Maheswar sahoo

Inspirational

4.0  

Maheswar sahoo

Inspirational

ଚେଷ୍ଟା

ଚେଷ୍ଟା

9 mins
353


"କଣ ଚାହା ବନେଇଛୁ ଯେ ? ମଣିଷ କଣ କୁକୁର ବି ପିଇବ ନାହିଁ ! ଛି ଛି ଥୁ ।”କହି ଦେଇ ପୋଲିସ ବାବୁଜଣକ ନାଲି ଆଖି ଦେଖେଇ ରାମ ମଉଷାଙ୍କୁ ବହୁତ ଗାଳିଗୁଲଜ କଲେ । ବିଚରା ରାମ ମଉଷା ଅତ୍ୟନ୍ତ ଦୁଃଖୀ ହୋଇ କହିଲେ, ବାବୁ ସକାଳେ ମୋର ବଇନି ହୋଇ ନାହିଁ । ଆଜି ଯାହା ବି ଅଛି କିଛି ଦିଅନ୍ତୁ । 

  ପୁଣି ଚିତ୍କାର କରି ଉଠିଲେ ପୋଲିସ ବାବୁ,”କଣ କହିଲୁ ମୁଁ ପଇସା ଦେବୀ ! ତୋର ତ ବହୁତ ସାହସ ହୋଇଗଲାଣି । ପୋଲିସକୁ ପଇସା ମାଗୁଛୁ । ରହ ତୋର ଏମିତି ଅବସ୍ଥା କରିବି ଏଠି ଦୋକାନ ରହିବ ନାଁ ତୁ ପଇସା ମାଗିବୁ ।“ 

  ରାମୁ ମଉଷା ଭୟଭୀତ ହୋଇ,”ନାଇଁ ବାବୁ ଆପଣ ସେମିତି କୁହନ୍ତୁ ନାହିଁ ଭୁଲ ହୋଇ ଗଲା ପଇସା ମାଗି । ହେଲେ ମୋ ଦୋକାନ ଉପରେ କିଛି କରନ୍ତୁ ନାହିଁ ।”

 ”ହଉ ଠିକ ଅଛି, ଥାଉ ଥାଉ, ତୋ ଚାହା ପିଇକରି ମୋ ପାଟିଟା ଖରାପ ହୋଇଗଲା । ସେଇ ମିଠା ବିସ୍କୁଟରୁ ଦୁଇଟା ଓ କୁରୁକୁରି ଗୋଟେ ପକେଟ ଦେଲୁ ।"

 ରାମୁ ମଉଷା କୋହଭରା କଣ୍ଠରେ କହିଲେ, ”ବାବୁ ଏଇ କିଛି ଦିନ ହେଲା ମୋ ଦୋକାନ ଭଲ ଚାଲୁ ନାହିଁ । ମୁଁ ମଧ୍ୟ କିଛି ଜିନିଷ କିଣାକିଣି କରିପାରୁନାହିଁ । ଏଇ କେତେଟା ବିସ୍କୁଟ ଓ କେତେ ପକେଟ କୁରୁକୁରି ପଡିଛି ! ଆପଣ ଯଦି ସେଇ କେତେକ ଖାଇ ଦେବେ ତାହା ହେଲେ ଆଜି ମୁଁ କଣ ବିକିବି ବାବୁ? ଆପଣ କୁହନ୍ତୁ ।"

 ପୋଲିସ ବାବୁ ରୁକ୍ଷ ଗଳାରେ, ”ତୁ କଣ କରିବୁ କି ମରିବୁ ସେଇଟା କ'ଣ ମୁଁ ବୁଝିବି । ବୁଢା ହେଲୁଣି ଆଉ କେଇଦିନ ପରେ ମରିବୁ ଆଉ ମରିବା ପୂର୍ବରୁ କିଛି ତ ପୂଣ୍ୟକର୍ମ କରିକି ମର ।”

 ରାମୁ ମଉଷା ଭୋଭୋ ହୋଇ କାନ୍ଧି ପକେଇ ଥିଲେ ଓ ପୋଲିସ ବାବୁଙ୍କ ଇଚ୍ଛା ମୁତାବକ ଜିନିଷ ଦେଇ ବିଦା କରେଇଥିଲେ । ଏହି ବାବୁ ଜଣକ ପ୍ରତ୍ୟେକ ଦିନ ସକାଳେ ଦୋକାନ ଖୋଲିବା କ୍ଷଣି ଆସି ଯାଆନ୍ତି । ଚାହା ଯେତେ ଭଲ ଭାବେ ତିଆରି କରି ଦେଲେ ମଧ୍ୟ, ଆବଶ୍ୟକ ମୁତାବକ ପିଇବେ ଓ କିଛି ତଳକୁ କପ ସହିତ ଫୋପାଡ଼ି ଦେବେ, ଶେଷରେ କଟୁ ଭାଷାରେ ଭୟଭୀତ କଲା ଭଳି ଗାଳିଗୁଲଜ କରିବେ । ଭଗବାନ କଣ ଆମ ଗରିବଙ୍କ ଉପରେ ଏମିତି ରାକ୍ଷସ ରୂପୀ ମଣିଷମାନଙ୍କୁ ଦାଉ ସାଧିବାକୁ ପଠେଇ ଥାଆନ୍ତି ବୋଲି ରାମୁ ମଉଷା ସର୍ବଦା ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତି। ଯାହା ହେଲେ ବି ପୋଲିସ ଵାଲା । ଭୟରେ ଯାହା ମାଗନ୍ତି ରାମୁ ମଉସା ଦେଇ ଦିଅନ୍ତି । 

