Sangeeta Barik

Others

3  

Sangeeta Barik

Others

ରହସ୍ୟ

ରହସ୍ୟ

6 mins
162



ଡାକ୍ତର ବାବୁ ଡାକୁଛନ୍ତି ଶୁଣି ସାବିତ୍ରୀର ପାଦ ତଳୁ ମାଟି ଖସିଗଲା । ମୁଣ୍ଡରେ ଚଡକ ପଡିଲା । ସେ କଣ କରିବ କଣ କହିବ କିଛି ବୁଝି ପାରୁନଥିଲା । ତାକୁ ଲାଗୁଥିଲା ଯେପରି ତା ଦେହରେ ଜୀବନ ନାହିଁ । ସେ ଏକ ଜିଅନ୍ତା ଶବ । ସତରେ କଣ ଆଜି ଡାକ୍ତରଖାନାରେ ଶେଷ ଦିବସ । ଏବେ ଠାକୁର ମଧ୍ୟ ତା ପାଇଁ ପଥର ହୋଇ ଯାଇଛନ୍ତି । ବିକଳ ହୋଇ ଚାହିଁଲା ସ୍ବାମୀଙ୍କୁ । ସେ ନିରବ ନିଶ୍ଚଳ ହୋଇ ବିଛଣାରେ ପଡିଛନ୍ତି । ଜୀର୍ଣ୍ଣ ଚମଡାଟା କେବଳ ଢାଙ୍କୁଡି ପକେଇଛି ହାଡକୁ । ତାଙ୍କୁ ଦେଖିଲେ ସହଜେ ବିଶ୍ବାସ କରି ହେବନି ଯେ ସେ ଜଣେ ପଇଁତିରିଶି ବର୍ଷର ଯୁବକ । ଷାଠିଏ ବର୍ଷର ବୄଦ୍ଧ ଭଳି ଦେଖାଯାଉଛନ୍ତି । ଏହି ଡାକ୍ତରଖାନା ବେଡ଼ରେ ସେ ଦୁଇ ମାସ ହେଲାଣି ପଡି ରହିଛନ୍ତି । ତାଙ୍କୁ ଆରୋଗ୍ୟ କରିବା ପାଇଁ ଡାକ୍ତର ମାନେ ଚେଷ୍ଟାରତ । ଏବେ ବାଧକ ସାଜିଛି ଅର୍ଥ । ଚିକିତ୍ସା ପାଇଁ ଅନେକ ଅର୍ଥ ଖର୍ଚ୍ଚ ହୋଇ ସାରିଲାଣି । ସାବିତ୍ରୀ ନିଜର ସଞ୍ଚିତ ଧନ ଖର୍ଚ୍ଚ କଲା ପରେ ନିଜର ଜମିବାଡି ଏପରିକି ନିଜର ସମସ୍ତ ଗହଣା ବିକ୍ରି କରିଦେଇଛି । ସୁହାଗିନୀର ସନ୍ତକ ମଙ୍ଗଳସୁତ୍ର ମଧ୍ୟ ବିକ୍ରି ସରିଛି । ସେ ଏବେ କପର୍ଦକ ଶୂନ୍ୟ । ତେଣୁ ସ୍ବାମୀଙ୍କୁ ମାଗଣାରେ ଚିକିତ୍ସା କରିବା ପାଇଁ ଅନେକ ଥର ଡାକ୍ତର ଓ ନର୍ସିଂହୋମ ମାଲିକଙ୍କ ଗୋଡ ଧରି ସାରିଲଣି । କିନ୍ତୁ ସେମାନେ ନିରବ । ଏବେ କଣ ଡାକ୍ତର ବାବୁ ଡାକିଛନ୍ତି ହସପିଟାଲରୁ ବିଦା କରିଦେବେ ବୋଲି । ଆଶଙ୍କାରେ ଥରି ଉଠିଲା ସାବିତ୍ରୀ । ଅବଶଶରୀର ଟାକୁ ବୋହି ଚାଲିଲା ଡାକ୍ତରଙ୍କ କୋଠରୀକୁ । ଦୁଆର ମୁହଁରେ ପହଞ୍ଚୁ ପହଞ୍ଚୁ ମୁହଁରେ ସ୍ମିତହସ ହସି ଡାକ୍ତର ଭିତରକୁ ଆସିବା ପାଇଁ ଇସାରା କଲେ । ଡାକ୍ତରଙ୍କ ପାଖରେ ବସି ଥାଆନ୍ତି ଜଣେ ଦମ୍ପତି । ବୟସର ଛାପଟା ଉଭୟଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇ ପଡୁଛି । ଡାକ୍ତର ପାଖରେ ଥିବା ଏକ ଚୌକି ରେ ବସିବାକୁ ନିର୍ଦ୍ଦେଶ ଦେଇ ଆରମ୍ଭ କଲେ କଥା 

