STORYMIRROR

Siva Bramhan

Drama Classics Inspirational

4  

Siva Bramhan

Drama Classics Inspirational

ସତୀ ଦାରିକା

ସତୀ ଦାରିକା

5 mins
281

କମଳା କମଳା । ଆରେ ଘରେ ଅଛୁ ? ଟିକେ ବାହାରକୁ ଆସିଲୁ । କଣ ହେଲା ରମେଶ ଭାଇ, କିଛି କାମ ଅଛିକି ପଚାରୁ ପଚାରୁ ଦାଣ୍ଡ କବାଟ ଖୋଲି କମଳାବାହାରକୁ ଆସିଲା ପିଣ୍ଡାରେ ବସ ଭାଇ, ଘରେ ଆଲୁଅ ଜଳୁନି । କୁହ କିଛି କାମ ଥିଲାକି ମୋ ପାଖରେ ? ଆରେ ତୋ ଭାରିଜା ଘରେ ନାହିଁକି ? ସଞ୍ଜବତୀ ନଦେଇ କୁଆଡେ ଯାଇଛି । ତାର ଟିକେ କାମ ଥିଲା, ଏଇ ପାଖ ଗାଁକୁ ଯାଇଛି । ତା ପାଖରେ ତମର କିଛି କାମଥିଲାକି ?

            ନାଇଁ ମ ମୋର କି କାମ ତା ପାଖରେ ! ମୁଁ ସେପଟୁ ଆସୁଥୁଲି । ଦେଖିଲି ତୋ ଭାରିଜା ମିଟି କାହା ମଟରସାଇକେଲ ପଛରେ ବସି ଯାଉଛି । ମୋତେ ଯେମିତି ଦେଖିଲା ମୁହଁ ଲୁଚାଇଦେଲା। ଭାବିଲି ସଞ୍ଜ ଘଡ଼ିଏ ହେଲାଣି, କଣ ଅସୁବିଧା ହୋଇଛି ନା କଣ ! ମିଟି ତ ସଞ୍ଜ ପରେ ଘରୁ ପାଦକାଢେନି । ପୁଣି କାହା ମଟରସାଇକେଲ ପଛରେ ସେଥୂପାଇଁ ପଚାରିଦେଲି । ହଉ ମୁଁଯାଉଛି । କିଛି ଦରକାର ହେଲେ କହିବୁ । କମଳା ଘର ଭିତରକୁ ପଶିଯାଇ ଧଡ଼କି କବାଟ ବନ୍ଦ କରିଦେଲା । କାନ୍ଥରେ ଟଙ୍ଗାହୋଇଥିବା ଜଗନ୍ନାଥ ଫୋଟୋକୁ ଭିଡିଆଣି ଜାକିଧରିଲା । "କାହିଁକି ପ୍ରଭୁ ମୋତେ ବଞ୍ଚେଇ ରଖୁଛ? ମୁଁ ମରିଯାଇଥିଲେ ମିଟି ଆଜି ନର୍କ ଯନ୍ତ୍ରଣାରୁ ବଂଚିଯାଇଥାନ୍ତା "। 

          କେତେ ସ୍ବପ୍ନ ନେଇ ସେ ମୋ ହାତ ଧରିଥିଲା । କି ସୁଖ ମୁଁ ତାକୁ ଦେଲି? ସ୍ତ୍ରୀ ମାନେ କେତେକଣ ପିନ୍ଧୁଛନ୍ତି,ନାଉଛନ୍ତି । ହେଲେ ମୋ ମିଟି ସବୁବେଳେ ସେମିତି ଖାଲି ବେକ ଖାଲି କାନ ବାପଘରୁ ଯାହା ଟିକେ ଆଣିଥିଲା ମୋ ଚିକିତ୍ସାରେ ସବୁ ବିକିଭାଙ୍ଗି ଦେଲା । ସେ ମୋ ପାଇଁ ଏତେ କଲାପରେ ବି ମୁଁ ତାକୁ ଦେଇଛି କଣ । ସୁନା ଗହଣା ତ ଦୂରର କଥା, ମୁଁ ତାକୁ ଭଲ ଖଣ୍ଡେ ପିନ୍ଧିବାକୁ ଦେଇପାରିନି । ଦେଇଛି ତ ସାହି ପଡିସାଙ୍କ ଟାହି ଟାପରା, ନିନ୍ଦା ଅପମାନ ଆଉ ଗୋଟେ ବେଶ୍ୟାର ଆଖ୍ୟା । 

