ପ୍ରିୟଦର୍ଶିନୀ ମହାନ୍ତି

Inspirational

3  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ସଂଘର୍ଷର ଇତି

ସଂଘର୍ଷର ଇତି

8 mins
337



ବଣ ଜଙ୍ଗଲ ଘେରା ଆଦିବାସୀ ଗାଁ' ଟି ରାମପୁର । ପ୍ରକୃତିର ଅନୁପମ ରୂପରେ ଗାଁ ଟି ଚିତ୍ରିତ । ପାହାଡ଼ଗୁଡିକ ସବୁ ବଉଦକୁ ଛୁଇଁବ ଛୁଇଁବ ହେଉଥାଏ । କୁଳୁକୁଳୁ ଝରଣାର ଶବ୍ଦ ସହ ପକ୍ଷୀଙ୍କର କାକଳିରେ ଗାଁ'ଟି ସତେ ଯେପରି ଇନ୍ଦ୍ରପୁରୀ ପରି ମନେ ହୁଏ । ସରଳ, ନିରୀହ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ଶହେଟି ଘର ସେ ଗାଁ' ରେ । ମୂର୍ଖ ହୋଇପାରନ୍ତି ସେମାନେ କିନ୍ତୁ ମାନବିକତା ହଜାଇନାହାନ୍ତି । ପେଟ ପାଟାଣା ପାଇଁ ସମ୍ପୂର୍ଣ୍ଣ ରୂପେ ଜଙ୍ଗଲ ଉପରେ ନିର୍ଭର କରନ୍ତି ସତ କିନ୍ତୁ ଗଛ କାଟିବା , ଜୀଵଜନ୍ତୁ ଶିକାର କରିବା ତାଙ୍କ ଅସୁଲ ବାହାରେ । ହଁ , କେବେ କେମିତି ଗାଁକୁ ବାଘ ପଶିଆସିଲେ ମାରିବାକୁ ତ ପଡିବ । ବଣର ଫଳ, ମୂଳ, ଚାଷବାସ ଆଉ କୁକୁଡ଼ା, ଛେଳିରୁ ଗୁଜୁରାଣ ମେଣ୍ଟାନ୍ତି ରାମପୁର ଗାଁ ଲୋକ ।   


  ଦିନେ କେହି ଜଣେ ଆସି ଗାଁ ରେ ହୁରି ପକେଇଲା ଖୁନି ମଦନ ମାଝୀ ଜଙ୍ଗଲରେ ମରି ପଡିଛି । ଗାଁ ସାରା ପ୍ରଘଟ ହେଲା ପରେ ସମସ୍ତେ ଧାଇଁଲେ ଜଂଗଲ ଆଡେ । କିଛି ଲୋକ ତାକୁ ଟେକି ଆଣିଲେ ଜଙ୍ଗଲରୁ ଗାଁ' କୁ । ଗାଁ ପାଖ ଦେଇ ବହି ଯାଇଥିଲା ନଦୀ ପଠାରେ ଶାଳ ଗଛ କାଠରେ ପୋଡ଼ିଦେଲେ ମଦନକୁ । ଯାହା ବି ହେଲେ ମଧ୍ୟ ପରିବେଶ ଟିକେ ଶୋକାକୁଳ ହେଲା । ମଦନ ମାଝୀ ଖୁନି ହେଲେ ମଧ୍ୟ ସେ ସେହି ଗାଁ'ର ଜଣେ ଭଲ ଲୋକ ଥିଲା ।