...ସାବିତ୍ରୀ । ତମେ ଏବେ ବହୁତ ଟେନ୍ସନରେ ଅଛ । ଅନେକ ଅର୍ଥ ମଧ୍ୟ ଖର୍ଚ୍ଚ କରି ସାରିଲଣି । ଏବେ ତମେ ଅର୍ଥ ଶୂନ୍ୟ । ତମ ସ୍ବାମୀ କେବେ ଭଲ ହେବେ ତାହା ଈଶ୍ବରଙ୍କୁ ଜଣା । ଆମେ ତ ପୂର୍ଣ୍ଣ ଭାବରେ ଚେଷ୍ଟା କରୁଛୁ । ଆଗକୁ ସ୍ବାମୀଙ୍କ ଚିକିତ୍ସା ପାଇଁ ଅନେକ ଅର୍ଥର ଆବଶ୍ୟକତା ଅଛି । 

ସାର୍ !ମୁଁ ମଧ୍ୟ ଉପାୟଶୂନ୍ୟ । (ଭୋ ଭୋ ହୋଇ କାନ୍ଦି ଉଠିଲା ସାବିତ୍ରୀ)

ତମେ କାନ୍ଦ ବନ୍ଦ କର । ତମ ପାଇଁ ଭଗବାନ ଏକ ସୁନ୍ଦର ସୁଯୋଗ ଆଣି ଦେଇଛନ୍ତି । ତମେ ଯଦି ରାଜି ହେବ ପ୍ରତି ବଦଳରେ ପାଇବ ଅନେକ ଅର୍ଥ । ଯେଉଁଥିରେ ତମ ସ୍ବାମୀଙ୍କର ଚିକିତ୍ସା ହୋଇ ପାରିବ ।

ଆଖି ତରାଟି ଚାହିଁଲା ସାବିତ୍ରୀ । କିଛି ବୁଝି ପାରୁ ନଥାଏ । ଏଇତ କିଛି ସମୟ ପୂର୍ବରୁ ସେ ଭାବୁଥିଲା ତା ସ୍ବାମୀଙ୍କ ପାଇଁ ସେ ସବୁ କିଛି କରି ପାରିବ । କିନ୍ତୁ ଏବେ କାହିଁକି ତାକୁ ଡର ଗୁଡା ଡରଉଥିଲେ । ଆଶଙ୍କାରେ ଖୁନ୍ଦି ହୋଇ ଯାଉଥିଲା ମନ । ଅନେକ ପ୍ରଶ୍ନ । ତାର ଅସହାୟତାର ସୁଯୋଗ ଏମାନେ ଉଠେଇବାକୁ ଚାହୁଁ ନାହାନ୍ତି ତ । ଏବେ ସେ କଣ କରିବ । ତାକୁ ତ ଟଙ୍କା ଦରକାର । ନହେଲେ ସ୍ବାମୀ ଆଉ ଆଖି ଫିଟେଇବେନି । କେବେ ଯେ ସବୁକିଛି ଶେଷ ହୋଇଯିବ କିଏ ଜାଣେ । ତେବେ ସେ ବଞ୍ଚିବ କାହା ପାଇଁ । ନା ସେ ସାବିତ୍ରୀ । ଯେପରି ହେଉ ତାକୁ ଯମ ମୁଖରୁ ଫେରେଇ ଆଣିବାକୁ ପଡିବ ତା ସତ୍ୟବାନଙ୍କ ଜୀବନ । ପ୍ରଭୁଙ୍କୁ ସ୍ମରଣ କରି ସେ ପଚାରିଲା ଡାକ୍ତରଙ୍କୁ

କଣ କରିବାକୁ ପଡିବ ମୋତେ ?

