Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Minakshi Samal

Inspirational

3  

Minakshi Samal

Inspirational

***ସ୍ନେହମୟୀ***

***ସ୍ନେହମୟୀ***

5 mins
349


କାଲି ଦଶହରାର ଶେଷ ପର୍ଯ୍ୟାୟରେ ଦ୍ବିପ୍ରହର ଠାରୁ ସଧବା ନାରୀ ମାନେ ହାତରେ ପୂଜାଥାଳିରେ ସିନ୍ଦୁର,ମିଠା ଆଦି ସଜାଇ ମା ଦୁର୍ଗାଙ୍କୁ ବିଦାୟ ବନ୍ଦାଣ କରି ପରଷ୍ପର ସହ ସିନ୍ଦୁର ଖେଳା କରୁଥିଲେ କଲିକତାର

ସମସ୍ତ ପୂଜା ମଣ୍ଡପରେ। ଦୂର ଦୁରାନ୍ତରୁ ଆସିଥିବା ଢାକି ମାନଙ୍କର ଢାକ(ବଡ ଡ୍ରମ ପରି ଏକ ବାଦ୍ୟଯନ୍ତ୍ର)ବଜାଇବା କ୍ରମଶଃ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚୁଥିଲା।


ଏଥର ଦୁର୍ଗାପୂଜାରେ ନିଜ ବାବାକୁ ବହୁତ ନେହୁରା ହୋଇ କହିଥିଲା ସଣ୍ଟୁ....ବାବା ଓ ବାବା ଆମାକେ ଏବାର କୋଲକାତାର ପୂଜୋ ଦ୍ୟାଖାତେ ନିଏ ଯାଓ ନା।(ବାବା ଏଥରକ ମତେ କଲିକତାର ପୂଜା ଦେଖେଇ ବାକୁ ନେଇଯାଅ ନା)।


ବାବା ପରିମଳ ସାଙ୍ଗରେ ସଣ୍ଟୁକୁ ନେବାକୁ ରାଜି ନଥିଲା କାରଣ ଭୋରରୁ ଆରମ୍ଭ କରି ମଧ୍ୟରାତ୍ର ପର୍ଯ୍ୟନ୍ତ ପେଣ୍ଡାଲ ପାଖରେ ରହିବାକୁ ପଡିବ ଓ ଢାକ ବଜାଇବାକୁ ପଡିବ।ନିଜେ କ'ଣ ଟିକେ ପାଟିରେ ଦେଇ ପାଣିମୁନ୍ଦେ ପିଇଦେଲେ କାମ ଚଳିଯିବ କିନ୍ତୁ ପିଲାଟି ସାଙ୍ଗରେ ଥିଲେ ତା କଥା ବୁଝିବାକୁ ସମୟ ତ ହେବନାହିଁ ତାଛଡା ପିଲାଟି ସାରାଦିନ ଖରାତରାରେ ହାଲିଆ ହେଇଯିବ।ରୋକଠୋକ ମନାକରି ଦିଆଗଲା ସଣ୍ଟୁକୁ।


ସକାଳୁ ସକାଳୁ ପୁରୁଲିଆର ଅନ୍ୟ ଢାକିମାନଙ୍କ ସହ ନିଜର ସାଜ ସରଞ୍ଜାମ ନେଇ ପରିମଳ ଯେତେବେଳେ ବାହାରିଲା,ସଣ୍ଟୁ ବାହାରି ପଡିଲା ତା'ର ଛୋଟ ଗୋଟିଏ ଗଣ୍ଠିଲି ଧରି। ମା' ଯେତେ ବୁଝେଇଲେ ବି ଅବୁଝା ଆଠ ବର୍ଷର ପିଲାଟି କାନ୍ଦିକାନ୍ଦି ଗଡିଗଲା। ବାବାର ହୃଦୟ ତରଳିଗଲା। କାଖେଇ ନେଲା ପୁଅକୁ ଓ ଚାଲିଲା ଷ୍ଟେସନ ଅଭିମୁଖେ।


