STORYMIRROR

Ambuja Mohanty

Inspirational

3  

Ambuja Mohanty

Inspirational

ସୁମୀ ଅପା

ସୁମୀ ଅପା

6 mins
254

ପିଲା ଦିନ ଆଉ ବର୍ଷା ମନେ ପଡିଲେ , ମନେ ପଡେ ସୁମୀ ଅପା । ମୁଁ ଥିଲି ଛୋଟ ମାନେ ଦଶ ବର୍ଷର ଆଉ ସୁମୀ ଅପାର ବଡ଼ ଚେଲା । ଖଟା ଚୋରି ଆମ୍ବ ଖାଇବାଠୁ ପିଜୁଳି କୋଳି ଯାଏ ସବୁଥିରେ ମୋର ଭାଗ, ମତେ କହେ ସେ ଗୁଡୁଲୁ ତୁ ଜଗିଥା ମୁଁ ଚଢ଼ିବି ଗଛରେ । ଏମିତି ଖାଲି ନୁହେଁ, ସବୁ ଘରକରଣା ଶିଖିଛି ସେ । ଝୋଟି ମୁରୁଜ ଆଙ୍କି ଦେବାଠୁ ଆରମ୍ଭ କରି ଆଚାର ବଡି ପାମ୍ପଡ ତିଆରି କରିବା ସବୁ ଆସେ ତାକୁ । ବୋଉର ମୋର ଭାରି ପ୍ରିୟ ସେ । ମତେ ସଜେଇ ଦେବା ଆଉ ବିଭିନ୍ନ ପୋଷାକ ପିନ୍ଧେଇବା ଖୁଏଇ ଦେବା ସବୁ ଥିରେ ଆଗଭର । ପାଠ ପଢିଲା ନାହିଁ ସେ । ଅର୍ଥ ଅଭାବ ହେତୁ କିନ୍ତୁ ପ୍ଲସ ଟୁ ଯାଏ ପଢ଼ିଛି ମତେ କୁହେ ଗୁଡ଼ୁଲୁ ତୁ ବହୁତ୍ ପଢ଼ିବୁ । କିଛି ବୁଝେ ନ ବୁଝେ ହଁ ମାରେ ମୁଁ । ଯେବେ ଯେବେ ବର୍ଷା ହୁଏ ମୋ ପାଇଁ କାଗଜ ଡ଼ଙ୍ଗା କରିଦିଏ ଆଉ ନିଜେ ଖୁବ୍ ଭିଜେ କୁହେ ବର୍ଷାରେ ସମସ୍ତେ ଭିଜନ୍ତି ନାହିଁ ଯାହାର କିଛି କହିବାର ଥାଏ ସେ ଭିଜେ । ମାଆ ନାହିଁ ବାପାଟିଏ ତାର । କାମ କରେ ସହରରେ ସପ୍ତାହକୁ ଥରେ ଆସେ ଘରକୁ । 

ସେଦିନ ଘଟଣା ସୁମୀ ଅପା ଜୀବନରେ ଆଣିଥିଲା ଏକ ନୂଆ ସୂର୍ଯ୍ୟୋଦୟ । ମୌସୁମୀର ଆଗମନ ଆଉ ପ୍ରବଳ ବର୍ଷାରେ ଗାଁ ଦିଶୁଥିଲା ନୂଆ ବୋହୁ ଭଳି । ସବୁଜିମାରେ ପରିପୂର୍ଣ୍ଣ ତାର ଶିରି । 

