ମୁଇଁ ତ ଗରିବ ଛାତ୍ର ( ଷଷ୍ଠ ଭାଗ)
ମୁଇଁ ତ ଗରିବ ଛାତ୍ର ( ଷଷ୍ଠ ଭାଗ)


ଅର୍ଦ୍ଧରାତ୍ର ସମୟ, ଚାରିଆଡ଼ ଶାନ୍ତ ଓ ନିରବ ପରିବେଶ । ହଠାତ ନିଦ ଭାଙ୍ଗି ଯାଇଥିଲା ତପନର । ଓଃ ମୋ ମାଆର କଣ ହେଉଛି ! କହି ମାଆ ମାଆ ଡାକ ଛାଡିଲା ତପନ । ଭୀଷଣ ଜ୍ୱ୍ୱରରେ କମ୍ପୁଛନ୍ତି ଓ ସର୍ବାଙ୍ଗ ଶରୀର ଥରୁଅଛି । ଉଁ ଉଁ ଶବ୍ଦରେ ଥରି ଯାଉଛି ସମ୍ପୂର୍ଣ୍ଣ କୁଡ଼ିଆ ଘର । ତପନ ଦେହରେ ଓ ମୁଖ ମଣ୍ଡଳରେ ଘାଆର ଯନ୍ତ୍ରଣା ସହିତ ମାଆଙ୍କର ବୁକୁଫଟା କରୁଣ ଶବ୍ଦ, ତପନକୁ ବିଚଳିତ କରିଦେଇଥିଲା । ଅର୍ଦ୍ଧ ରାତ୍ର ସମୟରେ କୁଆଡେ ଯିବ ଓ କଣ କରିବ ଭାବି ବହୁ କଷ୍ଟରେ ଘରର ଡିବିରି ବତୀ ଜଳେଇ ଥିଲା ତପନ । ମାଆ ଥରୁଥିବାର ଦେଖି ତପନ ଛିଣ୍ଡା ଗୁନ୍ଥା କମଳ ଓ କନ୍ଥା ଘୋଡେଇ ଦେଇଥିଲା ମାଆକୁ । ପାଦରେ କରଞ୍ଜ ତେଲ ଥାପି ଦେଇ ଜୋରରେ ଘଷି ଦେଇଥିଲା । ମୁଣ୍ଡରେ ହାତ ମାରି ଦେଖିଲା ଭୀଷଣ ଗରମ ଲାଗୁଛି, କପଡା ଖଣ୍ଡେ ଭିଜେଇ ମୁଣ୍ଡର କପାଳ ଉପରେ ରଖି ଦେଇଥିଲା ।
ଟିକେ ଆରାମ ଲାଗିଥିଲା ମାଆ ଯମୁନାଙ୍କୁ । ଆଖି ଖୋଲି ପୁଅର ସେବାକୁ ଅନୁଭବ କରିଥିଲେ ମାଆ ଯମୁନା । ଯିଏ ବାପା ମାଆଙ୍କର ସେବା ମନ ପ୍ରାଣ ଦେଇ କରିଥାଏ ସିଏ ହିଁ ପ୍ରକୃତ ସନ୍ତାନ । ଅର୍ଥାତ "ପିତା ମାତାଙ୍କ କଲ୍ୟାଣରୁ ସନ୍ତାନ ସୁଖୀ ହୋଇଥାଏ ।" ଅର୍ଦ୍ଧ ରାତ୍ର ସହିତ ସୁନ ସାନ ଜାଗାରେ ଘର । ଯେତେ ଡାକିଲେ ବି କେହି ଶୁଣିଲା ଭଳି ନୁହେଁ ।
ଶେଷରେ ତପନ ଭାଗବାନଙ୍କୁ ଡାକିବାକୁ ଲାଗିଲା । ହେ ଭଗବାନ ମୋ ମାଆ ଛଡା ଏହି ଦୁନିଆରେ କେହି ନାହାନ୍ତି । ମୁଁ ମୋର ହେତୁ ହେବା ଠାରୁ ମୋ ମାଆର ଏମିତି ଅବସ୍ଥା କେବେ ଦେଖି ନ ଥିଲି । ଆଜି ମୁଁ ମୋ ମାଆର ସେବା କରିବାର ସୁଯୋଗ ପାଇଛି । ହେଲେ ଜ୍ୱର କମୁନାହିଁ କାହିଁକି ! କଣ କରିବି ରାତ୍ର ସମୟରେ ?
