Maheswar sahoo

Inspirational

3  

Maheswar sahoo

Inspirational

ଚାକରାଣୀ

ଚାକରାଣୀ

7 mins
686


ମାନସିର ଗଳାକୁ ଚିପି ଧରି ବାବୁ ଗର୍ଜି ଉଠିଲେ, " ତୋର ଜନ୍ମ ବାର ଦ୍ୱାରରେ ଝାଡୁ ପୋଛା କରିବା, ବାସନ ମାଜିବା ଓ ତୋର ଜନ୍ମ କାହା ଘରେ ଚାକରାଣୀ ହୋଇ ରହିବା । ତୋର ପୁଣି ପାଠ ! ଛି ଛି ଛି କି ଅଲାଜୁକ ଝିଅଟେ କି ତୁ । ଚାକରାଣୀ ହୋଇ ପାଠ ପଢିବ ! କେତେ ମନ ଯେ ! ପୁଣି ମୋ ଝିଅ ପାଖରେ ବସି ! ଏତେ ସାହସ ତୋର ! "

  "ବାବୁ ମୁଁ ସବୁ କାମ କରିସାରିଛି । ବାସନ ମାଜି ସାରିଛି, ଘର ଝାଡୁ ପୋଛା କରି ସାରିଛି, କପଡା ସବୁ ସଫା କରି ସାରିଛି । ପ୍ରିୟା ଦିଦିଙ୍କ ବହିରେ ଗୋଟେ ସୁନ୍ଦର ଚିତ୍ର ଥିଲା । ମୁଁ ଦିଦିଙ୍କୁ ପଚାରୁଥିଲି ଏଥିରେ କଣ ଲେଖା ଯାଇଛି । ଦିଦି ମୋତେ ପଢେଇ ଦେଉଥିଲେ । "

  " ଉଁ ହୁଁ ହୁଁ କି ଯୁଗ ହେଲାକି ହୋ । ମୋ ଝିଅ ପ୍ରିୟା ଷଷ୍ଠ ଶ୍ରେଣୀରେ ପଢୁଛି । କେତେ ପାଠ ତାର ! ସେ ପାଠ ପଢ଼ୁଥିବା ବେଳେ ତୁ କାମ ଧନ୍ଦା ଛାଡି ତା ପାଖରେ ବସି ଯାଉଛୁ । କାମ ଚୋରଣୀ ରହ ତତେ ବିଦା କରୁଛି ।"

  " ନାଇଁ ବାବୁ ପ୍ରିୟା ଦିଦି ବହୁତ ଭଲ । ସେ ସବୁ ପାଠ ଭଲ ପଢ଼ନ୍ତି ଓ ମୁଁ କାମ ସାରି ତାଙ୍କ ପାଖକୁ ଆସିଲେ ସେ ମୋତେ ଯାହା ପଚାରିଲେ ବୁଝେଇ ଦିଅନ୍ତି । ମୋତେ ବହି ପଢା ମଧ୍ୟ ଶିଖେଇ ଦେଲେଣି ।"

 ବାବୁ ପ୍ରବଳ ରାଗି ଯାଇଥିଲେ । ଗଳାକୁ ଧରି ଟେକି କଚାଡି ଦେଇଥିଲେ ମାନସିକୁ । ବାରଣ କରି କହିଥିଲେ ତୁ ଯେମିତି ଆଉ ତା ପାଖକୁ ନ ଯାଉ । ତାର ପଢ଼ାରେ ଯଦି ବାଧା ସୃଷ୍ଟି କରୁ ତତେ ଘରୁ ଗଳା ଧକ୍କା ଦେଇ ବାହାର କରିଦେବି । 