  ତେବେ ଘଟଣାଟି ଦୁଇ ବର୍ଷ ତଳର । ସେଠାକୁ ଆସୁଥିବା ସବୁ ଫରେଷ୍ଟ ଅଫିସରଙ୍କ ବୋଲହାକ, ସୁବିଧା ଆସୁବିଧା ମଦନ ମାଝୀ ବୁଝେ । ମଦନ ମାଝୀ ଦେଖିବାକୁ କଳା ମଚମଚ, ହୃଷ୍ଟ ପୃଷ୍ଟ, କର୍ମଠ ଲୋକଟିଏ । ସ୍ଥାନୀୟ ଲୋକ ହିସାବରେ ଜଣେ କେହି ରହିବା ବି ଉଚିତ । ସେହି ବର୍ଷ ନୂଆ କରି ଆସିଥାନ୍ତି ଫରେଷ୍ଟ ଅଫିସର ଅନିକେଶ ସିଂ । ତେଣୁ ରାମପୁରର କିଛି ଦୂରରେ ଥିବା ଡାକବଙ୍ଗଳାଟିକୁ ମଦନ ସଫା କରି, ଆବଶ୍ୟକୀୟ ଜିନିଷ ଆଣି ରଖିଦେଇଥାଏ । ବାବୁଙ୍କର ଯେପରି କିଛି ଅସୁବିଧା ନ ହୁଏ, ତାଙ୍କ ପାଇଁ ତଉଲିଆ, ପାଣି, ଖାଦ୍ୟ ଯୋଗାଡି ରଖି ଦେଇଥାଏ । ଶୋଇବା ଘରଟିକୁ ଝାଡ଼ିଝୁଡ଼ି ଖଟ ଉପରେ ନୂଆ ମଶାରୀ ଟାଣିଦେଇଥାଏ । ବାବୁ ଆସିବାର ତ ଠିକ୍ ସମୟ ଜଣାନାହିଁ । ଆଉ ଆସିଲେ ବି ଗାଁ' ଭିତର ଦେଇ ଆସିବେ । ତେଣୁ ସେ କାମ ସାରି ଚାଲିଗଲା ନିଜ ବସାକୁ । ତେଣେ ତା' ଝିଅ ମଣି ରାତି ଭୋଜନ ପାଇଁ ଚାହିଁ ବସିଥିବ ।


    ସତର ବର୍ଷର ମା' ଛେଉଣ୍ଡ ଝିଅ ମଣି । ଝିଅ ପାଞ୍ଚ ବର୍ଷର ଥିଲା ବେଳେ ସାପ କାମୁଡ଼ାରେ ମା' ତା'ର ଚାଲିଗଲା । ସେବେଠୁ ମଦନ ତା' ଝିଅ ମଣି ମୁହଁକୁ ଚାହିଁ ଦିନ କାଟୁଛି । ରାତି ଅନେକ ହେଲାଣି ବାପ ଝିଅ ଖାଇ ପିଇ ଶୋଇଗଲେ ।  


  ହଠାତ ମଦନ ଧଡ଼ପଡ଼ ହୋଇ ଉଠିଲା । ବାହାରକୁ ଯାଇ ଦେଖେ ତ ସକାଳ ହେଇଗଲାଣି । ଝିଅକୁ ପାଣି ଗ୍ଲାସେ ମାଗି କହିଲା," ଦେଲୁ ଦେଲୁ ଢୋକେ ପି ଦେଇ ଡାକବଂଗଳା ଆଡେ ଯାଏଁ । ବାବୁ ତେଣେ ଆସିଯିବେଣି । ଯାଇ ଦେଖି ଆସେ କ'ଣ ଦରକାର ଥିବ । "ଏତକ କହି ପାଣି ଗ୍ଲାସେ ପି ମଦନ ଧାଇଁଲା ।


    ମଦନ ଯାଇ ପହଁଚିଲା ଡାକବଙ୍ଗଳାରେ । ବାବୁ ସେତେବେଳକୁ ଘର ବାହାରେ ଚୌକି ପକେଇ ବସିଥାନ୍ତି । ମଦନ କୁ ତ ବାବୁ ଆଉ ଚିନ୍ହିନାହାନ୍ତି । ଖାଲି ଶୁଣିଛନ୍ତି ମଦନ ମାଝୀ କେହି ଜଣେ ତାଙ୍କ ପାଇଁ ସବୁ ବନ୍ଦୋବସ୍ତ କରିଦେଇଛି । ମଦନ ନିଜ ପରିଚୟ ଦେଇ ଜୁହାର୍ ଟିଏ ପକେଇ ବସି ପଡ଼ିଲା ବାବୁଙ୍କ ପାଦ ତଳେ ।

 

ମଦନ ପଚାରିଲା- 

  -ବାବୁ କିଛି ଅସୁବିଧା ହେଇନି ତ ବାଟରେ?