ଦିନ ଦୁଇଟାରେ ନିର୍ଦ୍ଧାରିତ ସଲ୍ଟଲେକ୍ ର ଏଫ୍.ଡି.ବ୍ଲକ୍ ର ପୂଜା ପେଣ୍ଡାଲ ରେ ପହଞ୍ଚିଗଲେ ଢାକିମାନେ। ପ୍ରତିବର୍ଷ ଏଇ ଜାଗାର ପେଣ୍ଡାଲଟି ଖୁବ ସୁନ୍ଦର ଭାବେ ନିର୍ମିତ ହୁଏ ଓ ଅନେକ ପୁରସ୍କାର ମଧ୍ୟ ପାଏ। ଖୁବ ଲୋକାରଣ୍ୟ ହୁଏ ଏଇ ପେଣ୍ଡାଲଟି।


ଏତେ ରଙ୍ଗୀନ ଆଲୋକସଜ୍ଜା,ଭଳିକି ଭଳି ଖାଇବା ଦୋକାନ,ଖେଳଣା,ବେଲୁନ ଓ ଲୋକଙ୍କର ଗହଳି ଚହଳି ଦେଖି ସଣ୍ଟୁ ଆଖିରେ ପଲକ ପଡୁ ନଥାଏ। ମନ ତାର ଖୁସିରେ ନାଚି ଉଠୁଥାଏ। ସହରୀ ପିଲାମାନଙ୍କୁ ଦେଖି ମନେମନେ ଭାବୁଥାଏ ମୁଁ ବି ଏମିତି ପୋଷାକ ପିନ୍ଧନ୍ତି କି,କଳା ଚଷମା ପିନ୍ଧି ,ଗୋଡରେ ଜୋତା ମଡେଇ ବାପା ମାଆଙ୍କ ସାଙ୍ଗରେ ବୁଲନ୍ତି କି!


ପୂଜା କମିଟିର ସେକ୍ରେଟାରୀ ଅରବିନ୍ଦ ବାବୁ ଢାକି ମାନଙ୍କୁ ଢାକ୍ ବଜାଇବାର ନିର୍ଦ୍ଦେଶ ଦେଇ କମିଟିର ଅନ୍ୟ ସଦସ୍ୟ ମାନଙ୍କ ପାଖକୁ ଚାଲିଗଲେ। ପରିମଳ ଓ ଅନ୍ୟ ଢାକିମାନେ ପୁରା ଦମ୍ ଲଗେଇକି ଢାକ୍ ବଜାଇବା ଆରମ୍ଭ କଲେ।


ସଣ୍ଟୁ ଖାଲି ବଲବଲ କରି ଚାରିଦିଗକୁ ଦେଖୁଥିଲା। ନିପଟ ମଫସଲରୁ ଆସିଥିବା କିଶୋର ଟି ସହରର ଚାକଚକ୍ୟରେ ଅଭିଭୂତ ହୋଇ ପଡୁଥିଲା।


ଏଇ ଛେଲେ,ଏଇ ଦିଗେ ଆଏ ତୋ(ଏ ପିଲା ଏପଟେ ଆସ ତ)।ହଠାତ୍ କାହାର ଡାକ ଶୁଣି ବୁଲିପଡି ଚାହିଁଲା ସଣ୍ଟୁ। ହାତରେ ଭୋଗର ଦନା ଟିଏ ନେଇ କେହିଜଣେ ସୁନ୍ଦରୀ ମଧ୍ୟବୟସ୍କା ମହିଳା ତାକୁ ହାତଠାରି ଡାକୁଥିଲେ। ସ୍ମିତହସ ହସୁଥିବା ମହିଳାଟି ତାକୁ ଭାରି ସ୍ନେହମୟୀ ମନେହେଲେ। ସଣ୍ଟୁ ତାଙ୍କ ପାଖକୁ ଆସିବାରୁ ଭୋଗ ଦନାଟି ତା ହାତକୁ ବଢେଇ ଦେଇ ମହିଳା ଜଣକ କହିଲେ.....ଯା ଏଇ ଭୋଗ ନେଇ ଖାଇଦେବୁ। ସଣ୍ଟୁ ବୋକା ହୋଇ ଅନେଇ ରହିଥିବା ଭିତରେ ମହିଳା ଜଣକ ସେଠାରୁ ଚାଲି ଯାଇଥିଲେ। ସଣ୍ଟୁ ବାବା ପାଖକୁ ଆସି ଭୋଗ ଦନା ବିଷୟରେ ବଖାଣିବାକୁ ଲାଗିଲା।