ତମେ ଚିନ୍ତା କରନି । ସେମିତି କିଛି ଖରାପ କର୍ମ ନୁହେଁ । ତମେ ସରୋଗେଟ୍ ମଦର୍ ହୋଇପାରିବ ?

....ମୁଁ ?

.....ହଁ ତମେ । ଏଇ ଦମ୍ପତିଙ୍କର ବିବାହ କୋଡିଏ ବର୍ଷ ହୋଇ ଗଲାଣି । କିନ୍ତୁ ସେମାନେ ସନ୍ତାନ ସୁଖରୁ ଏବେବି ବଞ୍ଚିତ । ବହୁତ ପରୀକ୍ଷା ପରେ ଜଣା ପଡିଛି ସେ ମାଡାଙ୍କ ଗର୍ଭାଶୟରେ ପିଲା ରହିବନି । ତମେ ଯଦି ଚାହିଁବ ସେମାନଙ୍କୁ ସାହାଯ୍ୟ କରି ପାରିବ । ପ୍ରତି ବଦଳରେ ତମ ସ୍ବାମୀଙ୍କ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ସେମାନେ ବହନ କରିବେ । ତମ ବନ୍ଧା ପଡିଥିବା ଘର ମୁକୁଳେଇ ଦେବେ । ଏହା ବ୍ୟତୀତ ଆହୁରି ଅନେକ ଟଙ୍କା ମଧ୍ୟ ତମକୁ ଦେବେ ।

  କିଛି ସମୟ ପାଇଁ ସାବିତ୍ରୀ କିଂକର୍ତ୍ତବ୍ୟମୂଢ ହୋଇ ଗଲା । କଣ କରିବ କିଛି ଚିନ୍ତା କରି ପାରିଲା ନାହିଁ । ସରୋଗେଟ୍ ମଦର୍ ବିଷୟରେ ସେ ଆଗରୁ ଜାଣି ଥିଲା । ତେଣୁ ଡାକ୍ତରଙ୍କ କଥା ତାକୁ ବୁଝିବାରେ ଅସୁବିଧା ହେଲାନି । କିନ୍ତୁ ସେ କଣ କରିବା ଉଚିତ ତାହା ଜାଣି ପାରୁନଥିଲା । କାହାକୁ ସେ ପଚାରିବ । ଯାହାକୁ ସେ ପଚାରିଥାନ୍ତା, ସେ ତ ଏବେ ଆଖି ଖୋଲୁ ନାହାନ୍ତି କି କିଛି ଶୁଣି ପାରୁନାହାନ୍ତି । କୋମା ରେ ଅଛନ୍ତି । ତେଣୁ ଏତେ ବଡ ନିଷ୍ପତ୍ତି ସେ କାହାକୁ ପଚାରି ନେବ । ନା । ମନକୁ ସ୍ଥିର କଲା ସେ । ତାକୁ ନିଷ୍ପତ୍ତି ନେବାକୁ ପଡିବ । ତାକୁ ଏ କାମ କରିବାକୁ ପଡିବ । ନହେଲେ ତା ସିନ୍ଦୂର ଲିଭିଯିବ । ଶଙ୍ଖା ଭାଙ୍ଗି ଯିବ । ଯିଏ ତାର ଜୀବନ, ଯାହକୁ ସେ ପ୍ରାଣ ଭରି ଭଲ ପାଉଛି ତାକୁ ସେ ହରେଇ ଦେବ । ତେବେ ସେ ବଞ୍ଚିବ କାହା ପାଇଁ ? ସେହି ମୁହୂର୍ତ୍ତରେ ସେ ଡାକ୍ତରଙ୍କୁ ମୁଣ୍ଡ ହଲେଇ ନିଜର ସମ୍ମତ୍ତି ଜଣେଇ ଦେଲା । ଡାକ୍ତର କିଛି କହିବା ପୂର୍ବରୁ ଦମ୍ପତ୍ତି ଦୁଇଜଣ ହାତ ଯୋଡି ନିଜର କୄତଜ୍ଞତା ପ୍ରକାଶ କଲେ । ଦୁଇ ଜଣଙ୍କ ଆଖିରେ ଆନନ୍ଦର ଅଶ୍ରୁ । ମହିଳା ଜଣକ ଚେୟାର ଛାଡି ଉଠି ଆସିଲେ ସାବିତ୍ରୀ ପାଖକୁ । ହାତ ଯୋଡି କହିଲେ

