sushama Parija

Inspirational Tragedy

3  

sushama Parija

Inspirational Tragedy

ସୁକନ୍ୟା

ସୁକନ୍ୟା

7 mins
1.5K


ଟିକିଏ ଛାଇ ନିଦ ଲାଗି ଆସୁଥିଲା ବେଳେ ଟମିର ଉତ୍କଟ ଚିତ୍କାରରେ ନିଦ ଭାଙ୍ଗିଗଲା ବୈଷ୍ଣବୀଙ୍କର । ଭୟାତୁର ହୋଇ ଖଟଟି ଉପରେ ଉଠି ବସିଲେ ସେ। କେହି ବୋଧହୁଏ ଗେଟ୍ ଖୋଲି ହତା ଭିତରେ ପଶିଲା କି କ'ଣ । ପାଦ ଶବ୍ଦଟି ଘରର ଗ୍ରୀଲ୍ ଗେଟ୍ ଯାଏଁ ଆସି ପୁଣି ଫେରି ଯିବାର ଅନୁଭବ କଲେ ବୈଷ୍ଣବୀ। ଅନୁମାନ କଲେ ବୋଧେ ଚିଠି ପତ୍ର ନେଇ ପୋଷ୍ଟମ୍ୟାନ୍ ଟି ଆସିଥିବ ଗ୍ରୀଲ୍ ରେ ଲାଗିଥିବା

ଡାକବାକ୍ସରେ ପକାଇ ଦେଇ ଯାଇଥିବ । ଘରକୁ କେହି ବାହାର ଲୋକ ପଶିବାର ଦେଖିଲେ ଏମିତି କାନଫଟା ଚିତ୍କାର କରେ ଟମି । ପୁଅ ବୋହୂ ଅଫିସ୍ କୁ ଏବଂ ପିଲାମାନେ ସ୍କୁଲ୍କୁ ବାହାରି ଗଲା ପରେ ଘରେ କେବଳ ବୈଷ୍ଣବୀ ଆଉ ଟମି । ଦିନସାରା ଏମିତି ତୁହାକୁ ତୁହା ଟମିର ଉତ୍କଟ ଚିତ୍କାର ଆଉ ମେଞ୍ଚାଏ ଖାଇ ଗୋଡାଉଥିବା ନୀରବତାକୁ ନେଇ ବୈଷ୍ଣବୀଙ୍କର ଜୀବନ । ଗାଁରେ ଥିବା ବେଳେ ଏଇ ଜୀବନଟା ମୋଟେ ବାଧୁ ନଥିଲା ବୈଷ୍ଣବୀଙ୍କୁ । ସାଧାରଣ ମଣିଷଙ୍କ ଭଳି ଜୀବନଧାରଣ କରୁଥିଲେ ସେ ।ଜନ୍ମରୁ ଗୋଟିଏ ଆଖି ହରାଇଥିବା ବୈଷ୍ଣବୀଙ୍କର ବିବାହ ହୋଇଥିଲା ମଧୁପୁର ଗାଁର ଗୋଟେ ଜମିଦାର ଘରର ଯୌଥ ପରିବାରରେ । ପତ୍ନୀହରା ହୃଦାନନ୍ଦ ରାୟଙ୍କ ଦ୍ଵିତୀୟା ପତ୍ନୀ ହୋଇ ସେ ଆସିଥିଲେ ସ୍ବାମୀଙ୍କର ଚାରୋଟି ସାନ ସାନ ପିଲାଙ୍କର ଦାୟିତ୍ବ ନେବା ଲାଗି । ଘରେ ଚାକର ବାକର ମୂଲିଆ ପାଣିଆଙ୍କର ଅଭାବ ନଥିଲା । ଆଖି ଟିଏ ନଥିଲେ ମଧ୍ୟ ଚାଷବନ୍ଦୀ ଘରର ସବୁ କାମଦାମ ସୁରୁଖୁରୁରେ ଚଳେଇ ନେଇଥିଲେ ବୈଷ୍ଣବୀ। ସମୟକ୍ରମେ ଗୋଟିଏ ପୁଅ ଏବଂ ତିନୋଟି ଝିଅଙ୍କୁ ଜନ୍ମ ଦେଇଥିଲେ । ହୃଦାନନ୍ଦଙ୍କ ସାନଭାଇ ପ୍ରେମାନନ୍ଦଙ୍କର କେହି ସନ୍ତାନ ସନ୍ତତି ନଥିଲେ । ତେଣୁ ପ୍ରେମାନନ୍ଦ ଙ୍କ ପତ୍ନୀ ମାଧବୀ ମଧ୍ୟ ସେଇ ପିଲାଙ୍କ ସେବା ଶୁଶ୍ରୁଷା କରିବା ସହିତ ବୈଷ୍ଣବୀଙ୍କୁ ଭଉଣୀ ଟିଏ ଭଳି ଦେଖୁଥିଲେ। ପିଲାମାନେ ମାଆ ଠାରୁ ଖୁଡୀକୁ ବେଶୀ ଆଦରି ନେଇଥିଲେ । କେଡେ ଆନନ୍ଦରେ କଟି ଯାଉଥିଲା ସେ ଦିନସବୁ ।

