ଯାତ୍ରା କଳାକାର
ଯାତ୍ରା କଳାକାର
ବାହାରିବାକୁ ଇଚ୍ଛା ନଥିଲେ ବି ବାଧ୍ୟ ହୋଇ ବାହାରିଲା କବିତା । ସେହି ଘର ପିନ୍ଧା ଶାଢୀ ଟି ପିନ୍ଧିଥାଏ । ବଦଳେଇବାକୁ ଆଗ୍ରହ ନାହିଁ। ସେହି ଝାଳୁଆ ମୁହଁଟା ରେ ପାଣି ଟିକିଏ ଛାଟି ଦେଲା । ଝାଳ ସହ ଲୁହ ଗୁଡା ମଧ୍ୟ ପରିଷ୍କାର ହୋଇଗଲା । ମନକୁ ଯେତେ ବୁଝେଇବା କୁ ଚେଷ୍ଟା କଲେବି ବୁଝେଇ ପାରୁନଥାଏ । କଣ ବା କରି ପାରିବ ସେ । ସେ ଯେ ନିରୁପାୟ ।କାରଣ ତା ସ୍ବାମୀ ଏବେ ରୋଗ ଶଯ୍ୟାରେ ।ତେଣୁ ଚିକିତ୍ସା ପାଇଁ ତାର ଅଜସ୍ର ଅର୍ଥର ଆବଶ୍ୟକତା ଅଛି ।ସ୍ବାମୀ ମଧ୍ୟ ଯିବା ପାଇଁ କହିଲେ । ଅଧ ଘଣ୍ଟାଏ ହେଲାଣି ବାହାରେ ଗାଡ଼ିରେ ନିର୍ଦ୍ଦେଶକ ଓ ଡ୍ରାଇଭର୍ ଅପେକ୍ଷା କରିଛନ୍ତି । ତିନି ଚାରି ଥର ଫୋନ୍ ମଧ୍ୟ କରି ସାରିଲେଣି । ପୁଣି ଥରେ ସ୍ବାମୀ ବାଧ୍ୟ କରି ଥମେଇ ଥମେଇ କହିଲେ
....ଯାଅ ତମେ । କିଛି ଚିନ୍ତା କରନି । ମୋର ଏଇ ରାତିଟା ରେ କିଛି ହେବନି । ମୁଁ ତମକୁ ଛାଡି ଆର ପୁରକୁ ଯିବିନି । ମୁଁ ଚାଲିଗଲେ ତମେ ସମ୍ପୂର୍ଣ୍ଣ ଏକା ହୋଇଯିବ । ଯଦି ବି ଚାଲିଯାଏ ତମେ ଟିକିଏ ତମ ଦେହକୁ ଜଗି ପାରିବ । ତମକୁ ତ ଆଦୌ ବିଶ୍ରାମ ମିଳୁନି । ରାତିରେ ବାହାରେ ରହି କାମ କରୁଛ । ଆଉ ଦିନ ସାରା ମୋ ସେବା । ଟିକିଏ ନିଜକୁ ଦେଖ । କେମିତି ଦେଖା ଗଲଣି ।
ଏମିତି କଣ କହୁଛ ?ତମକୁ ଛାଡି ମୋତେ ଗୋଟିଏ କ୍ଷଣ ବି ରହିବାକୁ ଇଚ୍ଛା ହେଉନି ।
କ'ଣ ଆଉ କରିବା ?ଛଅ ମାସ ହେଲାଣି ମୁଁ ତ ବିଛଣାରେ । ତମେ ନଗଲେ ଆମେ ଖାଇବା କ'ଣ ? ତମେ ଯାଅ । ଦେଖିବ ମୁଁ ଭଲ ହୋଇଗଲେ ଆମେ ପୁଣି ସାଙ୍ଗ ହୋଇ ଯିବା ।
ସବୁ କିଛି ବୁଝିଲେ ବି ମନଟା ଅବୁଝା ହେଉଥିଲା କବିତାର ।ତଥାପି ସେ ଯିବା ପାଇଁ ବାଧ୍ୟ । ମାଧିଆ କୁ ଡାକି କହିଲା " ମୁଁ ଯାଉଛି । ସକାଳୁ ଆସିବି । ତୁ ରାତିରେ ଚେଇଁଥିବୁ । ମଉସା ଙ୍କୁ ଦେଖୁଥିବୁ । କିଛି ଅସୁବିଧା ହେଲେ ମୋତେ ଫୋନ୍ କରିବୁ "। ସ୍ବାମୀ ଙ୍କ ମୁହଁକୁ ଅନେଇ ବାହାରି ଆସିଲା କବିତା । ଆଖିର ଲୁହ ପୋଛୁ ପୋଛୁ ଗାଡ଼ିରେ ବସିଲା । ସତରେ ଯନ୍ତ୍ରଣା ଗୁଡିକ ଗୁଞ୍ଜାଗୁଞ୍ଜି ହୋଇ ଉଛୁଳି ପଡୁଥାନ୍ତି ହୄଦୟ ରୁ ।