STORYMIRROR

Sachidananda Kar

Abstract

2  

Sachidananda Kar

Abstract

ସନାତନର ଅଚ୍ଛେଦିନ୍

ସନାତନର ଅଚ୍ଛେଦିନ୍

2 mins
200

         ଏବେ ଖୁବ୍ ବେଫିକର୍ ସନାତନର ଜୀବନ।

         ନାହିଁ ଦୁଃଖ,ନାହିଁ ଚିନ୍ତା, ନାହିଁ ବି ଅଭାବ।

         ଦେହରୁ ଝାଳ ବୋହୁନି। ଡହଳ ବିକଳ ଅବସ୍ଥା ନାହିଁ। ନର୍କ ଯନ୍ତ୍ରଣା ଭୋଗିବାର କଷ୍ଟ ବି ନାହିଁ।

        ଦେଶ ସ୍ବାଧୀନତା ପାଇବାର ଏତେ ବର୍ଷ ପରେ ଏମିତି ଗୋଟେ ଜୀବନ ତାକୁ ମିଳି ପାରିଛି ବୋଲି ସେ ଭାବୁଛି।

         ଜୟ କିଷାନ୍ - ଦିନେ ସ୍ଲୋଗାନ ଥିଲା। ଏବେ ତାହା ସ୍ଲୋଗାନ ହୋଇ ନାହିଁ। ବଦଳିଛି ସମୟ। ନ ହେଲେ ଆଉ କାହା ଭଳି କେବେଠୁଁ କୀଟନାଶକ ପିଇ ଜୀବନ ହାରି ସାରନ୍ତାଣି।- ଏମିତି ନିଜେ ଭାବୁଛି ସେ।

         ଲଢେଇ କରି ବଞ୍ଚିବା ଭଳି ଲାଗୁଥିଲା। ସ୍ତ୍ରୀ ପାଖରେ ବସି ସୁଖଦୁଃଖ ହେବାକୁ ସମୟ ନ ଥିଲା। କେମିତି ରାତି ପାହୁଛି,ପୁଣି କେମିତି ରାତି ହେଉଛି ତାହା ଜାଣୁ ନ ଥିଲା ସେ। ହେଲେ ଏବେ ମୁଣ୍ଡ ଉପରେ ଥିବା ନୀଳ ଆକାଶ, ପାଦ ତଳେ ଥିବା ବିଶାଳ ପୃଥିବୀ ତା' ଅନୁଭବ ଭିତରେ ଅଛି। ସେ ଅନୁଭବ କରି ପାରୁଛି।

         ଏବେ ତାକୁ କିଏ କାମ ପାଇଁ ଡାକିଲେ ସେ ସିଧା ସିଧା ମନା କରି ଦେଉଛି। କହୁଛି - କାମ ମୋର କ'ଣ ହେବ ! ଫୁର୍ତ୍ତି ପାଇଁ ଏବେ ତାକୁ ନିଅଣ୍ଟ ପଡୁଛି ସମୟ।

         ଆକାଶରୁ ବର୍ଷା ନ ପଡିଲେ ଦିନେ ବଢି ଯାଉଥିଲା ତା'ର ଚିନ୍ତା। ଜମି ସବୁ ପଡିଆ ପଡିଲେ ଦିନେ ବଢି ଯାଉଥିଲା ତା'ର ଦୁଃଖ। ହେଲେ ଏବେ ଆଉ ସେପରି ଅବସ୍ଥା ନାହିଁ। ବର୍ଷା ନ ହେଲେ ନ ହେଉ। ଜମି ପଡିଆ ପଡିଲେ ପଡୁ।

