ସଂଘର୍ଷ
ସଂଘର୍ଷ


ରଘୁଆ ଘର ଛପର , ଇଟା ପକେଇବା, ଧାନ ଗଦା କରିବା, ହେଁସ ମସିଣା ବୁଣିବା, ଗାଈ ଦୁହିଁବା ଆଦି କାମରେ ଧୁରନ୍ଧର । ଯେତେ କାମ କଲେ ବି ଚାରିପ୍ରାଣୀ କୁଟୁମ୍ବ ପୋଷିବାକୁ ତା ପାଇଁ କାଠିକରପାଟ । ତା'ର ଦେହ ମୁଣ୍ଡ ଖରାପ ହୋଇଗଲେ ଦିନେ ଦିନେ ଚୁଲି ଅଜଳା ରହିଯାଏ । ଦୁଇ ବଖରା ବାଡତାଟି ଦିଆ ଚାଳ ଛପର ଘର । ସେଥିରେ ଚାରି ପ୍ରାଣୀ ରହନ୍ତି । ନିର୍ବାଚନ ପରେ ରଘୁଆ ଅନ୍ୟମାନଙ୍କ ମୁହଁରୁ ଶୁଣି ମନେ ମନେ ଖୁସି ହେଉଥାଏ ଯେ ତା'ର ଏ ଅବସ୍ଥା ସୁଧୁରି ଯିବ । ସେ ଆଉ ଗରିବ ହୋଇ ରହିବ ନାହିଁ ।
ହେଲେଏତେ ସପନକୁ ରାତି କାହିଁ।ରଘୁଆର ସ୍ତ୍ରୀ ରତନି ସବୁବେଳେ କହେ ହେଇଟି ଷାଠିଏ ମହଣ ଘିଅ ହେବନା ରାଧା ନାଚିବ।ବୁଝିଲ ସନା ବାପା ତୁମେ ଆଉ ସେ ମନ୍ତିରୀ ନେତାଙ୍କ ପଛରେ ଧାଅଁନି ହେଲା।ଏମିତି କେତେ ନିର୍ବାଚନ ଗଲାଣି ନେତା ମାନେ ପରା ଭୋଟ୍ ଭିକ ମାଗି ଆସୁଛନ୍ତି ।ହେଲେ କଣ ଲାଭ କହିଲ ଆମ ଫଟା କପାଳ କଣ ଠିକ୍ ହେଉଛି।ଖଟିଖିଆ ଲୋକ ଆମେ ନ'ଖଟିଲେ ଭାତ ମୁଠାଏ ଆମ ପେଟକୁ ଯିବନି।ସେଥେରେ ତୁମ ରୋଗଣୀ ମା' ସେଇ ଚୁଲିଜଳା ପକ୍ଷାଘାତ ରୋଗରେ ସଢୁଛନ୍ତି।ଆମେ ତାଙ୍କୁ କଣ ଠିକ୍ ଅଉଷ ଦେଇ ପାରୁଛେ ନା ଡାକତର ଦେଖେଇ ପାରୁଛେ।ଆମ ପୁଅ ସନା ଏଇ ସନ ଦଶମ ପରୀକ୍ଷା ଦେବ।ତା'ର ପଢା ଖରଚ କରି ପାରୁଛେ? ସେ ଦନେଇ ମହାଜନ କହୁଥିଲା ପରା କିଛି ସୁବିଧା କରିଦେବ ସନା ପାଇଁ।କାଇଁ କୁଆଡେ ଗଲା ତା'ର ପବନ ଉଡା କଥା।ସନାର ସାଙ୍ଗ ମାନେ କେତେ ଭଲ ପୋଷାକ ପିନ୍ଧୁଛନ୍ତି,ଭଲ ଦରବ ଖାଉଛନ୍ତି ହେଲେ ଆମ ସନା ଓଳିଟେ ଖାଇଲେ ଆର ଓଳିକି ଉପାସ।ଏମିତି ଗୋଟେ ନିଶ୍ଵାସରେ କହି ଚାଲୁଥିଲା ରତନି।
ହେଉ ହେଲା ତୁ ଦେଖିବୁ ରହ ଆମ ସନା ବଡ଼ ହେଇକି ଡାକତର ହେବ କି ବଡ଼ ହାକିମ ହେବ ଆଉ ତାପରେ ଆମ ଦୁଃଖ କୁଆଡେ ପଳେଇବ।କହିଲା ରଘୁଆ।ଏମିତି ଦୁଃଖ ସୁଖ ହେଉ ହେଉ କୁଆଡେ ଥିଲା କଳା ହାଣ୍ଡିଆ ମେଘ ତାଣ୍ଡବ ଆରମ୍ଭ କରିଦେଲା।ପବନ ସାଙ୍ଗକୁ କୁଆପଥର ବର୍ଷା କୁଢେଇ ରଘୁଆକୁ ଗୃହଶୂନ୍ୟ କରିଦେଲା।ଚାଳ ଛପର ଉଡିଗଲା ଆଉ ମାଟିର ଘର ମାଟିରେ ମିଶିଗଲା।ବିଚରା କଣ ବା କରନ୍ତା ଚାରିପ୍ରାଣୀଙ୍କୁ ନେଇ ଗାଁର ସ୍କୁଲ୍ ବାରଣ୍ଡାରେ ବସିଲା କାଳେ କିଏ ସାହାଯ୍ୟ କରିବ।ସେ ଦନେଇ ମହାଜନ କହୁଥିଲା କୁଆଡେ ସରକାରଙ୍କ ତରଫରୁ ଘର ପାଇଁ ଟଙ୍କା ମିଳିବ।ଧେତ୍ ଏ ଦୁନିଆରେ ଆମ ପରି ଲୋକଙ୍କ ସ୍ଥାନ କାହିଁ।ସେ ଯାହା ହେବ ହେଉ ସବୁ ସେଇ କାଳିଆ ଦେଖୁଛି।ସେ ତ କଷ୍ଟ ଦେଇଛି ସେ କଷ୍ଟ ନେବ।ଏମିତି ଭାବୁ ଭାବୁ ସୁଲୁ ସୁଲିଆ ପବନରେ ତା ଆଖି ଲାଗି ଯାଇଛି।ସେ ପେଟର ଭୋକ ବି ଭୂଲି ଯାଇଛି।ମୁଣ୍ଡ ଉପରେ ପରିବାରର ବୋଝ।
