Maheswar sahoo

Children Stories

3  

Maheswar sahoo

Children Stories

ମୁଇଁ ତ ଗରିବ ଛାତ୍ର(ତୃତୀୟ ଭାଗ)

ମୁଇଁ ତ ଗରିବ ଛାତ୍ର(ତୃତୀୟ ଭାଗ)

6 mins
230


ମାଆ ବାହାରକୁ ଆସି ଦେଖିଲେ ଯେ ; ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ ଓ ମହେଶକୁ ସାଥିରେ ନେଇ ଏକ ଭ୍ୟାନ ଗାଡି ଯୋଗେ ଆସିଛନ୍ତି ତପନକୁ ନେବା ପାଇଁ । ପ୍ରଧାନ ଶିକ୍ଷକ କହିଲେ "ଭଉଣୀ ଆମକୁ ଟିକେ ସହଳେ ପହଞ୍ଚିବାକୁ ପଡିବ । ପୁରା ରାଜ୍ୟର ବଛା ବଛା ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଭାଗ ନେବେ । ତେଣୁ ଆମେ ସହଳେ ଗଲେ ନାମ ପଞ୍ଜିକରଣ କରାଇବାକୁ ସହଜ ହେବ ।"ମାଆ ଯମୁନା ଅତ୍ୟନ୍ତ ଖୁସି ହୋଇଗଲେ । ଘରେ ବସିବାକୁ ଚେୟାର ଗୋଟେ ବି ନାହିଁ ତେଣୁ ଛିଣ୍ଡା ସପଟିଏ ଆଣି ପକେଇ ଦେଲେ । " ନାଁ ଭଉଣୀ ପିଲାମାନଙ୍କୁ ମୋ ଦାୟିତ୍ୱରେ ମୁଁ ନିଜେ ନେଇ କରି ଯାଉଛି । ସେମିତି ସୁରକ୍ଷିତ ଆଣି ମଧ୍ୟ ଛାଡ଼ିବି । ଆଉ ଗୋଟେ କଥା କହିବି ଭଉଣୀ ଆମ ତପନ ହେଉଛି ସମସ୍ତ ଶିକ୍ଷକ ମାନଙ୍କର ଅତି ପ୍ରିୟ । ସବୁଗୁଣରେ ପରିପୂର୍ଣ । ହଉ ଠିକ ଅଛି, ତପନ ମଧ୍ୟ ପ୍ରସ୍ତୁତ ହେଇ ସାରିଛି । ଆମେ ଆସୁଛୁ ଭଉଣୀ ନମସ୍କାର " କହି ପ୍ରଧାନ ଶିକ୍ଷକ ପିଲାମାନଙ୍କୁ ସହିତ ଭ୍ୟାନରେ ବସିଗଲେ ।

   ପ୍ରଧାନ ଶିକ୍ଷକ ନିଜେ ଆସିଛନ୍ତି ମୋ ପୁଅକୁ ନେବାକୁ । କେତେ ପ୍ରସଂଶା କରୁଛନ୍ତି ମୋ ପୁଅକୁ ! ଭାଗବନ କେତେ ନିର୍ଦୟ ଯେ । ବାପାଙ୍କୁ ଚିହ୍ନିବା ପୂର୍ବରୁ ସ୍ୱର୍ଗବାସୀ କରାଇଦେଲ ।ତାହାହେଲେ ମୋ ପୁଅ ଭିତରେ କିଛି ଜ୍ଞାନ ଗାରିମା ରହିଛି । ନ ହେଲେ ଏତେ ବଡ଼ ଚାକିରିଆ ପ୍ରଧାନଶିକ୍ଷକ କଣ ଆମ ଘରକୁ ଆସିଥାନ୍ତେ ! ଏମିତି ଅନେକ ଭାବି ତପନର ମାଆ ଅତ୍ୟନ୍ତ ଖୁସି ହେଉଥାନ୍ତି । ମାଆଙ୍କର ଆଉ ଭୟ ନାହିଁ କାରଣ ଗୁରୁଜୀ ନିଜେ ପିଲାଟିକୁ ସାଥିରେ ନେଇକରି ଜିବେ । ତାର ତଦାରଖ ଠିକ ଭାବେ ରଖିବେ ନିଶ୍ଚୟ । ମୋ ପୁଅ ମୋ ସାମନାରେ ଗୋବର ଘଷି ରୁଣ୍ଡାଇଲେ ମଧ୍ୟ ସେ ମୋ ଆଖିଆଗରେ ଥାଉ ବୋଲି ସମସ୍ତ ମାଆଙ୍କର ଚିନ୍ତା ଓ କାମନା ମଧ୍ୟ । ଯାହା ହେଲେବି ମୁଁ ଗୋଟିଏ ମାଆ , ମୋର ଆଗକୁ ନାହିଁ କି ପଛକୁ । ମନେ ମନେ ଭାବୁଥାନ୍ତି ମାଆ ଯମୁନା । ପୁଣି କହିପକାଉଥାନ୍ତି " ଶିକ୍ଷକ ହେବ ତ ଏମିତି । ମୋ ଝୁପିଡ଼ି ଘରେ ଭ୍ୟାନ ଗାଡି ଆଣି ପହଞ୍ଚେଇ ପାରିଲେ ଓ ମୋ ଭଳି ଜଣେ ଗରିବ ବିଧବା କୁ ଭଉଣୀ ବୋଲି ସମ୍ବୋଧନ କଲେ ବାଃ ବାଃ ।