  -ଆରେ ନାଁ, ଅଫିସ ଜିପ୍ ଆସି ଛାଡ଼ିଦେଇ ଗଲା । ।     ଆଉ ତୁ ତ ବୋଧେ ସବୁ ବ୍ୟବସ୍ଥା କରିଦେଇଥିଲୁ । ଆଉ କିଛି ଲୋଡ଼ା ପଡ଼ିଲାନି । ଖାଇକି ଶୋଇପଡ଼ିଲି ।

-ବାବୁ ଆଉ କିଛି ଦରକାର ଅଛି ଯଦି କୁହନ୍ତୁ, ଆଣି ଥୋଇଦେବି ।

- ନାଈଁ,ନାଈଁ କିଛି ଦରକାର ନାଈଁ ।

-ବାବୁ ଖରାବେଳର ଖାଇବାଟା ଘରୁ କରିକି ଆଣିଦେବି । ଦେଶୀ କୁକୁଡ଼ା ଝୋଳ ।

   ଅନିକେଶ ହସି ହସି କହିଲେ," ହଉ ଠିକ ଅଛି ତେବେ ତୁ ଯା । ଖରାବେଳେ ଲଞ୍ଚ ନେଇ ଆସିବୁ । ମୋର ଅଫିସ କାମ ମୁଁ କରେ । " ତା'ପରେ ମଦନ ସେଠାରୁ ଉଠି ଚାଲିଗଲା ।


    ମଦନ ଅନିକେଶ ବାବୁଙ୍କର ହାଟ ସଉଦା ଠୁ ଆରମ୍ଭ କରି ଘର କାମ, ଡ୍ରେସ ସଫା , ବୋଲହାକ ସବୁ କରେ । ସବୁବେଳେ ଛୋଟ ଛୋଟ କଥାରେ ଅନିକେଶ ମଦନକୁ ଡାକ ପକାନ୍ତି । ମଦନ ମଧ୍ୟ ଅତି ଆଗ୍ରହର ସହ ହାଜର ହୋଇ ଫର୍ମାଇସ ପଚାରି ବୁଝେ । ଥରେ ଥରେ ବାବୁଙ୍କୁ ମହୁଲି ଆଣି ଦିଏ । ବାବୁଙ୍କ କଥା ରଖି କେବେ କେବେ ମହୁଲି ପିଇ ଶୋଇପଡ଼େ ସେଇଠି ମଦନ । ବାବୁଙ୍କର ମଦନ ଏକବାର ପ୍ରିୟ ଆଉ ବିଶ୍ୱସ୍ତ ବୋଲକାରା ହୋଇଯାଇଥାଏ ।  


 


   ଥରେ ବାବୁଙ୍କର ଇଚ୍ଛା ହେଲା ବାରାହା ମାଂସ ଖାଇବାକୁ । ସେ ମଦନକୁ କହିଲେ," ଆରେ ଧନୁ , ତୀର ନେଇ ଜଙ୍ଗଲ ଆଡେ ଥୋଡାଏ ବୁଲି ଆସନ୍ତୁନି । ଆଜି ବାରାହା ଖାଇବାକୁ ଭାରି ଇଚ୍ଛା ହଉଚି । ଗୋଟେ ଶିକାର କରି ଆଣି ଦେ । ମଦନର କିନ୍ତୁ ଯମା ଇଚ୍ଛା ନ ଥାଏ ବାବୁଙ୍କର ଏ ଆଦେଶ ପାଳିବାକୁ । ନିରୀହ ଜୀଵଜନ୍ତୁଙ୍କୁ ହତ୍ୟା କରିବା ତା' ନିୟମରେ ନାହିଁ । ଜଙ୍ଗଲ ସେମାନଙ୍କର ମଧ୍ୟ ଘର । ତାଙ୍କ ଘରେ ପଶି ତାଙ୍କୁ ମାରିବାଟା ଅପରାଧ । ସରଳ, ଦୟାଳୁ ହୃଦୟର ମଣିଷଟିଏ ମଦନ । କିନ୍ତୁ କ'ଣ ହେବ ବଡ ସାହେବଙ୍କ ଆଜ୍ଞାକୁ ଅବଜ୍ଞା ବି କରିହବନି ।  

