Maheswar sahoo

Children Stories

4  

Maheswar sahoo

Children Stories

ମୁଇଁ ତ ଗରିବ ଛାତ୍ର ପ୍ରଥମ ଭାଗ

ମୁଇଁ ତ ଗରିବ ଛାତ୍ର ପ୍ରଥମ ଭାଗ

4 mins
141


ତପନ ପାଠରେ ଏତେ ଭଲ ନ ହେଲେ ବି ଖେଳ ଓ କୌତୁକିଆରେ ପ୍ରଥମ । ବିଦ୍ୟାଳୟରେ ସମସ୍ତ କାର୍ଯ୍ୟକ୍ରମରେ ସେ ଆଗଭର ହୋଇ ସାହାର୍ଯ୍ୟର ହାତ ବଢ଼ାଇ ଥାଏ । କହିବାକୁ ଗଲେ ବିଦ୍ୟାଳୟରେ ହେଉଥିବା ବାର୍ଷିକ ମାଆ ସରସ୍ବତୀଙ୍କ ପୂଜା ଓ ଗଣପତିଙ୍କ ପୂଜାରେ ଅଧିକାଂଶ କାମ ତା'ରି । ଏମିତିକି ସହପାଠୀଙ୍କର ଭୋଜନ ପରର ଅଇଁଠା ପତ୍ର ବି କାହାରିକୁ ଉଠେଇବାକୁ ଦିଏ ନାହିଁ । ଗୁରୁ ଓ ଗୁରୁମାମାନଙ୍କର ସ୍ନେହର ପାତ୍ର କହିଲେ ତପନ । 

   ସେଦିନ ରାଜ୍ୟସ୍ତରୀୟ କ୍ରୀଡା ଉତ୍ସବରେ କୃତି ପିଲାମାନେ ଭାଗନେଇ ପାରିବେ ଅର୍ଥରେ ଏକ ପତ୍ର ପାଇଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ପ୍ରଧାନ ଶିକ୍ଷକ କିଛି କୃତି ପିଲାଙ୍କୁ ବାଛିବା ପାଇଁ ନିଜ ବିଦ୍ୟାଳୟରେ ଏକ ପ୍ରତିଯୋଗିତା ଆରମ୍ଭ କଲେ । ପ୍ରତିଯୋଗିତାର ପରିସମାପ୍ତି ପରେ ତପନ ସହିତ ଅନ୍ୟ ଦୁଇଜଣ ମହେଶ ଓ ରାଜେଶଙ୍କୁ ବଛା ଯାଇଥିଲା । 

   କ୍ରୀଡା ଦିବସର ଦିନଟି ସମୀପ ହେବାକୁ ଯାଉଥାଏ, ତାହା ସହିତ ପିଲା ତିନି ଜଣଙ୍କର ଅଭ୍ୟାସ କାର୍ଯ୍ୟକ୍ରମ ଜାରି ରହିଥାଏ । 

    ତପନ ଯେତେବେଳେ ଦୁଇବର୍ଷର ହୋଇଥିଲା ସେବେ ଠାରୁ ସେ ତା'ର ବାପାଙ୍କୁ ହରେଇ ଥିଲା । ବିଧବା ମାଆ ଶାଶୁଘର ଯନ୍ତ୍ରଣା ସହି ନ ପାରି ପୁଅକୁ ଧରି ବାପାଙ୍କ ଘରେ ରୁହେ । ବାପଘରେ ମଧ୍ୟ ସେହି ଭଳି ଅବସ୍ଥା ! ଭାଇ ଭାଉଜ ଆଖି କୋଣରେ ଦେଖିଲେ ନାହିଁ । ବାଧ୍ୟକୁ ମାଆ ଗୋଟିଏ ଝୁପଡି ଘର ତୋଳି ତପନ ସହିତ ଅଲଗା ରହିଲେ ଓ ପୁଅକୁ ପାଠ ପଢେଇ ମଣିଷ କରିବା ଲକ୍ଷ୍ୟରେ ବାର ଓଳିରେ ତେର କାମ କଲା ଭଳି ; କାହାର ବାସନ ମଜା ତ କାହାର ମୁଡ଼ି ଖଇ ଭଜା ସହିତ ଗୁହାଳ କାମ କରନ୍ତି ଦୁଇ ପଇସା ରୋଜଗାର ପାଇଁ । 