   ପ୍ରଧାନ ଶିକ୍ଷକ ନିଜର ତିନିଜଣ ଦକ୍ଷ ଛାତ୍ରଙ୍କୁ ଧରି କ୍ରୀଡା ଉତ୍ସବ ଅଭିମୁଖେ ଯାତ୍ରା କଲେ । ଯେମିତି ଜଣେ କୌଶଳୀ ସେନାପତି;ନିଜର ଦକ୍ଷ ସୈନ୍ୟବାହିନୀଙ୍କୁ ଧରି ଯୁଦ୍ଧ ଯାତ୍ରା କରିଥାନ୍ତି । 

   ତପନ ଜନ୍ମଠାରୁ କେବେ ଘରୁ ବାହାରି ନ ଥିଲା । ଭ୍ୟାନରେ ବସିବା ତା ପାଇଁ ମଧ୍ୟ ପ୍ରଥମ ଥିଲା । ଅନୁଭୁତି ହୀନ ତପନ ସ୍ୱର୍ଗ ସୁଖ ପରି ମନେ କରୁଥିଲା । ଯାହାକି ସେ ଆଜି ବାବୁଙ୍କ ପରି ଭ୍ୟାନରେ ବସି ସହରକୁ ଯାଉଛି । କେତେ ବଡ଼ ବଡ଼ କୋଠା ବାଡ଼ି ଦେଖିବ, କେତେ ବଡ଼ ବଡ଼ ଗାଡି ଭୁଂ ଭୁଂ ହୋଇ ଯାଉଥିବାର ଦେଖିବ । ଆଗରୁ କେବେ ବି ସାର ଆମକୁ ଦୂର ଜାଗାକୁ ନେଇ ନ ଥିଲେ । ପାଖା ପାଖି ହୋଇ ଥାଏ ଆମେ ଚାଲିକି ପଳେଇ ଯାଉ । ମନରେ ଅତ୍ୟନ୍ତ ଆଗ୍ରହ ଓ ଉଦ୍ଦୀପନା ନେଇ ଧୀର ଭାବରେ ଭ୍ୟାନର କାଚ ଦେଇ ବାହାରର ଦୃଶ୍ୟ ଦେଖୁଥାଏ । ପୁଣି ସେ କଳ୍ପନା ବିଭୋର ହୋଇ ମନେ ମନେ ଭାବୁଥାଏ, ମୁଁ ଆଜି ଏହି ସୁଯୋଗ ପାଇଲି କାହିଁକି ? ମୋ ଭିତରେ କଣ ଥିଲା ଯାହାକୁ ଶିକ୍ଷକ ମାନେ ଏତେ ଭଲ ପାଉଛନ୍ତି? ହଁ ଏଇଟା ଜାଣିପାରିଥିଲି ଯେ ଯିଏ ପରିଶ୍ରମ କରେ ସେ ଧନୀ ହୋଇଯାଏ । କେଉଁ ଜିନିଷ ରହିଲେ ମଣିଷ ସବୁଠାରେ ସମ୍ମାନ ପାଏ ବୋଲି ତା ମୁଣ୍ଡରେ କିଛି କିଛି ପଶୁଥାଏ କିନ୍ତୁ ଭାବିବା ସମୟରେ, ଦଶ ରୁ କୋଡିଏ ଚକ ଵାଲା ଲମ୍ବା ଲମ୍ବା ଗାଡି ଗୁଡାକ ତା ପାଖ ଦେଇ ଭୁସ ଭାସ ହୋଇ ଚାଲି ଯାଉଥାନ୍ତି । ଟିକେ ଖୁସି ହୋଇ ସେ କହୁଥାଏ "ଦେଖିଲୁ ରାଜୁ କେତେ ଲମ୍ବା ଗାଡି । ତୁ ଆଗରୁ କେବେ ଦେଖିଛୁ ?" ରାଜୁ କହେ ମୁଁ ପରା ମୋ ବାପାଙ୍କ ଗାଡ଼ିରେ ଛୁଟି ଦିନିଆ ଭୁବନେଶ୍ୱର ଆସିଥାଏ । ବାପା ମୋତେ ନେଇ ଆସନ୍ତି ନନ୍ଦନକାନନ ଚିଡ଼ିଆ ଖାନା ଦେଖେଇବାକୁ । ସେଠାକୁ ଗଲେ ତୁ ଜୀବନ୍ତ ବାଘ, ଭାଲୁ, ହାତୀ ଆଦି ପଶୁ ପକ୍ଷୀ ଓ ମୟୁର ମଧ୍ୟ ଦେଖିପାରିବୁ । ତପନ ଆଶ୍ଚଯ୍ୟ ହୋଇଗଲା । "ସତରେ ଜୀବନ୍ତ ବାଘ ଦେଖିଛୁ ତୁ ! ମଣିଷ ଖାଇଯାଏ ପରା ବାଘ ? " ନାହିଁରେ ସେମାନେ ତାର ଜାଲି ଭିତରେ ରୁହନ୍ତି ବନ୍ଦୀ ହୋଇ । ଆମେ ଜାଲି ଅପର ପାର୍ଶ୍ୱରୁ ତାଙ୍କୁ ଦେଖିପାରିବା । ଏମିତି ତିନି ସାଙ୍ଗ କଥା ହେଉ ହେଉ ଯାହା ସନ୍ଦେହ ରହୁଥାଏ ପ୍ରଧାନ ଶିକ୍ଷକଙ୍କୁ ପଚାରୁ ଥାନ୍ତି । 