    

   ସେ ଧନୁ ଧରି ଜଙ୍ଗଲ ସାରା ବୁଲି ବୁଲି ବାରାହା ଧରି ହାଜର ହେଲା ବାବୁଙ୍କ ପାଖେ । ଅନିକେଶ ମନ ଭାରି ଖୁସି । ମଦନ କହିଲା," ବାବୁ ବାହାରାଟିକୁ ଘରକୁ ନେଇଯାଉଛି । ଏଠି କଟା କଟି କରିବାକୁ ସୁବିଧା ନାହିଁ । ଘରେ ମୋ ଝିଅ ସାହାଯ୍ୟ କରିବ । " ମଦନ କଥା ଶୁଣି ଅନିକେଶ କହିଲା," ଆରେ! ମଦନ ତୋର ଗୋଟେ ଝିଅ ଅଛି କାଇଁ ଆଗରୁ ତ କହିନଥିଲୁ?" ମଦନ କାନ୍ଧରେ ଗାମୁଛାଟା ପକେଇ ହାତ ଯୋଡି ଉତ୍ତର ଦେଲା,"କଣ କହିବି ବାବୁ? ଛୋଟ ବେଳୁ ମାଆ ଖାଇଛି । ମୋରି କୋଳରେ ବଢିଛି । କ'ଣ ଆଉ ଦୁଃଖ କହିବି । ସତର ବର୍ଷ ହେଇଗଲାଣି, ବାହା ଦେଇଦେଲେ ମୋ ଜଞ୍ଜାଳ ତୁଟିବ । ବହୁତ ସଂଘର୍ଷମୟ ଜୀବନ ବାବୁ ଆମର । ଜୀବନ ପାଇଁ କେବେ ବଣ ଜଙ୍ଗଲ, କେବେ ବନ୍ୟଜନ୍ତୁ ସହ ଆମର ନିତି ସଂଘର୍ଷ । " ଏକା ନିଃଶ୍ବାସରେ ମଦନ କହିଦେଲା ସବୁ । ମଦନର କଥା ଶୁଣି ଅନିକେଶ କହିଲା," ଝିଅକୁ କେବେ ମୋ ପାଖକୁ ଆଣେ । ମୁଁ ଟିକେ ଦେଖିବି । ତୋ ଝିଅ ଟା କେମିତି । " ଏତକ କହି ଅନିକେଶ ଠୋ ଠୋ ହୋଇ ହସିଲା । ଅନିକେଶର ଏ ପଦେ କଥାରେ ତା' ଦେହ ଭୋକର ଗନ୍ଧ,ଝିଅ ଜାତି ପ୍ରତି ତା'ର ଲାଳସା ସମ୍ପୂର୍ଣ୍ଣ ବାରି ହେଇଯାଉଥାଏ । ମଦନ ବୁଝିପାରୁଥିଲା ଅନିକେଶର ଇଙ୍ଗିତକୁ । ମଦନର ସେତେବେଳେ ଇଚ୍ଛା ହେଉଥାଏ ସେଇଠି ସହରି ଭୋକିଲା କୁକୁରଟିକୁ କାଟି ଦେବାକୁ ଏ ବାରାହା ଭଳି । ମଦନ କିଛି ନ କହି ବାରାହା ଧରି ଘରକୁ ଗଲା ।  