ବାସ୍ ୟା ପର ଠାରୁ ସଣ୍ଟୁ ସବୁ ସମୟରେ ସେଇ ସ୍ନେହମୟୀ ମହିଳାଙ୍କ ଦେଖିବାକୁ ବ୍ୟଗ୍ର ହୋଇ ଅପେକ୍ଷା କରୁଥିଲା। ମହିଳା ମାନେ ରଙ୍ଗବିରଙ୍ଗୀ ଶାଢୀ ପିନ୍ଧି ଅଳଙ୍କାରରେ ମଣ୍ଡି ହୋଇ ହାସ୍ୟରୋଳ କରି ଯାଉଥିବା ଓ ଆସୁଥିବା ସମୟରେ ସେମାନଙ୍କ ଭିତରୁ ନିରେଖି ଦେଖୁ ଦେଖୁ ସଣ୍ଟୁ ନିଜର ଚିନ୍ହା ମୁହଁଟିକୁ ଦେଖି ନପାରି ନିରାଶ ହୋଇଯାଉଥିଲା।


ଅଷ୍ଟମୀ ଦିନ ମା' ଦୁର୍ଗାଙ୍କର ସନ୍ଧିପୂଜା ଚାଲିଥାଏ। ଘଣ୍ଟ ,ଘଣ୍ଟା,ଶଙ୍ଖ ,ହୁଳହୁଳି ନାଦରେ ଚତୁର୍ଦ୍ଦିଗ ଫାଟିପଡୁଥାଏ। ଭକ୍ତ ମାନେ ପୁଷ୍ପାଞ୍ଜଳି ଦେବାପାଇଁ ପୂଜକ ମହାଶୟଙ୍କ ଠାରୁ ଫୁଲ ମାଗି ନେଉଥାନ୍ତି। ପୁଷ୍ପାଞ୍ଜଳି ମନ୍ତ୍ରୋଚ୍ଚାରଣ ଆରମ୍ଭ ହୋଇଯାଏ। ଭକ୍ତମାନେ ପୂଜାରୀଙ୍କ ସହିତ ସମତାଳରେ ମନ୍ତ୍ର ପଢି ଚାଲିଥାନ୍ତି। ସଣ୍ଟୁ ଏ ଭିତରେ ନିଜକୁ ସାମିଲ କରିସାରିଥାଏ। ଆଜି ତାକୁ ମନେହେଉଥାଏ ସେ ସେହି ସ୍ନେହମୟୀ ମହିଳାଙ୍କୁ ନିଶ୍ଚୟ ଖୋଜି ପାଇବ। ଆଗ ପଛ ହୋଇ ବହୁତ ଦେଖିବା ପରେ ନିରାଶ ହୋଇ ନିଜ ବାବାଙ୍କ ପାଖକୁ ଫେରିବା ସମୟରେ ହଠାତ୍ ତା ହାତକୁ କେହିଜଣେ ଧରି ପକେଇଲେ। ପଛକୁ ବୁଲି ଦେଖିବା ବେଳକୁ ଓଢଣା ତଳୁ ସେହି ଭଦ୍ର ମହିଳା ଜଣକ ମୁରୁକି ମୁରୁକି ହସୁଛନ୍ତି। ପ୍ରସନ୍ନତାର ଛାପ ସ୍ପଷ୍ଟ ବାରି ହୋଇ ପଡୁଥିଲା ସଣ୍ଟୁର ମୁଖମଣ୍ଡଳରୁ। ସଣ୍ଟୁକୁ ଡାକି ନେଇ ଗଲେ ପୂଜା ମଣ୍ଡପ ନିକଟକୁ। ପୂଜାରୀଙ୍କୁ କହି ଚରଣାମୃତ ପାତ୍ରଟି ଆଣି ସଣ୍ଟୁ ହାତରେ ଦୁଇ ଚାମଚ ଦେଲେ।ସଣ୍ଟୁ ଅପେକ୍ଷା ନକରି କହି ପକାଇଲା.....ଆପଣ ଏତେଦିନ ଧରି କୁଆଡେ ଯାଇଥିଲେ ଆଜ୍ଞା? ଆପଣଙ୍କୁ ନ ଦେଖି ମତେ ଆଦୌ ଭଲ ଲାଗୁ ନଥିଲା। ଭଦ୍ର ମହିଳା କହିଲେ.... ବାବୁ ରେ ....ଦେହ ଭଲ ନଥିଲା ରେ।ଉଠି ପାରୁ ନଥିବାରୁ ଏକା ଏକା ଏଠାକୁ ଆସିପାରୁନଥିଲି।

