Santosh Kumar Misra

Inspirational

3  

Santosh Kumar Misra

Inspirational

ସଶକ୍ତ ବେଙ୍ଗୁଲି

ସଶକ୍ତ ବେଙ୍ଗୁଲି

8 mins
429



ବେଙ୍ଗୁଲି ଶବର, ଆମ ଘର ପାଖ ବସ୍ତିରେ ଏବେ ରହୁଥିବା ଜଣେ ମଧ୍ୟବୟସ୍କା ଆଦିବାସୀ ମହିଳା୤ ଆଜିକାଲି ସେ ସକାଳେ ସନ୍ଧ୍ୟାରେ ଦୁଇବେଳା ଆମ ଘରକୁ ଆସେ ଓ ଘର କରଣା କାମରେ ମୋ ସ୍ତ୍ରୀ ଶାନ୍ତିଙ୍କୁ ଟିକିଏ ସାହାଯ୍ୟ କରେ୤ ପ୍ରତିବଦଳରେ ସେ ଆମଠୁ କିଛି ଟଙ୍କା ନିଏ ତା’ର ପରିବାର ପ୍ରତିପୋଷଣ ପାଇଁ୤ ଏବେ ଦିନେ ସେ ତା’ ଆସିବାର ନିର୍ଦ୍ଦିଷ୍ଟ ସମୟ ଠାରୁ ଯଥେଷ୍ଟ ଆଗରୁ ଚାଲି ଆସିଲା୤ ମୋ ସ୍ତ୍ରୀ ପଚାରିଲା ତାକୁ :

 କିଲୋ ବେଙ୍ଗୁଲି! ଆଜି କଣ ତୁ ଏତେ ଶୀଘ୍ର ଚାଲି ଆସିଲୁ?

 ମୋର ପରା ମା’ ଆଜି ମିଟିଂ ଯିବାର ଅଛି, ତେଣୁ ଟିକିଏ ଜଲଦି କାମ ସାରିଦେଲେ ଯିବି ସେଥିପାଇଁ ଆଗରୁ ଚାଲି ଆସିଲି୤୤

ଶାନ୍ତି ଫେଁ କରି ହସିଦେଇ କହିଲା:

 ତୋର ପୁଣି କି ମିଟିଂଲୋ?

ହଠାତ୍‌ ମୋ ସ୍ତ୍ରୀ ମନେ ପକେଇ ପାରୁନଥିଲା ଯେ ସେ ଦିନଟି ଥିଲା ମାର୍ଚ୍ଚ ଆଠ ତାରିଖ ଓ ସେହି ଦିନଟିକୁ ପୃଥିବୀ ବ୍ୟାପି ଆନ୍ତର୍ଜାତିକ ମହିଳା ଦିବସ ଭାବରେ ପାଳନ କରାଯାଉଥିବାରୁ ସେହି ଦିନ ମହିଳା ମାନଙ୍କପାଇଁ ସଭା ସମିତିର ଆୟୋଜନ କରାଯାଏ୤ ଯାହା ବି ହେଉ ମିଟିଂ ଯିବାପାଇଁ ବେଙ୍ଗୁଲିର ଉତ୍କଣ୍ଠା ଦେଖି ଶାନ୍ତି ଏକା ନିଶ୍ବାସରେ ପଚାରି ଚାଲିଲା କୋଉଠିକି ଯିବୁ, କିଏ କିଏ ଯିବ, କେତେବେଳେ ଯିବ ଆଉ କେମିତି ଯିବ ଇତ୍ୟାଦି ଇତ୍ୟାଦି ? ସନ୍ଧ୍ୟା ବେଳକୁ ତୁ ଆସିବୁଟି ଆମ ଘରକୁ? କାରଣ ମିଟିଂ ବାହାନାରେ ଯଦି ବେଙ୍ଗୁଲି ନଆସେ ସନ୍ଧ୍ୟାରେ ତେବେ ତାକୁ ହିଁ ସବୁ କାମ ଅର୍ଥାତ୍‌ ଘର ଝାଡୁ ଦେବାଠୁ ଅଇଣ୍ଠା ବାସନ ମାଜିବା ପର୍ଯ୍ୟନ୍ତ ସବୁ କରିବାକୁ ପଡିବ ୤

