STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Inspirational

3  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Inspirational

ସଙ୍ଗରୋଧର ସମୟ-୧୭

ସଙ୍ଗରୋଧର ସମୟ-୧୭

2 mins
94

ପ୍ରିୟ ଡାଏରୀ,

ସଙ୍ଗରୋଧର ସମୟରେ ଆମେ ଯେତେବେଳେ ନିଜର ଦୁଃଖ କଥା ଭାବି ମ୍ରିୟମାଣ ହୋଇପଡ଼ୁ,ସେତେବେଳେ ଆଉ କାହାର ଦୁଃଖ ଆମକୁ ଦିଶନ୍ତା ହେଲେ!

******

ଅଚାନକ ଲକଡାଉନ ଘୋଷଣା ଯୋଗୁଁ ଘର ଠାରୁ ଦୂରରେ ରହୁଥିବା ଅନେକ ଲୋକ ଫେରି ପାରିଲେ ନାହିଁ ଘରକୁ।ଏଇ ଯେମିତି ସୁନନ୍ଦ।ସେ ଚାକିରୀ କରେ ଭୁବନେଶ୍ୱରରେ।ପ୍ରତି ଶନିବାର ଫେରିଯାଏ ରାଉରକେଲା, ଯେଉଁଠି ରହେ ତାର ପରିବାର।ରାଉରକେଲା ହେଉଛି ତାର ଘର।ଭୁବନେଶ୍ୱର ହେଉଛି ପ୍ରବାସ।

ହେଲେ କରୋନାର ମୁକାବିଲା ପାଇଁ ଏ ଯେଉଁ ଲକଡାଉନ ଘୋଷଣା ହେଲା, ଏହା ଦ୍ବାରା ସୁନନ୍ଦ ରହିଗଲା ଏକାକୀ।ଭୁବନେଶ୍ୱରରେ।ଗୃହବନ୍ଦୀ।ସମୟ କଟୁନାଇଁ।ସେପଟେ ରାଉରକେଲାରେ ହସ୍ପିଟାଲରେ ନର୍ସ ଥିବା ସ୍ତ୍ରୀ ସୁନନ୍ଦା, ବୃଦ୍ଧ ପିତାମାତା ଓ ଛୁଆ ଦି ଜଣ। ସୁନନ୍ଦାର ଛୁଟି ନାହିଁ। ଆହା...ଏଇବେଳେ ଯଦି ଥାଆନ୍ତା ଘରେ। ଗତ ତିନି ସପ୍ତାହ ଧରି ସେ ଅପେକ୍ଷା କରି ଆସୁଥିଲା ଲକଡାଉନ କେବେ ଉଠିବ ଓ ସେ ଫେରିବ ଘରକୁ।ହେଲେ ସରକାର ଆଉ ଦୁଇ ସପ୍ତାହ ଲକଡାଉନ ବଢ଼େଇ ଦେବା ପରେ ହତାଶ ହୋଇ ପଡ଼ିଥିଲା ସେଏଠି ଭୁବନେଶ୍ୱରରେ ସେ ଖୁବ ବେଶୀ ଅସୁବିଧାରେ ନାହିଁ।ଜରୁରୀ ସାମଗ୍ରୀ ସବୁ ଅଛି ତା ପାଖରେ।ଟିଭିରେ ଅଛି ଚବିଶ ଘଣ୍ଟାର ମନୋରଞ୍ଜନ।ସ୍ମାର୍ଟ ଫୋନରେ ଫେସବୁକ ଓ ହ୍ଵାଟ୍ସଆପ।ପରିବାର ଓ ଆତ୍ମୀୟମାନଙ୍କ ସହ କଥା ହେଉଛି ସେ ଭିଡିଓ କଲିଂ କରି।ତେବେ ବି କାହିଁକି କଟୁନି ସମୟ।ରାତିରେ ନିଦ ଆସୁନି ଆଖିକୁ।ସତରେ ବଡ଼ ଦୁର୍ବିସହ ଏଇ ସମୟ।କେଜାଣି ରାତି କେତେଟାରେ ନିଦରେ ଶୋଇଥିଲା ସୁନନ୍ଦ।ମୋବାଇଲ ରିଂ ହେବାର ଶବ୍ଦରେ ଉଠି ବସିଲା ସେ।ଏକ ଅଜଣା ନମ୍ବରରୁ ଫୋନ ଆସିଚି।ସୁନନ୍ଦକୁ ଭାରି ଡର ମାଡ଼ିଲା।ଘଂଟାରେ ତିନିଟା।ଏତେ ରାତିରେ କିଏ ଫୋନ କରୁଚି?