   ଆଜି ସେଇ ବିଧବା ମାଆଙ୍କର ପୁଅ ତପନ, ଦେହରେ ଓ ମୁଣ୍ଡରେ ତେଲ ନ ବାଜୁ ହେଲେ ହୃଦୟରେ ସର୍ବଦା ଅକୁହା ଆଗଭର । ରାତି ନ ପାହୁଣୁ ଶଯ୍ୟାତ୍ୟାଗ କରି ନିଜ ଘର ଠାରୁ ଗାଁ ସଡକରେ ଦୌଡ଼ ମାରୁଥାଏ । ମାଆଙ୍କୁ କହିଦେଇଥାଏ " ମାଆ ସୋମବାର ମୋତେ ଦଶ ଟଙ୍କା ଦେବୁ । ଆମର ଯିବା ଆସିବା ଖର୍ଚ୍ଚ ଗୁରୁଜୀ ଦେବେ ବିଦ୍ୟାଳୟ ତରଫରୁ ହେଲେ ତୁ ଜଉ ଦଶ ଟଙ୍କା ଦେବୁ ! ସେଥିରେ ମୁଁ ଭୋକ ଲାଗିଲେ ଆଳୁକସା ଓ ବରା ଖାଇବି । " ମାଆ ହଁ ଭରିଦେବାରୁ ତପନର ଖୁସି ଦୁଇଗୁଣ ବଢି ଗଲା । ହେଲେ ମାଆ କହିଲେ " ତତେ ମୁଁ କହିଥିଲି ନା ଗୁରୁଜୀଙ୍କୁ କହିବୁ ମୁଁ ଏତେ ବାଟ ଯିବିନାହିଁ କି ଭାଗ ନେବି ନାହିଁ । "

ତପନ ବୁଝେଇ ଦେଇ କହିଲା" ବୁଝିଲୁ ମାଆ ମୁଁ ଯାଇ କହିଲି ଯେ ଗୁରୁଜୀ ମାଆ ମୋର ମନା କରୁଛି ତୁ ଭାଗ ନେବୁନାହିଁ, ହେଲେ ସେ କଣ ଶୁଣିଲେ ଯେ, କହିଲେ ତୁ ଭାଗ ନେବୁ ଓ ତୋର ଯିବା ଆସିବା ସହିତ ଖାଇବା ଖର୍ଚ୍ଚ ବିଦ୍ୟାଳୟ ଦେଵ । ଜାଣିଛୁ ମାଆ ମୁଁ କୁଆଡେ ମାଙ୍କଡ ଭଳି ଡିଆଁ ମାରିଦେଉଛି ଓ ଭଲ ଅଭିନୟ କରି ଦେଉଛି ଯେ ସମସ୍ତେ କାନ୍ଦି ପକାଉଛନ୍ତି ।"

  ମାଆ ତପନକୁ କୋଳେଇ ନେଲେ ଆଉ କହିଲେ ତତେ ମୁଁ ଏଇଥି ପାଇଁ ମନା କରେ ଯେ ତୁ ମୋର ଗୋଟଏ ବୋଲି ପୁଅ । ଏକୋଈର ବଳା ବିସିକେସନ ପରା ତୁ । ତୁ ଭଲ ପାଠ ପଢ଼ିବୁ ଓ ମୋର ଦୁଃଖ ଦୂର କରେଇବୁ ବୋଲି କେତେ ଆଶା ଓ ଭରଷା କରିଛି ରେ । ତୁ ମୋ ଆଖିଆଗରେ ଥିଲେ ବି ମୋର ସବୁ ସୁଖ ଅଛି । ହଉ ଠିକ ଅଛି ମୋ ଗେହ୍ଲାକୁ ମୁଁ ନିଶ୍ଚୟ 10 ଟଙ୍କା ଦେବି । ଏବେ ଖୁସି ତ କହ?? ଖୁସି ତ??

