KRUTIBAS NAYAK

Inspirational

4  

KRUTIBAS NAYAK

Inspirational

ସତରେ ମୁଁ ଭୋଟର

ସତରେ ମୁଁ ଭୋଟର

4 mins
306



ଆମ ଦେଶରେ ଗଣତନ୍ତ୍ର ବ୍ୟବସ୍ଥା ଲାଗୁ ହେବା ପରଠାରୁ ଭୋଟ ଦେବାର ଅଧିକାର ପ୍ରତ୍ୟେକ ସାବାଳକ ନାଗରିକଙ୍କର ଅଧିକାର ରହିଲା | ଭୋଟର ପରିଚୟ ପତ୍ର ପ୍ରଦାନ ଫଳରେ ଭୋଟଦାନ ବ୍ୟବସ୍ଥା ଶୃଙ୍ଖଳିତ ହେଲା | କିନ୍ତୁ ଭୋଟର କାର୍ଡ଼ ଖଣ୍ଡେ ପାଇବା ଏବଂ ତାହା ନିର୍ଭୁଲ ରହିବା ଏବେ ବିଏକ ଜଟିଳ ପ୍ରକ୍ରିୟା ଦେଇ ଗତି କରିଚାଲିଛି | ଫଳରେ ଜଣେ ସାଧାରଣ ନାଗରିକ ସୁରୁଖୁରୁରେ ନିଜର ନିର୍ଭୁଲ କାର୍ଡ଼ ଖଣ୍ଡିକ ପାଇବା ଏତେ ସହଜ ନୁହେଁ | କେତେକ କ୍ଷେତ୍ରରେ ଦେଖାଯାଏ ବିଭିନ୍ନ ଦଳର ପ୍ରତିନିଧି ବା ସମର୍ଥକ ଏହି କାର୍ଡ଼ ପ୍ରସ୍ତୁତ କରି ଦେବାରେ ସହାୟକ ହୁଅନ୍ତି, କିନ୍ତୁ ପ୍ରତିଶ୍ରୁତି ଦେବାକୁ ହୁଏ ଯେ, ଭୋଟ ତାଙ୍କ ଦଳକୁ ହିଁ ଦେବାକୁ ପଡ଼ିବ | ନିର୍ବାଚନ କମିଶନରଙ୍କ ଅଫିସରୁ ମିଳୁଥିବା ଅନେକ କ୍ଷେତ୍ରରେ ଦେଖାଯାଏ, ବାପାଙ୍କ ନାମ ଜାଗାରେ ସ୍ତ୍ରୀର ନାମ ଥିବ | କେବେ କେଉଁଠି ଆଈଙ୍କ ସ୍ଵାମୀ ନାମ ଜାଗାରେ ତାଙ୍କ ପୁଅର ନାମ ଥିବ | ପୁଣି ନାମ ଠିକ ଥିଲେ, ଠିକଣା ଭୁଲ ଥିବ | ଆଉ ନାମର ବନାନ ଭୁଲ ଥିବା କଥା ନ କହିଲେ ଭଲ | ଜଣେ ପୁରୁଷ ଭୋଟର କାର୍ଡ଼ରେ ଅଚିହ୍ଣା ମହିଳାଙ୍କ ଫଟୋ ଲାଗିଥିବା କଥା ଆମ ଦୃଷ୍ଟିକୁ ଆସେ | ଆମର ଲୋକେ ସବୁ ସରକାରୀ କାଗଜପତ୍ର ଭୁଲକୁ ସହଜରେ କ୍ଷମା କରିଦିଅନ୍ତି | ଯାହି-ତାହିକି କାମ ଚଳିଯିବା କଥାଟିକୁ ଭାରିଭଲ ଭାବେ ପାଳନ କରନ୍ତି | ତେଣୁ ଅନେକ ଲୋକଙ୍କର ଭୋଟର କାର୍ଡ଼ଟି ଭୁଲଥିଲେ ବି କୌଣସି ପ୍ରକାରେ ପାଞ୍ଚବର୍ଷକୁ ଥରେ ଭୋଟଟି ଦେଇ ପାରିଲେ, କୃତ୍ୟ କୃତ୍ୟ ହୁଅନ୍ତି | କାର୍ଡ଼ ସଂଶୋଧନ ପାଇଁ ଏତେ ଧାଆଁଦୌଡ଼ କରିବାକୁ କେହି ରାଜି ନୁହନ୍ତି | ଅବଶ୍ୟ କେତେକ ସଚେତନ ନାଗରିକ ବହୁକଷ୍ଟରେ ନିଜର ଠିକ ଭୋଟର କାର୍ଡ଼ ଖଣ୍ଡକ ପାଇଥା’ନ୍ତି |