ମାଆ କହିଲେ "ବାପାରେ ମୁନ୍ଦେ ପାଣି ଦେଲୁ ।" ତପନର ନିଦୁଆ ସନ୍ତାପ ରୂପକ ଜୁଆରରେ ଭଟ୍ଟା ଆସିଲା ଯେମିତି । ସଙ୍ଗେ ସଙ୍ଗେ କହିପକାଇଲା "ମୋ ମାଆ ଏବେ କଥା କହିଲା । ମୋ ମାଆ ଏବେ କଥା କହିଲା "ଭାବନା ଭିତରେ ଆଶ୍ୱାସନା ତାକୁ ଟିକେ ଆଶ୍ୱାସିତ ହେଲା । ଦଉଡି ଯାଇ କଳସୀରୁ ଢାଳରେ ପାଣି ଆଣି ମାଆକୁ ପିଆଇ ଦେଲା । ଢକ ଢକ କରି ଦୁଇ ଢ଼ୋକ ପାଣି ପିଇ ଥାଉ ବୋଲି କହିଲେ ମାଆ । ଏବେ ଆଉ କୌଣସି ଶବ୍ଦ ନ ଥିଲା ମାଆଙ୍କ ମୁହଁରୁ । କେବଳ ଉଁ ଉଁ । ଉପାୟ ଶୂନ୍ୟ ଭାବନା ଭିତରେ ଏକ ବୁଦ୍ଧି ପଶିଲା ତପନର । ସେ ନିଶ୍ଚୟ ମାମୁଙ୍କ ଘରକୁ ଯିବ । ରାତ୍ର ସମୟ ଭୟ ଲାଗୁଥିଲେ ବି ତପନ ସାହସ କରି ଘରୁ ବାହାରିଲା । ମାଆଙ୍କୁ କହିଲା ମାଆ ଯେମିତି ହେଉ ମୁଁ କିଛି ଉପାୟ କରୁଛି । ଆମେ ଡାକ୍ତର ପାଖକୁ ଯିବା ।
ମାଆଙ୍କୁ ଶୁଆଇ ଦେଇ ତପନ ସେଇ ଅନ୍ଧାର ରାତିର ବୁକୁ ଚିରି ବୀରଦର୍ପରେ ବାହାରି ପଡ଼ିଲା । ମାଆଙ୍କର ମଧ୍ୟ ବାରଣ କରିବାର ଶକ୍ତି ନଥାଏ । ଭୀଷଣ ଜ୍ୱରର କବଳରେ ମାଆ ସମ୍ପୂର୍ଣ୍ଣ କବଳିତ । ଘରର କବାଟ ଖୋଲି ଦେଇ ବାହାରକୁ ଅନେଇ ଦେଲା ତପନ । ଆଗରୁ ରାତିରେ ବାହାରକୁ ଉଠିଲେ ମାଆଙ୍କୁ ଡାକେ, କାରଣ ତାକୁ ଅନ୍ଧାରକୁ ଭାରି ଭୟ । ହେଲେ ଆଜି ସେ ନିଃସହାୟ । ନିରୁପାୟ ମଧ୍ୟ ;
ଅନ୍ଧାରରେ ପାଦ ବାହାରକୁ ପକେଇବା ପୁଣି ଏକୁଟିଆ, ତା' ପାଇଁ ଜୀବନର ପ୍ରଥମ । ଭାବିଲା ହାତରେ ଖଣ୍ଡେ ବାଡ଼ି ଧରିବି କାରଣ କୌଣସି ସାପ, କୁକୁର, ଓ ଶିଆଳଙ୍କ ଆକ୍ରମଣରୁ ବଞ୍ଚିବାକୁ ହେଲେ ନିଶ୍ଚୟ ବାଡ଼ି ଟିଏ ଦରକାର । ରାସ୍ତା ଖୋଜିଲା ଭଳି ଅଣ୍ଡାଳି ଅଣ୍ଡାଳି ଆଗକୁ ଆଗକୁ ଚାଲିଲା ତପନ । ଘର ଠାରୁ କିଛି ବାଟ ଆସିଲା ପରେ ଗୋଟଏ ବିଶାଳ ବଟ ବୃକ୍ଷ(ବର ଗଛ) ରହିଥାଏ । ତପନ ଆଗରୁ ଶୁଣିଥିଲା ବର ଗଛରେ ଡାହାଣୀ ଓ ପ୍ରେତାତ୍ମା ରୁହନ୍ତି। କାହାକୁ ଏକୁଟିଆ ପାଇଲେ ଖାଇ ଯାଇଥାନ୍ତି । ଏଇ କିଛି ଦିନ ତଳେ କାହାର କଟା ମୁଣ୍ଡ ସେଇ ବରଗଛରେ ଝୁଲୁଥିବାର ସେ ଶୁଣିଥିଲା । ଆଜି ଏକୁଟିଆ ତପନ ଘରୁ ବାହାରିଛି । ପୁଣି ନିଜର ମାମୁଁ ଘରକୁ ଯିବ ସେଇ ବର ଗଛଦେଇ । ବର ଗଛ ଯେତିକି ପାଖକୁ ଆସୁଥାଏ ତପନର ଭୟ ସେତିକି ବଢୁ ଥାଏ । ହୃଦୟର ସ୍ପନ୍ଦନ ଦୁଇଗୁଣ ହୋଇଗଲା । ବର ଗଛ କିଛି ବାଟ ଥାଏ ତପନ ଏକ କ୍ଷୀଣ ଆଲୋକ ଦେଖିବାକୁ ପାଇଲା । ହୃଦୟର ସ୍ପନ୍ଦନ ଓ ମନର ଆବେଗ ବଢିବାକୁ ଲାଗିଥାଏ । ସେ ଶୁଣିଥିବା କାହାଣୀ ସତ ହେବାକୁ ଯାଉଛି ବୋଲି ଭାବିନେଲା । ମୋତେ ନିଶ୍ଚୟ ଏହି ପିଶାଚ ଓ ରାକ୍ଷସ ଛାଡିବେ ନାହିଁ !
ଦମ୍ଭର ସହିତ ଆଗକୁ ଯାଉଥାଏ ତପନ । ହଁ ମରିବାର ଥିଲେ ମରିବି ହେଲେ ମୋ ମାଆଙ୍କୁ ବଞ୍ଚେଇବାକୁ ନିଶ୍ଚୟ ଚେଷ୍ଟା କରିବି । ମାଆଙ୍କ ସେବାରେ ଯଦି ମୋ ଜୀବନ ଚାଲିଯାଏ ତେବେ ମୋର ଜନ୍ମ ସାର୍ଥକ ହେବ । ଯେଉଁ ମାଆ ମୋତେ ଏକୁଟିଆ ପାଳି ପୋଷି ମଣିଷ କରିଛି ମୁଁ କେବେ ତାର ସୁରକ୍ଷା ପାଇଁ ପଛଘୁଞ୍ଚା ଦେବି ନାହିଁ । ନାଁ ନାଁ ନାଁ..... ଆଗକୁ ଆଗକୁ ଚାଲୁଥାଏ ତପନ କହୁଥାଏ " ମାଆ ରକ୍ଷାକର" କହି କହି ଚାଲିଥାଏ ଆଗକୁ ଆଗକୁ । ତପନ ହାତରେ ଆଲୁଅ ନଥାଏ । ରାତିର ଅନ୍ଧାରର ବୁକୁଚିରି ଆଗକୁ ଆଗକୁ ଯାଉଥିବା ତପନ ଆଜି ଏକୁଟିଆ ବରଗଛର ନିକଟରେ । ଅପର ପାର୍ଶ୍ଵରେ ଜଳୁଥିଲା ଆଲୁଅ । ଧୀର ପାଦ ପକେଇ ତପନ ମନ୍ଥର ଗତିରେ ଆଗକୁ ଆଗକୁ ଚାଲୁଥାଏ । ତପନର ସାହସ ନଥିଲା ସେ ଆଲୁଅ ଆଡକୁ ଅନେଇବାକୁ । ହେଲେ ଆଲୁଅ ପାଖରେ ଶୁଭୁଥିଲା ଫୁସୁରୁ ଫାସର କଥା ବାର୍ତ୍ତା । ତପନ ଠିଆ ହେଇଗଲା । ଶୁଣିବାକୁ ଚେଷ୍ଟା କଲା କିଏ ଓ କଣ କଥା ହେଉଛନ୍ତି !