          ଏଇ ରମେଶ ଭାଇ, ତିଳକୁ ତାଳ କରିବା ଲୋକ । ସେ ଠିକ୍ ଜାଣିଛି ମୋ ମିଟି କୁଆଡେ ଯାଇଛି । ତଥାପି କଟା ଘା ରେ ଚୁନ ଦେଲା ଭଳି ଜାଣିଶୁଣି ପଚାରୁଛି । ଏତେବେଳକୁ ଭଲମନ୍ଦ ପଚାରୁଛି ! କାହିଁ ସେଦିନ ତ ଏମିତି ଟିକେ ଦୟା ଦେଖେଇ ନଥିଲା । ମୋ ଯକୃତ ଖରାପ ହୋଇଯାଇଥିବା ଶୁଣି ମିଟି ମୋର କଚାଡି ହୋଇପଡ଼ିଥିଲା । ଡାକ୍ତର କହିଲେ ଭଲ କରିବାକୁ ହେଲେ ସାତଲକ୍ଷ ଉପରେ ଟଙ୍କା ଖର୍ଚ୍ଚ ହେବ । ଏତେ ଟଙ୍କା ଯୋଗାଡ଼ ହବ ନା ମୁଁ ବଞ୍ଚିବି ଭାବି ମୁଁ ମରଣକୁ ଅପେକ୍ଷା କରଥିଲି । କିନ୍ତୁ ମୋ ମିଟି ଲାଗିପଡ଼ିଥିଲା ମୋ ପ୍ରାଣ ବଂଚେଇବା ପାଇଁ । 

          ଦିନ ରାତି ଏକ କରି ପରିଶ୍ରମ କଲା । କିନ୍ତୁ ସେଥ୍‌ରେ କେତେ ମିଳିବ? ଦୁଆର ଦୁଆର ଭିକ ମାଗିଲା । ଯିଏ ଯାହା ଦୟାକରି ଦେଲେ । ହେଲେ ସାତ ଲକ୍ଷ ବହୁତ ଦୂର ଆଉ ସମୟ କମ ।ରମେଶ ଭାଇ ଥିଲାବାଲା ଲୋକ । ଲକ୍ଷ ୨ଲକ୍ଷ ସୁଧ କାରବାର କରେ । ମିଟି ସେଦିନ ହାତ ଯୋଡି ତାଙ୍କୁ ନେହୁରା ହୋଇଥିଲା, ଗୋଡତଳେ ବି ପଡିଲା ଦୁଇ ଲକ୍ଷ ଟଙ୍କା ସୁଧ ଆଣିବାକୁ । କିନ୍ତୁ ରମେଶ ଭାଇ କିଛିବି ଶୁଣିଲାନି । ଓଲଟି କହିଲା ଯଦି ଏତେ ଗେରସ୍ତ ପ୍ରେମ ଉଛୁଳୁଛି ତ ନିଜକୁ ବିକିଦେ, ବହୁତ ଟଙ୍କା ମିଳିବ । ମୋ ଗୋଡ ରକ୍ତ ମୁଣ୍ଡକୁ ଚଢ଼ିଯାଇଥିଲା । ହେଲେ ଯେତେ ରକ୍ତ ଚାଉଳ ଚୋବେଇଲେ ବି ମୁଁ ତାର କଣ କରିପାରିବି ? କଥାରେ ଅଛି ଗରୀବ ମାଇପ ସବୁରି ଶାଳୀ । ଆମେ ତ ଗରିବ, ଯିଏ ଯାହା ପାରିବ କହିବ । କାହା ମୁହଁରେ ବାଡଦେବି ?  

          କଥାଟା କିନ୍ତୁ ମିଟି ମନକୁ ଖୁବ ପାଇଥିଲା । ଅଳ୍ପସମୟରେ ବେଶୀ ରୋଜଗାର ଆଉ କୋଉଠୁ ମିଳିବ? ସେ ନିଷ୍ପତି ନେଇସାରିଥିଲା ନିଜକୁ ବିକ୍ରୀକରିବା ପାଇଁ । ମୋତେ ଜଣେଇବା ପୂର୍ବରୁ ତା ରାଣ ନିୟମ ପକେଇ ମୋ ପାଟି ବନ୍ଦ

କରିଦେଲା । ତା ମୁଣ୍ଡ ଛୁଆଁଇ କହିଲା ତମେ ଭଲ ହେବାଯାଏ ମୋ ସହ କଥା ହବନି କି ମୋ କାମରେ ବାଧା ଦବନି ଆଉ ନିଜର କିଛି କ୍ଷତିକରିବାକୁ ଚେଷ୍ଟା ବି କରିବନି । ମୋ ସହ କଥା ହେଲେ ବୋଧେ ନିଜକୁ ସମ୍ଭାଳି ପାରିବନି ସେଥିପାଇଁ ।ମୁଁ କଥାଦେବା ପରେ ମୋତେ କହିଲା କୁନା ମିସ୍ତ୍ରୀ ସହ କଥା ହୋଇଛି | ବହୁତ ବଡ଼ ବଡ ସାହେବ ମାନଙ୍କ ସହ ତାର ଚିନ୍ନା । ସେମାନେ ଗୋଟେ ଗୋଟେ ରାତିପାଇଁ ଦଶ କୋଡିଏ ହଜାର ଟଙ୍କା ଦେଉଛନ୍ତି । ଆଜିଠୁ ମୁଁ ଯିବି ତାପରେ ଆଉ କଣ ସବୁ କହୁଥିଲା କିଛି ଶୁଣିପାରିଲିନି । କିଛି ପଚାରିବିନି ବୋଲି ମୁଣ୍ଡ ଛୁଇଁଛି ହେଲେ ଲୁହଗୁଡ଼ା କଣ ମାନୁଛନ୍ତି ? ମିଟିକୁ ଚାହିଁ ଅନବରତ ପ୍ରଶ୍ନ କରିଚାଲିଛନ୍ତି । ସେ ପ୍ରଶ୍ନ ଯେ ମିଟିକୁ କେତେ କଷ୍ଟ ଦଉଥିଲା ସେକଥା ମୁଁ ବୁଝିପାରୁଥୁଲି । ହେଲେ ମୁଁ ନିରୁପାୟ ।

          ମୋତେ ବଞ୍ଚଇବାର ଦୁର୍ବାର ଅଭିଳାସା ରେ ସେ ନିଜକୁ ମାରି ଚାଲିଛି । ହେଲେ ମୁଁ କୋଉ ବଞ୍ଚିପାରୁଛି | ଚିକିତ୍ସା କରି ନିଜକୁ ଧୀରେ ଧୀରେ ଠିକ କରୁଛି ହେଲେ ମୋ ମିଟିକୁ ବେଶ୍ୟା ବୋଲି ଆଖ ପାଖରେ ପରିଚିତ କରେଇଦେଇଛି । ଆଗରେ ପଛରେ ଦେଖେଇ ଶିଖେଇ କେତେ କଣ କହୁଛନ୍ତି । ସତ କଣ ଲୁଚିକି ରୁହେ ? ସେ ସବୁ ଶୁଣୁଛି ସବୁ ଜାଣୁଛି ହେଲେ ସେ ତା ଜିଦ୍ଦ ରେ ଅଟଳ ।

ମୋ ଜୀବନଠୁ ବଳି ଆଉ ମୂଲ୍ୟବାନ ତା ପାଖରେ କିଛିନାହିଁ । ତୁମେ କୁହ ପ୍ରଭୁ ତୁମ ସହ ଲଢ଼ି କଣ କିଏ ଜିତିଛି? କିନ୍ତୁ ସେ ପାଗଳୀ ଏକଥା କଣ ବୁଝୁଛି? ମୁଁ ପାଟି ଖୋଲି ତାକୁ କିଛି କହିପାରିବିନି । ତାକୁ ତୁମେ ବୁଝାଅ ପ୍ରଭୁ ତୁମେ ବୁଝାଅ ।

          ଏଇ, ଶୋଇପଡ଼ିଛ ନା କଣ ? କବାଟ ଖୋଲ ।କମଳା ଚାରିଆଡ ଘୋର ଅନ୍ଧାର । ବତୀ ଜାଳି କବାଟ ଖୋଲିଲା ।ଶୁଣ, ଜଲ୍ଟି ଜଲ୍ଭି ଗାଧୁଆ ପାଧୁଆ କାମ ସାର । ଭୋର ଚାରିଟା ହେଲାଣି । ଆମେ ପ୍ରଥମ ବସ୍ ଧରି ମେଡିକାଲ ଯିବା । ଲୁଗାପଟା ମୁଁ ସଜାଡି ଦଉଛି, ତମେ ଆସିଲେ ମୁଁ ଗାଧୋଇକି ବାହାରି ମିଟିର ସ୍ବର ଶୁଣି ଚମକି ପଡିଲା।ସେମିତି ଆଶ୍ଚର୍ଯ୍ୟ ହୋଇ ଚାହିଁରହିଥାଏ କମଳା । ଓହୋ ମୁଁ ଆଜି ଏତେ ଖୁସି ଯେ ମୁଁ ଭୁଲିଯାଇଛି ତୁମେ କିଛି କହିବନି ବୋଲି । କିନ୍ତୁ ଆଜିଠୁ ତୁମେ ମୁକ୍ତି । 

