Maheswar sahoo

Children Stories Fantasy Inspirational

4  

Maheswar sahoo

Children Stories Fantasy Inspirational

ମୁଇଁ ତ ଗରିବ ଛାତ୍ର ( ଚତୁର୍ଥ ଭାଗ)

ମୁଇଁ ତ ଗରିବ ଛାତ୍ର ( ଚତୁର୍ଥ ଭାଗ)

13 mins
247


ପ୍ରଧାନ ଶିକ୍ଷକଙ୍କ ସ୍ମିତ ହାସ୍ୟ ଭରା ମୁଖ ମଣ୍ଡଳରେ, ଲୁଚି ରହିଥିଲା ଏକ ସ୍ନେହ ଓ ମମତା ଭରା ଆବେଗ । ବହୁତ ଭାବି ଚିନ୍ତି ସେ ତପନର ନାମ ପଞ୍ଜିକରଣ କରିଛନ୍ତି । ତପନ ହୃଷ୍ଟପୃଷ୍ଟ ଥିବାରୁ ଦୌଡ଼ ପ୍ରତିଯୋଗିତାରେ ବିଦ୍ୟାଳୟରେ ପ୍ରଥମ ହୋଇଥାଏ । କିନ୍ତୁ କୌଣସି ଜିଲ୍ଲା ସ୍ତରୀୟ ହେଉ କି ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ କେବେ ଅଂଶଗ୍ରହଣ କରି ନ ଥିଲା । କାରଣ ତା ମାଆ ତାକୁ କେବେ ଛାଡିବାକୁ ପ୍ରସ୍ତୁତ ହୁଅନ୍ତି ନାହିଁ । ଏହି ପ୍ରତିଯୋଗିତାରେ ତାକୁ ଥରେ ସୁଯୋଗ ଦେଇ ଦେଖିବା । ରାଜେଶ ଓ ମହେଶ ଆଗରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ମାନଙ୍କରେ ଏତେଟା ଭଲ କରି ନ ଥିଲେ । 

    ପ୍ରଧାନ ଶିକ୍ଷକ ବୁଝେଇ ଦେଇଥିଲେ ରାଜେଶ ଓ ମହେଶକୁ ଯେ ତୁମେ ଦୁଇଜଣ ଗୁଣି ଓ ଜ୍ଞାନୀ ହେଲେ ଆଜିର ପ୍ରତିଯୋଗୀ ହିସାବରେ ମୁଁ ତପନର ନାଁ ପଞ୍ଜିକରଣ କରିଛି । ତୁମେ ଦୁଇଜଣ ମନ ଦୁଖ କର ନାହିଁ । ଆଗକୁ ନିଶ୍ଚୟ ସୁଯୋଗ ମିଳିବ । 

   ତପନ ସାର ଙ୍କର ଏତକ କଥା ଶୁଣି ଆଖିରୁ ଦୁଇଟୋପା ଲୁହ ଝରେଇ ଦେଲା । କହି ପକେଇଲା " ସାର ଆପଣ ମୋତେ କାହିଁକି ସୁଯୋଗ ଦେଲେ ! ଏମାନଙ୍କର ବାପା ଆସି ଆପଣଙ୍କ ଉପରେ ଦାଉ ସାଧିବେ । ମୁଁ ଚାହେଁ ନାହିଁ ମୋ ଗୁରୁଜୀ ଆମ ଅଭିଭାବକ ମାନଙ୍କ ନିକଟରେ ଅପମାନିତ ହୁଅନ୍ତୁ । ମୋତେ ସୁଯୋଗ ଦେଇ ନ ଥିଲେ କୌଣସି ଅସୁବିଧା ନ ଥିଲା । କାରଣ ମୋର ନାଁ ବାପା ଅଛନ୍ତି କହିବାକୁ ନାଁ ଅନ୍ୟ କେହି । " ତପନର ନୟନ ଯୁଗଳରୁ ବୋହିଯାଉଥାଏ ଆନନ୍ଦାସୃ । କଣ ଜଣେ ଶିକ୍ଷକ ମଧ୍ୟ ଅସହାୟ ପିଲାଟିଏ ପାଇଁ କିଛି କର୍ତ୍ତବ୍ୟ ଲିଭାଇ ଥାନ୍ତି । କଣ ମୋ ପ୍ରଧାନ ଶିକ୍ଷକ ମୋ ପାଇଁ ନିଜ ସମ୍ମାନକୁ ଜଳାଞ୍ଜଳି ଦେଇ ଦେଲେ ? କିଛିଟା ଆନନ୍ଦ ଭିତରେ ଅସୁମାରୀ ପ୍ରଶ୍ନର ଛାୟା ଆନ୍ଦୋଳିତ କରୁଥାଏ ତପନର ମନ ଓ ହୃଦୟରେ ।

   ଠିକ ଅଛି ଆମେ ଦେଖିବା ଆଗକୁ କଣ ହେବ । ତୁମେ ମାନେ କେହି ଚିନ୍ତା କର ନାହିଁ । ଯାହା ହେବ ମୁଁ ବୁଝିବି ହେଲେ ଏଠାରେ ଆମ ମାନଙ୍କ ପାଇଁ ନାସ୍ତାର ବ୍ୟବସ୍ତା ହୋଇଛି ଚାଲ କିଛି ନାସ୍ତା କରିବ । ସକାଳ ପହରୁ ଆସିଲଣି । ପିଲାଙ୍କୁ ଧରି ପ୍ରଧାନ ଶିକ୍ଷକ ନାସ୍ତା କରେଇବାକୁ ନେଇଗଲେ । 

   ନାସ୍ତା ସରିଲା ପରେ ପଞ୍ଜିକରଣ କେନ୍ଦ୍ରରୁ ଟୋକନ ସଂଗ୍ରହ କରି, ଟୋକନରେ ଥିବା ନମ୍ବର ଅନୁସାରେ ପ୍ରଧାନ ଶିକ୍ଷକ ନିଜ କ୍ୟାବିନ ଭିତରକୁ ଗଲେ ।