ସୁଖର ଦିନ ଗୁଡିକ ପାଣି ପରି ବୋହି ଯାଏ । ଚାରିଟା ଦିନ ଜରରେ ପଡି ଆଖି ବୁଜିଲେ ହୃଦାନନ୍ଦ । ଡକା ହକା ହେଲା ଭଳି ଛଅଟା ମାସ ରେ ଚାଲିଗଲେ ପ୍ରେମାନନ୍ଦ ।ଏକୁଟିଆ ପଡି ଗଲେ ବୈଷ୍ଣବୀ ଆଉ ମାଧବୀ ।

ପର ଲଗା ଚଢେଇ ପରି କ୍ରମେ କ୍ରମେ ପିଲାମାନେ ବଡ ହେଲେ । ଝିଅ ମାନେ ବାହାତୋଳା ହୋଇ ଚାଲିଗଲେ ନିଜ ନିଜର ସଂସାର କରିବା ଲାଗି । ପୁଅମାନେ ବି ପାଠଶାଠ ପଢି ଚାକିରୀ ବାକିରୀ କରି ନିଜ ନିଜର ପରିବାର ଧରି ବାହାରି ଗଲେ ଘରୁ । ସାନ ଭଉଣୀଟି ପରି ଦୁଃଖ ସୁଖରେ ସାଥୀ ହୋଇ ଥିବା ସାନ ଯାଆଟି ରୋଗରେ ପଡି ସେପାରିକୁ ଚାଲିଗଲା ପରେ ଘରେ ସଂପୂର୍ଣ୍ଣ ଏକା ହୋଇପଡିଲେ ବୈଷ୍ଣବୀ। ବୟସ ଭାର ଠାରୁ ଚିନ୍ତାର ଭାର ବଳି ପଡୁଥିଲା । ବଡ ପୁଅ ରମେଶର ଗୋଟିଏ ରୋଜଗାର ନିଅଣ୍ଟିଆ ହେଉଥିଲାଏତେ ବଡ ପରିବାରଟି ଚଳେଇବା ଲାଗି । ତା'ର ନିଜର ଆଠ ଆଠଟା ପିଲାଙ୍କ ସହିତ ଘରର ସଂପୂର୍ଣ୍ଣ ଖର୍ଚ୍ଚ ତୁଲାଇବାକୁ ଖୁବ୍ କଷ୍ଟ ହେଉଥିଲା ତେଣୁ ମଝିରେ ମଝିରେ ନାରୀ ମହଲରେ ଖିଟ୍ ଖାଟ୍ ଲାଗି ରହୁଥିଲା । ପଛ ମାଆଟି ଦ୍ବାରା ପ୍ରତିପାଳିତ ହୋଇ ଥିବା ବଡପୁଅଟି ପ୍ରାଣପଣେ ଚେଷ୍ଟା କରୁ ଥାଆନ୍ତି ପଛ ମାଆ ଏବଂ ତାଙ୍କର ପିଲାମାନଙ୍କୁ ଦେଖାଶୁଣା କରିବା ଲାଗି ହେଲେ ପ୍ରତିକୂଳ ପରିସ୍ଥିତି ରେ ତାହା ସମ୍ଭବ ହେଉ ନଥାଏ । ଏମିତି ମାନସିକ ଅଶାନ୍ତି ଭିତରେ ଦିନେ ହୃଦ୍ ଘାତର ଶିକାର ହୋଇ ପ୍ରାଣ ହରାଇଲେ ସେ । ନିଜ ଜନ୍ମିତ ପୁଅ ଠାରୁ ବି ଅଧିକ ସ୍ନେହ କରୁଥିବା ବଡ ପୁଅକୁ ହରାଇ ବୈଷ୍ଣବୀଙ୍କର ଆଖିରୁ ଲୁହ ଶୁଖୁ ନଥିଲା। ତାଙ୍କର ଶେଷ ଆଶାବାଡ଼ିଟି ଭାଙ୍ଗି ଯାଇଥିଲା । ଗୋଟିଏ ଆଖି ତ ଜନ୍ମରୁ ନଥିଲା ଏବେ କାନ୍ଦି କାନ୍ଦି ତାଙ୍କର ଆର ଆଖିଟି ମଧ୍ୟ ଦୃଷ୍ଟି ଶକ୍ତି ହରାଇ ଥିଲା। ସେ ଘର କାମ ଲାଗି ସଂପୂର୍ଣ୍ଣ ଅସମର୍ଥ ହୋଇ ପଡିଥିଲେ। କହିବାକୁ ଗଲେ ଘର ପାଇଁ ଅଲୋଡା ହୋଇ ପଡିଥିଲେ। ଏଇ ପରିସ୍ଥିତିରେ ଏବେ ନିଜର ଅନିଚ୍ଛା ସତ୍ତ୍ବେ ମଧ୍ୟ ବୈଷ୍ଣବୀଙ୍କୁ ବାଧ୍ୟ ହୋଇ ସାନ ପୁଅ ସହିତ ରହିବା ଲାଗି ଯିବାକୁ ପଡିଲା ରାଉରକେଲା ।

