STORYMIRROR

Priyaranjan Biswal

Inspirational

3  

Priyaranjan Biswal

Inspirational

ତିନି ତୁଣ୍ଡରେ ଛେଳି କୁକୁର

ତିନି ତୁଣ୍ଡରେ ଛେଳି କୁକୁର

4 mins
262


     ଲିତିକା ଜଣେ ଅତି ସୁନ୍ଦରୀ, ସରଳ ଓ ଖୋଲା ହୃଦୟର ଯୁବତୀ । ବୟସ ତେଇଶି କିମ୍ବା ଚିବିଶି ହେବ। ଭାରି ନିର୍ଭିକ ଓ ପରୋପକରୀ ମଧ୍ଯ। ଘରେ ତାର ମାଆ, ବଡ ଭାଇ ଓ ସାନ ଭଉଣୀ ମଧ୍ଯ ରହନ୍ତି। ଘର ଲୋକଙ୍କର ଲତିକା ଥିଲା ଅତି ଗେଲ୍ହି। କେବଳ ଘରେ ନୁହେଁ ସାଇ ପଡିଶା, ସାଙ୍ଗ ସାଥୀ ଗହଣରେ ଲତିକା ଥିଲା ସମସ୍ତଙ୍କର ଅତିପ୍ରିୟ। ନେତୃତ୍ୱର ଗୁଣ ତା ଭିତରେ ଅନେକାଂଶରେ ଭରପୁର ହୋଇ ରହିଛି। ଲତିକା ସିନା ସବୁ କାମକୁ ଓ ସବୁ ପରିସ୍ଥିତିକୁ ବଡ ଲୋକଙ୍କ ପରି ସମ୍ଭଳି ନିଏ ହେଲେ ମନଟି ତାର ଛୋଟ ପିଲାଟିଏ ପରି। ଚୁଲୁବୁଲି ଚଗଲି।


    ଦିନେ ଲତିକା ନିଜର ସାନ ଭଉଣୀକୁ ତା ମୁଣ୍ଡରେ ତେଲ ଲଗେଇ ଦେବାକୁ କହିଲା। ଶୀତଦିନ ଥିବାରୁ ନଡିଆ ତେଲ ବୋତଲରୁ ତେଲ ବାହାରୁ ନଥାଏ, ତେଣୁ ଲତିକା ବୋତଲର ଠିପି ଖୋଲି ବୋତଲରୁ ତେଲ ଖୋଲି ତା ଭଉଣୀକୁ ଦିଏ। ଏଇ ସମୟରେ ଲତିକାର ଜଣେ ବାନ୍ଧବୀ ସାଇନା ବିବାହ ପରେ ପ୍ରଥମ ଥର ପାଇଁ ଲତିକା ଘରକୁ ବୁଲିବାକୁ ଆସି ପହଞ୍ଚିଲା ଲତିକାକୁ ଟିକିଏ ଭେଟିବା ପାଇଁ। ଦୁଇ ବାନ୍ଧବୀ ପରସ୍ପରକୁ ଅତି ନିକଟରେ ପାଇ ଆମୋଦିତ, ପ୍ରମୋଦିତ ଓ ଭାବବିହ୍ୱଳ ହୋଇ ପଡିଲେ। ଲତିକା ଓ ତାର ପରିବାର ସାଇନାର ଅତିଥି ସତ୍କାର କରିବାରେ ଲାଗି ପଡିଲେ। ସବୁ କିଛି ଭଲରେଭଲରେ ହେଲା। ଭୋଜନ ସାରି ସାଇନା ଫେରିଗଲା ନିଜ ଘରକୁ।


   ସନ୍ଧ୍ଯା ବେଳକୁ ଲତିକାର ମାଆ ପଚାରିଲେ ତୋ ହାତରୁ ସୁନା ମୁଦିଟା କୁଆଡେ ଗଲା? ଲତିକା କହିଲା ତେଲ ଲଗେଇଲା ବେଳେ ମୁଁ ସବୁବେଳେ ମୁଦି ଖୋଲିଦିଏ, ସେଇ ଟେବୁଲ୍ ଉପରେ ଥିବ ବୋଧେ। କହି ଟେବୁଲ୍ ଉପରେ ଖୋଜିଲା, କିନ୍ତୁ ମୁଦି ପାଇଲା ନାହିଁ। ଟେବୁଲ୍ ଉପରେ ମୁଦି ନପାଇ ଲତିକା ବ୍ଯସ୍ତ ହୋଇ ପଡିଲା। ଘରେ ସବୁଆଡେ ଖୋଜି ମଧ୍ଯ ନପାଇ ନିରାଶ ହେଲା। କଥା ଧିରେ ଧିରେ ସାଇ ପଡୋଶୀ ମାନଙ୍କ ପାଖରେ ପହଞ୍ଚିଲା। ପଡୋଶୀମାନେ ଏକଥା ଜାଣିବା ପରେ ଲତିକା ଓ ତା'ପରିବାର ଲୋକଙ୍କ ମୁଣ୍ଡରେ ସାଇନା ବିରୋଧରେ ବିଷ ଭରିବାକୁ ଆରମ୍ଭ କଲେ। ଆଉ କହିଲେ ଏତେ ଦିନ ହେଲା ହଜୁ ନଥିଲା ଆଉ ଆଜି ସିଏ ଘରୁ ଆସି ଗଲାପରେ ସୁନା ମୁଦିଟି ହଜିଗଲା। ତେଣୁ ତା'ଛଡା ଏ ସୁନା ମୁଦି ଆଉ କେହି ନେଇ ନାହାଁନ୍ତି।


