Sangeeta Barik

Others

4  

Sangeeta Barik

Others

ଟଙ୍କା

ଟଙ୍କା

3 mins
395



ଭାତ ଥାଳି ପାଖରେ ଦୁଇଟି ତରକାରୀ ଦେଖି ଚିତ୍କାର କରି ଉଠିଲେ ସନାତନ ବାବୁ । ସ୍ତ୍ରୀ ସୁବାସିନୀ ନୀରବରେ ଛିଡା ହୋଇଥାନ୍ତି । ସେ ଜାଣିଥିଲେ ଏମିତି ଏକ ପରିସ୍ଥିତିର ଆଜି ତାଙ୍କୁ ସମ୍ମୁଖୀନ ହେବାକୁ ପଡିବ । କାହିଁକି ଯେ ସ୍ବାମୀ ଙ୍କୁ ଦୁଇଟି ତରକାରୀ ଦେଲେ ଚିନ୍ତା କରୁଥାନ୍ତି । ସ୍ତ୍ରୀ ଙ୍କ ନୀରବତା ଦେଖି ପୁଣି ଥରେ ଚଢା ଗଳାରେ ସନାତନ ବାବୁ ପଚାରିଲେ

 ତମକୁ କ'ଣ ଶୁଣା ଯାଉନି । କ'ଣ ପାଇଁ ଆଜି ଦୁଇଟି ତରକାରୀ ହୋଇଛି । ମଣିଷ କେତେ କଷ୍ଟରେ ଟଙ୍କା ରୋଜଗାର କରୁଛି । ଆଉ ତମେ ମନଇଚ୍ଛା ଖର୍ଚ୍ଚ କରୁଛ । ନିଜେ ପରିଶ୍ରମ କରି ରୋଜଗାର କଲେ ସିନା ଜାଣି ପାରନ୍ତ ଟଙ୍କା ର ମହତ୍ତ୍ଵ । ମୁଁ କେତେ ପରିଶ୍ରମ କରି ବାଟି ବାଟି ସମ୍ପତ୍ତି କରିଛି, କଣ ଏମିତି ବେକାରୀଆ ଖର୍ଚ୍ଚ କରିବା ପାଇଁ ।

  ତମେ ଏମିତି କ'ଣ କହୁଛ ଯେ ଆଜି ଘରକୁ ସମୁଦି ଆସିଥିଲେ ତେଣୁ ଦୁଇଟି ତରକାରୀ କରିଥିଲି । ଆମେ ସିନା ସେମିତି ଖାଇବା । ହେଲେ ତାଙ୍କ ଝିଅ ଜ୍ବାଇଁ ତ ଏଠାରେ ଆଉ ରହୁ ନାହାନ୍ତି । ସେ ଏଠାକୁ କାହିଁକି ଆସିଥିଲେ । ଗଲେନି ସେମାନଙ୍କ ପାଖରେ ଖାଇ ଥାଆନ୍ତେ

  କିଛି ନକହି ନୀରବ ରହିଲେ ସୁବାସିନୀ । ସେ ଜାଣିଛନ୍ତି ଯେ ସେ କହିଲେ ବି ତାଙ୍କ କଥାର କିଛି ମୂଲ୍ୟ ରହିବନି । ଓଲଟା ଅସନ୍ତୁଷ୍ଟ ହେବେ । ଆଗରୁ ଅନେକ ଥର କହିଛନ୍ତି ବୁଝେଇଛନ୍ତି । କିନ୍ତୁ ଫଳ ଶୂନ ।ସ୍ବାମୀଙ୍କର ଏହି କଞ୍ଜୁସ୍ ଗୁଣ ଯୋଗୁଁ ତ ପୁଅ ବୋହୂ ଘର ଛାଡିଲେ ।ବନ୍ଧୁ ବାନ୍ଧବ କେହି ଦୁଆର ମାଡନ୍ତିନି ।ସାଇପଡିଶା ବହୁତ ନିନ୍ଦା କରନ୍ତି । ଏପରିକି ସକାଳୁ ସକାଳୁ ତାଙ୍କ ନାଁ ଧରିବାକୁ ସମସ୍ତେ ରାଜି ହୁଅନ୍ତିନି । ଗଲା ଅଇଲା ବାଟ ଭୀକାରି ବି କେହି ତାଙ୍କ ଦୁଆରକୁ ଆସନ୍ତିନି । ସେ ନିଜେ ମଧ୍ୟ ବହୁତ କଷ୍ଟ ପାଆନ୍ତି । ତେଣୁ ବେଳେ ବେଳେ ସନାତନ ବାବୁ ଖାଇ ସାରି ଯଦି ବାହାରକୁ ଯାଆନ୍ତି ତେବେ ସେ ଆଉ ଗୋଟେ ଦୁଇଟା ତରକାରୀ ନହେଲେ କିଛି ପୋଡାପୋଡି କରି ଖାଆନ୍ତି । ଯାହାର ଖବର ସନାତନ ବାବୁ ଆଦୌ ପାଆନ୍ତିନି ।ଇଚ୍ଛା ନଥିଲେ ବି ସେ ଏପରି କରିବା ପାଇଁ ବାଧ୍ୟ ହୁଅନ୍ତି । ସ୍ବାମୀ ଙ୍କ ଅଜାଣତରେ ସେ ଦୁଃଖୀ ଦରିଦ୍ର ଙ୍କୁ ସାହାଯ୍ୟ କରନ୍ତି । ନାତି ଜନ୍ମଦିନ ରେ, ପ୍ରଥମାଷ୍ଟମୀ ରେ ସେ ସ୍ବାମୀ ଙ୍କୁ ଲୁଚେଇ ନାତି ପାଇଁ ଜାମା ପ୍ୟାଣ୍ଟ ଦେଇ ପଠାନ୍ତି । ସୁବାସିନୀ ଙ୍କ ବହୁତ ଇଚ୍ଛା ପୁଅ ବୋହୂ ନାତି ଙ୍କ ପାଖରେ ଯାଇ କିଛି ଦିନ ରହିବାକୁ । କିନ୍ତୁ ସ୍ବାମୀ ଙ୍କ ଭୟରେ ଯାଇପାରନ୍ତିନି । କଣ ବା ଆଉ କରି ପାରିବେ । ନିଜ ଇଚ୍ଛା ଓ ଯନ୍ତ୍ରଣା କୁ ଛାତି ଭିତରେ ଲୁଚାଇ ଦିଅନ୍ତି । ଦୀର୍ଘ ଚାଳିଶି ବର୍ଷ ସେ ସ୍ବାମୀ ଙ୍କ ସହ ଏମିତି ବିତେଇ ଆସିଛନ୍ତି । ଏବେ ତ ବାର୍ଦ୍ଧକ୍ୟ ବି ଆସିଲାଣି । ପ୍ରାୟ ସମୟ ଦେହ ଭଲ ରହୁନାହିଁ । କେତେବେଳେ ଯେ ଏ ଜୀବନ ଟା ଚାଲିଯିବ କିଏ ଜାଣେ । ତାଙ୍କର ଖାଲି ସ୍ବାମୀ ଙ୍କ ଚିନ୍ତା । ତାଙ୍କ ଅନ୍ତେ ସ୍ବାମୀଙ୍କର କ'ଣ ହେବ । କିଏ ବୁଝିବ ତାଙ୍କ କଥା । 

  ୟା ଭିତରେ ବିତି ଯାଇଛି ଦଶ ବର୍ଷ । ସୁବାସିନୀ ଦେବୀ ଇହଲୀଳା ସମ୍ବରଣ କଲେଣି । ପୁଅ ବୋହୂ ଆଦୌ ଘରକୁ ଆସୁନାହାନ୍ତି । ସନାତନ ବାବୁ ଙ୍କ ଅବସ୍ଥା ଭାରି ଖରାପ । ରୋଗ ସବୁ ଦେହଟାକୁ ମାଡି ବସିଛନ୍ତି । ପାଟିକୁ କିଛି ରୁଚୁନି । ସବୁବେଳେ ଭଲ ଖାଇବାକୁ ଇଚ୍ଛା ହେଉଛି । ହେଲେ ଦେହରେ କିଛି ଯାଉନି । କେଉଁଥିରେ ଶାନ୍ତି ଲାଗୁନି ତାଙ୍କୁ । ଯେଉଁ ଟଙ୍କା ପାଇଁ ସେ ସମସ୍ତଙ୍କ ସହ ସବୁ ସମ୍ପର୍କ ଛିନ୍ନ କରି ଦେଇଥିଲେ ଏବେ ସେହି ଟଙ୍କା ତାଙ୍କୁ ସାଧାରଣ କାଗଜ ଟୁକୁଡା ଭଳି ଲାଗୁଛି । ସେ ଏବେ ଟଙ୍କା ଗଦିରେ ଶୋଇଛନ୍ତି ଅଥଚ ସେ ଟଙ୍କା ତାଙ୍କର କୌଣସି କାମରେ ଆସୁନି । ଏବେ କେବଳ ମନେ ପଡୁଛି ସୁବାସିନୀ ସବୁ ସମୟରେ । କେତେ ବୁଝାଉଥିଲା ଟଙ୍କା ଠାରୁ ସମ୍ପର୍କ ମୂଲ୍ୟବାନ । ଦୀନଦୁଃଖୀ ସେବା କଲେ ଧର୍ମ ହୁଏ । ଆଉ ସେହି ଧର୍ମ ହିଁ ମଣିଷର ଶ୍ରେଷ୍ଠ ସମ୍ପତ୍ତି । ଟଙ୍କା କୁ ସତ୍ କର୍ମରେ ଉପଯୋଗ ନ କରାଯାଏ, ତେବେ ଏ ଟଙ୍କା କାଗଜ ଟୁକୁଡା ସହ ସମାନ ହୋଇଥାଏ ।

  


Rate this content
Log in