ମୁଁ ସାବାଳକ ନାଗରିକ ଏବଂ ସରକାରୀ ଚାକିରିଆ ହେବାପରେ ସହଜରେ ଭୋଟର କାର୍ଡ଼ ଖଣ୍ଡିକ କରି ପାରିଥିଲି | କିନ୍ତୁ ଅନେକ ସମୟରେ ଭୋଟ ଖଣ୍ଡେ ଦେବାକୁ ସୁଯୋଗ ପାଏ ନାହିଁ | କେବେ ନିର୍ବାଚନ କାମରେ ଯାଏ ତ ସେଠାରେ ଭୋଟ ଦେବାର ସୁଯୋଗ ନ ଥାଏ | ପୁଣି ଚାକିରିରେ ବଦଳିହେଇ ଯିବାରୁ ସେଠାରେ ଭୋଟର ତାଲିକା ମୋର ନାମ ନ ଥାଏ | ନୂଆ ଜାଗାରେ ପୁଣି ନୂଆ ଭୋଟର କାର୍ଡ଼ କରି ସାରିବା ବେଳକୁ ଅନ୍ୟତ୍ର ବଦଳି ହେଇଯାଇଥାଏ | ଅଧିକାଂଶ ସ୍ଥାନରେ ଭୋଟର ତାଲିକାରେ ମୋ ନାମ ଛାପାହେଇ ନ ଥିବାରୁ ଭୋଟ ଦେବାରୁ ବଞ୍ଚିତ ହୁଏ | ଅନେକ ଲୋକ ମୋ ଭଳି ହଇରାଣହୋଇ ଭୋଟର ବୁଥରୁ ଫେରନ୍ତି, ଏକଥା ପ୍ରତିବର୍ଷ ଖବରକାଗଜରୁ ପଢିବାକୁ ମିଳେ |

ପ୍ରତିବର୍ଷ ଭୋଟର କାର୍ଡ଼ ସଂଶୋଧନ ପାଇଁ ସରକାର ପ୍ରଚାର କରନ୍ତି, ଖୁବ ତନାଘନା ହୁଏ, କିନ୍ତୁ ଫଳ ବିଶେଷ କିଛି ମିଳେନାହିଁ | ଗୋଟିଏ ଭୁଲକୁ ସୁଧାରି ଦେବାକୁ ଯାଇ ଆଉ ଗୋଟାଏ ବଡ଼ ଭୁଲକରି ନୂଆକାର୍ଡ଼ ଦିଅନ୍ତି | ପ୍ରତିଥର ନିର୍ବାଚନ ପୂର୍ବରୁ ନିୟମ ଅନୁସାରେ ମୁଁ ଭୋଟ କାର୍ଡ଼ଟିକୁ ସଂଶୋଧନ ପାଇଁ ଉପଯୁକ୍ତ ଫର୍ମରେ ଫଟୋ ଲଗାଇ ଦରଖାସ୍ତ କରେ, ସେ ଦରଖାସ୍ତ କୁଆଡ଼େ ଗଲା, ନାମ ତାଲିକାରେ ଅଛି କି ନାହିଁ, ଅନୁସନ୍ଧାନ ଜାରି ରଖେ | ତଥାପି ଠିକ ସମୟରେ କିଛି ହେଇ ନ ଥାଏ | ହତାଶ ହେଇ, ବିରକ୍ତହେଇ ବୁଥସ୍ତରରେ ରହିଥିବା କର୍ମଚାରୀ, ଶିକ୍ଷକ, ଅଙ୍ଗନବାଡ଼ି ଦିଦିଙ୍କଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଅଫସରଙ୍କ ପର୍ଯ୍ୟନ୍ତ ଜଣଜଣ କରି ପଚାରି କିଛି ସୁଫଳ ପାଇପାରେନା | ସେମାନେ ପୁଣି ଥରେ ଦରଖାସ୍ତ ଦେବାକୁ ପରାମର୍ଶ ଦିଅନ୍ତି | କେବେ ବିରକ୍ତ ହେଇ ଚୁପଚାପ ରହେ ତ, ପୁଣି କେବେ ଜିଦକରି ପୁଣି ଦରଖାସ୍ତ ଦିଏ | ଶେଷରେ ଫଳ ଶୂନ୍ୟ |