ସାନ ପୁଅ ବିଭାସ ଥିଲା ଷ୍ଟିଲ୍ ପ୍ଲାଣ୍ଟର ଜଣେ ପଦସ୍ଥ ଅଫିସର । ତା'ର ସ୍ତ୍ରୀ ମଧ୍ୟ ସେଠାରେ ଗୋଟିଏ ଉଚ୍ଚ ପଦାଧିକାରୀ ଥିଲା । ଗୋଟିଏ ଝିଅ ଆଉ ଗୋଟିଏ ପୁଅକୁ ନେଇ ତାଙ୍କର ସଂସାର ଖୁବ୍ ଆରାମରେ ଚାଲିଥିଲା । ବାହାଘରର ପରଠାରୁ ଗାଁରୁ ବିଭାସ ଙ୍କର ଭଉଣୀ ମାନଙ୍କୁ ଜଣ ଜଣ କରି ଆଣି ପାଖରେ ରଖି ପଢାପଢି କରାଉଥିଲେ । ସେମାନେ ପଢାପଢି କରିବା ସହିତ ତାଙ୍କର ପିଲାମାନଙ୍କର ଦେଖାଶୁଣା କରୁଥିଲେ ତେଣୁ ପାର୍ଟ ଟାଇମ୍ ମେଡ୍ ରେ କାମ ଚଳିଯାଉଥିଲା ସେମାନଙ୍କର । ଭଉଣୀ ମାନେ ବାହାତୋଳା ହୋଇ ଚାଲିଗଲା ବେଳକୁ ପିଲାମାନେ ଟିକେ ବଡ ହୋଇ ନିଜ କାମ ନିଜେ କରିବାକୁ ଆରମ୍ଭ କରିଥିଲେ ।

