Panchanan Jena

Tragedy

3  

Panchanan Jena

Tragedy

ସ୍ଵର୍ଗୀୟ ଶିହରଣ

ସ୍ଵର୍ଗୀୟ ଶିହରଣ

10 mins
135



ପଞ୍ଚୁକ ପାଞ୍ଚଦିନ ଭଳି ପବିତ୍ର ଦିନ ପୂରା ବର୍ଷରେ କାହିଁ ନଜର ଆସେନା ? ଓଡ଼ିଶାର ପ୍ରତ୍ୟେକ ଗାଁ ଗାଁ ସାହି ସାହି ମଠ ମନ୍ଦିର , ବୃନ୍ଦାବତୀ ମା' ଙ୍କ ଆଗରେ ସବୁଆଡ଼େ କୂଳ ଭୂଆସୁଣୀମାନଙ୍କ ମେଳା ଲାଗିଥାଏ କାଳି ଅନ୍ଧାର ପ୍ରହରୁ । ପ୍ରାତଃ ସ୍ନାନ ସାରି ଓଦା ଲୁଗାରେ ପୋଖରୀ ତୁଠରୁ ଶଙ୍ଖ ହୁଳୁହୁଳିରେ ଗାଁ ଦାଣ୍ଡ ଦୁଲୁକେଇ ଦିଅନ୍ତି ବିଧବା-ସଧବା ମା'-ଭଉଣୀ ମାନେ ।  


କିନ୍ତୁ ବିଡ଼ମୂନାର ବିଷୟ, ଘୋର ମନସ୍ତାପର ମନକଷ୍ଟର କଥା ଏହି କି ଯେ ଜେନା ଘରର ବଡ଼ ବୋହୁ ଆସନ୍ନ ପ୍ରସବା ସୁପର୍ଣ୍ଣ।ର ମନରେ ସରସତା ଥିବାର ନଜର ଆସୁ ନଥାଏ ପବିତ୍ର ପଞ୍ଚୁକ ପର୍ବର ସକାଳ ସଞ୍ଜ ବ୍ରତ ଉପବାସ ପରି ଗହଳ ଚହଳ ଭିତରେ । କଥା କିଛି ବୁଝା ପଡ଼ୁନଥାଏ । ବଡ଼ ଘର ବଡ ଗୁମର କଥା । ଚାକିରିଆ ଘର । ଉଚ୍ଚ ପାଚେରି ଘେରା ତିନି ତାଲା କୋଠା ଘର । ସବୁ ବେଳେ ଲୁହା ଗେଟ୍ ବନ୍ଦ । କବାଟ ଝରକା ଆଭଜା । ହଇ ହୋ ଭାଇମାନେ ! ସେମିତି କିଛି ନାହିଁ ରେ । ଚୁପ୍ ରହିବ । ବୁଝିଗଲ ବୋଧେ ।


ବୋହୁ ସୁପର୍ଣ୍ଣା ମନ କଷ୍ଟରେ ତୁଳସୀ ଚଉରା ମୂଳରେ ଝୋଟି ମୁରୁଜ ଆଙ୍କି ଚାଲିଛି । ଅଣ୍ଟା ସଳଖି ଘଡିଏ ଠିଆ ହେଉଛି । ହାଇଁ ପାଇଁ ଖର ଖରିଆ ନିଃଶ୍ୱାସ ଦୁଇ ନାକ ପୁଡାରେ ଧକ ଧକ ହୋଇ ଯିବା ଆସିବା କରି ଛନକା ଛାତିରେ ଦମ୍ଭ ଦେବାକୁ ଚେଷ୍ଟା କରୁଛନ୍ତି ବୋଧେ । 


ପୁଣି ନଇଁବାକୁ ପଡିବ ବୋହୁ ସୁପର୍ଣ୍ରାକୁ। ଇଚ୍ଛା ନାହିଁ ଜମାରୁ ନଇଁକି କାମ କରିବାକୁ । ଡାକ୍ତର ବାବୁ ବାରମ୍ଵାର ତାଗିଦ୍ କରି କହିଥିଲେ ଆମର ମାଲିକଙ୍କୁ । ତାଙ୍କ ନାଁ ତୁଣ୍ଡରେ ଧରିବା ପାପ ବୋଲି ଜେଜେମା କୁହେ । ମା' ତୋ ସବୁ ଦିନ ଏ କଥା ମନେ ପକେଇବାକୁ ଭୁଲେନା ଫୋନରେ କଥା ହେଲେ । ମମତା ମାଉସୀ ଗତ କାଲି ସଂଜ ବୁଡୁ ବୁଡୁ ଆସିଥିଲେ । ଠିଆ ଠିଆ ମୋତେ ଟିକେ ଦେଖାକରି , ଗେଲ କରି କାନରେ ଚୁପ୍ ଚୁପ୍ ଫୁସ୍ ଫୁସ୍ ସ୍ୱରରେ କହିଲେ -- ପେଟ ବହୁତ ବଡ଼ ଲାଗୁଛିରେ ଝିଅ ସୁନା । ଲାଗୁଛି ପୁଅ ଟେ ହବ । ଶୁଭ ସୂଚନା ଲାଭ ସୂଚକାଙ୍କ । ଠାକୁରେ କରନ୍ତୁ, ମୋ ଝିଅଟିର କୋଳ ମଣ୍ଡନ କରୁ ଆଣ୍ଠୁଆ ଗୋପାଳ ।" 


ପୁଅ ଟେ ହେବ ଭାବନା ମନ ଇଲାକାରେ ପଶୁ ପଶୁ କେମିତିକା ମାଦକହୀନ ଭାବାନ୍ତର ବୋହୁ ସୁପର୍ଣ୍ଣାର ମୁଖମଣ୍ଡଳକୁଙ୍କୁ ତଡିତ୍ ବେଗରେ ଆଚ୍ଛାଦିତ କରି ପକେଇଲା ।


