ପରିଚୟ
ପରିଚୟ
ବୈଶାଖର ଟାଣ ଖରା। ଦେହ ହାତ ଜଳିଗଲାଭଳି ମନେହୁଏ। ଏ ମୌସୁମୀ ଟା ବି କେବେ ଆସିବ ତାର କିଛି ଠିକ୍ ଠିକଣା ନାହିଁ। କାଳ ବୈଶାଖୀ ଟା ବି ଖାଲି ଘଡଘଡ ସବ୍ଦ କରି ଧୋକା ଦେଇଗଲାଣି। ଅନେକ ସମୟ ହେଲା ବିଦ୍ୟୁତ ବି କଟିଯାଇଛି। ବିରକ୍ତ ହେଇ ସିବା ଗାଧୁଆ ଘରେ ପାହିଗଲା, ହେଲେ ଇଏ କଣ ! ଟାଙ୍କି ପାଣି ନା କୋଉ ଉଷ୍ମ ପ୍ରସବଣର ପାଣି। ପାଞ୍ଚ ମିନିଟ ଭିତରେ ଗାଧୁଆ ସାରି ତା ରୁମ୍ କୁ ଫେରିଆସିଲା। ହେଲେ ଏ ଖରା ବେଳଟା ଯେ କେମିତି କଟିବ? ଟିଭି ଦେଖନ୍ତା,ହେଲେ ବିଦ୍ୟୁତ ନାହିଁ। ମୋବାଇଲ୍ ରେ ଗେମ୍ ଖୋଳନ୍ତା,ହେଲେ ଚାର୍ଜ ନାହିଁ ।କଣ କରିବ ଭାବୁ ଭାବୁ ମନେପଡିଗଲା ବାପାଙ୍କ ଲାଇବ୍ରେରୀ କଥା। ସେଠୁ ଖଣ୍ଡେ ବହି ଆଣି ପଢ଼ିବ ବୋଲି ଲାଇବ୍ରେରୀର ଚାବି ଖୋଜିଲା,ହେଲେ ପାଇଲାନି। ଆଉ କିଛି ଉପାୟ ନପାଇ ତାଲା ଭାଙ୍ଗି ପଶିଗଲା ଲାଇବ୍ରେରୀ ଭିତରକୁ।
ବାପା ଚାଲିଗଲା ଦିନଠାରୁ ଲାଇବ୍ରେରୀ ଭିତରକୁ କେହି ପାରିନାହାନ୍ତି। ବାପା ତାର ବହି ପଢିବାକୁ ଭାରି ଭଲପାଆନ୍ତି ଏପରିକି ବହି ପଢ଼ି ପଢ଼ି ହିଁ ସେ ଶେଷନିଶ୍ୱାସ ନେଇଥିଲେ। ବାପାଙ୍କ କଥା ଭାବି ଭାବି ସିବା ତିନି ନମ୍ବର ଥାକରୁ ବହିଟିଏ ବାହାରକଲା।ବହିର ପ୍ରଥମ ପୃଷ୍ଠା ଓଲଟାଉ ଓଲଟାଉ ବାପାଙ୍କ ନିଜସ୍ୱ ହସ୍ତାକ୍ଷର ରେ ଲେଖାଥିଲା ରୋଜିର ଶେଷ ଉପହାର !" ଆଉ ତା ପାଖରେ ଲାଭ ସିମ୍ବଲ ଟିଏ ବି ଅଛି ! ଲେଖା ଟିକୁ ଦେଖି ସିବା ର ମୁଣ୍ଡ କିଛି କାମ କଲାନି। ତା ମାଆଙ୍କ ନାମ ତ ରୋଜି ନୁହ। ତାହାଲେ ଏ ରୋଜି କିଏ? ସିବା ଭାବିନେଲା ଏ ରୋଜି ନିଶ୍ଚୟ ବାପାଙ୍କ ପ୍ରେମିକା। କଥାଟାକୁ ଏତିକିରେ ଛାଡିଦେଇଥିଲେ ହୁଏତ ଭଲହେଇଥାନ୍ତା,କିନ୍ତୁ ସିବା ଛାଡିପାରିଲାନି। କାରଣ ସେ ଆଧୁନିକ ଦୁନିଆର ଛୁଆ ହେଲେବି ଏଯାଏଁ ପ୍ରେମର ପାଠ ପଢ଼ିନି।
ଗୋଟି ଗୋଟି କରି ଅନେକ ବହି ଘାଣ୍ଟି ପକାଇଲା ସିବା,ହେଲେ ରୋଜି ର ପରିଚୟ ପାଇଲାନି। ଫେରି ଆସିଲା ବେଳକୁ ତାର ନଜର ପଡିଲା ବାପାଙ୍କ ଚୌକି ଉପରେ। ସେଠାରେ ପଡିରହିଛି ଏକ ପୁରୁଣା ଡାଏରୀ। ତାର ପ୍ରଥମ ପୃଷ୍ଠାରେ ଲେଖାଅଛି " ରୋଜିର ପ୍ରଥମ ଉପହାର" । ଦ୍ୱିତୀୟ ପୃଷ୍ଠାରେ ବାପା ଲେଖିଛନ୍ତି -" ଏ ଡାଏରୀଟି ମୋତେ ରୋଜି ଦେଇଛି । କେତେ ମନାକଲି ହେଲେ ଶୁଣିଲାନି, ପାଗିଳୀଟା । ଆଜି ତା କେଶ୍ ର ଶେଷ ଶୁଣାଣି ଥିଲା।