Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Snigdha Mishra

Romance

4.7  

Snigdha Mishra

Romance

ତିନି ବସନ୍ତର କାହାଣୀ

ତିନି ବସନ୍ତର କାହାଣୀ

8 mins
602


ବସନ୍ତ ଆସେ,ଫେରି ବି ଯାଏ । କେତେ ସ୍ମୃତି ଅନୁଭୁତିର ଆସର ପଛରେ ଛାଡ଼ିଯାଏ । ହଁ, ଋତୁଚକ୍ରରେ ଆହୁରି ବି ଋତୁ ଆସେ । କିନ୍ତୁ ବସନ୍ତର ମାଦକତା ବାସ୍ ବସନ୍ତ ହିଁ ବ୍ୟାଖ୍ୟା କରିପାରେ । ଏମିତି ହିଁ ତ ଋତୁରାଜ କୁହାଯାଏନି ନା ତାକୁ । ଜୀବନର ୫୦ ବସନ୍ତ ଦେଖି ସାରିବା ପରେ, ଅନେକ ସ୍ମୃତି ସାଉଁଟିବା ପରେ ବି ଜୀବନର ସେଇ ତିନୋଟି ବସନ୍ତ ମୋ ମାନସପଟରେ ଅଲିଭା ହୋଇ ରହିଛି  । ଯେଉଁ ତିନି ବସନ୍ତ ମୋ ଜୀବନର ତିନି ଯୁଗଠୁ କିଛି କମ୍ ନଥିଲେ । କୋଉ ବସନ୍ତରେ ମଦମତ୍ତ ହୋଇଛି ତ, କେଉଁ ବସନ୍ତରେ ବିରହ ନିଆଁରେ ଅହରହ ଜଳିଛି । ତେବେ ପ୍ରତିଟି ବସନ୍ତ କିଛି କିଛି ସ୍ମୃତି ଛାଡ଼ି ଯାଇଛି ମୋ ଅଣ୍ଟିରେ । ବାସ୍ ସେଇ ତିନି ବସନ୍ତର କାହାଣୀ ଇଏ ।

ପ୍ରଥମ ବସନ୍ତ ଆସିଥିଲା ଜୀବନରେ ପାଦ ଚିପି ଚିପି, ନୀରବରେ ଆଉ ଅଜାଣତରେ  । ଅଗୋଚରରେ ମୁଁ ତାର ସାନ୍ନିଧ୍ୟରେ ମତୁଆଲା ହୋଇଉଠିଲି । ୧୩ ତମ ବସନ୍ତର କଥା ଏ । କିଶୋର ବୟସର ପ୍ରଥମ ପାହାଚରେ ପ୍ରଥମ ପ୍ରେମର ପହିଲି ସ୍ପର୍ଶରେ ନିର୍ବୋଧ ମନ ମୋର ନୂଆ ଅନୁଭବରେ ବିଭୋର ହେବା ଶିଖିଲା । ନିହାର...ହଁ ଏଇ ନାଁଟି ତ ଜୀବନରେ ପ୍ରେମର ପ୍ରଥମ ଅନୁଭୂତି ସାଜି ଆସିଥିଲା ମୋ ପାଇଁ । ଆମେ ସହପାଠୀ ଥିଲୁ । ଏମିତି କିଛି ସ୍ୱତନ୍ତ୍ର ଯୋଜନା ନଥିଲା ନିହାରର ମନ ସହିତ ମୋ ମନ ଯୋଡ଼ି ହେବାର । ବାସ୍ ହେଇଗଲା । ସ୍କୁଲ ସମୟର ଚୋର ଚାହାଣୀର ମିଳନରୁ ଆନ୍ତରିକତାର ବୀଜ ଅଙ୍କୁରିତ ହେବା ଆରମ୍ଭ ହେଲା । ଗୁରୁଜନ ତଥା ଅନ୍ୟ ମାନଙ୍କ ନଜରରୁ ଦୂରେ କେତେ ବେଳେ ହୃଦୟ ଦିଆନିଆ ହେଲା ସେ କଥା ଦୁହିଁଙ୍କୁ ଅଜଣା । ଭଲ ଲାଗୁଥିଲା ମତେ ଯେବେ ନିହାରର ସମସ୍ତଙ୍କୁ ଠୁ ନଜର ଲୁଚେଇ ମତେ ଚାହେଁ । ଯେବେ ଦୂରରୁ ଦେଖି ଅଳ୍ପ ହସି ଦିଏ । ସେ ଅନୁଭବକୁ କେମିତି ବ୍ୟାଖ୍ୟା ଦିଆ ଯିବ ମୁଁ ଜାଣିନି । କିନ୍ତୁ ପହିଲି ପୁଲକରେ ମନ ପ୍ରାଣ ଉଲ୍ଲସିତ ହୋଇ ଉଠୁଥିଲା । ନିରୀହ ହୃଦୟ ପ୍ରେମର ଜଟିଳତା ଜାଣି ନଥିଲା ସେତେବେଳେ । ବାସ୍ ନିର୍ବାକ୍ ଭାବେ ସ୍ବପ୍ନ ଦେଖୁଥିଲା । ସେଥର ବସନ୍ତ ମନ ଉପବନରେ ଫଗୁଣର ରଙ୍ଗ ବିଛେଇ ଦେଇଥିଲା  । ଶୀତ ସକଳାର ଶିଶିର ବିନ୍ଦୁ ପରି ଏକ ଶୀତଳ ଆସ୍ତରଣ ମନକୁ ଆବୋରି ବସିଥିଲା । ଅବୋଧ ପ୍ରାପ୍ତି ବି କୋଉ ସମରରେ ବିଜୟ ଟୀକା ପାଇବାଠୁ କିଛି କମ ନଥିଲା । ଭିନ୍ନ ଏକ ଉତ୍ସାହ, ଭିନ୍ନ ଉଦ୍ଦୀପନାରେ ଶତମୁଖ ଥିଲା ମନ  । ଆଇନାରେ ନିଜକୁ ଚାହିଁ ଅନେକ ବେଳ ଯାଏଁ ବସି ରହିବାକୁ ଭଲ ଲାଗୁଥିଲା । ଆଉ ଯେତେ ବେଳେ ସେ ଚାହିଁ ଦିଏ ଲାଗୁଥିଲା ଯେମିତି ମୁଁ ସବୁଠୁ ସୁନ୍ଦର ।

ସମୟ ଗଡି ଚାଲିଲା  । ସୁନ୍ଦର ଅନୁଭୂତିରେ ବିଭୋର ହେଉ ହେଉ ସେ ବସନ୍ତର ଅବଧି ଯେ ଶେଷ ହୋଇଯିବ ସେ କଥା କେବେ ମନକୁ ଆସିନଥିଲା ଭାବି ଥିଲି ଏ ବସନ୍ତ ମୋର ଶେଷ ବସନ୍ତ । କିନ୍ତୁ ସେ ବସନ୍ତ ଚିରସ୍ଥାୟୀ ହେଲା ନାହିଁ । ବୟସର ପାହାଚରେ ଉପରକୁ ଚଢୁ ଚଢୁ ନିହାର ଆଉ ମୋର ମାନସିକତା ଆଉ ଚିନ୍ତାଧାରା କ୍ରମେ କ୍ରମେ ଭିନ୍ନ ହେବାରେ ଲାଗିଲା  । ଅଭିମାନରୁ ଆରମ୍ଭ ହୋଇଥିବା ଦୂରତା ବିଚ୍ଛେଦର ସ୍ୱାଦ ଯେ ଚାଖିବ ଦିନେ ସେ କଥା ମୁଁ ତ କେବେ ଭାବି ନଥିଲି ।  ତଥାପି ସେଇ ବସନ୍ତ ମୋ ଜୀବନରୁ ବିଦାୟ ନେଲା । ଆମ ରାସ୍ତା ଅଲଗା ହେଲା । ହଁ, କିନ୍ତୁ ପ୍ରଥମ ପ୍ରେମର ପହିଲି ସ୍ମୃତି ସବୁ ଡାଏରୀର ଫର୍ଦ୍ଦରେ ଅଲିଭା ରହିଲା । ପ୍ରଥମ ପ୍ରେମର ଅନୁଭବ ଯେମିତି ମତୁଆଲା କରେ ତା ବିଚ୍ଛେଦ ବି ସେମିତି ଯନ୍ତ୍ରଣାଦାୟକ ହୋଇଥାଏ । ସେଇ ଯନ୍ତ୍ରଣା ସହିତ ସାଲିସ୍ କରୁ କରୁ ଜୀବନରେ ପାଦ ଥାପିଲା ଦ୍ୱିତୀୟ ବସନ୍ତ ।