   ଲତିକା କିନ୍ତୁ ଉଭୟ ଲୋକମାନଙ୍କୁ ଓ ସାଇନାକୁ ଭଲଭାବରେ ଜାଣିଥିଲା। ତେଣୁ ସେ ଲୋକମାନଙ୍କ କଥାରେ ସାଇନାକୁ ଏତେ ସହଜରେ ଅବିଶ୍ୱାସ କରିପାରୁନଥିଲା। କାରଣ ଲତିକା ଭଲ ଭାବରେ ଜାଣିଥିଲା ଯେ ଆଜି କାଲିର ଲୋକଙ୍କୁ ସଜ ମାଛରେ ପୋକ ଫୁଟେଇବା ପାଇଁ ବେଶି ସମୟ ଲାଗିବନି। କୁଆ ଉଡିଗଲେ ଲୋକେ ତାକୁ ଛୁଆ ଉଡିଗଲା ବୋଲି ଅବିହିତ କରିବାରେ ସିଦ୍ଧହସ୍ତ। ହେଲେ ବି ନିଜ ମୁଦି ହଜେଇ ଲତିକା ବହୁତ ଦୁଃଖରେ ଥାଏ।


   ଏମିତି ଏକ ଘଡି ସନ୍ଧି ମୂହୁର୍ତ୍ତରେ ଲତିକାର ମାଆଙ୍କୁ ପଡିଶା ଘରର ମାଉସୀ ପାଖ ଶନି ମନ୍ଦିରର ପୂଜକଙ୍କ ବିଷୟରେ କହିଲେ, ଯିଏ ନିଜର ଦୈବୀ ଶକ୍ତି ବଳରେ ହଜିଥିବା ଜିନିଷର ସନ୍ଧାନ କରିବାରେ ସମ୍ପୂର୍ଣ୍ଣ ପାରଙ୍ଗମ। ଏକଥା ଶୁଣିବା ପରେ ଲତିକାର ମାଆ ଲତିକାକୁ ଶନି ମନ୍ଦିରର ପୂଜକଙ୍କ ନିକଟକୁ ଯିବାକୁ କହିଥିଲେ। ଲତିକାର ଏସବୁ କରିବାକୁ ଇଛା ନଥିଲେ ମଧ୍ଯ, ମାଆଙ୍କ କଥାକୁ ସମ୍ମାନ ଜଣେଇ ଶନିବାର ଦିନ ସକାଳୁ ସକାଳୁ ସ୍ନାନ କାର୍ଯ୍ଯ ସାରି ଶନିମନ୍ଦିର ଯାଇ ପୂଜକଙ୍କୁ ଭେଟିଲା। ଆଉ ନିଜ ସମସ୍ଯା ସମ୍ପର୍କରେ ଜଣେଇଲା। ପୂଜକ ଲତିକା ନିକଟରୁ ତାର ସମସ୍ଯା ସମ୍ପର୍କରେ ଶୁଣିବା ପରେ କିଛି ସମୟ ପାଇଁ ଆଖି ବନ୍ଦ କରି ବସିଗଲେ ଆଉ ହଠାତ୍ ଆଖିଖୋଲି କହିଲେ ସେଦିନ ତୁମ ଘରକୁ ନୀଳ ରଙ୍ଗର‌ ଶାଢି ପିନ୍ଧି ଜଣେ ନବ ବିବାହିତା ଯୁବତୀ ଆସିଥିଲେ, ସିଏ ହିଁ ସେ ମୁଦିକୁ ନିଜ ସହିତ ନେଇଯାଇଛନ୍ତି।