 ହଁ ହଁ , ମୁଁ ତିନିଟା କି ଚରିଟା ବେଳକୁ ଚାଲି ଆସିବି୤ ଆମେ ସାହିରୁ ଦୁଇଟା ଗ୍ରୁପର କୋଡିଏ ଜଣ ମହିଳା ଯିବୁ୤ ଆମ ପାଇଁ ଆଙ୍ଗନବାଡି ଦିଦିର ସ୍ବାମୀ ବୋଲେରୋ ଭଡା କରିଛନ୍ତି୤ ଆମେ ସେଥିରେ ଯାଇ ସଭା ପରେ ପୁଣି ସେହି ଗାଡିରେ ଫେରି ଆସିବୁ୤ ମିଟିଁ ବରମୁଣ୍ଡା ପଡିଆରେ ହେବ ବୋଲି କହୁଥିଲେ୤

  ଖାଇବା ପିଇବା କଣ ସିଆଡେ ଆଜି ତୁମର, ନା ଘରକୁ ଆସିବ ଖାଇବାକୁ?

  ଖାଇବାକୁ ସେମାନେ ଦେବେ ସେଠି ଆଉ ଆସିଲାବେଳକୁ ଜଣକା ପଚାଶ ଟଙ୍କା ଦେବେ ୤


    ଶାନ୍ତି ମୋତେ ପଚାରିଲା ଏମାନଙ୍କୁ ଟଙ୍କା ଦେଇ, ଖାଇବାକୁ ଦେଇ କିଏ ଡାକୁଛି ମିଟିଂକୁ, କଣ ହବ ସେ ମିଟିଂରେ?ଏ ମାନଙ୍କର ମିଟିଂରେ କଅଣ କମ? ଶାନ୍ତିର ଏ ସବୁ ବିଷୟରେ କିଛି ଧାରଣା ନଥିଲା୤ ତେଣୁ ତାକୁ କଥାଟି ଅଡୁଆ ଲାଗୁଥିଲା୤ ସେ ଜାଣିଥିଲା ମୁଁ ଅନେକ ସମୟରେ ଲୋକସେବା ଭବନରେ, ମନ୍ତ୍ରୀଙ୍କ ବାସଭବନରେ କିମ୍ବା ମୋ ଅଫିସ୍‌ରେ ମିଟିଂ କୁ ଯାଇଥାଏ, ହେଲେ ବେଙ୍ଗୁଲି ମିଟିଂକୁ ଯିବା, ତାହା ପୁଣି ଏତେ ତରତର ହେଇ, ସେ କଥାଟି ତାର ଜମା ହଜମ ହେଉ ନଥିଲା୤ ମୁଁ ଶାନ୍ତିକୁ ବୁଝେଇବାକୁ ଚେଷ୍ଟା କଲି କି ଆଜିକାଲି ପ୍ରଚେଷ୍ଟା ଚାଲୁ ହେଇଛି କି କୌଣସି ମହିଳା ଆର୍ଥିକ ଭାବେ ଦୁର୍ବଳ ରହିବେନି ଓ ସ୍ବାବଲମ୍ବି ହେବେ୤ ସେହି ଲକ୍ଷ ରଖି କରାଯାଉଥିବା କାର୍ଯ୍ୟକ୍ରମ କୁ ମହିଳା ସଶକ୍ତି କରଣ କାର୍ଯ୍ୟକ୍ରମ ବୋଲି କୁହାଯାଉଛି ୤ ଏହି ପରି ସବୁ ସ୍ତରରେ ସଭା ସମିତି ମାନ କରି ସେମାନଙ୍କୁ ସଶକ୍ତ ହେବାର ଗୁରୁମନ୍ତ୍ର ଶିକ୍ଷା ଦିଆ ଯାଉଛି୤ ଶାନ୍ତି କିଛି ବୁଝିଲା କି ନାହିଁ ଜାଣିନି କିନ୍ତୁ ମୁହଁ ଛିଞ୍ଚାଡି କହିଲା ସ୍ତ୍ରୀଲୋକଙ୍କୁ ସ୍ବେଚ୍ଛାଚାରୀ କରେଇ ଘର ଭାଙ୍ଗିବାର ଏହା ଏକ ଅଭିନବ ଆଉ ଯୁଗପୋଯୋଗୀ କଳ୍ପନା୤