  ହେଲେ ମାନସିକୁ ବହୁତ ଭଲ ପାଉଥିଲା ପ୍ରିୟା । ସମ ବୟସି ହେଲେ ମଧ୍ୟ, ପ୍ରିୟା ବୁଝିପାରେ ମାନସି ପରିସ୍ଥିତିରେ ପଡି ପର ଘରେ ଚାକରାଣୀ ହୋଇ ରହିଛି । ବାପା ତାର ରୋଗିଣା । ମାନସି ବଡ଼, ତା' ତଳେ ମଧ୍ୟ ଆହୁରି ସାନ ଦୁଇ ଭଉଣୀ ଅଛନ୍ତି । ଯେତେବେଳେ ସୁଯୋଗ ମିଳେ ସେ ମାନସିକୁ ପାଖକୁ ଡକାଇ ବହି ପଢା ଶିଖେଇ ଦିଏ । ଗପ ଶୁଣାଏ । ଗଣିତରେ ମିଶାଣ, ଫେଡାଣ , ଗୁଣନ ଓ ହରଣ ଆଦି ମଧ୍ୟ ଶିଖେଇ ଦିଏ । 

  କିଛି ଦିନ ହେବ ମାନସି ପ୍ରିୟା ପାଖକୁ ଯିବାକୁ ଭାରି ଭୟ କରୁଛି । କାଳେ ବାବୁ ତାକୁ ବାଡେଇବେ । ତା'ର ଏପର୍ଯ୍ୟନ୍ତ ଗଳାରେ ଦରଜ କମି ନାହିଁ । ଛୋଟ ପିଲା, ନିଷ୍କପଟ ମନ ! ତଥାପି ବାବୁଙ୍କ ଅନୁପସ୍ଥିତିରେ ଟିକେ ଟିକେ ପ୍ରିୟା ପାଖକୁ ଚାଲି ଯାଏ ପାଠ ପଢିବା ପାଇଁ । 

  ପ୍ରିୟା କେତେ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧୁଛି । କେତେ ସୁନ୍ଦର ଗହଣାରେ ନିଜକୁ ସଜେଇ ହେଉଛି । ରାଜକୁମାରୀ ପରି ଦେଖା ଯାଉଛି । ହେଲେ ମାନସି ସବୁବେଳେ ସେଇ ଛିଣ୍ଡା ଦଦରା ପୋଷାକ । ହଜାରେ ଗୁନ୍ଥା ଯାଇଥିବା ଛୁଞ୍ଚି ସିଲେଇ । 

  ଆଜି ପ୍ରିୟାର ଜନ୍ମ ଦିନ । କେତେ ବନ୍ଧୁ ବାନ୍ଧବ ଘରକୁ ଆସିଛନ୍ତି । କେକ୍ କଟାଯିବ, ନାନା ସୁସ୍ୱାଦୁ ବ୍ୟଞ୍ଜନରେ ରୋଷେଇ ଚାଲିଛି, କେତେ କଣ ହେବ ଆଜି । ମାନସିର ସକାଳ ଠାରୁ ଅନେକ କାମ । ଟିକେ ବି ଫୁରସତ ନାହିଁ । କିଏ କହୁଛି ଏଇଟା ଆଣ ତ କିଏ କହୁଛି ସେଇଟା ନେଇ ରଖିଦେ । ପିଲା ଲୋକ ସକାଳ ଠାରୁ ଦଉଡି ଦଉଡି ହାଲିଆ ହୋଇ ଗଲାଣି । ଭାରି ଭୋକ ହେଲାଣି । ଖାଇବା କଥା କହିଲେ ବି କାହାକୁ କହିବ । ଏଠି କଣ ମାଆ ଅଛି ଯେ ପେଟ ଦେଖି ଜାଣି ପାରିବ । ରୋଷେଇ ଘରେ ବସି ବାସନ ମାଜୁଥାଏ । ହଠାତ ପ୍ରିୟା ଖୋଜି ଖୋଜି ଆସି ପହଁଚିଲା । " ଆରେ ମାନସି ଆଜି ମୋର ଜନ୍ମ ଦିନ । ମୋର ଯେତେ ସାଙ୍ଗ ଅଛନ୍ତି ସବୁ ଆସି ସାରିଲେଣି । ହେଲେ ତୁ ପରା ମୋର ସବୁଠାରୁ ପ୍ରିୟ ସାଙ୍ଗ । କେତେ ସେବା କରୁଛୁ ମୋର । ମୋ ଜୋତା ପାଲିସ କରୁଛୁ, କପଡା ସଫା କରୁଛୁ, କେତେ କଣ କରୁଛୁ । ଆଜି ତତେ ଏବେ ଠାରୁ କାମରୁ ଛୁଟି ଦିଆ ଗଲା । ତୁ ଆସିଲୁ ମୋ ସହିତ । ଟିକେ ସଜେଇ ଦେବୀ । ବାପା ଯାହା କହିଲେ ବି ମୁଁ ଆଜି ଶୁଣିବି ନାହିଁ । ଆଜି ମୋ ଜନ୍ମଦିନରେ ତୁ ମୋ ସହିତ ରହିବୁ ହିଁ ରହିବୁ।"

