ସଂପର୍କ ନୁହେଁ ଖେଳଘର (ଭାଗ -୨୩)
ସଂପର୍କ ନୁହେଁ ଖେଳଘର (ଭାଗ -୨୩)
ଏକଥା ଶୁଣି ରାୟ ବାବୁଙ୍କ ମନର ଖୁସି ତାଙ୍କ ମୁହଁରେ ଚମକି ଉଠୁଥିଲା । ସେ ମନେ ମନେ ଭାବୁଥିଲେ , ଆଉ କଣ ଦରକାର ଏତେ ଭଲ ଘର ପୁଣି ମୋ ଅନ୍ତରଙ୍ଗ ବନ୍ଧୁଙ୍କ ଘର ଯୋଉଠି କି ମୋ ଝିଅ ବୋହୂ ନୁହେଁ ବରଂ ଝିଅ ହେଇକି ଯାଇକି ରହିବ , ସତରେ ମୋ ଚିନ୍ତା ସରିଗଲା , ଏବେ ମୁଁ ନିଶ୍ଚିନ୍ତରେ ଏ ଧରା ଛାଡ଼ି ପାର୍ଥିବ ଶରୀରକୁ ତ୍ୟାଗ କରି ଶାନ୍ତିରେ ଯାଇ ପାରିବି । ମୋ ଝିଅର ଭାଗ୍ୟ ବହୁତ୍ ବଳବାନ୍ ସତ , ଜନ୍ମରୁ ସିନା କିଛି କଷ୍ଟ ପାଇଥିଲା ତା' ମା କୁ ହରେଇ କିନ୍ତୁ ଏବେ ଭଗଵାନ ତାକୁ ସବୁ ଖୁସି ଅଜାଡ଼ି ଦେବାକୁ ଯାଉଛନ୍ତି , ମା' ଛେଉଣ୍ଡ ପିଲାଟା ଶାଶୁ ନୁହେଁ ତ ବରଂ ମା' ଟିଏ ପାଇଗଲା । ମା' ସ୍ନେହ ମମତାରୁ ବଞ୍ଚିତ ଥିବା ଛୁଆଟା ଏବେ ମା' ର ଅର୍ଥକୁ ବୁଝି ପାରିବ । ମୁଁ ବହୁତ୍ ଖୁସି , ଭଗଵାନ ଏମିତି ମୋ ଝିଅକୁ ଖୁସିରେ ରଖନ୍ତୁ ମୋର ଆଉ କିଛି ବି ପ୍ରାର୍ଥନା ନାହିଁ ତାଙ୍କ ନିକଟରେ । ଏତିକି ଭାବିବା ପରେ ରାୟ ବାବୁ ଉତ୍ତର ଦେଇଥିଲେ , ହଁ ହଁ ଆପଣ ପଚାରୁଛନ୍ତି କଣ ସମୁଦୁଣୀ ଏଇଟା ତ ଆପଣଙ୍କର ଏବେ ଅଧିକାର ହେଇଗଲା । ଆପଣ ଯେବେ ଚାହିଁବେ ଯୁଆଡେ ଚାହିଁବେ ଆପଣଙ୍କ ବୋହୂକୁ ନେଇ ପାରିବେ ।
ବନ୍ଦନା କିନ୍ତୁ ଏସବୁକୁ ଶୁଣିବା ପରେ ଭିତରେ ଭିତରେ ଚିନ୍ତିତ ଥାଇ ମଧ୍ୟ ଉପରେ ଉପରେ ଖୁସି ରହିବା ପରି ଅଭିନୟ ଦେଖାଉଥିଲେ । କିନ୍ତୁ ତାଙ୍କ ମନରେ ଚିନ୍ତା ଥିଲା ,ସେ ଏ ପର୍ଯ୍ୟନ୍ତ କିଛିବି ଜଣେଇ ପରି ନଥିଲେ , ମେସେଜ କରିବା ପୂର୍ବରୁ ତ ଫୋନ୍ ର ଅବସ୍ଥା ଯାହା ହେଲା ତାହା ନ ଭାବିବା ଭଲ , କିନ୍ତୁ ବିକାଶ ଯେ ଏବେ ମୋ ଅଫିସ୍ ପାଖରେ ଛିଡ଼ା ହେଇଥିବେ , ମତେ ନପାଇକି ବ୍ୟସ୍ତ ହେଇ ଫୋନ୍ କରୁଥିବେ , ହେଲେ ସେ ମୋ ଫୋନ୍ ଅଫ୍ ହେଇଥିବା କାରଣରୁ ଏଇଟା ଭାବିବେନି ତ ଯେ ମୁଁ ତାଙ୍କୁ ଧୋକା ଦେଇଚି, କିନ୍ତୁ ମୁଁ ଏବେ କୋଉ ପରିସ୍ଥିତି ଦେଇକି ଗତି କରୁଛି ସେଇଟା କେବଳ ମୁଁ ହିଁ ତ ଜାଣିଚି , ସେଠି ବିକାଶ ମତେ ଭୁଲ୍ ବୁଝୁଥିବେ , ହେଲେ ଏଠୁ ମୁଁ ଯିବି ବା କେମିତି , ମୁଁ ତ ଏଇଠି ସଂପୂର୍ଣ୍ଣ ଫସି ଯାଇଛି। ସକାଳୁ କେଜାଣି କାହା ମୁଁହ ଦେଖିକି ଉଠିଥିଲି , ଗୋଟେ ପରେ ଗୋଟେ ସବୁ ମୋ ସହିତ ଏପଟ ସେପଟ କାମ ହୋଉଛି ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।

