Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ସଂସ୍କୃତି ତୁଠ ପରମ୍ପରା ହାଟ

ସଂସ୍କୃତି ତୁଠ ପରମ୍ପରା ହାଟ

5 mins
191


ଟୁକୁନାର ସ୍କୁଲରେ ଆଜି ବାର୍ଷିକ ଉତ୍ସବ. ଅନେକ ନିମନ୍ତ୍ରିତ ଅତିଥିମାନଙ୍କ ଭିତରେ ତା ବାପା ମାଆ ମଧ୍ୟ ବସିଥିଲେ ଅତିଥି ଗ୍ୟାଲେରୀରେ. ଟୁକୁନା ଓ ତାର ଅନେକ ସାଙ୍ଗ, ସ୍କୁଲ ବାର୍ଷିକ ଉତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଡ୍ରାମା ସଂଗୀତ ପରିବେଷଣ, ନାଚ, ଗୀତ ଆଦିରେ ଭାଗ ନେଇଥିଲା ବେଳେ ନିଜକୁ ବ୍ୟସ୍ତ ରଖିଥିଲେ. ଏହି ସମୟରେ ସାର ଦେଖିଲେ କୁନା ଚୁପ ଚାପ ଗୋଟିଏ କୋଣରେ ଏକା ଏକା ମନଦୁଃଖରେ ଠିଆ ହୋଇଛି. ସାର ତା ପାଖକୁ ଯାଇ ତା ମନଦୁଃଖର କାରଣ ପଚାରିଲେ ତ ସେ କହିଲା ମୁଁ ସବୁଥିରେ ଭାଗ ନେବାକୁ ନାମ ଦେଇଥିଲେ ମଧ୍ୟ ମତେ କୋଉଥିରେ ଅଂଶ ଗ୍ରହଣ କରିବାର ସୁଯୋଗ ମିଳିଲାନି. ଆଛା ତୁ କଣ କରିବାକୁ ଭଲ ପାଉ କୁନା? ମୁଁ ସବୁ ଭଲପାଏ ସାର . ହଉ ହଉ ମୁଁ ବଡଗୁରୁମାଙ୍କୁ କହି ତୁ କିଛି କହିବାକୁ ତତେ ଅନୁମତି ଦେବାକୁ ରାଜି କରେଇଦେବି. ତୁ କଣ କହିବୁ ସେ ବିଷୟରେ ଭାବି ରଖିଥା. ଉତ୍ସବ ଆରମ୍ଭ ହେଲା. ସମସ୍ତେ ସୁନ୍ଦର ଅଭିନୟ, ସଂଗୀତ ପରିବେଷଣ ଓ ନାଚ ମାଧ୍ୟମରେ ଦର୍ଶକମାନଙ୍କୁ ମୁଗ୍ଧ କରିସାରିବା ପରେ, ପ୍ରଧାନ ଶିକ୍ଷୟିତ୍ରୀ କୁନାକୁ ଷ୍ଟେଜରେ କିଛି କହିବାକୁ ଅନୁମତି ଦେଲେ.