କେହି ଜଣେ କହୁଥିଲା " ଆବେ ଜଗା ତୁ କାଲି କାହିଁକି ଆସିଲୁ ନାହିଁ ଯେ । କାଲି ରୋଜଗାର ଉତ୍ତମ ଥିଲା । ଆମର ସାତ ଜଣିଆ ଦଳରୁ ଜଣେ ଯଦି ଅନୁପସ୍ଥିତ ରୁହେ ଜମ୍ମାରୁ ମୋତେ ଭଲ ଲାଗେ ନାହିଁ । " ଜଗା କହିଲା," ମୋ ଦେହଟା କାଲି ଆଦୌ ଭଲ ଲାଗିଲା ନାହିଁ ତା ସହିତ ତୋ ଭାଉଜ ମଧ୍ୟ ଆଜି କାମକୁ ଯାଅ ନାହିଁ କହିଲେ । ହେଲେ ଆମେ ରାତିରେ ଚୋରି କରନ୍ତି ବୋଲି ତୋ ଭାଉଜକୁ କେବେ କହିନାହିଁ, ଆଉ ତମେ ମାନେ କେହି କହିଛ କି ?"
ସମସ୍ତେ ଏକ ସ୍ୱରରେ କହିଲେ "କଣ ଛାଞ୍ଚୁଣୀ ପିଟା ଖାଇବାକୁ କହିବୁ । ଆମକୁ ଚୋର କହି ଛାଡି ପଳେଇବେ । "
ଦଳର ଅନ୍ୟଜଣେ କହିଲା, " ଆମେ ଚୋର, ଡକାୟତ ସହିତ ଆମେ ମଧ୍ୟ ଭୁତ ଓ ପ୍ରେତ । ଏହି ଅଞ୍ଚଳର ଏମିତି ଲୋକ ନାହିଁ ଯାହାର ସାହସ ହେବ ଏହି ବରଗଛ ଦେଇ ଯିବାକୁ । ହଁ ଯିଏ ଚାଲିଗଲା ଚାଲିଗଲା ହେଲେ ଆମ ପାଖକୁ ଆସି ଚିହ୍ନା ଦେଵ ଓ ବଞ୍ଚିବ ସେଇଟା ତାର ଭାଗ୍ୟ । ଆମେ ଚୋରି କରନ୍ତି ତା ସହିତ ଦିନ ସାରା ମଉଜ ମଜଲିସ ମଧ୍ୟ କରନ୍ତି । ଆମର ଅଭାବ କଣ ଅଛି ଯେ । ଆମେ ମାନେ ଏହି ଅଞ୍ଚଳର ଜଣେ ଜଣେ ଧନୀ ଲୋକ ।"
ଅନ୍ୟ ଜଣେ କହିଲା , "ହଁ ରେ ଭାଇ କେତେ କଷ୍ଟ କରିବାକୁ ପଡେ, କାହାର ଲୁହା କବାଟ ଓ ପକ୍କା କାନ୍ଥ ଭାଙ୍ଗିବା ଏତେ ସହଜ ନୁହେଁ । "
ପୁଣି ଜଣେ କହିଲା, " ଶୁଣ ସମସ୍ତେ ଜାଣିଛ ମୋ ଭଣଜା କାଲିର ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତଯୋଗୀତାରେ ଓଡିଶାରେ ପ୍ରଥମ ହେଲା । ହେଲେ ସେ ମୋର ଭଣଜା ଯେ ! କିନ୍ତୁ କେବେ ତା ସହିତ ମୁଁ କଥା ହୁଏନି । କେଉଁ ବଣ ପଡିଆରେ ପଡିଲା ଭଳି ପଡିଛନ୍ତି ଛି ଛି..। "