 " ନାଇଁ ଦିଦି ବାବୁ ଦେଖିଲେ ମୋତେ ମାରି ପକେଇବେ । "

 ପ୍ରିୟା କୌଣସି କଥା ନ ଶୁଣି ମାନସିକୁ ଟାଣି ଟାଣି ତା କୋଠରୀକୁ ନେଇଗଲା । ଗାଧୁଆ ଘରକୁ ନେଇ ବାସ୍ନା ଵାଲା ସାମ୍ପୁ ଓ ସାବୁନ ଲଗେଇ ଗାଧୋଇ ଦେଲା । ଝାଲିରି ଲଗା ଫ୍ରକ ପିନ୍ଧେଇ ଦେଲା । ଅଳତା, ଅତର ଲଗେଇ ପୁରା ରାଜକୁମାରୀ ଭଳି ସଜେଇ ଦେଲା । 

 " ଦିଦି ମ ଦିଦି, ମୋତେ ଭାରି ଭୋକ ଲାଗିଲାଣି, ମୋ ତଣ୍ଟି ସୁଖୀ ଯାଉଛି । ସକାଳ ଠାରୁ କିଛି ଗଣ୍ଡେ ବି ମୋ ପେଟକୁ ଯାଇ ନାହିଁ । ମୋ ପ୍ରିୟା ଦିଦିର ଜନ୍ମ ଦିନ ଖୁସିରେ ମୋତେ ଯାହା କହୁଛନ୍ତି ମୁଁ କେବଳ କରିଚାଲିଛି । ହେଲେ ମୋତେ ଖାଇବା କଥା କେହି କହୁ ନାହାନ୍ତି । "

 " ହଉ ମୁଁ ଦେଖୁଛି, କିଛି ମିଳିବ କି କଣ !"

 କିଛି ସମୟ ପରେ ପ୍ରିୟା ଫେରି ଆସି କହିଲା । ନାହିଁରେ ମାନସି, ରୋଷେଇ ଘରକୁ ମୋତେ ଛାଡିଲେ ନାହିଁ ! ତୁ ଆଉ କିଛି ସମୟ ରହି ଯାଆ ! ମୁଁ ନିଶ୍ଚୟ କିଛି ବ୍ୟବସ୍ଥା କରିବି । ମୁଁ ଯଦି ତୋ ଖାଇବା କଥା କୁହେ ତେବେ ବାପା ଏଇନେ ତୋର ସବୁ ଖୁସିକୁ ପାଣିଫୋଟକା ଭଳି."

 "ନାଇଁ ମୋ ଦିଦି ଆଜି ମୋତେ କିଛି ନୂଆ ନୂଆ ଜୀବନ ପାଇଲା ଭଳି ଲାଗୁଛି । ସତରେ ଆଜି ମୁଁ ଆଇନା ଆଗରେ ଠିଆ ହୋଇ ଏକ ନୂଆ ମାନସିର ରୂପ ଦେଖି ପାରୁଛି । ମୁଁ କଣ ଗରିବ କାଙ୍ଗାଳୀର ଛୁଆ । ଏଇନେ ତ ମୋତେ କିଛି ଜଣା ପଡୁନି ।"

  କିନ୍ତୁ ଗରିବ କାଙ୍ଗାଳୀର ଛୁଆ ବୋଲି କାହାକୁ ଜଣା ନ ପଡିଲେ ମଧ୍ୟ ! ମାନସି ନିଜକୁ ଜାଣି ପାରିଥିଲା । କାରଣ ସେ ସିନା ସଜେଇ ହୋଇଥିଲା ହେଲେ ତା'ର ପେଟ ଜଳି ଯାଉଥିଲା ଏକ ଅଜଣା ଭୋକ ଦାଉରେ । ସବୁ କିଛି ଆଗରେ ଅଛି ଖାଇ ପାରୁ ନାହିଁ । ତାକୁ ଯଦି ଏଇନେ ଅଇଁଠା ପତ୍ର ବି ମିଳିବ ସେ ଚାଟି ଚାଟି ଖାଇ ଯିବ । 

  କେକ୍ କଟା ସମୟ ଆସିଲା । ପ୍ରିୟା ଟେବୁଲ ପାଖରେ ଠିଆ ହୋଇଥାଏ । ବାହାରେ ନିମନ୍ତ୍ରିତ ଲୋକ ମାନେ ଭୋଜନରେ ବ୍ୟସ୍ଥ । ପ୍ରିୟାର ସାଙ୍ଗମାନେ କେକ୍ କାଟିବା ସମୟରେ ଜନ୍ମ ଦିନର ଶୁଭ କାମନା ଦେଉ ଥାଆନ୍ତି । "happy birthday to you" "happy birthday to you" କହୁ ଥାଆନ୍ତି ହିଁ କହୁ ଥାନ୍ତି । ପ୍ରିୟା ସମସ୍ତ ସାଙ୍ଗମାନଙ୍କୁ ଅନେଇଲା । ହେଲେ ମାନସି କାହିଁ ଯାହାକୁ ସେ ରାଜକୁମାରି ଭଳି ସଜେଇ ଦେଇଥିଲା । ଜୋରରେ ଡାକ ଛାଡିଲା ,"ମାନସି ମାନସି । କୁଆଡେ ଗଲୁ ଜଲ୍ଦି ଆ । କେକ୍ କାଟିବା ସମୟ ହୋଇ ଗଲାଣି । ଜଲ୍ଦି ଆ।"

  ପାଖରେ ଥିବା ସମସ୍ତ ବନ୍ଧୁ ବାନ୍ଧବ, ସାଙ୍ଗ ସାଥି ଓ ବାପା ମାଆ ଆଶ୍ଚଯ୍ୟ ଚକିତ ହୋଇ ଯାଇଥିଲେ । ଚାକର ପିଲା ପ୍ରତି ଏତେ ଦରଦ । ବାପା ରାଗି ଯାଇ କହିଲେ ,"ପ୍ରିୟା ସେମାନେ ହେଲେ ଚାକରାଣୀ ଲୋକ । ବାର ଦ୍ୱାର ଝାଡୁ ମାରିବା ସେମାନଙ୍କର କାମ । ସେ ଯୁଆଡେ ଯାଉଛି ଯାଉ ! ତୁ କେକ୍ କାଟ ।"