ଶାଶୁ ଶଶୁରଙ୍କୁ ଗୁଲ୍ ଗୁଲିଆ ନାତି ଟୋକାଟେ ଦରକାର ବଂଶ ବିସ୍ତାର ପାଇଁ , ସ୍ୱାମୀଙ୍କୁ ପୁଅଟିଏ ଦରକାର ରୋଜଗାରରେ ହାତ ବଢେଇବା ପାଇଁ , ଦେଉର ପ୍ରଦରଙ୍କୁ ଗେଲ କରିବାକୁ ପୁତୁରା ରତ୍ନଟେ ଦରକାର , ଦେଖେଇ ନଣନ୍ଦଙ୍କୁ ଗୋଟେ କଣ୍ଢେଇ ଦରକାର ଯାହା ସହିତ ସେ ଖେଳି ପାରିବ ଓ କାଖେଇ କୋଳେଇ ସାହିର ଏ ମୁଣ୍ଡରୁ ସେ ମୁଣ୍ଡ , ଏ ଘରୁ ସେ ଘର ଖାଲି ବୁଲି ବୁଲି ଚୁଗୁଲି ଦେଣ ନେଣ କରିବ ଗୁଗୁଲ୍ ଗୁରୁଙ୍କ ଠାରୁ ଆହୁରି ଦୁତତମ ବେଗରେ ।


 ସମସ୍ତେ ଜାଣନ୍ତି , ଘର ବାହାର ,ସାହି , ଙ୍କାତି କୁଟୁମ୍ବ, ବଂଧୁ ଅଭ୍ୟାଗତ , ଦୈତାରୀ ଜେନାଙ୍କ ବଡ଼ ବୋହୁ ବିଶ୍ଵାଳ ଝିଅ ପେଟରେ ହେଇଛି । ପ୍ରଥମ ପୁଆତି । ପୁଣି ହାଟ ବଜାରରେ ବି ଆଲୋଚନା ହେଉଛି କି ବୋହୁ ସୁପର୍ଣ୍ଣା ଆଠ ମାସର ଗର୍ଭବତୀ । କିନ୍ତୁ କେହି ଜଣେ ବି ନାହିଁ ପଚାରିବାକୁ କି ସୁପର୍ଣ୍ଣାର ଦେହ ପା' କେମିତି ଅଛି ? ତା'ର ରାତି-ଦିନ କେମିତି କଟୁଛି ? ତା ମନରେ କେଉଁ ଭାବନା ଅଛି ସମ୍ଭାବିତ ଛୁଆକୁ ନେଇ , ଭୃଣରେ ବଢୁଥିବା ପିଲାକୁ ନେଇ । ଧନ୍ୟ ଏ ପରିବାର । ଧନ୍ୟ ଏ ପରିବାର । ଧନ୍ୟ ଏ ପରିବାରର ଲୋକେ । ଯିଏ ଜନ୍ମଦାତ୍ରୀ ହେବାକୁ ଯାଉଛି , ତାର ଭାବନା ସହିତ ମସ୍ତବଡ଼ ଖେଳ ଖେଳୁଛନ୍ତି ସମସ୍ତେ , ଅଥଚ ସମସ୍ତଙ୍କ ହସ ହସ ମୁଖମଣ୍ଡଳର ମୁଖସୁଧିର କାରଣ ସେହି ସୁପର୍ଣ୍ଣା ।


ପୁରୁଷ ଲୋକ କଥା ଛାଡ଼ ! ହଳ ହଳ ମାଇପେ ଘରକୁ ଆସୁଛନ୍ତି ଯାଉଛନ୍ତି । ଶାଶୁଙ୍କ ଦଳର । ଶାଶୁଙ୍କ ବୁଦ୍ଧେଶ୍ଵରୀ ସ୍ୱୟଂ ସହାୟକ ଗୋଷ୍ଠୀର ନାରୀ ନେତ୍ରୀମାନେ । ମହିଳା ମଣ୍ଡଳର ସଦସ୍ୟା ମାନେ । ସେମାନଙ୍କର ଯଉଁ ଛଞ୍ଚାଶ ମୁନିଆ ଦୃଷ୍ଟି ଓ ପାନ ଖିଆ ପାଟି । ବାପରେ ବାପ । ଦଣ୍ଡକିରି ମାଛ ପରି ଚର୍ ଫର୍ ଖାଲି ଚବର ଚବର । ବଡ଼ ବଡ଼ ପାଟିରେ ଚିତ୍କାର କରି ଖଣ୍ଡ ମଣ୍ଡଳକୁ ଜଣେଇ ଦେବାକୁ ଚାହାନ୍ତି କି ସେମାନେ ମିଟିଙ୍ଗ କରୁଛନ୍ତି । 

" ସବୁ ଚକ୍ ଚିକ୍ ପଦାର୍ଥ ସୁନା ନୁହଁ ।" ହାଇସ୍କୁଲରେ ପଢ଼ିଥିବା ଓଡ଼ିଆ ଢଗ ମନେ ପଡିଯିବାରୁ ସୁପର୍ଣ୍ଣା ମନେ ମନେ କୁରୁଳି ଉଠୁଥିଲା ।