ପୁଣି ଜଣେ କହିଲା, " ହଁ ଭାଇ ତମେ ନିଜ ଭଉଣୀକୁ ଅଣଦେଖା କରୁଛ । ହେଲେ ଠିକ କରୁନ । ଯାହା ହେଲେ ବି ଭଣଜା ପୁଅ ସମାନ । ତାଙ୍କୁ ଅବହେଳା କରିବା ଉଚିତ ନୁହେଁ । ଭିଣେଇ ମରିଗଲେ ବୋଲି ଭଉଣୀଟାକୁ ଅଳିଆ ଗଦାରେ ପକେଇଲା ଭଳି ପକେଇ ଦେଇଛ । ତାଙ୍କର ଯତ୍ନ ନେବା ନିହାତି ଆବଶ୍ୟକ ।"
ଏମିତି କଥାବାର୍ତ୍ତା ଗୁଡିକ ତପନ ଶୁଣୁ ଥାଏ । ଭାବିଲା ମୋ ମାମୁଁ ବଡ଼ ଲୋକିଆ ବୋଲି ମୁଁ ଜାଣିଛି ହେଲେ ସେମାନେ ମୋ ଅଜାଙ୍କ ସମ୍ପତ୍ତିରେ ଆମକୁ ଘର ଖଣ୍ଡେ କରିବାକୁ ଜାଗା ଟିକେ ଦେଲେ ନାହିଁ । ହେଲେ ସେ କଣ ଚୋରି କରି ବଡ଼ ଲୋକି ହୋଇଛନ୍ତି ! ମୁଁ ତ ଏତିକି ଜାଣିଛି ଯିଏ ପରିଶ୍ରମ କରେ ସେ ବଡ଼ଲୋକିଆ ହୋଇଥାଏ । ହେଲେ ଏଇଟା ବି ଜାଣିଲି ଯେ ଚୋରି କରି ମଧ୍ୟ ଲୋକ ବଡ଼ଲୋକିଆ ହୁଅନ୍ତି । ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଥାଏ ତପନର ।
ପୁଣି ତପନ ଭାବିଲା ଲୋକଙ୍କ ମଧ୍ୟରେ ଏହି ବରଗଛର କକୁଆ ଭୟର କାହାଣୀ ଏହି ସାତ ଜଣ । ଏମାନେ ମଣିଷ ନୁହନ୍ତି ସତରେ ଜଣେ ଜଣେ ଭଦ୍ରମୁଖା ପିନ୍ଧା ଭୂତ, ପ୍ରେତ ଓ ରାକ୍ଷସ । ଛିଃ... ଛି... ଛି... ଶତ ଧିକ୍କାର ଏମାନଙ୍କର କର୍ମକୁ । ହେଲେ ମାମୁଁ ତ ଏହି ଚୋର ଦଳର । ମୁଁ କାହା ପାଖକୁ ଯିବି ! ଆଜି ମୁଁ ଗୋଟିଏ କଥା ବୁଝିପାରିଲି ଯେ ଭୂତ କଣ ଓ ଏହା କାହିଁକି ଭୟଙ୍କର ! ମୋତେ ମୋ ମାଆ ପାଖକୁ ଫେରିଯିବାକୁ ପଡିବ କାରଣ ଏମାନେ ମଦ୍ୟ ପାନ କରିଛନ୍ତି ତେଣୁ ଏମାନଙ୍କୁ ଭଲ ଖରାପ କିଛି ଜଣା ପଡିବ ନାହିଁ । ସମ୍ପର୍କ କଣ ଜାଣିପାରିବେ ନାହିଁ । ହେ ଭଗବାନ ମୋ ମାଆର କଣ ହେଲା ମୋତେ ଯାଇ ଦେଖିବାକୁ ହେବ । ଏମିତି ମନରେ ଚିନ୍ତା କରି, ତପନ ଘରକୁ ଫେରିବାକୁ ପଛକୁ ବୁଲି ପଡିଲା ବେଳକୁ ଅନ୍ଧାରରେ ଏକ ପଥରରେ ଝୁଣ୍ଟି ପଡି ତଳକୁ ପଡିଗଲା । "ଆଃ" ବୋଲି ତା ମୁହଁରୁ ବାହାରିଗଲା । ଆବାଜ ଯାଇ ଚୋରମାନଙ୍କ କାନରେ ବାଜିଲା । "କିଏ ବେ" କହି ଚୋର ମାନେ କୁଦି ପଡିଲେ । ହାତରେ ଖଣ୍ଡା ଓ ଲମ୍ବା ବାଡ଼ି ଧରି । କେହି ଜଣେ ଲମ୍ବ ବାଡ଼ିରେ ତପନର ଅଣ୍ଟା ପାଖକୁ ଏକ ନିର୍ଘାତିଆ ପାହାର ଦେଲା । ତପନ ଆହାଃ କହି ଡାକ ପକେଇଲା ମାଆ ମାଆ । ଖସି ଯିବାର ବାଟ ନଥାଏ । ଚାରି ପାଖରୁ ଚୋର ମାନେ ଘେରି ରହିଥାନ୍ତି । ତପନ ଜୀବନ ବିକଳରେ କହି ପକେଇଲା, "ମାମୁଁ ମୁଁ ତପନ ।"
କେହି ଜଣେ କହିଲା "ରହିଯାଅ ରହିଯାଅ, ଭାଇ ତୁମ ଭଣଜା" ହେଲେ ମାମୁଁ ସଙ୍ଗେ ସଙ୍ଗେ ମାମୁଁଙ୍କ ମୁହଁରୁ ବାହାରିଲା , "ଆବେ ଏକୁ ଶେଷ କରିଦିଅ । ଚିହ୍ନା ହେଉକି ଅଚିହ୍ନା, ଆମ ଧନ୍ଦାରେ ଏଠାରୁ କେହି ବଞ୍ଚିଲେ ଆମକୁ ବିପଦ ।"
ତପନ ଜାଣିନେଲା ଏମାନେ ମୋତେ ମାରିଦେବେ ! ଜୀବନ ବିକଳରେ କହିଲା, ମାମୁଁ ମୋତେ ଛାଡିଦିଅ, ମୋ ମାଆ" ଏତକ କହିଲା ବେଳକୁ ଆଉ ଗୋଟେ ପାହାର ଦେଇଥିଲେ ମାମୁଁ ଓ ଗର୍ଜନ କରିକହିଥିଲେ ,"ତୁ ବଞ୍ଚିବୁ ଓ ତୋ ମାଆକୁ ମୋ କାହାଣୀ କହିବୁ, ତୋ ମାଆ ଗାଆଁ ସାରା ଢେଣ୍ଡୁରା ପିଟିବ ।" ଏତକ କହି ମାମୁଁ ପୁଣି ଏକ ପାହାର ଦେଲେ ।
(ଭାଗ-7 ନିଶ୍ଚୟ ପଢିବେ ଆଗାମୀ ଅଧ୍ୟାୟରେ ନମସ୍କାର ସହିତ ଶୁଭ ସକାଳ)