Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

ପ୍ରିୟଦର୍ଶିନୀ ମହାନ୍ତି

Inspirational

5.0  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ସଂକୀର୍ଣ୍ଣତା

ସଂକୀର୍ଣ୍ଣତା

3 mins
452



ବ୍ରାହ୍ମଣ ଶାସନ ଛୋଟ ଗାଁଟିଏ।ଗାଁକୁ ଲାଗି ଗୋଟିଏ ହରିଜନ ସାହି।ଅଳ୍ପ କେତୋଟି ହରିଜନ ଘର ସେହି ସାହିରେ ରୁହନ୍ତି।ବ୍ରାହ୍ମଣ ମାନଙ୍କ ସେହି ଗାଁରେ ହରିଜନ ସାହିର କୌଣସି ବି ଲୋକର ପ୍ରବେଶ ନିଷେଧ। ଗାଁର ଶେଷରେ ଏକ ବିଦ୍ୟାଳୟ ଥାଏ।ସରକାରଙ୍କ ସମଗ୍ର ଶିକ୍ଷା ନିୟମ ଅନୁସାରେ ବିଦ୍ୟାଳୟରେ ପାଠ ପଢିବା ସବୁ ପିଲାଙ୍କ ଅଧିକାର।ତେଣୁ ଇଚ୍ଛା ନ ଥିଲେ ମଧ୍ୟ ଗାଁ ଲୋକ ହରିଜନ ପିଲାଙ୍କୁ ବାରଣ କରିପାରନ୍ତି ନାହିଁ।ଆଇନ ବିରୋଧୀ କାର୍ଯ୍ୟ କରି ଅଯଥା ହଇରାଣ ହେବା ଅପେକ୍ଷା ହରିଜନ ପିଲାଙ୍କୁ ବିଦ୍ୟାଳୟରେ ପାଠ ପଢିବାକୁ ଦେବା ଛଡା ଅନ୍ୟ ଉପାୟ ବି ନାହିଁ।


   ସେହି ବିଦ୍ୟାଳୟ କୁ ମୁଁ ଶିକ୍ଷୟିତ୍ରୀ ଭାବେ ବଦଳି ହୋଇ ଆସିଲି। ବିଦ୍ୟାଳୟ ର ପରିବେଶ ଖୁବ ସୁନ୍ଦର। ବିଦ୍ୟାଳୟ ପାଖରେ ଏକ ଶିବ ମନ୍ଦିର।ପିଲାମାନେ ମଧ୍ୟ ବହୁତ ଭଲ।ଗାଁର ଲୋକେ ମଧ୍ୟ ସାହାଯ୍ୟକାରୀ।ମୋଟାମୋଟି ଭାବେ କହିବାକୁ ଗଲେ ମତେ ବିଦ୍ୟାଳୟ ଟି ବହୁତ ଭଲ ଲାଗିଲା।ନିୟମିତ ବିଦ୍ୟାଳୟ ଯାଇ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରେ।ପିଲାମାନଙ୍କ ସହ ବନ୍ଧୁ ଭଳି ବ୍ୟବହାର କରି।ଯ ଦ୍ୱାରା ପିଲାମାନେ ନିଜ ସମସ୍ୟାକୁ ବିନା ସଙ୍କୋଚରେ ଉପସ୍ଥାପନା କରିପାରିବେ।


  ଏହି ଭଳି ବହୁତ ଦିନ ଗଲା ପରେ ମୁଁ ଅନୁଧ୍ୟାନ କରି ଜାଣିଲି ଯେ ନିରୁ ବୋଲି ପିଲାଟିଏ, ସେ ଶ୍ରେଣୀରେ ସବୁବେଳେ ଚୁପ୍ ଚାପ ବସୁଛି।ଖେଳ ଛୁଟିରେ କାହା ସହ ଖେଳୁନି କି ମଧ୍ୟାହ୍ନ ଭୋଜନ କରିଲା ବେଳେ ସମସ୍ତଙ୍କ ସହ ଧାଡିରେ ନ ବସି ଅନ୍ୟତ୍ର ଏକା ବସି ଖାଉଛି।କହିବାକୁ ଗଲେ ବିଦ୍ୟାଳୟରେ କାହା ସହ କଥା ହେବାର ମୁଁ ଲକ୍ଷ କରିନି।ନିରବ ହୋଇ ବସିରହେ।ମୁଁ କିଛି ପଚାରିଲେ ବି କୁହେ ନାହିଁ।ମୁହଁରେ ସବୁବେଳେ ତା'ର ଉଦାସପଣ।ମତେ ବହୁତ ଚିନ୍ତା ଆଉ ଦୁଃଖ ବି ଲାଗେ।