   ଦିନ ଦଶଟାରେ ଦୌଡ଼ ପ୍ରତିଯୋଗିତା ଆରମ୍ଭ ହେବ ଏହି ପ୍ରତିଯୋଗିତା ରହିଥିଲା ତିନି ଶହ ମିଟର ବିଶିଷ୍ଠ । ଆସିଥିବା ପ୍ରତିଯୋଗୀ ମାନଙ୍କୁ କେତୋଟି ଗ୍ରୁପ ରେ ବିଭକ୍ତ କରା ଯାଇଥିଲା । ପ୍ରତି ଗ୍ରୁପର ବିଜେତାଙ୍କୁ ନେଇ ସେମି ଫାଇନାଲ ଓ ସେମି ଫାଇନାଲର ବିଜେତାଙ୍କୁ ନେଇ ଫାଇନାଲ ମ୍ୟାଚ କରାଯିବ । ତେଣୁ ପ୍ରଥମ ଗ୍ରୁପରେ ତିରିଶି ଜଣଙ୍କ ସହିତ ତପନ ଦୌଡ଼ ପ୍ରକ୍ରିୟା ପାଇଁ ମାଇକିରେ ଡକା ଗଲା । ତପନ ପ୍ରଥମେ ପ୍ରଧାନ ଶିକ୍ଷକଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ହୋଇ କହିଲା "ସାର ମୋତେ ଆଶୀର୍ବାଦ କରନ୍ତୁ । ମୁଁ ଯେମିତି ପବନର ତାଳେ ତାଳେ ଦୌଡି ପାରେ ।" ସାର କହିଲେ ମୋ ଆଶୀର୍ବାଦ ଠାରୁ ତୁମର ଚେଷ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତୁମ ସ୍ୱର୍ଗବାସୀ ବାପା ନିଶ୍ଚୟ ଦେଖୁଥିବେ ତୁମେ ଆଗେଇ ଚାଲ । ତପନ ନିଜର ସ୍ପୋର୍ଟସ କପଡା ପିନ୍ଧି ବିର ଦର୍ପରେ ଯାଇ ଲାଇନ ରେ ଠିଆ ହୋଇଗଲା । ଜଜ୍ ହୁଇସିଲ ଦେଇ ୱାନ, ଟୁ ଓ ଥ୍ରୀ କହି ଷ୍ଟାର୍ଟ କହିଦେଲେ । ପିଲାମାନେ ଏକ ସାଥିରେ ଦୌଡ଼ିବା ଆରମ୍ଭ କରିଦେଲେ । ତପନ ପ୍ରଥମେ ଟିକେ ପଛେଇ ଯିବା ଭଳି ଦେଖା ଦେଇଥିଲା । ଷ୍ଟାଡିଅମ ଭିତରେ ଥିବା ସମସ୍ତ ଦର୍ଶକ ବହୁତ ଜୋରରେ ହୋ ହଲା କରୁଥାନ୍ତି । ପ୍ରଧାନ ଶିକ୍ଷକ ତପନ ତପନ ଡାକ ଛାଡିଲେ । ସମସ୍ତ ହୋ ହଲା ଶବ୍ଦକୁ ଚିରି ସାର ଙ୍କର ଶବ୍ଦ ତପନର କାନରେ କୁହୁକ ଜାଦୁ ଭଳି ଉତ୍ସାହ ଢାଳି ଦେଲା । ଭିଡ଼ ଭିତରେ ସାର କେଉଁଠି ଡାକ ଛାଡୁଛନ୍ତି ସେ ଜାଣି ପାରିଲା ନାହିଁ ହେଲେ ସେ ଏଇନେ ପାଞ୍ଚ ଜଣଙ୍କ ଠାରୁ ପଛରେ ଅଛି । ହେ ଭାଗବନ ମୋତେ ଶକ୍ତି ଦିଅ କହି ପ୍ରଖର ବେଗରେ ଆଗକୁ ଆଗକୁ ସମସ୍ତଙ୍କୁ ଅତିକ୍ରମ କରି ମାଡି ଚାଲିଲା ଏକ କ୍ଷୁଦାର୍ଥ ସିଂହ ଭଳି । ସମସ୍ତ ପ୍ରତି ଦ୍ୱନ୍ଦୀଙ୍କ ଠାରୁ ତପନ ଆଗେଇ ଯାଇଥିଲା ଓ ପ୍ରଥମ ହୋଇ ସେମି ଫାଇନାଲ ରେ ପହଞ୍ଚି ଗଲା । 

   ବହୁତ ଦୁର୍ବଳତା ଯୋଗୁଁ ସେବାକାରି ମାନେ ତାକୁ ଗ୍ଲୁକୋଜ ପାଣି ପିଇବାକୁ ଦେଲେ ଏବଂ ବିଶ୍ରାମ ନେବାକୁ କହିଲେ ସେମି ଫାଇନାଲ ପାଇଁ । ତଥାପି ସେ ପ୍ରଧାନ ଶିକ୍ଷକଙ୍କୁ ଗ୍ୟାଲେରୀ ମଧ୍ୟରେ ଦେଖି ପାରୁ ନ ଥିଲା । 

   ସେମି ଫାଇନାଲ ରାଉଣ୍ଡରେ ମଧ୍ୟ ସମସ୍ତଙ୍କୁ ପଛରେ ପକାଇ ଏକ ନମ୍ବର ହୋଇ ଯାଇଥିଲା । ଏବେ ପ୍ରଧାନ ଶିକ୍ଷା ନିଜ କେବିନ ରୁ ତଳକୁ ଦୌଡ଼ି ଆସି ତାପକୁ କୁଣ୍ଢେଇ ବହୁତ ଗେହ୍ଲ କଲେ । ତପନ କହିଲା " ସାର ମୋତେ ବହୁତ ଭୋକ ହେଲାଣି । ଖାଇବାକୁ ଇଛା ହେଉଛି । " ସାର କହିଲେ "ନାଇଁରେ ବାପା ଏଇନେ ଖାଇଲେ ଫାଇନାଲ ରେ ଦୌଡ଼ିବୁ କେମିତି କହିଲୁ ! ତା ପରେ ଏଠି କଣ ଅଛି ଖାଇବାକୁ ଯେ ! ଖାଇବାର ବ୍ୟବସ୍ତା ମଧ୍ୟାହ୍ନ ସମୟରେ ହୋଇଥାଏ" ତପନ ଅନୁରୋଧ କଲା "ସାର ମୋତେ ଟିକେ କେବିନ ମଧ୍ୟକୁ ନେଇଚାଲନ୍ତୁ । ମୋ ବ୍ୟାଗରେ ମାଆ ଦେଇଥିବା କିଛି ଖାଦ୍ୟ ଅଛି ଖାଇବି । କାରଣ ପୁଣି ଫାଇନାଲ ହେବାକୁ ଅଧ ଘଣ୍ଟା ସମୟ ଲାଗିବ " 