ଆଉ ମୁଁ ଥିଲି ତାର ଓକିଲ। ବିଚାରପତି ଦଶଜଣ ସାକ୍ଷୀଙ୍କ ବୟାନ ରେକର୍ଡ କଲେ । ତା ପରେ ଆସନ୍ତା ୨୫ ତାରିଖକୁ ବିଚାର ପାଇଁ ଦିନ ଧାର୍ଯ୍ୟ କରାଗଲା। " ସିବା କୁ ଆଉ ଜାଣିବାକୁ ବାକି ରହିଲାନି ଯେ ରୋଜି ବାପାଙ୍କର ଜଣେ କ୍ଲାଇଣ୍ଟ। ହେଲେ ବାପା ତାକୁ ଏତେ ଗୁରୁତୁ ଦେଉଥିଲେ କାହିଁକି? ପୃଷ୍ଠା ପରେ ପୃଷ୍ଠା ଓଲାଟାଇ ଚାଲିଲା ସିବା।
ଜାନୁଆରି 25 ତାରିଖ ପୃଷ୍ଠା ରେ ଲେଖାଥିଲା-
"ରୋଜି କୁ ମୁଁ ନ୍ୟାୟ ଦେବାରେ ଅସମର୍ଥ ହେଲି। ପ୍ରମାଣ ଅଭାବରୁ ତିନିଜଣଯାକ ବଳାତ୍କାରୀ ନିର୍ଦ୍ଦୋଷରେ ଖଲାସ ହେଇଗଲେ। କାଠଗଡା ଭିତରେ ଛିଡାହୋଇ ବିଚାରି କାଠ ପଲଟିଯାଇଥିଲା।ତାର ଅସହାୟତା ଦେଖି ମୋ ଆଖିକୁ ଲୁହ ଆସିଯାଇଥିଲା ହେଲେ ରୋଜି କାନ୍ଦି ନଥିଲା।"ପୃଷ୍ଠା ପରେ ପୃଷ୍ଠା ଓଲାଟାଇ ଚାଲିଲା ସିବା।ପୁଣି ଗୋଟେ ପୃଷ୍ଠା ତା ନଜର କୁ ବାନ୍ଧି ରଖିଲା । ଲେଖାଥୁଲା "ମୁଁ ରୋଜିକୁ କେତେକରି ବୁଝେଇଲି ହାଇକୋର୍ଟରେ ଅପିଲ୍ କରିବାକୁ । କିନ୍ତୁ ସେ ମନା କଲା,କାରଣ ସେ ତିନିମାସର ଗର୍ଭବତୀ ଥିଲା ପୁଣି କୁଆଁରୀ "ମା"।ପେଟରେ ଛୁଆ କୁ ଧରି କେତେଆଉ ଦଉଡ଼ିବ।ତେଣୁ ମୁଁ ବି ଚୁପ୍ ରହିଲି । ସେ ଗାଆଁ ଛାଡି ସହରକୁ ଚାଲିଆସିଲା।ଗୋଟିଏ ବହି ଦୋକାନରେ ତା ପାଇଁ ଚାକିରି ର ବ୍ୟବସ୍ତା ବି କରିଦେଲି।"
ପୁଣି ଓଲଟିଲା ପୃଷ୍ଠା। ଅଗଷ୍ଟ 13 ତାରିଖ। ଲେଖାଥିଲା-"ମୁଁ ବହିକୁ ଭଲପାଏ ବୋଲି ରୋଜି ମତେ ଅନେକ ବହି ଉପହାର ଦେଇଛି।ଆଜି ବି ଗୋଟେ ବହି ଦେଲା।ରୋଜି ହସ୍ପିଟାଲରେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମଦେଇ ସବୁଦିନପାଇଁ ଆରପାରିକୁ ଚାଲିଗଲା!ଖାଲି ବହି ନୁହଁ ତ ସହ ତାର ସନ୍ତାନ ଟିକୁ ବି ମୋ ପାଖରେ ଛାଡିଦେଇ ଗଲା।ମୁଁ ବି ଖୁସିର ସହ ଗ୍ରହଣ କଲି ତା ସନ୍ତାନଟିକୁ,କାହିଁକିନା ମୁଁ ଥିଲି ସନ୍ତାନହୀନ।" ସିବା ଠପକିନା ଡାଏରୀଟିକୁ ବନ୍ଦ କରି ଏକ ନିଃଶ୍ବାସରେ ତା ରୁମ୍ କୁ ଦଉଡି ଆସିଲା। ତା ଦେହରୁ ଟପ ଟପ ଝାଳ ବହିଯାଉଥିଲା, ଯଦିଓ ବିଦ୍ୟୁତ ଆସିଯାଇଥିଲା ଆଉ ମୁଣ୍ଡ ଉପରେ ସିଲିଣ୍ଡ ଫ୍ୟାନ ଟା ଜୋର୍ ରେ ଶବ୍ଦ କରି ବୁଲୁଥିଲା ତଥାପି ତା ଦେହ ରୁ ବହି ଯାଉଥିଲା ଝାଳ ର ବନ୍ୟା। କାରଣ ରୋଜିର ପରିଚୟ ଖୋଜୁ ଖୋଜୁ ଆଜି ସେ ପାଇଛି ଗୋଟେ ନୂଆ ପରିଚୟ ତା ନିଜ ପରିଚୟ ।