ତିନିଟା ବାଜିଲା , ଚାରିଟା ବାଜିଲା , ପାଞ୍ଚଟା ବି ବାଜିଲା ୤ ହେଲେ ବେଙ୍ଗୁଲି ର ଦେଖା

ନାହିଁ୤ ସ୍ତ୍ରୀର ବରାଦରେ ମୁଁ କେବେ ବେଙ୍ଗୁଲି ପୁଅକୁ ତ କେବେ ଝିଅକୁ ଫୋନ୍‌ କରି ପଚାରୁଥାଏ, ବେଙ୍ଗୁଲି ଫେରିଲାଣିକି ମିଟିଂରୁ? ଉତ୍ତର ଆସୁଥାଏ ନା୤ କେହି କିଛି ମଧ୍ୟ ସଠିକ୍‌ କହି ପାରୁ ନଥାଆନ୍ତି୤ ସାହି ଭିତରୁ କେହି କେହି ମହିଳା ଫେରିଲେଣି୤ ସେମାନେ ମଧ୍ୟ ବେଙ୍ଗୁଲି ବିଷୟରେ କିଛି କହି ପାରୁନଥାନ୍ତି୤ ମୋ ସ୍ତ୍ରୀ ରାଗରେ ଗର ଗର ହେଉଥାଆନ୍ତି୤ ତାଙ୍କର ବୋଧେ ଇଚ୍ଛା ହେଉଥିଲା କହିବାକୁ ମୁଁ ଯାଇ ବେଙ୍ଗୁଲିକୁ ମିଟିଂ ପଡିଆରୁ ଖୋଜାଖୋଜି କରି ସାଥିରେ ନେଇ ଆସନ୍ତି୤ ବେଙ୍ଗୁଲିର ଫେରିବା ଡେରି କାରଣରୁ ତା’ ଘର ଲୋକମାନେ ମଧ୍ୟ ବ୍ୟସ୍ତ ହେବାକୁ ଲାଗିଲେ୤


ସନ୍ଧ୍ୟା ହେବାକୁ ବସିଲା୤ ଗାଁରୁ ଯାଇଥିବା ମହିଳା ମାନେ ପ୍ରାୟତଃ ଫେରିଲେଣି୤ କିନ୍ତୁ ବେଙ୍ଗୁଲି ଆସୁନି କି ତାର ଗୋଟେ ସାଙ୍ଗ ଗୁରୁବାରି ମଧ୍ୟ ଆସିନି୤ ସେ ଦୁଇଜଣ ଏକାଠି ଅଛନ୍ତି କି ନାହିଁ ତାହା ମଧ୍ୟ କେହି ଠିକ୍‌ ଭାବେ କହି ପାରୁ ନଥାଆନ୍ତି୤ ସନ୍ଧ୍ୟା ବଢିବାରୁ ବେଙ୍ଗୁଲି ସ୍ବାମୀ ଓ ଅନ୍ୟ କେତେଜଣ ଯୁବକ ସ୍ଥାନୀୟ ସରପଞ୍ଚଙ୍କୁ ଭେଟି ପଚାରିବା ପାଇଁ ବହାରିଲେ୤ ସେ ବି କୌଣସି ସଠିକ୍‌ ଉତ୍ତର ଦେଇ ପାରିଲେନି୤ ମୋ ସ୍ତ୍ରୀ ଙ୍କ ରାଗ ସେତେବେଳକୁ ଥମି ଯାଇଥାଏ କିନ୍ତୁ ମନରେ ବେଙ୍ଗୁଲି ପାଇଁ ଚିନ୍ତା ରହିଥାଏ୤ ସେ ମୋତେ ପ୍ରକାରାନ୍ତରେ ବେଙ୍ଗୁଲି କୁ ଖୋଜିବାକୁ କହିଲେ୤