   ହଉ ଠିକ ଅଛି କହି ତପନ ସାରଙ୍କ ସହିତ କେବିନ କୁ ଗଲା । କେବିନ ଭିତରେ ଠିକାଦାର ଦେଇଥିବା ବ୍ୟାଗ ଭିତରୁ ଏକ ପଖାଳ କଂଶା କାଢ଼ିଲା । ସେଥିରେ ତା ମାଆ ତା ପାଇଁ କଦଳୀ ପତ୍ରରେ ବନ୍ଧା ହୋଇଥିବା ଆଳୁ ଚଗଟା ଓ ପଖାଳ ଭରି ଦେଇଛନ୍ତି । ଉପସ୍ଥିତ କେବିନ ନିକଟସ୍ଥ ସମସ୍ତ ଦର୍ଶକଙ୍କ ସାମନାରେ ତପନ ପାଖଳରେ ପାଣି ଢାଳି ଆଳୁ ଚଗଟା ସହିତ ଖୁବ ଆନନ୍ଦରେ ଖାଇବାକୁ ଲାଗିଲା । ଏମିତି ଖାଉଥିବାର ଦେଖି ଆଧୁନିକ ଯୁଗର ପିଲାମାନେ ଖୁବ ତାଳି ମାରିଲେ । ସେମାନେ ତପନ ପଖାଳ ଖାଇବାର ଦୃଶ୍ୟର ବହୁତ ମଜାକ କରୁଥିଲେ । ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ଟିକେ ଅଡ଼ୁଆ ଅଡ଼ୁଆ ଲାଗୁଥିଲେ ହେଲେ ପିଲାଟାକୁ ଭୋକ ଲାଗିଛି ଓ ଗଣ୍ଡେ ଖାଇଦେଲା ଭାବି ସେମିତି ଅନାଉ ଥିଲେ । ତପନ କହିଲା "ସାର ପିଲା ମାନେ ହସୁଛନ୍ତି ବୋଲି ଭାବିଲେ କି ? ମୋତେ ଏଇ ପଖାଳ ଗଣ୍ଡାକ ନ ଖାଇଲେ ଆଦୌ କେଉଁଥିରେ ବି ମନ ଲାଗେ ନାହିଁ । ସାର ମୁଁ ପଖାଳ ନ ଖାଇଲେ କିଛି ବି କରି ପାରେନା । ସେଇଥି ପାଇଁ ମୋ ମାଆ ମୋତେ ଦେଇଥିଲା ଓ କହିଥିଲା ଭୋକ ଲାଗିଲେ ଖାଇନେବୁ । ସାର କିଏ ହସିଲେ କି କେହି ମଜାକ କଲେ ଆମର ପେଟ ପୁରି ଯାଇନଥାଏ । ଭଗବାନ ପରା ମୋତେ ଗରିବ ଛାତ୍ର ଭାବେ ତିଆରି କରିଛନ୍ତି କେବଳ ଏଇ ପଖାଳ ପାଇଁ । ଆପଣ ତ ଧନୀ ଲୋକ ଆପଣ ବି ହସୁଛନ୍ତି କି? " ପ୍ରଧାନ ଶିକ୍ଷକ ସାନ୍ତ୍ୱନା ଦେଇ କହିଲେ " ସତରେ ତପନ ତୋର କେତେ ବୁଦ୍ଧି ଓ କେତେ ଅନୁଚିନ୍ତା ମୂଳକ ଭାବନା ! ଧନ୍ୟ ତୋର ମାଆ । ଯିଏ ପଖାଳ ଭିତରେ ସ୍ନେହ ଓ ମମତା ଭରି ଦେଇଛନ୍ତି । ତୋ ମାଆଙ୍କର ପଖାଳର ମୂଲ୍ୟ ତୋତେ ଆଜି ଷ୍ଟାଡିଅମ ଭିତରେ ଦେବାକୁ ପଡିବ । ଆଗେଇ ଚାଲ ଆଗକୁ ଆଗକୁ ବହୁତ ଆଗକୁ । ତପନ ନିଶ୍ଚୟ ଆଦର୍ଶ ଓ ପ୍ରେରଣା ହେବା ଦରକାର ଅନ୍ୟ ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ । 

   ତପନର ଫାଇନାଲ ଖେଳ ପାଇଁ ଡାକରା ହେଲା । ଜଜ୍ ସାର ପିଲା ମାନଙ୍କୁ ଲାଇନ ରେ ଠିଆ କରେଇ ଦେଲେ । ପୁଣି ହୁଇସିଲ ବାଜି ଉଠିଲା ୱାନ, ଟୁ, ଥ୍ରୀ ସହିତ ଷ୍ଟାର୍ଟ.. ଦୌଡ଼ିଲେ ସମସ୍ତ ଫାଇନାଲିଷ୍ଟ ପିଲା ମାନେ । ତପନ ଭିତରେ ସତ ସିଂହର ପରାକ୍ରମ ଆନ୍ଦୋଳିତ ହେଉଥାଏ । ସାର ଚିତ୍କାର କରୁଥାନ୍ତି ତପନ ମାଡି ଚାଲ । ଏବେ ତପନ କାହାକୁ ନ ଅନେଇ ଆଗକୁ ଆଗକୁ ମାଡି ଚାଲିଲା ଖୁବ ପ୍ରଖର ବେଗରେ । ମନ ମଧ୍ୟରେ ବିଦ୍ୟାଳୟର ଚିନ୍ତା । ମୁଁ ନିଶ୍ଚୟ ମୋ ବିଦ୍ୟାଳୟର ନାମ ଉଜ୍ଜ୍ୱଳ କରିବି । ମୁଁ ନିଶ୍ଚୟ ମୋ ବିଦ୍ୟାଳୟକୁ ଆମ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁଞ୍ଜାଇତ କରିବି । ମୋ ମାଆର ନାଁ ଉଜ୍ଜ୍ୱଳ କରିବି । ଯିଏ ମୋ ପାଇଁ ଦିନ ରାତି ପର ଘରର ବାସନ ମାଜୁଛି । ତା ମନରେ ଅକୁହା ଭାବନା ଉଙ୍କି ମାରୁଥାଏ । ଭାବନା ମଧ୍ୟରେ ସେ ତିନି ଶହ ମିଟର ଦୌଡ଼ି ସାରିଥିଲା । ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ସିଏ ଯାଇ ସିଧା ପଡିଯାଇଥିଲା ନିଜର ଲକ୍ଷ ରେଖାର ଆର ଆରପାରିରେ । ଚେତା ଶୂନ୍ୟ ଅବସ୍ଥାରେ ତାକୁ ନେଇ ଯାଇଥିଲେ ସେବକ ପିଲା ମାନେ । 

