ମୁଇଁ ତ ଗରିବ ଛାତ୍ର ( ପଞ୍ଚମ ଭାଗ)
ମୁଇଁ ତ ଗରିବ ଛାତ୍ର ( ପଞ୍ଚମ ଭାଗ)
ପ୍ରଧାନ ଶିକ୍ଷକଙ୍କୁ ମଞ୍ଚ ଉପରେ ଦେଖି ଉପସ୍ଥିତ ସମସ୍ତ ଦର୍ଶକ ଓ ମନ୍ତ୍ରୀ ମହୋଦୟ ମଧ୍ୟ କରତାଳିରେ ଅଭିନ୍ଦନ ଜଣାଇଥିଲେ । ତାଙ୍କର ଶିକ୍ଷକତା ମଧ୍ୟରେ ସେ ଆଜି ପ୍ରଥମେ କୌଣସି ଏକ ଛାତ୍ର ଉଦ୍ଦେଶ୍ୟରେ କିଛି କହିବାକୁ ଏତେ ବଡ଼ ମଞ୍ଚରେ ପଦାର୍ପଣ କରିଛନ୍ତି । ଯେଉଁଠାରେ କି ଓଡ଼ିଶାର ସମସ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି । ହଜାର ହଜାର ଦର୍ଶକ ମାନଙ୍କ ମଧ୍ୟରେ ସେ ଭାବ ବିହ୍ଵଳିତ ହୋଇଯାଇଥିଲେ । ନିଜର ବକ୍ତବ୍ୟରେ ସେ ଉପସ୍ଥିତ ଅତିଥି ମାନଙ୍କୁ ଯଥା ମାନ୍ୟ ଦେଇ ବକ୍ତବ୍ୟ ଆରମ୍ଭରେ କହିଲେ " ଆମ ବିଦ୍ୟାଳୟର ପ୍ରତ୍ୟକ ପିଲା ମୋ ବିଦ୍ୟାଳୟ ରୂପୀ ପରିବାରର ଜଣେ ଜଣେ ସଦସ୍ୟ ଭଳି । ହାତରେ ପାଞ୍ଚ ଆଙ୍ଗୁଳି ସମାନ ନ ଥାଏ, ସେମିତି ପିଲାଙ୍କର ଗୁଣ, ଜ୍ଞାନ ଓ ଚରିତ୍ରରେ ଅନ୍ତର ଦେଖା ଯାଇଥାଏ । କିଏ ମନ ଦେଇ ପାଠ ପଢ଼ିଥାଏ ତ କିଏ କ୍ରୀଡା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥାଏ । କେହି କେହି ସଙ୍ଗୀତ, ନୃତ୍ୟ ଓ ଅଭିନୟ ମାଧ୍ୟମରେ ନିଜର ପରାକାଷ୍ଠା ବ୍ୟକ୍ତ କରିଥାନ୍ତି । ତପନ ମୋ ବିଦ୍ୟାଳୟ ପାଇଁ ଏମିତି ଏକ ପିଲା ଯିଏ ଗୋଟିଏ ଚାଉଳରେ ଗଢ଼ା । ଏ ହେଉଛି ସେଇ ପିଲା ଯାହାକୁ କୌଣସି ଆଦେଶର ଆବଶ୍ୟକ ନାହିଁ । ଅର୍ଥାତ କହିବା ଆଗରୁ କରିଦେଇଥାଏ । ବହୁତ ବାର ତା ମାଆଙ୍କୁ ବିଦ୍ୟାଳୟକୁ ଡକାଇଥାଏ ହେଲେ ସେ କୁହନ୍ତି ଏତେବଡ଼ ସାର ଙ୍କ ଆଗରେ ମୁଁ କଥା ହୋଇପାରିବି ନାହିଁ ତେଣୁ ଯାହା ସାର କହିବେ ତାହା ମୋ ପିଲାର ଭବିଷ୍ୟତ । ହେଲେ ସେ ଆସନ୍ତି ନାହିଁ କି ଅମାନ୍ୟ କରନ୍ତି ନାହିଁ । କିନ୍ତୁ କେବଳ ତପନକୁ ଦୂର ଜାଗାକୁ ଛାଡିବାକୁ ନାରାଜ ହୁଅନ୍ତି । ଆଜି ଏହି ତପନ ପାଇଁ ଆମ ବିଦ୍ୟାଳୟର ନାଁ ଉଜ୍ଜ୍ୱଳ ହୋଇଛି । ତପନ ହିଁ ଆମର ଗୌରବ ଓ ଗର୍ବ । ମୋର ଅନ୍ୟ ଛାତ୍ର