1914 ମସିହା ନିର୍ବାଚନ ବେଳକୁ ମୁଁ ଆକାଶବାଣୀ ଜୟପୁର କେନ୍ଦ୍ରର ନିର୍ଦ୍ଦେଶକ ପଦରେ ଥାଏ | ଜିଲ୍ଲାପାଳ, ଉପଜିଲାପାଳଙ୍କଠାରୁ ଆରମ୍ଭ କରି ନିର୍ବାଚନରେ ନିୟୋଜିତ ଥିବା ସମସ୍ତ କର୍ମଚାରୀଙ୍କ ସହିତ ମୋର ପରିଚୟ ଥିଲା | ମୁଁ ଭାବିଥିଲି, ଏହିବର୍ଷ ମୁଁ ସହଜରେ ଭୋଟର କାର୍ଡ଼ ଖଣ୍ଡିକ ପାଇ ଭୋଟ ଦେଇପାରିବି | ନିୟମ ଅନୁସାରେ ଫର୍ମ ପୂରଣ କରି ୱାର୍ଡ଼ ଦାୟିତ୍ଵରେ ଥିବା ଶିକ୍ଷୟତ୍ରୀଙ୍କୁ ଠିକ ସମୟରେ ଦେଇ ଆସିଥିଲି | ନିର୍ବାଚନ ପାଖେଇ ଆସିବାରୁ ମୁଁ ସେ ଦରଖାସ୍ତର ଭାଗ୍ୟ ବିଷୟରେ ଅନୁସନ୍ଧାନ କରିବାରୁ ଜାଣିଲି, ଦରଖାସ୍ତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିଳୁନାହିଁ | ଉପ-ଜିଲ୍ଲାପାଳ ମହାଶୟ ମୋର ଅଭିଯୋଗ ଶୁଣି ତାଙ୍କ ମୁଖ୍ୟ କିରାଣୀଙ୍କୁ ଡକାଇ ମୋତେ ଆଉ ଗୋଟେ ଫର୍ମଦେଲେ | ତାଙ୍କ ଅନୁରୋଧରେ ପୁଣି ଥରେ ଦରଖାସ୍ତ ଫର୍ମ ପୂରଣ କରି ଫଟୋ ଲଗାଇ ସେହି ଅଫିସରେ ଦେଇଆସିଲି | ଏଥର ପ୍ରତିଶ୍ରୁତି ପାଇଲି-“ଆପଣ ନିଶ୍ଚୟ ଭୋଟର କାର୍ଡ଼ ପାଇ ଭୋଟ ଦେବେ | ଭୋଟର କାର୍ଡ଼ ଏବେ ଆମେ ପ୍ରସ୍ତୁତ କରୁଛୁ, ତେଣୁ ଆପଣ ଆମ ଅଫିସରୁ ପନ୍ଦର ଦିନ ଭିତରେ ପାଇ ପାରିବେ |”