  ...ଭଉଣୀ । ମୁଁ ଆଜି ବହୁତ ଖୁସି । ଯାହାହେଉ ତମେ ରାଜି ହୋଇଗଲ । କିନ୍ତୁ ମୋର ତମକୁ ଏକ ଅନୁରୋଧ ଅଛି ।

  ...କଣ ?

  ..ତମକୁ ତମ ସ୍ବାମୀଙ୍କ ରାଣ । ତମେ ଏ ବିଷୟରେ କାହାକୁ କିଛି କହିବନି । 

  ...ଠିକ୍ ଅଛି ମୁଁ କାହାକୁ କିଛି କହବିନି । ମୋତେ କେବଳ ମୋ ସ୍ବାମୀ ଦରକାର । ତାଙ୍କ ପାଇଁ ଯାହାବି ମୋତେ କରିବାକୁ ପଡିବ ମୁଁ କରିବି ।

  ୟା ଭିତରେ ବିତିଯାଇଛି ଆଠମାସ । ସତ୍ୟବ୍ରତ ଏବେ ଭଲ ହୋଇ ଗଲେଣି । ଖିଆପିଆ କଲେଣି । ଡାକ୍ତର ମଧ୍ୟ କହି ଦେଲେଣି ତାଙ୍କୁ ଡିସଚାର୍ଜ ଦିଆଯିବ । ସବୁ ଠିକ୍ ଠାକ୍ ଭିତରେ କେବଳ ଗୋଟିଏ ବେଠିକ୍ ଥିଲା । ସ୍ତ୍ରୀ ସାବିତ୍ରୀ ର ଶାରୀରିକ ପରିବର୍ତ୍ତନ । ସ୍ବାମୀଙ୍କ ମନରେ ଅନେକ ସନ୍ଦେହ । ସ୍ତ୍ରୀ ର ଚରିତ୍ର ଏବେ ରହସ୍ୟ ଘେରରେ । ଅନେକ ଥର ପଚାରିଛନ୍ତି ମଧ୍ୟ । କିନ୍ତୁ ସାବିତ୍ରୀ କିଛି ନା କିଛି ବାହାନା କରି ଆଡେଇ ଯାଆନ୍ତି କଥା । ସେ ଯେ ପ୍ରତିଜ୍ଞାବଦ୍ଧ ନ କହିବା ପାଇଁ । ସ୍ବାମୀଙ୍କ ରାଣ ଦିଆଯାଇଛି । ତେଣୁ ସେ ଚୁପ୍ ରହିବ ।