         ଏବେ ଖୁବ୍ ବେଫିକର୍ ତା'ର ଜୀବନ।

         ବଡ ପୁଅ ସୁରାଟ ଯାଇଛି। ମାସକୁ ଦୁଇ ହଜାର ଟଙ୍କା ଘରକୁ ପଠାଉଛି। ସାନ ପୁଅ ଶହେ ଆଠ ଆମ୍ବୁଲାନ୍ସ ଚଲାଇ ଘରକୁ ଦେଉଛି ତିନି ହଜାର। ବୁଦ୍ଧି କରି ଚାରିଟା ବି ପି ଏଲ୍ କାର୍ଡ ବନେଇ ଦେଇଛି ସେ। ଗୋଟିଏ ଛପର ତଳେ ରହି ମଧ୍ୟ ସମସ୍ତେ ଭିନ୍ନେ। ଦୁଇଟା ବାର୍ଦ୍ଧକ୍ୟ ଭତ୍ତା ଏବେ ତା' ହାତରେ ଅଛି। ସରପଞ୍ଚ ଦଶ ହଜାର ନେଇ ଆବାସ ଯୋଜନାରେ ତା'ର ନାଁ ପୂରେଇଛି। ଶୀଘ୍ର ପକ୍କା ଘର ଗୋଟିଏ ପାଇଯିବ ସେ। ସରକାରଙ୍କ ଅନ୍ତୋଦ୍ୟୋୟ ଯୋଜନାରେ ଚାଉଳ ବି ମିଳୁଛି ତାକୁ। ପାଇଖାନା ମିଳିଛି। ଆଉ ବୁଦା ପଛକୁ ଯିବାକୁ ପଡୁନାହିଁ। ସବୁ ସରକାରୀ ଯୋଜନା ବାବଦରେ ଜାଣିଛି ସେ। ସବୁ ଏବେ ଯେମିତି ତା' ହାତପାଆନ୍ତାରେ।

         ଆଉ ତା'ର ଦୁଃଖ କ'ଣ !

        ଏବେ ଖୁବ୍ ବେଫିକର୍ ତା'ର ଜୀବନ।

        ଏବେ ତା'ର ରାତି ପାହୁଛି ଗାଆଁ ରାସ୍ତା କଡରେ ଥିବା ଚା' ଦୋକାନରେ। ରାତି ପାହିଲେ କେତେ ବି ତା' ଭଳି ଆସି ପହଞ୍ଚୁଛନ୍ତି ସେଇଠି। ସେ ଚା' ପିଉଛି ତ ବସିବସି ଖଟି କରୁଛି । ଘରକୁ ଫେରି ଟିଭି ଖୋଲି ରାଶିଫଳ ଦେଖୁଛି। ଶୁଣୁଛି ସାଧୁବାବାଙ୍କ ବାଣୀ। ମନ ହେଲେ ଟିକେ ଗଡି ପଡୁଛି ଖଟରେ। ଶୋଇ ଶୋଇ ସପନ ଦେଖୁଛି। କେତେ କ'ଣ ଭାବୁଛି।

         ଏବେ ତା'ର ଅପରାହ୍ଣଟା କଟୁଛି ତାସ୍ ଖଟିରେ। କେବେ ଦିନେ ନ ଥିଲା, ଏବେ ଏବେ ତା'ର ମନ ମାଲ୍ ପାଣି ଆଡ଼କୁ ଯାଇଛି। ନିତି ସଂଜରେ ପେଗ୍ ଦୁଇ ପେଗ୍ ମାରି ଦେଉଛି ସେ। ଖଟିରେ ବସି ରାଜନୀତି ଚର୍ଚ୍ଚା କରୁଛି। ନେତା, ମନ୍ତ୍ରୀଙ୍କ କାର୍ଯ୍ୟ ପରଖିବା ପାଇଁ ଏବେ ତାକୁ ସମୟ ମିଳୁଛି। ପଲିଥିନ, କମ୍ବଳ, ଛତା, ଜୋତା, ନଗଦ ଟଙ୍କା - ସବୁକିଛି ଏବେ ମିଳିଯାଉଛି ତାକୁ। ତା'ର ଆଉ କି ଚିନ୍ତା ଯେ ! ରାଷ୍ଟ୍ର ଚିନ୍ତା କ'ଣ କମ୍ ବଡ ଚିନ୍ତା କି !

         ଏବେ ଯେମିତି ତା' ହାତରେ ବିବି,ବାଦଶାହା, ଗୋଲାମ,ଟୀକା - ଏକା ସାଙ୍ଗରେ। ବର୍ଷା ନ ହେଲେ ନ ହେଉ। ଜମି ପଡିଆ ପଡିଲେ ପଡୁ। ତା'ର ଅଚ୍ଛେଦିନ୍ ଆସିଛି।

         ବେଫିକର୍ ଜୀବନ ସେ ନ ବଞ୍ଚିବ କାହିଁକି କାହିଁକି

         ତା'ର ଅଚ୍ଛେଦିନ୍ ଆସିଛି।


Rate this content
Log in

Similar oriya story from Abstract