   ତପନ ମନରେ ଓ ହୃଦୟରେ ଅଜଣା ଖୁସି ଓ ଆବେଗ । ପଙ୍କରୁ ପଦ୍ମଭଳି ପ୍ରସ୍ପୁଟିତ ହୋଇ ଯାଉଥାଏ ତାର ହୃଦୟ, ଅନ୍ତର ଓ ଚପଳା ମନ । ସେ ଆଜି ଏକ ନୂଆ ଦୁନିଆ ଦେଖୁଛି । ଯେଉଁ ଦୁନିଆରେ କି ବଡ଼ ବଡ଼ କାରଖାନା, ବଡ ବଡ ଗାଡି ଓ କୋଠାଘର ମଧ୍ୟ । ଯାହାକୁ ସିତ ଦିନର ଦାଢୁଆ ଶୀତର କଟାକ୍ଷରୁ ରକ୍ଷାପାଇବା ପାଇଁ ମାଆ ଘୋଡେଇ ଦେଇଥାନ୍ତି ଛିଣ୍ଡା କୁଟୁରା ହେନ୍ସ ମସିଣା । ଥୁରୁ ଥୁରୁ ହୋଇ ରାତି କଟିଯାଇଥାଏ ସେଇ ଶିତୋଷ୍ଣତା ମଧ୍ୟରେ । 