  ମୋ ମାଆ ପରି କିଏ ହେବ ଯେ । କହିଲୁ ମାଆ ମୁଁ ସେଦିନ ଏତେ ବାଟ ଯିବି । ଟିକେ ସଫା ହେଇକି ଓ ସାବୁନ ମାରିକି ଗଲେ ଭଲ ଲାଗିବ । ଆଉ ମୋ କପଡା ଦେଖିଛୁ ତ, ପଛ ପଟରୁ ମୋଡି ହୋଇ ଗଲାଣି ଆଉ କିଛି ଦିନ ପରେ ବେକ ଧରିଯିବ । ଗୋଟେ ନୂଆ ଜାମା ହେଇଥିଲେ ହୁଅନ୍ତା । ଗୋଟେ ସାବୁନ କିଣିବି ତା ସହିତ ଗୋଟେ ଜାମା ବି କିଣିବି ହେଲେ ମାଆ ତୁ ଏତେ ଟଙ୍କା ଆଣିବୁ କେଉଁଠୁ ? ଦେଇ ପାରିବୁନି ନା ?"

   ମାଆଙ୍କ ଆଖିରୁ ଲୁହ ବୋହି ଯାଇଥିଲା ଦୁଇ ଟୋପା । ପୁଅର କଥା ଶୁଣି ଅତ୍ୟନ୍ତ ଅନୁତପ୍ତ ହୋଇ ଯାଇଥିଲେ ମାଆ । ତଥାପି ପୁଅକୁ ସାହସ ଦେଇଥିଲେ ତାର ଅଭିଳାଷ ପୂରଣ କରିବା ପାଇଁ । ଯାହା କିଛି ରୋଜଗାର ହେଉଛି ତେଲ ଲୁଣରେ ଯାଉଛି । ସରକାରୀ ଚାଉଳ ଏତେ ଦୌଡ଼ି ଦୌଡ଼ି ବି ମିଳିପାରୁନି । କାରଣ ମୋ ନାଁରେ କୁଆଡେ ମୋ ଶଶୁର ଘର ଲୋକ ଚାଉଳ ତେଲ ନେଉଛନ୍ତି । 

   ସନ୍ଧ୍ୟା ସମୟ ଏକ ବଡ଼ ଗାଡି ଆସି ଲାଗିଲା ଗାଁ ମୁଣ୍ଡରେ । ସେଥିରେ ବିଦ୍ୟୁତ ଉପକରଣ ଆସିଥାଏ । ସରକାରୀ ବିଦ୍ୟୁତ ସଂଯୋଗ ପାଇଁ ଆସିଥିବା ଉପକରଣ ଠିକ ସ୍ଥାନରେ ପହଞ୍ଚାଇବାକୁ କିଛି ଶ୍ରମିକ ଦରକାର । ସେମାନଙ୍କ ପାଖରେ ଶ୍ରମିକ ଅଭାବରୁ ସେମାନେ ଗାଁ ଶ୍ରମିକ କିଛି ଯୋଗାଡ଼ କରୁଥାନ୍ତି । ଗାଁ ଶ୍ରମିକ ଖୋଜିବା ଦେଖି ତପନ ଦୁଇଦିନ କାମ କରିବ ବୋଲି ପ୍ରତିଶ୍ରୁତି ଦେଲା । ସେମାନେ ଛୋଟିଆ ପିଲା କହିବାରୁ ତପନ ହାତ ଗୋଡ଼ ଧରି ନେହୁରା ହେଲା ଓ ନିଜର ସମସ୍ୟା ଜଣାଇବାରୁ ଠିକାଦାର ତାକୁ ଦୁଇଦିନ କାମ କରିବାକୁ ମଞ୍ଜୁର ଦେଲେ । ଓ କହିଲେ ଯାହା ପାରିବୁ କରିବୁ ହେଲେ ଛୋଟିଆ ପିଲା କାମରେ ଲଗେଇବା ବିପଦ ! ତପନ ଖୁସି ହୋଇ ମାଆଙ୍କୁ କହିଲା " ମାଆ ମୁଁ ଦୁଇଦିନ କାମ କରିବି ବିଦ୍ୟୁତ ସରଞ୍ଜାମ ବୁହା ବୁହିରେ । ଠିକାଦାର ମୋତେ କଥା ଦେଇଛନ୍ତି । ସେ ପଇସା ଦେବେ ମୋର ଜାମା, ପ୍ୟାଣ୍ଟ ଓ ସାବୁନ ସବୁ କିଣା ହେଇଯିବ । "