   ପୂଜକଙ୍କ ନିକଟରୁ ଏମିତି ଉତ୍ତର ଶୁଣି ଲତିକା ବୁଝିଗଲା ଯେ ପୂଜକ ସାଇନା ବିଷୟରେ କହୁଛନ୍ତି। ପ୍ରଥମେତ ଲତିକା ବିଶ୍ୱାସ କରିପାରିଲା ନାହିଁ। ହେଲେ ପରେ ଲତିକା ଚିନ୍ତା କଲା ପୂଜକ କେମିତି ଜାଣିଲେ ସାଇନା ଆମ ଘରକୁ ନୀଳ ଶାଢି ପିନ୍ଧିକି ଆସିଥିଲା ବୋଲି? ତେଣୁ ତାଙ୍କ କଥାରେ ନିଶ୍ଚିତ କିଛି ସତ୍ଯତା ଅଛି। ଘରେ ପହଞ୍ଚିବା ପରେ ଲତିକା ସିଧା ସାଇନାକୁ କଲ୍ କରି କହିଲା ତୁ ଯେଉଁଦିନ ଆମ ଘରକୁ ଆସିଥିଲୁ ସେଦିନ ମୋର ଏକ ସୁନା ମୁଦି ହଜି ଯାଇଛି, ତେଣୁ ଯଦି ତୁ ନେଇଯାଇଛୁ ତାହେଲେ ଭଲରେ ଦେଇଦେ। ଏକଥା ଶୁଣିବା ପରେ ସାଇନା କହିଲା, ନାଁ ନାଁ ମୁଁ ତୁମ ସୁନା ମୁଦି କାହିଁକି ନେବି? ମୁଁ ନେଇନି। କହି ଫୋନ୍ କାଟିଦେଲା। କିଛି ସମୟ ପରେ ସାଇନାର ମାଆ ଲତିକାକୁ କଲ୍ କରି କହିଲେ ଆରେ ମାଆ ସିଏ କାହିଁକି ତୋ ମୁଦି ନେବ? ତାର କଣ ଅଭାବ ଅଛି? ଲତିକା କହିଲା ଦେଖନ୍ତୁ ମାଉସୀ ଅଭାବ ନଥିଲେବି ଜଣେ ଜଣେଙ୍କର ଗୁଣସୂତ୍ରରେ ଏପରି ଗୁଣ ଥାଏ, ଜିନିଷ ଦେଖିଲେ ଲୋଭ ଲାଗେ। ତେଣୁ ଏଥିରେ ତାର କିଛି ଦୋଷ ନାହିଁ। ମତେ କେବଳ ମୋ ମୁଦିଟି ଦରକାର, କହି ଫୋନ୍ କାଟି ଦେଲା। 


   ମୁଦି ହଜିବାର ଆଜିକୁ କୋଡିଏ ଦିନ ହୋଇଗଲାଣି। ସାଇନାର ମାଆ କଲ୍ କରି ଲତିକାକୁ କହିଲେ ଦେଖ୍ ମାଆ ସାଇନା ତୋ ମୁଦି ନେଇନି ବୋଲି କହୁଛି। ଆଉ ବାରମ୍ବାର ତାକୁ ଏ ବିଷୟରେ ପଚାରିବାରୁ ସେ ମଧ୍ଯ ମାନସିକ ଦୁଶ୍ଚିନ୍ତାରେ ରହୁଛି। ଆତ୍ମହତ୍ଯା କରିବ ବୋଲି କହିଲାଣି। ଏକଥା ଶୁଣି ଲତିକା ମନ ଦୁଃଖରେ ଫୋନ୍ କାଟିଦେଲା। ଆଉ ଏକୁଟିଆ ନିଜ କୋଠରୀରେ କାନ୍ଦିବାକୁ ଲାଗିଲା। ଶେଷରେ ମୁଦି କଥା ଭୁଲି ଆଗକୁ ବଢିବାକୁ ନିଷ୍ପତି ନେଲା ଲତିକା।