 ରାମୁ କକା ଗରିବୀର ଠୋକର ଖାଇ ଖାଇ ନିଜର ସଂସାରକୁ ଆଗକୁ ଆଗକୁ ନେଇ ଚାଲିଛନ୍ତି । ପୁଅ ମଧ୍ୟ ଭଲ ପାଠ ପଢି ଚାକିରୀ ଖୋଜୁଛି । ଘରେ ମଧ୍ୟ ବଢ଼ିଲା ଝିଅଟିଏ । ସ୍ତ୍ରୀ ମଧ୍ୟ ରୋଗଶଯ୍ୟାରେ ଶଯ୍ୟାୟିତା । ତଥାପି ସେ ହାର ମାନନ୍ତି ନାହିଁ । କର୍ମ ହିଁ ଭଗବାନ ଭାବନାରେ ସେ ସମୟ ଅତି ବାହିତ କରନ୍ତି । 

 ଏମିତି ପ୍ରତ୍ୟକ ଦିନ ହାବିଲଦାର ରଞ୍ଜିତ, ଯିଏ କି ସେଇ ଅଞ୍ଚଳ ପାଇଁ କାର୍ଯ୍ୟରତ ଥାଆନ୍ତି ଓ ରାମୁ ମଉଷାଙ୍କ ସହିତ ସମାନ ଅଭିନୟ କରି ମନ ଇଚ୍ଛା ଚାହା ଜଳଖିଆ କରନ୍ତି । ବେଳେ ବେଳେ ନିଜ ହାତରେ ଧରିଥିବା ରୋଳ ବାଡ଼ିରେ ମଧ୍ୟ ରାମୁ ମଉଷାଙ୍କୁ ଦୁଇରୁ ତିନି ପାହାର ଦେଇ ଦିଅନ୍ତି । ଏଇଟା ତାଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ ହୋଇ ଯାଇଥାଏ । 

 ଆଜି ଭୀଷଣ ଜ୍ବରରେ କମ୍ପୁଛନ୍ତି ରାମୁ ମଉଷା । ହାତ ହଲେଇବାକୁ ବଳ ନାହିଁ । ପାଦ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଉଠେଇ ପାରୁ ନାହାନ୍ତି । ହେଲେ ଦୋକାନ ଖୋଲିବାକୁ ପଡିବ । କାରଣ ଦୈନିକ ଗିରାଖ ଫେରିଯିବେ । ଆଜିକାଲି ଫେରିଯିବା ଗିରାଖ ପୁନଶ୍ଚ ଲେଉଟିବା କଷ୍ଟ । ତେଣୁ ସେ ପୁଅ ବିକାଶକୁ କହିଲେ”ବାପାରେ ଆଜି ଟିକେ ଦୋକାନ ଦେଖା ଶୁଣା କରିବୁ ଆଉ ମୁଁ ତୋ ପାଖେ ପାଖେ ରହିବି ।”

ବିକାଶ ଶିକ୍ଷିତ ପିଲା ଓ ଆଜ୍ଞାଧୀନ ମଧ୍ୟ । କହିଲା, ”ହଁ ବାପା, ଆପଣ ଔଷଧ ଖାଇ ସେଇଠାରେ ସୋଇବେ ଆଉ ମୁଁ ସବୁ କିଛି କାମ ଦେଖାଶୁଣା କରିଦେବି । ମୁଁ ମଧ୍ୟ ଭଲ ଚାହା କରିପାରିବି ବାପା ।”

 ବାପା ପୁଅ ସକାଳେ ସକାଳେ ଦୋକାନ ଖୋଲି ଦେଲେ । ବାପା ଦୋକାନର ଗୋଟିଏ ଖଟିଆ ମଧ୍ୟରେ ଶୋଇ ରହିଥାନ୍ତି ଓ ବିକାଶ ଚାହା କରିବା ସହିତ ଅନ୍ୟ ଜଳଖିଆ ମଧ୍ୟ ପ୍ରସ୍ତୁତ କରୁଥାଏ । ଆଗରୁ ବାପାଙ୍କ ସହିତ ଏମିତି ଥରେ ଥରେ ଆସି ସେ ସବୁ ଶିଖି ଯାଇଥିଲା । 