   ଏମିତି କିଛି ଦିନ ଗଲା ପରେ କୌଣସି ସୂତ୍ରରୁ ଜାଣିବାକୁ ପାଇଲି ଯେ ସେହି ପିଲାଟି ହରିଜନ। ସେଥିପାଇଁ ଅନ୍ୟ ପିଲାମାନଙ୍କୁ ବାପା ମା' ମାନେ ବାରଣ କରିଛନ୍ତି ତା ସହ ବନ୍ଧୁତା କରିବାକୁ। ମୁଁ ଏ କଥା ଜାଣିବା ପରେ ତାକୁ ଅନ୍ୟ ପିଲାଙ୍କ ସହ ମିଶେଇବାକୁ ଚେଷ୍ଟା କଲି। ପିଲାଙ୍କ ସହିତ ମିଶି ଖେଳିବାକୁ କହିଲି।ତା'ର ହାତ ଅନ୍ୟ ପିଲାର ହାତ ସହ ମିଳାଇଦିଏ।ଖେଳରେ ମଜ୍ଜି ପିଲାମାନେ ତା ହାତ ଧରି ପକାନ୍ତି କିନ୍ତୁ ପରେ ଜାଣିପାରିଲେ ହାତ ଛାଡିଦିଅନ୍ତି।ଏଭଳି ଅନେକ ପ୍ରକାରର ଚେଷ୍ଟା କରି ନିରୁକୁ ଅନ୍ୟ ପିଲାଙ୍କ ସହ ମିଶେଇବାକୁ।ମୁଁ ବୁଝାଇ କୁହେ ," ସେ ବି ତୁମ ମାନଙ୍କ ପରି ପିଲାଟିଏ।ତୁମେ ସାଙ୍ଗ ହେଉନାହଁ ବୋଲି ସେ ସବୁବେଳେ ଚୁପ୍ ହୋଇ ମନ ଦୁଃଖ କରି ବସୁଛି।" ମଧ୍ୟାହ୍ନ ଭୋଜନ ବେଳେ ପିଲାଟିକୁ ଜୋର କରି ସମସ୍ତଙ୍କ ସହ ଧାଡିରେ ବସି ଖାଇବାକୁ କହିଲି।ଏମିତିକି କି କିଛି ଦିନ ମୁଁ ତା ସହ ବସି ମୋ ଟିପିନ୍ ଭାଗ କରି ଖାଇଲି। ତା ପରେ ପିଲା ମାନଙ୍କର ମାନସିକତା ବି ଧୀରେ ଧୀରେ ବଦଳିଲା। ପିଲାମାନେ ତା ସହ ମିଶିଲେ , ଖେଳିଲେ।ବିଦ୍ୟାଳୟର ସମସ୍ତ ଶୈକ୍ଷିକ ଓ ଅଣଶୈକ୍ଷିକ କାର୍ଯ୍ୟକ୍ରମରେ ତାକୁ ମଧ୍ୟ ଦଳରେ ସାମିଲ କରାଇଲେ।ମତେ ବହୁତ ଖୁସି ଲାଗିଲା।