ମୋର ମନେ ପଡିଲା ବେଙ୍ଗୁଲି କହୁଥିଲା ସକାଳେ କି ଆଙ୍ଗନବାଡି ଦିଦିଙ୍କ ସ୍ବାମୀ ଯୋଗାଡ କରିଥିବା ବୋଲେରୋ ଗାଡିରେ ସେମାନେ ମିଟିଂ ସ୍ଥଳକୁ ଯିବେ୤ ମୁଁ ତେଣୁ ବେଙ୍ଗୁଲି ସ୍ବାମୀକୁ ସାଥିରେ ଧରି ଗଲି ଆଙ୍ଗନବାଡି ଦିଦିଙ୍କ ଘରକୁ୤ ଉଦ୍ଦେଶ୍ୟ ଥିଲା ପଚାରି ବୁଝିବି ଯେ ଯିଏ ସବୁ ଯାଇଥିଲେ ସଭାକୁ ପ୍ରାୟ ସମସ୍ତେ ତ ଆସିଲେ ବେଙ୍ଗୁଲି ଆଉ ତା ସାଙ୍ଗ ଗଲେ କୁଆଡେ୤ ଆଙ୍ଗନବାଡି ଦିଦିଙ୍କ ସ୍ବାମୀ ମୋତେ ଭାରି ଖରାପ ବ୍ୟବହାର କଲେ୤ ମୋତେ ଓଲଟା ପ୍ରଶ୍ନ କଲେ କି ମୁଁ କାହିଁକି ସେଥିରେ ମୁଣ୍ଡ ପୁରାଉଚ୍ଛି ୤ ତାଙ୍କର କହିବା କଥା ଥିଲା ସମସ୍ତେ ଯେମିତି ଆସିଲେ ସେମାନେ ଦୁଇଜଣ ସେମିତି ଆସିବେ୤ ଗାଡି ମଟର କଥା, ଆସୁଥିବେ୤ ମୁଁ ବୁଝିଲିନି ସେ ମୋ ଉପରେ ରାଗିଲେ କାହିଁକି ୤ ମୋର ମନରେ ସନ୍ଦେହ ହେଲା ୤ ମୁଁ ମୋ ନିଜକୁ ସଞ୍ଜତ୍‌ ରଖି ପୁଣି ପଚାରିଲି ତାଙ୍କୁ ତୁମେ ତ ନେଇ ଯାଇଥିଲ ସାଥିରେ ସେମାନଙ୍କୁ ସଭାକୁ, ସେମାନେ ଏମିତି ଜଣ ଜଣ କରି ଫେରିଲେ କାହିଁକି? ତୁମେ କହିଁକି ସେମାନଙ୍କୁ ଏକାଠି କରି ଆଣିଲନି ସାଥିରେ୤ ମୋ ପ୍ରଶ୍ନର କିଛି ସଠିକ୍‌ ଉତ୍ତର ମୁଁ ପାଇଲିନି ତାଙ୍କଠାରୁ୤ ମୁଁ ବେଙ୍ଗୁଲି ସ୍ବାମୀକୁ ସାଥିରେ ନେଇ ଗଲି ଥାନାକୁ ଏଫ୍‌ଆଇଆର୍‌ ଦେବାକୁ୤ ଏଫ୍‌ଆଇଆର୍‌ରେ ଲେଖାହେଲା ଯେ ବିଶ୍ବ ମହିଳା ଦିବସ ପାଳନ ପାଇଁ ବରମୁଣ୍ଡା ପଡିଆରେ ସରକାରଙ୍କ ତରଫରୁ ଆୟୋଜିତ ମହିଳାଙ୍କ ସଭାକୁ ଗାଁର ମହିଳା ମାନେ ଆଙ୍ଗନବାଡି ଦିଦିଙ୍କ ସ୍ବାମୀ ଘନ ସାମଲ ଓ ସ୍ଥାନୀୟ ସରପଞ୍ଚ ନିଧି ଭୂୟାଁଙ୍କ ତତ୍ତ୍ବାବଧାନରେ ତାଙ୍କ ଦ୍ବାରା ଯାଗାଡ କରାଯାଇଥିବା ଏକ ବୋଲେରୋ ଗାଡିରେ ଯାଇଥିଲେ୤ କଥା ଥିଲା ସେହି ଗାଡିରେ ସମସ୍ତେ ପୁଣି ଏକାଠି ହୋଇ ଫେରିବେ ୤ କିନ୍ତୁ ଗାଁର ଅନ୍ୟ ସମସ୍ତ ମହିଳା ବୋଲେରୋ ଗାଡିରେ ନଆସି ନିଜେ ନିଜ ବ୍ୟବସ୍ଥାରେ ବସରେ ଗାଁକୁ ଫେରିଲେ କିନ୍ତୁ ବେଙ୍ଗୁଲି ଆଉ ତାର ସାଙ୍ଗ ଗୁରୁବାରୀ ଗାଁକୁ ଫେରି ନାହାନ୍ତି୤ ଥାନା ବାବୁ ବେଙ୍ଗୁଲି ସ୍ବାମୀଠାରୁ ଏଫ୍‌ଆଇଆର୍‌ ରଖିବାକୁ ଅମଙ୍ଗ ହେଲେ, ଉପଦେଶ ମିଳିଲା ଅପେକ୍ଷା କର ସେମାନେ ଆସିଯିବେ, କାହା ସହିତ ସାଙ୍ଗ ହେଇ କୁଆଡେ ପଳେଇଥିବ ବୁଲିବାକୁ, ଫେରିଆସିବନି୤ ଯଦି ରାତିରେ ନଆସେ ତେବେ କାଲି ସକାଳେ ଆସି ଏଫ୍‌ଆଇଆର୍‌ ଦେଇଯିବ ୤


