Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

TapaswiniDash Sarangi

Inspirational

4  

TapaswiniDash Sarangi

Inspirational

ସ୍ନେହର ପଣତ

ସ୍ନେହର ପଣତ

5 mins
36


ମୁକ୍ତା... ମୁକ୍ତା... ଶୁଭୁଛି କି ନାହିଁ ତୁମକୁ? ଆରେ ଡେରି ହେଲାଣି ମ୍ୟାଡାମ୍ ଜଲଦି ଆସ, ସେପଟେ ବହୁତ ଫର୍ମାଲିଟି ପୁରା କରିବାର ଅଛି ଯେ,.. ଏମିତି କହି କାର୍ ପାଖରୁ ଡାକ ଛାଡ଼ୁଥିଲେ ସମ୍ବିତ୍ । 

ହଁ ହଁ ଆସୁଛି !ବୁଝିଲ ନା ସମ୍ବିତ୍ ତୁମକୁ ବାହା ହେଇକି ତିନି ବର୍ଷ ହେଇଗଲା କେବେ ବି ତୁମକୁ ଲେଟ୍ ହେବା ଦେଖିନି । ଆରେ ବାବା ତୁମେ ସିନା ପୁରୁଷ ପିଲା ଖାଲି ନିଜ କାମ ଶେଷ କରି ରେଡ଼ି ହୋଇଯାଅ । ଭାବିଲ ଥରେ ସ୍ତ୍ରୀ ଲୋକଙ୍କ କଥା । ନିଜ କଥା ପରିବାର କଥା ବୁଝିଶୁଝି ବାହାରିଲା ବେଳକୁ ଲେଟ୍ ହେବ ନା ନାହିଁ କହିଲ । ହସି ହସି କହିଲା ମୁକ୍ତା । ମୁକ୍ତା ଜଣେ ଉଚ୍ଚ ଶିକ୍ଷିତା ଆଉ ପେଶାରେ ଜଣେ ଓ.ଏ.ଏସ୍.ଅଫିସର୍ । ସମ୍ବିତ୍ ଜଣେ ସୁନାମଧନ୍ୟ ଡାକ୍ତର । ମୁକ୍ତାର ଚିନ୍ତାଧାରା ସମସ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସେହି ଭିନ୍ନ ଚିନ୍ତାଧାରା ଭିତରେ ତା'ର ଏକ ଇଚ୍ଛା ଥିଲା ଅନାଥାଶ୍ରମରୁ ଏକ ଛୁଆ ଆଣି ପାଳିବାକୁ । ସେଥିପାଇଁ । ସେ ସମ୍ବିତଙ୍କ ସହିତ ଆପୋଷବୁଝାମଣା କରି ସ୍ଥିର କରିଛନ୍ତି ନିଜେ ଛୁଆ ଜନ୍ମ ନ'କରି ଅନାଥାଶ୍ରମରୁ ଛୁଆଟିଏ ଆଣି ମାତୃତ୍ଵର ସୁଖ ପାଇବ । ପ୍ରଥମେ ପ୍ରଥମେ ସମ୍ବିତ୍ ଅମଙ୍ଗ ହେଉଥିଲେ ସିନା କିନ୍ତୁ ଏବେ ରାଜି । କିନ୍ତୁ ଶାଶୁ ଶ୍ଵଶୁରଙ୍କୁ ମନେଇବା ଏତେ ସହଜ ନଥିଲା ମୁକ୍ତା ପାଇଁ । ସେମାନେ ଶିକ୍ଷିତ ହୋଇଥିଲେ ବି ସେଇ ପୁରୁଣା କାଳିଆ ଚିନ୍ତାଧାରାକୁ ସେମାନେ ଧରି ବସିଛନ୍ତି । ସେମାନଙ୍କୁ ନିଜର ନାତି ଟିଏ ଦରକାର ବଂଶକୁ ଆଗକୁ ନେବା ପାଇଁ । ତଥାପି ମୁକ୍ତା ଆଉ ସମ୍ବିତ୍ ଭାବି ନେଇଛନ୍ତି ସମୟ ସହିତ ସବୁ ଠିକ୍ ହୋଇଯିବ । ଆଉ ଆଜି ବାହରିଛନ୍ତି ଅନାଥାଶ୍ରମ । ଦୁହେଁ ଅନାଥାଶ୍ରମରେ ପହଞ୍ଚିଲେ ଆଉ ସବୁ ଫର୍ମାଲିଟି ପୂରଣ କରି ଘରକୁ ନେଇ ଆସିଲେ ଏକ ଦୁଇ ତିନି ମାସର କୁନି ଝିଅକୁ । 