ବର୍ଷାକୁ ଦେଖି ଅନେକ କାଗଜ ଡ଼ଙ୍ଗା ତିଆରି କରି ଦେଇଥିଲା ମତେ ଅପା ଆଉ କହିଲା ତୁ ଠାକୁରାଣୀ ପିଣ୍ଡାରେ ବସ ଆଉ ତଳକୁ ନଇଁ ଭସଉଥା । ଏତିକି କହି ବର୍ଷାରେ ବିଭୋର ମୟୁରି ପାରି ନୃତ୍ୟ କରିବାରେ ଲାଗିଗଲା ସେ । କିଛି ସମୟ ଅନ୍ତେ ଜଣେ ଯୁବକ ସୌମ୍ୟ ଶାନ୍ତ ସୁନ୍ଦର୍ ଆସୁଥିଲେ ତା ନିକଟକୁ ଆଉ ଦେଖୁଥିଲେ ବର୍ଷାରେ ଭିଜା ତାର ନବ ଯୌବନକୁ । ଜାଣି ପାରିଲା ବୋଧହୁଏ ସୁମୀ ଅପା ଚାଲିଆସିଲା ମୋ ପାଖକୁ । ଆଉ ଓଢଣିରେ ଘୋଡେଇ ଦେଲା ତାର ଦେହ । ଯୁବକ ଜଣକ ଟିକିଏ ଲଜ୍ଜିତ ହେଲା ପରି ମନେ ହେଲେ ଆଉ ଚାଲିଗଲେ । 

ତାହାର କିଛି ଦିନ ପରେ ଜଣା ପଡ଼ିଲା ଗ୍ରାମରେ କ୍ଳବ୍ ଘର ଖୋଲିଛି ଆଉ କିଛି ଗାଁ ଯୁବକମାନଙ୍କ ସହ ତାଙ୍କ ସହରୀ ବନ୍ଧୁ ମଧ୍ୟ ଆସି ସେଠାରେ ବସି ବିଭିନ୍ନ ଆଲୋଚନା କରୁଛନ୍ତି । ସେମାନେ ଗ୍ରାମର ଉନ୍ନତି ତଥା ବିକାଶ ପାଇଁ ନୃତ୍ୟ ନାଟିକା ପରିବେଷଣ କରି ବୁଝେଇବେ ଗ୍ରାମବାସୀଙ୍କୁ ଶୌଚାଳୟର ମୂଲ୍ୟ, ପାଠ ପଢାର ମୂଲ୍ୟ ଆଦି । ଆଉ ବେଳେ ବେଳେ ରାତିରେ ବିଭିନ୍ନ ପୌରାଣିକ କଥା ନାଟକ କରି ମନ ହରଣ କରିବେ ଲୋକଙ୍କର । ସେମାନଙ୍କ ମଧ୍ୟରେ ଥିଲେ ସେ ଯୁବକ ଜଣକ, ଗ୍ରାମର ଜଣେ ସନାତନ ଦାଦାଙ୍କ ସାଙ୍ଗ । ତାଙ୍କ ନାମ ଥିଲା ରବି । ମୁହଁରେ ରଙ୍ଗ ବୋଲି ବିଭିନ୍ନ ନୃତ୍ୟନାଟିକାରେ କେବେ ରାମ କେବେ କୃଷ୍ଣ ତ ପୁଣି କେବେ ରୋମିଓ ଭୂମିକାରେ ଦେଖି ଦେଖି ତାଙ୍କ ଲୈଲା ହୋଇ ଗଲା ସୁମୀ ଅପା । 

ଚୁପ୍ ଚାପ୍ ଖରାବେଳେ ଆମ୍ବ ତୋଟାରେ ତାଙ୍କର ଗୋପନ ପୀରତି ଆରମ୍ଭ ହୋଇଥିଲା । ପ୍ରଥମେ ସେମାନେ କଥା ହୁଅନ୍ତି ନାହି ସାମ୍ନାରେ । ତେଣୁ ମୁଁ ତାଙ୍କର ଚିଠି ବାହକ ଥିଲି । ରବି ଭାଇକୁ ଦେଖେଇ ହୋଇ କ୍ଳବ୍ ଘର ଆଗରେ ବୁଲେ ଓ ସେ ବୁଝି ପାରେ ଅପା ଚିଠି ଦେଇଛି । ଚୁପ୍ ଚାପ୍ ଆସି ମୋଠୁ ଚିଠି ନେଇ ଯାଏ । ବେଳେ ବେଳେ ମତେ ବଡ଼ ବଡ଼ ଚକଲେଟ ଦିଏ । ଆଉ ଅପା ପାଇଁ ହାତରେ ଚିଠି । ଅନେକ ଥର ଦେଖିଚି ଅପା କାହା ଦାଣ୍ଡରେ ଝୋଟି ପକାଉଥିଲା ବେଳେ ଦୂରରେ ଥାଇ ତାର ସୌନ୍ଦର୍ଯ୍ୟକୁ ଭରା ଚକ୍ଷୁରେ ଉପଭୋଗ କରନ୍ତି ରବି ଭାଇ । 