ମୋ ପିଲାମାନେ ବାହାରେ ରହନ୍ତି।ଏକୁଟିଆ ରହେତ।ସେଥିପାଇଁ।


ସ୍ନେହମୟୀ ମହିଳା ମିସେସ୍ ଧର ଙ୍କ ପ୍ରତି ଆକର୍ଷିତ ହୋଇପଡିଥିବା ସଣ୍ଟୁ ତାଙ୍କ ଭିତରେ ନିଜ ମା'କୁ ଦେଖୁଥିଲା।ତାଙ୍କ କଷ୍ଟ ଶୁଣି ସେ ଯେମିତି ସହିପାରୁ ନଥିଲା।


ଦେଖୁ ଦେଖୁ ଦଶହରା ଆସିଗଲା।


ଦଶହରା ଦିନ ସକାଳ ପୂଜାର୍ଚ୍ଚନା ପରେ ମା'ଦଶଭୁଜାଙ୍କୁ ସଧବା ନାରୀ ମାନେ ସିନ୍ଦୁର ଲଗାଇ ଦିଅନ୍ତି,ମିଠା ଖୁଆଇ ଦିଅନ୍ତି ଓ ଶ୍ବଶୁର ଗୃହକୁ ବିଦାୟ ଦେବାବେଳେ ଆଗାମୀ ବର୍ଷ ପୁଣି ଥରେ ଗଣେଶ,କାର୍ତ୍ତିକେୟ,ଲକ୍ଷ୍ମୀ ଓ ସରସ୍ବତୀଙ୍କୁ ସାଙ୍ଗରେ ନେଇ ବୁଲି ଆସିବାକୁ ନିମନ୍ତ୍ରଣ ଦିଅନ୍ତି।


ଦ୍ବିପ୍ରହର ବେଳକୁ ମହିଳା ମାନଙ୍କର ଏକ ଲମ୍ବା ଲାଇନ ପେଣ୍ଡାଲ ଟପି ରାସ୍ତା ଉପରକୁ ଲମ୍ବି ଯାଇଥାଏ।ସମସ୍ତେ ଜଣ ଜଣ ହୋଇ ମା'ଙ୍କୁ ବିଦାୟ ଦେବାପାଇଁ ବ୍ୟଗ୍ର ହୋଇ ଅନାଇ ଥା'ନ୍ତି।ସ୍ନେହମୟୀ ମହିଳା ଜଣକ ମଧ୍ୟ ହାତରେ ପୂଜାଥାଳି ଧରି ଧାଡିରେ ଠିଆ ହୋଇଥାନ୍ତି।ସଣ୍ଟୁ ର ଦୃଷ୍ଟିଗୋଚର ହେଲା କ୍ଷଣି ସେ ଚୁପ୍ କରି ଶ୍ରୀମତୀ ଧର ଙ୍କ ପାଖକୁ ଆସି ଠିଆ ହୋଇ ପଡିଲା।ପିଲାଟି ପ୍ରତି ଶ୍ରୀମତୀ ଧର ଙ୍କର ସ୍ନେହ ଅଜାଡି ହୋଇ ପଡୁଥିଲା।କେଜାଣି କେଉଁ ଜନ୍ମର ସମ୍ପର୍କ ଥିଲା କେଜାଣି ସଣ୍ଟୁକୁ ଦେଖିଲା ମାତ୍ରେ ତାଙ୍କର ମାତୃତ୍ବ ଉଜାଣି ବହିବାକୁ ଲାଗୁଥିଲା।


ନିଜର ପାଳି ପଡିଲା ବେଳକୁ ଅନେକ ଡେରି ହୋଇ ଯାଇଥିଲା।ସେତେବେଳ ପର୍ଯ୍ୟନ୍ତ ତାଙ୍କ ହାତଧରି ଠିଆ ହୋଇଥିଲା ସଣ୍ଟୁ।