   ଓଡ଼ିଶାର ସମସ୍ତ ବିଦ୍ୟାଳୟର ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ତପନ ହେଇଥିଲା ଦୌଡ଼ରେ ପ୍ରଥମ। କିନ୍ତୁ ଯିଏ ଦୁଇଟି ପ୍ରତିଯୋଗିତା ରେ ପ୍ରଥମ ହେବ ସେ ହେବ ରାଜ୍ୟ ସ୍ଥରୀୟ କ୍ରୀଡା ଉତ୍ସବର ଚମ୍ପିୟାନ । ପ୍ରତିଯୋଗୀତା ଶେଷ ହୋଇ ନ ଥାଏ । ଏବେ ପୁଣି ହେବ ଲମ୍ବା ଡିଆଁ ର ପ୍ରତିଯୋଗିତା । ତପନ ନିଜକୁ ସୁସ୍ଥ ଅନୁଭବ କରୁଥାଏ । ପ୍ରଧାନ ଶିକ୍ଷକ କହିଲେ "ତପନ ପୁଣି ତତେ ପ୍ରସ୍ତୁତ ହେବାକୁ ପଡିବ ଲମ୍ବା ଡିଆଁ ପାଇଁ । ମୁଁ ଭାବୁଛି ତପନ ନିଶ୍ଚୟ ଉତ୍ତୀର୍ଣ ହେବ । "

ମହେଶ କହିଲା " ସାର ମୁଁ ଭାଗ ନେଇ ପାରିବି କି? ରାଜେଶ ମଧ୍ୟ ଅନୁରୋଧ କଲା " ସାର ମୋତେ ଗୋଟେ ସୁଯୋଗ ଦିଅନ୍ତୁ । " ପ୍ରଧାନ ଶିକ୍ଷକ କହିଲେ " ଏଇଟା ଆମ ବିଦ୍ୟାଳୟ କଥା ନୁହେଁ । ଏଠି ଯେଉଁ ନିୟମ ହୋଇଥାଏ ସମସ୍ତଙ୍କ ପାଇଁ ହୋଇଥାଏ । ସେମାନେ କେବଳ ଜଣକୁ ପଞ୍ଜିକରଣ କରିବେ ଓ ଦୁଇଟି ପ୍ରତିଯୋଗିତାର ଭାଗ ନେବାକୁ ସୁଯୋଗ ଦେବେ । ତେଣୁ ମନ ଦୁଖ କର ନାହିଁ । ତପନ ଆମ ବିଦ୍ୟାଳୟର ନାମ ଉଜ୍ଜ୍ୱଳ କରିସାରିଛି ଏବଂ ଆଗକୁ ମଧ୍ୟ କରିବ । ତେଣୁ ତୁମେ ବ୍ୟସ୍ତ ହୁଅ ନାହିଁ ସମୟକୁ ଅପେକ୍ଷା କର । ଆମେ ଶିକ୍ଷକ ହିସାବରେ ଜାଣି ପାରୁ କାହା ଦ୍ୱାରା କେଉଁ କାମ ହୋଇପାରିବ । ତେଣୁ କଥରେ ଅଛି ଗୁଣ ଚିହ୍ନେ ଗୁଣିଆ ଓ ସୁନା ଚିହ୍ନେ ବଣିଆ ।"

  ଏବେ ରାଜେଶ ଓ ମହେଶ ବୁଝି ପାରିଲେ ଯେ ତପନ ଭିତରେ କିଛି ଗୁଣ ଅଛି ଯାହା ପାଇଁ ସେ ଆଜି ଓଡ଼ିଶାର ଦୌଡ଼ରେ ପ୍ରଥମ ହେଇ ପାରିଲା । ଆମକୁ ମଧ୍ୟ ତା ଠାରୁ କିଛି ଶିଖିବାର ଅଛି । ଆମେ ତାକୁ ବହୁତ ଘୃଣ୍ୟ ଦୃଷ୍ଟିରେ ଦେଖୁ ହେଲେ ତା ଅନ୍ତରରେ କେବେ ଆମ ପ୍ରତି କୌଣସି ଭାବନା ନ ଥିଲା । ଆମେ ଯେତେବେଳେ ଯାହା କହିଲେ କି ଥଟ୍ଟା କଲେ, ସେ ଗୁରୁତ୍ୱ ଦିଏ ନାହିଁ । ନିଜ କର୍ମକୁ ନିଜେ ବଡ଼ ଭାବି କରିଚାଲେ । 

   ଲମ୍ବ ଡିଆଁ ଆରମ୍ଭର ପ୍ରତିଯୋଗିତା ଆରମ୍ଭ ହେଲା । ସେମିତି ସମସ୍ତ ପ୍ରତିଯୋଗୀ ମାନଙ୍କୁ ଗୋଟିଏ ଗୋଟିଏ ଗ୍ରୁପ କରାଯାଇଥାଏ । ତପନର ନାଁ ଡକା ଗଲା । ତପନ ଜଜ୍ ଙ୍କର ନିର୍ଦ୍ଧେଶ ଅନୁସାରେ ଯାଇ ଠିକ ଲାଇନ ରେ ଠିଆ ହୋଇଗଲା । ଏବେ ଆରମ୍ଭ ହେବ ଲମ୍ବ ଡିଆଁ ପ୍ରତିଯୋଗିତା । ପିଲାମାନେ ନିଜ ବଳ ଓ ଶକ୍ତି ମୁତାବକ ଲମ୍ପ ପ୍ରଦାନ କରୁଥାନ୍ତି । ତପନ ବାରି ଆସିଲା । ତପନ ମଧ୍ୟ ଲମ୍ବ ଡିଆଁ ମାରିଲା । କିଏ କେତେ ଦୂରତା ଡିଆଁ ମାରୁଥାଏ ତାହା ଶେଷରେ କୁହାଯାଏ । ପ୍ରଥମ ରାଉଣ୍ଡରେ ତପନ ତା ଗ୍ରୁପରେ ସମସ୍ତଙ୍କୁ ପଛରେ ପକାଇ ସେମି ଫାଇନାଲକୁ ଯାଇଛି । ପ୍ରଧାନ ଶିକ୍ଷକଙ୍କର ଖୁସି କହିଲେ ନ ସରେ । ତପନ ଉପରେ ଏବେ ସବୁ ପିଲାଙ୍କ ନଜର । କାରଣ ଘୋଷଣା କରୁଥିବା ଲୋକ ଜଣଙ୍କ ଅଧିକ ତପନ ନାଁ ଟିକୁ ପ୍ରଚାର କରୁଥାନ୍ତି । ବହୁତ ଜୋରରେ ତପନ ନାଁ କହୁଥାନ୍ତି । ଯେମିତି ବିଜୁଳି ମାରିଲା ପରେ ଘଡ଼ ଘଡି ଶବ୍ଦ ହୁଏ । ସବୁରି କାନରେ ତପନ ତପନ । ମଝିରେ ମଝିରେ ଘୋଷଣାକାରୀ କହୁଥାନ୍ତି ଧନ୍ୟ ତପନର ବାପା ମାଆ ଧନ୍ୟ ତାଙ୍କର ଶିକ୍ଷକ । ଏମିତି ଶବ୍ଦ ଶୁଣି ପ୍ରଧାନ ଶିକ୍ଷକଙ୍କ ଛାତି କୁଣ୍ଢେ ମୋଟ ହୋଇଯାଉଥାଏ । ଆନନ୍ଦରେ ଠିଆ ହୋଇ ହାତ ଟେକି ଦେଉଥାନ୍ତି । ଟିକେ ସ୍ମିତ ହସ ହସି ଦେଇ ପଡିଆ ମଧ୍ୟରେ ତପନକୁ ଅନେଇ ନିଜ ଛାତିକୁ ଦୁଇ ଚାପୁଡ଼ା ମାରି ଦେଉଥାନ୍ତି । ମୋ ହିରୋ ତପନ । ମୁଁ ଆଜି ତା ପାଇଁ ଗର୍ବିତ । ମହେଶ ଓ ରାଜେଶ ପିଠିରେ ହାତ ବୁଲେଇ ଦେଇ ଥାପୁଡ଼େଇ ଦେଉଥାନ୍ତି । ଏବେ ସତରେ ମହେଶ ଓ ରାଜେଶ ମଧ୍ୟ ଖୁସି ଅନୁଭବ କରୁଛନ୍ତି । ସେମାନେ ଜାଣିପାରୁଛନ୍ତି ଆମେ ପଢ଼ୁଥିବା ବିଦ୍ୟାଳୟର ନାଁ ତପନ ମାଧ୍ୟମରେ ଓଡିଶା ବକ୍ଷରେ ଗୁଞ୍ଜରିତ ହେଉଛି । ଆମ ପ୍ରଧାନ ଶିକ୍ଷକଙ୍କ ଖୁସି ହିଁ ଆମର ଖୁସି । ଏଇ ଚିନ୍ତା ଧାରା ତାଙ୍କ ମନରେ ଆସିଯାଇଥାଏ । 

