ଅପରିଚିତ ବ୍ୟକ୍ତି
ଅପରିଚିତ ବ୍ୟକ୍ତି
ଜେଜେବାପାଙ୍କ ପାଖରୁ ଶିଖି ଥିଲା କଳ୍ପନା । ରାସ୍ତାରେ ବୁଲୁଥିବା ଜୀବଙ୍କର କେହି ନଥାନ୍ତି । ତେଣୁ ସେମାନଙ୍କୁ ପ୍ରତିଦିନ କିଛି ଖାଇବାକୁ ଦେବା ଉଚିତ । ତେଣୁ ଏହି ଅଭ୍ୟାସଟି କଳ୍ପନାର ଛୋଟ ବେଳୁ ଥିଲା । ବଡ ହୋଇ ବିବାହ କଲା । ସ୍ବାମୀ ସହିତ ସହରରେ ରହିଲା । ସବୁଦିନ ସକାଳୁ ସେ ଅଧିକ ଦୁଇଟି ରୁଟି କରି ବୁଲା କୁକୁରଙ୍କୁ ଖାଇବାକୁ ଦିଏ । ସେ କୁକୁର ଗୁଡିକ ମଧ୍ୟ ସକାଳ ହେଲେ ଆସି କଳ୍ପନା ର ଫାଟକ ପାଖରେ ଛିଡା ହୁଅନ୍ତି । ହଠାତ୍ ଦିନେ ଜଣେ ଅପରିଚିତ ବ୍ୟକ୍ତି ଆସି କୁକୁର ମାନଙ୍କ ପାଖରେ ଛିଡା ହେଲେ । ତାଙ୍କୁ ଦେଖିଲେ ଜଣା ପଡୁଥିଲା ସେ ଖୁବ୍ ଭୋକିଲା । କଳ୍ପନା ମନରେ ଦୟା ଆସିଲା ସେ ଘର ଭିତରକୁ ଆସି ଆଉ ଦୁଇଟି ରୁଟି ନେଇ ସେହି ଅପରିଚିତ ଭୋକିଲା ବ୍ୟକ୍ତିକୁ ଦେଲା । ବ୍ୟକ୍ତି ଜଣକ ଆନନ୍ଦରେ ଖାଇଲା । ଏମିତି ପ୍ରାୟ ସବୁଦିନ ଚାଲିଲା ।କଳ୍ପନାର ସ୍ବାମୀଙ୍କୁ ଏସବୁ ଆଦୌ ଭଲ ଲାଗୁନଥିଲା । ତେଣୁ ସେ ପ୍ରାୟ ଦିନ ଏହାକୁ ବିରୋଧ କରନ୍ତି । ତାଙ୍କ ମତରେ କିଏ କେତେ ରୂପ ନେଇ ଆସୁଛନ୍ତି । ଏମାନେ ହୁଏତ ଚୋର ହୋଇ ପାରନ୍ତି ।ଏଇ କଥାକୁ ନେଇ ଅନେକ ଥର ଦୁହିଁଙ୍କର ଝଗଡା ମଧ୍ୟ ହୋଇଛି । ଦିନେ କଳ୍ପନାର ଶାଶୁଙ୍କର ଦେହାନ୍ତ ହୋଇଗଲା । ସେ ଓ ତା ସ୍ଵାମୀ ତରତରରେ ଗାଁକୁ ଚାଲି ଆସିଲେ ।
ହଠାତ୍ ଦିନେ ପୋଲିସ ଷ୍ଟେସନରୁ ଫୋନ୍ ଆସିଲା । ତାଙ୍କ ଘରେ ଚୋରି ହୋଇଛି । ଚୋର ମାନେ ଧରା ପଡି ଜେଲ୍ ରେ ଅଛନ୍ତି । କଳ୍ପନା ଓ ତା ସ୍ବାମୀ ସହରକୁ ଫେରି ଆସିଲେ ।ପୋଲିସ ଷ୍ଟେସନ ଯାଇ ସମସ୍ତ ଖବର ବୁଝିଲେ । ପୋଲିସ ମାନେ କହିଲେ ଜଣେ ବ୍ୟକ୍ତିଙ୍କ ପାଇଁ ଚୋରମାନେ ଧରା ପଡିଛନ୍ତି । କଳ୍ପନା ଓ ତା ସ୍ବାମୀଙ୍କ ମନରେ ଅନେକ ପ୍ରଶ୍ନ । ସେମାନେ ସେହି ଲୋକକୁ ଦେଖିବାକୁ ଚାହିଁଲେ । ପୋଲିସ ଯେତେବେଳେ ସିସି ଟିଭିରେ ତା ଫଟୋ ଦେଖେଇଲେ, ଉଭୟ ଆଶ୍ଚର୍ଯ୍ୟ ହୋଇଗଲେ । ଇଏ ଯେ ସେହି ଲୋକ ଯାହାକୁ କଳ୍ପନା ଖାଇବାକୁ ଦେଉଥିଲା । ଏବେ କଳ୍ପନାର ଆଖିରେ ଆନନ୍ଦର ଅଶ୍ରୁ ଆଉ ତା ସ୍ବାମୀଙ୍କ ମନରେ ଅଜସ୍ର ଅନୁତାପ ।