ସେଦିନ ଠିକ୍ ମନେ ଅଛି ମୋର । ଅପା ଘର ଆମ ଘରଠାରୁ କିଛି ମାତ୍ର ଦୂର ଗାଁ ମୁଣ୍ଡରେ । ଲିପା ପୋଛା ଅଗଣା ଆଉ ନଡିଆ ଗଛ ଚତୁଃପାର୍ଶ୍ୱରେ । ବୋଉ ଡକେଇ ପଠେଇ ଥାଏ ଅପାକୁ । ମୁଁ ଯାଇ ପହଞ୍ଚିଲି ତା ଘରେ । ଲଣ୍ଠନ ଜଳୁଛି । ବିଜୁଳି ନେଇ ନଥିଲେ ସେମାନେ ଯେହେତୁ ଅର୍ଥାଭାବ । ଚୁଲିରେ ଭାତ ଫୁଟୁଛି ଆଉ କବାଟ ଭିତରୁ ଦିଆ ଯାଇଛି । ଅପା କଣ । ଭାତ ବସେଇ ଦେଇ ଶୋଇ ପଡ଼ିଛି କି । ଅପା ଅପା ବଡ଼ ପାଟିରେ ଡାକ ପକେଇଲି ମୁଁ । 

କିଛି ସମୟ ପରେ କବାଟ ଖୋଲି ବାହାରି ଆସିଲା ଅପା ଲାଲ୍ ଶାଢ଼ୀକୁ ସଜାଡୁ ସଜାଡୁ । ସାଧାରଣତଃ କିଛି ବିଶେଷ ଦିନରେ ସେ ଏହି ଶାଢ଼ୀ ପିନ୍ଧେ ବୋଲି କୁହେ ମତେ । ପଛେ ପଛେ ବାହାରି ଆସିଲେ ରବି ଭାଇ । ଗୋଟିଏ ଦୁଷ୍ଟାମୀ ଭରା ହସ ମୁହଁରେ ଆଉ ଆଖିରେ ଲାଗି ରହିଥିଲା ତାଙ୍କର । ଆଉ ଅପା ମୁହଁ ଲାଲ । 

ମୁଁ ପଚାରିଲି କଣ ହେଲା ତମେ ମାନେ କଣ କରୁଥିଲ । ମୁଁ ଏତେ ଡାକିଲି ଓ ପଦେ କହିଲନି । 

ଅପା କହିଲା ଗୁଡୁଲି ଭାଇ ମତେ ପାଠ ପଢାଇ ଦେଉଥିଲେ । 

ଓଃ ଭଲ ତ । 

ହଁ ତୁ କିନ୍ତୁ କାହାକୁ କହିବୁନି ତତେ ମୋ ରାଣ । 

ମୁଁ ବହୁତ୍ ପଢି ସାରିଲେ ସମସ୍ତଙ୍କୁ ଜଣେଇବି । 

ହଉ ଏବେ ଚାଲ ବୋଉ ଡାକୁଚି ମାଛ ଝୋଳ ହେଇଚି ଖାଇବୁ । 

ହଉ ଚାଲ । 

ସେମାନଙ୍କର ଏହି ଭଳି ମିଳାମିଶା ଲାଗି ରହିଥାଏ । ଅନେକ ସମୟରେ ରବି ଭାଇ ଅପାକୁ ତାଙ୍କ ବାହୁ ବନ୍ଧନରେରେ ବାନ୍ଧି ରଖି ଥାଆନ୍ତି ଆଉ ଅପା ସାପ ଭଳିଆ ତାଙ୍କ ଦେହରେ ଗୁଡେଇ ହୋଇ ରହି ଥାଏ ଏଣିକି ମୋ ସହ ତାର ମିଳାମିଶା ଟିକେ କମି ଯାଇଥାଏ । 

