ସନ୍ଧ୍ୟା ସାତଟା
ସନ୍ଧ୍ୟା ସାତଟା
ପାଖକୁ ଲାଗି ଦୁଇ ଖୁମ୍ପୁଡ଼ି ପଲା । ମଝିରେ ଖାଲି କଣ୍ଟା ବାଡଟିଏ । ଗୋଟାଏ ଘରୁ ବାସନ୍ତୀ ବାହାରେ, ଆଉ ଗୋଟାଏ ଘରୁ ପ୍ରଭା । ଦୁଇ ଭଉଣୀଠୁ କିନ୍ତୁ କମ୍ ନୁହନ୍ତି ।
କେତେ ହେବ ଆଉ ବାସନ୍ତୀକୁ ??? ପନ୍ଦର !!! ପ୍ରଭାର ବୟସ ଦଶରୁ ଅଧିକ ହେବନି !
ଅନେକ ଜରି ଗୋଟେଇ ସାରିଛନ୍ତି ସେମାନେ ଜୀବନକୁ ବୁଝିବା ଆଗରୁ, ଏଇ ସ୍ୱଳ୍ପ ସମୟ ଭିତରେ । ସକାଳଠୁ ସଂଜ ଯାଏ ଏଠି ସେଠି ଘୁରି ବୁଲନ୍ତି । କାନ୍ଧରୁ ପାଦ ପର୍ଯ୍ୟନ୍ତ ଝୁଲୁଥିବା ବେଗ ଭିତରେ ଜରି, ପ୍ଲାଷ୍ଟିକ, କିଛି ଦୁଃଖ, କିଛି କ୍ଳାନ୍ତି, କିଛି ହସ, କିଛି ଖୁସି ଭର୍ତ୍ତି କରି ଘରକୁ ଫେରନ୍ତି ପ୍ରତିଦିନ । ସକାଳୁ ଉଠି ରାତିରେ ଶୋଇବା ପର୍ଯ୍ୟନ୍ତ ଛାଇ ପରି ପ୍ରଭା ଲାଗି ରହିଥାଏ ବାସନ୍ତୀ ସହିତ।
ରାସ୍ତାରୁ ପିଜୁଳିଟିଏ ପାଇଲେ ଥରେ ବାସନ୍ତୀ କାମୁଡି ଖାଏ ତ ଥରେ ପ୍ରଭା କାମୁଡେ । ଗଛରୁ ପାଚିଲା ଆମ୍ବ ଖସିଲେ ଗୋଟାଏ ପାଖରୁ ପ୍ରଭା ଚୋସେ ତ ଆର ପାଖରୁ ବାସନ୍ତୀ । ସୁଖ ଦୁଃଖ ସବୁ ଭାଗ କରି ନିଅନ୍ତି । ଅଦ୍ଭୁତ ଏଇ ଯୋଡ଼ି !! କିଛି ଶ୍ରଦ୍ଧା ଆଉ କିଛି ସ୍ନେହରେ ହିଁ ସମ୍ପର୍କ ଗଢା ହୁଏ, ବିଶ୍ୱାସ ପରିପକ୍ଵତା ଆଣେ । ମନଟା କାଗଜ ପରି ହାଲୁକା ହୁଏ । ନା ସନ୍ଦେହ ନା ଛଳନା । ଭିଡ ଭିତରେ ନିସଂଗତା, ପ୍ରଶ୍ନ ଉଠୁନି !!!! ବାସନ୍ତୀ ହିଁ ପ୍ରଭାର ସବୁ କିଛି।
ଯୋଉ ଗଛରେ ଫଳ, ଖରା ହେଲେ ବିଶ୍ରାମ ସେଇଠି । ଟେକା ଫିଙ୍ଗନ୍ତି ଫଳଭରା ଗଛକୁ । ଆମ୍ବ, ପିଜୁଳି, ଜାମୁକୋଳି, ପାଚିଲା ବେଲ, କରମଙ୍ଗା ଯାହା ମିଳିଲା ତା ହିଁ ସେମାନଙ୍କ ମଧ୍ୟାହ୍ନ ଭୋଜନ । କ୍ଳାନ୍ତଶ୍ରାନ୍ତ ପ୍ରଭା, ବାସନ୍ତୀ କୋଳରେ ଶୋଇଯାଏ । ପ୍ରଭାର ମୁଣ୍ଡ କୁଣ୍ଡେଇ ଦେଇ ଉକୁଣୀ ଦେଖେ ବାସନ୍ତୀ । କେବେ କେବେ କାଳ ବୈଶାଖୀ ମାଡି ଆସିଲେ ଉଭୟେ ଉଭୟଙ୍କୁ ଜାବୁଡ଼ି ଧରି ଛିଡା ହୋଇରହନ୍ତି ଗଛ ମୂଳରେ । ବର୍ଷା ଛାଡିଯାଏ, ଦେହ ହାତ ପୋଛା ପୋଛି କରି ସବୁ ଭୁଲି ଯାଆନ୍ତି ସେମାନେ । ଦୁଃଖ ଭିତରେ ହସକୁ ସାଉଁଟିବାର କଳା, ଏମାନଙ୍କଠୁ ବେଶି କିଏ ଜାଣିଛି !!! ଦୂର ଆକାଶରେ ଇନ୍ଦ୍ରଧନୁର ରଂଗ ଗଣନ୍ତି । ଉଡୁଥିବା ପକ୍ଷୀକୁ ଦେଖନ୍ତି ଆକାଶରେ । ପ୍ରଭା ପଚାରେ ଦିଦି ! ବିଜୁଳୀ ମାରିବାର କିଛି ସମୟ ଉତ୍ତାରୁ ଘଡଘଡି ଶବ୍ଦଟିଏ ଆସେ କାହିଁକି ? ବାସନ୍ତୀ କହେ ଏତେ ବଡ ପ୍ରଶ୍ନ ! ମୁଁ କଣ କହି ପାରିବି !!!
ଦିନକର କଥା । ବିଶ୍ରାମ ନେଉଥାନ୍ତି ସେମାନେ ଲଙ୍କାଆମ୍ୱ ଗଛ ମୂଳରେ ।
ଦିଦି ! ୱାର୍ଡ ମେମ୍ବର ପୁଅ ବିଦୁ, ଗପେ କାହିଁକି ତୋ ସାଥିରେ ? କେତେ ଥର ମୁଁ ଦେଖିଛି । ବାସନ୍ତୀ ଲାଜେଇଗଲା । ଜିଭ କାମୁଡି ହେଲା । କଣ କହି ପ୍ରଭାକୁ ବୁଝେଇବ, ମୁଣ୍ଡ କାମ କଲାନି । ହେଲିକପ୍ଟର ଦେଖି ଆକାଶକୁ ଅନେଇଲା ପ୍ରଭା । ପଚାରିଥିବା ପ୍ରଶ୍ନକୁ ଭୁଲିଗଲା । ବାସନ୍ତୀ ମନେ ମନେ ଭାରି ଖୁସି । ଆଉ କେବେ ଏମିତି ପ୍ରଶ୍ନ ସେ ନ ପଚାରୁ !!! ସମୁଦ୍ରର ଢେଉ ବାର ବାର ଆସେ, ବେଳାଭୂଇଁରେ ଅଙ୍କା ଚିତ୍ର ସମ୍ପୂର୍ଣ୍ଣ ବିଲୁପ୍ତ ହେବା ଯାଏ । ପ୍ରଭା, ବାସନ୍ତୀ କିନ୍ତୁ କେତେ ସରଳ, ସବୁ ଭୁଲି ଯାଆନ୍ତି ଆଖି ପିଛୁଳାକେ । ମନରେ କିଛି ଗଣ୍ଠି ନାହିଁ ।
ହଠାତ୍ ଦୁଇ ପରିବାର ଭିତରେ ନିଆଁ, ପାଣି ବନ୍ଦ । ଲୁଡୁ ଖେଳରୁ ମହାଭାରତ । ପ୍ରଭା ଛିଣ୍ଡି ପକେଇଲା ବାସନ୍ତୀର ଲୁଡୁପଟା । ଧସ୍ତା ଧସ୍ତି, ମାରପିଟ ପର୍ଯ୍ୟନ୍ତ କଥା ଗଲା । ବାସନ୍ତୀର ବାପା, ପ୍ରଭାର ବାପାଙ୍କୁ ମୁଥ ମରି ନାକ ଫୁଲେଇ ଦେଲେ । ବସ୍ତିର ଲୋକ ଜମା ହୋଇଗଲେ ସେମାନଙ୍କ ଝୁମ୍ପୁଡ଼ି ଆଗରେ । ୱାର୍ଡ ମେମ୍ବର ଧମକେଇ ଚମକେଇ ଶାନ୍ତ କରିଦେଲେ ପରିସ୍ଥିତିକୁ ।
ବସ୍ତିର ରାଜନୀତି ବି ବେଶ୍ ସରଗରମ ହୋଇଉଠେ ବେଳେ ବେଳେ । ଖାଲି ମଉକାଟିଏ ଦରକାର । ଜଣେ ଟାଉଟର ଆସି ଭୟ ଦେଖାଇଲା । ଉଭୟଙ୍କୁ ଦୁଇହଜାର ଲେଖାଏଁ ଜମା କରିବାକୁ କହିଲା ଥାନାରେ । ନହେଲେ ପୁଲିସ ଆସି ବାନ୍ଧି ନେଇଯିବ । ଘଟଣାଟି ପୁଲିସ କାନରେ ପଡି ସାରିଛି । ବାସନ୍ତୀର ବାପା ଛେଳି ବିକି ପଇସା ଭରିଲା । ପ୍ରଭାର ବାପା ଜନଧନ ଖାତାରୁ ଦୁଇହଜାର ଉଠେଇ, ଦେଇ ଆସିଲା ସେଇ ଟାଉଟର ଘରେ ।
ତା ପରେ ସବୁ ଚୁପଚାପ୍ । ବିତି ଗଲାଣି ଦଶ ବାର ଦିନ ଏହା ଭିତରେ । ବାସନ୍ତୀ ଏକା ଯାଉଛି ଜରି, ପ୍ଲାଷ୍ଟିକ ଗୋଟେଇବା ପାଇଁ । ଦୁଇ ତିନି ଦିନ ପରେ ବେଗଟିଏ କାନ୍ଧରେ ଝୁଲେଇକି ପ୍ରଭା ବାହାରିଲା ଏକା ଏକା । ପ୍ରଭା ଏକୁଟିଆ କେବେ ବାହାରିନି ବାହାରକୁ । କଣ ଗୋଟେଇବାକୁ ହୁଏ ଭଲ ଭାବେ ଜାଣିନି । ସବୁବେଳେ ନିର୍ଭର କରେ ବାସନ୍ତୀ ଉପରେ ।
ବାସନ୍ତୀ ଓ ପ୍ରଭା ଅଲଗା ଅଲଗା ଫେରୁଥିଲେ କାମରୁ । ପ୍ରଭାର ବୟସ ଆଉ କେତେ ?? ମନ ମୁତାବକ ଜରି ଗୋଟେଇ ନାହିଁ ବୋଲି ମାଡ ଖାଇଲା ବାପାଙ୍କଠୁ । ବହୁତ ଜୋରରେ କାନ୍ଦିଲା ସେ । ପ୍ରଭାର କାନ୍ଦ ଶୁଣି ବାସନ୍ତୀ ତକିଆରେ ମୁହଁ ମାଡ଼ି ଶୋଇ ରହିଲା । ତକିଆ ଭିଜିଗଲା ଲୁହରେ । ଦୁଃଖର ତରଙ୍ଗ ମନକୁ ତାଡି ଦିଏ, ଗଭୀର କ୍ଷତ ଚିହ୍ନଟିଏ ଛାଡି ଦେଇଯାଏ । ଜଙ୍ଗଲ ନିଆଁ ପରି ନୃଶଂସ ଏଇ ଦୁଃଖ । ନିଆଁ କାହାକୁ ବାଦ୍ ଦିଏନି, ସମସ୍ତଙ୍କୁ ଜଳିପୋଡ଼ି ଛାରଖାର କରିଦିଏ । ଦୁଇ ଦୁଇଟି ମନ ଜଳି ଯାଇ ପାଉଁଶ ହୋଇଯାଏ ଦୁଃଖର ଧାସରେ....
