଜଣେ ସାହସୀ ମଣିଷ ନୁହେଁ, ଭଲ ମଣିଷ ମଧ୍ୟ।


         ଉଦାହରଣ ହୋଇ ତା' ସାମ୍ନାରେ ଠିଆ ହୋଇଥିଲା ପିତେଇ।ତାକୁ ସେ କହିଲା - " ତୁ ସିନା କହୁଛୁ ଯାହା କହିବା ବୁଝି ବିଚାରି ଜଗିରଖି କହିବା।ହେଲେ ମୁଁ କହୁଛି - କାହିଁକି କହିବା ? ଆମ ପରି ମଣିଷ ଚୁପ୍ ରହିବା ଭଲ।ତେଣୁ କେବେ କେଉଁଠି ଭଡ ଭଡ ହୁଏନାହିଁ।ଏଠି ଖଣ୍ଡା ଧରିଥିବା ଲୋକଟା ନିଜ ଅଜାଣତରେ ଖଣ୍ଡା ଧାରରେ ଚାଲିଥାଏ।ହାଣୁଥିବା ଲୋକ ବି ବେଳେବେଳେ ହଣା ଖାଏ। ଆମେ କ'ଣ ସେମିତି ହୋଇ ପାରିବା ? "


          ପିତେଇ ଗାମ୍ଭୀର୍ଯ୍ୟଭରା ହସ ହସିଲା।କହିଲା - " ଇଏ ତ ଆଜିକାଲିର କଥା ନୁହେଁ।ବାପ,ଅଜା,ଅଣ ଅଜା ଅମଳରୁ ତମ ଆମ କପାଳରେ ଏଇ ତ ଗୋଟିଏ ବୋଲି ଭାଗ୍ୟ। '


          ଗମ୍ଭୀର ହୁଁ ଟିଏ ମାରିଲା ବଳିଆରା।ମୁର୍କି ହସିଦେଇ ଅନ୍ୟମନସ୍କ ହେଲା।


          ପରେ ହାଲୁକା ହୃଦୟ ଗୋଟେ ଗୋଟେ ଧରି ଦୁହେଁ ନିଜ ନିଜ ବାଟରେ ଚାଲିଗଲେ।


Rate this content
Log in

Similar oriya story from Abstract