 ଚାହା ବସିଥାଏ ହଠାତ ପୋଲିସ ବାବୁ ଆସି ହାଜର । ଡାକ ଦେଲେ”ୟେ ବୁଢା କ'ଣ ଚାହା ପ୍ରସ୍ତୁତ ହୋଇନାହିଁ । ଆଜି କଣ ବହୁତ ବିଳମ୍ବ ।"

ରାମୁ ମଉଷା ଟିକେ ବେକ ଟେକି ଦେଖିଲେ ପୋଲିସ ବାବୁ ଆଉ କରୁଣ ସ୍ୱରରେ କହିଲେ, ”ବାବୁ ମୋତେ ବହୁତ ଜ୍ୱର ଆଉ ମୋ ପୁଅ ଅଛି ଚାହା କରି ସଙ୍ଗେ ସଙ୍ଗେ ଦେଵ । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।”

ପୋଲିସ ବାବୁ ତ ବହୁତ ରାଗି ଲୋକ, ହକ ଚାକିରି ଖଣ୍ଡେ କେତେ ଘୋଷ ଘାସ ଦେଇ କରିଛନ୍ତି, ପୁଣି ପୋଲିସ ଚାକିରୀ ! କଥାରେ ଅଛି”ମାଛ ଖାଇବୁ ଇଲିସି ! ଚାକିରୀ କରିବୁ ପୋଲିସି !”ସବୁ ଖାତିରିର ଗନ୍ତା ଘର । ଚୋର ଠାରୁ ଠକ ସମସ୍ତଙ୍କର ଭୟ । ଟିକେ ରୋଳ ବାଡ଼ି ଉଠେଇ, ନିଶକୁ ମୋଡି ବୁଢା ଉପରେ ଧୀର ଆଘାତ ଦେଇ କହିଲେ”ତୋର ଆଉ ଦୋକାନ କରିବାର ଇଚ୍ଛା ନାହିଁ । କାଲି ଏଠୁ ତୋତେ ବିଦା କରିବି ।"

 ଏତିକି ବେଳେ ବିକାଶ କହି ପକେଇଲା, ”ଓ ବାବୁ ଆପଣ ଦେଖି ପାରୁ ନାହାନ୍ତି ମୋ ବାପାଙ୍କୁ ଜ୍ୱର । ସେଥିପାଇଁ ମୁଁ ଚାହା ତିଆରି କରୁଛି । ଟିକେ ଅପେକ୍ଷା କରନ୍ତୁ ମୁଁ ଦେଉଛି ।”

“ଏଁ ଏଁ କଣ କହିଲୁ ମୋତେ ନାଲି ଆଖି ! ପୁଣି ହାବିଲଦାର ରଞ୍ଜିତକୁ ନାଲି ଆଖି ।”

ବିକାଶ ସାହସର ସହିତ, ”ବାବୁ ଆପଣ ପୋଲିସ ହେଲେ ତ କଣ ହେଲା । ଆପଣ ଆମ ଗରାଖ । ଗରାଖ ହେଉଛନ୍ତି ଭଗବାନ ସମାନ, ତେଣୁ ଆପଣଙ୍କ ଚର୍ଚା କରିବା ଆମର ଧର୍ମ । ଟିକେ ଧର୍ଯ୍ୟ ଧରନ୍ତୁ ମୁଁ ସବୁ କିଛି ତିଆରି କରି ଦେଉଛି ।"

 ଚାହା ତିଆରି ହୋଇ ଯାଇଥାଏ । ବାବୁଙ୍କୁ ପରସି ଦେଲେ ଚାହା ଓ ଜଳଖିଆ । ବାବୁଙ୍କର ତ ଗୁଣ ହେଉଛି ଚାହା ପିଇବେ ଶେଷରେ କପ ସହିତ ଅଳ୍ପ କିଛି ଚାହା ଫୋପାଡିବେ । ଆଜି ମଧ୍ୟ ସେମିତି କଲେ ।

"ଛି ଛି ଥୁ, କଣ ଚାହା ହେଇଛି ଆଜି । କୁକୁର ବି ମୁହଁ ମାରିବ ନାହିଁ । ବହୁତ ବଡ଼ ବଡ଼ କଥା କହୁଛୁ ଭିକାରୀ ଛୁଆ । ଚାହା କରିଛୁ ମଣିଷ ପିଇବ ନାହିଁ । ହଉ ଦୁଇଟା ମିଠା ବିସ୍କୁଟ ଓ ଗୋଟେ କୁରୁକୁରି ଦେଇ ଦେ ।"

ପୋଲିସ ହବେଲଦର ରଞ୍ଜିତ ବାବୁଙ୍କର ଇଚ୍ଛା ଅନୁସାରେ ଜିନିଷ ସବୁ ଯୋଗାଇ ଦେଲା । ଶେଷରେ ଆସିଲା ପଇସା ଦେବାର ପାଳି । ବାବୁ ସିଧା ଚାଲିବାକୁ ଲାଗିଲେ ।