ତା ପରଦିନ ସଂଜ ବେଳକୁ ବାସନ୍ତୀ ଫେରୁଥିଲା ଘରକୁ । ଭରି ଯାଇଥିବା ବୁରାକୁ ଧରି ଚାଲିଥିଲା ସେ ଧୀରେ ଧୀରେ । ରାସ୍ତାରେ ପ୍ରଭାକୁ ଦେଖି ତଳକୁ ମୁହଁ କରି ଚାଲିଲା ବାସନ୍ତୀ । ବାସନ୍ତୀକୁ ଦେଖି ପ୍ରଭା ନିଜକୁ ସମ୍ଭାଳି ପାରିଲା ନାହିଁ । କହିଲା ଦିଦି ! ଆଜି ବାପା ମୋତେ ମାରିବେ, ଖାଲି ବେଗ, କିଛି ପାଇନି।
ବାସନ୍ତୀ କିଛି ନ ଶୁଣିଲା ପରି ଚାଲିଲା ଆଗକୁ, ...ଅଭିମାନ ବିବସ୍ତ୍ର ହେବାକୁ କେତେ ସମୟ ଆଉ ଲାଗେ । ତରଳ ଲାଭା ପରି ଧରାଶାୟୀ ହୋଇଯାଏ ଆଖି ପିଛୁଳାକେ । ବନ୍ଧନର ଅଦୃଶ୍ୟ ଉତ୍ତାପ ହିଁ ଯଥେଷ୍ଟ।
କିଛି ଆଗକୁ ଯାଇ ଅନେଇଲା ପ୍ରଭା ଆଡ଼କୁ, ତା ମୁହଁ ଉପରେ ଏକ ଶୂନ୍ୟ ଉପତ୍ୟକା । ଅସହାୟତାର ନିଆଁ, ଜଳୁଛି ପ୍ରଭାର ମନ ଭିତରେ । ଫେରି ଆସି କୁଣ୍ଢେଇ ପକେଇଲା ପ୍ରଭାକୁ । ପ୍ରଭା ଆଖିଲେ ଲୁହର ସୁନାମୀ, ନିୟନ୍ତ୍ରଣ କରି ନ ପାରି ଫୁଟ୍ ଫୁଟ୍ କରି କାନ୍ଦିଲା ପ୍ରଭା । ବାସନ୍ତୀ ଲୁହ ପୋଛି ଦେଇ ବସିଲା ତା ପାଖରେ । ଦୁଇ ମିନିଟ ଚୁପ୍ ଚାପ୍ ବସି ରହିଲେ ସେମାନେ । ବାସନ୍ତୀ ନିଜ ବେଗ ଭିତରୁ ଅଧାରୁ ଅଧିକ ଜରି, ପ୍ଲାଷ୍ଟିକ ବାହାର କରି ଭର୍ତ୍ତି କଲା ପ୍ରଭାର ବେଗ ଭିତରେ ।
କାହିଁକି ଦିଦି ??
ରଖ ନା...
କ୍ଳାନ୍ତ ଅପରାହ୍ନ, ଫଗୁଣ ଆମ୍ବକଷିର ବାସ୍ନାରେ ମହକୁ ଥାଏ ଆକାଶ । ଦୁଇ ସାଙ୍ଗର ପୁନର୍ମିଳନ । ସୁଦାମାକୁ ଛାଡି କୃଷ୍ଣ କଣ ବଞ୍ଚିପାରେ ???? ବିରହ ବେଦନା ବହିଗଲା ତରଳି ଯାଇଥିବା ଅଭିମାନ ସାଥିରେ । ଘରକୁ ଫେରିଲେ ସାଙ୍ଗ ହୋଇ...
ସନ୍ଧ୍ୟା ସାତଟା...