   କୁନା ସମସ୍ତଙ୍କୁ ପ୍ରଣାମ କରି ତା ବକ୍ତବ୍ୟ ଆରମ୍ଭ କରିବାକୁ ଲାଗିଲା. ସେ କହୁଥିଲା କି ଜଳ ଆମ ଜୀବନ. ନଦୀ ଓ ପୋଖରୀ ଗାଡିଆ ଜଳର ଉତ୍ସ ହୋଇଥିବାରୁ ତା ମଧ୍ୟରେ ଆମେ ପ୍ଳାଷ୍ଟିକ ଜରି, ଅଳିଆ କାଗଜ ପକେଇଵା ଉଚିତ ନୁହେଁ. ସମସ୍ତେ କୁନା କଥା ଶୁଣି ଖୁବ ତାଳି ମାରିବା ଦେଖି କୁନା ଟିକେ ସାହାସ ପାଇ ପୁଣି କହିଲା, ଆଜି ଏଠାରେ ସବୁପିଲାଙ୍କ ଭିତରୁ କାହାର ବାପା, କାହାର ମାଆ ଆସିଛନ୍ତି କିନ୍ତୁ କାହା ଜେଜେ ଜେଜେମା ଆସିନାହାଁନ୍ତି. ମୋ ଜେଜେ କହୁଥିଲେ, ତାଙ୍କ ପିଲାବେଳେ ପରିବାର ଭିତରେ ଜେଜେ ଜେଜେମାଙ୍କ ସହ ଦାଦା, ଖୁଡି, ବଡବାପା, ବଡ଼ବୋଉ, ବାପା ମାଆ ଇତ୍ୟାଦି ମିଶି ରହୁଥିଲେ. ବାପା ମଧ୍ୟ କହୁଥିଲେ ସେମାନେ ତାଙ୍କ ଜେଜେ ଜେଜେମା ଓ ପିତା ମାତାଙ୍କ ସହ ରହୁଥିଲେ. ମୁଁ ଆଜି ଦେଖୁଛି ଅନେକଙ୍କ ଘରେ ତାଙ୍କ ଜେଜେ ଓ ଜେଜେମା ତାଙ୍କ ପାଖେ ଘରେ ରହନ୍ତି ନାହିଁ. ସେମାନେ ଗାଁରେ ରହନ୍ତି. ଆଉ କେତେଜଣଙ୍କ ଘରେ ପିତା ମାତା ଓ ଭାଇ ଭଉଣୀ ଥିବା ବେଳେ କେତେ ଜଣଙ୍କ ପରିବାରରେ ପିତା ମାତା ଓ ଗୋଟିଏ ସନ୍ତାନ ସହ ବିଲାତି କୁକୁର ରହେ. ସେହି କୁକୁର ପାଇଁ ବହୁତ ପଇସା ଖର୍ଚ୍ଚ ହେଉଥିଲେ ମଧ୍ୟ ଗାଁରେ ଜେଜେ ଜେଜେମା କଷ୍ଟରେ ଚଳନ୍ତି. ମୋ ସାଙ୍ଗ ଟୁକୁନା ଏଥିପାଇଁ ବହୁତ କଷ୍ଟ ପାଏ. ତେଣୁ ମୋର ସବୁ ଗୁରୁଜନ ମାନଙ୍କୁ ଅନୁରୋଧ ମୋ ସାଙ୍ଗମାନଙ୍କୁ ଜେଜେ ଓ ଜେଜେମା ସୁଖରୁ ବଞ୍ଚିତ କରନ୍ତୁ ନାହିଁ କାରଣ ନଦୀ ଗଡିଆ ପୋଖରୀ ଯେପରି ଜଳର ଉତ୍ସ, ସେମାନେ ସେପରି ଜ୍ଞାନ,ଗୁଣ ଓ ସ୍ନେହର ଉତ୍ସ. ସମସ୍ତେ ନିରବୀ ଯାଇଥିଲେ. ବଡଗୁରୁମା ଆଖି ଛଳ ଛଳ କରି କୁନାକୁ ପୁରସ୍କୃତ କରିବା ସମୟରେ ସମସ୍ତେ ତାଳି ପରେ ତାଳି ମାରୁଥିଲେ.ଟୁକୁନା ଦଉଡି ଆସି କୁନାକୁ କୁଣ୍ଢେଇ ପକାଇଥିଲା.ଉତ୍ସବ ସରିବା ପରେ କୁନାକୁ ତା ଜେଜେ କହିଲେ ତୁ ଏମିତି କାହିଁକି କହିଲୁ କୁନା??ସବୁ ମଉସା ମାଉସୀମାନେ ଖରାପ ଭାବିଥିବେ. କୁନା କହିଲା ତୁମେ ଜାଣିନ ଜେଜେ ଟୁକୁନା, ରାଜୁ, ମିଲୁ, କୁନି, ଲିଜା ଆଦି ମୋ ସାଙ୍ଗମାନେ ତାଙ୍କ ପାଖରେ ତାଙ୍କ ଜେଜେ ଜେଜେମା ରହୁନଥିବାରୁ ସେମାନେ କେତେ ମନଦୁଃଖ କରୁଥିଲେ ।