  ଘରେ ପହଂଚି ବାପ, ଝିଅ ମିଶି ବାରାହା ମାଂସ ତିଆରି କରିଲେ । ରାତି ହେଇସାରିଥାଏ । ମଦନ ଖାଇବା ନେଇ ପହଁଚିଲା ଅନିକେଶ ରହୁଥିବା ଡାକବଙ୍ଗଳାରେ । ଟେବୁଲ ଉପରେ ବାଢ଼ିଦେଲା ଖାଇବା । ଅମରେଶ ଖାଇବାକୁ ବସିଲା । ମଦନ ଚୁପ ଥାଏ । ଅନିକେଶ ଖାଇବାକୁ ଆରମ୍ଭ କରନ୍ତେ ମଦନ ଫେରିବା ପାଇଁ ଅନୁମତି ମାଗିଲା । ଅନିକେଶ ଟିକେ ତିର୍ଯ୍ୟକ ଚାହିଁ ମଦନକୁ କହିଲା," ଆଜି କ'ଣ ଭାରି ତରତର । ମୁଁ ଖାଇଲା ବେଳେ ବସି ଗପସପ କରୁ । ଆଜି କ'ଣ ଯିବାକୁ ବାହାରିଲୁଣି । ମଦନ ଉତ୍ତର ଦେଲା," ନାଈଁ ବାବୁ ଘରେ ଗଲେ ଖାଇବି, ଝିଅ ତେଣେ ଅପେକ୍ଷା କରି ଥିବ । " ଝିଅ କଥା ମଦନ ତୁଣ୍ଡରୁ ଶୁଣି ଅନିକେଶର ପାଶବିକ ପ୍ରବୃତ୍ତି ଚେଇଁ ଉଠିଲା । ତା' ପେଟର ଭୋକ ଅପେକ୍ଷା ଦେହର ଭୋକରେ ସେ ଛଟପଟ । କାମାସକ୍ତ ଆଖି ଦୁଇଟିରେ ସମ୍ପୂର୍ଣ୍ଣ ବାରି ହେଇଯାଉଥାଏ ତା' ଘୃଣ୍ୟ ପ୍ରକୃତିକୁ । ଅନିକେଶ କହିଲା," ଆଜି ମୋ ସହ ଏଠି ଖାଇଦିଏ । ସବୁବେଳେ ତୁ ମତେ ଦେଶୀ ମହୁଲି ଦେଉ ଆଜି ମୁଁ ତତେ ବିଦେଶୀ ଦେବି । ମଦନର କାଣିଚାଏ ବି ଇଚ୍ଛା ନଥାଏ ସେଠି ରହିବାକୁ । ବାବୁଙ୍କ କଥାକୁ ଟାଳି ବି ପାରିବନି । ଅନିକେଶ ବାଧ୍ୟ କରିବାରୁ ମଦନ ଖାଇଲା । ଜୋର କରି ଅନିକେଶ ଗୋଟେ ପରେ ଗୋଟେ ପ୍ୟାକ ବନେଇ ମଦନକୁ ଦେଲା ପିଇବାକୁ । ମଦନ ଏକଦମ୍ ନାକ ଯାଏଁ ପିଇସାରିଲାଣି । ଆଉ ପାହୁଣ୍ଡେ ବି ଚାଲିବାକୁ କ୍ଷମତା ନାହିଁ । ଧିରେ ସେଇ ଚଟାଣରେ ଶୋଇଗଲା । ଅନିକେଶ ମଧ୍ୟ ପିଇଥାଏ ।

  