କିନ୍ତୁ ଏବେ ମାଆ ଆସିଲା ପରେ ସବୁ ଅସୁବିଧା । ପାର୍ଟ ଟାଇମ୍ ମେଡ୍ ଟି ଯଥାରୀତି ସକାଳୁ ଥରେ ଏବଂ ସନ୍ଧ୍ୟାରେ ଥରେ ଆସି ବାସନ ମଜା, ଝାଡୁପୋଛା କାମ କରୁଥିଲା । ରୋଷେଇଆ ସକାଳୁ ସକାଳୁ ଆସି ଦୁଇ ଓଳି ପାଇଁ ରୋଷେଇ କରି ଦେଇ ଯାଉଥିଲା । ଦିନ ଯାକ ଘରେ କେବଳ ଟମିକୁ ଛାଡି ଆଉ କେହି ରହୁନଥିଲେ । ଗାଆଁ ଘରେ ଏତେ ଗୁଡ଼ାଏ ଲୋକଙ୍କ ଗହଳି ଭିତରେ ଚଳି ଆସିଥିବା ବୈଷ୍ଣବୀ ସହରର ଏଇ ଏକୁଟିଆ ଜୀବନରେ ଅଣନିଃଶ୍ବାସୀ ହୋଇ ପଡୁଥିଲେ ।

ବିରାଟ ବଙ୍ଗଳା, ଦାମୀ କାର୍ ଆଉ ଅପର୍ଯ୍ୟାପ୍ତ ଐଶ୍ଵର୍ଯ୍ୟର ଅଧୀଶ୍ବର ପୁଅଟି କିନ୍ତୁ ଥିଲା ମାଆ ପ୍ରତି ସମ୍ପୁର୍ଣ୍ଣ ଉଦାସୀନ । କାରଣ ପିଲାଟି ଦିନରୁ ସେ ତାଙ୍କର ଯୌଥ ପରିବାରରେ ଖୁଡୀ ତା'ର ଲାଳନପାଳନ କରିଥିଲେ । ନିଜର ଚାରି ସନ୍ତାନଙ୍କ ସମେତ ମାଆଟିର ଆହୁରି ଚାରୋଟି ସନ୍ତାନ ଥିଲେ। ସେମାନଙ୍କର ଦେଖାଶୁଣା କରୁ କରୁ ମାଆଟି ହୁଏତ ପର୍ଯ୍ୟାପ୍ତ ସମୟ ଦେଇ ପାରିନଥିଲା ନିଜର ସନ୍ତାନଟିକୁ । ସେଥିଲାଗି ମାଆ ପାଇଁ ପୁଅର ମନରେ ଦାୟିତ୍ବବୋଧ ଥିଲା ସିନା ମାତୃତ୍ବର ଆକର୍ଷଣ ନଥିଲା । ଯୌଥ ପରିବାରରେ କର୍ତ୍ତବ୍ୟର ଦ୍ବାହିରେ ବାଧ୍ୟ ହୋଇ ପୁଅଟି ମାଆଙ୍କୁ ଗାଁରୁ ଆଣି ନିଜ ପାଖରେ ରଖିଥିଲା ସିନା ତା'ର ପରିବାର ମାଆଟିକୁ ପାଖରେ ରଖି ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ଲାଗି ଚାହୁଁ ନଥିଲେ। ବୈଷ୍ଣବୀ ତାଙ୍କୁ ଗୋଟିଏ ଅନାବଶ୍ୟକୀୟ ବୋଝ ଭଳି ମନେ ହେଉଥିଲେ।

