Maheswar sahoo

Inspirational

3  

Maheswar sahoo

Inspirational

ସନ୍ଦେହ

ସନ୍ଦେହ

6 mins
511


ରାଜା ବାବୁଙ୍କର ବିବାହ ସରିଯାଇଥିଲା । ଆଜି ତାଙ୍କର ଚଉଠି । ମଣିଷ ଜୀବନରେ ଖୁସି, ସ୍ନେହ, ପ୍ରେମ ଓ ଆତ୍ମତ୍ରୁପି ହିଁ ଏହି ଚଉଠି ଦିନ ଉପଲବ୍ଧି ହୋଇଥାଏ । ଚଉଠି ପାଇଁ ଘର ବାହାର ଟେଣ୍ଟରେ ସୁସଜ୍ଜିତ ହୋଇଥାଏ । । ଘରେ ବାହାରେ ବନ୍ଧୁ ବାନ୍ଧବଙ୍କ ସହିତ ଆତ୍ମୀୟ ସ୍ୱଜନଙ୍କ ଭିଡ଼ । ବାସ୍ନା ଭରା ଭବନ, ଆଲୋକର ସାଜସଜ୍ଜା ଅତ୍ୟନ୍ତ ଆକର୍ଷଣୀୟ, ନାନାବିଧ ପୁଷ୍ପ ଗୁଚ୍ଛରେ ପ୍ରଲୋଭିତ ଓ ଆକର୍ଷଣୀୟ ହୋଇଛି ନିଜର ବାସଭବନ । ରାଜା ବାବୁ ହେଉଛନ୍ତି ଜମିଦାରଙ୍କର ଅଣ ନାତି । ପରିବାରର ଖାତିରି କହିଲେ ଆଖପାଖ ଅଞ୍ଚଳରେ ବାବୁ ବାବୁ । ତେଣୁ ରାଜବାବୁ ବୋଲି ସମସ୍ତେ କୁଡି ପକାଉଛନ୍ତି । ଜମିଦାରି ବାହାଘର ! ବାହାଘର ହେଲା ଭଳି ହୋଇଛି ମଧ୍ୟ । ଡିଜେ ବାଜୁଛି, ଚିକେନ୍ ମଟନ ରୋଷେଇ ଚାଲିଛି । କନିଆଁ ମଧ୍ୟ ଦେଖିବାକୁ ରାଜକୁମାରି ଭଳି । ବର କନିଆଁଙ୍କ ଛବି ଫାଟକ ପାଖରେ ଲଗା ଯାଇଛି । 

  ହଠାତ ରାଜା ବାବୁ ନିଜ କୋଠରୀ ମଧ୍ୟକୁ ପ୍ରବେଶ କଲେ । ଦେଖିଲେ ତାଙ୍କର ମନର ମାନସି, ହୃଦୟର ରାଣୀ ଫୋନରେ କଥା ହେବାରେ ବ୍ୟସ୍ତ । ଆଦୌ ରାଜବାବୁଙ୍କ ଆଡକୁ ଅନେଇଲେ ବି ନାହିଁ । ରାଜା ବାବୁ ଯେହେତୁ ମାନସି ପାଇଁ ନୂଆ ତେଣୁ କଥା ହେବାକୁ ତ ନିଶ୍ଚୟ ଲାଜ ଲାଗିବ । ରାଜା ବାବୁ ରିକେ ସରମ ଭରା କଣ୍ଠରେ କହିଲେ, " ମାନସି ! କିଏ ଫୋନ କରିଛନ୍ତି ।"

  " ମୋ ଧରମ ଭାଇ ।" ମାନସି ଉତ୍ସାହର ସହ ଜବାବ ଦେଇଥିଲେ ।

  ରାଜା ବାବୁଙ୍କ କଣ୍ଠ ରୋଦ୍ଧ ହୋଇ ଯାଇଥିଲା । ସେ ଧରମ ଭାଇ ଶବ୍ଦଟିକୁ ଆଦୌ ପସନ୍ଦ କରନ୍ତି ନାହିଁ । ହେଲେ ନୂଆ ବୋହୁ କଣ କହିବେ । ଭାବି ଭାବି କହିଲେ, " ଆଛା ମ୍ୟାଡାମ ! ମୋ ସହିତ କଥା ହେଇ ପାରିବେ ?"

  " ହଁ , ନିଶ୍ଚୟ ! ତମ ସହିତ ତ ଜୀବନ ସାରା କଥା ହେବାକୁ ମୁଁ ତମ ହାତ ଧରିଛି । ହେଲେ ଭାଇଟା କଲ କରିଥିଲେ ତ, ସେଇଥିପାଇଁ କଥା ହେଉଛି ।"

  "ଆଜିର ଦିନରେ କେତେ ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥି ଆସିଛନ୍ତି । ହେଲେ ତମେ ଏକୁଟିଆ ଏଇଠାରେ ବସି ଧରମ ଭାଇ ସହିତ କଥା ହେବା ଆଦୌ ଶୋଭା ଦେଉନି । ଏଇନେ ତୁମ ଘର ଲୋକ ସମସ୍ତେ ଆସିବେ ଚଉଠି ଭାର ନେଇ । ହଉ ଠିକ ଅଛି ମୁଁ ଆସୁଛି ।" 

  ଏତକ କହି ରାଜବାବୁ ବାହାରକୁ ଚାଲିଗଲେ । କିଛି ସମୟ ପରେ ରାଜା ବାବୁଙ୍କ ମନ କେମିତି କଣ ଖୋଳି ତାଡ଼ିଲା ଭଳି ହେଉଥାଏ । ପୁନଶ୍ଚ ରାଜା ବାବୁ କୋଠରୀ ମଧ୍ୟକୁ ଆସିଥିଲେ, ହେଲେ ମାନସି ସେମିତି ହସ ହସ ହୋଇ ବାର୍ତ୍ତାଳାପ ରେ ବ୍ୟସ୍ତ । ରାଜା ବାବୁଙ୍କୁ ଆଦୌ ଗୁରୁତ୍ୱ ନ ଦେଇ ସେମିତି କଥା ହେଉଥାନ୍ତି ହିଁ ହେଉଥାନ୍ତି । ରାଜା ବାବୁ କିଛି ନ କହି ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଆଉ ସିଧା ମାନସି ପାଖକୁ ନ ଯାଇ, ତାଙ୍କ କୋଠରୀର ଝରକା ପାଖକୁ ଯାଇ, ଟିକେ ଶୁଣିବାକୁ ଚେଷ୍ଟା କଲେ ଯେ ମାନସି କାହା ସହିତ କଥା ହେଉଛି । ହେଲେ ଧୀର କଣ୍ଠସ୍ୱରରୁ ରାଜବାବୁ କିଛି ଶୁଣିପାରିଲେ ନାହିଁ । ସେଠୁ ଫେରି ଆସିଲେ । 

  ନିଜ ଭଉଣୀ ମମତାକୁ ଡାକି କହିଲେ, "ତମେ ସବୁ ବାହାରେ ବୁଲୁଥାଅ ସିଆଡେ ନୂଆ ଭାଉଜ ଏକୁଟିଆ ବସିଛନ୍ତି । ଯାଇ ଟିକେ ତାଙ୍କ ପାଖରେ ବସିବ ଯାଅ ।"

  ସାନ ଭଉଣୀ ମମତା ରୋକ ଠୋକ ମନା କରିଦେଇ କହିଲା, " ଭାଇ ମୁଁ ସେଠାକୁ ଯିବି ନାହିଁ ! ଭାଉଜ ମୋତେ କହିଲେ ତମେ ସବୁ ଏଠାରୁ ଯାଅ । ମୋତେ ଟିକେ ଏକୁଟିଆ ବସିବାକୁ ଦିଅ ।" 

  ଏଇଥର ରାଜବାବୁଙ୍କର ସନ୍ଦେହ ଆହୁରି ଦୁଇଗୁଣ ବଢିବାକୁ ଲାଗିଲା । ତାଙ୍କର ମନ କେବଳ ମାନସି ପାଖରେ ରହିଥାଏ । ଆଉ କୌଣସି କାମରେ ମଧ୍ୟ ତାଙ୍କୁ ଇଛା ହେଉ ନଥାଏ । ପୁଣି କିଛି ସମୟ ପରେ ସେ ନିଜେ ଯିବାକୁ ଚାହିଁଲେ । ଧୀରେ ଧୀରେ ଯାଇ କବାଟ ପାଖରେ ଛିଡା ହେଲେ । ଭିତରୁ ଠୋ ଠୋ ଶବ୍ଦ ଶୁଣିବାକୁ ପାଇଲେ । କଥାଗୁଡ଼ାକ ସ୍ପଷ୍ଟ ସୁଭାଯାଉ ନଥିଲେ ମଧ୍ୟ ମଝିରେ ମଝିରେ ଠୋ ଠୋ ହୋଇ ହସର ଲହରୀ ରାଜବାବୁଙ୍କ କାଲିଜା କାଟି ଦେଉଥାଏ । କିଏ ସେ ଧରମ ଭାଇ ଯିଏ କି ଆଜିଭଳି ଦିନରେ ମୋତେ ଏତେ କଷ୍ଟ ଦେଉଛି । କଣ ମୋର ବିବାହର ସମସ୍ତ ଆୟୋଜନ ପାଣିଫୋଟକା ଭଳି ଫୁଟି ମିଳେଇଯିବ । କଣ ମୋର ସବୁ ସ୍ୱପ୍ନ ଭାଙ୍ଗି ଚୁର ମାର ହୋଇଯିବ । କଣ ମୋର ସବୁ ଖୁସି ଓ ସବୁ ଆଶା ଆକାଂକ୍ଷା ଧୂଳିସାତ ହୋଇଯିବ । କଣ ପାଇଁ ଏହି ସବୁ ଆୟୋଜନ ? କଣ ପାଇଁ ଏତେ ଫୁଲାଣିଆ ଓ ଦେଖାଣିଆ ସାଜସଜ୍ଜା ? କଣ ପାଇଁ ଏହି ବିବାହ ଓ ପ୍ରଚାର ?

  ଛି ଛି ଛି ମୋର ଏଇ ଅପଦାର୍ଥ ଜୀବନ ! ଏମିତି ଅନେକ ଭାବନା ଓ ସନ୍ଦେହର ଜ୍ୱାଳାରେ ଛଟ ପଟ ହେଉଥାନ୍ତି ରାଜା ବାବୁ । ଗୋରୁ କନ୍ୟା ଭାଗ୍ୟରୁ ପ୍ରାପ୍ତି ହୋଇଥାଏ ବୋଲି ସେ ଶୁଣିଥିଲେ । ହେଲେ ତାଙ୍କର କଣ ଭାଗ୍ୟ ଏତେ ଖରାପ । ସତରେ ଏଇଟା ତାଙ୍କର ଭାଗ୍ୟର ବିଡମ୍ବନା କହିଲେ ଚଳେ । 

  ରାଜା ବାବୁ ଅସହ୍ୟ ହୋଇ ଭିତରକୁ ପଶି ଯାଇଥିଲେ । ହେଲେ ମାନସି ଟିକିଏ ମଧ୍ୟ ବିଚଳିତ ହୋଇ ନଥିଲେ । 

  " କଣ ସେଇ ଧରମ ଭାଇ ଏବେ ପର୍ଯ୍ୟନ୍ତ କଥା ହେଉଛନ୍ତି । ମୋତେ ଟିକେ ଅନେଇବ କି ନାହିଁ ?"

  "ହଁ ନିଶ୍ଚୟ ଅନେଇବି । ସେ ସମୟକୁ ଅପେକ୍ଷା କରନ୍ତୁ ! ଏବେ ଠାରୁ ଅଧର୍ଯ୍ୟ କାହିଁକି?"

  ରାଜା ବାବୁଙ୍କର ମାନସିର ଉତ୍ତରରେ କୌଣସି ଜବାବ ନ ଥିଲା । ସନ୍ଦେହର ଜ୍ୱାଳାରେ ସେ ଛଟ ପଟ ହେଉଥିଲେ । ଶୁଣା ଗଲା ଯେ ଝିଅର ବାପାଘରୁ ଭାର ଆସିଛି !

  ରାଜାବାବୁଙ୍କ ଘରେ ଶଶୁର ଘର ଲୋକଙ୍କ ଭିଡ଼ ଜମିଗଲା । ଶଶୁର ଘରୁ ଆସିଥିବା ସମସ୍ତ ଲୋକ ମାନେ ଗାଡିରୁ ଓହ୍ଲେଇ ସିଧା ଯାଇ ମାନସି ପାଖରେ ପହଁଚିଲେ । 

  ଶଶୁର ଘର ଲୋକ ଜ୍ୱାଇଁପୁଅ କୁଆଡେ ଗଲେ କାହିଁ ଦେଖା ଯାଉ ନାହାଁନ୍ତି ବୋଲି ଖୋଜିବାକୁ ଲାଗିଲେ । ସମସ୍ତଙ୍କର ଖୋଜା ପଡିଲା, ରାଜା ବାବୁ କୁଆଡେ ଗଲେ । ହେଲେ ରାଜା ବାବୁ ନାହାନ୍ତି ଏଠି ବୋଲି ଜାଣିବାକୁ ପାଇଲେ । ପରିବାର ଓ ବନ୍ଧୁ ବାନ୍ଧବ ମଧ୍ୟ ଆଖ ପାଖ ଓ ସାହି ପଡ଼ିଶାରେ ଖୋଜିବାକୁ ଲାଗିଲେ । କିନ୍ତୁ ରାଜା ବାବୁଙ୍କୁ ପାଇଲେ ନାହିଁ । ମମତା କହିଲା ଏଇନେ ତ ଭାଇ ଏଇଠି ଥିଲେ । ମାନସି ମଧ୍ୟ କହିଲା ଏଇନେତ ମୋ ପାଖକୁ ଆସିକରି ଗଲେ । ହେଲେ ରାଜା ବାବୁ କୁଆଡେ ଗଲେ? ରାଜା ବାବୁ ନିଖୋଜ ହୋଇଯାଇଥିଲେ ଯେପରି ।

  ସନ୍ଦେହର ଜ୍ୱାଳା ସହି ନ ପାରି ରାଜା ବାବୁ ଅତ୍ୟନ୍ତ ବ୍ୟାକୁଳ ହୋଇ ସନ୍ଦେହର ଜ୍ୱାଳାରେ ନିକଟରେ ଥିବା ଏକ ପୋଖରୀ ହୁଡ଼ାରେ ବସି ଆଖିରୁ ଲୋତକ ଗଡାଉ ଥାଆନ୍ତି । ଭାବୁଥାନ୍ତି କଣ ସତରେ ଅନ୍ୟ ଲୋକଙ୍କ ଭଳି ମୋ ଭାଗ୍ୟରେ ଚରିତ୍ର ହୀନା ଓ ହୀନ ପ୍ରକୃତି ନାରୀ ପହଁଚିଲା । ଯାହାର ଚଉଠି ଦିନ ଏମିତି ଆଗକୁ କଣ ନ ହେବ ।

   ଲୋକ ମାନେ ଚତୁର୍ଦିଗରେ ଖୋଜା ଖୋଜି କରୁଥାନ୍ତି । ଏହିସମୟରେ ଜଣେ ପଡିଶା ଲୋକ ଡାକ ଛାଡିଲା ରାଜା ବାବୁ ଏଇଠି ଅଛନ୍ତି । ସମସ୍ତେ ସେଇ ଜାଗାକୁ ଦଉଡି ଯାଇଥିଲେ । ରାଜା ବାବୁଙ୍କର କଣ ଏମିତି ହେଇଛି । ସେ କାହିଁକି ଏମିତି ପାଗଳ ଭଳି ଆଜିର ଶୁଭ ଦିନରେ ଏଠି ବସିଛନ୍ତି ? ସମସ୍ତେ ତାଙ୍କୁ ବୁଝେଇ ସୁଝେଇ ଘରକୁ ନେଲେ । ହେଲେ ରାଜୁ ବାବୁ ସମ୍ପୂର୍ଣ ମୁକ ଭଳି କୌଣସି କଥାର ଉତ୍ତର ଦେଉ ନ ଥାନ୍ତି । ମାଆ ବାପା ଯେତେ ଯାହା ପଚାରିଲେ ମଧ୍ୟ ତାଙ୍କର କୌଣସି ଉତ୍ତର ନ ଥିଲା । 

  ଶଶୁର ଘର ଲୋକ ରାଜା ବାବୁଙ୍କ ଅବସ୍ଥା ଦେଖି ଆଶ୍ଚଯ୍ୟ ହୋଇ ଯାଇଥିଲେ । ବାହାରେ ଧୂମ ଧାମରେ ଭୋଜି ଚାଲିଛି ହେଲେ ଏଠି ଯାହା ପାଇଁ ଭୋଜି ଓ ଏତେ ଆୟୋଜନ ସେ କଣ ମୁକ ପଙ୍ଗୁ ଭଳି ଅକର୍ମଣ୍ୟ ହୋଇଗଲା । ସମସ୍ତେ ଆଶ୍ଚଯ୍ୟ ଓ ନିର୍ବାକ । 

  ରାଜା ବାବୁ ଧୀର ସ୍ୱରରେ କହି ପକାଇଲେ ସମସ୍ତଙ୍କୁ ଅନୁରୋଧ ସସମ୍ମାନେ ଭୋଜନ କରି ନିଜ ଘରକୁ ଯାଆନ୍ତୁ, ହେଲେ ମୁଁ କାହା କଥାରେ କୌଣସି ଉତ୍ତର ଦେଇ ପାରିବି ନାହିଁ ।

  ରାଜା ବାବୁ ପୁନଶ୍ଚ କହି ଥିଲେ ମୁଁ ପ୍ରଥମେ ମାନସି ସହିତ କଥା ହେବି, ତା' ପରେ ଯାହା କହିବୁ । ରାଜା ବାବୁ ନିଜ କୋଠରୀକୁ ପ୍ରବେଶ କଲେ । ମାନସି ମଝିରେ ବସିଛି । ତାକୁ ଘେରି ରହିଛନ୍ତି ଶଶୁର ଘରର ଲୋକ । ରାଜା ବାବୁଙ୍କୁ ଦେଖି ମାନସି ସମସ୍ତ ଶଶୁର ଘର ଲୋକଙ୍କୁ କହିଲା ତମେ ମାନେ ବାହାରକୁ ଯାଅ ଖିଆ ପିଆ କରିବ । ମୁଁ ମୋ ପତି ଦେବଙ୍କ ସହ ଟିକେ କଥା ହେବି । ସମସ୍ତେ କୋଠରୀ ମଧ୍ୟରୁ ପଳେଇ ଆସିଥିଲେ । ରାଜା ବାବୁତ ରାଗରେ କଁ କଁ ହେଉଥିଲେ । ମାନସିକୁ ଦେଖି ତାଙ୍କ ହାଡ଼ ସହିତ ଶିରା ପ୍ରସିରା ଜଳି ଯାଉଥିଲା । ସେ ଯାଇ ପଲଙ୍କ ଉପରେ ବସି ଗଲେ । ଠିକ ଏତିକି ବେଳେ ମାନସି କହିଲା ,"କଣ ତମେ ମୋ ଉପରେ ରାଗିଛ? ମୁଁ କଣ ଭୁଲ କଲି ଯେ? "

  ରାଜା ବାବୁ କିଛି କହି ପାରୁ ନ ଥିଲେ କି ସହି ପାରୁ ନ ଥିଲେ । ଏଇ ସମୟରେ ଫୋନ ରିଂ ହେଲା । ମାନସି ଫୋନ ଉଠାଇ କହିଲା," ହ୍ୟାଲୋ, ତମେ ମୋ ସହିତ ଆଉ କଥା ହୁଅ ନାହିଁ । ମୋ ପତି ଦେଵ ବହୁତ ରାଗ କରୁଛନ୍ତି ।"

  ଏତିକି ଶୁଣି ରାଜା ବାବୁ ପଲଙ୍କ ଉପରୁ ଉଠି ବାହାରକୁ ପଳେଇ ଆସିବା ସମୟରେ ମାନସି ଯାଇ ରାଜା ବାବୁଙ୍କ ଆଗରେ ଠିଆ ହୋଇ ଯାଇଥିଲା । କହିଲା," କାହିଁକି ପଳେଇ ଯାଉଛ । ମୋର ପରା ତମ ସହିତ କଥା ଅଛି ।"

 " ମୁଁ ତୋ ଭଳି ନଷ୍ଟ ଚରିତ୍ରା ସହିତ କଥା ହେବାକୁ ଚାହେଁ ନାହିଁ । ମୋତେ ସବୁ ଜଣା ପଡିଗଲା ତୁ ଗୋଟେ ନାରୀ ନାଁ ରେ କଳଙ୍କ । ତେଣୁ ମୁଁ କିଛି ଅଘଟଣ ଘଟେଇବା ପୂର୍ବରୁ ମୋତେ ମୋ ରାସ୍ଥା ଛାଡି ଦେ !"

  ମାନସି କାନ୍ଧି ପକେଇଥିଲା । କହିଲା ,"ମୁଁ ଶିକ୍ଷିତା, ମୁଁ ନଷ୍ଟ ଚରିତ୍ରା ନୁହେଁ, ମୁଁ ଜାଣିବାକୁ ଚାହୁଁଥିଲି ମୁଁ ଯାହାକୁ ନେଇ ସାରା ଜୀବନ ସଂସାର କରିବି ସେ ସିନା ସମ୍ପଦ ରେ ଧନୀ ହେଲେ ହୃଦୟରେ ସେ କେତେ ଧନୀ ! ରାଜା ବାବୁ ତମେ ସମ୍ପଦରେ ଧନୀ ହେଲେ ହୃଦୟରେ ସମ୍ପୁର୍ଣ୍ଣ ଗରିବ । ମୋ ପାଖରେ କୌଣସି ଫୋନ ନାହିଁ । ମୁଁ ତମ ଭଉଣୀ ପାଖରୁ ଏଇ ଖେଳଣା ଫୋନ ଆଣିଥିଲି ଏଇ ନାଟକ କରିବାକୁ । ତମ ଭଉଣୀ ମୋତେ ନାଟକରେ ସାହାଯ୍ୟ କରିଥିଲେ । ବିବାହ ଏକ ବନ୍ଧନ । ଏହା ହୃଦୟରୁ ହୋଇଥାଏ ସନ୍ଦେହରୁ ନୁହେ । ତୁମେ ମୋର ପତିଦେଵ । ଇହ ପର କାଳର ଦେବତା । ତୁମକୁ ନେଇ ପରା ମୁଁ ସାରା ଜୀବନ ସଂସାର କରିବି ।" ମାନସି ମୁଣ୍ଡରେ ଓଢଣା ଦେଇ ରାଜା ବାବୁଙ୍କୁ ଆଣ୍ଠୁ ମାଡି ପ୍ରଣାମ କରିଥିଲା । ରାଜା ବାବୁଙ୍କ ସମସ୍ତ ରାଗ ଘୃଣା କୁଆଡେ ଉଭେଇ ଯାଇଥିଲା । କହି ପକେଇଲେ ," ତମେ ସତ କହୁଚ ମାନସି।" ରାଜା ବାବୁ ନିଜକୁ ଅତ୍ୟନ୍ତ ହୀନ ଓ ସନ୍ଦେହି ବୋଲି ବହୁତ ଘୃଣା କରୁଥିଲେ । ରାଜା ବାବୁଙ୍କ ଆଖିରୁ କେଇ ଠୋପା ଆନନ୍ଦାଶ୍ରୁ ଗଡି ପଡିଥିଲା ।


Rate this content
Log in

Similar oriya story from Inspirational