          ଜାଣିଛ ଯାହା ପାଖକୁ ମୁଁ କାଲି ଯାଇଥୁଲି ସେ ତ ମଣିଷ ନୁହନ୍ତି ଦେବତା ।ମୋତେ ସେ ଛୁଇଁ ବି ନାହାନ୍ତି । ମୋ ସହ କଥା ହଉ ହଉ ତୁମ ବିଷୟରେ ପଚାରିଲେ । ସବୁ ଜାଣିଲା ପରେ ସେ ମୋତେ ସଙ୍ଗେ ସଙ୍ଗେ ଲକ୍ଷେ ଟଙ୍କା ଦେଇ କହିଲେ ତୁମକୁ ଆଜି ମେଡିକାଲ ନେଇଯିବାକୁ। ସେଠି ରହିବା ଖାଇବା ସହ ଆଉ ଯାହା ଖର୍ଚ୍ଚ ସବୁ ସେ କରିବେ । ତୁମେ ଶୀଘ୍ର ଯାଅ ।କମଳା ଭିଡି ଧରିଲା ମିଟିକୁ । କିଏ କହୁଛି ତୁ ବେଶ୍ୟା? "ସ୍ବାମୀ ପାଇଁ ଯେ ନିଜର ସର୍ବସ୍ବ ଦାନକରିପାରେ ସେ କେମିତି ବେଶ୍ୟା ହୋଇପାରିବ । ସାବିତ୍ରୀ ହେଉଛନ୍ତି ସତୀ କାରଣ ସେ ଯମଠୁ ତାଙ୍କ ସ୍ବାମୀ ସତ୍ୟବାନଙ୍କୁ ଛଡେଇ ଆଣିଥିଲେ । ତୁ ଆଉ କଣ କରୁଛୁ କି ! ତୋତେ ଦୁନିଆ ଯାହା କହିଲେ ବି ମୁଁ ଜାଣିଛି ତୁ କଣ । ସତୀ ଆଉ କାହାକୁ କୁହନ୍ତି?" ଯଦି ସେମିତି ନହୋଇଥାନ୍ତି ସ୍ବୟଂ ଭଗବାନ କଣ ତୋତେ

ଦେଖା ଦେଇଥାନ୍ତେ ?

କଣ କହୁଛ ଇଆଡୁ ସିଆଡୁ?

ହଁ ମିଟି, କାଲି ରାତିରେ ତୋ ପାଖକୁ ଯିଏ ଆସିଥିଲେ ସେ ସ୍ବୟଂ ଜଗନ୍ନାଥ ମହାପ୍ରଭୁ। ତାଙ୍କ ଫୋଟୋ ଧରି ମୁଁ ନିଜକୁ ବହୁତ ଧକ୍କାରିଲି ।ତାଙ୍କ ସହ କଥା ହଉ ହଉ ମୁଁ କେତେବେଳେ ସୋଇପଡିଛି ଜାଣିନି । ଏସବୁ ତାଙ୍କରି ଚମତ୍କାର ଏଇ ଦେଖ ତାଙ୍କ ଫୋଟୋ ଏଇଠି ଖସିପଡିଛି ମୋ ହାତରୁ କହି କମଳା ଠାକୁରଙ୍କୁ ଉଠେଇନେଲା । ହଁ ସତକଥା ତ ଆଜି ଠାକୁରଙ୍କ ଶ୍ରୀମୁଖ କାହିଁକି ସେ ଲୋକର ମୁହଁ ଭଳି ଦିଶୁଥିଲା ମିଟିକୁ । ହାତଟେକି ମିଟି ନିଜକୁ ସମର୍ପଣ କଲା । ବୋହି ଯାଉଥିଲା ଆନନ୍ଦର ଅଶ୍ରୁ ।


Rate this content
Log in

Similar oriya story from Drama