ବିକାଶ ଡାକ ଛାଡିଲା, ”ବାବୁ ବାବୁ ...! ଆପଣଙ୍କର ୬୦ ଟଙ୍କା ହୋଇଛି ଦେଇ ଯାଆନ୍ତୁ ।”

ରଞ୍ଜିତ ବାବୁ ରାଗ ଗର ଗର ହୋଇ,”କଣ କହିଲୁ ପଇସା ଦେବି । ପଇସା ନେଇ କାଠ କିଣିବୁ ଆଉ ତୋ ବାପକୁ ପୋଡ଼ିବୁ । ଭିକାରୀ କଉଠିକାର । ପୋଲିସକୁ ମାଗୁଛି ପଇସା ।”

“ନାଇଁ ବାବୁ ଆପଣ ସେମିତି କରନ୍ତୁ ନାହିଁ । ଆପଣ ନହେଲେ ଚାହା ପଇସା କାଟି, ବାକି ଦେଇ ଦିଅନ୍ତୁ ।"

“ତୋ ବାପାକୁ ପଚାର କେବେ ସେ ମୋତେ ପଇସା ମାଗେ ? ତୁ ଆସିଗଲୁ ପଇସା ମାଗିବାକୁ । ହା ହା .."

“ଆପଣ କଣ ମାଗଣାଖିଆ ଲୋକ । ଭଲ କଥା ହେବ ନାହିଁ, ଯଦି ଆପଣ ପଇସା ନ ଦିଅନ୍ତି ! ମୁଁ ଯାଇ ଥାନାରେ ଅଭିଯୋଗ କରିବି ।"

"କଣ କହିଲୁ ଥାନାରେ ଅଭିଯୋଗ କରିବୁ ମୋ ନାଆଁରେ । ବେ ଥାନା ମୋର ଆଉ ମୁଁ ହେଇଛି ଥାନା । ସିଧା ସେଇ ଥାନାରେ, ବିନା ଖାନାରେ ଦୁଇ ତିନି ଦିନ ବନ୍ଧ କରିଦେବି ।”

ବିକାଶ ଛୋଟ ବୟସର ହେଲେ ମଧ୍ୟ ୨୨ ବର୍ଷର ପିଲା । ଶିକ୍ଷିତ ମଧ୍ୟ, ଡରିବ କାହିଁକି ? ସେ ମଧ୍ୟ ପ୍ରତିଉତ୍ତର ଦେଇଚାଲିଥାଏ । ବାପା ତା'ର ଜ୍ଜ୍ୱରରେ କମ୍ପୁଛନ୍ତି । ମଝିରେ ମଝିରେ ବାରଣ କରୁଛନ୍ତି,”ଥାଉ ବାବା ସେ ବାବୁଙ୍କ ସହିତ ମୁହଁ ଲଡାନା । ସେ ପଇସା ଦେବେ ନାହିଁ । ସେ ଯାଆନ୍ତୁ । ହେଲେ ବିକାଶ ଭାବୁଥାଏ ଏମିତି କାହିଁକି ଲୋକ ମାନେ ବାହାଦୁରି ଦେଖେଇ ପଇସା ଲୋଟି ନେବେ ? ଆମେ କଣ ଚୋରି କରୁଛନ୍ତି ଯେ ! ଆମେ ଜିନିଷ ବିକିଲେ ପଇସା ନେବା । ଏମିତି ଭାବି ହେଉଥାଏ ଓ ବାବୁଙ୍କୁ ନେହୁରା ହେଉଥାଏ କିଛି ପଇସା ଦେଇ ଯାଆନ୍ତୁ ହେଲେ ଶୁଣିଲେ ନାହିଁ ପୋଲିସ ବାବୁ । ଶେଷରେ ବିକାଶ କହି ପକେଇଲା,”ଦୁନିଆରେ ଏମିତି ଅବିବେକି ଲୋକ ମୁଁ ଆଦୌ ଦେଖି ନାହିଁ ଯିଏ ଭିକାରୀ ଠାରୁ ବି ହୀନ ।"

 ବାବୁଙ୍କୁ ବହୁତ ବାଧିଯାଇଥିଲା । ନିଜ ହାତରେ ଥିବା ରୂଲ ବାଡିଟିକୁ ଧରି ବିକାଶ ନିକଟକୁ କ୍ଷେପି ଆସିଲେ ଓ ମନଇଚ୍ଛା ବାଡେଇବାରେ ଲାଗିଲେ । ରାମୁ ମଉଷା ସହିନପାରି କଷ୍ଟେମଷ୍ଟେ ଉଠି ଆସି ବାବୁଙ୍କ ଗୋଡ଼ ଧରି କହିଲେ, ”ବାବୁ ମୋ ପୁଅର ଭୁଲ ହୋଇ ଯାଇଛି ସେ ଆଉ କେବେ ପଇସା ମାଗିବ ନାହିଁ । ତାକୁ ଏଇଥର ଛାଡି ଦିଅନ୍ତୁ ବାବୁ । ମୁଁ ତାକୁ ଆଉ ମୋ ଦୋକାନକୁ ଆଣିବି ନାହିଁ । ଦୟାକରି ଛାଡି ଦିଅନ୍ତୁ ବାବୁ ।"