 "ନାଇଁ ବାପା, ସେ ନ ଆସିବା ଯାଏ ମୁଁ କେକ୍ କାଟିବି ନାହିଁ । ବନ୍ଧ କର happy birthday ମୋ ଜନ୍ମ ଦିନ ପାଳନ ନ ହେଲେ ନ ହେବ । ମୁଁ ମୋ କେହି ସାଙ୍ଗ ନ ଆସିଲେ ନ ଆସନ୍ତୁ । ହେଲେ ମୋର ମାନସି ଦରକାର । ଯିଏ ନିଜର କୋମଳମତି ହୃଦୟକୁ ମୋ ପାଇଁ ଉଜାଡ଼ି ଦେଇଛି । ସେ ମୋ ମାଆ ପରି ମୋର ସେବା କରି ଚାଲିଛି କରିଚାଲିଛି । ମୁଁ ମୋ ମାଆଙ୍କର ପରସ ପାଇନାହିଁ ହେଲେ ତାହାରି କୋମଳ ହାତର ପରସ ପାଇଛି । ମୁଁ ସିନା ମାଆ ଛେଉଣ୍ଡ ହେଲେ, ସେ ଦୀର୍ଘ ତିନି ବର୍ଷ ହେଲା ମୋ ପାଖରେ ମୋ ମାଆ ପରି ରହିଛି । ପାଠ ପଢିବାର ବୟସ ତା'ର ମଧ୍ୟ ! ହେଲେ ସେ କଣ ଜନ୍ମ ହେଇଛି ମୋ ସେବା କରିବା ପାଇଁ । ମୋ ମାଆଙ୍କର ଅକାଳ ମୃତ୍ୟୁରେ ସିନା ମୁଁ ଦୁଃଖୀ ଥିଲି କିନ୍ତୁ ସେ ସବୁ ପିଲାର ମାଆ ପରି କରୁଛି କେବଳ ମୋ ପାଇଁ । ସେ ମୋ ବୟସରେ ହେଲେ କଣ ହେଲା ସେ ହେଉଛି ମୋ ମାଆ । ତାକୁ ଏଇଠିକୁ ଡାକନ୍ତୁ ବାପା । ସେ ଆପଣଙ୍କ ଭୟରେ ଆସୁ ନାହିଁ ।"ଭୋ ଭୋ ହୋଇ କନ୍ଧୁଥିଲା ପ୍ରିୟା । ଛୋଟ ପିଲାଟିଏ ଯେମିତି ମାଆ ବିହୁନେ ବୁକୁ ପଠା କାନ୍ଧ ବୋବାଳି କରିଥାଏ ସେମିତି ପ୍ରିୟା କାନ୍ଧୁ ଥିଲା ହିଁ କନ୍ଧୁଥିଲା । ପୁଣି କହୁଥିଲା ,"ବାପା ସେ ବି ମୋ ପରି ଅନ୍ୟ କାହାର ଝିଅ ! କାହିଁକି ଏତେ ନିର୍ଦୟ ହେଉଛ ବାପା ?"

 ଉପସ୍ଥିତ ସମସ୍ତ ଆତ୍ମୀୟ ସହୋଦରଙ୍କ ଚକ୍ଷ୍ୟୁରେ ଲୋତକ ଝରି ଆସିଥିଲା ।

  " ହଉ ଠିକ ଅଛି ସେ ଆସିବ । ମୁଁ ଦେଖୁଛି କୁଆଡେ ଗଲା । ଏବେ ମୁଁ ବୁଝି ପାରିଲି ଗରିବ ଚାକରାଣୀ ହେଲେ ମଧ୍ୟ ସେ ବି ଜଣେ ମଣିଷ । ତାର ମଧ୍ୟ ହୃଦୟ ଅଛି, ମନ ଅଛି ଆଉ ବଞ୍ଚିବାର ଅଧିକାର ଅଛି । "

  ସମସ୍ତେ ଖୋଜିବାରେ ଲାଗିଲେ । କୁଆଡେ ଗଲା ମାନସି । ଘର ସାରା ଖୋଜା ସାରିଲାଣି ହେଲେ ତାର ଚିହ୍ନ ବର୍ଣ୍ଣ ନାହିଁ । ଏତିକି ବେଳେ ଜଣେ ଘର ପଛ ପଟରୁ ଡାକ ଛାଡିଲା ବାବୁ ବାବୁ ଦେଖିବେ ଆସନ୍ତୁ ଆସନ୍ତୁ