ସକାଳ ହେଉ ହେଉ କେହି ଜଣେ ଆସି ଡାକିଲା ରଘୁଆ ରଘୁଆ ।
କିଏ ପଚାରି ତରକି ଚାହିଁଲା ରଘୁଆ ତା ଆଖି ମକଚି ମକଚି। ଆରେ ଇଏ ତ ସୌରଭ ବାବୁ ଆମ ଗାଁର ସବୁଠୁ ବଡ଼ ପାଠୁଆ ଆଉ ବଡ଼ ଚାକିରିଆ।
ହଁ ବାବୁ କୁହ କଣ ହେଲା,କହିଲା ରଘୁଆ।
ଆରେ ତୁମେ ଚାରି ଜଣ ଏଠି କଣ କରୁଛ।ଏଇ ଦର ତିନ୍ତା ବାରଣ୍ଡାରେ....ସୌରଭ କହିଲେ।
ନାଇଁ ବାବୁ ଚାଳ ଛପର ଖଣ୍ଡକ ଏଇ ବର୍ଷାରେ ଭାଙ୍ଗିଗଲା।ଆଉ କଣ କରିଥାଆନ୍ତି ଯେ।ଏତେ ଟଙ୍କା ବି ମୋ ପାଖେ ନାହିଁ ଯେ ଆଉ ଥରେ କୁଡିଆ ଖଣ୍ଡକ ତିଆରି କରିବି।ଆଉ ଏ ନିର୍ବାଚନ ସମୟର ବୃଥା ପ୍ରତିଶୃତି ଶୁଣି ଶୁଣି ମୋ କାନ ତାବଦା ହୋଇ ଗଲାଣି।
ରଘୁଆର କଥା ଶୁଣି ସୌରଭ କହିଲେ ଗୋଟେ କାମ କର ଆସ ମୋ ଗାଡିରେ ବସ ମୋ ସହିତ ସହର ଯିବ ସେଠାରେ କିଛି ବ୍ୟବସ୍ଥା କରିବା।ମୋର ଘରେ କେହି ନାହାଁନ୍ତି ଏକା ମୁଁ ।ଜୀବନରେ ଯଦି ମଣିଷ ମଣିଷର ସାହାଯ୍ୟରେ ନ ଆସିବ ତାହେଲେ କଣ ଲାଭ ଏ ମଣିଷ ଜନ୍ମର।
ହେଇଟି ସନା ବାପା ତୁମେ ଆଉ ଏତେ ଭାବନି।ଭଗବାନ ବୋଧେ ଆଜି ଏ ବାବୁଙ୍କ ରୂପରେ ଆସିଛନ୍ତି।କହିଲା ରତନି।
ସମସ୍ତେ ବାହାରିଲେ ସହର ଆଉ ସେଠାରେ ସୌରଭଙ୍କ ସାହାଯ୍ୟରେ ଏକ ଏନ.ଜି.ଓରେ ଛୋଟିଆ କାମ ଟେ ପାଇଲା ରଘୁଆ।ରତନି ସୌରଭଙ୍କ ଘରେ ରୋଷେଇ କରି କିଛି ରୋଜଗାର କଲା।ସନା ବି ଭଲ ରେଜଲ୍ଟ କରି ବଡ଼ କଲେଜରେ ପଢିଲା ଆଉ ରଘୁଆର ବୋଉ ଭଲ ଡାକ୍ତରଖାନାରେ ଚିକିତ୍ସା ହୋଇ ଠିକ୍ ହେଲା।
ହୁଏତ ଏଇ ଦିନ ଜୀବନରେ କେବେ ଆସିବ ବୋଲି ସେମାନେ ଭାବି ନଥିଲେ।
ରଘୁଆ ଜଣେ ଭଲ ସ୍ଵେଚ୍ଛାସେବୀ ଭାବେ ନାମିତ ବି ହେଲା।ତା'ର ନିଷ୍ଠାପର କାମ ଦେଖି ତା'କୁ ସୌରଭ ବାବୁ ଓ୍ଵାର୍ଡ଼ ମେମ୍ବର ପଦବୀ ପାଇଁ ଠିଆ କଲେ।ଆଉ ସେ ଜିତିଲା।ସେ ସମାଜକୁ ଆଉ ଦନେଇ ମହାଜନକୁ ଦେଖାଇ ଦେଲା ପ୍ରକୃତରେ ଜନସେବା କଣ ଆଉ ନିର୍ବାଚନ ଜିତିଲେ କଣ କରାଯାଏ।
ସତରେ ରତନି ଏମିତିକା ସୂର୍ଯ୍ୟୋଦୟ ଦେଖିବ ବୋଲି ଭାବି ନଥିଲା।
ବି:ଦ୍ର
ଗାଳ୍ପିକ ବାଉରି ବନ୍ଧୁ ଲେଙ୍କାଙ୍କ ଗଳ୍ପାଂଶକୁ ନେଇ ଏକ ପ୍ରଚେଷ୍ଟା