    ରାତି ପାହିବା ପୂର୍ବରୁ ସେମାନେ ଶଯ୍ୟାତ୍ୟାଗ କରି ନିଜକୁ ପ୍ରସ୍ତୁତ କରିଥିବାରୁ ମହେଶ ଓ ରାଜେଶକୁ ନିଦ ଆସିଯାଇଥିଲା । ସେ ଦୁଇଜଣ ଆଉ ତପନ ସହିତ କଥା ନ ହୋଇ ନିଜ ସିଟ ରେ ସୋଇପଡିଲେ । ଏକୁଟିଆ ତପନ ନା ନିଦ ଆସୁଛି ନା କାହା ସହ କଥା ହେଇ ପାରୁଛି । ଯାହା ହେଲେ ବି ପ୍ରଧାନ ଶିକ୍ଷକଙ୍କ ସହ କଣ ସାଙ୍ଗ ଭଳି କଥା ହେଇ ହୁଏ । ହେଲେ ପ୍ରଧାନ ଶିକ୍ଷକ କହିଲେ " କିରେ ତପନ ତୋତେ ନିଦ ଆସୁ ନାହିଁକି ? ଜାଣିଛୁ ଆଗକୁ ମହାନଦୀ ଆସିବ "। " ସାର ମୁଁ ମହାନଦୀ ଦେଖିବି ! ମୋତେ ଟିକେ ମହାନଦୀ ଯିଏକି ଓଡ଼ିଶାର ବଡ଼ ନଦୀ ଦେଖେଇ ଦେବେ କି ସାର ? " ତପନ ଆବେଗ ହୋଇ ପ୍ରଧାନ ଶିକ୍ଷକଙ୍କୁ ନେହୁରା ହେଲା । ପ୍ରଧାନ ଶିକ୍ଷକ ଟିକେ ହସିଦେଇ କହିଲେ "ଆମେ ପରା ମହାନଦୀ ଉପର ପୋଲ ଦେଇ ଯିବା । ଯାହାକି ଆମ ଓଡ଼ିଶାର ବଡ଼ ପୋଲ । ତୁ ପାଖରେ ବସିଛୁ ଦେଖି ପାରିବୁ । 

    ମହାନଦୀ ପୋଲ ଉପରେ ଗାଡି ପହଁଚିଲା । ତପନ ନଦୀ ଉପରର ପୋଲ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇ ଗଲା । ପଚାରିଲା " ସାର ଏହି ପୋଲ କଣ ପାଣିରେ ଭାସୁଛି । ଯଦି କେହି ପୋଲ ମଝିରେ ଥିବା ବେଳେ, ପୋଲ ଭାଙ୍ଗି ଗଲା !ତେବେ କଣ ହେବ ସାର? ବିଚରା ସମସ୍ତେ ମରିଯିବେ ! "ପ୍ରଧାନ ଶିକ୍ଷକ କହିଲେ ଆରେ ବାପା ସେମିତି କୁହନ୍ତି ନାହିଁ । କାରଣ ଏହି ପୋଲକୁ କେତେ ବଡ଼ ବଡ଼ ଯନ୍ତ୍ରୀ ମାନେ ପାଣି ଭିତରେ ଖମ୍ବ ତିଆରି କରି ବନାଇଛନ୍ତି । ସେମାନେ ଜାଣିଛନ୍ତି ଏହି ପୋଲ କେବେ ଭାଙ୍ଗିବ ଓ କେତେ ଓଜନ ବୋହିପାରିବ । ଏବେ ବୁଝିଲୁ ଆଉ ଏମିତି ଅଶୁଭ ଚିନ୍ତା କରିବୁ ନାହିଁ । " ତପନ ଆଶ୍ଚର୍ଯ୍ୟ ହେଉଥାଏ ଓ ମନରେ ଆସୁଥିବା ଅସୁମାରୀ ପ୍ରଶ୍ନ ଗୁଡିକୁ ଚାପି ଦେଉଥାଏ । ଏବେ କଟକ ଧରି ଯାଇଥିଲେ । ଆଗକୁ ଭୁବନେଶ୍ୱର ଆସିବ । ତପନ ହୃଦୟର ସ୍ପନ୍ଦନ ବଢ଼ିବାରେ ଲାଗିଲା । ପ୍ରତିଯୋଗିତାରେ ସମସ୍ତ ରାଜ୍ୟରୁ ପିଲା ଆସିଥିବେ । ହଜାର ହଜାର ପ୍ରତିଯୋଗୀ ମଧ୍ୟରେ ଆମ ତିନିଜଣଙ୍କୁ ସଙ୍ଘର୍ଷ କରିବାକୁ ପଡିବ । ଏମିତି ଚିନ୍ତା କରୁଥିବା ସମୟରେ ଭ୍ୟାନ ଗାଡିର ଚାଳକ କହିଲେ "ଆସିଗଲା କଳିଙ୍ଗ ଷ୍ଟାଡିଅମ । ଏଇଠାରେ କ୍ରୀଡା ଉତ୍ସବ ହେଉଛି । ଏହି ଷ୍ଟାଡିଅମରେ କ୍ରିକେଟ ଖେଳ ହୁଏ ନାହିଁ ହେଲେ ହକି ଖେଳ ସହିତ ରାଜ୍ୟସ୍ତରୀୟ କ୍ରୀଡା ଉତ୍ସବ ସହିତ ଅନ୍ତରାଷ୍ଟ୍ରୀୟ ଖେଳ ମଧ୍ୟ ହୋଇଥାଏ ।" ରାଜେଶ ଓ ମହେଶଙ୍କର ନିଦ ଭାଙ୍ଗିଗଲା । "ଚାଳକ ଭାଇ କ୍ରିକେଟ ଖେଳ କେଉଁଠି ହୋଇଥାଏ " ପଚାରିଲା ତପନ । ପ୍ରଧାନ ଶିକ୍ଷକ ବୁଝେଇ ଦେଲେ ଆମେ ଯେତେବେଳେ ମହାନଦୀ ପୋଲ ପାରି ହେଲେ ସେତେବେଳେ ଆମେ କଟକ ଜିଲ୍ଲା ମଧ୍ୟ ଦେଇ ଆସିଲେ । ସେଇ କଟକ ସହର ମଧ୍ୟରେ ବାରବାଟୀ କ୍ରିକେଟ ଷ୍ଟାଡିଅମ ଆସିଥାଏ ।"