ମୁଁ ଆଶ୍ଚର୍ଯ୍ୟ ହେଲି୤ ସରକାର ଏତେ ସବୁ ସଂସ୍କାର ଆଣୁଛନ୍ତି ପ୍ରଶାସନରେ କିନ୍ତୁ ତଳ ସ୍ତରରେ କଅଣ ଘଟୁଛି ତାର ବୋଧହୁଏ କିଛି ହିସାବ ରଖୁନାହାନ୍ତି୤ ମୋର ଜଣେ ବନ୍ଧୁ ପୋଲିସ ବିଭାଗରେ ଚାକିରୀ କରୁଥିଲେ, ସେ ବି ଅବସର ନେଲେଣି ଅନେକ ଦିନରୁ ୤ ମୁଁ ତାଙ୍କୁ ସାହାଯ୍ୟ ପାଇଁ ନିବେଦନ କଲି୤ ତାଙ୍କ ଉପଦେଶ ମୁତାବକ ମୁଁ ଥାନାରେ ଅପେକ୍ଷା କରି ରହିଲି୤ ପ୍ରାୟ ଅଧଘଣ୍ଟା ପରେ ଥାନା ବାବୁ ଆମକୁ ଡକେଇ ପଠେଇଲେ ଓ ଏଫ୍‌ଆଇଆର୍‌ ରଖିବାକୁ ତାଙ୍କ ସହକର୍ମୀଙ୍କୁ ନିର୍ଦ୍ଦେଶ ଦେଲେ୤ ଥାନା ବାବୁ ବିରକ୍ତି ଭରା କଣ୍ଠରେ ଆମକୁ କହିଲେ ସଭାକୁ ନିଜ ମର୍ଜିରେ ଗଲ, ଆମକୁ ଜଣେଇଥିଲ ଯେ ସଭାରୁ ନଫେରିବାରୁ ଆସିଗଲ ଥାନାକୁ୤ ଅମର କଅଣ ଆଉ କିଛି କାମଧନ୍ଦା ନାହିଁ ଯେ ଏଇ ଛୋଟ ଛୋଟ କଥାରେ ଆମେ ବ୍ୟସ୍ତ ରହିବୁ୤ ବିରକ୍ତିରେ ହେଉ ପଛେ ସେ ଆମ ଏଫ୍‌ଆଇଆର୍‌ ରଖିଲେ କିନ୍ତୁ ତା’ର ନକଲ ଦେବାକୁ ସଫାସଫା ମନା କରିଦେଲେ୤