ମନ ଭିତରେ ଅନେକ ଭାବନା । କାଲି ପରି ଲାଗୁଛି । ଦୁଇଟି ନାଟକ ରେ ନାୟକ ନାୟିକା ହୋଇ ଅଭିନୟ କଲାପରେ ସେମାନେ ବାହା ହୋଇ ପଡିଥିଲେ । ପ୍ରଥମ ନାଟକ ରୁ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିବାହ ମାତ୍ର ଚାରି ବର୍ଷ ହୋଇଛି । ବିବାହ ପରେ ଅଜସ୍ର ଭଲ ପାଇବା ପାଇଛି ସ୍ବାମୀ ଙ୍କ ଠାରୁ । ସ୍ବାମୀ ତାକୁ ଆଖି ପଲକ ରେ ବସେଇ ରଖିଥିଲେ । ଦୁନିଆର ସବୁତକ ସ୍ନେହ ଶ୍ରଦ୍ଧା ପ୍ରେମ ଅଜାଡି ଦେଇଥିଲେ ତା ପଣତରେ । ସେଇଥି ପାଇଁ ସେ ନିଜକୁ ସବୁଠାରୁ ଭାଗ୍ୟବତୀ ବୋଲି ମନେ କରୁଥିଲା । କାହାର ନଜର ଲାଗିଗଲା କେଜାଣି ତାଙ୍କ ସମ୍ପର୍କକୁ । ବର୍ଷେ ହେଲା ତାଙ୍କର ବ୍ଲଡ୍ କ୍ୟାନ୍ସର୍ । ଛଅ ମାସ ହେଲାଣି ଅବସ୍ଥା ବହୁତ ଖରାପ । ଡାକ୍ତରଙ୍କ କଥାରୁ ସେ ଅନୁମାନ କରିଛି ଯେ ଆଉ ବେଶୀ ଦିନ ନୁହେଁ । ତାଙ୍କ ବିନା କେମିତି ବଞ୍ଚିବ ସେ । ସେଥିପାଇଁ ସେ ତାଙ୍କୁ ଛାଡି ବାହାରକୁ ଯିବାକୁ ଚାହେଁନି । କିନ୍ତୁ ଏଇ ରାତ୍ରି ଟା ତାକୁ ବାଧ୍ୟ କରେ । ରାତିରେ ତାଙ୍କର କାଳେ କିଛି ଅସୁବିଧା ହେବ ସେଥିପାଇଁ ସେ ସମ୍ପର୍କରେ ଜଣେ ପୁତୁରା ମାଧିଆ କୁ ଆଣି ପାଖରେ ରଖିଛି । ପିଲାଟି ଭାରି ଭଲ । ନିଜ ପିଲା ଭଳି ସେବା କରେ । ସବୁ କଥା ବୁଝେ ।ତାହାରି ପାଇଁ କବିତା ବାହାରକୁ ବାହାରେ । ସ୍ବାମୀ ମଧ୍ୟ ବାହାରିବାକୁ କହନ୍ତି । ସୌଭାଗ୍ୟବଶତଃ ଦୁଇ ଜଣ ଯାକ ସମାନ କଳାରେ ଥିଲେ ବୋଲି ସ୍ବାମୀ ତାର କାମକୁ ଭଲ ଭାବରେ ବୁଝିଛନ୍ତି । ତେଣୁ କେବେ ବାରଣ କି ଆକଟ କରନ୍ତିନି । ବରଂ ପ୍ରୋତ୍ସାହନ ଦିଅନ୍ତି । ଆଜି ବି ଯାଉଛି । ଶହଶହ ଦର୍ଶକ ଅପେକ୍ଷା କରିଥିବେ । ଟିକେଟ୍ ବିକ୍ରି ହୋଇ ପ୍ରବଳ ପଇସା ରୋଜଗାର ହୋଇ ସାରିଥିବ । ଆଉ ସବୁ ରାତ୍ରି ଭଳି ଆଜି ସେ ମୁହଁରେ ରଙ୍ଗ ବୋଳି ହେବ । କାହାର ପ୍ରେମିକା ସାଜିବ । ପ୍ରେମିକା ରୁ ପତ୍ନୀ । ନାୟକ ର ବାହୁ ବନ୍ଧନରେ ବନ୍ଦୀ ହୋଇ ଅଭିନୟ କରିବ । ଖିଲି ଖିଲି ହୋଇ ହସିବ । ପାଦରେ ପାଦ ମିଶେଇ ନାଚିବ । ନାୟକ ର ଛାତିକୁ ଜାବୁଡି ଧରି କହିବ ପ୍ରେମଭରା ଡାଇଲଗ୍ । ଓଃ କି ଯନ୍ତ୍ରଣା । ସତରେ ଏ ଯାତ୍ରା କଳାକାର ଙ୍କ ଜୀବନ ତ ଏମିତି ଯନ୍ତ୍ରଣା ପୂର୍ଣ୍ଣ । ନିଜ ପରିବାର ପିଲାଙ୍କୁ ଛାଡି ସେ କଟାଇ ଦିଅନ୍ତି ମାସ ମାସ ବାହାରେ ।