   ବିଦ୍ୟାଳୟକୁ ଲାଗି ଗୋଟିଏ ଶିବ ମନ୍ଦିର ଥାଏ। ଥରେ ପାଠ ପଢେଇବା ସମୟରେ ଗାଁର ଜଣେ ବୟସ୍କ ଲୋକ ନିରୁ କୁ ଡାକିଲେ। ମୁଁ ମଧ୍ୟ ଅନୁମତି ଦେଲି କଥା କଣ ଶୁଣି ଆସିବାକୁ।ଗାଁ ଲୋକଟି ନିରୁ କୁ କହିଲା ଯେ ମନ୍ଦିର ବେଢାରେ କାହାର ଛିଣ୍ଡା ଚପଲ ପଡିଛି।ତାକୁ ଉଠେଇକି ଅନ୍ୟ ଆଡେ ଫିଙ୍ଗିଦେଇ ଆସେ। ମୁଁ ଶ୍ରେଣୀଗୃହରେ ଥାଏ ଏ କଥା ଶୁଣୁଥିଲି। ମୁଁ ତୁରନ୍ତ ବସିଥିବା ସ୍ଥାନରୁ ଉଠି ବାହାରକୁ ଗଲି ଓ ଏ କଥାକୁ ବିରୋଧ କରିବାକୁ ଯାଇ କହିଲି," ନିରୁର ଏ କାମ ନୁହେଁ, ସେ ଏ କାମ କରିପାରିବନି। ବାପା ମାଙ୍କ ପାଇଁ ସବୁ ପିଲା ଯେପରି ସମାନ ।ଆମ ପାଇଁ ମଧ୍ୟ ବିଦ୍ୟାଳୟର ସବୁ ବିଦ୍ୟାର୍ଥୀ ସମାନ।ଆଉ ଏମିତିରେ ତୁମର ପିଲାଟିଏ ମଧ୍ୟ ପଢୁଛି।ତା ଦ୍ୱାରା ଏ କାମ କରାଇପାର।ନିରୁ ଯେ ଏ କାମ କରିବ ସେଥିପାଇଁ ମୁଁ ଅନୁମତି ଦେବିନି।"ଲୋକଟି ମୋ ଉପରେ ରାଗିଯାଇ କହିଲା,"ଆମ ବ୍ରାହ୍ମଣ ଛୁଆ ଏ କାମ କରିବେନି।ପଇତା ମାରା ହୋଇଯିବ।ତମେ ମତେ ଆଉ ସମାନ ଅସମାନ ଶିକ୍ଷା ଦିଅନି।" ତା କଥା ଶୁଣି ମୁଁ ଉତ୍ତର ଦେଲି," ଠାକୁର ସେବା କରି ଏତେ ପୁଣ୍ୟ ଅର୍ଜନ କରିବାର ଅଛି ଯଦି ନିଜେ କର, ଠାକୁର ପ୍ରସନ୍ନ ହେବେ।ଯାହା ଜାତି ଯାହାକୁ ବଡ଼।ଆଉ ବାକି ରହିଲା ପଇତା ମାରା ହେବା କଥା ତେବେ ଶୁଣନ୍ତୁ ତୁମ ପିଲାଟିର ପଇତା କାନ୍ଧରୁ କାଢ଼ି ରଖିବେ ଓ କାମ ସରିବା ପରେ ପୁଣି ପିନ୍ଧେଦେବେ।ଶେଷରେ ଲୋକଟି ରାଗ ତମତମ ହୋଇ ଚାଲିଗଲା।

  

  ମୁଁ ଶ୍ରେଣୀକକ୍ଷକୁ ଚାଲି ଆସି ଚୌକି ଉପରେ ବସି ଭାବୁଥାଏ।ପିଲାମାନଙ୍କୁ ବୁଝାଇ ସୁଝାଇ ମାନସିକତା କୁ ତ ପରିବର୍ତ୍ତନ କରିଦେଲି, କିନ୍ତୁ ଏ ବଡ଼ ଲୋକଙ୍କୁ ବୁଝାଇବ ବା କିଏ!ବରଂ ଉଚିତ ଜବାବ ଦେବାକୁ ଯାଇ ଅନ୍ୟର କ୍ରୋଧର ଶିକାର ହେବାକୁ ପଡୁଛି।ଯେତେ ଦିନ ଯାଏଁ ଏ ସଭ୍ୟ ସମାଜର ଶିକ୍ଷିତ ବ୍ୟକ୍ତି ନିଜ ମାନସିକତା ନ ବଦଳାଇଛନ୍ତି, ସେତେଦିନ ଯାଏଁ ଜାତିଗତ ଭେଦଭାବ ବ୍ୟାଧି ଭାବେ ସଂକ୍ରମଣ ହେଇଚାଲିଥିବ।ନିମ୍ନ ଚିନ୍ତାଚେତନା ଏବଂ ସଂକୀର୍ଣ୍ଣ ମନୋଭାବ ତ୍ୟାଗ ନ କରିବାଯାଏ ଦଳିତ ସର୍ବଦା ଅବହେଳିତ ହୋଇ ରହିଥିବ।ଏଥିପାଇଁ ଆତ୍ମସମୀକ୍ଷା ଯେ ନିତାନ୍ତ ଆବଶ୍ୟକ ଏଥିରେ ଅତ୍ୟୁକ୍ତି ନାହିଁ।


Rate this content
Log in

More oriya story from ପ୍ରିୟଦର୍ଶିନୀ ମହାନ୍ତି

Similar oriya story from Inspirational