 ରକ୍ତାକ୍ତ ଅବସ୍ଥାରେ ବିକାଶକୁ ଛାଡି ଦେଇ ପୋଲିସ ବାବୁ ବାରଣ କରି କହିଦେଇ ଗଲେ,”ଦେଖ ବୁଢା, ମୁଁ ଯେମିତି ୟେ ଟୋକାକୁ ଏଇ ଆଖ ପାଖ ଇଲାକାରେ ମଧ୍ୟ ନ ଦେଖେ ।”ଏତକ କହି ପୋଲିସ ବାବୁ ଚାଲି ଯାଇଥିଲେ ।

 ରାମୁ ମଉଷା ନିଜ ହୃଦୟର କଷ୍ଟ ଓ ବେଦନାକୁ ନିଜ ହୃଦୟ ମଧ୍ୟରେ ଚାପି ରଖି ପୁଅକୁ ଆଉଁସି ଦେଇ କହିଲେ”ବାପାରେ ତୁ କାହିଁକି ସେମାନଙ୍କ ସହିତ ମୁହଁ ଲଢ଼ୁଥିଲୁ । ସେମାନେ ହେଲେ ସରକାରୀ ଲୋକ । ବଡ଼ ଲୋକିଆ । ଯାହା ଚାହିଁବେ କରି ପାରିବେ । ହେଲେ ଆମେ ଗରିବ ଓ ମଳିମୁଣ୍ଡିଆ ଲୋକ, ତେଣୁ ଆମ କଥା କିଏ ପଚାରେ । ଭୁଲ ମୁଁ କରିଛି । ନିଜେ ସିନା ମାଡ଼ ଖାଇ ସହି ଯାଉଥିଲି ହେଲେ ଶେଷରେ ମୁଁ ଶିକ୍ଷିତ ପୁଅଟାକୁ ଆଣି ମଧ୍ୟ ମାଡ଼ ଖୁଆଇଲି । ଧିକ ମୋ ଜୀବନ । ଧିକ ମୋ ବାପା ପାଣିଆ ।

 ବିକାଶ ସବୁ ବୁଝି ପାରିଥିଲା । ସେ ଜାଣି ସାରିଥିଲା ଏମାନେ ଆଇନର ରକ୍ଷକ ସାଜି ନିରୀହ ଲୋକମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଏମାନେ ରକ୍ଷକ ନାମରେ ଭକ୍ଷକ ସାଜି ଏଇ ଦୁନିଆକୁ କଳୁଷିତ କରୁଛନ୍ତି । ଗରିବ ଓ ନିରୀହ ଲୋକଙ୍କର ଝାଳବୁହା ଧନରେ ନିଜର ଅହମିକା ତୁଟାଉଛନ୍ତି । ନିଜକୁ ଆୟତ୍ତ କରି ଧୀରେ ଧୀରେ ଉଠି ବସିଲା । ବାପାଙ୍କର ମୁଣ୍ଡରେ ହାତ ବୁଲେଇ ଦେଇ କହିଲା ବାପା ଆପଣ ବିଶ୍ରାମ କରନ୍ତୁ ମୋର କିଛି ହେଇନି । ମଣିଷ ଠୋକର ନ ଖାଇବା ଯାଏ ତା ହୃଦୟରେ ନିଷ୍ଠା ଜାଗ୍ରତ ହୁଏ ନାହିଁ । 

 ବାପାଙ୍କୁ ଉଠାଇ ନେଇ ଦୋକାନର ଖଟିଆରେ ସୁଇଦେଲା ବିକାଶ । ସର୍ବାଙ୍ଗ ଶରୀର ଜଳା ପୋଡା କରୁଥାଏ । ଯାହା ହେଲେ ବି ଏଇଟା ମଧ୍ୟ ତାର ଭାଗ୍ୟ ଭାବି ନେଇଥିଲା । ନିଜ କର୍ମକୁ ଆଦରି ନିଜ କାର୍ଯ୍ୟରେ ଲାଗି ରହିଲା ।

  ରଞ୍ଜିତ ବାବୁଙ୍କର ହାବିଲଦାରରୁ ପଦୋନ୍ନତି ହୋଇ ଇନ୍ସପେକ୍ଟରକୁ ଯାଇଥାଏ । ଏହି ଅଞ୍ଚଳରେ ରଞ୍ଜିତ ବାବୁ କହିଲେ ଲୋକ ମାନେ ଥର ହର । ରଞ୍ଜିତ ବାବୁଙ୍କ କ୍ରୋଦ୍ଧ ଓ ଲାଞ୍ଚଖୋର ପ୍ରକୃତି ପାଇଁ ଲୋକ ମାନେ ଭୟ ଅତ୍ୟନ୍ତ କରନ୍ତି । କେହି ତାଙ୍କ ବିରୋଧୀ ହେବାକୁ ସାହସ କରନ୍ତି ନାହିଁ । କ୍ରୋଦ୍ଧି ଓ ଲାଞ୍ଚୁଆ ପୋଲିସକୁ କିଏ ବା ଭୟ ନ କରିବ । ନେତାମାନେ ମଧ୍ୟ ସଦା ସର୍ବଦା ନତ ମସ୍ତକ ହୁଅନ୍ତି । 

 ଥାନାର ଦୁଆର ସାମ୍ନାରେ ଇନ୍ସପେକ୍ଟର ରଞ୍ଜିତ ବାବୁ ବସିଛନ୍ତି । ହଠାତ ଏକ ଚିଠି ଆଣି ହବେଲଦର ଧରେଇ ଦେଇ କହିଲା ମହାଶୟ ଡାକ ଵାଲା ଚିଠି ଦେଇଗଲା । ଏଇଟା ବୋଧହୁଏ ଏସ୍.ପି. ସାରଙ୍କ ଚିଠି । 

 ଚିଠି ଖୋଲି ଦେଇ ଜାଣିବାକୁ ପାଇଲେ ଏସ୍.ପି. ସାର ଡକେଇଛନ୍ତି । ଏକ ଜରୁରୀ ସାକ୍ଷାତକାର ପାଇଁ ।

ଇନ୍ସପେକ୍ଟର ରଞ୍ଜିତ ବାବୁ ନିଜର ତାରା ବିମଣ୍ଡିତ ଖାକି ବରଦି ପିନ୍ଧି ସଜବାଜ ହୋଇ ଯାଇ ଏସ୍.ପି. ଅଫିସରେ ହାଜର ହୋଇଗଲେ । ମନରେ ବଡ଼ ଆଶା ଯେ ନେତାଙ୍କର ଗୁଲାମୀ କରି ମୋର ହାବିଲଦରରୁ ଇନ୍ସପେକ୍ଟରକୁ ପଦୋନ୍ନତି ହୋଇଥିଲା । ଏବେ ବୋଧହୁଏ ଆଉ କିଛି ଶୁଭ ଖବର ମିଳିବ । ମନରେ ଅସୁମାରୀ ଆଶା ଓ ହୃଦୟରେ ଅକୁହା ଆନନ୍ଦର ମାଦକତାରେ ଏସ୍.ପି. କାର୍ଯ୍ୟାଳୟ ସାମ୍ନାରେ ହାଜର ହୋଇ ଗଲେ । ଏସ୍.ପି. ସାରଙ୍କୁ ଭେଟିବେ ଏଇଟା ତାଙ୍କର ସୌଭାଗ୍ୟ କହିଲେ ଚଳେ । 

  ନିଜର ଦରଖାସ୍ତ ସେଠାକାର ଦରୱାନଙ୍କୁ ଦେଖାଇବାରୁ, ଦରୱାନ ନେଇ ଏସ୍.ପି. ସାରଙ୍କୁ ଭେଟ କରାଇ ଦେଲା । ରଞ୍ଜିତ ବାବୁଙ୍କୁ ସାର ଜଣଙ୍କ ଚିହ୍ନିଲା ଚିହ୍ନିଲା ଭଳି ଲାଗୁଥିଲେ । ସ୍ୟାଲୁଟ ସାର ବୋଲି ପୁରା ଦମ୍ଭର ସହିତ ଜଣାଇଥିଲେ ।”ସାର ମୁଁ ରଞ୍ଜିତ କୁମାର, ଇନ୍ସପେକ୍ଟର ଯାହାକୁ ଆପଣ ଦରଖାସ୍ତ ପଠେଇ ଥିଲେ ।"

 ହଁ, ଆପଣଙ୍କୁ ଦେଖିବା ପାଇଁ ମୁଁ ବହୁ ଦିନରୁ ପ୍ରତୀକ୍ଷା କରିଥିଲି । ଆପଣଙ୍କ ଭଳି ଜଣେ ଦକ୍ଷ ପୋଲିସ ଆମ ପାଇଁ ଗର୍ବ ଓ ଗୌରବ । ଆପଣଙ୍କ ଭଳି ଆଠରୁ ଦଶ ଜଣ ପୋଲିସ ଆମ ପୋଲିସ ଡିପାର୍ଟମେଣ୍ଟରେ ରହିଲେ ପୁରା ଓଡିଶା ଓଲଟା ପାଲଟା ହେଇଯିବ ।”ମୃଦୁ ହସରେ ଏସ୍.ପି. ସାର ଚୁଗୁଲେଇଥିଲେ ।