ଦଶହରାର ଗହଳି ଭାଙ୍ଗି ଯାଇଥାଏ।ମୂର୍ତ୍ତୀ ସବୁକୁ ବିସର୍ଜନ କରିବା ପାଇଁ ପ୍ରସ୍ତୁତ କରାଯାଉଥାଏ।ଢାକି ମାନଙ୍କର ଘରବାହୁଡାର ସମୟ ଆସି ଉପନୀତ ହୋଇ ସାରିଥାଏ।ସମସ୍ତେ ଗୃହାଭିମୁଖୀ ହେବା ପୂର୍ବରୁ ନିଜ ନିଜ ପ୍ରିୟଜନଙ୍କ ପାଇଁ କିଛି କିଛି ଜିନିଷ ଯାହା ନିଜ ସ୍ବଳ୍ପ ରୋଜଗାରରେ ସମ୍ଭବ ସେସବୁ କିଣିବାରେ ବ୍ୟସ୍ତ ଥାନ୍ତି।ଶ୍ରୀମତୀ ଧର ହାତରେ ଗୋଟିଏ ସୁନ୍ଦର ପ୍ୟାକେଟ ନେଇ ଢାକି ମାନେ ରହିବାର ବ୍ୟବସ୍ଥା କରାଯାଇଥିବା ହଲ ପାଖରେ ପହଞ୍ଚିଲେ। ସଣ୍ଟୁର ନାଁ ଧରି ଡାକିବା ସଙ୍ଗେସଙ୍ଗେ ସେ ପବନ ବେଗରେ ତାଙ୍କର ସ୍ବରକୁ ବାରି ବାହାରକୁ ଆସିଗଲା। କହିଲା.....କ'ଣ ହେଲା ମା'?


ତା'ର ଏଇ ଅଚାନକ ମା'ଡାକ ଶୁଣି ସ୍ନେହମୟୀ ଶ୍ରୀମତୀ ଧରଙ୍କ ମାତୃ ହୃଦୟ ଯେମିତି ପ୍ଲାବିତ ହୋଇଗଲା। ସଣ୍ଟୁକୁ କୁଣ୍ଢେଇ ପକେଇ କହିଲେ , ତୁ ତ ଆଜି ଚାଲିଯିବୁ। ତୋ ପାଇଁ କିଛି ଜିନିଷ ଅଛି ଏଇ ପ୍ୟାକେଟରେ। ନେ ରଖିଦେ।ହଠାତ୍ କ'ଣ ହେଲା କେଜାଣି ସଣ୍ଟୁ ପ୍ୟାକେଟ ନଧରି ଶ୍ରୀମତୀ ଧରଙ୍କୁ ଜାବୁଡି ଧରି କଇଁ କଇଁ ହୋଇ କାନ୍ଦି ଉଠିଲା। କହିଲା....ମୋର ଏସବୁ କ'ଣହେବ ମା? ମୋ ବୋଉକୁ ଗାଁରେ ଛାଡି ଆସିବା ଦିନଠାରୁ ତା'ର ମମତାର ପରଶକୁ ମୁଁ ଆପଣଙ୍କ ଠାରୁ ପାଉଥିଲି। ମୋ ପାଇଁ ସେଇ ତକ ହିଁ ସବୁଠାରୁ ବଡ ଉପହାର। ସେତିକି ସନ୍ତକ ନେଇ ମୁଁ ମୋ ଗାଁ'କୁ ଫେରିଯିବି।


ପିଲାଟିର ଏପରି କଥାଶୁଣି ଶ୍ରୀମତୀ ଧରଙ୍କ ହୃଦୟ ବିଗଳିତ ହୋଇଯାଉଥିଲା। ଭିତରେ ଭିତରେ ସେ ଚମତ୍କୃତ ହୋଇଯାଉଥିଲେ ସଣ୍ଟୁର ସରଳତା ଦେଖି।


ସଣ୍ଟୁର ବାବା ପରିମଳ ମଧ୍ୟ ଏସବୁ ଦୃଶ୍ୟ ଦେଖି ତଟସ୍ଥ।ଏତିକି ଦିନ ଭିତରେ ସଣ୍ଟୁ ଓ ସେହି ଭଦ୍ର ମହିଳାଙ୍କ ମଧ୍ୟରେ ଗଢିଉଠିଥିବା ସ୍ନେହସମ୍ପର୍କକୁ ଦେଖି ସେ ଅଭିଭୂତ ତଥା ବାକଶୂନ୍ୟ ହୋଇଯିବା ପରି ମନେ ହେଉଥାଏ।


ସଣ୍ଟୁର ବାବା ଉଦ୍ଦେଶ୍ୟରେ ଶ୍ରୀମତୀ ଧର କହିଲେ.....ତୁମର ଯଦି କିଛି ଆପତ୍ତି ନଥାଏ ତେବେ ସଣ୍ଟୁକୁ ମୁଁ ମୋ ପାଖରେ ରଖି ପଢେଇ ପାରିବି କି?