    ଅନିକେଶ ଏଇ ସୁଯୋଗକୁ ଚାହିଁରହିଥିଲା । ମଦନ ନିଶାରେ ଶୋଇଯିବା ପରେ ଅନିକେଶ ଗାଡି ଧରି ବାହରୁପଡିଲା ମଦନ ଘରକୁ । ମଦନ ଦୁଆରେ ଯାଇ କବାଟ ଠକଠକ କଲା । ମଦନ ଆସିଛି ବୋଲି ଭାବି ମଣି କବାଟ ଖୋଲିଲା । ସାମ୍ନାରେ ଅନିକେଶକୁ ଦେଖି ତାଜୁବ । ସେ ତ ଆଗରୁ କେବେ ଦେଖିନି ଅନିକେଶକୁ । କିଏ? କିଏ? ବୋଲି କହିଲା ବେଳକୁ ଅନିକେଶ ତା' ପାଟି ବନ୍ଦ କରି ଭିତର ପଟୁ କବାଟ ଦେଇଦେଲା । ବହୁତ ଦିନରୁ ଅପେକ୍ଷା କରିଥିବା ଭୋକିଲା ବାଘର ପଞ୍ଝାରୁ ହରିଣୀ ବା କେମିତି ମୁକୁଳିବ । କେତେ ବା ତା'ର ଶକ୍ତି! ଶତ ଚେଷ୍ଟା କରି ମଧ୍ୟ ମଣି ପାରିଲାନି । ହାରିଗଲା ସେ । ଅନିକେଶ କିନ୍ତୁ କ୍ଷତାକ୍ତ, ରକ୍ତାକ୍ତ ଶରୀରକୁ ଖୁବ ଉପଭୋଗ କରିଥିଲା । ନିସ୍ତେଜ ଜଡ ପରି ନିଷ୍ପାପ ନିରୀମାଖୀ ଝିଅଟି ନିଦ ଶୋଇଗଲା । ନିର୍ଦୟ,ଅମଣିଷ ପରି ଝୁଣି ଚାଲିଥିଲା ଅନିକେଶ ତା'ର ବିବସ୍ତ୍ର ଦେହକୁ । ଦେହର ଭୋକ ତ ପ୍ରଶମିତ ହୋଇସାରିଥିଲା ଅନିକେଶର । କିନ୍ତୁ ଏ କଣ!! ମଣି ତ ମୃତ । ତା ନିଶା ପୁରା ଉତୁରିଗଲା । ସକାଳ ହେଇ ଆସୁଥାଏ । କିଛି ଗୋଟେ କରି ଘଟଣାକୁ ଦୁର୍ଘଟଣାର ରୂପ ଦେବାକୁ ପଡିବ ବୋଲି ଭାବି ଅନିକେଶ ମଣିକୁ ଭଲ ପୋଷାକ ପିନ୍ଧାଇ । ପୂର୍ବ ପରି ଘରଟିକୁ ସଜାଡ଼ିଦେଲା । ଏକ ଦଉଡିରେ ମଣି ବେକକୁ ବାନ୍ଧି ଟାଙ୍ଗିଦେଲା ଘର ଚାଳର ବାଉଁଶରେ । ଗାଡି ଧରି ଫେରି ଆସିଲା ଡାକବଙ୍ଗଳାକୁ ।