ମୁଁ ଦେଖିଲି ଥାନାରୁ ଆମକୁ ଜରୁରୀ ସାହାଯ୍ୟ ମିଳିବାର ସମ୍ଭାବନା କ୍ଷୀଣ ୤ ଥାନାରୁ ମୁଁ ସିଧା ବରମୁଣ୍ଡାର ସେ ସଭାସ୍ଥଳକୁ ଗଲି କାଳେ କିଛି ସୁରାକ ମିଳିବ୤ ଗୋଟେ ଚା’ ଦୋକନରେ କିଛି ଲୋକ ଛିଡା ହୋଇ ସଭା ବିଷୟରେ ଆଲୋଚନା କରୁଥାଆନ୍ତି୤ ମୁଁ ସେଠି ଛିଡାହୋଇ ସେମାନଙ୍କର ଆଲୋଚନା ଶୁଣିଲି୤ ଯାହା ଜଣାଗଲା ସଭା ସ୍ଥଳରେ ବହୁତ ଅବ୍ୟବସ୍ଥା ହେଇଥିଲା୤ ସଭାସ୍ଥଳରୁ ଫେରିବା ପାଇଁ କୌଣସି ଶୃଙ୍ଖଳିତ ବ୍ୟବସ୍ଥା ନଥିଲା୤ ମହିଳା ମାନେ ଯିଏ ଯେଉଁ ଗାଡିରେ ଆସିଥିଲେ ତାକୁ ଚିହ୍ନଟକରି ପୁଣି ସେହି ଗାଡିରେ ଫେରିବା ସମ୍ଭବ ହେଇ ନଥିଲା୤ ସେମାନଙ୍କୁ ସାଙ୍ଗରେ ନେଇ ଯାଇଥିବା ବ୍ୟକ୍ତି ସଭାସ୍ଥଳରେ ମହିଳାମାନଙ୍କୁ କୌଣସି ସହୟତା କରିନଥିଲେ୤ ସଭା ଡେରିରେ ଭାଙ୍ଗିବା କାରଣରୁ ଖଇବା ପାଇଁ ଠେଲାପେଲା ଆରମ୍ଭ ହେଇଗଲା୤ ଦଳାଚକଟାରେ ଅନେକ ମହିଳା ଆହତ ହେଲେ ୤ କେତେଜଣଙ୍କୁ ପୋଲିସ୍‌ ସହାୟତାରେ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ୤ କିନ୍ତୁ କିଏ କିଏ ଡାକ୍ତରଖାନା କୁ ଗଲେ ତାର କିଛି ସଠିକ୍‌ ତଥ୍ୟ କାହା ପାଖରେ ନଥିଲା୤ ମୁଁ ବେଙ୍ଗୁଲି ସ୍ବାମୀକୁ ସାଙ୍ଗରେ ଧରି ପାଖ ଆଖ ଡାକ୍ତରଖାନା ସବୁ ବୁଲିଲି୤ ବେଙ୍ଗୁଲି ଓ ତା’ ସାଙ୍ଗର କୌଣସି ସନ୍ଧାନ ଆମେ ପାଇ ପାରିଲୁନି୤ ଆମର ବ୍ୟସ୍ତତା ଦେଖି ଜଣେ ସ୍ବେଚ୍ଛାସେବୀ ଆମକୁ ଘଟଣା ବିଷୟରେ ପଚାରିଲେ୤ ତାଙ୍କଠାରୁ ଆମେ ଜାଣିବାକୁ ପାଇଲୁ କି ଆହତ ଲୋକଙ୍କୁ ପୋଲିସ୍‌ ସବୁବେଳେ ସରକାରୀ ଡାକ୍ତରଖାନାକୁ ହିଁ ନେଇଥାଏ୤ ତେଣୁ ଆମକୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ଯିବାକୁ ହେଲା୤