ମାନଙ୍କ ପାଇଁ ତପନ ନିଶ୍ଚୟ ପ୍ରେରଣା ଦାୟକ ହେବ । ଉପସ୍ଥିତ ରାଜ୍ୟର ଅନ୍ୟାନ୍ୟ କୋଣରୁ ଆସିଥିବା ଛାତ୍ର ମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ । ଏତିକି କହି ମୋର ବକ୍ତବ୍ୟ ସମାପନ କରୁଅଛି । ବନ୍ଦେ ଉତ୍କଳ ଜନନୀ ।
ପ୍ରତିଯୋଗିତାର ପରିସମାପ୍ତି ହୋଇ ଯାଇଥିଲା । ପ୍ରଧାନ ଶିକ୍ଷକ ନିଜର ପିଲାଙ୍କୁ ଧରି ଘରକୁ ପ୍ରତ୍ୟାବର୍ତ୍ତନ କଲେ । ତପନର ଶରୀରରେ ଅତ୍ୟନ୍ତ ଯନ୍ତ୍ରଣା ହେଉଥାଏ । ହେଲେ ହୃଦୟର ଖୁସି ଶରୀରର ଯନ୍ତ୍ରଣାକୁ କାବୁ କରି ଦେଉଥାଏ । ଘରେ ପହଞ୍ଚିବାକୁ ରାତ୍ର ହୋଇଯାଇଥିଲା । ପ୍ରଧାନ ଶିକ୍ଷକ ତପନକୁ ଘରେ ଛାଡ଼ି ଦେଇ ଚାଲିଯାଇଥିଲେ । ତପନକୁ ବହୁତ ଭୋକ ଲାଗିଥାଏ । ମାଆ ଘରେ ଥିବା ମୁଢି ଓ ଚୁଡା ସହିତ ଗୂଡ଼ ମିଶାଇ ଖାଇବାକୁ ଦେଲେ । ସାଧା ଖାଦ୍ୟ ଖାଇବାରେ ତପନକୁ କୌଣସି ସମସ୍ୟା ହୋଇ ନ ଥିଲା । ସେ ଆରାମରେ ଖାଇ ଯାଇଥିଲା ।
ଆଜି ତପନ ଏକ ନୂତନ ଆତ୍ମତୃପ୍ତି ଅନୁଭବ କରୁଥିଲା । ମାଆ ତପନକୁ ନିଜ କୋଳରେ ଶୁଆଇ ମୁହଁର କ୍ଷତ ସ୍ଥାନକୁ ସେକ ଦେଇ ମଲମ ଲଗାଇ ଦେଲେ । ତପନ ମାଆ କୋଳରେ ଶୋଇ ଥାଏ । ସହରର ଚାକଚକ୍ୟ ଦେଖି ତାର ଆତ୍ମା ଆନ୍ଦୋଳିତ ହେଉଥାଏ । ମାଆକୁ ସେ ଆଗରୁ କେବେ ପଚାରି ନ ଥିବା ପ୍ରଶ୍ନ ଆଜି ପଚାରି ଦେଲା " ମାଆ ମୋ ବାପା ଯଦି ଥାଆନ୍ତେ, ଆମେ କେତେ ଖୁସିରେ ରହିଥାନ୍ତେ ନା? ଜାଣିଛୁ ମାଆ ସହରର ଲୋକ ମାନେ କେତେ ସୁନ୍ଦର ସୁନ୍ଦର କପଡା ପିନ୍ଧୁଛନ୍ତି ! ଚାରି ଚକିଆ ଗାଡି ସମସ୍ତଙ୍କ ପାଖରେ ! କେହି ଜଣେ ଗରିବ ପାଇବୁ ନାହିଁ ! ସବୁଠାରେ ବିଦ୍ୟୁତ ସଂଯୋଗ ହୋଇଛି ! ଦେଖୁନୁ ଆମେ କେତେ ଦୟନୀୟ ଅବସ୍ଥାରେ ରହୁଛନ୍ତି । ଡିବିରି ବତୀ ପାଇଁ କିରୋସିନ କିଣିବାକୁ ମଧ୍ୟ ଆମ ପାଖରେ ପଇସାର ଅଭାବ । ତୁ କେତେ କାମ କରୁଛୁ ହେଲେ ଲୋକମାନେ ତତେ କାହିଁକି ଏତେ କମ ପଇସା ଦିଅନ୍ତି ଯେ । ମୁଁ ମଧ୍ୟ କାଲି ଠାରୁ କିଛି କାମ କରିବି ! "