 ମା' ଲୋ ମଲି , ବେଳ କାଳ ଦେଖି ବଜାରୀ ହେଲି । ବୋହୁ ସୁପର୍ଣ୍ଣା ଉପରେ ଚିଲ ନଜର ପକେଇ ନିଜ ନିଜ ଭିତରେ ମୁଚୁକି ହସ ମାରି ଆଖି ଇଶାରାରେ ମୋ' ବିଷୟରେ ଖିଲିଖିଲି ଗପୁଛନ୍ତି । ମୋ ମନ କଥା ପଢ଼ି ପକେଇଲେ କି ? କି ଛୋପରି ଛଡର ଖାଇ ମାନେ । ଭଡୁଥିବା ଚଢ଼େଇର ପର ଗଣିଦେବେ ପରା । ନିଜକୁ ମୁରୁଜ କାମରେ ନିମଗ୍ନ କରିଦେବାର ଛଳନା କରି ବୋହୁ ସୁପର୍ଣ୍ଣା କଣେଇ କଣେଇ ଏଇ ମହିୟସୀ ମହିଳା ମାନଙ୍କ ଉପରେ ଦୀର୍ଘ ଭାଷଣ ଦେବାର ଅବସର ମିଳିଗଲେ ଘଣ୍ଚେ ଦିଘଣ୍ଟାର ଅନର୍ଗଳ ଗପି ପାରନ୍ତା । ମାଇକ୍ ମିଳିଗଲେ ଆଉ କିଛି ମିନିଟ୍ ବଢିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।


ନାରୀ ସୁଲଭ ଗୁଣରେ ଏତେ ଗୌଣ ଥାଇ ପାରନ୍ତି ଗାଁର ରମଣୀ ମାନେ , ବୋହୁ ସୁପର୍ଣ୍ଣା ଭାବି ପାରୁନଥିଲା । ଖାଲି ନିଜ ଘରର ଚୁଗୁଲି କହିବାକୁ ଆସନ୍ତି ବୋଧେ । 


 କିନ୍ତୁ ବୋହୁ ସୁପର୍ଣ୍ଣା ମନେ ମନେ ଆଶା କରୁଥିଲେ କି , ମୋତେ କେହି ଜଣେ ହେଲେ ଭଲା ପଚାରନ୍ତା କି ? ମୁରୁକେଇ ଆଉଁସି ଦିଅନ୍ତା କି ମୋ' ବୋଉ ପରି ! ସରାଗରେ ମୋ ପଣତ କାନିକୁ ମୁଣ୍ଡରେ ସଜାତି ରଖୁ ରଖୁ ଦୁଇ ତିନି ପଦ ଦୁଃଖ ସୁଖ ହେଇ ଯାଆନ୍ତା କି ? ସ୍ନେହରେ ମୋ ହାତକୁ ମୁଠେଇ ଧରନ୍ତା କି ? ମୋତେ ଯୋରରେ ଜାବୋଡି ଧରନ୍ତା ଓ ବର୍ଦ୍ଧିତ ପେଟ ଚାପି ଯିବାର ମିଛି ମିଛିକା ଅଭିନୟ କରୁ କରୁ ଜିଭ କାମୁଡି ପକେଇ ନାଟକୀୟତା କରନ୍ତା କି ? ସେ ସବୁ ଆକାଶ କଇଁଆ ଚିଲିକା ମାଛ ଆଜିକାଲି ।


ସୁପୂର୍ଣ୍ଣ।ର ସୁନେଲି ସ୍ବପ୍ନ ସବୁ ମିଳେଇ ଯାଏ ଉଭେଇ ଯାଏ ଦିନକୁ ଦିନ। ବିବାହ ପରେ ପରେ ମନରେ ଆଙ୍କିଥିବା କଳ୍ପନାର ଇନ୍ଦ୍ରଧନୁ କୁଆଡ଼େ କଳାହାଣ୍ଡିଆ ବାଦଲର ଉହାଡରେ ଝାପସା ଝାପସା ଦିଶେ । 


" ଆଜିକାଲି କେତେ ଡ଼େରିରେ ଉଠୁଛୁ କିରେ ବିଶ୍ଵାଳ ଝିଅ ? ତୁ ବର୍ତ୍ତମାନ ଆମ ଘରର ବୋହୁ ? ଜେନା ଘରର ବଡ଼ ବୋହୁ । ଯେମିତି ଏ ସବୁ ମନେ ରହେ । ଝିଅ ସୁଆଗ ସୁଆଙ୍ଗ ସବୁ ଛାଡ଼ ? ଠିକ୍ ସମୟରେ ମୋତେ ବେଡ଼ ଟି ମିଳି ପାରୁନି -- ଶାଶୁ ତୀର୍ଯ୍ୟକ ମୁଦ୍ରାରେ ଶବ୍ଦରେଦି ବାକ୍ୟ ବାଣ ପ୍ରହାର କରନ୍ତି ସକାଳୁ ସକାଳୁ ।

" ଆରେ ଶୁଣୁଛ ଆଶା । ତୁମ ସୁନା ନାକୀ ବୋହୁ କୁ କ'ଣ ହେଲାକି ଆଜି କାଲି । ମୋ ଉପରେ ଟିକିଏ ବି ଧ୍ୟାନ ଦେଉନାହାନ୍ତି ତୁମ ଗେହ୍ଲେଇ ମଲେଇ ବିଲେଇ ବୋହୁ ସାଆନ୍ତାଣୀ । ସମୟ ରେ ଚା, ଖବରକାଗଜ , ଜଳଖିଆ ବି ମିଳୁନି କେଇଦିନ ହେଲା । --- ଶ୍ଵଶୁର ସେବାନିବୃତ ହେଲେ ବି କିମ୍ଭୁତ କିମ୍ବାକାର ତର୍କ ମୂଳକ ତାର୍କିକ ଶ୍ରୁତିକଟୁ ଆକ୍ଷେପ ସବୁ ଧୀର ମଧୁର ଭାବରେ କଲୁଥିଲେ କିନ୍ତୁ ଲାଗୁଥିଲା ଗୋଳାବାରୁଦ କାରଖାନାରୁ କ୍ଷେପିତ କ୍ଷେପଣାସ୍ତ୍ର ସବୁ ଲକ୍ଷ୍ୟଭେଦ କରି ପାରି ଯାଉଛନ୍ତି ।