ବାସନ୍ତୀ ଘର କବାଟରେ ଠକ୍ ଠକ୍ ଶବ୍ଦ ହେଲା । ବାସନ୍ତୀର ବାପା କବାଟ ଖୋଲିଲେ । ବାହାରେ ଛିଡା ହୋଇଥାନ୍ତି ପ୍ରଭା, ବୋଉ ଓ ବାପା । ପ୍ରଭା ରଡି ଛାଡ଼ିଲା ଦିଦି ! ଦେଖ୍ ବାପା ତୋ ପାଇଁ ନୂଆ ଲୁଡୁପଟା ନେଇ ଆସିଛନ୍ତି ।
ଯୁଦ୍ଧରେ ହାରିଯାଇ ବି ମନକୁ ବୋଧହୁଏ ଜିତିହୁଏ !!!! ଯୁଦ୍ଧ ପରେ ଶାନ୍ତି ଏକ ବାସ୍ତବିକ ପରିଣାମ।
ବାସନ୍ତୀର ବାପା ହସିଦେଲେ । ପାଛୋଟି ନେଲେ ସେମାନଙ୍କୁ । ଚା ପିଇଲେ ସାଥିରେ ବସି । ପାଞ୍ଚ ଦଶ ମିନିଟ ହସ ଖୁସି ହେଲେ । ସମ୍ପର୍କ ଟା ଯେତେ ଜଟିଳ, ବାସ୍ତବରେ ସେତେ ଜଟିଳ ନୁହେଁ । ମନ ସୂତାରେ ଖାଲି ସିଲେଇବାକୁ ହୁଏ । ନଚେତ୍ ସବୁଥାଇ ବି ହାରିଯିବାଟା ଅବଶ୍ୟମ୍ଭାବୀ । ଥକି ଯାଇଥିବା ଜୀବନଟା, କାହିଁକି କେଜାଣି ଅସହାୟ ଅତୀତକୁ ପଛ ଆଡକୁ ଠେଲି ଦେଇ ସ୍ୱପ୍ନର ଚକ୍ରବ୍ୟୂହ ଭିତରେ ଜାଗା ଖୋଜେ, ସୁନେଲି ଭବିଷ୍ୟତକୁ ଦେଖେ, ବଞ୍ଚିବାର ଇଚ୍ଛା ଦ୍ୱିଗୁଣିତ ହୋଇଯାଏ, ଆପେ ଆପେ।
******
ସକାଳ ହେଲା, ସଦ୍ୟଜାତ ବାଳସୂର୍ଯ୍ୟଙ୍କ କିରଣରେ ମହକୁଥାଏ ଆକାଶ । ବାସନ୍ତୀ ଚାଲିଥିଲା ଆଗକୁ, ପ୍ରଭାର ହାତ ଧରି । ଆଗରେ ଭରପୁର ପୃଥିବୀ । ଜରି ଅଖା କାନ୍ଧ ଉପରେ । ଜୀବନ ଆଉ ଜୀବିକାର ଅଦ୍ଭୁତ ଏଇ ସତରଞ୍ଜ ଖେଳରେ ହାରି ମଧ୍ୟ ଜିତି ଯାଇଛନ୍ତି ବାସନ୍ତୀ ଓ ପ୍ରଭା ! ଗରିବୀ ଚାପରେ ହନ୍ତସନ୍ତ କଅଁଳିଆ ଦୁଇଟି ବୟସ । । ତଥାପି ଚିନ୍ତା ନାହିଁ ! ଆପାତତଃ ଏଇତ ଜୀବନ ! ବୁରା ଭିତରେ ଜରି, ପ୍ଲାଷ୍ଟିକ, ଅନାବନା ସାଥିରେ ହସ ଓ ଖୁସି ସାଉଁଟିବେ ଦିନସାରା।
ପ୍ରଭା କହିଲା ଦିଦି ! ଗତ କାଲି ସନ୍ଧ୍ୟା ସାତଟା, କେବେ ଭୁଲି ହେବନି ଏ ଜୀବନରେ । ମୁଁ ଫେରି ପାଇଲି ମୋ ଦିଦିକୁ । କଥା ଦଉଛି, ଲୁଡୁପଟା କେବେ ଛିଣ୍ଡେଇବି ନାହିଁ ।
ହଁ, ଗୋଟାଏ କଥାର ଉତ୍ତର ମୁଁ ଏବେ ବି ପାଉନି।
କାଲି ତୁ ଅଧାରୁ ଅଧିକ ପ୍ଲାଷ୍ଟିକ ମୋ ବୁରାରେ ଭରିଲୁ କାହିଁକି ? ମୋ ବାପା ମୋତେ ମାରିବେ ବୋଲି ..ନା !!!
ଭାବପ୍ରବଣ ହୋଇଗଲା ବାସନ୍ତୀ, ଶୂନ୍ୟ ଆକାଶକୁ ଦେଖୁଥିଲା ସେ ଅନ୍ୟମନସ୍କ ହୋଇ।