ସେମାନେ ଦୁହେଁ ଭଲ ଭାବେ ବୁଝି ସାରିଥିଲେ ଯେ ତାଙ୍କ ଏ ପଦକ୍ଷେପ ଘରେ ଅନ୍ୟମାନଙ୍କୁ ଭଲ ଲାଗିବନି । ହୁଏତ ଏ କୁନି ଝିଅଟିର ଗୁଲୁଗୁଲିଆ ହସ ଓ ସରଳିଆ ମୁହଁ ଦିନେ ସମସ୍ତଙ୍କ ମନକୁ ମୋହି ନେବ । କାର୍ ଘରର ଗେଟ୍ ଭିତରକୁ ପଶିଲା । ହେଲେ କେହି ବି ଜଣେ ଖୁସିରେ ବାହାରକୁ ଆସିଲେନି । ମୁକ୍ତାକୁ ଖରାପ ଲାଗୁଥିଲା ସତ କିନ୍ତୁ ସମ୍ବିତଙ୍କର ଉତ୍ତମ ବୁଝାମଣା ଓ ସହଯୋଗ ତା' ମନକୁ ଦମ୍ଭ ଦେଉଥିଲା । ଗୋଟେ ଝିଅ ପରଘରକୁ ଗଲେ ତା'କୁ କେହି ଆପଣାର କରନ୍ତୁ କି ନକରନ୍ତୁ ଯଦି ତା' ସ୍ଵାମୀ ଯାହାର ବିଶ୍ଵାସରେ ସେ ନିଜ ବାପଘର ଛାଡ଼ି ଆସିଥାଏ ସେ ଯଦି ଟିକିଏ ସହଯୋଗର ହାତ ପ୍ରେମର ପରଶ ଦେବ ତାହାଲେ ସେ ଝିଅକୁ ସରଗର ସୁଖ ମିଳିଥାଏ । ହୁଏତ ସେମିତି ଭାଗ୍ୟବତୀ ଥିଲା ମୁକ୍ତା । 

କୁନି ଝିଅଟିର ନାମ ଦେଲେ ସ୍ଥିତି । ସ୍ଥିତି ରାତି ଯାକ ଶୁଆଇଦିଏନି ସମ୍ବିତ୍ ଆଉ ମୁକ୍ତାଙ୍କୁ ସକାଳ ହେଲେ ଶୋଇଯାଏ । ରାତି ଯାକ ଝିଅ ସହ ଅନିଦ୍ରା ହୋଇ ତା'ପରଦିନ ସମ୍ବିତ୍ ବାହାରନ୍ତି ହସ୍ପିଟାଲ୍ ଆଉ ମୁକ୍ତା ତା' ଅଫିସ୍ । କେବେ ବି ସମ୍ବିତ୍ ରାଗି ନାହାନ୍ତି ମୁକ୍ତା ଉପରେ ଓଲଟି କୁହନ୍ତି ତୁମେ ଟିକେ ଶୋଇପଡ଼ ମୁଁ ଦେଖୁଛି ସ୍ଥିତିକୁ । ଦିନଯାକ ଝିଅର ଦେଖାଶୁଣା କରିବାକୁ ଏକ ଗରୀବ ସ୍ତ୍ରୀ ଲୋକକୁ ରଖିଲେ । ଯଦିଓ ଘରେ ସମ୍ବିତଙ୍କର ବାପା ମା' ସାନ ଭଉଣୀ ଅଛନ୍ତି । କାରଣ ସେମାନେ । ଆଡ଼ ଆଖିରେ ଦେଖନ୍ତିନି କୁନି ଝିଅଟିକୁ । ଅନେକ ଥର ଶାଶୁଙ୍କର କଟୂ କଥା ଶୁଣିଛି ମୁକ୍ତା । ଏମିତିକି ବାଞ୍ଝ କହିବାକୁ ପଛେଇ ନାହାନ୍ତି ଶାଶୁ । ନିଜ ବାଞ୍ଝତ୍ଵକୁ ଲୁଚେଇବାକୁ ମୁକ୍ତା କୁଆଡ଼େ ଏ ନାଟକ କରିଛି ବୋଲି ତାଙ୍କର ଧାରଣା । ମୁକ୍ତା ସେସବୁ କଥାକୁ ଧ୍ୟାନ ଦିଏନି । ନିଜର ବୋହୂ ହେବାର କର୍ତ୍ତବ୍ୟକୁ ସୁଚାରୁ ରୂପେ ପାଳନ କରିଛି ।  