ସେ ଖୁସି ଥାଏ ତା ଜୀବନକୁ ନେଇ । ଆଉ ତାକୁ ଖୁସି ଦେଖି ମୁଁ ମଧ୍ୟ ଖୁବ୍ ଖୁସି ହୁଏ । 

ସେଦିନ ବୋଉ ମତେ କହିଲେ ଗୁଡୁଲ୍ ସୁମୀ ଅପା ସହ ମିଳାମିଶା କରିବୁନି ବେଶୀ । 

କଣ ହେଲା କି ମୁଁ ପଚାରିଲି

କହିଲା କିଛି ନାହିଁ, ଯାହା କହିଲି ସେଇୟା । 

ହଁ ମାରିବା ଛଡା ଉପାୟ ନଥିଲା ମୋ ପାଖରେ

ବାପାଙ୍କୁ ବୋଉ କହୁଥିବା ଶୁଣିଲି ସୁମୀ ଗର୍ଭବତୀ । ଜଣା ନାହିଁ କାହା ଛୁଆ ପେଟରେ ଧରିଛି । ପଚାରିଲେ କହୁନି । ଆମ ଗୁଡ଼ୁଲ୍ ବି ଝିଅଟା ତାକୁ ମିଶିବା ପାଇଁ ମନା କଲି । ଭଲ କଲ ବାପା କହିଲେ । 

ତାର ପରଦିନ ମୋର ମନ ସମ୍ଭାଳି ହେଲାନି କହିଲି : ବୋଉ ଯାଉଛି ଟିକିଏ ବୁଲି ଆସିବି ଗାଁ ତୋଟା ଆଡେ । ହଉ ଯା କିନ୍ତୁ ସେ ପୋଡ଼ି ମୁହିଁ ସୁମୀ ଘରକୁ ଯିବୁନି । 

ନା ନା ତୁ ବା ମନା କଲୁ । 

ହଉ କହି ଦୌଡି ଚାଲିଗଲି ମୁଁ, ଠିକ୍ ଜାଣେ ସେ ଏବେ ମନ୍ଦିର ପାଖରେ ଥିବ । ସତକୁ ସତ ବସିଥିଲା ସେ । ତାକୁ ଦେଖି ଡରିଗଲି ମୁଁ ଭୂତୁଣି ଭଳିଆ ଦିଶୁଥିଲା ସେ । ସେହି ନାଲି ଶାଢ଼ୀ ପିନ୍ଧିଥିଲା ହେଲେ କେଶ ମୁକୁଳା ତାର ବସିଥିଲା ମନ୍ଦିର ପଛରେ ଆଉଜି ଆମର ଗୁପ୍ତ ସ୍ଥାନରେ । ତା ପାଖକୁ ଗଲି ଆଉ ଡାକିଲି:

ଅପା.....

ଗୁଡ଼ୁଲୁ ତୁ ଆସିଛୁ ବୋଉ ଛାଡ଼ିଲା...

ନା ନା ତାକୁ କହିବୁନି ଲୁଚିକରି ଆଇଛି ମୁଁ, କଣ ହେଲା ତୋର । 

ମତେ ଧରି ଜୋରରେ କାନ୍ଦି ପକେଇଲା ସେ । ରବି ଭାଇ ମତେ ବିବାହ ପ୍ରତିଶ୍ରୁତି ଦେଇଥିଲେ ହେଲେ ଶେଷରେ କହିଲେ ତାଙ୍କ ଘରେ ରାଜି ହେଲେନି ସେ ଆଉ କାହାକୁ ବିଭା ହେବେ, ହେଲେ ତାଙ୍କ ସନ୍ତାନ ମୋ ଔରସରେ ଅଛି ଶୁଣି ମତେ ଦଶ ହଜାର ଟଙ୍କା ଦେଇ ଗର୍ଭପାତ କରିବାକୁ କହିଲେ ହେଲେ ମୁଁ ଏମିତି କେମିତି କରିବି । ମୋ ବାପା ସବୁ ଶୁଣିଲା ଆଉ ଚାଲିଗଲା କହିଲା ଗାଁକୁ ଫେରିବନି ମୋ ମୁହଁ ଚାହିବନି । ମୁଁ ଜାଣେ ତୁ ଛୁଆଟା କିଛି ବୁଝି ପାରୁନୁ । ହେଲେ ତତେ କହି ମୋ ମନ ହାଲକା ହେଇଯିବ । 