ଘରେ ଟମି ଥିଲା ସଭିଙ୍କର ପ୍ରିୟପାତ୍ର । ସେ ମଣିଷ ଭଳି ଘରେ ସବୁଆଡେ ଚଳପ୍ରଚଳ କରୁଥିଲା, ତା' ଗାଧୁଆପାଧୁଆ ଲାଗି ସ୍ବତନ୍ତ୍ର ସାବୁନ, ଶାମ୍ପୋ , ତା'ର ଖାଇବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଥିଲା ,ଶୋଇବା ଲାଗି ସ୍ବତନ୍ତ୍ର ଖଟ ଶେଯ କମ୍ବଳ ଥିଲା । ପୁଅ ବୋହୂ ଆଉ ପିଲାମାନେ ଘରେ ପଶିବା କ୍ଷଣି ଆଗ ସରାଗରେ ଖୋଜି ପକାଉଥିଲେ ଟମିକୁ । ସେମାନଙ୍କ କୋଳରେ ସେ ସବୁ ବେଳେ ବସି ରହୁଥିଲା ,ଶ୍ରଦ୍ଧାରେ ଚାଟି ପକାଉଥିଲା ସେମାନଙ୍କୁ । ଗାଁରେ ଥିବା ବେଳେ କୁକୁର କୁ ଛୁଇଁଲେ ଆଉଥରେ ଗାଧୁଆପାଧୁଆ ନକଲେ ଘରେ ପଶୁ ନଥିଲେ ବୈଷ୍ଣବୀ, କିନ୍ତୁ ଏଠାରେ ଟମି ସହିତ ତାଙ୍କୁ ସବୁବେଳେ ରହିବାକୁ ପଡୁଥିଲା । ବଙ୍ଗଳାର ଗୋଟିଏ କଣିକିଆ ଘରେ ରହିବାକୁ ଦିଆଯାଇଥିଲା ତାଙ୍କୁ । ଘର ଭିତରେ ଥିଲା ଆଟାଚ୍ ଲାଟ୍ରିନ୍ ଆଉ ବାଥ୍ ରୁମ୍ । ପ୍ରଥମେ ପ୍ରଥମେ ଆସିଲା ବେଳେ ଟିକେ ଅସୁବିଧା ହେଉଥିଲେ ବି ଧୀରେ ଧୀରେ ସେ ଅଭ୍ୟସ୍ତ ହୋଇ ଯାଇଥିଲା ଅଣ୍ଡାଳି ଅଣ୍ଡାଳି ନିଜର ନିତ୍ୟକର୍ମ କରିବା ଲାଗି ସେଇ ନିର୍ଦ୍ଧିଷ୍ଟ ଇଲାକା ଟିରେ । ସକାଳ ଜଳଖିଆ ଦେଲା ବେଳେ ବୋହୂ ଆଉ ଗୋଟିଏ ହଟ୍ କେସ୍ ଭିତରେ ମଧ୍ୟାହ୍ନ ଭୋଜନ ରଖି ଦେଇ ଯାଉଥିଲା । ପାଖରେ ରଖାଯାଇଥିବା ଟେବୁଲ୍ ଉପରେ ଥୁଆ ହୋଇ ରହୁଥିଲା ଥାଳି ଗ୍ଲାସ୍ ଆଉ ପାଣି ବୋତଲ ।

ବାସ୍ ଦିନ ନଅଟା ବେଳେ ସମସ୍ତେ ବାହାରି ଯାଉଥିଲେ କାମରେ ।

ତା'ପରେ ସନ୍ଧ୍ୟା ରେ ସମସ୍ତେ ସାଙ୍ଗ ହୋଇ ଫେରିଆସିଲା ପର୍ଯ୍ୟନ୍ତ ସେ ବିରାଟ ବଙ୍ଗଳାରେ ଚାଲେ ଟମିର ରାଜୁତି । ରାଜାଧିରାଜ ଭଳି ବଙ୍ଗଳାର ଭିତରେ ବାହାରେ ଘୁରି ବୁଲୁଥିବା ଟମି ଅଜଣା ଲୋକଟିଏ ଦେଖିଲେ ଭୋଃ ଭୋଃ କରି ଚିତ୍କାର କରି କମ୍ପାଉଥାଏ । ବାହାର ଲୋକଙ୍କୁ ଭୟ ଲାଗେ କି ନାହିଁ କେଜାଣି ବୈଷ୍ଣବୀଙ୍କର ଦେହ ଶୀତେଇ ଯାଏ ଭୟରେ । ସବୁବେଳେ ମନେ ହୁଏ ଏଇ ଟମି ଆସିବ ଆଉ ଝାମ୍ପି ପଡିବ ତାଙ୍କ ଉପରେ । ଟୁକୁରା ଟୁକୁରା କରି ପକେଇବ ତାଙ୍କୁ । ଆନନ୍ଦ ରେ ସକାଳୁ ବଟର୍ ଦିଆ ବ୍ରେଡ୍ ଚାକୁ ଚାକୁ କରି ଖାଇଲା ଭଳିଆ ଚାଟି ଦେଇଯିବ ତାଙ୍କର ହାଡ ମାଂସର ଟୁକୁରା ତକ ।