ଦିନ ପରେ ଦିନ ଗଡ଼ିଲା ସ୍ଥିତି ସ୍କୁଲ୍ ଯିବାକୁ ଲାଗିଲା । ତା ହସ ତା ଖେଳ କିଏ ବି ଦେଖିଲେ ଖୁସି ହୋଇଯିବ । ହେଲେ ପାରିବାରିକ ଅଶାନ୍ତି ଏତେ ଅସହ୍ୟ ହେଲା ମୁକ୍ତା ଓ ସମ୍ବିତ୍ ବାଧ୍ୟ ହୋଇ ଠିକ୍ କଲେ ନିଜର ଜନ୍ମିତ ସନ୍ତାନ ପାଇଁ । କିନ୍ତୁ ମନରେ ଡର ଥାଏ କାଳେ ସେମାନେ ନିଜ ପିଲାଟି ପାଇ ସ୍ଥିତିକୁ ହେଳା କରିବେନି ତ..ଏମିତି ଅନେକ ଆଶଙ୍କା । ବର୍ଷେ ପରେ ତାଙ୍କ କୋଳରେ ଜନ୍ମ ନେଲା ଏକ ପୁତ୍ର ସନ୍ତାନ । ଶାଶୁ ଶ୍ଵଶୁର ବହୁତ ଖୁସି । ଅଜାଣତରେ ଶାଶୁଙ୍କୁ ଶକ୍ତ ଧକ୍କା ଲାଗିଥିଲା । କାହିଁକିନା ଦିନେ ବାଞ୍ଝର ଆଖ୍ୟା ଦେଇଥିଲେ ସେ ମୁକ୍ତାକୁ । ପୁଅଟିର ନାଁ ଅମ୍ଳାନ ରଖିଲେ । ନାତିର ପ୍ରେମରେ ଅନ୍ଧ ହୋଇ ତାକୁ ବହୁତ ଗେହ୍ଲା କରୁଥିଲେ ଗୋସେଇଁ ବାପା ମା । ମୁକ୍ତାଙ୍କୁ ଏସବୁ କଥା ବହୁତ ବାଧୁଥିଲା, ସେ ସେମାନଙ୍କର ଏତେ ପ୍ରେମର ଗୋଟିଏ ବୁନ୍ଦା ସ୍ଥିତି ପାଇଁ କେବେ ଦେଖିନଥିଲା । ସ୍ଥିତିକୁ ଦେଖାଶୁଣା କରୁଥିବା ସ୍ତ୍ରୀ ଲୋକକୁ ବି ମନା କରିଦେଲେ ଶାଶୁ ଅମ୍ଳାନକୁ ଦେଖିବା ପାଇଁ । ସ୍ଥିତି ଯେବେ ଜେଜେ ମା' କହି କୋଳେଇ ନିଏ ତାକୁ ନାକଟେକି ଠେଲି ଦିଅନ୍ତି ମୁକ୍ତାର ଶାଶୁ । ମୁକ୍ତାର ଶ୍ଵଶୁର ମାର୍କେଟ୍ ଯାଇ ନାତି ପାଇଁ ଖେଳନା ଚକଲେଟ୍ ଏମିତି ଅନେକ କିଛି ଆଣନ୍ତି କିନ୍ତୁ ସ୍ଥିତିକୁ କିଛି ଦିଅନ୍ତି ନାହିଁ । 