ପ୍ରଥମ ବସନ୍ତ ପରି ଦ୍ୱିତୀୟ ବସନ୍ତ ରୋମାଞ୍ଚକର ନଥିଲା । ଆଉ ନା ହିଁ ମତୁଆଲା କଲା ପରି ଅନୁଭୂତି ଥିଲା । କିନ୍ତୁ ସେଇ ବସନ୍ତ ଯେ ଜୀବନର ଢ଼େର୍ ଶିକ୍ଷା ମତେ ଦେଇଗଲା ଆଉ ଜୀବନକୁ ଦେଖିବାର ଦୃଷ୍ଟିକୋଣ ମୋର ବଦଳେଇ ଦେଲା ଏଥିରେ ଦ୍ବିମତ ନାହିଁ । ଶୁଭଙ୍କର....ଏ ଥିଲା ମୋ ଜୀବନର ଦ୍ୱିତୀୟ ବସନ୍ତର ନାଁ । ପ୍ରଥମ ପ୍ରେମର ବିଚ୍ଛେଦ ଯନ୍ତ୍ରଣା ସହ ଜୁଝୁ ଜୁଝୁ ସାମ୍ନା ହେଲା ମୋର ଶୁଭଙ୍କରଙ୍କ ସହିତ । ଜୀବନର ୧୯ ତମ ବସନ୍ତ ସେ । ଅବୋଧ ପ୍ରେମର ଆଘାତ ମତେ ପ୍ରେମ ବିମୁଖ କରିପକାଇଥିଲା । ଲାଗୁଥିଲା ଯେମିତି ମୋର ସେ ଅଧୁରା କାହାଣୀ କେବେ ଭୁଲି ପାରିବିନି ଆଉ ଜୀବନରେ କେବେ କାହାକୁ ହୃଦୟ ଦେଇପାରିବିନି । କିନ୍ତୁ ମୋର ସମ୍ପୂର୍ଣ୍ଣ ଚିନ୍ତାଧାରା ବଦଳେଇ ରଖିଦେଲେ ଶୁଭଙ୍କର । ବୟସରେ ମୋ ଠୁ 3-4 ବର୍ଷ ବଡ଼ ଥିଲେ ସେ ।  ଆସ୍ତେ ଆସ୍ତେ ସେ ମୋର ଜୀବନର ଆଧାର ସାଜିବାରେ ଲାଗିଲେ । ହୁଏତ ପ୍ରଥମ ଥର ପାଇଁ ମୁଁ ବାସ୍ତବ ପ୍ରେମର ଅନୁଭୂତି କରୁଥିଲି । କାରଣ ଏ ପ୍ରେମ ଅବୋଧ ନଥିଲା । ଚପଳତା ନଥିଲା ପୂର୍ବ ପରି । କିଛି ମାତ୍ରାରେ ପରିପକ୍ଵତା ଥିଲା ଏଥିରେ । ମହାନଦୀର କୂଳେ କୂଳେ ଆରମ୍ଭ ହୋଇ କାଠଯୋଡିର ସ୍ବର୍ଣ୍ଣମ ବାଲୁକାରେ କବିତାର ଛନ୍ଦ ପରି ଆମ ସମ୍ପର୍କର ସୁଅ ଚାଲିଥିଲା । ବେଳକୁ ବେଳ ଶୁଭଙ୍କରଙ୍କ ପାଇଁ ମୋ ହୃଦୟର ଆବେଗ ସବୁ ଗଭୀରରୁ ଗଭୀରତର ହେବାରେ ଲାଗିଥିଲା । ଲାଗୁଥିଲା ହଁ ଏ ହିଁ ତ ମୋର ଜୀବନର ଅନ୍ତିମ ବସନ୍ତ ଯାହା ଚିରସବୁଜ ହୋଇ ରହିବ । ଭବିଷ୍ୟତକୁ ନେଇ କାହିଁ କେତେ ସ୍ୱପ୍ନର ଉଆସ ମୁଁ ଗଢି ସାରିଥିଲି । ସେ ବି ତ ମୋ ସ୍ୱପ୍ନର ସହଭାଗୀ ହୋଇଥିଲେ । ମତେ ଏକ ନୂତନ ଜୀବନର ସ୍ୱପ୍ନରେ ବିଭୋର ହେବା ଶିଖାଇଥିଲେ । ମୁଁ ଶୁଭଙ୍କରଙ୍କୁ ପ୍ରଗାଢ ଭାବେ ଭଲ ପାଇ ବସିଥିଲି ଏହା ପ୍ରଥମ ପ୍ରେମଠାରୁ ଢ଼େର ଗଭୀର ଥିଲା । ତାଙ୍କ ସହ ଆୟୁଷ ସାରା ସାଥୀ ହୋଇ ରହିବାର ସ୍ବପ୍ନ ଦେଖୁଥିଲି । ହେଲେ ସବୁ ସ୍ବପ୍ନ କ'ଣ ସତ ହୁଏ? ନା ହଉନଥିବ...