  ଜେଜେ ବୁଝେଇଦେଲେ କୁନାକୁ ଯେ ତୋ ସାଙ୍ଗମାନେ ମନଦୁଃଖ କରୁଥିବା କଥା ହୁଏତ ସତ କିନ୍ତୁ ଅନେକ ଜେଜେ ଜେଜେମା ମଧ୍ୟ ଗାଁର ପୈତୃକ ଘର ଛାଡ଼ି ଆସି, ସହରରେ ପୁଅ ବୋହୁଙ୍କ ପାଖରେ ରହିବାକୁ ରାଜି ନୁହଁନ୍ତି. ତାର କାରଣ ବି ରହିଛି. କୁନା କହିଲା ହଁ ଜେଜେ ଆମର ସ୍କୁଲରେ ଇଂରାଜି ବହିର ଏକ ବିଷୟରେ ପରା "ଉଡୁନ କପ "ବୋଲି ଗୋଟିଏ ଗପ ଅଛି ଯେ, ଜେଜେଙ୍କର ବୟସ ଦୃଷ୍ଟିରୁ ଓ ତାଙ୍କ ହାତ ଥରୁଥିବାରୁ ଥରେ ନୁହେଁ ଦୁଇଥର ତାଙ୍କ ହାତରୁ କପ ପଡିଯିବାରୁ ତାଙ୍କ ବୋହୁ ଖୁବ ବିରକ୍ତ ହୁଅନ୍ତି. ଏମିତି ବିରକ୍ତ ହୁଅନ୍ତି ଯେ ତାଙ୍କୁ କେହି ନିଜ ସାଙ୍ଗରେ ଏକାଠି ଖୁଆନ୍ତି ନାହିଁ. ସେ ଏକା ଏକା ଅଲଗା ଜାଗାରେ ଖାଆନ୍ତି. ଆମରି ପରି ତାଙ୍କର ଗୋଟେ ନାତି ଶେଷକୁ ଜେଜେଙ୍କ ପଟେ ବାହାରି ମାଆଙ୍କୁ କହିଥିଲା ତୁମକୁ ମଧ୍ୟ ମୁଁ ଏମିତି ଏକା ଏକା ଅଲଗା ଟେବୁଲରେ ଖାଇବାକୁ ଦେବି ଆଉ ତୁମେ ଯେମିତି ଜେଜେଙ୍କ ପାଇଁ କାଠ କପ କରିଛ ମୁଁ ବି ସେମିତି ତୁମ ପାଇଁ କରିରଖିବି. ଏକଥା ଶୁଣିଲା ପରେ ତା ମାଆ ସେହି ବାଳକର ଜେଜେଙ୍କ ପ୍ରତି ଆଉ କଠୋର ହୋଇନଥିଲେ. କୁନା ଜେଜେ ଏଥର ହସିଲେ ଆଉ କହିଲେ ତୁ ଠିକ କଥା କହିଛୁ ଯେ କୁନା କିନ୍ତୁ କେତେକ ବୁଢା ବୁଢ଼ୀ ତାଙ୍କ ପୁରୁଣା ଅଭ୍ୟାସକୁ ଛାଡ଼ି ନପାରି ଯଥା ଗୁଡ଼ାଖୁ ଘଷିବା, ପାନ ଖାଇବା, ନଈ ପୋଖରୀରେ ନିଜ ନିତ୍ୟକର୍ମ କରିବା ଅଭ୍ୟାସ ସବୁକୁ ବଦଳେଇ ଗାଁ ଛାଡ଼ି ଆସିବାକୁ ମନ କରନ୍ତି ନାହିଁ. ଜେଜେ ତୁମେ ଠିକ କଥା କହିଲ କିନ୍ତୁ ଆମେ ସବୁ ସେଭଳି ଜେଜେ ଓ ଜେଜେମାଙ୍କ ବଦଭ୍ୟାସ ଛାଡିବାକୁ ତାଙ୍କ ପାଇଁ ଯୋଜନା କରି ରଖିଛୁ ପା ଜେଜେ.କି ଯୋଜନା କରି ରଖିଛ ଶୁଣେ?