ଏପରି ବି ହୁଏ, ଶ୍ମଶାନରେ ପତିର ଶବ ଜଳୁଥିଲା ବେଳେ ସ୍ତ୍ରୀ ସିନ୍ଥି ରେ ବହଳ ସିନ୍ଦୂର ହାତରେ ନାଇ ହାତରେ ଚୂଡି ଝଣଝଣ କରି ଯାତ୍ରା ପେଣ୍ଡାଲ୍ ରେ କାହା ସହ ଚଉଠି ରାତିର ଅଭିନୟ କରେ । ଫାଟି ପଡୁଥିବା ଛାତିକୁ କୋହରେ ସିଲେଇ କରି ନକଲି ହସ ହସୁଥାଏ । ହଠାତ୍ ଗାଡି ବ୍ରେକ୍ ରେ ସଚେତନ ହେଲା କବିତା । ସେମାନେ ତାଙ୍କର ଗନ୍ତବ୍ୟ ସ୍ଥଳ ପହଞ୍ଚି ସାରିଥିଲେ । ଚୁପ୍ ଚାପ୍ ଗାଡିରୁ ଓହ୍ଲାଇ କବିତା ଚାଲିଲା ସେହି ଆଡକୁ ଯେଉଁଠି ତାର ସାଥି କଳାକାର ମାନେ ଅଭିନୟ କରିବା ପାଇଁ ମେକ୍ ଅପ୍ ନେଉଥିଲେ । ମୁହଁରେ ଅଭିନୟ ରଙ୍ଗ ବୋଳିବା ପୂର୍ବରୁ ଶେଷଥର ପାଇଁ ସେ ନିଜ ପଣତକାନି ରେ ଭଲ ଭାବରେ ପୋଛି ଦେଇଥିଲା ନିଜ ଲୁହକୁ । ବାସ୍ତବିକ ଯନ୍ତ୍ରଣା ର ଛାପ କୁ ମୁହଁର ଚମଡା ଭିତରକୁ ଠେଲି ଦେଇ ଉପରେ ବୋଳିହେଲା ଆବଶ୍ୟକୀୟ ଅଭିନୟ ରଙ୍ଗ । ସମର୍ପିତା ହୋଇଗଲା ଦର୍ଶକ ଭଗବାନଙ୍କ ପାଇଁ । ମଞ୍ଚରେ ଉଠିଲା । ନାୟିକା ଭୂମିକାରେ ଅଭିନୟ କଲା । ନାୟକ ସହ ପ୍ରେମ,ନାଚ ଓ ଅନେକ ନିବିଡ ଦୄଶ୍ୟ ରେ ଜିଣିନେଲା ଦର୍ଶକ ଙ୍କ ମନ ।ଅନେକ ତାଳି ବାଜିଲା । ସେ ଯେ ଏକ ଦକ୍ଷ ରୂପବତୀ ଅଭିନେତ୍ରୀ । ଅନେକ ଖ୍ୟାତି ତା'ର । ସେ ମଞ୍ଚକୁ ଆସିଲେ ଝୁମି ଯାଆନ୍ତି ଦର୍ଶକ । ଆଖି ମେଲାକରି ଉପଭୋଗ କରନ୍ତି ତା'ର ଅପୂର୍ବ ସୌନ୍ଦର୍ଯ୍ୟକୁ । ନିଖୁଣ ଅଭିନୟକୁ ।
ଯାତ୍ରା ସରିଲା । କବିତା ତରତର ହୋଇ ଆସି ଭ୍ୟାନିଟି ରୁ ମୋବାଇଲ୍ କୁ ବାହାର କଲା । ଦେଖିଲା ମାଧିଆ ର ବାରଟି ମିସ୍ କଲ୍ । ଆଶ୍ଚର୍ଯ୍ୟ ହେଲା ।ଏତେଗୁଡିଏ କଲ୍ । ଅଥଚ ସେ ଜାଣି ପାରିଲା ନାହିଁ । ମନେ ପଡିଲା ମଞ୍ଚକୁ ଯିବା ପୂର୍ବରୁ, ଦର୍ଶକ ଭଗବାନଙ୍କୁ ସମର୍ପିତା ହେଲା ପରେ ସେ ନିଜେ ହିଁ ମୋବାଇଲ୍ କୁ ସାଇଲେଣ୍ଟ୍ ମୋଡରେ ରଖି ଦେଇଥିଲା । ତରତର ହୋଇ ମାଧିଆ କୁ କଲ୍ ବ୍ୟାକ୍ କଲା । ମାଧିଆ ଫୋନ୍ ଉଠେଇ ଭୋ ଭୋ ହୋଇ କାନ୍ଦୁଥିଲା । କବିତାର ହାତରୁ ଖସି ପଡିଲା ମୋବାଇଲ୍ । ସେ ନିର୍ବାକ୍ ହୋଇ ସେଇଠି ବସି ପଡିଲା ।