  ସକାଳ ହୋଇଯାଇଥାଏ । ମଦନ ଉଠିଲା । ମନେ ମନେ ରାତି କଥା ଭାବିଲା, ଯେ ସେ କାଲି ନିଶାରେ ଏଇଠି ଶୋଇଯାଇଥିଲା । ଶୋଇବା ଘର ଦେଖିଲା ବାବୁ ଶୋଇଛନ୍ତି । ମଣିକୁ ନ ଜଣେଇ ସେ ବାବୁଙ୍କ ପଖେ ରାତିରେ ରହିଯାଇଥିଲା । ବିଚାରି ପିଲାଟା ବାଟକୁ ଅନେଇ ଅନେଇ ଶୋଇଯାଇଥିବ । ସେ ଘରକୁ ଜୀବନକୁ ବାହାରିଲା । ଘରେ ଯାଇ ଦେଖିଲା କବାଟ ଖୋଲା ଅଛି । ମଣି ଉଠିଯାଇ ସବୁ କାମ ପାଇଟି ସାରିଦେଇଥିବ । ଘରେ ପଶୁ ପଶୁ ମଦନ ଦେଖିଲା ମଣି ଝୁଲିଛି ଘର ଛାତର ବାଉଁଶରେ । ଆଉ ଡେରି ନ କରି ତଳକୁ ଓଲ୍ହାଇ ଆଣି ମଣିର ଶବକୁ । ସମସ୍ତଙ୍କୁ ଡାକ ପକାଇଲା । ଗାଁ ର ସମସ୍ତେ ଚାଲି ଆସିଲେ ଘଟଣା ସ୍ଥଳକୁ । ମଦନ ମୁଣ୍ଡରେ ଚଡକ ପଡିଲା । ସେ କିଛି ଭାବିପରିଲାନି । ତା ମୁଣ୍ଡ ଆଉ କାମ କରିଲାନି । କିଛି ବୁଦ୍ଧି ବାଟ ଦିଶିଲାନି । କ'ଣ ପାଇଁ ଆତ୍ମହତ୍ୟା କଲା ମଣି । ସମସ୍ତେ ନିଜ ନିଜ ଭିତରେ ଟୁପୁରୁ ଟାପର ହେଉଥାନ୍ତି । ସେତେବେଳକୁ ଅନିକେଶ ମଧ୍ୟ ଆସିଯାଇଥାଏ ଭଦ୍ର ମୁଖା ପିନ୍ଧି । ଆଶ୍ୱାସନା ଦେଉଥାଏ ମଦନକୁ ଯାହା ତ ହେବାର ହେଇଗଲାଣି ଏବେ ଅନ୍ତେଷ୍ଟି କ୍ରିୟା କରିଦେ । ଝିଅ ତୋର ଆତ୍ମହତ୍ୟା କରିଛି । ମଦନ ସେତେବେଳକୁ ରାଗିକି ଲାଲ ପଡିଯାଇଥାଏ । ସେ ଜାଣିସାରିଥାଏ ତା ଝିଅ ଆତ୍ମହତ୍ୟା କରିନି ତାକୁ ହତ୍ୟା କରାଯାଇଛି । ଇଛା ହେଉଥାଏ ସେଇଠି ଅନିକେଶର ମୁଣ୍ଡରୁ ଗଣ୍ଡି ଅଲଗା କରିଦେବାକୁ । କିନ୍ତୁ ସେ ଗରିବ, ମୂର୍ଖ, ଆଦିବାସୀ । ବଡ଼ ବଡୁଆଙ୍କ ବିରୋଧରେ ଯିବା ଅର୍ଥ ଜୀବନ ହାରିବା । ଝିଅର ମୃତ ଦେହକୁ ଧରି ମଦନ କାନ୍ଦି କାନ୍ଦି ଗାଁ ଦାଣ୍ଡ ଫଟେଇଦେଲା । ଝିଅର ଶବକୁ ଗାଁ ଲୋକଙ୍କ ସହାୟତାରେ ନେଇ ପୋଡି ଦେଇ ଆସିଲା ନଈ ପଠାର ବାଲିରେ ।


  ଯୋଉ ଝିଅର ମୁହଁକୁ ଚାହିଁ ସେ ବଞ୍ଚିଥିଲା ସେ ଆଜି ଅବେଳରେ ଚାଲିଗଲା । ନରରାକ୍ଷାସ ତା'ର ସର୍ବସ୍ୱ ଲୁଟି ଜୀବନ ନେଇଗଲା । ଲିଭେଇଦେଲା ସରଳ ହୃଦୟଟିକୁ ଦୁନିଆ ବୁକୁରୁ ସବୁଦିନ ପାଇଁ । ମଦନ ନିଷ୍ପତି ନେଲା ଆଉ ମୁଁ ବଂଚିକି କ'ଣ ବା କରିବି । ଗୋଟିଏ ବୋଲି ଝିଅ ପ୍ରତି ହେଉଥିବା ଅନ୍ୟାୟର ଯଦି ପ୍ରତିଶୋଧ ନ ନେଇ ପାରିଲି ତେବେ ମୋ ବାପ ପାଣିଆକୁ ଧିକ୍ । ଘରକୁ ଫେରି ଆସି ରାଗ ତମ ତମ ହୋଇ ତୀର, ଧନୁ, ଧାରୁଆ ଟାଙ୍ଗିଆ ଧରି ବାହାରିଲା ଅନିକେଶ ରହୁଥିବା ଡାକବଙ୍ଗଳାକୁ ।