  ମାଆ କହିଲେ ତୁ ଯଦି ଯିବୁ ତୋ ସହିତ ମୁଁ ବି ଯିବି ଦୁଇଜଣ ମିଶିକି କାମ କରିଦେବା । ଆଉ ଠିକାଦାର ଖୁସି ହେଇ ଆହୁରି ଅଧିକ ପଇସା ବି ଦେବେ । 

  ତହିଁ ଆର ଦିନ ସକାଳେ ମାଆ ଓ ପୁଅ ଦୁଇଜଣ ବାହାରିଗଲେ କାମ କରିବାକୁ । ଠିକାଦାର ମଧ୍ୟ ଖୁସି ହେଇଗଲେ କାରଣ ତାଙ୍କର ଶ୍ରମିକଙ୍କର ଆବଶ୍ୟକତା ଥିଲା । ଦୁଇଦିନ କାମ ସରିଗଲା ହେଲେ ୟେ କଣ ଆଉ ଠିକାଦାରଙ୍କର ଦେଖା ନାହିଁ । ଅଜବ ଲୋକ ପଇସା ଦେବେ କହି ଚାଲିଗଲେ । 

   ଠିକାଦାର ଭଲ ଲୋକ ହେଲେ ସେ ଜରୁରୀ କାମରେ ତିନିଦିନ ବାହାରକୁ ଚାଲିଯାଇଥିଲେ । ତପନ କାନ୍ଦିବାରେ ଲାଗିଲା । ଏତେ ପରିଶ୍ରମ ମାଆ ପୁଅ କଲୁ ହେଲେ କିଛି କାମରେ ଆସିଲା ନାହିଁ । କେହିବି ଉଦ୍ଧାର ମାଗିଲେ ଦେଉ ନାହାନ୍ତି । ବାପା ଯାହାର ଥାଏ ପଇସା ପାଖରେ ନ ଥିଲେ ବି କେହି ଉଦ୍ଧାର ଦେଇଦେବେ ହେଲେ ମୋର କିଏ ଅଛି ଯେ !କେବଳ ମୋ ମାଆ, ମୋ ମାଆଙ୍କୁ ତ କେହି ଭରସା କରୁ ନାହାନ୍ତି ! ଭାବୁଛନ୍ତି ଦେଇ ପାରିବ ନାହିଁ ! ଏମିତି କହି ମନେ ମନେ ନିରୋଳାରେ ବସି ତପନ କାନ୍ଦିବାକୁ ଲାଗିଲା । ଆଜି ରାତି ପାହିଲେ କାଲି ସେ ଯିବ କ୍ରୀଡା ଉତ୍ସବକୁ । ହେଲେ ପିନ୍ଧିବାକୁ କପଡା ନାହିଁ କି ଟିକେ ଦେହ ଓ ବାଳ ସଜାଡିବାକୁ ତେଲ କି ସାବୁନ ନାହିଁ । ହେଲେ ମନରେ ଧୌର୍ଯ୍ୟ ରହିଛି ଯେ ମୁଁ ନିଶ୍ଚୟ ଯିବି ।


Rate this content
Log in