    କୁନା କହୁଥିଲା ସବୁ ଜେଜେ ଜେଜେମାମାନଙ୍କ ପାଇଁ ପ୍ରତି ଗଳି, କନ୍ଦି, ସାଇ, ୟୁନିଟରେ କ୍ଲବ ଗଠନ କରାଯିବ. ସେଠାରେ ସେମାନେ ସକାଳୁ ସକାଳୁ ଯୋଗ ପ୍ରାଣାୟାମ କରିବେ. ଆମଭଳି ପିଲାମାନଙ୍କ ସଙ୍ଗେ ଫୁଟବଲ, ଭଲିବଲ,କ୍ୟାରାମ,ଚେସ ଇତ୍ୟାଦି ଖେଳିବା ଦ୍ୱାରା ଯଦି କାହାର କିଛି ଗୁଟଖା ସେବନ ଥିବ, ଛାଡିବାକୁ କେତେ ସମୟ ଲାଗିବ ଜେଜେ? ଆରେ କୁନା ମୁଁ ତ ଏତେ କଥା ଜାଣିନଥିଲି. ହଁ ଜେଜେ ସମୟ, ସ୍ଥାନ,କାଳ,ପାତ୍ର ସହ ମଣିଷ ମଧ୍ୟ କିଛି ପରିବର୍ତ୍ତନ ଚାହେଁ. ସେହି ପରିବର୍ତ୍ତରେ ଯଦି କଟକଣା ନଥାଏ, ସ୍ନେହ ଶ୍ରଦ୍ଧା ଭାଇଚାରା ଭିତରେ ପ୍ରୀତି, ମୈତ୍ରୀ,ସଂହତି ଲୁଚି ରହିଥାଏ, ତେବେ କିଏ କାହିଁକି ସେଥିପ୍ରତି ବିମୁଖ ହେବ?? ଜେଜେ କହିଲେ ସବୁ ଠିକ ଅଛି ଯେ ସେହି ଜେଜେମାମାନଙ୍କ ପାଇଁ ଟିକେ ଭାବିବାର ଥିଲା. ଭାବିଛୁ ଜେଜେ.ସେମାନେ ପ୍ରତି ରବିବାର ଦିନ ତାଙ୍କ ହାତ ତିଆରି ପିଠା, କ୍ଷୀରି ଖେଚେଡ଼ି ପ୍ରସ୍ତୁତ କରି ଖାଇବାକୁ ଦେବା ସହ ବଗିଚାରେ ଋତୁ ଅନୁଯାୟୀ ଶାଗ,କଞ୍ଚାଲଙ୍କା ଓ ତଟକା ପନିପରିବା ଚାଷ କରିବେ. ଜେଜେ କହୁଥିଲେ ସାବାସ ସାବାସ. ଚିନ୍ତାଧାରା ମନ୍ଦ ନୁହେଁ. ହେଲେ ଯେ କୌଣସି ଯୋଜନାକୁ କାର୍ଯ୍ୟ କରିବା ପାଇଁ ତ କଠିନ ପରିଶ୍ରମ କରିବାକୁ ପଡିବ. କୁନା କହିଲା ସେ ଦାଇତ୍ୱ ତୁମର ଜେଜେ, କାରଣ ତୁମେ ସବୁବେଳେ କୁହ ଦୃଢ଼ ଇଛାଶକ୍ତି ଥିଲେ ଆସାଧ୍ୟ୍ୟ କାର୍ଯ୍ୟକୁ ନେଇ ଆଣି ଥୋଇ ହୁଏ. ଜେଜେ ହସୁଥିଲେ ମୁରୁକି ମୁରୁକି.