ଅନେକ ଥର ସେକଥା ପୁଅକୁ କହିବାକୁ ବାହାରି ଥିଲେ ବି ପିଲାମାନଙ୍କ ଟମି ପ୍ରତି ଥିବା ସ୍ନେହ ଦେଖି ଚୁପ୍ ରହିଥାଆନ୍ତି ସେ । କାଳେ କିଏ ଖରାପ ଭାବିବେ କି ଓଲଟା ଦି' ଚାରି ପଦ ଶୁଣିବାକୁ ପଡିବ ସେଇ ଭୟରେ।

ଦିନକୁ ଦିନ ଟମିର ଭୟ ଗ୍ରାସ କରି ଚାଲିଥାଏ ତାଙ୍କୁ । ଶରୀର ରୁଗ୍ ଣ ହେବା ସହିତ ମାନସିକ ଦୁର୍ବଳତା ବଢି ବଢି ଚାଲିଥାଏ । ଏମିତି ଭାବି ଭାବି ଶେଷରେ ମାନସିକ ବିଷାଦଗ୍ରସ୍ତ ହୋଇ ପାଗଳୀଙ୍କ ଭଳି ଏଣୁ ତେଣୁ ଗପିବାକୁ ଆରମ୍ଭ କରିଥିଲେ ବୈଷ୍ଣବୀ ।

ମାଆଙ୍କୁ ଏମିତି ଗପିବାର ଦେଖି ପ୍ଲାଣ୍ଟ ହସ୍ପିଟାଲରେ ଆଡ୍ ମିସନ୍ କରି ଦେଇଥିଲେ ବିଭାସ । ଚିକିତ୍ସା ଚାଲିଲା କିନ୍ତୁ କିଛି ଲାଭ ହେଲାନି । ବିଭାସ ଗାଁକୁ ଖବର ଦେଲେ କେହିଜଣେ ଆସି ବୋଉକୁ ନେଇଯାଅ, ଯାହା ପଇସା ପତ୍ର ଲାଗିବ ମୁଁ ଦେବି, ସେଇଠି ଗୋଟିଏ ଲୋକ ରଖିଦେବ ତା'ର ସେବା ଶୁଶ୍ରୁଷା କରିବ , ଏଠି ତା'ର ଦେଖାଶୁଣା କରିବାଲାଗି ଆମ ପାଖରେ ସମୟ ନାହିଁ କି ପଇସା ପତ୍ର ଦେଲେ ମଧ୍ୟ କେହି ସେମିତି ଲୋକ ମିଳୁ ନାହାଁନ୍ତି ତା'ର ସେବା ଶୁଶ୍ରୁଷା କରିବା ଲାଗି । ଗାଁରୁ ଖବର ଦେଲା ପୁତୁରା '' ଏଠାରେ ମୋ ବୋଉର ଦେହ ବହୁତ ଖରାପ ଦାଦା, ଆଗଭଳି ଗାଁରେ କାମଧନ୍ଦା କରିବାକୁ ଲୋକ ମିଳୁନାହାଁନ୍ତି, ମାଆର ଦେଖା ଶୁଣା କିଏସେ କରିବ, ତମେ ବରଂ ପିଇସି ମାନଙ୍କ ଭିତରୁ କାହାକୁ କୁହ, ସେ ନେଇ ମାଆଙ୍କୁ ରଖନ୍ତୁ '' ।

