Sangeeta Barik

Tragedy

3  

Sangeeta Barik

Tragedy

ସ୍ୱପ୍ନ

ସ୍ୱପ୍ନ

2 mins
136


ସ୍ୱପ୍ନ ବୁଝେନି ଧନୀ କି ଗରିବ । ସେଇଥିପାଇଁ ବେଳ ଅବେଳରେ ଧସେଇ ପଶେ ମନରେ । ଏକ ବିରାଟ ବସା ବାନ୍ଧେ ।ସେମିତି ଏକ ସ୍ୱପ୍ନ ଆବୋରି ନେଇଥିଲା ରମାକାନ୍ତର ମନ ହୄଦୟକୁ । ପ୍ରଶାସନିକ ଅଫିସର ହେବାର ସ୍ୱପ୍ନ । ପାଠ ପଢାରେ ସେ ସବୁବେଳେ ଆଗୁଆ । ଶ୍ରେଣୀରେ ପ୍ରଥମ ସ୍ଥାନ ସବୁବେଳେ ତାର । କିନ୍ତୁ ଅର୍ଥ ଥିଲା ବାଧକ । ବାପା ପର ଘରେ କାମ କରି ପୁଅକୁ ଅତି କଷ୍ଟରେ ପଢଉଥିଲେ । ଦଇବ ଦାଉ ସାଜିଲା । ରମାକାନ୍ତ ଯେଉଁ ବର୍ଷ ଯୁକ୍ତ ତିନି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲା ବାପା ଆରପୁରକୁ ଚାଲିଗଲେ । ସେ ବେସାହାରା ହୋଇଗଲା । ଦୁଇ ସାନ ଭଉଣୀ ଓ ମାଆଙ୍କର ଚିନ୍ତା ତାକୁ ବିବ୍ରତ କଲା । ପାଠରେ ଡୋରି ବନ୍ଧା ହେଲା । ପରିବାର ମୁହଁରେ ଦାନା ଦେବା ପାଇଁ ସେ ଏକ ଛୋଟ ଘରୋଇ କମ୍ପାନୀରେ ଚାକିରୀ କଲା । ଭାବିଲା ଭବିଷ୍ୟତରେ ତା ପିଲା ତାର ସ୍ୱପ୍ନକୁ ସାକାର କରିବ । 


    ସମୟ ସାଥିରେ ଏବେ ଅନେକ ବର୍ଷ ବିତିଯାଇଥିଲା । ଦୁଇ ଭଉଣୀ ତାଙ୍କ ସଂସାରରେ ବ୍ୟସ୍ତ ଥିଲେ । ମାଆ ଆରପାରିକୁ ଚାଲି ଯାଇଥିଲା । ରମାକାନ୍ତର ସ୍ତ୍ରୀ ଓ ଏକମାତ୍ର ଝିଅ ସ୍ୱପ୍ନାକୁ ନେଇ ଛୋଟ ସଂସାର । ଝିଅକୁ ଭଲରେ ଶିକ୍ଷାଦୀକ୍ଷା ଦେବା ପାଇଁ ସେମାନେ ଆଉ ଦ୍ୱିତୀୟ ପିଲା ଚାହିଁନଥିଲେ । ସ୍ୱପ୍ନା ମଧ୍ୟ ବାପା ଭଳି ପାଠ ପଢାରେ ଆଗୁଆ । ବାପାଙ୍କ ସ୍ୱପ୍ନକୁ ସେ ନିଜର କରି ନେଇଥିଲା । ଅକ୍ଳାନ୍ତ ପରିଶ୍ରମ କରୁଥିଲା ପାଠ ପଢାରେ । ଯୁକ୍ତ ତିନି ବିଜ୍ଞାନରେ ଅଧିକ ନମ୍ବରରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରସ୍ତୁତ ହେଉଥିଲା କୋଚିଂ ପାଇଁ । ଏହି ସମୟରେ ତା ଭାଗ୍ୟ ଆକାଶରେ ଘୋଟି ଆସିଲା କଳାମେଘ । ପୁନରାବୃତ୍ତି ହେଲା ତା ବାପାଙ୍କର ଇତିହାସ । ଏକ ସଡକ ଦୁର୍ଘଟଣାରେ ବାପା ରମାକାନ୍ତ ଆରପୁରକୁ ଚାଲିଗଲେ । ବେସାହାରା ହୋଇ ଗଲେ ସ୍ୱପ୍ନା ଓ ତା ମାଆ । ଏହି ସମୟରେ ତାଙ୍କର ସାହାରା ହୋଇଥିଲେ ସମ୍ବିତ ।ସ୍ୱପ୍ନାର ତିନି ବର୍ଷ ସିନିୟର ଛାତ୍ର । ସେ ଏକ ମଲ୍ଟିନେସେନାଲ୍ କମ୍ପାନୀର କାର୍ଯ୍ୟରତ । କଲେଜରେ ପଢିଲା ବେଳେ ଦୁହିଁଙ୍କ ଭିତରେ ଗଭୀର ବନ୍ଧୁତ୍ୱ ଥିଲା । ସମ୍ବିତ ସ୍ୱପ୍ନାର ସ୍ୱପ୍ନ ବିଷୟରେ ଅବଗତ ଥିଲେ । ତେଣୁ ସେ ସ୍ୱପ୍ନା କୁ ଦିଲ୍ଲୀ ପଠେଇଥିଲେ କୋଚିଂ ନେବାକୁ । ସ୍ୱପ୍ନା ମଧ୍ୟ ମନ ଦେଇ ଅକ୍ଳାନ୍ତ ପରିଶ୍ରମ କରି ପାଠ ପଢୁଥିଲା । ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହେଲା । ଚାକିରୀରେ ଯୋଗ ଦେବା ପୂର୍ବରୁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ଆଶୀର୍ବାଦ ନେଲେ ସ୍ୱର୍ଗତ ବାପାଙ୍କ ପାଖରୁ । ଫୁଲମାଳ ପିନ୍ଧି ଟଙ୍ଗା ହୋଇ ଥିବା ଫଟୋ ସାମ୍ନାରେ । ସ୍ୱପ୍ନା କାନ୍ଦି କାନ୍ଦି ବାପାଙ୍କୁ କହୁଥିଲା " ବାପା ତମେ ଅଧା ବାଟରୁ ଆରପୁରକୁ ଚାଲି ଗଲ । ତଥାପି ତମର ଓ ତମ ଝିଅର ସ୍ୱପ୍ନ ସାକାର ହୋଇଛି । ଏହା ପଛରେ ଅନେକ ସାହାଯ୍ୟ ରହିଛି ତମ ଜ୍ୱାଇଁଙ୍କର । ତେଣୁ ତମ ଦୁହିଁଙ୍କ ପାଖରେ ମୁଁ ଋଣୀ । ତମେ ଆମ ଦୁହିଁଙ୍କୁ ଆଶୀର୍ବାଦ କର ।" ଉଜ୍ଜ୍ୱଳ ଦିଶୁଥିଲା ରମାକାନ୍ତଙ୍କ ଫଟୋ । ସତେ ଯେପରି ଅଜସ୍ର ଆଶୀର୍ବାଦ ଝରି ପଡୁଥିଲା ନବଦମ୍ପତ୍ତିଙ୍କ ଉପରେ ।



Rate this content
Log in

Similar oriya story from Tragedy