ହଉଥିଲେ ମଣିଷ ଏମିତି ଦହଗଞ୍ଜ ହୋଇ ମରୁଥାନ୍ତା କାହିଁକି ବା । ଯେତେବେଳେ ଶୁଭଙ୍କରଙ୍କ ପ୍ରେମର ସାଗରରେ ମୁଁ ଅଥଳ ଗଭୀରତାରେ ପହଁଚି ସାରିଥାଏ,ପ୍ରେମର ଉପତ୍ୟକାରେ ମରୁଝଡ଼ କେଜାଣି କୋଉଠୁ ଚାଲି ଆସିଲା । ଅନୁଭବ କରୁଥିଲି ଆମ ଭିତରେ ଧୀରେ ଧୀରେ ମାଡି ଆସୁଥିବା ଦୁରତାକୁ । ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କର ମୋ ପ୍ରତି ବିମୁଖତାକୁ ବି ବେଶ୍ ବାରିପାରୁଥିଲି । ଶୁଣାଇ ଦେଲେ ସେ ଦିନେ ଯେ ସେ ମୋ ସହିତ ଜୀବନ ବିତେଇବାକୁ ଚାହାନ୍ତିନି । ଶକ୍ତ ଧକ୍କା ପାଇଥିଲା ହୃଦୟ ସେ ଦିନ । ମୁଁ ଚୁପ୍ ହୋଇଗଲି । କଷ୍ଟ ହେଉଥାଏ କିନ୍ତୁ ମୁଁ ସ୍ଥାଣୁ ପାଲଟି ସାରିଥାଏ । ଆଖିରୁ ଲୁହ ବି ଶୁଖି ସାରିଥାଏ । ମୋ ଜୀବନର ହୁଏତ ସବୁଠୁ କଷ୍ଟଦାୟୀ ସମୟ ଥିଲା ସେ । ନିଜକୁ ପରିତ୍ୟକ୍ତା ପରି ମନେ ହେଉଥାଏ  ।  ଚାହୁଁ ଚାହୁଁ ସ୍ୱପ୍ନ ସବୁ ମୋର ଚୁରମାର ହୋଇଗଲା । ଆଉ ମୁଁ ନିଶ୍ଚଳ ହୋଇ ସେ ଭଙ୍ଗା ଖଣ୍ଡ ସବୁକୁ ଚାହିଁ ରହି ଥାଏ ।  କିନ୍ତୁ ଯନ୍ତ୍ରଣାର ଅବଧି ଏଠି ସରିନଥିଲା । ସେ ପୁଣି ଫେରି ଆସିଲେ,ପୂର୍ବ ପରି ନିଜ ପ୍ରେମର ନିବେଦନ କଲେ । ମନରେ ତାଙ୍କ ପାଇଁ ପ୍ରେମର ଗଭୀରତା ବାକି ଥିଲା ନା ଆଉ କିଛି ମୁଁ ଜାଣେନା କିନ୍ତୁ ତାଙ୍କୁ ମୁଁ କ୍ଷମା କରିଦେଲି । ଏତେ କଷ୍ଟ ଏତେ ଯନ୍ତ୍ରଣା ପରେ ବି ତାଙ୍କୁ ଆଦରି ନେଲି । କିନ୍ତୁ ସ୍ବପ୍ନ ସବୁ ଗଢିବାକୁ ପୁଣି ଡର ଲାଗୁଥିଲା । ପରବର୍ତ୍ତୀ ସମୟରେ ମୋ ଡର ସତ ବି ହେଲା । ତାଙ୍କ ସାହଚର୍ଯ୍ୟ ମୋ ଭାଗ୍ୟରେ ବେଶି ଦିନ ନଥିଲା । ମୋ ଦେଇ ଅଜାଣତରେ କିଛି ଭୁଲ ହେବାରୁ ମତେ ଭୁଲ ବୁଝି ସେ ପୁଣି ଦୂରେଇ ଗଲେ ମୋଠୁ । ଯାହାର କେତେ କେତେ ଭୂଲକୁ ଭୁଲି ମୁଁ ତାଙ୍କୁ ନିଜର କଲି ସେ ମୋର ଗୋଟେ ଭୂଲ ପାଇଁ ମୋ ସାଥ ଛାଡ଼ି ମତେ ଏକା କରି ଦୂରେଇ ଗଲେ । ଭାରି ରାଗ ଆସିଲା ପ୍ରଥମେ ପ୍ରଥମେ । ଝଗଡା ହେଲା, ମତାନ୍ତର ହେଲା । କିନ୍ତୁ ସେ ରହିଲେନି । ତାଙ୍କର ଯିବାର ଥିଲା ସେ ଚାଲିଗଲେ । ଯାଉ ଯାଉ ମତେ ତାଙ୍କ ଜୀବନର ଏକ ଅଲୋଡ଼ା ଅତିଥି ସଜେଇ ଦେଇ ଗଲେ । ଚେଷ୍ଟା କଲି ସେ ସମ୍ପର୍କକୁ ବଞ୍ଚେଇବାର କିନ୍ତୁ ସବୁଥର ତାଙ୍କଠାରୁ ହତାଦର ପାଇଲି । ଶେଷରେ ହାର୍ ମାନିଗଲି । ଥକି ପଡିଥିଲା ମୋ ଅସ୍ତିତ୍ବ ମୋ ହୃଦୟ ଆଉ ମୁଁ । ଯିବାକୁ ଦେଲି ତାଙ୍କୁ । ବାନ୍ଧିରଖିଲିନି । କିନ୍ତୁ ଏସବୁ ମନକୁ ଏକ ଦମ୍ ମାରି ଦେଇଥିଲା ମୋର  । ସ୍ବପ୍ନ ଦେଖିବା, ଖୁସି ହେବା, ବଂଚିବା ଏସବୁର ଯେମିତି କିଛି ମାନେ ରହିଲାନି । କେତେ କେତେ ନିଦହରା ରାତିରେ ତକିଆ ଭିଜିଲା ମୋର ଅଶ୍ରୁରେ । ହଜାର ଥର ନିଜକୁ ପ୍ରଶ୍ନ କଲି ସତରେ କଣ ସବୁ ଭୁଲ କେବଳ ମୋର ଥିଲା । ମୋ ଅସ୍ତିତ୍ୱର କ'ଣ କିଛି ମୂଲ୍ୟ ନାହିଁ । ଭାରି ଅସ୍ତବ୍ୟସ୍ତ କରି ପକାଇଲା ସେ ବସନ୍ତ ମତେ । ମନ,ପ୍ରାଣ,ହୃଦୟ ସବୁ ଆଘାତପ୍ରାପ୍ତ ହେଲା । ଆଶା,ଆକାଂକ୍ଷା ଉପରୁ ବିଶ୍ୱାସ ଉଠିଗଲା । ଦ୍ୱିତୀୟ ବସନ୍ତ ମୋ ବେଦନା,ବିରହ,ଯନ୍ତ୍ରଣାର ମୁକ ସାକ୍ଷୀ ସାଜିଲା । ବେଳେ ବେଳେ ଭାବେ ଦ୍ୱିତୀୟ ବସନ୍ତ ନ ଆସିଥିଲେ ଜୀବନର ମୋଡ଼ ମୋର ଏକ ଦମ୍ ଭିନ୍ନ ଥାନ୍ତା । କିନ୍ତୁ ଜୀବନ କ'ଣ କେବେ କାହା ପାଇଁ ଅଟକି ରହିଛି? ସମୟ ବିତିଲା । ନିଜ ପାଇଁ ବଂଚିବା ଶିଖିଲି ମୁଁ । ଆଉ କାହା ଉପରେ ନିଜ ଖୁସି ନ୍ୟସ୍ତ କରିବା ଅପେକ୍ଷା ନିଜ ଉପରେ ଗୁରୁତ୍ୱ ଦେଲି । ନିଜକୁ ଭଲ ପାଇବା ଶିଖିଲି । ଚାହୁଁ ଚାହୁଁ ଦ୍ୱିତୀୟ ବସନ୍ତ ମଧ୍ୟ ଜୀବନରୁ ଅପସରି ଗଲା । ସେ ବସନ୍ତର ମଧୁର ଆଉ ମୁଖ୍ୟତଃ ତିକ୍ତ ଅନୁଭୂତି ସବୁକୁ କେଉଁ ଏକା ଅନ୍ଧାର କୋଣରେ ଲୁଚେଇ ରଖିଲି ।