" ନାଟକ ବନ୍ଦ କର । ଦେଖୁଛି ପେଟ ଫୁଲିବା ଦିନରୁ ତୁମର ମଧୁର ବାହାନାର ଇସ୍ତାହାର ରାଜନୈତିକ ଦଳର ରଙ୍ଗ ବେରଙ୍ଗ ମସଲା ଦିଆ ନିର୍ବାଚନୀ ଇସ୍ତାହାରକୁ ପଛରେ ପକେଇ ଦେବ । ଯାହା କହୁଛ , ବରାଦ କରୁଛ, ମ୍ୟାସେଜ୍‌ ଦେଉଛ , ସବୁ ଫଳ ମୂଳ ପନି ପରିବା ତୁମ ମନ ପସନ୍ଦର ଆଣି ଆସୁଛି , କିନ୍ତୁ କିଛି ଲାଭ ନାହିଁ । ଖାଲି ପଚୁଛି ସଢୁଛି ଗଡୁଛି । ତୁମେ ତୁମର କହିଦେଇ ବିନ୍ଦାସ୍‌ । ଖାଇବା ଆଉ ପିଇବାରେ ଧ୍ୟାନ ନ ଦେଇ ଶୋଇ ରହୁଛ , ମୋବାଇଲରେ ବ୍ୟସ୍ତ ରହୁଛ । ମୋ" କଥା ତ ଛାଡ଼ । ପେଟରେ ବଢୁଥିବା ଆମର ଆଗାମୀ ଭବିଷ୍ୟତ କଥା ମୁଣ୍ଡରେ ପଶୁ । ହେ ଭଗବାନ ! ସଦବୁଦ୍ଧି ପ୍ରଦାନ କର ହେ ମହାବାହୁ ।-- ସ୍ୱାମୀଙ୍କର ଘରକୁ ପଶୁ ପଶୁ ନିତ୍ୟ ନୈମିତ୍ତିକ ଉପଦେଶ।ତ୍ମକ ପ୍ରବଚନ ଶୁଣି ଶୁଣି ବିକାରଗସ୍ତ ମାନସିକ ରୋଗୀ ପରି ସୁପର୍ଣ୍ଣାଙ୍କୁ ଲାଗେ ।

" ଭାଉଜ ନମସ୍କାର ! ମୋ ପାଇଁ ସମୟ କାହିଁ ନାହିଁ ? ମୋ କଥା କିଏ ବୁଝୁଛି । ଅନାଥ ଥରକ୍ଷିତ ହେଇଗଲେ ଆମେ । ଜାମା ପ୍ୟାଣ୍ଟ ସବୁ ସମୟରେ ଧୋଇ ଧାଇ ଆଇରନ କରି ଟାଙ୍ଗୁ ଥିବାର ମିଳୁନି ଆଜି କାଲି । ଦିଅର ବାବୁ ଖାଲି ଛୁଞ୍ଚି ଫୋଡ଼ା କଥା କହି କହି ଦେହରେ ଟେପମ୍ପରଚର ବଢ଼େଇ ଦିଅନ୍ତି ।

" ଶୁଣୁଛ ଭାଉଜ ! ତୁମେ କମାଲ ଧମାଲ ବୋବାଲ କରୁଛ । ତୁମ ବୁଦ୍ଧିକୁ ସଲାମ , ଶତ ଶତ ବାର ବନ୍ଦେଗୀ ଜନାବ୍ । ପ୍ରଥମ ଥର ପାଇଁ ତୁମେ ମା' ହେବାକୁ ଯାଉଛ , ସେହି ବାହାନାରେ ତୁମେ ଯେତେ ପାରୁଛ ଲାଇଫ ଲାଇନ ନେଇ ଗଲେ ବି ତୁମର ସାତ ଖୁନ୍‌ ବି ମାଫ । ମାନିବାକୁ ପଡିବ ସୁପର୍ଣ୍ଣା ଡ଼ାଚର୍ଲିଙ୍ଗ । --- ନାକ କାନ୍ଦୁରୀ ତନୁପାତଳୀ କନକଗୋରୀ ମଡି ନଣନ୍ଦ କଲେଜରୁ ଆସୁ ଆସୁ ଯେମିତି ଫିଲ୍ମୀ ଷ୍ଟାଇଲରେ ଅନର୍ଗଳ ସଂଳାପ ସବୁ ଫୋପାଡି ଚାଲୁଥିବେ , ବାଧାଦେବା ଅର୍ଥ ଚଳନ୍ତା ରେଳଗାଡିକୁ ଚେନ୍‌ ଟାଣି ଅଟକେଇବା -- ଘର୍ଘର ନାଦ ସହିତ ଘଟଣା ଦୁର୍ଘଟଣା ଆଉ ଶେଷରେ ମାର୍ଜାର କଳହ ନାକ କାନ୍ଦଣା କବାଟ କିଳାର ଧଡାମ ଧୁଡୁମ୍ ର ନାଟ୍ୟ ବିନୋଦନ ଗାଳି ବର୍ଷଣ ଅକାଳେ ସକାଳେ ସର୍ବକାଳେ ଅଣଚାଷ ପବନ ।


ସପ୍ତଫେଣୀ କଣ୍ଟା ଫୋଡିଗଲେ ଯେମିତି ଯନ୍ତ୍ରଣା ହୁଏ , ଆସନ୍ନ ପ୍ରସବା ସୁପାର୍ଣ୍ଣାକୁ ସେମିତି ଲାଗୁଥିଲା । ସାକୁଲେଇ ବାକୁଲେଇ ଦେଖେଇ ଦେଖେଇ ଚିଗୁଲେଇ କଆଁଳେଇ ଯେମିତି କଥା ସବୁ ଶୁଣେଇ ଶୁଣେଇ ଗଞ୍ଜଣା ଦେଉଥିଲେ , ମାନେ ହେଉଥିଲା ପାଖ ରାମେଶ୍ଵର ମଉସାଙ୍କ କ୍ଲ୍କିନି କ୍କୁ ଯାଇ ଏବରସନ୍ କରି ଦିଅନ୍ତା ଚୁପ୍ ଚାପ । ଯେଉଁ ପୁଅ ହେବ , ନାତି ହେବ , କଣ୍ଢେଇ ହେବ , ଚାନ୍ଦ ହେବ ନୂଆ ସଦସ୍ୟ ସବୁର ପରିସମାପ୍ତି ଘଟନ୍ତା । ଦା ଏଣ୍ଡ କରି ଦିଅନ୍ତା । ନାଁ ରହିବ ବାଉଁଶ ନା ବାଜିବ ବଇଁଶୀ । ଏ ସବୁ କାଳ୍ପନିକ କପୋଳକଳ୍ପିତ ଦୈନିକ ମୂଖ୍ୟ ସମାଚାର ହେଡ ଲାଇନ୍ ଶୁଣିବାରୁ ବଞ୍ଝି ଯାଆନ୍ତା ସୁପର୍ଣ୍ଣା ।


ମନକୁ ପୁଣି ଭାବନା ଆସିଲା , ମୁଁ କାହିଁକି ଏମାନଙ୍କର କଟୁକ୍ତି ତିକ୍ତ ମିଶ୍ରିତ କଥା ବାର୍ତ୍ତା ପାଇଁ ମୋର ସ୍ୱର୍ଗୀୟ ମାତୃତ୍ଵର ଉପହାରକୁ ଜଳାଞ୍ଜଳୀ ଦେବି । ମୋ ପେଟରେ ଚନ୍ଦ୍ରକଳା ପରି ବତୁଥିବା ଡିମ୍ଵାଣୁକୁ ଏଇ ମାନଙ୍କ ପରି ଇତର ପ୍ରାଣୀଙ୍କ ପରି ବ୍ୟବହାର ଦେଖାଉଥିବା ଲୋକମାନଙ୍କର ଚଟୁଳ ମଟୁଳ ବାକ୍ୟ ବିନୋଦନରେ ର୍ମୁ ମୋର ମତିଭ୍ରମ କାହିଁକି କରିବି । ମୁଁ ପରା ସୁଶିକ୍ଷିତା ବିଦୂଷୀ ନାରୀ ବଂଶର ଜନ୍ମ ଯାତକ । ଛୋଟ ମୋଟ କଥା ବାକ୍ୟରେ ମୋର ସ୍ଥିତପ୍ରଞ ଧିମତ୍ତା କୁ କାହିଁକି କକ୍ଷ୍ୟଚ୍ୟୁତ ଲକ୍ଷ୍ୟଚୁତ୍ୟ କରିବି । ବୁଦ୍ଧି ବିବେକ ଲଗେଇ ଚାଲିବି | ମନ ସରସ କରି ମା' ବୃନ୍ଦାବତୀଙ୍କ ଚରଣ କମଳରେ ମନ ଧ୍ୟାନ ଚଇତନ ଲଗେଇବି ।


ନିଜ ମନରେ ଏମିତି ଦୃଷ୍ଟ ଭାବନା ଆସୁଥିବାରୁ ନିଜକୁ ଧିକ୍କାରୀବାକୁ ଲାଗିଲେ ବୋହୁ ସୁପର୍ଣ୍ଣା । ଏମିତି କିମ୍ବୁତ କିମ୍ବାକାର ଭାବନା ମନକୁ କାହିଁକି ଆସୁଛି ବୋଲି ଅନୁଶୋଚନାର ଦାବାନଳରେ ପେଶି ହୋଇଗଲେ । ଆଖି କୋଣ ଡେଉଁ ଧାର ଧାର ଅନୁତାପରେ ବିଗଳିକ ଅଶ୍ରୁ ନିର୍ଗତ ହେବାକୁ ଆରମ୍ଭ କଲା ଯେମିତି ହିମବାହରୁ ନୂଆ ନୂଆ ସ୍ରୋତ ବା ସ୍ରୋତସ୍ୱିନୀର ପ୍ରାରମ୍ଭିତ ଅଧ୍ୟାୟ ।


ପୁଣି ଭାବାନ୍ତର । ପର ପଡେIଶି କଥା ଛାଡ଼ । ନିଜ ଘର ପରିବାରର ଶାଶୁ-ଶ୍ଵଶୁର , ଦିଅର-ନଶନ୍ଦ କାନ୍ଥକୁ ଶୁଣେଇ ଶୁଣେଇ ଏମିତି କଣ୍ଟାଫୋଡ଼ା କଥା ସବୁ କହନ୍ତି ଯେ , ବହୁତ ଖରାପ ଲାଗେ । ଯାହାଙ୍କ ପାଇଁ ଦିନ ନାହିଁ କି ରାତି ନାହିଁ , ଦୀର୍ଘ ଦୁଇ ବରସ ହେଲା ଚାକରାଣୀ ପରି ସେବା କରି ଚାଲିଛି , ନିଜ ଇଚ୍ଛା ଅଭିଳାଷକୁ ତିଳ ତିଳ ତ୍ୟାଗ ବଳିଦାନର ଯଜ୍ଞକୁଣ୍ଡରେ ଆହୁତି ଦେଇ ଚାଲିଛି , କିଛି ଫରକ ଦିଶୁନି କିପରି । ସେମାନେ ହଁ ମୋ ଉପରେ ଅତ୍ୟାଚାର କରି ଚାଲିଥିବେ ଅଥଚ ମୁଁ ନିରିହ ସାଦୁଆ ବଉଳା ଗାଇପରି ସହି ଚାଲିଥିବି । ତୁଠ ପଥର ପରି ଗୋଡ଼ ଘସା ଖାଇ ଖାଇ ମୁଁ ସ୍ଥାଣୁ ଅଥର୍ବ ପାଲଟିଯିବି କି ?