  ନିର୍ଦ୍ଦିଷ୍ଟ ଦିନରେ ସ୍ବାମୀ ସ୍ତ୍ରୀ ଘରକୁ ଫେରିଲେ । ଘରକୁ ଫେରିବା ପରେ ସତ୍ୟବ୍ରତ ଆରମ୍ଭ କରି ଦେଲେ ଗାଳି ଗୁଲଜ । ହାତ ମଧ୍ୟ ଉଠେଇବାକୁ ପଛେଇଲେ ନାହିଁ । ସବୁ ଯନ୍ତ୍ରଣାକୁ ସହି ମଧ୍ୟ ସାବିତ୍ରୀ ନିରବ ରହିଲା । ଗାଁ ସାହିପଡିଶା ସବୁଆଡେ ଟୁପୁରୁଟାପର । ସାବିତ୍ରୀ କାଳେ ପାପ କରିଛି । ସ୍ବାମୀ ରୋଗ ଶଯ୍ୟାରେ ପଡିଥିଲା । ତେଣୁ କାହା ପାପକୁ ଏ ଗର୍ଭରେ ଧରିଛି ।ଏବେ ସାବିତ୍ରୀ ର ଜୀବନ ଜିଇଁବା ଭାରି କଷ୍ଟକର ହୋଇ ପଡୁଥିଲା ।ତଥାପି ସବୁ କଷ୍ଟ ଭିତରେ ସେ ଆଉ ଏକ ଆନନ୍ଦ ଅନୁଭବ କରୁଥିଲା । ଯାହା ଥିଲା ତା ପେଟ ଭିତରେ ଆଉ ଏକ ଜୀବନ ।ଅନେକ ସମୟରେ ରାତିରେ ପିଲାଟି ଘୁରିବୁଲେ ତା ପେଟ ଭିତରେ । ସେ ପେଟ ଉପରେ ତା ହାତରେ ଅଣ୍ଡାଳି ପକାଏ । ଭାରି ଇଚ୍ଛା ହୁଏ ଗେହ୍ଲ କରିବାକୁ । ପୁଣି ଭାବେ ନା ଏତେ ମାୟା ଲଗେଇବା ଭଲ ନୁହେଁ । କାରଣ ୟେ ଆଉ କାହାର ସମ୍ପତ୍ତି । ସେ ତ କେବଳ ଗର୍ଭରେ ସ୍ଥାନ ଦେଇଛି । ଯେତେ ବୁଝେଇଲେ ବି ମନଟା ବୁଝେନି । ବେଶୀ ବେଶୀ ପିଲାଟା ମମତାରେ ପଡିଯାଏ । ପୁଣି ଭାବେ ଯଦି ଏ ପିଲାଟା ସତ୍ୟବ୍ରତ ର ହୋଇଥାନ୍ତା ତେବେ କେତେ ଖୁସି ହୋଇଥାନ୍ତେ ଦୁହେଁ ।ବହୁତ ଗେହ୍ଲ କରିଥାନ୍ତେ । ସତ୍ୟବ୍ରତ ତାକୁ ବି ବହୁତ ଆଦର କରିଥାନ୍ତେ । ଯତ୍ନ ନେଇଥାନ୍ତେ । ଆଉ ଦୁହେଁ ମିଶି ପିଲାର ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତେ । ହଠାତ୍ ଦିନେ ସାବିତ୍ରୀ ପେଟରେ କଷ୍ଟ ଅନୁଭବ କଲା । କାହାକୁ କିଛି ନକହି ସେ ଡାକ୍ତରଖାନା ପଳେଇ ଆସିଲା । ଡାକ୍ତର ପରୀକ୍ଷା କଲେ । ପିଲାର ପ୍ରକୃତ ବାପା ମା ମଧ୍ୟ ପହଞ୍ଚି ଗଲେ । ସାବିତ୍ରୀ ପେଟରେ ଅଜସ୍ର ଯନ୍ତ୍ରଣା । ଲେବରପେନ୍ ଆରମ୍ଭ ହୋଇ ଯାଇଥାଏ । ଠିକ୍ ସମୟରେ ନବଜାତକ ଦୁନିଆ ଦେଖିଲା । ସବୁକିଛି ଠିକ୍ ଠାକ୍ ଥାଏ । ସାବିତ୍ରୀର ଯନ୍ତ୍ରଣା ଉପଶମ ହୋଇ ଯାଇଥାଏ । ପାଖରେ ଶୋଇଥିଲା ଶିଶୁ ପୁତ୍ର । ଭାରି ଗୁଲୁଗୁଲିଆ । ସାବିତ୍ରୀ ତା କପାଳରେ ଗାଲରେ ଆଙ୍କିଦେଲା ଚୁମ୍ବନ । ବାତ୍ସଲ୍ୟ ଭରା ହାତ ବୁଲେଇ ଆଣିଲା ତା ଶରୀର ଉପରେ । ତାକୁ ଅନୁଭବ ହେଉଥିଲା ସେ ପିଲାଟି ତାର କେବଳ ତାର । ହଠାତ୍ ଡାକ୍ତରଙ୍କ ସହ କେବିନ୍ କୁ ପଶି ଆସିଲେ ସେହି ଦମ୍ପତ୍ତି । ଗୋଟିଏ ଟଙ୍କା ବିଡା ରଖିଦେଲ ସାବିତ୍ରୀ ପାଖରେ । ପିଲାଟିକୁ ଧରି ବାହାରି ଯାଉଥିଲେ ରୁମରୁ । ସାବିତ୍ରୀ ଆଡକୁ ଆଡ ଆଖିରେ ବି ଦେଖିଲେନି । ଭଲ ମନ୍ଦ ପଚାରିଲେ ନାହିଁ । ଏପରିକି ତା ସ୍ବାସ୍ଥ୍ୟବସ୍ଥା ଜାଣିବା ପାଇଁ ମଧ୍ୟ ଉଚିତ ମଣିଲେନି । ସାବିତ୍ରୀ ଆଖିରୁ ବୋହି ଯାଉଥିଲା ଗଙ୍ଗା ଯମୁନା । ସେ ପଛ ଆଡୁ ଡାକି କହିଲା 