   " ପିଲା ମାନେ ଏବେ ଓହ୍ଲାଅ " କହିଲେ ଚାଳକ ମହାଶୟ । ପିଲା ତିନି ଜଣଙ୍କୁ ଧରି ପ୍ରଧାନ ଶିକ୍ଷକ ମହାଶୟ ଚାଲିଲେ ସେମାନଙ୍କର ନାମ ପଞ୍ଜିକରଣ କରେଇବାକୁ । 

   ହେଲେ ସେଠାରେ ଘୋଷଣା କରାଯାଇଥିଲା ଯେ: ପ୍ରତ୍ୟକ ବିଦ୍ୟାଳୟରୁ କେବଳ ଜଣେ ମାତ୍ର ପ୍ରତିଯୋଗୀଙ୍କୁ ପ୍ରତିଯୋଗିତାରେ ଭାଗନେବା ପାଇଁ ନାମ ପଞ୍ଜିକରଣ କରାଇ ପାରିବେ । ଏବେ କାହାର ନାମ ପଞ୍ଜିକରଣ ହେବ ଚିନ୍ତାରେ ପଡ଼ି ଯାଇଥିଲେ ପ୍ରଧାନ ଶିକ୍ଷକ ! ତାଙ୍କର ମନେ ପଡିଯାଇଥିଲା ଅଷ୍ଟମ ଶ୍ରେଣୀରେ ଅଲମ୍ପିକ ଗେମ ବିଷୟରେ । ଆଧୁନିକ ଅଲମ୍ପିକର ନିର୍ମାତା Coubertin(କୋବେରଟିନ) ଦେଇଥିବା ଉପଦେଶ," The most important thing in the Olympic Games is not to win but to participate" ସେ ଅଲମ୍ପିକ ହେଉ କି ଅନ୍ୟ ଖେଳ ହେଉ, ଜିତିବା ଠାରୁ ଅଂଶଗ୍ରହଣ କରିବା ଗୁରୁତ୍ୱ ପୂର୍ଣ ଅଟେ । ଏଣୁ ଏବେ ମୁଁ କାହାର ନାମ ପଞ୍ଜିକରଣ କରିବି ବୋଲି ଭ୍ରମରେ ପଡିଯାଇଥିଲେ ପ୍ରଧାନ ଶିକ୍ଷକ । ପିଲା ମାନଙ୍କୁ ବୁଝେଇଥିଲେ ଯେ ତୁମେ ତିନିଜଣ ମଧ୍ୟରୁ କେହି ଜଣକୁ ଅଂଶଗ୍ରହଣ କରିବାକୁ ପଡିବ । ଖୋଲା ହୃଦୟରେ କୁହ କିଏ ଭାଗ ନେବ ଓ କିଏ ଦର୍ଶକ ହେବ । 