ଅମ୍ଳାନ ଧୀରେ ଧୀରେ ବଡ଼ ହେଲା ସେ ବି ସ୍କୁଲ୍ ଗଲା । କିନ୍ତୁ ଜେଜେ ବାପା ମା'ଙ୍କ ପ୍ରେମରେ ପୁରା ବିଗିଡ଼ି ଯାଇଥିଲା । ସମ୍ବିତ୍ ଅନେକ ଥର ନିଜ ବାପା ମା'ଙ୍କୁ ବୁଝେଇବାକୁ ଚେଷ୍ଟା କରିଛି ହେଲେ ସେମାନେ ତା କଥାକୁ ବେଖାତିର୍ କରି ଜବାବ ଦେଇ କହିଛନ୍ତି ତୁ ଆମକୁ ଶିଖେଇବୁ ପିଲାଙ୍କୁ ବଡ଼ କେମିତି କରନ୍ତି । 

ସ୍ଥିତି ଆଉ ଅମ୍ଳାନ ଗୋଟିଏ ସ୍କୁଲରେ ପଢ଼ନ୍ତି । ସହରର ସବୁଠାରୁ ବଡ଼ ସ୍କୁଲ୍ ରେ ଦୁହିଁଙ୍କ ନାମ ଲେଖା ଯାଇଛି । ଏକାଠି ସ୍କୁଲ୍ ଯାଉଛନ୍ତି । ସ୍ଥିତିର ଯେତିକି ଭଲପାଇବା ଅମ୍ଳାନ ପ୍ରତି ତା'ଠାରୁ ଯଥେଷ୍ଟ ଅଧିକ ଘୃଣା ଅମ୍ଳାନ ମନରେ ସ୍ଥିତି ପାଇଁ । ସ୍ଥିତି ଅଷ୍ଟମ ଶ୍ରେଣୀରେ ଆଉ ଅମ୍ଳାନ ପଞ୍ଚମରେ । ସ୍ଥିତି ବହୁତ ଭଲ ପଢ଼େ,କିନ୍ତୁ ଅମ୍ଳାନର ପାଠରେ ଜମାରୁ ଧ୍ୟାନ ନଥାଏ । ସବୁବେଳେ ବହୁତ ଦୁଷ୍ଟାମୀ କରେ । ସବୁଦିନ ପ୍ରାୟ ମୁକ୍ତା ଆଉ ସମ୍ବିତ୍ ପୁଅର ଅଭିଯୋଗ ଶୁଣି ଶୁଣି ଅତିଷ୍ଠ ହୋଇଗଲେଣି । କଣ ବା କରିବେ ସେମାନେ ଥୟ କରି ପାରୁନଥିଲେ । ଶେଷରେ ଭାବିନେଲେ ପୁଅକୁ ହଷ୍ଟେଲରେ ଛାଡ଼ିଦେବେ । ଘରେ ରହି ସେ ଦୁଷ୍ଟ ହୋଇ ଯାଉଛି । ସମ୍ବିତର ବାପା ମା' କିନ୍ତୁ ସବୁ ରାଗ ସ୍ଥିତିକୁ ଗାଳି ଦେଇ ଶୁଝାଉ ଥାଆନ୍ତି । ସ୍ଥିତିର ବି ଇଚ୍ଛା ନାହିଁ ଭାଇକୁ ହଷ୍ଟେଲ୍ ପଠେଇବାକୁ । ଆଉ ଦୁଇ ଦିନ ଗଲେ ଅମ୍ଳାନ ହଷ୍ଟେଲ୍ ଯିବ । ଏମିତି ଭାବୁ ଭାବୁ ଗୋଟେ ଚିତ୍କାର ଶୁଭିଲା । ଧାଇଁ ଯାଇ ଦେଖେ ତ ଜେଜେ ସିଡ଼ି ପାହାଚରୁ ଖସି ତଳେ ପଡ଼ି ପାଟି କରୁଛନ୍ତି । ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି ଆଉ ଗୋଡ଼ ମକଚି ହୋଇଯାଇଛି । ଘରେ କେହି ନାହାଁନ୍ତି ମୁକ୍ତା ଅଫିସରେ ,ସମ୍ବିତ୍ ହସ୍ପିଟାଲରେ ,ଜେଜେ ମାଆ ବି ମନ୍ଦିର ଯାଇଛନ୍ତି । ସେ ଅମ୍ଳାନକୁ କହିଲା ଆସେ ଦୁହେଁ ମିଶି ଜେଜେଙ୍କୁ ଉଠେଇବା । ହେଲେ ଅମ୍ଳାନ ମୋବାଇଲରେ ବ୍ୟସ୍ତ ସେ ସିଧା ମନା କରିଦେଲା ଆସି ପାରିବିନି । ସେ ମୁକ୍ତା ଆଉ ସମ୍ବିତଙ୍କୁ ଫୋନ୍ କରି ସବୁ ଜଣେଇଲା । ସେମାନେ ଆସିବା ଭିତରେ ସେ ଜେଜେଙ୍କୁ କହିଲା, ଜେଜେ ବ୍ୟସ୍ତ ହୁଅନି ମୁଁ ତୁମକୁ ଉଠେଇ ରୁମକୁ ନେଉଛି କହି ସ୍ଥିତି ବହୁତ କଷ୍ଟରେ ତା' ଜେଜେଙ୍କୁ ଉଠେଇ ଖଟ ଉପରକୁ ନେଲା । ମୁଣ୍ଡରେ ବୋହୁଥିବା ରକ୍ତକୁ ପୋଛି ଅଏଣ୍ଟମେଣ୍ଟ୍ ଲଗେଇ ଦେଲା । ଆଉ ଗୋଡ଼ରେ ଗରମ ପାଣି ସେକ ଦେଲା । ଜେଜେଙ୍କ ଆଖି ଲୁହରେ ଛଳଛଳ ହୋଇ ଯାଉଥିଲା,ଏତିକି ସମୟ ଭିତରେ ମୁକ୍ତା,ସମ୍ବିତ୍ ଆଉ ମୁକ୍ତାର ଶାଶୁ ଆସି ପହଞ୍ଚିଗଲେ । ସ୍ଥିତିର ଏମିତି ଆଚାର ବ୍ୟବହାରରେ ତା'ଜେଜେ ମା' ଲାଜରେ ତଳକୁ ମୁହଁ କରି ନିଜ ଲୁହକୁ ନିଜ ପଣତରେ ପୋଛୁଥିଲେ । ମୁକ୍ତା ଆଉ ସମ୍ବିତଙ୍କ ଆଗରେ ନିଜ ଭୁଲ ସ୍ଵୀକାର କରୁଥିଲେ ସମ୍ବିତ୍ ର ବାପା ମା' ଦୁଇଜଣ । ଯେଉଁ ଝିଅକୁ ଏତେ ଘୃଣା ଚକ୍ଷୁରେ ସେମାନେ ଦେଖୁଥିଲେ ସିଏ ଆଜି ତା' ନିଷ୍ଠା ଆଉ ବ୍ୟବହାରରେ ସେମାନଙ୍କ ମନରେ ଏକ ସ୍ଵତନ୍ତ୍ର ଜାଗା ନେଇଛି । ଖାଲି ରକ୍ତ ସମ୍ପର୍କ ଯେ ଆପଣାର ସେ ଧାରଣା ଭୁଲ । ଯେଉଁଠି ଅମ୍ଳାନ ନିଜର ହୋଇବି ଟିକେ ସ୍ଥିତିକୁ ସହଯୋଗର ହାତ ବଢ଼ାଇଲାନି,ସେଇଠି ସ୍ଥିତି ଏକଲା ନିଜର ମନୋବଳକୁ ଦୃଢ଼ କରି ଆଜି ଏତେ ବଡ଼ କାମ କଲା । ଦୀର୍ଘ ଦଶ ବର୍ଷ କାଳ ଯେଉଁ ସମ୍ପର୍କକୁ ନିଜର କରି ହେଉନଥିଲା ଆଜି ଦଶ ମିନିଟ୍ ରେ ଏକ ସ୍ନେହର ବନ୍ଧନର ନାମରେ ନାମକରଣ ହୋଇ ପାରିଲା । ମୁକ୍ତାର ଏତେ ବର୍ଷର ପ୍ରଚେଷ୍ଟା ନିଜ ଶାଶୁ ଶ୍ଵଶୁରଙ୍କୁ ମନେଇବା ପାଇଁ ଆଜି ସ୍ଥିତି ନିଜେ କରି ଦେଖେଇଲା । ଆଉ ମୁକ୍ତା ହସି ହସି ସମ୍ବିତଙ୍କୁ ଚାହିଁ ଚୁପି ଚୁପି କହିଲା ବୁଝିଲ ଡାକ୍ତର ବାବୁ ତୁମେ ଡାକ୍ତର ବୋଲି ଜାଣିଥିଲି ହେଲେ ଭବିଷ୍ୟତଦ୍ରଷ୍ଟା ବୋଲି ଆଜି ଜାଣିଲି । ତୁମେ ମୋତେ ଭବିଷ୍ୟତକୁ ଅପେକ୍ଷା କର ବୋଲି ସବୁଦିନ ବୁଝାଉଥିଲ । ସମ୍ବିତ୍ ସ୍ମିତ ହାସ୍ୟ ଦେଇ କହି ଉଠିଲେ, ଧନ୍ୟ ତୁମେ ଧନ୍ୟ ତୁମ ମମତା,ଧନ୍ୟ ତୁମ ଚିନ୍ତାଧାରା ଆଉ ଧନ୍ୟ ତୁମର ସେ ସ୍ନେହର ପଣତ ଯେଉଁ ପଣତ ତଳେ ଏକ ଅଲୋଡ଼ା ଜୀବନଟେ ସାହାରା ନେଇ ତୁମକୁ ପ୍ରଥମ ମାତୃତ୍ଵର ସ୍ଵାଦ ଚଖେଇଥିଲା । ତୁମ ପରି ଏ ମହାନ ଚିନ୍ତାଧାରା ଯଦି ଏ ଦୁନିଆରେ ପ୍ରତ୍ୟେକଟି ମଣିଷ ଯଦି ଭାବନ୍ତେ ହୁଏତ ଏ ଅନାଥାଶ୍ରମର ସଂଖ୍ୟା କିଛି ମାତ୍ରାରେ କମି ଯାଆନ୍ତା । ସମସ୍ତେ ଭଲ ମୁଡରେ ଥିବା ଦେଖି ସ୍ଥିତି ମୁକ୍ତା ଓ ସମ୍ବିତଙ୍କୁ ଅନୁରୋଧ କଲା ଅମ୍ଳାନକୁ ଆଉ ଗୋଟେ ସୁଯୋଗ ଦେବା ପାଇଁ । ସମ୍ବିତ୍ ସ୍ଥିତିର କଥା ଶୁଣି ତା' କଥାରେ ରାଜି ହୋଇଗଲେ । 


 



Rate this content
Log in

More oriya story from TapaswiniDash Sarangi

Similar oriya story from Inspirational