   ଜେଜେ ଓ କୁନା ଛୁଟିରେ ଆରମ୍ଭ କରିଥିଲେ ତାଙ୍କ ଯୋଜନାର ରୂପରେଖ. ସମସ୍ତ ଜେଜେ ଜେଜେମା ଗାଁରୁ ଆସିଥିଲେ ମଧ୍ୟ ପିଙ୍କିର ଜେଜେମା ଆସିନଥିଲେ. ସେ ଏକା ରହୁଥିଲେ ଗାଁରେ. ତାଙ୍କୁ ଭେଟି କୁନା ଓ କୁନାର ଜେଜେ ବହୁତ ବୁଝାଇବା ପରେ ସେ କହିଥିଲେ ଗାଁରେ ଧାନ ଜମି ଅଛି. ରଇତ ବା ପ୍ରଜାମାନେ ଋତୁ ଅନୁଯାୟୀ ଧାନ ବୁଣାଠୁ ଆରମ୍ଭ କରି ବର୍ଷ ଶେଷ ଡ଼ିସେମ୍ବରମାସର ଶୀତରେ ଖଳାକୁ କଳେଇ ବୋହି ଆଣନ୍ତି. ତାଙ୍କ ପାଇଁ ଚା, ଜଳଖିଆ ଓ ତବତ ଅର୍ଥାତ ଗରମ ଭାତ ଗଣ୍ଡେ ନଦେଲେ ସେମାନଙ୍କ ମନ ଊଣା ହେବ ତା ଛଡା କାର୍ତ୍ତିକ ବ୍ରତ,ଗୁରୁବାର ମାଣବସା, ପ୍ରଥମାଷ୍ଟମୀ ଇତ୍ୟାଦି ଅନେକ ପର୍ବ ପର୍ବାଣୀ ଗାଁରେ ପାଳିତ ହୁଏ. ପୁଅ ବୋହୁ ନାତି ନାତୁଣୀଙ୍କୁ ଧରି ଧାନକଟା ଛୁଟିରେ ଯଦି ଗାଁଙ୍କୁ ଆସନ୍ତେ, ଅନ୍ୟ ପର୍ବପର୍ବାଣୀମାନଙ୍କରେ, ସହରରୁ ଗାଁକୁ ଆସି ଏକା ଏକା ମୁଁ ସବୁ ଚଳେଇ ନିଅନ୍ତି.ସେମାନେ କସ୍ମିନ କାଳେ ଗାଁକୁ ଆସୁନାହାଁନ୍ତି କି ଗାଁ ହିଁ ସହରର ମୂଳ ବୋଲି ବୁଝିପାରୁନାହାଁନ୍ତି. ଗାଁରେ ଚାଷବାସ, ଘରଦ୍ୱାର, ପାର୍ବପର୍ବାଣୀ ପାଳନ ନହେଲେ ସଂସ୍କୃତି ପରମ୍ପରାର ଅବକ୍ଷୟ ହେଉଛି. ନୂତନ ପିଢ଼ିଙ୍କ ମଧ୍ୟରେ ଆମ ସଂସ୍କୃତି ପରମ୍ପରା ପ୍ରତି ସ୍ନେହ ଶ୍ରଦ୍ଧା ରହୁନି. ଜେଜେ କହିଲେ ଆପଣ ଠିକ କଥା କହିଛନ୍ତି. ଏଣିକି ଛୁଟିରେ ପୁଅ ବୋହୁ, ସାଙ୍ଗରେ ନାତି ନାତୁଣୀଙ୍କୁ ନେଇ ଗାଁକୁ ହିଁ ଆସିବେ. ସେୟା ହେଲା ଛୁଟିରେ ସମସ୍ତେ ଏଣିକି ଗାଁକୁ ଗଲେ.ସଭା ଚାଲିଥିଲା ବେଳେ, କୁନାର ସାଙ୍ଗ ମିତା ଉଠି କହିଥିଲା ହେଲେ ବିଦେଶରୁ ମଧ୍ୟ ଅନେକ କଥା ଶିଖିବାର ଅଛି.ମିତା କଥାରେ ସମସ୍ତେ ଟିକେ ଚିନ୍ତାଶୀଳ ହୋଇପଡୁଥିବା ବେଳେ କୁନା କହିଥିଲା ତେବେ ଗୋଟେ ବର୍ଷ ଗାଁକୁ ଗଲେ ଆଉ ଗୋଟେ ବର୍ଷ ବାହାରକୁ ବୁଲିବାକୁ. ଏଥିରେ ସମସ୍ତେ ଖୁସି ହୋଇଗଲେ.ଗାଁରେ ଚାଷବାସ ପ୍ରତି ମମତା ପ୍ରୀତି ରଖିବା ସହ ବିଦେଶର କୀର୍ତ୍ତିରାଜି ଦର୍ଶନ କରିବାର ସୌଭାଗ୍ୟ ଏଥର ଜେଜେ ଓ ଜେଜେମାମାନେ ପାଇଲା ବେଳେ ସେଦିନ କୁନାର ଜେଜେ ମନଦୁଃଖ କରି ବସିଥିଲେ ତ କୁନା ପଚାରିବାରୁ ଜେଜେ କହିଲେ ତୋ ଜେଜେମା କଥା ମନେ ପଡୁଛିରେ କୁନା. ବିଚାରୀ ତୁ ବଡ଼ ହେବା ଯାଏଁ ରହିଲାନାହିଁ.କୁନା କଣ ଭାବିଲା କେଜାଣି ଉଠିଗଲା. ବାପା ମାଆଙ୍କ ସଙ୍ଗେ କିଛି ପରାମର୍ଶ କରି ଜେଜେମାଆଙ୍କ ଏକ ବଡ଼ ବନ୍ଧେଇ ତୈଳଚିତ୍ର ଆଣି ଜେଜେଙ୍କ ରୁମରେ ଟାଙ୍ଗିଦେଇ କହୁଥିଲା ଜେଜେ ଏଣିକି ତୁମକୁ ଆଉ ଏକୁଟିଆ ଲାଗିବନି. ତୁମେ ସମୟ ପାଇଲେ ଜେଜେମାଙ୍କ ସହ ଏକା ଏକା କଥା ହୋଇଯିବ.ହସୁଥିଲେ ଜେଜେ. ସ୍ନେହରେ କୁନା ମୁଣ୍ଡ ଆଉଁସି ଦେଇ କହୁଥିଲେ ଦୀର୍ଘାୟୁ ହେଇ ଭଲମଣିଷ ହୋଇଥା କୁନା ।



Rate this content
Log in

Similar oriya story from Abstract