“ହଁ ସାର, ମୋ ଇଲାକାରେ କୌଣସି ଚୋରି, ଡକାୟତି ଓ ହତ୍ୟାର ପ୍ରଶ୍ନ ନାହିଁ ସାର ।"

“ପୋଲିସ ଚୋର ହେଲେ କଣ ଚୋରି ହୁଏ !ପୋଲିସି ହତ୍ୟାକାରୀକୁ ସହଯୋଗ କଲେ କଣ ହତ୍ୟାକାରୀ କେହି ରୁହନ୍ତି ! ଆଉ ନିଜେ ଡକାୟତି କଲେ କଣ ଡକାୟତ ରେକର୍ଡ ଭୁକ୍ତ ହୁଅନ୍ତି । କୁହନ୍ତୁ ଇନ୍ସପେକ୍ଟର ରଞ୍ଜିତ ବାବୁ ।"

“ହଁ ସାର, ଏମିତି ଆମ ଓଡ଼ିଶାରେ ଅଧିକାଂଶ ଇଲାକାରେ ହେଉଛି । ହେଲେ ମୋ ଇଲାକା ସମ୍ପୂର୍ଣ୍ଣ ନିଆରା । କେହି କିଛି ଦଙ୍ଗା ହେଙ୍ଗାମ କରିବା ପୂର୍ବରୁ ହଜାରେ ଥର ଭାବେ ଯେ ରଞ୍ଜିତ ଇନ୍ସପେକ୍ଟର ଆମକୁ କାଠଗଡା ଧରେଇ ଦେବେ । ତେଣୁ ସମସ୍ତେ ଶାନ୍ତି ଶୃଙ୍ଖଳାରେ ରୁହନ୍ତି ।"

“ହଉ ଆପଣ ଟିକେ ଚାହା ଓ ନାସ୍ତା କରି ଦିଅନ୍ତୁ । ଆପଣଙ୍କ ଭଳି ପୋଲିସ କର୍ମୀଙ୍କ ପାଇଁ ସବୁ କିଛି ବ୍ୟବସ୍ତା ହୋଇଛି । ଆପଣଙ୍କୁ ସାକ୍ଷାତ କରି ମୁଁ ଆଜି ଗର୍ବିତ । ଆପଣ ନାସ୍ତା କରନ୍ତୁ ମୁଁ ଟିକେ ବାହାରୁ ଆସୁଛି ।"

 ଏସ୍.ପି. ସାରଙ୍କର କଥାରେ ଅତ୍ୟନ୍ତ ଆନନ୍ଦିତ ହୋଇ ରଞ୍ଜିତ ବାବୁ ଖୁସିରେ ପାଗଳ ହୋଇଗଲେ । ଆଜି ନିଶ୍ଚୟ ପୁଣି କିଛି ପଦୋନ୍ନତି ଭଳି ସୌଭାଗ୍ୟ ମିଳିବାର ଅଛି ବୋଧହୁଏ । ଏମିତି ଭାବନା କରୁ କରୁ ଜଣେ କର୍ମୀ ଖାଦ୍ୟପେୟ ଆଣି ପହଞ୍ଚାଇ ଥିଲେ । ଅତ୍ୟନ୍ତ ଆନନ୍ଦରେ ରଞ୍ଜିତ ବାବୁ ସେଠାକର ସମସ୍ତ ଭୋଜନ ଭକ୍ଷଣ କରିଥିଲେ । ଭୋଜନ ସରିଲା ବେଳକୁ ଜଣେ ଛିଣ୍ଡା ଫଟା ପୋଷାକ ପିନ୍ଧା ଯୁବକ କିଛି ଚାହା ଓ ମିଠା ବିସ୍କୁଟ ସହିତ କେତେ ପ୍ୟାକେଟ କୁରୁକୁରି ଧରି ପହଞ୍ଚିଥିଲେ ଓ କହିଲା”ପୋଲିସ ବାବୁ ମୋ ବାପାଙ୍କର କିଛି ମାସ ହେବ ମୃତ୍ୟୁ ହୋଇ ଯାଇଛି । ହେଲେ ମୋ ବାପା ମରିଲା ବେଳେ କହିଯାଇଥିଲେ ସେ ପୋଲିସ ବାବୁ ଆସିଲେ ତାଙ୍କୁ ଚାହା ପିଆଇବୁ, ଆଉ ଯାହା ମାଗିବେ ଦେବୁ, ନ ହେଲେ ସେ ପୁଣି ତତେ ବାଡେଇବେ । ତୁ ମୋର ଶିକ୍ଷିତ ପୁଅ ଆଉ ତତେ କେହି ବାଡେଇଲେ ମୁଁ ସହି ପାରିବି ନାହିଁ । କେତେ କଷ୍ଟ ସହି ବାବୁ ମାନଙ୍କର ଠେଙ୍ଗା ପାହାର ଖାଇ ମୁଁ ତତେ ମଣିଷ କରିଛି । ମୋ ମୁଣ୍ଡରେ ହାତ ରଖି କହ ତୁ ଯେମିତି ଜୀବନରେ କେବେ ବି କାହାଠାରୁ ଆଉ ମାଡ଼ ଖାଇବୁ ନାହିଁ । କାରଣ ତୋର ଜନ୍ମ ଠାରୁ ଏବେ ଯାଏ ମୁଁ ତୋ ଦେହରେ ଆଙ୍ଗୁଳି ବି ଲଗେଇ ନାହିଁ । କହି ଭୋ ଭୋ ହୋଇ କାନ୍ଧିଥିଲେ । କହି ଯୁବକ ଜଣକ କାନ୍ଧିବାକୁ ଲାଗିଲେ । ରଞ୍ଜିତ ବାବୁ ଯୁବକଙ୍କ ଚେହରାରୁ ସବୁ ବୁଝି ସାରିଥିଲେ । ସେଠାରେ ଉପସ୍ଥିତ ସମସ୍ତ ପୋଲିସ କର୍ମୀ ମଧ୍ୟ କନ୍ଧିବାକୁ ଲାଗିଲେ ।