ଆକାଶରେ ବର୍ଷାର ପୂର୍ବଭାଷ ସୁଚେ଼ଇ ଦେଉଥିଲେ ମୌସୁମୀର ଆଗମନ ହେଉଚି । ଅପା କହିଲା ଗୁଡୁଲୁ ଘରକୁ ଯା ଭାଉଜ ଗାଳି ଦେବେ ବର୍ଷାରେ ଭିଜି ଗଲେ । ହଁ ହଁ ଠିକ୍ କହୁଚି ସେ । ତାକୁ ମନ ଦୁଃଖ କରନା କହି ସବୁଦିନ ଆସି ଦେଖା କରିବି କହି ଚାଲି ଆସିଲି ମୁଁ । ତା ପରଦିନ ଭୋର୍, ପ୍ରବଳ ବର୍ଷା, ଘର କିନ୍ତୁ ହୋ ହାଲ୍ଲା । ନିଦ ଭାଙ୍ଗିଗଲା ଥଣ୍ଡା ପବନ ଆଉ ପାଟି ତୁଣ୍ଡରେ । 

ବାହାରକୁ ଆସିଲି ମୁଁ ଦେଖିଲି ସବୁ ଲୋକ ଓଦା ହୋଇ ପୋଖରୀ କୂଳକୁ ଧାଇଁଚନ୍ତି । ବୋଉ ବାପା ମଧ୍ୟ ଯାଉଥିଲେ ମୁଁ ବି ଛତାଟିଏ ମଡ଼େଇ ଚାଲିଲି ତାଙ୍କ ପଛେ ପଛେ । ଲୋକ ମାନେ କଥା ହଉଛନ୍ତି ଭଲ ଝିଅଟି ଥିଲା କିଏ ଠକି ଦେଲା ଆଉ ଶେଷରେ......

ପୋଖରୀ ପାଖରେ ପହଞ୍ଚି ଯାଇଥିଲି ମୁଁ ଶୁଣି ଶୁଣି । ଦେଖିଲି ଯେ ଅପା ଆତ୍ମହତ୍ୟା କରିଛି ପୋଖରୀ ପାଣିରେ ଡେଇଁ ମୌସୁମୀ ବର୍ଷା ତୀବ୍ର ହେଉଥିଲା ଏମିତି ଲାଗୁଥିଲା ବର୍ଷା କାନ୍ଦୁଚି ଗୁମୁରି ଗୁମୁରି । ଅପା ଶବକୁ ଆଣି ଶୁଏଇ ଦେଇଥିଲେ । ପୋଖରୀ ହୁଡାରେ ସ୍ୱର୍ଣ୍ଣ ଚମ୍ପା ଦେହ ତାର ଦିଶୁଥିଲା ଖୁବ୍ ସୁନ୍ଦର । ଆଉ ସେତିକି ଦେଖି ଚେତା ହରେଇ ବସିଲି ମୁଁ । 