ପୁତୁରା ପାଖରୁ ନିରାଶ ହୋଇ ନିଜର ଭଉଣୀ ମାନଙ୍କୁ ଖବର ପଠାଇଥିଲେ ବିଭାସ । ତିନି ଭଉଣୀଙ୍କ ମଧ୍ୟରୁ ଦୁଇଜଣ ଶାଶୁ ନଣନ୍ଦ ଘରେ ମାଆଙ୍କୁ ନେଇ କୋଉଠି କେମିତି ରଖିବୁ ବୋଲି କହି ଦାୟିତ୍ବ ଖସାଇ ଦେଲେ ନିଜ ନିଜର ମୁଣ୍ଡରୁ । ଶେଷରେ ମାଆଙ୍କୁ ବଞ୍ଚାଇବାକୁ ଅଣ୍ଟା ଭିଡି ଥିଲା ବଡ ଝିଅ ଗୌତମୀ । ସ୍ବାମୀଙ୍କୁ ସାଥିରେ ନେଇ ପହଞ୍ଚିଥିଲା ରାଉରକେଲାରେ । ହସ୍ପିଟାଲରେ ଚିକିତ୍ସାଧିନ ଥିବା ମୁମୁର୍ଷୁ ମାଆଙ୍କୁ ସାଙ୍ଗରେ ଆଣିଥିଲା କଟକ । ଝିଅକୁ ଦେଖି ସାହସ ବଢିଥିଲା ବୈଷ୍ଣବୀଙ୍କର । ଅନେକ ଦିନର ଚିକିତ୍ସା ଏବଂ ଗୌତମୀର ସେବା ଶୁଶ୍ରୁଷା ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ନୂଆ ଜୀବନ ପାଇଥିଲେ ବୈଷ୍ଣବୀ । ଯେଉଁ ନର୍କକୁଣ୍ଡରୁ ଥରେ ସେ ବାହାରି ଆସିଥିଲେ ପୁନର୍ବାର ଆଉ ଫେରି ନଥିଲେ ସେଠିକି । ଜୀବଦ୍ଦଶା ଥିଲା ଯାଏଁ ରହିଥିଲେ ଝିଅ ଘରେ । ଶେଷ ସମୟରେ କାନେ କାନେ କହିଥିଲେ ଝିଅକୁ, ମଲେ ଗାଁକୁ ପଠାଇ ଦେବୁ ଲୋ ଝିଅ , ସେଇଠି ତୋ ବାପା ଅଛନ୍ତି, ତୋ ଖୁଡୀ ଅଛି, ମୁଁ ସେଇଠି ରହିବି, ମୋର ଆତ୍ମା ସେଇଠି ଶାନ୍ତି ପାଇବ ।

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ବୈଷ୍ଣବୀ ପୁଅ ପାଖରେ ଏତେ ଗୁଡ଼ାଏ କଷ୍ଟ ପାଇ ଆସିଥିବା ସତ୍ତ୍ୱେ ମଧ୍ୟ ଦିନେ ହେଲେ କାହାକୁ ସେ କଥା ସବୁ କହୁନଥିଲେ କି କେବେହେଲେ ଆଖିରୁ ଲୁହ ଟୋପାଏ ଗଡାଉ ନଥିଲେ କାଳେ ତାଙ୍କ ପୁଅର ଅମର୍ଯ୍ୟାଦା ହେବ କି ଅମଙ୍ଗଳ ହେବ ବୋଲି । ଝିଅ ଚାହିଁଲେ ବି ବଡଭାଇର ମୁହଁକୁ ଚାହିଁ କିଛି କହି ପାରୁନଥିଲା ସିନା ମାଆର କଷ୍ଟ ତା'କୁ ସବୁବେଳେ ଶତ ବୃଶ୍ଚିକର ଦଂଶନ ଭଳି ଜ୍ବାଳା ଦେଉଥିଲା । ବୈଷ୍ଣବୀଙ୍କ ଝିଅ ଗୌତମୀ ମାଆର କଥା ରଖିଥିଲା । ଯେତେ ଦିନ ବଞ୍ଚି ରହିଥିଲେ ସୁଖରେ ରଖିଥିଲା, ଯେବେ ସେ ମୃତ୍ୟୁବରଣ କରିଥିଲେ, ନେଇ ଯାଇଥିଲା ତାଙ୍କ ଗାଁ ମଶାଣିରେ ସଂସ୍କାର କରିବାକୁ । ସୁକନ୍ୟା ହୋଇ ମାଆର ସବୁ ଇଚ୍ଛା ପୂର୍ଣ୍ଣ କରିଥିଲା ଗୌତମୀ।


Rate this content
Log in

Similar oriya story from Inspirational