ପରିମଳ ଆଁ କରି ଅନେଇ ଥାଏ। କ'ଣ ଏ ଶୁଣୁଛି? ନିଜର କାନକୁ ବିଶ୍ବାସ କରି ପାରୁନଥିଲା ସେ। ତାଙ୍କପରି ଅନାମଧେୟ ଲୋକଙ୍କୁ ସହରର ଏତେବଡ ଧନାଢ୍ୟ ପରିବାରର ମହିଳା ଏମିତି କଥାଟିଏ ପଚାରିବେ ଏହା ତା'ର ବିଶ୍ବାସର ବାହାରେ ଥିଲା। କାହିଁ କୋଉ ଅପନ୍ତରା ଗାଁରେ ବଢିଥିବା ସଣ୍ଟୁ ଆଉ କାହିଁ ଏତେବଡ ମହାନଗରୀର ସୁଉଚ୍ଚ ଅଟ୍ଟାଳିକାର ମାଲିକାଣୀଙ୍କ ଘରେ ରହି ପାଠ ପଢିବାଳ ଭାଗ୍ୟ।ଏ'ତ ଆକାଶ କଇଁଆ ଚିଲିକା ମାଛ ସମ ଅସମ୍ଭବ ଲାଗୁଥିଲା ତାକୁ।ଭାବନାରେ ପୂର୍ଣ୍ଣଛେଦ ପକାଇ ଶ୍ରୀମତୀ ଧର ପଚାରିଲେ....କ'ଣ କହୁଛ ପରିମଳ?ଠିକଅଛି,ଏଥର ତୁମେ ଘରକୁ ଯିବାପରେ ସଣ୍ଟୁ ମା' ସହ କଥାବାର୍ତ୍ତା ହୋଇ ତମ ମତାମତ ଜଣାଇବ।ମୁଁ ଅପେକ୍ଷାରେ ରହିବି।ସଣ୍ଟୁର ହାତରେ ପ୍ୟାକେଟଟି ଜବରଦସ୍ତି କରି ଧରାଇ ଛଳଛଳ ଆଖିରେ ଲୁହକୁ ଲୁଚାଇ ଚାଲିଗଲେ ଶ୍ରୀମତୀ ଧର।


ବିସ୍ଫାରିତ ନେତ୍ରରେ ଚାହିଁ ରହିଥିଲେ ବାପ ପୁଅ ଦୁଇଜଣ। ବିଶ୍ବାସ ହେଉନଥିଲା ଯେ ସହରୀ ଲୋକଙ୍କ ଭିତରେ ବି ମମତାର ଧାର ବହିଥାଏ,ସେମାନଙ୍କ ଭିତରେ ବି ଦେହମାଂସଧାରୀ ଦେବୀ ମାନେ ବିଜେ କରିଥାନ୍ତି, ସେମାନଙ୍କ ଭିତରେ ବି ଶ୍ରୀମତୀ ଧରଙ୍କ ପରି ମହିୟସୀ ମହିଳା ମାନେ ଉପସ୍ଥିତ ଥା'ନ୍ତି ଯେଉଁମାନେ ଦାରିଦ୍ର୍ୟର କଷାଘାତ ସହୁଥିବା ସାଧାରଣ ଲୋକ ମାନଙ୍କର କଲ୍ୟାଣ ସାଧନ ପାଇଁ ଆଗେଇ ଆସନ୍ତି ଓ ନିଜ ହାତ ବଢାଇ ସେମାନଙ୍କୁ ଆଗକୁ ଆଗେଇ ନେବାର ପ୍ରଚେଷ୍ଟା କରନ୍ତି। ଭାବୁଭାବୁ ଚକ୍ଷୁ ଦୁଇଟି ଆନନ୍ଦାଶ୍ରୁଗୁଡିକୁ ଆୟତ୍ତରେ ରଖିପାରୁ ନଥିଲେ।



Rate this content
Log in