Sangeeta Barik

Children

3.1  

Sangeeta Barik

Children

ସୁପରପାଓ୍ବାର

ସୁପରପାଓ୍ବାର

3 mins
167



ମୁଁ ବଡ ହେଲେ ବାପାଙ୍କ ଭଳି ହେବି । ମୋର ବହୁତ ଶକ୍ତି ହେବ ମାନେ ସୁପର ପାଓ୍ବାର । ଆଉ ମୁଁ ହେବି ସୁପର ମେନ୍ । ଏବେ ଛୋଟ ଅଛି ବୋଲି ବହୁତ କଟକଣା । ଏଇଟା କରିବୁନି ସେଇଟା କରିବୁନି । ତୁ ଛୋଟ ପିଲା । ମୁଁ କିନ୍ତୁ ବୁଝି ପାରେନି ଠିକ୍ କଉଟା ? ଯେତେବେଳେ ପାଠ ପୁରା ନକରି ଖେଳିବାକୁ ପଳାଏ ମା ବିରକ୍ତ ହୁଏ । କହେ ଏତେ ବଡ ପିଲା ହେଲୁଣି, ପାଠ ନକରି ଖେଳିବାକୁ ଯାଉଛୁ । ଏମିତି କଣ କରନ୍ତି ? ଆଉ ଯଦି ମୋବାଇଲ ଧରିଲି ତାଙ୍କ କଥା ଓଲଟିଯାଏ । ପୁଣି ବିରକ୍ତ ହୋଇ କହିବେ ଛୋଟ ପିଲା କଣ ମୋବାଇଲ ଧରନ୍ତି । ଯାଉନୁ ବାହାରେ ଖେଳିବୁ । ରକ୍ତ ସଞ୍ଚାଳନ ହେବ । ଆଜି କାଲି ପିଲା ସବୁ ବାହାରେ ଖେଳିବାକୁ ପସନ୍ଦ କରୁ ନାହାନ୍ତି । ଏ କେମିତି ଯୁଗ ଆସିଲା କେଜାଣି ? ବାପା କିନ୍ତୁ ସେମିତି ନୁହନ୍ତି । ଅଫିସରୁ ଆସିଲେ କିଛି ସମୟ ପାଇଁ ମୋତେ ମୋବାଇଲ ଦିଅନ୍ତି ଖେଳିବାକୁ । ପୁଣି ପାଖରେ ବସି ପାଠ ପଢାନ୍ତି । ତାଙ୍କୁ ସବୁ ପାଠ ଆସେ । ସେ ସବୁ ବିଷୟ ଭଲ ଭାବେ ପଢେଇ ପାରନ୍ତି । ମା କିନ୍ତୁ ଗଣିତ ଓ ଇଂରାଜୀ ରେ ଟିକିଏ ଦୁର୍ବଳ । ବାପା ସାଇକେଲ, ମଟରସାଇକେଲ, କାର୍ ସବୁ ଚଲେଇ ପାରନ୍ତି । ମା କିନ୍ତୁ କେବଳ ସ୍କୁଟି ଚଲେଇ ପାରେ । ମୁଁ ପୁରା ଛୋଟ ଥିଲା ବେଳେ ବାପା ମୋତେ କାଖରେ ଓ କାନ୍ଧରେ ବସେଇ ପାରୁଥିଲେ । କିନ୍ତୁ ମା କେବଳ କାଖରେ ବସେଇ ପାରୁଥିଲା । ବାପାଙ୍କର ବହୁତ ଶକ୍ତି । ମାଆଙ୍କର ବାପାଙ୍କ ଠାରୁ କମ୍ ଶକ୍ତି । ସେଥିପାଇଁ ମୁଁ ବାପାଙ୍କୁ ସୁପରମେନ୍ କହେ । ଦିନେ ବାପାଙ୍କୁ ମୋ ମନକଥା କହିଲି । ବାପା ହସିଲେ ଓ କହିଲେ 