ମାଆ ଯମୁନା ସାନ୍ତ୍ୱନା ଦେଇ କହିଲେ " ନାଁ ତୁ ପାଠ ପଢ଼ିବୁ । ମୁଁ ସିନା ତତେ ବଡ଼ ଲୋକିଆଙ୍କ ପରି ଖାଇବାକୁ କି ପିନ୍ଧିବାକୁ ଦେଇ ପାରୁନି ! ହେଲେ ତୋର ଆବଶ୍ୟକତା ଅନୁଯାୟୀ ପୋଷାକ, ଭୋଜନ ଯୋଗାଇ ରଖିଛି ! ଯେତେ କଷ୍ଟ ହେଉ ପଛେ ମୁଁ ଏମିତି ପର ଘରେ ମୂଲ ଲାଗି ତତେ ପାଠ ପଢେଇବି । "
ତପନ ଅବୁଝା ଭଳି କହିଲା " ମାଆ ମୁଁ କାଲି ଠାରୁ କିଛି କାମ କରିବି । ମୋତେ ଜଣେ ଖବର ଵାଲା ଅଙ୍କଲ କହିଛନ୍ତି ଆମ ଚାଉଳ ଓ ରେସନ ଆମକୁ ମିଳିବ । ସେ କାଲି ଆମ ଘରକୁ ଆସିବେ । ଆଉ କକା ନେଇ ପାରିବେ ନାହିଁ । କେହି ଜଣେ ଅଫିସର କହିଛନ୍ତି ମୋ ମାଆଙ୍କ ନାଁ ରେ ବିଧବା ଭତ୍ତା ମିଳିବ । ଆମକୁ ସରକାରୀ ଘର ମିଳିବ । ଜାଣିଛୁ ମାଆ କେତେ ବାବୁ ଲୋକମାନେ ମୋତେ ବହୁତ କିଛି ମିଳିବ ବୋଲି କହିଛନ୍ତି । ମୋ ଠିକଣା ମୋ ଠାରୁ ନେଇଛନ୍ତି ସେମାନେ କୁଆଡେ ଆମ ଘରକୁ ଆସିବେ । ହେଲେ ମାସ ତୁ ମୋତେ ପଢିବା ସହିତ କିଛି କାମ କରିବାକୁ ବାରଣ କରିବୁ ନାହିଁ । "
"ହଉ ହେଲା ତୁ କାମ କରିବୁ । କାରଣ ବାପା ଚାଲି ଯାଇଥିଲେ ଏବେ ତୋ ମାଆ ବି ମରିଯାଇଛି ନା ସେଇଥିପାଇଁ ତୁ କାମ କରିବୁ ।"
ତପନ କାନ୍ଦି ପକାଇଥିଲା, ଦୁଇଟୋପା ଲୋତକ ବୋହି ଯାଇଥିଲା ତାର ଆବେଗ ଭରା ନୟନରୁ । ମୋତେ ବହୁତ ନିଦ୍ରା ଆସିଲାଣି କହି ଅର୍ଦ୍ଧ୍ୱନିଦ୍ରିତ ଅବସ୍ଥାରେ ମାଆଙ୍କ କୋଳରେ କଡ଼ ଲେଉଟାଇଥିଲା ।
ମାଆ ଦେହରେ ସୋରିଷ ତେଲ ମାଖିଦେଇ ଗୋଡ଼ ଦବାଇ ଦେଇଥିଲେ । ପିଲାଟା ବାପା ଛେଉଣ୍ଡ ବୋଲି କେତେ କଷ୍ଟ ପାଉଛି । ହେଲେ ମୁଁ ତାକୁ କଣ ଦେଇପାରୁଛି ଯେ ! ପେଟକୁ ଠିକରେ ଗଣ୍ଡେ ଖାଇବାକୁ ବି ଦେଇ ପାରୁନି । ଖଣ୍ଡେ ମନ ଜାଣି କପଡା ପିନ୍ଧେଇ ପାରୁନି । ହାଇରେ ବିଧାତା ଏତିକି କଷ୍ଟ ଆମ ମାଆ ଓ ପୁଅଙ୍କ ଭାଗ୍ୟରେ ଥିଲା ! ଏମିତି ଅନେକ ଧିକ୍କାର କରିଥିଲେ ନିଜର ଭାଗ୍ୟକୁ । ଭୋକ ଲାଗୁନଥିଲା ତେଣୁ ସେଇ ତପନ ପାଖରେ ଶୋଇଯାଇଥିଲେ ଯମୁନା ।
(ଆଗାମୀ ଅଧ୍ୟାୟରେ ନିଶ୍ଚୟ ପଢିବେ ଭାଗ-6)