   କହିବାକୁ ଗଲେ ଯେତେବେଳେ ଏକ ବିଦ୍ୟାଳୟର ନାଁ କୌଣସି ବି ଛାତ୍ର ଦ୍ୱାରା ସର୍ବୋଚକୁ ଯାଇଥାଏ ନା ସେତେବେଳେ ସେଇ ବିଦ୍ୟାଳୟରେ ପଢିଥିବା ପ୍ରକୃତ ଛାତ୍ର ଓ ଶିକ୍ଷକ ବହୁତ ଗର୍ବ କରିଥାନ୍ତି । ସେମାନେ ନିଜ ଭାଗ୍ୟ ଓ କର୍ମ ଅନୁସାରେ ଯେଉଁ କାମ କରୁଥାନ୍ତୁ ନା କାହିଁକି ! ମୁଁ ଏହି ବିଦ୍ୟାଳୟରେ ପଢ଼ିଥିଲି କି ପଢ଼ାଉ ଥିଲି କହି ନିଶ୍ଚୟ ନିଜ ଛାତିରେ ଦୁଇ ଜବଡା ମାରି ଦେଇଥାନ୍ତି ।

   ସେମି ଫାଇନାଲର ପ୍ରତି ଯୋଗୀତା ଆରମ୍ଭ ହେବ । ସମସ୍ତ ପ୍ରତିଯୋଗୀ ଆସି ଯାଇଥାନ୍ତି ଷ୍ଟାଡିଅମ ମଧ୍ୟସ୍ତ ପଡିଆ ମଧ୍ୟକୁ । ତପନ ମଧ୍ୟ ନିଜ ବାରି ପାଇଁ ଅପେକ୍ଷା କରିଥାଏ । ଜଣକ ପରେ ଜଣେ ଲମ୍ବ ଡିଆଁ ମାରୁଥାନ୍ତି ଓ ତାହା ଜଜ୍ ନୋଟ କରୁଥାନ୍ତି । ଏମିତିରେ ତପନ ମଧ୍ୟ ଡିଆଁ ମାରିବା ପାଇଁ ନାଁ ଡାକରା ହେଲା । ତପନ ଯାଇ ଛିଡା ହୋଇଗଲା ଡିଆଁ ମାରିବାକୁ । ପଡ଼ିଆର ସମସ୍ତ ଦର୍ଶକ ଓ ଦର୍ଶିକା କର ତାଳିରେ ତପନ ତପନ କହି ଅଭିବାଦନ କରୁଥାନ୍ତି । ତପନ ଦୌଡ଼ି ଦୌଡ଼ି ଯାଇ ଡିଆଁ ମାରିଲା । ଡିଆଁ ମରିସାରିବା ପରେ କଣ ହେଲା କେଜାଣି ତା ଗୋଡ଼ ମୋଡି ଯିବାରୁ ଦୁମ କିଣା ପଡିଗଲା । ଗୋଡ଼ରେ ଓ ମୁହଁରେ ବଡ଼ ଆଘାତ ଲାଗିଲା । ରକ୍ତ ବୋହିଯାଉଥାଏ । ପୁରା ରକ୍ତ ଜୁଡୁବୁଡୁ ମୁହଁ । ସେବକ ମାନେ ଉଠାଇ ନେଇଥିଲେ ଷ୍ଟାଡିଅମରେ ଥିବା ଡାକ୍ତରଙ୍କ ପାଖକୁ । ଡାକ୍ତର ଦେଖିଲେ ମୁହଁ ସାରା ରକ୍ତ । ପୋଛା ପୋଛି କରି ଔଷଦ ଲଗାଇଦେଲେ ଡାକ୍ତର ମହାଶୟ । ଓଠ ଫାଟି ଯାଇଥିବାରୁ ଭାରି ଯନ୍ତ୍ରଣା ହେଉଥାଏ । ପ୍ରଧାନ ଶିକ୍ଷକ କାନ୍ଧ କାନ୍ଧ ହୋଇ ଦେହ ହାତ ଆଉଁସି ଦେଉଥାନ୍ତି । ଠିକ ଏଇ ସମୟରେ ଘୋଷଣା ହେଲା ତପନ ଫାଇନାଲକୁ ପ୍ରବେଶ କରିଛି ! ପ୍ରଧାନ ଶିକ୍ଷକ ମନେ ମନେ ଭଗବାନଙ୍କୁ ଡାକିଲେ " ହେ ଭଗବାନ ତପନ ଫାଇନାଲ କୁ ଯାଇଛି ହେଲେ ସେ କେମିତି ଖେଳିବ ? "