ଏମାନଙ୍କ ହୃଦୟରେ କଣ କାଣିଚାଏ କରୁଣା ନାହିଁ ? ଏମାନେ କଣ ଟିକିଏ ହେଲେ ଚିନ୍ତା କରୁନାହାନ୍ତି କିମ୍ଵା ବୁଝି ପାରୁନାହାନ୍ତି କି ଜଣେ ଅନ୍ତଃସତ୍ବା , ଆଉ କେତେ ଦିନ ପରେ ସେ ବୋହୁରୁ ମମତାମୟୀ ମା' ହେବାକୁ ଯାଉଛି , କେଉଁ ପ୍ରକାର ଶାରୀରିକ ଓ ମାନସିକ ପରିସ୍ଥିତିର ସମ୍ମୁଖିନ ହେଉଥିବ , କେମିତିକା କଷ୍ଟ-ଯନ୍ତ୍ରଣାର ଲେଲିହାନ ଶିଖା ଡେଉଁବାକୁ ପଡିବ , ପୀଡ଼ା ନାମକ କଷ୍ଟଦାୟକ ପରୀକ୍ଷା କ୍ଷଣେ କ୍ଷଣେ ଦେଇ ଚାଲିଥିବ ଦୀର୍ଘ ୯ ମାସ କାଳ , କାହାରି ମନରେ ଭାବାନ୍ତର ଆସୁନି କେମିତି ? ଆମ ଘରେ ସମସ୍ତଙ୍କୁ ସୁନ୍ଦର ବୋହୁ , ଶୁଶ୍ରି ଭାଉଜ , ସୁଶିଳା ଧର୍ମପତ୍ନୀର ପୁରାଣ ପାଠ କରିବା ଆସେ , କିନ୍ତୁ ସେହି ନିରିମାଖି ବିଚରା ସୁପର୍ଣ୍ଣାର ଦୁଃଖଚାରଣ କଷ୍ଟହାରଣ ପୀଡ଼ାହରଣ ପାଇଁ କାହାରି ତୁଣ୍ଡରେ ସମବେଦନାର ସ୍ଵର ପଶୁନି । ହାଏ ରେ ବିଧାତା ! ଯଦି ପୁଅ ବଦଳରେ ଝିଅ ଜନ୍ମ ହେବ , ତା ହେଲେ କଥା ସରିଲା ଜାଣ ? ବାକ୍ୟଯୁଦ୍ଧ ବାକ୍ୟବାଣରେ ଯେଉଁ ସୀମିତ ଅଛି ଆଜିଯାଏଁ , ଅଚିରେ ଗାଳି- ଗୁଲଜର ଚାବୁକ ପ୍ରହାର ସହିତ ହସ୍ତ- ପାଦର ଉପଯୋଗ ହେବାକୁ ବିଳମ୍ବ ହେବ ନି ବୋଧହୁଏ ।

ଏମାନେ ସମସ୍ତେ ମୋ ନିଜର ମୋର ଅତି ଆପଣାର । ଗୋଟାଏ ଛାତ ତଳେ ନିତି ଆତଯାତ । ଏମାନଙ୍କୁ କେବେ ବି ଚିନ୍ତା ହେଉନି କାହିଁକି କି ଗୋଟ ଦିନ ନୁହଁ ସପ୍ତାହେ ମାସେ ନୁହଁ, ଦୀର୍ଘ ୯ ମାସର ପୀଡ଼ା ଦାୟକ ଯାତ୍ରା କରୁଥିବା ଜଣେ ନୂଆ ପୁଆତି କେମିତି ଅନୁଭବ କରୁଛି , ଭୋକ ଲାଗୁଛି କି ନାହିଁ, କଣ ସବୁ ଖାଇବାକୁ ମନ କରୁଛି , ରାତିରେ ଗାଢ଼ ନୀଦ ହେଉଛି ନା ଛାଇ ନିଦ , ସ୍ଵପ୍ନରେ କଣ ସବୁ ଦୃଶ୍ୟମାନ ହେଉଛି ତାର ମାନସ ପଟଳରେ -----ଇତ୍ୟାଦି ଇତ୍ୟାଦି ।


ରାଗ ହିଂସାରେ ଦେହ ମୁଣ୍ଡ ଝାଉଁ ଝାଇଁ ହେଇ ଯାଉଥାଏ ବୋହୁ ସୁପର୍ଣ୍ଣାର । ଗୋଟେ ଆଦର୍ଶ ବୋହୁ , ସ୍ନେହି ଭାଉଜ ଏବଂ ସର୍ବୋପରୀ କଲ୍ୟାଣମୟୀ ଧର୍ମପତ୍ନୀ ହେବାର ଯେଉଁ ଅନ୍ଧପୁଟୁଳି ବାନ୍ଧିଥିଲା ଦୀର୍ଘ ଦୁଇ ବର୍ଷ ହେଲା , ତାହା ଧିରେ ଧିରେ ଦୁଗୁଳି ଯାଉଛି । କାରଣ ଯେଉଁମାନଙ୍କ ହସ ଖୁସି ପାଇଁ, ସୁଖ ସୁବିଧା ପାଇଁ , ନିଜ ଖୁସିର ଲମ୍ବା ଲମ୍ବା ଆଶା ଆକାଂକ୍ଷାର ଚିଟାଉକୁ ଭୁଲୁଣ୍ଠିତ କରି ଆସୁଥିଲା , ଆଉ କରିବ କାହିଁକି ? ନ କରିବା ହିଁ ଶ୍ରେୟସ୍କର ହେବ । ଝାଳ ଯେତେ ବୁହାଇଲେ ବି ତାଙ୍କ ପଥୁରିଆ ହୃଦୟରେ ସମବେଦନାର ଝରଣା ଝରିବିନି । ଯେତେ ରକ୍ତକୁ ତିଳ ତିଳ କରି ତର୍ପଣ କରି ତାଙ୍କ ସେବା ସୁସୂଷା କଲେ ବି ତାଙ୍କୁ ଦନ୍ତୁରିତ ମସ୍ତିସ୍କରେ ଦୟା ନାମକ କାରୁଣିକ ଶବ୍ଦର ବିନ୍ଯାସ ହେବନି ? କାହିଁକି ମୁଁ ନିତି ମରୁଥିବି ? କାହିଁକି ମୁଁ ଦହଗଞ୍ଜର ଗଞ୍ଜଣାରେ ନିଜକୁ ନିଜ ଅସ୍ତିତ୍ଵକୁ ନିଜ ଆତ୍ମସମ୍ମାନକୁ ଗୌଣ କରୁଥିବି ? କାହିଁକି ବାପା-ବୋଉ ନାଁରେ ଶିକ୍ଷିତ ନିର୍ବାଚିତ ଆଧୁନିକ ଯୁଗର କ୍ଲିଷ୍ଟ ଶବ୍ଦଜାଲର ବାହାନାରେ ଚଉଦ ପୁରୁଷର ଶ୍ରାଦ୍ଧ ନିତି ଶ୍ରବଣ କରୁଥିବି ।


ଧେତ୍ । କଣ ହେଲା ମୋ ? ରଙ୍ଗୋଲୀ ଟା ବେକାର ହେଇଗଲା । ତେଢ଼ା ମେଢ଼ା ଦିଶୁଛି ? ମାଲୋ ମଲି ଏଥର । 

ହାତେ ଜିଭ ବାହାର କରି ବୋହୁ ସୁପର୍ଣ୍ଣା ଆସମ୍ଭାଳ ହୋଇଗଲା । ବେଶି ବ୍ୟସ୍ତ ଓ ବିବ୍ରତ ହୋଇ ପଡିଲା କାରଣ ଶାଶୁମା ଓ ତାଙ୍କର ଯେଉଁ ମାଇପେ ଦଳ ବଳ ମୋତେ ଝୁଣି ଖାଇଯିବେ । ଛାତି ଖାଲି ଧଡ ପଡ଼ ।


ନିଜକୁ ନିଜେ ଦୋଷ ଦେଇ ଚାଲିଥାନ୍ତେ । ମନରେ ବେକାରିଆ ଚିନ୍ତା ପସିଲେ ଚଳ ପ୍ରଚଳ ହେଲେ , ଅନ୍ୟର କୃତ୍ସା ରଟନାରେ ଭାବନା ଚେତନା ରସନା ବ୍ୟସ୍ତ ରହିଲେ , ଏମିତିକା ଅପଦସ୍ଥ ହେବାର ମାହେନ୍ଦ୍ରବେଳା ଆଜି ନମସ୍କାର କରିବ ହିଁ କରିବ ।


ଏ ସଂସାରରେ କିଏ ବା ସଂପୂର୍ଣ୍ଣ କହିଲ ? କଉଁଠି ବା କେଉଁଥିରେ ଟିକିଏ କାଣିଚାଏ ଖୁଣ ରହିଥିବ । ଭଗବାନଙ୍କୁ ଛାଡିଦେଲେ ଆଉ ସମସ୍ତେ ଅପୂର୍ଣ୍ଣ ଲାଗେ । ଦେଖୁନ ଭାବୁନ । କୋଇଲିର କଣ୍ଠ ଶ୍ରୁତି ମଧୁର କିନ୍ତୁ ରୂପ କାହିଁ ? ମୟୂର ରୂପ ସମ୍ଭାରରେ ଭରପୁର ମାତ୍ର ଇଚ୍ଛା କାହିଁ ? ମଣିଷ ମାନଙ୍କ ପାଖରେ ଅସରନ୍ତି ଇଚ୍ଛା କିନ୍ତୁ ସନ୍ତୋଷ କାହିଁ ? ସାଧୁ ବାବାଜି ମାନଙ୍କ ପାଖରେ ସନ୍ତୋଷ ହିଁ ସନ୍ତୋଷ ମାତ୍ର ସଂସାର କାହିଁ ? 


ବୋହୁ ସୁପର୍ଣ୍ଣା ଏମିତି ତୁଳନାତ୍ମକ ସକାରାତ୍ମକ ଚିତ୍ର ଚରିତ୍ର ବିଷୟରେ ଆଲୋଚନା କରି ଚାଲିଥାଏ ମନେ ମନେ ଆଉ ମା' ବୂନ୍ଦାବତୀଙ୍କୁ ମନେ ମନେ ସମାଧାନର ବାଟ ପାଇଁ ଆକୁଳ ନିବେଦନ କରି ଚାଲିଥାଏ । ଅନ୍ୟ ପଟେ ଅଣ୍ଠେଇପଡି ବୁଣି ଯାଇଥିବା ରଙ୍ଗ ମାନଙ୍କୁ ଉଦା କନାରେ ପୋଛି ପକଉଥାଏ । ପ୍ରାତଃ କାଳରେ ମୁଖ ଓ କପାଳରେ ସ୍ନେହ ବିନ୍ଦୁର ଆଗମନ ସୂଚେଇ ଦେଉ ଥାଏ କି ସମସ୍ୟା ଟି କେବଳ ଗମ୍ଭୀର ନୁହଁ ଗମ୍ଭୀରତର ଦିଗକୁ ଗତି କରି ପାରେ ।