ସରକାରୀ ଡାକ୍ତରଖାନାରେ ରାତିରେ ମଧ୍ୟ ଭାରି ଭିଡ ଲାଗିଥାଏ୤ କେହି କହି ପାରୁ ନଥାଆନ୍ତି କି ମହିଳା ସଭାରୁ ଆହତ ମହିଳାଙ୍କୁ ପୋଲିସ କେଉଁଠାରେ ରଖେଇଛନ୍ତି୤ କେଉଁ ଡାକ୍ତର ଚିକିତ୍ସା କରୁଛନ୍ତି ଇତ୍ୟାଦି୤ ଆମେ ବୁଲୁ ବୁଲୁ ଦେଖିଲୁ ଆଶୁ ଚିକିତ୍ସା କେନ୍ଦ୍ର ପାଖରେ ଗୋଟେ କୋଣରେ ଆଠ ଦଶ ଜଣ ମହିଳା କଷ୍ଟରେ ଛଟପଟ ହେଉଛନ୍ତି୤ ସେଠାରେ କେହି ନଥାଆନ୍ତି ତାଙ୍କୁ ସାହାଯ୍ୟ କରିବାକୁ୤ ବୁଝୁ ବୁଝୁ ଜଣା ପଡିଲା କି ସେହି ମହିଳା ମାନେ ବରମୁଣ୍ଡା ମହିଳା ସମ୍ମିଳନୀରେ ହେଇଥିବା ଦଳା ଚକଟାରେ ଆହତ ହେଇ ଡାକ୍ତରଖାନା କୁ ଆସିଛନ୍ତି୤ କିଏ ସେମାନଙ୍କୁ ପଡିଆରୁ ଡାକ୍ତରଖାନାକୁ ଆଣିଲା, କିଏ ତାଙ୍କର ଉପଚାର କରୁଛି ଇତ୍ୟାଦି ପ୍ରଶ୍ନର ଉତ୍ତର ସେହି ମୁହୂର୍ତ୍ତରେ କାହା ପାଖରେ ନଥିଲା୤ ଏହି ସମୟରେ ଦେଖିଲି ଯେ ସେହି ଆହତ ସ୍ତ୍ରୀ ମନଙ୍କ ମଧ୍ୟରୁ ଜଣେ ବହୁତ କ୍ଷୀଣ ସ୍ବରରେ ଆମକୁ ହାତ ହଲେଇ ଡାକୁଛି୤ ବେଙ୍ଗୁଲିର ସ୍ବାମୀ ତକୁ ଗୁରୁବାରୀ ବୋଲି ଚିହ୍ନଟ କଲା ପରେ ଆମେ ତତ୍‌କ୍ଷଣାତ୍‌ ତା ପାଖକୁ ଗଲୁ୤ ଯାହା ଦେଖିଲୁ ଦେହ ସହିଲାନି ୤ ଉପସ୍ଥିତ କିଛି ଦଲାଲ, ଯିଏ ନିଜନିଜକୁ ସ୍ବେଚ୍ଛାସେବୀ ବୋଲି ପରିଚୟ ଦିଅନ୍ତି, ଙ୍କ ଜରିଆରେ ଗୁରୁବାରୀ କୁ ଆଶୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିବାକୁ ଉଦ୍ୟମ ଆରମ୍ଭ କଲୁ୤ ଗୁରୁବାରୀ କିନ୍ତୁ ଏକା ଯାଉ ନଥାଏ କି କିଛି କହିପାରୁ ନଥାଏ୤ ଖାଲି ହାତ ଠାରି କିଛି ଦେଖେଇବାକୁ ଚେଷ୍ଟା କରୁଥାଏ୤ ସେ ଠାରୁଥିବା ଦିଗରେ ଅଳ୍ପ କିଛି ଦୂରରେ ଦେଖିଲୁ ଜଣେ କେହି ମହିଳା ଶୋଇରହିଛି୤ ମହିଳା ଜଣକ ଖୁବ୍‌ ଦୁର୍ବଳ, ରକ୍ତ ଜୁଡୁବୁଡୁ ଶରୀର, ପ୍ରାୟତଃ ଚେତାଶୂନ୍ୟ୤ ବେଙ୍ଗୁଲିର ସ୍ବାମୀ ସେହି ମହିଳାକୁ ବେଙ୍ଗୁଲି ବୋଲି ଚିହ୍ନଟ କଲା୤ ତାକୁ ମଧ୍ୟ ଗୁରୁବାରୀ ସହିତ ଆଶୁଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଗଲା୤


ବିଡମ୍ବନା ଯେ ଆଶୁଚିକିତ୍ସା କେନ୍ଦ୍ରରେ ସେତେବେଳେ ଡାକ୍ତର ନଥାଆନ୍ତି୤ ଯିଏ ଡାକ୍ତର ବାବୁ ଆସିବା କଥା ସେହି ସମୟରେ କେନ୍ଦ୍ରକୁ ସେ କୁଆଡେ ବାହାରେ କୌଣସି ବେସରକାରୀ ଡାକ୍ତରଖାନାରେ ଏକ ଜରୁରୀକାଳୀନ ଅସ୍ତ୍ରୋପଚାରରେ ବ୍ୟସ୍ତ ରହିଥିଲେ୤ ତେଣୁ ଏହି ଆହତ ମହିଳାମାନେ ଦିନ ତିନିଟା ପାଖରୁ ଡାକ୍ତରଖାନାର ସେହି ପରିତ୍ୟକ୍ତ ଅଂଶରେ ପଡି ରହିଥିଲେ ବି କାହାର ନଜର ସେମାନଙ୍କ ଉପରେ ପଡୁନଥିଲା୤ ଯାହା ହେଉ ବିଳମ୍ବରେ ହେଲେବି ଜଣେ ସଦ୍ୟ ଡାକ୍ତରୀ ପାସ କରିଥିବା ଛାତ୍ର ଯିଏ ସେଠାରେ ହାଉଅସ୍‌ମ୍ୟାନସିପ୍‌ କରୁଥିଲେ, ଖୁବ୍‌ ତତ୍ପରତାର ସହିତ ବେଙ୍ଗୁଲି ଓ ଗୁରୁବାରି ସମେତ ସମସ୍ତ ଆହାତ ମହିଳାଙ୍କର ଚିକିତ୍ସା ଆରମ୍ଭ କରିଦେଲେ୤ ଆମେ ଏହି ଖବର ଗାଁ କୁ ଜଣେଇଦେଲୁ ୤ ସମସ୍ତେ ଗ୍ରାମରେ ଆଶ୍ବସ୍ତ ହେଲେ୤