   ତପନ ରକ୍ତାତ ଓଠ ରେ ଟିକେ ସ୍ମିତ ହସ ଦେଇ କହିଲା " ସାର ଆପଣ କିଛି ଭାବୁଛନ୍ତି ଯେ ! କିଛି ଭାବନ୍ତୁ ନାହିଁ । ମୁଁ ନିଶ୍ଚୟ ଡିଆଁ ମାରିବି । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ , ଗୋଡ଼ରେ ଡିଆଁ ମରାଯାଏ ସାର ମୁହଁରେ ନୁହଁ ! ଏମିତି ଟିକେ ଗୋଡ଼ ଖସିଗଲା "

   ସୋଇଥିବା ତପନକୁ ସାର କୁଣ୍ଡାଇ ପକାଇଲେ । ସାର ଙ୍କ ଆଖିରୁ ବୋହିଯାଇଥିଲା ଦୁଇଟୋପା ଆନନ୍ଦାସୃ । ତପନ ଝାଡୀ ଝୁଡ଼ି ହୋଇ ଉଠି ବସିଲା । ମୁହଁରେ ଦୁଇଟି ସ୍ଥାନରେ ସିଲେଇ ପଡିଛି । ତଥାପି ନିଜର ମନୋବଳ ଦୃଢ଼ ରହିଛି । ଯାହାର ମନୋବଳ ଯେତେ ଦୃଢ଼ ଓ ଧର୍ଯ୍ୟ ଯେତେ ବଳିଷ୍ଟ ସେ କୌଣସି କାମରେ ପଛ ଘୁଞ୍ଚା ଦିଏ ନାହିଁ । 

   ଫାଇନାଲ ରାଉଣ୍ଡ ରେ ତପନ ପାଦ ଦେଇଛି । ସୁସ୍ଥ ପିଲା ଭଳି ସାରଙ୍କ ପାଦ ଛୁଇଁ ପଡିଆ ଭିତରକୁ ଗଲା । ଘୋଷଣା ହେଉଥାଏ ଘାଇଲା ବାଘ ତପନ ନିଜ ବିଦ୍ୟାଳୟ ପାଇଁ ପୁଣି ଥରେ ଫାଇନାଲ ରେ ଚମ୍ପିୟାନ ଟ୍ରଫି ପାଇଁ ଦଣ୍ଡାୟ ମାନ । 

   ଜଜ୍ ଙ୍କ ନିର୍ଦେଶ କ୍ରମେ ସମସ୍ତ ପ୍ରତିଯୋଗୀ ନିଜ ନିଜ ସ୍ଥାନରେ ଜଣକ ପରେ ଜଣେ ସେମିଫାଇନାଲିଷ୍ଟଙ୍କୁ ଡିଆଁ ମାରିବାକୁ ଡାକରା ହେଉଥାଏ । ତପନର ମଧ୍ୟ ପାଳି ପଡିଲା । ତପନକୁ ଦେଖି ସମ୍ପୂର୍ଣ ପଡ଼ିଆରେ ଆନନ୍ଦର ଲହରୀ । ତପନର ଏବେ ଦର୍ଶକ ମାନଙ୍କ ସହିତ ପଖାଳ ଭାତର ଥଟ୍ଟା ମଜାକ ନଥିଲା । ଅତ୍ୟନ୍ତ ସ୍ନେହ ଓ ପ୍ରେମ ର ଭାବନା ସହିତ ଉତ୍ସାହିତର ବାର୍ତ୍ତା ଆସୁଥିଲା । ସମସ୍ତ ଦର୍ଶକ ତପନ ତପନ କହି ଉତ୍ସାହିତ କରୁଥାନ୍ତି । ପ୍ରଧାନ ଶିକ୍ଷକ ମଧ୍ୟ ଅତି ଗର୍ବର ସହ ତପନ ତପନ ମାଡି ଚାଲ ଓ ଆଗେଇ ଚାଲ କହି କମ୍ପମାନ କରୁଥାନ୍ତି । ତପନ ଦୌଡ଼ି ଦୌଡ଼ି ଯାଇ ଲମ୍ବ ଡିଆଁ ମାରିଲା । ଜଜ୍ ଦୂରତା ନୋଟ କରିନେଲେ ।

   ଭୋଜନ ପରେ ଘୋଷଣା ହେବ କେତେଜଣ ବିଜେତା ଓ ରନର ସହିତ ଦୁଇଟି ଜାକର ବିଜେତାକୁ ଦିଆଯିବ ରାଜ୍ୟ ସ୍ତରୀୟ କ୍ରୀଡା ସମ୍ମିଳନୀର ଚମ୍ପିୟାନ ଟ୍ରଫି । ଭୋଜନ ପାଇଁ ପ୍ରତିଯୋଗୀ ମାନଙ୍କୁ ଟୋକନ ଦିଆଯାଇଥାଏ । 

   ପ୍ରଧାନ ଶିକ୍ଷକ ରାଜେଶ, ମହେଶ ସହିତ ତପନକୁ ନେଇ ପହଁଚିଲେ ମଧ୍ୟାହ୍ନ ଭୋଜନ ମଣ୍ଡପ ପାଖରେ । ଭାତ, ଡାଲମା , ଚଟଣି ସହିତ ଘାଣ୍ଟ ତରକାରୀ ହୋଇଥାଏ । ସମସ୍ତେ ଏକ ଏକ ପ୍ଲେଟ ନେଇ ଖାଇବା ଦ୍ରବ୍ୟ ସଂଗ୍ରହ କଲେ । 

   ତପନ ଓଠରେ ଦାନ୍ତ ପସିଯାଇଥିବାରୁ ବହୁତ ଯନ୍ତ୍ରଣା ହେଉଥାଏ । "ସାର ମୋତେ ବହୁତ ଯନ୍ତ୍ରଣା ହେଉଛି । ଖାଇ ପାରିବି ନାହିଁ ! " ପ୍ରଧାନ ଶିକ୍ଷକ କହିଲେ ବାପାଟା ପରା ଅଳ୍ପ ଗଣ୍ଡେ ଖାଇ ଦେ । ନହେଲେ ଭୋକରେ କେମିତି ରହିବୁ ? ତପନ ମୁହଁ ସୁଖେଇ କହିଲା "ସାର ବହୁତ ଭଲ ବାସ୍ନା ଆସୁଛି ତରକାରୀ ରୁ । ପାଟିକୁ ସୁସ୍ୱାଦୁ ଜଣା ପଡୁଛି ହେଲେ ମୁଁ ଖାଇ ପାରୁନି ସାର ।"