  ମହାବଳ ବାଘ ପରି ଗର୍ଜନ କରି ପଶିଲା ଡାକବଙ୍ଗଳାରେ । ଅନିକେଶ ବସିଥାଏ ଡାଇନିଂ ଟେବୁଲରେ । ଅନିକେଶ କେବେ ଦେଖିନି ମଦନର ଏପରି ଉଗ୍ର ରୂପ । କିଛି ଭାବିବା ପୂର୍ବରୁ ମଦନ ତା ଟାଙ୍ଗିଆରେ ଦୁଇ ଗଡ଼ କରିଦେଲା ଅନିକେଶକୁ । ଅନିକେଶର ଗଣ୍ଡିଟି କିଛି ସମୟ ହଲଚଲ ପରେ ସବୁ ନିସ୍ତବ୍ଧ ହୋଇଗଲା । ପରିସମାପ୍ତି ହୋଇଗଲା ଗୋଟେ ଘୃଣ୍ୟ ଆତ୍ମାର । ଶିକ୍ଷିତ, ଭଦ୍ର ମୁଖା ତଳେ ଥିବା କାମୁକ, ପାଶବିକ ପ୍ରବୃତ୍ତିର ଯବନିକା ପଡିଲା । ଘଡିକରେ ଏ ଖବର ଛୁଟିଗଲା ଗାଁ ସାରା । ମଦନ ସେ ସ୍ଥାନ ଛାଡି ଚାଲିଗଲା ଘନ ଜଙ୍ଗଲ ଭିତରକୁ । ସଂଗେ ସଂଗେ ସହରରୁ ଆସିଗଲେ ଦୁଇ ଭ୍ୟାନ୍ ପୋଲିସ ମଦନକୁ ଖୋଜିବାକୁ । କିଛି ସମୟ ଜଙ୍ଗଲ ଖୋଜିଲେ କିନ୍ତୁ ପାଇଲେନି । ଜଙ୍ଗଲର ଅଧିକ ଭିତରକୁ ଯିବାରେ ବିପଦ ତେଣୁ ଫେରି ଆସିଲେ ସମସ୍ତେ । ଜଙ୍ଗଲର ରାସ୍ତା କେବଳ ଜଙ୍ଗଲୀ ବାଘକୁ ଜଣା ଏ ସହରି କୁକୁର ବା କାହୁଁ ଖୋଜି ପାଇବେ ।


    ମଦନ ଆଉ ସେ ଗାଁ କୁ ଆସିଲାନି । ଜଙ୍ଗଲର ଫଳ,ମୂଳ ଖାଇ ସେଇ ଜଙ୍ଗଲରେ ଲୁଚି ରହିଲା । କିଛି ଭୁଲ ନ ଥାଇ ମଧ୍ୟ ସର୍ବସ୍ୱ ହରାଇଥିବା ମଦନ ଆଜି ଖୁନି ନାଁ ରେ ପରିଚିତ । ତଥାପି ତାର ଅବଶୋଷ ନାହିଁ । ସେ ଉପଯୁକ୍ତ ଶିକ୍ଷା ଦେଇ ପାରିଛି ସେ ଅମଣିଷକୁ । ଏ ପରି ଦୁଇ ବର୍ଷ ବିତିଗଲା । କିଛି ଦିନ ପରେ ଜଙ୍ଗଲରୁ ଭାସି ଆସିଲା ପଚା ଶବର ଗନ୍ଧ । ତା' ସଂଘର୍ଷମୟ ଜୀବନର ଇତି ଘଟିଛି । ଦୁଇଟି ନିରୀହ ଜୀବନ ମୂଳପୋଛ ହୋଇଗଲା ।


Rate this content
Log in

Similar oriya story from Inspirational