ଆଜି ଚଉଦ ବର୍ଷ ପରେ ମୁଁ ଆସୁଛି ଗାଁକୁ । ମତେ ସେହି ଘଟଣା ପରେ ବୋର୍ଡ଼ିଂ ସ୍କୁଲରେ ଛଡା ଯାଇଥିଲା ଆଉ ଚାକିରି କଲା ପରେ ମଧ୍ୟ ମୁଁ ଯାଇନି ଗାଁ । ଆଜି ନିଜ କାର କିଣି ଫେରୁଛି ଗାଁ ବାପାଙ୍କୁ ଦେଇ ଯିବି କାରଟି । ଗାଁରେ ପଶିଲି ଗାଁ ମୁଣ୍ଡରେ ସୁମୀ ଅପା ଘର ସେମିତି ଅଛି କିନ୍ତୁ ଜଙ୍ଗଲ ହେଇଗଲାଣି କିନ୍ତୁ ତାକୁ ଛାଡ଼ି ସବୁ ବଦଳି ଗଲାଣି । ଘର ସବୁ ମହଲ ହୋଇ ଯାଇଛି ଆଉ କିଛି ବି ନାହିଁ ଆଗ ଭଳିଆ । ଗାଡ଼ି ଅଟକେଇ ଠାକୁରାଣୀ ମୂଳକୁ ଗଲି, ଆଉ ଗଲି ଆମ ଗୁପ୍ତ ସ୍ଥାନକୁ । ଖାଁ ଖାଁ ପଡ଼ିଛି ସ୍ଥାନ । ଫିକା ହସଟିଏ ଦେଇ ଫେରି ଆସୁଥିଲି ଶୁଭିଲା ଅପା ଯେମିତି ଡାକୁଛି, ଗୁଡ଼ୁଲ୍...

ପଛକୁ ଫେରି ଦେଖିଲି ସତରେ ସେହି ନାଲି ଶାଢ଼ୀ ପିନ୍ଧି ଅପା ବସିଥିଲା । ଖୁବ୍ ସୁନ୍ଦର୍ ଦିଶୁଥିଲା ଦେବୀ ଭଳିଆ । 

କହିଲା ମତେ ଗୁଡ଼ୁଲ୍ କେତେ ବଡ଼ ହେଇଗଲୁଣି ତୁ । ଭାରି ଖୁସି ଲାଗିଲା ମତେ । ତତେ ଥରେ ଦେଖିବି ବୋଲି ଏଠି ଜଗିଥିଲି ମୁଁ । 

ଡର ଲାଗିଲାନି ମତେ ,

ହସି ଦେଲି କହିଲି ତୁ ହାରିଗଲୁ ଅପା । କାହାର କଣ କ୍ଷତି ହେଲା ଜାଣିନି ମୋର କିନ୍ତୁ ବହୁତ୍ କିଛି କ୍ଷତି ହେଲା । 

ହସି ଦେଇ କହିଲା ପାଗେଳୀ ତୁ । ମୋର ଗୋଟେ କାମ କରିବୁ । 

କହିଲି କଣ । କହିଲା ମୋ ପାଇଁ ଟିକିଏ ପିଣ୍ଡ ତୋ ନିଜ ହାତରେ ଦେଇଦେବୁ ମୋ ଆତ୍ମା ଶାନ୍ତି ପାଇଯିବ । 

ହସିଲି ମୁଁ କହିଲି ହଁ ଏତିକି ତୋ ପାଇଁ କରି ପାରିବି ମୁଁ । 

ହସି ହସି ବସି ରହିଥିଲା ସେ । 

ଆଉ ମୁଁ ଚାଲିଯାଇଥିଲି ମୋର ଗନ୍ତବ୍ୟ ପଥରେ । ତାର ପିଣ୍ଡ କାର୍ଯ୍ୟ ସମ୍ପାଦନ କଲି ସେହି ପୋଖରୀ କୂଳରେ । ଅରଣ୍ୟମୟ ହୋଇ ଯାଇଥିଲା ପୋଖରୀ । କେହି ରୋକିଲେନି ମତେ । ଜାଣେନି କଣ ପାଇଁ । ପୂଜା ସରିଲା ପରେ ଦେଖିଲି ଅପା ଆସିଲା ଠାକୁରାଣୀ ମନ୍ଦିର ପଛପଟରୁ ଆଉ ମନ୍ଦିର ଭିତରକୁ ଚାଲିଗଲା ଗଲା ବେଳେ ମୋ ମୁହଁକୁ ଚାହିଁ ଟିକିଏ ହସି ଦେଲା । ଆଖିରେ ମୋର ଆଖିଏ ଲୁହ ଥିଲା । ଆଉ ବୋଉ କହୁଥିବା ଶୁଣିଲି ଆଉ ସେ ବୁଲିବ ନାହିଁ ଗାଁ ସାରା ଅତୃପ୍ତ ହୋଇ । 



Rate this content
Log in

Similar oriya story from Inspirational