  "ଠିକ ଅଛି ଭାତ ସହିତ ଡାଲମା ଗୋଳେଇ ପିଇ ପାରିବୁ ତ । ତୋ ପଖାଳ ବେଲା କାଢ଼ ସେଇଥିରେ ଭାତ ସହିତ ଡାଲମା ଗୋଳେଇ ଚଗଟି ଦେବୀ ତୁ ପିଇଦେବୁ । " ଅତ୍ୟନ୍ତ ଦୁଃଖରେ ପ୍ରଧାନ ଶିକ୍ଷକ ସାନ୍ତ୍ୱନା ଦେଉଥାନ୍ତି । ଭାବୁଥାନ୍ତି ଭୋକ ଆତୁରା ପିଲାଟା ଗଣ୍ଡେ ଭଲ ସେ ଖାଇବି ପାରିବ ନାହିଁ । 

   ପ୍ରଧାନ ଶିକ୍ଷକ ଭାତ ସହିତ ଡାଲମା ଗୋଳେଇ ଚଗଟି ତରଳ ପାନୀୟ ଖାଦ୍ୟ ଭଳି କରିଦେଲେ । ତପନ ଆଖି ବନ୍ଧ କରି ଭୋକରେ ପିଇଗଲା । ଏଇ ସମୟରେ ଲମ୍ବ ଡିଆଁର ଘୋଷଣା ଶୁଣା ଗଲା କି ତପନ ଲମ୍ବ ଡିଆଁରେ ମଧ୍ୟ ସମସ୍ତଙ୍କୁ ପଛକୁ ପକାଇ ବିଜେତା ହୋଇଛି । କେବଳ ବିଜେତା ନୁହେଁ ସେ ପୁରା ଆଜିର ମଞ୍ଚ ପାଇଁ ହିରୋ ହୋଇ ଯାଇଛି । ଦୁଇ ଦୁଇଟି ଖେଳର ବିଜେତା ହୋଇ ସେ ଓଡିଶାର ରାଜ୍ୟ ସ୍ତରୀୟ କ୍ରୀଡା ଉତ୍ସବର ଚମ୍ପିୟାନ ହେବାରେ ସୌଭାଗ୍ୟ ଅର୍ଜନ କରିପାରିଛି । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଆସିବେ ପୁରସ୍କୃତ କରିବା ପାଇଁ । 

   ତପନର ଖୁସି କହିଲେ ନ ସରେ । ମୁଖ୍ୟ ମଞ୍ଚକୁ ପ୍ରଥମେ ତପନର ପ୍ରଧାନ ଶିକ୍ଷକଙ୍କୁ ଡକା ଗଲା । ଏଥି ସହିତ ଅତିଥି ଆସନ ଦିଆ ଗଲା । ପାଖ ଚେୟାରରେ ରାଜେଶ ଓ ମହେଶ ବସିବାର ସୌଭାଗ୍ୟ ମଧ୍ୟ ପାଇଲେ । ଅନ୍ୟ ଖେଳର ବିଜେତା ମାନେ ମଧ୍ୟ ମଞ୍ଚ ନିକଟସ୍ଥ ଚେୟାର ମାନଙ୍କରେ ବସିଥାନ୍ତି । ସାମ୍ବାଦିକ ମାନେ ପ୍ରଧାନ ଶିକ୍ଷକଙ୍କୁ କେତେ କଣ ପ୍ରଶ୍ନ ପଚାରୁଥାନ୍ତି । ପଡିଆ ଭିତରେ ଓ ଗ୍ୟାଲେରୀ ଭିତରେ ଦର୍ଶକ ମାନେ ସୁନ୍ଦର ମୁହୂର୍ତ୍ତକୁ ଉପଭୋଗ କରୁଥାନ୍ତି । ଠିକ ଏଇ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଶିକ୍ଷା ଓ କ୍ରୀଡା ମନ୍ତ୍ରୀ ମଞ୍ଚରେ ପହଁଚିଲେ । ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ରଖି ଶିକ୍ଷାର ବିକାଶ ଓ କ୍ରୀଡ଼ାର ବିକାଶ ବିଷୟରେ ଗୁରୁତ୍ୱାରୋପ କରିବାର ସଂକଳ୍ପ କଲେ । କ୍ରୀଡା ହେଉଛି ନିରୋଗ ରହିବାର ମାଧ୍ୟମ ବୋଲି କ୍ରୀଡା ମନ୍ତ୍ରୀ ଅଭିଭାଷଣ ଦେଲେ । ଶିକ୍ଷାର ବିକାଶରେ ଦେଶର କୃଷି ଓ ଶିଳ୍ପ ର ବିକାଶ ହୋଇଥାଏ ବୋଲି ଶିକ୍ଷା ମନ୍ତ୍ରୀଙ୍କର ଉଦ୍ବୋଧନ ରହିଥିଲା ।

   ସର୍ବଶେଷରେ ପୁରସ୍କାର ବିତରଣର ସମୟ ଆସିଲା । ଚମ୍ପିୟାନ ହୋଇଥିବା ପିଲାକୁ ମୁଖ୍ୟମନ୍ତ୍ରୀ ଏକ ଲକ୍ଷ ଟଙ୍କା ସହିତ ଏକ ସ୍ୱର୍ଣ୍ଣ ପଦକ ଅର୍ପଣ କଲେ । ସେଇ ପିଲା କେବଳ ତପନ ହିଁ ଥିଲା । ମୁହଁରେ ଦୁଇଜଗା ବଡ଼ ବଡ଼ ଘାଆ ସହିତ ଓଠ ଫୁଲି ଯାଇଛି । ଓଠରେ ହେଇଥିବା ଘାଆରୁ ନସି ବାହାରୁଛି ଅନବରତ । ଟିଭି ରେ ସିଧା ପ୍ରସାରଣ ଚାଲିଥାଏ । ତପନର ଗାଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହିତ ଅନ୍ୟମାନେ ଆଗଭର ହୋଇ ଦେଖୁଥାନ୍ତି ଟିଭି ମାଧ୍ୟମରେ । ଏବେ ତପନକୁ କିଛି କହିବା ପାଇଁ ଦିଆ ଗଲା । ତପନ ଆଗରେ କୋଡିଏଟି ମିଡିଆ ଵାଲାଙ୍କ ମାଇକ୍ରୋଫୋନ ଲାଗିଥାଏ । " ମଞ୍ଚାସିନ ପୂଜନୀୟ ମୋ ପ୍ରଧାନ ଶିକ୍ଷକ ମହୋଦୟ, ଯାହାଙ୍କ ପାଇଁ ମୁଁ ଏଇ ଗୌରବ ଅର୍ଜନ କରିଛି " କହି ପ୍ରଧାନ ଶିକ୍ଷକଙ୍କ ଆଡକୁ ଅନାଇ ପ୍ରଣାମ ଜଣାଇଲା । ପୁଣି ଆରମ୍ଭ କଲା ତାର ମଞ୍ଚ ପାଇଁ ବତ୍କୃତା । " ସମ୍ମାନୀୟ ମୁଖ୍ୟମନ୍ତ୍ରୀ ମହାଶୟ, ଶିକ୍ଷା ମନ୍ତ୍ରୀ ମହାଶୟ, କ୍ରୀଡା ମନ୍ତ୍ରୀ ମହାଶୟ,ଏବଂ ଉପସ୍ଥିତ ଗୁରୁଜୀ ଓ ଗୁରୁଜନ ମାନଙ୍କୁ ମୋର ପ୍ରଣାମ, ଭାଇ ଓ ଭଉଣୀ ମାନଙ୍କୁ ମୋର ଆନ୍ତରିକ ସ୍ନେହ । 