" ସରି ଭାଉଜ ! ଏକସ୍‌ଟ୍ରିମଲି ସରି । ସାରେ ଗାମା ପା ର କଣ୍ଠଶିଳ୍ପୀ ମହାରାଷ୍ଟ୍ରର ଧ୍ୟାନେଶ୍ଵରୀର କୋକିଳକଣ୍ଠି ଶାସ୍ତ୍ରୀୟ ସଂଗୀତ " ବନେ କୁହୁ କୁହୁ କୋଏଲିଆ" ଶୁଣୁ ଶୁଣୁ ମୁଁ ଏମିତି ଝୁମି ଉଠିଥିଲି ଯେ , ତୁମର ମୁରୁଜ ମୁଁ ଦେଖି ପାରି ନ ଥିଲି । ପାଦ ଟି ପଡିଗଲା - ଅଜାଣତରେ ଭାଉଜ --- ବହୁତ ଜୋରରେ ପାଟି କରି ଚିଲ୍ଲେଇ କରି ନଣନ୍ଦ ରାଣୀ ମିନି କହି ପକେଇଲେ । ଯେମିତି ଘର - ବାହାର - ସାହି ପଡ଼ିଶା ସମସ୍ତଙ୍କୁ ଶୁଣେଇକରି କହୁଛନ୍ତି ।


ଡାହାଣ ହାତ ପାପୁଲିକୁ ନିଜ ମୁଁହ ଉପରେ "ଚୁପ୍ ରୁହ -- କ୍ରେକ ଦିଅ " ର ଇଂଗିତ କରି ଭାଉଜ ସୁପର୍ଣ୍ଣାକୁ ନୀରବି ଯିବାକୁ ତୁନି ରହିବାକୁ କଡ଼ା ନିର୍ଦ୍ଦେଶ ଦେଉଥିଲେ ଅନ୍ୟ ପଟରେ ।


ବୋହୁ ସୁପର୍ଣ୍ଣା ପାଗଳ ହେଇଯିବ ବୋଧେ । ମିନି ନଣନ୍ଦ ତ ନ ଥିଲେ ଘରେ । ସାହି ଆଡ଼େ ଯାଇ ଥିଲେ ମାଡ଼ି । ତାଙ୍କ ପାଦ ଏ ମୁରୁଜ ଉପରକୁ ଆସିବ ବା କେମିତି ?

ସମସ୍ୟା ତ ମୁଁ ନିଜେ କରିଛି । ମୋ ହାତରୁ ରଙ୍ଗ ଛିଟିକି ପଡିଲା ମୋର ଅସାବଧାନତା ଯୋଗୁଁ । ମୋର ନେଗେଟିଭ ଚିନ୍ତାଧାରା ଯୋଗୁଁ । 

" ସିଂହ ଗର୍ଜନ କରି ଶାଶୁମା" ଧସେଇ ପଶି ଆସିଲେ ଅଗଣା ଭିତରକୁ ତୁଳସି ଚଉରା ପାଖକୁ ଯେଉଁଠି ବୋହୁ ସୁପର୍ଣ୍ଣା ମୁରୁଜ କରିବାରେ ବ୍ୟସ୍ତ ଥିଲା ସକାଳ ପହରରୁ ଅପରାଧି ପରି ବର୍ତ୍ତମାନ ଦଣ୍ଡାୟମାନ । 


" ହଇ ରେ ଅଣ୍ଡିରାଚଣ୍ଡି । ଖାଇ ଖାଇ ଗୀତ ଗୁଣୁଗୁଣେଇ ଖାଲି ବଢ଼େଇ ଚାଲିଥା ଗଣ୍ଡି । ମୁଣ୍ଡରେ ଖାଲି ଗୋବର ଲେଣ୍ଡି । ପୁରା ହୁଣ୍ଡି ଭୁରକୁଣ୍ଡି ଗବଗେଣ୍ଡି ମସ୍ତବଡଗେଣ୍ଡି -------- ପିଠି ଠା ଫଟେଇ ଦିଅନ୍ତି -- କର୍ଣ୍ଣମୂଳିଆ ଗୋଟେ ବି ତଳେ ପଡ଼ନ୍ତାନି --- ତୁଣ୍ଡ କମାଣ ଗର୍ଜନ ତର୍ଜନ କରି ଗାଳି ବର୍ଷଣ କରି ଘର ଭିତରକୁ ପଶିଗଲେ ଶାଶୁମା ରାଣୀ ମହାରାଣୀ । କାନମୁଣ୍ଡା ଝାଇଁ ଝାଇଁ ହୋଇଗଲା ବୋହୁ ସୁପର୍ଣ୍ଣାର ।

ନଣନ୍ଦ-ଭାଇଜର ଚାରି ଚକ୍ଷୁ ମିଳନ ହେଲା । ବୋହୁ ସୁପର୍ଣ୍ଣା ମିନି ନଣନ୍ଦ ମୁଖମଣ୍ଡଳରେ କମନୀୟ ମହନୀୟ ସ୍ମିତହାସ୍ୟର ଅପୂର୍ବ ଅତୁଲ୍ୟ ତଥା ସ୍ଵର୍ଗୀୟ ଶିହରଣର ରଙ୍ଗ ରୋଷଣୀ ଦେଖି ଭାବୁଥିଲେ କି ଯାହାହେଉ କାଳବୈଶାଖୀର ତାଣ୍ଡବଲୀଳା ବର୍ତ୍ତମାନ ପାଇଁ ଥମି ଯାଇଛି ବୋଧେ ।


Rate this content
Log in

Similar oriya story from Tragedy