ସଂପର୍କ ନୁହେଁ ଖେଳଘର (ଭାଗ -୩୨)
ସଂପର୍କ ନୁହେଁ ଖେଳଘର (ଭାଗ -୩୨)
ବନ୍ଦନା ବନ୍ଦନା ଏମିତି ଚିତ୍କାର କରି ଡ଼ାକୁଥିବାବେଳେ ଗାଡ଼ି ଷ୍ଟାର୍ଟ କରି ସ୍ପିଡ୍ ରେ ଚାଲିଯାଇଥିଲେ ବନ୍ଦନା ଏବଂ ତାଙ୍କ ସହିତ ଥିବା ଯୁବକ ଜଣକ , ପଛେ ପଛେ ଡାକ ଛାଡ଼ି ଯାଉଥାଏ ମୁଁ , ହେଲେ କଣ ହେବ ମୋ ଡାକ କାର୍ ର ଦ୍ଵାରରୁ ବନ୍ଦନାଙ୍କ ପାଖରେ ନ ପହଞ୍ଚି ଫେରି ଆସୁଥାଏ ଶେଷରେ ଆଉ ଦୌଡ଼ି ଦୌଡ଼ି ପଛରେ ଯିବାଟା ମୋ ପାଇଁ ସମ୍ଭବ ପର ହେଇ ପାରିନଥିଲା ।
ତଥାପି ମନରେ ପ୍ରଶ୍ନ ସେମିତି ଚାଲିଥାଏ , ବିବେକ କହୁଥାଏ ଛାଡ ଯାହା ହେଲା ହେଲା , ତୁ ତ ସବୁବେଳେ ନିଜଠୁ ବେଶୀ ତାଙ୍କୁ ବିଶ୍ଵାସ କରୁ ଏବଂ ତାଙ୍କ ସବୁ ଇଚ୍ଛା ଆଉ ଖୁସିକୁ ସମ୍ମାନ ଦେଉ , ତେବେ ବୋଧହୁଏ ଏଇଟା ତାଙ୍କ ଇଚ୍ଛା ଥିଲା ୟାକୁ ମଧ୍ୟ ସମ୍ମାନ ଦେଇଦେ । ଆଉ ନିଜ ରାସ୍ତାରେ ନିଜେ ଫେରିଯା । ହେଲେ କୋଉଠି ନା କୋଉଠି ମନ କହୁଥାଏ ବନ୍ଦନା ମୋ ସହିତ ଏମିତି କେବେ ବି କରି ପାରିବେ ନାହିଁ । ମୁଁ ତାଙ୍କ ଆଖିରେ ମୋଠୁ ଦୂରେଇ ରହିବାର ବେଦନାକୁ ଅନୁଭବ କରିଛି , ତେବେ ନିହାତି କିଛିଗୋଟେ ହେଇଥିବ , ଯେଉଁଥିପାଇଁ ସେ ମତେ ଆଜି ଦେଖା କରିବାକୁ ଆସିଲେନି କି ଫୋନ୍ ଆଉ ମେସେଜ ମଧ୍ୟ ପଠାଇଲେ ନାହିଁ ।
ଏମିତିକି ନିଜର ଫୋନ୍ କୁ ସ୍ୱିଚ ଅଫ୍ କରିବାକୁ ବାଧ୍ୟ ହେଇଗଲେ , ନିହାତି ସେତେବଡ କିଛି ଘଟଣା ଘଟିଛି ତ ସୁନିଶ୍ଚିନ୍ତ , ତା' ନାହେଇଥିଲେ ଯିଏ ବିବାହକୁ ନେଇକି ଏତେ ବ୍ୟସ୍ତ ହେଇ ପଡୁଥିଲେ , କିଣା କିଣି ଠିକ୍ ଠାକ୍ ହେଲା କି ନାହିଁ , ମୁଁ କିଛି ଛାଡ଼ି ଦେଇନି ତ , ଯିଏ ଏ ସବୁକୁ ବାରମ୍ବାର ମତେ ପଚାରି ପଚାରି ବିରକ୍ତ କରିଦେଇଥିଲେ , ସେ ପୁଣି ହଠାତ୍ ଏମିତି କିଛି ନ କହି , ନ ଜାଣିଲା ପରି ବା କିଛି ଯେମିତି ନ ଘଟିଲା ପରି ବ୍ୟବହାର ଦେଖୋଉଛନ୍ତି , ତାଙ୍କ ମୁହଁରେ ତ ଟିକେ ବି ଅବଶୋଷର ଛାଇ ଦେଖା ହିଁ ଯାଉନି । ହଉ ତେବେ ଯାହା ହେଉନା କାହିଁକି ମତେ ଅପେକ୍ଷା କରିବାକୁ ପଡ଼ିବ , କଣ ହେଇଚି ନ ବୁଝିକି ମୁଁ ମୋ ଜାଗାକୁ ଫେରିଯିବାଟା ମୂର୍ଖାମୀ ହେବ , ତେଣୁ ମୁଁ ଆଜି ଏ ପାଖ ହୋଟେଲ ଦେଖିକି ରହି ଯାଉଛି , ଛୁଟି ତ ନେଇଛି ଯଦି ଦରକାର୍ ପଡ଼ିବ "ୱର୍କ ଫ୍ରମ୍ ହୋମ୍" କରିଦେବି , କିନ୍ତୁ ଏଇଠି ପ୍ରକୃତରେ କଣ ହେଉଛି , ଏବଂ କଣ ଚାଲିଛି ତା'ର ସଠିକ୍ ଖବର ବୁଝିକି ହିଁ ଯିବି ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।