ଜିତିବା ଓ ହାରିବା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି । ତେଣୁ ଯେଉଁମାନେ ଏଠାକୁ ଆସି ଅଂଶଗ୍ରହଣ କରିଥିଲେ ଓ ନିଜର କଠିନ ପରିଶ୍ରମ ସହିତ ସଂଘର୍ଷ ପୂର୍ଣ୍ଣ ଚେଷ୍ଟା କରି ପରାଜୟ ସ୍ୱୀକାର କରିଛନ୍ତି ସେମାନେ ନିଜର ଚେଷ୍ଟା ଜାରି ରଖନ୍ତୁ ଆଗକୁ ନିଶ୍ଚୟ ଉତ୍ତୀର୍ଣ୍ଣ ହେବେ । ମୁଁ ଆଜି ଚମ୍ପିୟାନ ହେବା ପଛରେ ପ୍ରଥମେ ମୋର ପ୍ରିୟ ପ୍ରଧାନ ଶିକ୍ଷକ ଓ ଦ୍ବିତୀୟରେ ମୋର ଦୁଇ ବନ୍ଧୁ, ଯିଏକି ଆମ ବିଦ୍ୟାଳୟର ସହପାଠୀ ମହେଶ ଓ ରାଜେଶ ମଧ୍ୟ ଭାଗିଦାରୀ ଅଟନ୍ତି । ରାଜେଶ ଓ ମହେଶ ପ୍ରତିଯୋଗିତାରେ ଭାଗ ନେବାକୁ ଆସି କେବଳ ମୋ ପାଇଁ ନିରବ ଦ୍ରଷ୍ଟା ହୋଇ ରହିଗଲେ । କାରଣ ପ୍ରତ୍ୟକ ବିଦ୍ୟାଳୟରୁ କେବଳ ଜଣେ ପ୍ରତିଯୋଗୀ ଅଂଶଗ୍ରହଣ କରି ପାରିବେ ବୋଲି । ଆଜିର ପୁରସ୍କାର ଅର୍ଥ ଆମ ତିନିଜଣଙ୍କର ବୋଲି ମୁଁ ଘୋଷଣା କରୁଛି । ଏଥି ସହିତ ମୋତେ ମିଳିଥିବା ସ୍ୱର୍ଣ୍ଣ ପଦକ ଓ ଟ୍ରଫି ମଧ୍ୟ ଆମ ବିଦ୍ୟାଳୟ ଥିବା ଯାଏ , ବିଦ୍ୟାଳୟରେ ହିଁ ରହିବ । ମୋ ବିଦ୍ୟାଳୟ ଆମ ପାଇଁ ଗର୍ବ ଓ ଗୌରବ । ଆପଣ ମାନେ ଜାଣନ୍ତି; ମୁଁ ଖୁସି ହୋଇ ବାପା ଡାକିବା ପୂର୍ବରୁ ମୋ ବାପା ମରିଯାଇଥିଲେ । ମୋ ମାଆଙ୍କୁ ମୋ ଜେଜେ ଓ ଜେଜେମାଆ ଆଖି କୋଣରେ ଦେଖିଲେ ନାହିଁ । କକାଙ୍କର ଅତ୍ୟାଚାର ସହି ନ ପାରି ମୋ ମାଆ ମୋ ମାମୁଁ ଘରକୁ ପଳେଇ ଆସିଲେ । ଆମେ ମାମୁଁ ଘରେ ରହିବା ପରେ ମାମୁଁଙ୍କର ବିବାହ ହୋଇଥିଲା । ମୋ ମାଇଁଙ୍କ କଥାରେ ମୋ ମାମୁଁ ଆମକୁ ଘରୁ ଧକ୍କା ଦେଇ କାଢି ଦେଇଥିଲେ । ଆମକୁ ବାଧ୍ୟ ହୋଇ ସରକାରୀ ଗୋଚର ଜମିରେ ଝୁପୁଡି ଘର କରି ରହିବାକୁ ପଡିଥିଲା । ଏମିତି କି ଆମ ଭଳି ନିଃସହାୟ ମାଆ ପୁଅଙ୍କୁ କୌଣସି ସରକାରୀ ସହାୟତା ମିଳିଲା ନାହିଁ । ସରକାରୀ ଟଙ୍କାକିଆ ଚାଉଳ ଆମ ନାଁରେ ମିଳୁଥିଲେ ବି କକା ନେଇ ଯାଉଛନ୍ତି । ପ୍ରତିବାଦ କରିବାରୁ କକା ଆମକୁ ବହୁତ ବାଡେଇଥିଲେ । ଏବେ କେବଳ ମୋ ମାଆ ଯିଏକି ବାର ଘରେ ବାସନ ମାଜି ନିଜ ପେଟରେ ଓଦା କନା ଦେଇ ମୋ ପେଟ ଭରି ଥାଏ ସେ ହିଁ ମୋ ଶକ୍ତି ଓ ସାଧନାର ମୂଳ ଉତ୍ସ । ଆମ ଘରେତ ଟିଭି ନାହିଁ ନ ହେଲେ ମୋ ମାଆ ନିଶ୍ଚୟ ଦେଖୁଥାନ୍ତା । ଶେଷରେ ମୁଁ ଆମ ପ୍ରଧାନ ଶିକ୍ଷକଙ୍କ ମୁହଁରୁ ଏହି ମଞ୍ଚରେ କିଛି ଶୁଣିବାକୁ ଚାଁହୁଛି । ଏତକ ହିଁ ମୋ ଭଳି ଜଣେ ଗରିବ ଛାତ୍ରର ବକ୍ତବ୍ୟ ଥିଲା । ଜୟ ଉତ୍କଳ ଜନନୀ "

    ପ୍ରଧାନ ଶିକ୍ଷକଙ୍କୁ ମଞ୍ଚକୁ ଡକାଗଲା । 


(ଆଗାମୀ ଅଧ୍ୟାୟରେ ଭାଗ-4 ନିଶ୍ଚୟ ପଢିବେ )


Rate this content
Log in