ସମସ୍ତେ ଜଣେ ଜଣେ ସୁପରମେନ୍ ବା ସୁପରଓମେନ୍ । 

କେମିତି ? ମାଆ ତ ନୁହନ୍ତି

ହଁ ତୋ ମାଆ ମଧ୍ୟ ସୁପରଓମେନ୍ । କାରଣ ସେ ଯେଉଁ କାମ କରିପାରେ ତାହା ଆମେ କରି ପାରୁନା । ମୁଁ କେବଳ ପରିବା ଆଣେ । ତୋ ମାଆ ସେସବୁ ରେ କେତେ ସୁନ୍ଦର ତରକାରୀ ବନାଏ । ଆଉ ତାକୁ ଖାଇ ଆମେ ସୁସ୍ଥ ଓ ସୁଖି ରହୁ । ମୁଁ କେବଳ ଦରମା ଆଣି ମାଆକୁ ଦିଏ ସିଏ ଖୁବ୍ ଭଲଭାବରେ ମାସ ସାରା ଘର ଚଳାଏ । ତୋ ମଇଳା ଜାମା ସଫାକରି ଇସ୍ତ୍ରୀ ଦେଇ ନୂଆ ଭଳି କରିଦିଏ । 

ସତକଥା ବାପା । ମୁଁ ଏଇଟା ଭାବି ନଥଲି । ତମେ ଠିକ୍ କହିଛ । ଆଉ ମୁଁ ?

ହଁ ତୁ ମଧ୍ୟ ଗୋଟିଏ ସୁପରବୟ । 

କେମିତି ?

ତୋତେ ଯେଉଁ ପାଠ ଦିଆଯାଏ । ତୁ ସେହି ପାଠ ମୁଖସ୍ଥ କରି ଦେଉ । କେତେ ସୁନ୍ଦର ଡ୍ରଇଁ କରୁ । ନାଚୁ । ସୁନାପୁଅ ଭଳି ବେଶୀ ଅଝଟ ହେଉନା । ତେଣୁ ତୁ ବାପା ମାଆର ସୁପରବୟ ।


      ଏସବୁ କଥା ମୋ ମନକୁ ପାଇଲା । ମୋତେ ଭାରି ଖୁସି ଲାଗିଲା । କିନ୍ତୁ ଗୋଟିଏ ପ୍ରଶ୍ନ ଉଠିଲା ମୋ ମନରେ । ଏତେ ପାଓ୍ବାର ଆମ ସମସ୍ତଙ୍କ ପାଖରେ ଆସୁଛି କଉଠୁ । ଉତ୍ତର ଜାଣିବା ପାଇଁ ମୋ ସୁପରମେନ୍ ଙ୍କୁ ପଚାରିଲି । ସେ ମୋତେ ସବୁକଥା ଖୁବ୍ ଭଲଭାବେ ବୁଝେଇଦେଲେ । କହିଲେ " ଏ ସାରା ସଂସାରରେ ଗୋଟିଏ ସୁପରପାଓ୍ବାର ଅଛି । ଯାହାକୁ ଆମେ ଈଶ୍ୱର କହୁଛୁ । ସେ ହେଉଛନ୍ତି ସୋର୍ସ୍ ଅଫ୍ ପାଓ୍ବାର ମାନେ ଶକ୍ତିର ଉତ୍ସ । ଯେଉଁମାନେ ନିଷ୍ଠାର ସହିତ କର୍ମ କରନ୍ତି । ଈଶ୍ୱର ସେମାନଙ୍କୁ ତାଙ୍କ କର୍ମର ଫଳ ଦିଅନ୍ତି । ସେଭଳି ପାଓ୍ବାର ଦିଅନ୍ତି । ତେଣୁ ଆମେ ସମସ୍ତେ ଆମର କର୍ମ ସହ ତାଙ୍କୁ ଭକ୍ତି ଓ ପ୍ରାର୍ଥନା କରିବା ଉଚିତ । "

      ସେହିଦିନ ଠାରୁ ମୁଁ ମୋର କର୍ମ କରେ ଓ ଭଗବାନଙ୍କୁ ସକାଳ ଓ ସନ୍ଧ୍ୟାରେ ପ୍ରାର୍ଥନା କରେ । ଏ ସୁନ୍ଦର ଜୀବନ ଦେଇଛନ୍ତି ବୋଲି ଧନ୍ୟବାଦ ଜଣାଏ ।

      

  


Rate this content
Log in

Similar oriya story from Children