  ସମସ୍ତେ ଦଉଡି ଯାଇଥିଲେ ସେଇ ଦିଗକୁ । ପ୍ରିୟା ମଧ୍ୟ ଦଉଡି ଯାଇଥିଲା । ସମସ୍ତେ ଦେଖି ଆଶ୍ଚଯ୍ୟ ହୋଇ ଯାଇଥିଲେ । ସମସ୍ତ ବନ୍ଧୁ ବାନ୍ଧବ, ପ୍ରିୟାର ସାଙ୍ଗ ସାଥି ମଧ୍ୟ କାନ୍ଧୁଥିଲେ କେବଳ କାନ୍ଧୁଥିଲେ ।

  ବାବୁ ସମସ୍ତ ଦୃଶ୍ୟ ଦେଖି ହୃଦୟଙ୍ଗମ କରିଥିଲେ ଓ ବୁଝି ପାରିଥିଲେ, ମାନସି ଚାକରାଣୀ ଥିଲା, ହେଲେ ସେ ମଧ୍ୟ ନିଜ ଝିଅ ପ୍ରିୟା ଭଳି ଜଣେ ଅନ୍ୟ କାହାର ଝିଅ । ସେ ମଣିଷକୁ ମଣିଷ ନ ଭାବି ବହୁତ ବଡ଼ ଭୁଲ କରୁଥିଲେ । ଉପସ୍ଥିତ ଜନତା ବାବୁଙ୍କର ବହୁତ ତାଶ୍ଚଲ୍ୟ କରୁଥିଲେ । ସମସ୍ତେ କହୁଥିଲେ ଏଇ ଝିଅ ଯଦି ବାବୁଙ୍କର ଝିଅ ହୋଇ ଥାନ୍ତା ! 

   ପ୍ରିୟା ମାନସିକୁ ଯାଇ କୁଣ୍ଢେଇ ପକେଇଥିଲା ।" ମାନସି ସତରେ ତତେ ଭୋକ ଲାଗୁଥିଲା ବୋଲି ତୁ କହୁଥିଲୁ ହେଲେ ମୁଁ ତୋ ପେଟର ଭୋକ ଜାଣି ପାରିନ ଥିଲି । ତୁ ସେ ଅଇଁଠା ପତ୍ର ପକେଇ ଦେ ମାନସି । ମୋ ପାଇଁ ହୋଇଥିବା ସମସ୍ତ ଖାଦ୍ୟ ତୁ ଖାଇବୁ । ମୋ ପୋଷାକ ତୁ ପିନ୍ଧିବୁ । ମୋର କିଛି ଦରକାର ନାହିଁ ମାନସି । ମୋତେ କ୍ଷମା କରିଦେ ମାନସି ।" ପ୍ରିୟା ଭୋ ଭୋ ହୋଇ କାନ୍ଧୁଥିଲା । ମାନସିକୁ କହୁଥିଲା ମଣିଷର ଭୋକ ଅଇଁଠା ପତ୍ର ବି ଚାଟିବାକୁ ଡାକିନିଏ । ମାନସି ଭୋକ ବିକଳରେ ଯେଉଁ ପତ୍ରରେ ଅଧିକ ଛଡା ଅଇଁଠା ରହିଥିଲା ସେଇ ଗୁଡାକ ଖାଇ ଯାଉଥିଲା । 

  ବାବୁ ତାକୁ କୋଳେଇ ନେଲେ ଆଉ କହିଲେ , "ମାନସି ଚାକରାଣୀ ନୁହେଁ ସେ ଆଜିଠାରୁ ମୋର ଆଉ ଗୋଟିଏ ଝିଅ । ସେ ପାଠ ପଢିବ, ହଁ ନିଶ୍ଚୟ ପାଠ ପଢିବ । ମୋ ଝିଅ ହୋଇ ପାଠ ପଢିବ । ସେ ଆଉ କୌଣସି କାମ ନ କରି ମୋ ଝିଅ ସହିତ ଝିଅ ହୋଇ ପାଠ ପଢିବ ।ସେ ହେବ ମୋର ସୁନା ଝିଅ ।"

  ସମସ୍ତଙ୍କ ମୁହଁରେ ହସ ହିଁ ହସ ଖେଳି ଯାଇଥିଲା ।



Rate this content
Log in

Similar oriya story from Inspirational