 

ଘରକୁ ଫେରିବା ସମୟରେ ମୋ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା୤ ଆଜିର ପରିସ୍ଥିତି ମୋତେ ବାଧ୍ୟ କରିଥିଲା ଭାବିବାକୁ କି ସତରେ କଅଣ ଏହି ଆୟୋଜନରେ ସଭାକୁ ଆସିଥିବା ମହିଳାମାନେ କିଛି ଉପକୃତ ହେଇପାରିଲେ? ସେମାନଙ୍କ ଭିତରେ ହୁଏତ କେହି ବି ଜାଣି ନଥିଲେ କାହିଁକି ସେମାନେ ବରମୁଣ୍ଡା ପଡିଆକୁ ଯାଉଛନ୍ତି୤ ତେବେ ସରକାରୀ ଖର୍ଚ୍ଚରେ ଏତେ ପ୍ରହଶନ କାହିଁକି? ବେଙ୍ଗୁଲି ଏହି ସଭାରୁ କି ଭଳି ଲାଭବାନ ହେଇପାରିଲା୤ ପ୍ରତିଶୃତି ମୁତାବକ ପଚାଶ ଟଙ୍କା ମଧ୍ୟ ପାଇନଥିଲା୤ ଖାଇବା ଯାଗାରେ ଠେଲାପେଲା ଯୋଗୁଁ ଆହତ ହୋଇ ବରଂ ଡାକ୍ତରଖାନାରେ ଭର୍ତ୍ତି ହେଲା୤ ସାଙ୍ଗରେ ନେଇଥିବା ଲୋକ ସଭା ଅଧାରୁ ସେମାନଙ୍କୁ ଛାଡିଦେଇ ଉଭେଇଗଲା୤ ଆୟୋଜକ ଏସବୁ ଚାହିଁଥିଲେ ହୁଏତ କିଛିଟା ନିଶ୍ଚୟ ଶୃଙ୍ଖଳିତ କରି ପାରିଥାଆନ୍ତେ, କିନ୍ତୁ ସମସ୍ତେ କଡଖସା ଦେଇ ରହିଗଲେ୤ ଦାୟୀତ୍ବ ନିର୍ବାହ କରିବାର ସଦିଚ୍ଛାର ଘୋର ଅଭବ ଯୋଗୁଁହିଁ ବେଙ୍ଗୁଲି ସହିତ ଅନ୍ୟ ମହିଳାମାନେ ଆହତ ହେଲେ ଓ ଆହତ ହେବା ପରେ ଠିକ୍‌ ସମୟରେ ମଧ୍ୟ ଚିକିତ୍ସିତ ହେଇ ପାରିଲେ ନାହିଁ୤ ଏହି ବିଷୟ ସରକାରୀ ସ୍ତରରେ ଯେ ଆଲୋଚନା ହେଇ ନଥିବ ତା ନୁହେଁ କିନ୍ତୁ ପ୍ରତିଶେଧକ ପଦକ୍ଷେପ କଅଣ ଅଉ ଏହି ସଭା ପାଇଁ ନେଇ ହେଲା୤ ଆସନ୍ତା ଥରକୁ ଏହି ସଭାରେ ଘଟିଯାଇଥିବା ଅଘଟଣ କହାର ଆଉ ମନେ ଥିବ କି ନାହିଁ ସନ୍ଦେହ୤ ଯାହାହେଉ ଭଡା ଅଟୋଟି ଆସି ଗାଁରେ ଲାଗିଲା ବେଙ୍ଗୁଲି ଓ ଗୁରୁବାରୀ ଧରାଧରି ହେଇ ଅଟୋରୁ ଓହ୍ଲାଇ ଘର ଆଡେ ମୁହାଁଇଲେ୤ ଗାଁ ମହିଳାମାନେ ପାଟି କରି ବେଙ୍ଗୁଲି କୁ ପଚାରୁଥିଲେ --- ଆଲୋ ଦିନସାରାତ ସଶକ୍ତ ହେଲୁ ପୁଣି ଢଳି ଢଳି ଚାଲୁଛୁ କାହିଁକି?



Rate this content
Log in

Similar oriya story from Inspirational