  ...ମାଡାମ୍ ଆପଣ ଏ ଟଙ୍କା ନେଇ ଯାଆନ୍ତୁ । 

  ...କାହିଁକି ?

  ...ଭାବି ନିଅନ୍ତୁ ଏତିକି ମୋ ତରଫରୁ ପୁଅକୁ ଉପହାର । ତା ପାଇଁ କିଛି ଖର୍ଚ୍ଚ କରିଦେବେ ।

  ଘରକୁ ଫେରିଲା ସାବିତ୍ରୀ । ତାର ସମତଳ ପେଟକୁ ଦେଖି ଗର୍ଜି ଉଠିଲା ସ୍ବାମୀ "ଆଠ ଦିନ ହେଲାଣି କଉଠି ଥିଲୁ ?କେଉଁଠି ତୋ ପାପକୁ ଫୋପାଡ଼ି ଦେଇ ଆସିଲୁ । ତୋ ଭଳି ରହସ୍ୟମୟୀ ନାରୀ ଓ ଚରିତ୍ରହିନାର ଏ ଘରେ ସ୍ଥାନ ନାହିଁ ।" ମନ ଇଚ୍ଛା ଗୋଇଠା ବିଧା ମାରିଲା ସାବିତ୍ରୀକୁ । ଏତିକିରେ ସେ ସନ୍ତୁଷ୍ଟ ହେଲାନି ଯେ ତା ଚୁଟିକୁ ଧରି ଟାଣି ଟାଣି ମୁଖ୍ୟ ରାସ୍ତାକୁ ଆଣି କାର୍ ଆଗକୁ ପେଲିଦେଲା । ଅଟକି ଗଲା କାର୍ । ବାହାରି ଆସିଲେ ଡାକ୍ତର । ସତ୍ୟବ୍ରତଙ୍କୁ ଚିହ୍ନିଲେ । ଆଉ ସବୁ କଥା ଶୁଣି ବହୁତ ଅବସୋସ କଲେ । ପ୍ରକୃତ ସତ୍ୟକୁ ଉପସ୍ଥାପନ କରି ରହସ୍ୟ ଉପରୁ ପରଦା ଉଠେଇ ଦେଲେ । ସେତେବେଳକୁ ସାବିତ୍ରୀର ଜୀବନ ଶରୀର ଛାଡି ଦେଇଥିଲା । ଆଉ ସତ୍ୟବ୍ରତ ଜଳୁଥିଲା ଅନୁତାପର ନିଆଁରେ । ଯେଉଁ ସାବିତ୍ରୀ ଯମ ମୁହଁରୁ ସ୍ବାମୀକୁ ଫେରେଇ ଆଣିଥିଲା । ସେହି ସ୍ବାମୀ ତାକୁ ଯମ ମୁହଁକୁ ଠେଲି ଦେଲା ।

 


Rate this content
Log in