ମାସକ ପରେ ସେ ଅଫିସକୁ ଯାଇ ଅନୁସନ୍ଧାନ କଲି | ଉପଜିଲ୍ଲାପାଳ ନ ଥିବାରୁ କେହି କିଛି ଠିକତଥ୍ୟ ଦେଇପାରିଲେ ନାହିଁ | ବରଂ ମୋ ଦରଖାସ୍ତ ଫର୍ମ କେଉଁଠି ଅଛି, ତାକୁ ଖୋଜି ଖୋଜି ଠାବ କଲେ | ମୁଖ୍ୟ କିରାଣୀ ଓ ନିର୍ବାଚନ ଦାୟିତ୍ଵରେ ଥିବା କର୍ମଚାରୀମାନେ ପୁଣି ପ୍ରତିଶ୍ରୁତି ଦେଲେ, ଭୋଟ ପୂର୍ବରୁ ଆପଣ ଭୋଟର କାର୍ଡ଼ ନିଶ୍ଚୟ ପାଇଯିବେ | ଉପଜିଲ୍ଲାପାଳଙ୍କର ବଦଳି ହେଇ ଯାଇଥିବାରୁ କାର୍ଡ଼ଟି ହେଇ ପାରିନାହିଁ |

ନିର୍ବାଚନ ପାଖେଇ ଆସିଗଲା | ଭୋଟର କାର୍ଡ଼ ପାଇଁ ପୁଣି ଅଫିସରେ ପହଞ୍ଚି ସନ୍ଧାନ କଲି | କାର୍ଡ଼ ତିଆରି ହୋଇନ ଥିଲା | ନୂଆ ଉପଜିଲ୍ଲାପାଳ ମୋତେ ବ୍ୟକ୍ତିଗତ ଭାବେ ପ୍ରତିଶ୍ରୁତି ଦେଲେ- “ଆପଣ ଏଥର ପାଖରେ ଥିବା ପ୍ରାଥମିକ ବିଦ୍ୟାଳୟ ବୁଥରେ ଭୋଟଦେବେ | ଆପଣଙ୍କ ନାମ ଭୋଟର ତାଲିକାରେ ମୁଁ ଯୋଗକରି ଦେଇଛି | ଏଥରକ ବିନା କାର୍ଡ଼ରେ ଆପଣ ଭୋଟଦେଇ ପାରିବେ | ମୁଁ ସେଥିପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଦେଇଛି | କାର୍ଡ଼ ତିଆରି ହେବାରେ ଟିକେ ବିଳମ୍ବ ହେବ |”

 ତାଙ୍କ କଥାକୁ ବିଶ୍ଵାସ କରି ମୁଁ ନିର୍ବାଚନ ଦିନ ନିର୍ଦ୍ଧାରିତ ଭୋଟ ଦେବାକୁ ବୁଥରେ ଲମ୍ବା ଧାଡ଼ିରେ ଠିଆହେଲି | ସତକୁ ସତ ଜଣେ ଶିକ୍ଷୟତ୍ରୀ ଯାହାକୁ ମୁଁ ପ୍ରଥମେ ଫର୍ମ ଦେଇଥିଲି, ସେ ଆସି ମୋତେ ଦେଖାକରି ଭୋଟଦେବା ପର୍ଯ୍ୟନ୍ତ ସହାୟତା କଲେ | ମୋ ପାଇଁ ସେ ସ୍ଵତନ୍ତ୍ର ଭାବରେ ଦାୟିତ୍ଵରେ ଥିଲେ | ବିନା ବାଧାରେ ବିନା ଭୋଟର କାର୍ଡ଼ରେ ସେଦିନ ଭୋଟଦେଲି ସତ, କିନ୍ତୁ ଭୋଟର କାର୍ଡ଼ ଖଣ୍ଡିକ ପାଇବା ପାଇଁ ମୋର ଜିଦ ଲାଗି ରହିଥାଏ | ସକଳ ଚେଷ୍ଟାକରି ମଧ୍ୟ ସେଥିରେ ସଫଳ ହେଇପାରିଲି ନାହିଁ | 2015 ମସିହାରେ ଚାକିରିରୁ ଅବସର ନେଇ ମୁଁ ଜୟପୁରରୁ ଚାଲିଆସିଲି | ଏହାପରର ଘଟଣା ଥିଲା, ଆହୁରି ବେଦନା ଦାୟକ | ତାକୁ ମୁଁ ପରବର୍ତ୍ତୀ ଭାଗରେ ପ୍ରକାଶ କରିବାକୁ ସ୍ଥିର କରିଛି |


Rate this content
Log in

Similar oriya story from Inspirational