ଜୀବନରେ ଋତୁ ପରିବର୍ତ୍ତନ ହେଉ ଥାଏ । ଚପଳାମି, ନିର୍ବୋଧ ପଣିଆ ଛାଡ଼ି ମୁଁ ପରିପକ୍ଵତା ଆଡ଼କୁ ଅଗ୍ରସର ହେଉଥାଏ । ଏକାକୀତ୍ୱକୁ ଭଲ ପାଇବା ମୁଁ ଶିଖି ଯାଇଥିଲି । ସାଥି ସହଚରର ଆକାଂକ୍ଷା ନଥିଲା ଆଉ  । ଭାବିନେଲି ଜୀବନ ଏଇମିତି କଟିଯିବ । କିନ୍ତୁ ମୁଁ ଯାହା ଚାହେଁ ତାହା ସବୁବେଳେ କୋଉଠି ହୁଏ ଯେ ।

୬ ବର୍ଷ ବିତିଗଲା ଏ ଭିତରେ । ଗୋଟେ କଲେଜରେ ଅଧ୍ୟାପିକା ଭାବେ ମୁଁ ଯୋଗ ଦେଇଥାଏ । ଜୀବନ ଠିକ୍ ଠାକ୍ ଚାଲିଥାଏ । କିନ୍ତୁ ଗୋପନରେ ପାଦ ଥାପିଲା ତୃତୀୟ ବସନ୍ତ । ଆଲୋକ....ହଁ ଆଲୋକ ମୋ ଜୀବନର ତୃତୀୟ ବସନ୍ତ ସାଜି ଆସିଲେ । ତେବେ ଏ ବସନ୍ତରେ ଚପଳତା ନଥିଲା,ନଥିଲା ଯନ୍ତ୍ରଣା । ନିରାଶାର ତମସାରେ ସେ ବାସ୍ତବିକ ମୋର ଆଲୋକ ହୋଇ ଆସିଥିଲେ । ଔପଚାରିକତା ନଥିଲା କିଛି ଆମ ସମ୍ପର୍କର । ଆଲୋକଙ୍କ ସହିତ ମୋର ସମ୍ପର୍କ ଯୋଡ଼ି ହେଲା ସେବେ ଯେତେବେଳେ ବାପାଙ୍କ ମନ ରଖି ମୁଁ ବିବାହ ପାଇଁ ରାଜି ହୋଇଥିଲି । କିନ୍ତୁ ପରବର୍ତ୍ତୀ ସମୟରେ ନିଜର ସେଇ ନିଷ୍ପତ୍ତି ପାଇଁ ଖୁସି ଲାଗେ । ହୁଏତ ମୋ ଜୀବନର ସବୁଠୁ ସଠିକ୍ ନିଷ୍ପତ୍ତି ଥିଲା ମୋର ତୃତୀୟ ବସନ୍ତ । ଜୀବନର ରାସ୍ତାରେ ସହଚରଟିଏ ସାଜିଲେ ଆଲୋକ ମୋର । ଅସୀମ ସାଗର ପରି ଶାନ୍ତ ତଥା ବିସ୍ତୃତ ତାଙ୍କ ହୃଦୟ । ପରିପକ୍ଵତାର ଅନନ୍ୟ ପ୍ରତିମା ସେ । ଜୀବନରେ ପ୍ରଥମ ଥର ଏମିତି କାହା ସହ ଦେଖା ହେଲା ଯେ ମତେ ବୁଝିବାକୁ ଚେଷ୍ଟା କଲେ । ଆଉ ମତେ ନିଃସ୍ୱାର୍ଥପର ଭାବେ ଭଲ ପାଇଲେ । ସମୟ ଲାଗିଲା । କିନ୍ତୁ ଶେଷରେ ହୃଦୟ ମୋର ଆଲୋକଙ୍କ ଦ୍ୱାରା ଅଧିକୃତ ହେଲା । ପ୍ରକୃତ ଜୀବନ ସାଥୀର ସଂଜ୍ଞା ସେ ମୋର  । ବର୍ଷା ରାତିର ନୀରବତାରେ,ଶୀତ ସକାଳର ଉଷୁମ କିରଣ ତଥା ନିଦାଘ ସନ୍ଧ୍ୟାରେ ଶୀତଳ ସମୀରଣ ସବୁ କିଛିର ଭିନ୍ନ ଏକ ଅନୁଭୂତିରେ ଉଦବୁଦ୍ଧ ହେଲା ମୋ ଅନ୍ତର । ଆଲୋକ ଖୁବ୍ ସୁନ୍ଦର କବିତା ଲେଖନ୍ତି । ଆଉ ମତେ ନାୟିକା ସଜାନ୍ତି ତାଙ୍କ ସବୁ କବିତାରେ । ଆଜି ବି ମନେ ପଡ଼ି ଯାଏ ତାଙ୍କର କିଛି ପଂକ୍ତି -