   ତପନ ସଙ୍ଗେ ସଙ୍ଗେ କହି ପକାଇଲା "ସାର ମୁଁ ଜଣେ ଗରିବ ଛାତ୍ର ହିସାବରେ ଏତିକି କହିବି ଯେ ମୋର ଭବିଷ୍ୟତ ବୋଲି କଣ ମୁଁ ଜାଣିନି । ସବୁଠାରୁ ମୋର ବଡ଼ କୃତଜ୍ଞତା ଯେ ଆପଣ ଏତେ ସୁନ୍ଦର ଜାଗା ଦେଖିବାର ସୁଯୋଗ ପାଇଲି । ଆପଣ ନବମ ଶ୍ରେଣୀରେ ପଢ଼ାଇଥିବା" The missile man of India" ବିଷୟରେ "ଡକ୍ଟର ଅବଦୁଲ କଲାମଙ୍କ ଜୀବନୀ" ଯେଉଁ ଶିବସୁବ୍ରମନ୍ୟା ଶିକ୍ଷକଙ୍କ ବିଷୟରେ ପଢ଼ାଇଥିଲେ ତାହା ଆଜି ମୁଁ ଅନୁଭବ କରୁଛି । ଏଠି ଭାଗ ନେଇ ଜିତିଲେ କି ହାରିଲେ ମୋର ଭବିଷ୍ୟତ କିଛି ନାହିଁ । କେବଳ ମୋ ମାଆ ହିଁ ମୋର ଭବିଷ୍ୟତ । ତେଣୁ ଆପଣ ମହେଶ ନ ହେଲେ ରାଜେଶ ମଧ୍ୟରୁ କାହାର ଜଣଙ୍କ ନାଁ ପଞ୍ଜିକରଣ କରାନ୍ତୁ ।" 

  ରାଜେଶ କହିଲା 'ସାର ମୁଁ ଯଦି ଏଠାରୁ ଫେରୁଛି ତେବେ ମୋ ବାପା ମାଆ କାଲି ଅଫିସ ଆସିବେ ଅଭଯୋଗ କାଟିବାକୁ । "

  ମହେଶ କହିଲା " ସାର ମୁଁ ଭାଗ ନେବି । ଦୟାକରି ମୋ ନାଁ ପଞ୍ଜିକରଣ କରାନ୍ତୁ ।"

  ପ୍ରଧାନ ଶିକ୍ଷକ ସମସ୍ତଙ୍କ ମନର କଥା ଶୁଣି ଚିନ୍ତାରେ ପଡିଗଲେ । ଭାବିଲେ ରାଜେଶ ଓ ମହେଶଙ୍କର ଅଭିଭାବକ ନିଶ୍ଚୟ ମୋ ଉପରେ ବିଗିଡିବେ ଯଦି ଏମାନଙ୍କୁ ଆଜି ଫେରିବାକୁ ଦିଏ । ହେଲେ ତପନର ଅଭିଭାବକ ବୋଲି କିଏ କେବଳ ତା ମାଆ । କେବେ ବି ଆମ ବିଦ୍ୟାଳୟ ଫାଟକ ମାଡି ନାହାନ୍ତି ! ହଉ ତମେ ତିନିଜଣ ଏଇଠି ଛିଡା ହୁଅ । ମୁଁ ପଞ୍ଜିକରଣ କେନ୍ଦ୍ରରୁ ନାମ ପଞ୍ଜିକରଣ କରେଇ ଆସୁଛି । 

   ତିନିଜଣ ସେଇଠି ସେମିତି କଥା ବାର୍ତ୍ତା ହେଉଛନ୍ତି । ତପନ କହୁଥାଏ "ସାର ନିଶ୍ଚୟ ମହେଶ ନ ହେଲେ ରାଜେଶର ନାମ ପଞ୍ଜିକରଣ କରିବେ । କାରଣ ରାଜେଶର ବାପା ବହୁତ ରାଗି ଲୋକ । ଥରେ ଅଫିସକୁ ଆସି ସାର ମାନଙ୍କ ସହିତ ଝଗଡ଼ା କରୁଥିଲେ ।"

 ରାଜେଶ ହସି ଦେଇ କହିଲା " ହଁ ଠିକ କହିଛୁ । ଆଜି ଯଦି ସାର ମୋ ନାଁ ଯଦି ପଞ୍ଜିକରଣ ନ କରନ୍ତି ତେବେ ଦେଖିବୁ ମୋ ବାପା କଣ କରିବେ !"

  ଏମିତି କଥା ହେଉ ହେଉ ପ୍ରଧାନ ଶିକ୍ଷକ ହସି ହସି ସେମାନଙ୍କ ପାଖରେ ପହଁଚିଲେ । 



Rate this content
Log in