   ଏମିତି ଏମିତିରେ ପାଞ୍ଚରୁ ସାତ ଦିନ ବିତିଗଲା। ପୁଣିଥରେ ଲତିକା ମୁଣ୍ଡରେ ତା' ଭଉଣୀ ତେଲ ଲଗେଇ ଦେଉଥିଲା। ଆଉ ତେଲ ଲଗଉ ଲଗଉ କହିଲା ଦିଦି ଏଇ ବୋତଲ ମୁଁହଁରେ ଚାରିକଡେ କଣ କଣ କଳାକଳା ମେଞ୍ଚେ ଲାଗିଛି, ଖୋଲିଦେବିକି? ଲତିକା କହିଲା ହଁ ଖୋଲି ଦେ। ମୁଁ ବି ବହୁତ ଥର ଦେଖିଲିଣି, ଖୋଲିବି ଖୋଲିବି ଭାବୁଛି କିନ୍ତୁ ଖୋଲି ପାରୁନି। ମୋର ମନେ ପଡୁନି। ଲତିକାର ଭଉଣୀ ସେ ମଳିଆକୁ ବୋତଲରୁ କାଢିଲା ବେଳକୁ ଜଣା ପଡିଲା ତାହା ମଳିଆ ନଥିଲା, ତାହା ଥିଲା ଲତିକାର ସେଇ ହଜି ଯାଇଥିବା ମୁଦି।


   ଏବେ ଲତିକା ସବୁ ବୁଝିଗଲା। ତାର ମନେ ପଡିଗଲା ଯେ ଗତ ଥର ଶୀତ କାରଣରୁ ବୋତଲରୁ ତେଲ ନବାହାରିବାରୁ ଲତିକା ତେଲ ବୋତଲର ସରୁ ମୁଁହଁରେ ଆଙ୍ଗୁଳି ପୁରେଇ ତେଲ ଖୋଲି ନିଜ ଭଉଣୀ ହାତକୁ ଦେଉଥିଲା, ଆଉ ତା ଭଉଣୀ ସେ ତେଲକୁ ଲତିକାର ମୁଣ୍ଡ ବାଳରେ ଲଗେଇ ଦେଉଥିଲା। ହେଲେ ସେଇ ଆଙ୍ଗୁଲିରେ ପିନ୍ଧିଥିବା ମୁଦି ଖୋଲିବାକୁ ଭୁଲିଯାଇଥିଲା, ଯାହାଫଳରେ ମୁଦିଟି ତା' ଅଜାଣତରେ ବୋତଲ ମୁଁହଁରେ ଅଟକି ଯାଇଥିଲା। 


   ମୁଦି ପାଇ ଲତିକା ଖୁସି ହୋଇଗଲା ସତ ମାତ୍ର ସେ ସାଇନା ପ୍ରତି କରିଥିବା ବ୍ଯବହାର ପାଇଁ ଗଭୀର ମର୍ମାହତ ଥିଲା। ତିନି ତୁଣ୍ଡରେ ଛେଳି କୁକୁର ପରି ସାଇ ପଡିଶା ଲୋକ ଓ ମନ୍ଦିର ପୂଜକ ମିଶି ସାଇନାକୁ ଚୋରଣୀ ଭାବେ ଚିତ୍ରିତ କରି ଦେଇଥିଲେ ଲତିକା ଓ ତାର ପରିବାର ସାମ୍ନାରେ।


   ତେବେ ନିଜର ବ୍ଯବହାର ପାଇଁ ଲତିକା ସାଇନା ଓ ତାର ମାଆକୁ କ୍ଷମା ମାଗିବାର ନିଷ୍ପତି ନେଲା। କୁହାଯାଏ ନିଜ ଆଖିକୁ କେବେ ଆଙ୍ଗୁଳି ଯାଏନି। ହେଲେ ଲତିକା ଥିଲା ସମ୍ପୂର୍ଣ୍ଣ ଅଲଗା। ଭାଗବତରେ କୁହାଯାଇଛି, ଦଣ୍ଡିବା ଶକ୍ତି ଯାର ଥାଇ, ସେ ପୁଣି କ୍ଷମା ଆଚରଇ। ତେଣୁ ସଂସାରରେ ଯେଉଁ ବ୍ଯକ୍ତି ନିଜର ଭୁଲକୁ ନିଜେ ସ୍ୱୀକାର କରି କ୍ଷମା ଭିକ୍ଷା କରିପାରେ ସେ ହିଁ ପ୍ରକୃତ ମଣିଷ। ଏହି ପରିପ୍ରେକ୍ଷିରେ ଲତିକା ସାଇନା ଘରକୁ ଯାଇ ନିଜ ବ୍ଯବହାର ପାଇଁ ଉଭୟ ସାଇନା ଓ ତାର ମାଆକୁ କ୍ଷମା ମାଗିଲା। ସେମାନେ ବି ଲତିକାର ଅବସ୍ଥାକୁ ବୁଝି ତାକୁ କ୍ଷମା କରିଦେଲେ। ଆଉ ଲତିକା ଏବଂ ସାଇନାର ସମ୍ପର୍କ ପୂର୍ବଠାରୁ ଆହୁରି ମଜଭୁତ ହୋଇଗଲା।


Rate this content
Log in

Similar oriya story from Inspirational