"ଚାଲ ନା ବିଭୋର ହେବା ଥରେ

ଜୀବନର ରଙ୍ଗରେ

ସ୍ୱପ୍ନର ସଙ୍ଗରେ

ମତୁଆଲା କଳ୍ପନା ଆଉ ମଧୁର ବାସ୍ତବତା

ସବୁକୁ ସଜେଇ ଲେଖିବି କବିତା

ଆଉ ସବୁଥିରେ

ତୁମେ ହେବ ମୋର ନାୟିକା"

ଖୁବ୍ ଭଲ ଲାଗେ ତାଙ୍କ ଲେଖା ସବୁ । ସମୟ ସହିତ ଆମ ଆନ୍ତରିକତା ବି ପ୍ରଗାଢ ହେବାରେ ଲାଗିଲା । ଆମେ ହେଲୁ ପରସ୍ପରର ପରିପୁରକ । ବାସ୍ତବିକ କହିବାକୁ ଗଲେ ଆଲୋକ ହିଁ ମତେ ସମ୍ପୂର୍ଣ୍ଣ କଲେ ତାଙ୍କ ସାନ୍ନିଧ୍ୟରେ । ମୁଁ ଅଭିମାନ କରିପାରେନି ତାଙ୍କ ଉପରେ । ତାଙ୍କ ମୁଖ ମଣ୍ଡଳର ସେ ଜ୍ୟୋତି ହୃଦୟର ସବୁ ଦ୍ବନ୍ଦ୍ୱକୁ ପ୍ରଶମିତ କରି ଦିଏ । ପ୍ରକାଣ୍ଡ ବରଗଛ ତଳର ଛାଇରେ ଯେପରି ପ୍ରଶାନ୍ତି ଥାଏ, ତାଙ୍କ କଥା ପଦକରେ ଭରି ରହି ଥାଏ ସେପରି ନୀରବ ଆଶ୍ୱାସନା । ତାଙ୍କ ସାହଚର୍ଯ୍ୟ ସତେ ମତେ ଏକ ଭିନ୍ନ ପରିଚୟ ଦେଉଥିଲା । ମୋ ଭିତରେ ଭିନ୍ନ ଏକ ପରିବର୍ତ୍ତନ ହେଉଥାଏ । ଯାହା ମତେ ଗଭୀର ସନ୍ତୋଷ ଯୋଗେଇ ଦେଉଥାଏ ।

କିଛି ବର୍ଷ ପରେ ଆମ ଦୁହିଁଙ୍କୁ ସମ୍ପୂର୍ଣ୍ଣ କରିବାକୁ ଆମ ଜୀବନକୁ ଆସିଲା ଆମ ଝିଅ "ସମୃଦ୍ଧି" ମୋର ସବୁଠୁ ସୁନ୍ଦର ବସନ୍ତରେ । ଜୀବନ ଆଉ କ'ଣ ଅଧିକା ଚାହେଁ ।

ବେଳେବେଳେ ଭାବେ ଜୀବନରେ ସେ କ୍ଷୀଣ ସ୍ଥାୟୀ ବସନ୍ତ ସବୁର ଆଗମନ ହେବାର ଅଭିପ୍ରାୟ କଣ ବା ହୋଇ ଥାଇ ପାରେ । ସଠିକ୍ ଉତ୍ତର ତ ମୁଁ ଜାଣେନା । ତେବେ ଜୀବନରେ ଆଉ ଅବଶୋଷ ନାହିଁ । ପ୍ରଥମ ବସନ୍ତର ମାଦକତା, ଦ୍ୱିତୀୟ ବସନ୍ତର ବିରହ ଆଉ ତୃତୀୟ ବସନ୍ତର ପ୍ରଶାନ୍ତି ସବୁ କିଛି ମିଳିତ ରୂପେ ରୂପ ଦେଇଛନ୍ତି ମୋର ଜୀବନର ଡାଏରୀକୁ ।

ଆଜି ଜୀବନର ୫0 ତମ ବସନ୍ତରେ ପହଂଚି ଯେବେ ପଛକୁ ଫେରି ଦେଖୁଛି ଲାଗୁଛି ମୋ ଅଜାଣତରେ ଗୋଟିଏ କାହାଣୀ ଯେମତି ଗଢ଼ି ହୋଇଯାଇଛି । ବାସ୍ ଜୀବନର ମଧ୍ୟାହ୍ନରେ ଇଚ୍ଛା ହେଲା ସେ କାହାଣୀକୁ ଉତାରିବାକୁ ସଫେଦ କାଗଜର ଅଗଣାରେ । 


Rate this content
Log in