“କଣ ଭାବୁଛନ୍ତି ରଞ୍ଜିତ ବାବୁ ! ମୁଁ ସେଇ ଭିକାରୀ ଛୁଆ ଯାହାକୁ ଆପଣ ଦାଦାଗିରି ଦେଖେଇ ନିଜ ରୂଲ ବାଡ଼ିରେ ସେଇ ଦିନ ଗଡେଇ ପଡେଇ, ବାଡେଇ ବାଡେଇ ରକ୍ତାକ୍ତ କରି ଦେଇଥିଲେ । ମୁଁ ହେଉଛି ସେଇ ଭିକାରୀ ଚାହା ଦୋକାନୀ ପୁଅ ବିକାଶ । ଯିଏ ଏଇନେ ଏଠିକାର ଏସ୍.ପି. ରୂପେ କାର୍ଯ୍ୟରତ । ଏଇ ପୋଷାକ ଦେଖନ୍ତୁ ଯାହାକୁ ମୁଁ ପିନ୍ଧି ଚାହା ତିଆରି କରୁଥିଲି ଓ ଏଇ ପୋଷାକରେ ମୁଁ ଆପଣଙ୍କ ରୋଲ ବାଡିର ମାଡ଼ ଖାଇ ଚିରା ଫଟା ହୋଇ ଯାଇଛି । ମୋ ଭିତରେ ସେଇ ନିଷ୍ଠା ଭାବ ଜାଗ୍ରତ ହୋଇଥିଲା, ଯାହା କି ମୋର ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଠା ଯୋଗୁଁ ଏହି ଜାଗାରେ ପହଞ୍ଚି ପାରିଛି । ଏବେ କୁହନ୍ତୁ ଆପଣ କେତେ ସଚ୍ଚୋଟ ଅଫିସର ଓ ଆପଣଙ୍କର ସ୍ଥାନ କେଉଁଠି । ରଞ୍ଜିତ ବାବୁ କେବଳ ଉଦାସିଆ ମନରେ ନୟନର ଅଶ୍ରୁକୁ ନିଜର ଭାଗ୍ୟ ବୋଲି ଭାବୁଥିଲେ । ତାଙ୍କ ପାଖରେ ନିଜର ଦାଦାଗରୀ ଓ ବଡ଼ପଣିଆର ପ୍ରମାଣପତ୍ର ଛଡା କିଛି ବି ନ ଥିଲା । ଯେତେ ହାତ ଗୋଡ଼ ଧରିଲେ ମଧ୍ୟ ବିକାଶ କୌଣସି କଥା ଶୁଣିନଥିଲେ ତାଙ୍କର । କେବଳ ଏତିକି କହିଥିଲେ, ”କୁକୁର ମୋତେ କାମୁଥିଲା ବୋଲି ମୁଁ କୁକୁରକୁ କାମୁଡିବି ନାହିଁ ।”ତେଣୁ ତୁମକୁ ଏଇ ନିରୀହ ଗରିବମାନଙ୍କର ଦାଦା ହେବାକୁ ଦେବି ନାହିଁ ! କି ତୁମ ଚାକିରୀ ଉପରେ କୌଣସି ଆଞ୍ଚ ଆସିବାକୁ ଦେବିନି ତେଣୁ ତୁମକୁ କଳାହାଣ୍ଡି ଭଳି ଲଢ଼ୁଆ ଆଦିବାସୀ ଗୋଷ୍ଠୀର ଥାନା ଫାଣ୍ଡିକୁ ବଦଳି କରାଯିବ । ଏଇ କଥା ଶୁଣି ରଞ୍ଜିତ ବାବୁଙ୍କର ହୋସ ଉଡିଯାଇଥିଲା...



Rate this content
Log in

Similar oriya story from Inspirational