-"ହ୍ୟାଲୋ..."।ଦୋ ଦୋ ପାଞ୍ଚ ହୋଇ ଫୋନ ଉଠାଇଲା ସେ।

-"ଭାଇନା.....ମୁଁ ରଘୁଆ କହୁଚି।ମୋତେ ଉଦ୍ଧାର କର।"ଏକ ରକମ କାନ୍ଦୁଥିଲା ଲୋକଟି।

-"କୋଉ ରଘୁଆ?ମୁଁ ଜାଣି ପାରିଲିନି।"ସୁନନ୍ଦ ପ୍ରକାଶ କଲା ନିଜର ଅଜ୍ଞତା।

-"ଆମ ଘର ସୁଜନପୁର, ଭାଇନା।ପାଣ ସାହିରେ।ତୁମେ ଆମରି ଗାଁର ଲୋକ।ବିପଦରେ ପଡିଚି।ମୋତେ ସାହା ହୁଅ।"

-"ଓ....ରଘୁଆ!ଅନାମଦାଦିର ପୁଅ!!କଣ ହେଇଛି ତୋର?ଏତେ ରାତିରେ?"ଏତେବେଳକୁ ସୁନନ୍ଦ କିଛିଟା ପ୍ରକୃତିସ୍ଥ ହୋଇ ସାରିଥିଲା।

-"ଭାଇନା,ମୁଁ ସୁରତରେ ଅଛି।ଲକଡାଉନ ଯୋଗୁଁ କାମ ବନ୍ଦ।ମାଲିକ ଦରମା ବି ଦେଇନି।ଭୋକ ଉପାସରେ ଦିନ ଯାଉଛି।ଭାବି ଥିଲି,ଲକଡାଉନ ଉଠି ଥିଲେ, ଗାଁକୁ ପଳେଇ ଆସି ଥାଆନ୍ତି।କିନ୍ତୁ ସରକାର ଲକଡାଉନକୁ ଅପ୍ରେଲ ୩୦ ପର୍ଯ୍ୟନ୍ତ ବଢ଼େଇ ଦେଲେଣି।ଏଠି ଭୋକରେ ଆମେ ମରିଯିବୁ, ଭାଇନା।"କାନ୍ଦୁଥିଲା ରଘୁଆ।

ରାତିର ଶେଷ ପ୍ରହରରେ ରଘୁଆର ଫୋନ ହତବାକ କରିଦେଇ ଥିଲା ସୁନନ୍ଦକୁ।ସେ କଣ କହି ତାକୁ ଆଶ୍ୱାସନା ଦେବ?ଲକଡାଉନ ଯୋଗୁଁ ଲକ୍ଷ ଲକ୍ଷ ଲୋକ ହଇରାଣ ହେଉଥିବାର ଖବର ସେ ସବୁଦିନେ ଦେଖୁଚି ଟିଭିରେ।ଓଃ...କରୋନାର ପ୍ରଭାବ କେତେ କରାଳ ସତରେ!

-"ଭାଇନା....ମୋ ପିଲାଛୁଆ ମରିଯିବେ।ମୋ ସଂସାର ଭାସିଯିବ।କରୋନା ମାରିବା ଆଗରୁ ଭୋକରେ ମରି ଯାଇଥିବୁ ଆମେ।"ରଘୁଆ ବାହୁନୁ ଥିଲା ଏକ ରକମ।

ରଘୁଆକୁ କି ପ୍ରକାର ସାହାଯ୍ୟ କରି ପାରିବ ସୁନନ୍ଦ?ତାରି ଗାଁର ପିଲାଟା ସେ।ବିପଦରେ ପଡ଼ି ରାତି ବିକାଳେ ଫୋନ କରିଛି।କିଛି ତ କରିବାକୁ ହେବ ତା ଭରସାର ମୂଲ୍ୟ ଦେବାକୁ ଯାଇ।

ସୁନନ୍ଦର ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା।ସେ ରଘୁଆକୁ ପଚାରିଲା-"ତୋର ବ୍ୟାଙ୍କ ଆକାଉଣ୍ଟ ଅଛି?"

-"ହଁ, ଭାଇନା।"

-"ତୋ ଆକାଉଣ୍ଟ ନମ୍ବର ମୋତେ କହ।ମୁଁ ପାଞ୍ଚ ହଜାର ଟଙ୍କା ପଠେଇ ଦେବି ସାଙ୍ଗେ ସାଙ୍ଗେ।ଯଦି ଆଉ ଦରକାର ପଡ଼େ କହିବୁ।"

-"ଆପଣଙ୍କୁ ଭଗବାନ ଆହୁରି ବଡ଼ଲୋକ କରନ୍ତୁ, ଭାଇନା।ଆପଣ ଆମ ଗାଁର ଗର୍ବ।"ରଘୁଆ ଏବେବି କାନ୍ଦୁଥିଲା।ଏଇ କାନ୍ଦ କିନ୍ତୁ ଖୁସିର ଥିଲା ନିଶ୍ଚୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational