Sachidananda Kar

Abstract

3.4  

Sachidananda Kar

Abstract

ସମୟର ସମୟ

ସମୟର ସମୟ

2 mins
309



       କିଛି ଦିନର ବ୍ୟବଧାନ ପରେ ଗାଆଁକୁ ଫେରିଲି । ଗାଆଁ ମୋତେ ଭଲଲାଗେ। ଅତି ସନ୍ତର୍ପଣରେ ଜୀବନ ବଞ୍ଚୁଥିବା ମୋ ଗାଆଁର ଲୋକମାନେ ମଧ୍ୟ ମୋତେ ବେଶ୍ ଭଲଲାଗନ୍ତି। 


ଦେବାଦେବୀଙ୍କୁ ଡାକି ନିଜର ଓ ନିଜ ପରିବାରର ଶୁଭ ମନାସୁଥାନ୍ତି ସେମାନେ ସବୁବେଳେ। ସବୁ ଅଶୁଭ ଶକ୍ତି, ଅତୃପ୍ତ ଆତ୍ମାକୁ ବାଡି କବାଟ କିଳିଦେଇ ବାହାରେ ରଖିଦିଅନ୍ତି। ଏସବୁ ଦେଖିଲେ ଭାବିଲେ ମୋତେ ଭାରି ଖୁସି ଲାଗେ।ତେଣୁ ମଝିରେ ମଝିରେ କିଛି କିଛି ବ୍ୟବଧାନରେ ମୁଁ ଗାଆଁକୁ ଚାଲିଆସେ। 


      ଖଣ୍ଡେ ସରକାରୀ ଚାକିରୀର ହାତ ଧରି ଗୋଟେ ଅଜଣା ସହରକୁ ଚାଲି ଆସିଥିଲି ଯେ ଏବେ ମୁଁ ତା' ପ୍ରେମରେ ପଡିଛି। ସମୟ ଦୌଡୁଛି। ତା' ସାଙ୍ଗରେ ପ୍ରତିଯୋଗିତା କରୁଛି ମୁଁ। ପଛକୁ ଫେରିବା କଥା ଭାବି ପାରୁନାହିଁ। ସମୟେ ସମୟେ ସେଇ ସହରର ଛକରେ, ଗଳି ରାସ୍ତାରେ ମୋ ଗାଆଁର ଜଣେ ଜଣେ ଦେଖା ହୁଅନ୍ତି।ମୁଁ ଗାଆଁ କଥା ଆରମ୍ଭ କରିଦିଏ।ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ସବୁ ପଚାରିଦିଏ। 


     - " ତୁ ତ ସହରିଆ ହେଲୁ। ଗାଆଁ କଥା ଆଉ କାହିଁକି ପଚାରୁଛୁ? " ସେ କ୍ଷୋଭର ସହିତ କହନ୍ତି। 


      ତାଙ୍କ କଥାଶେଷରେ ମୁଁ ଇଷତ୍ ହସିଦିଏ,କିନ୍ତୁ ଭିତରେ ଭିତରେ ଲଜ୍ଜା ଅନୁଭବ କରେ। 


      ନା କାଟିହେଉଛି ସହରର ମାୟା, ନା ଭୁଲିହେଉଛି ଗାଆଁର ମୋହ! ମଣିଷ ଦୋଛକିରେ ପଡିଛି। ଏ ଜନ୍ମରେ ସେଥିରୁ ମୁକୁଳିବାର ବାଟ ଦିଶୁନାହିଁ। 


      ଗାଆଁକୁ ଫେରିଲେ ସାରା ଗାଆଁକୁ ଆଗ ବୁଲି ଦେଖିଆସେ। ଗାଆଁରେ ଦିନେ କିମ୍ବା ଦୁଇ ଦିନ ରହି ପୁଣି ଫେରିଆସେ ସହରକୁ। 


      ଆମ ଗାଆଁ ପାଖରେ ଗୋଟେ ହାଟ ସପ୍ତାହକୁ ଦୁଇ ଥର ବସେ। ଯେବେ ବି ଗାଆଁକୁ ଆସେ ହାଟକୁ ବୁଲି ଆସିବାକୁ ଆଦୌ ଭୁଲି ଯାଏନାହିଁ। ଭେଣ୍ଡି, ଶାଗ, ଶୁଖୁଆ, ଅଳତା, ସିନ୍ଦୂର, ପାନ,ଗୁଣ୍ଡି, ଗୋଡମୁଦି, ଗୁଲୁଗୁଲା, ଛୁଞ୍ଚି, ଛାଞ୍ଚୁଣୀ, ଚପଲ ଆଦି ହରେକ ରକମର ଜିନିଷ ଆମ ହାଟରେ ବିକ୍ରି ହୁଏ।ପାଟିତୁଣ୍ଡରେ ଫାଟି ପଡୁଥାଏ ଖଣ୍ଡମଣ୍ଡଳ। 


      ସେଥର ଗାଆଁକୁ ଫେରି ହାଟ ବୁଲିବାକୁ ଆସିଲି।ବୁଲୁ ବୁଲୁ ହଳେ ବୁଢା,ବୁଢ଼ୀଙ୍କ ଉପରେ ମୋର ନଜର ପଡିଲା।ସଜନା ଶାଗ ଓ ଅମୃତଭଣ୍ଡା ଧରି ବସିଥାନ୍ତି ଦୁହେଁ।ସେମାନଙ୍କୁ ଚିହ୍ନିପାରି ଅଟକିଗଲି। 


      ମୋ ପିଲାଦିନର ସାଙ୍ଗ ରଜତର ବାପା, ମାଆ ସେମାନେ। ରଜତ ଇଂଜିନିୟର। ସରକାରୀ ଚାକିରୀ କରେ। ମୋ ପରି ସ୍ତ୍ରୀ ପିଲାଙ୍କୁ ଧରି ସହରରେ ରହେ।ସହରରେ କେବେଠାରୁ ଘର ତୋଳି ସାରିଲାଣି ସେ।ଗାଆଁକୁ ଆଦୌ ଆସେ ନାହିଁ। ମୁଁ ପଚାରିଲେ ସମୟ ହେଉନାହିଁ ବୋଲି କହେ। ଆମେ ଦୁହେଁ ଅନେକ ସମୟରେ ଫୋନ୍ ମାଧ୍ୟମରେ କଥା ହେଉ। 


      ଏବେ ତା'ର ବାପା, ମାଆଙ୍କୁ ଏପରି ଅବସ୍ଥାରେ ଦେଖି ମୋର ଆଶ୍ଚର୍ଯ୍ୟ ହେବାର ବହୁତ କିଛି କାରଣ ଥିଲା।ପାଖକୁ ଲାଗିଆସିଲି।ଦୁହିଙ୍କ ମୁହଁକୁ ଚାହିଁଲି।ସେମାନେ ମଧ୍ୟ ମୋ ମୁହଁକୁ ଚାହିଁଲେ।ହେଲେ ସେମାନେ ମୋତେ ଚିହ୍ନି ପାରୁଥିବା ଭଳି ଆଦୌ ମନେ ହେଲାନାହିଁ। 


       - ' ଶାଗ,ଅମୃତଭଣ୍ଡା ନବ କି ,ବାବୁ? " ମୋତେ ଜଣେ ହାଟୁଆ ମନେକରି ପଚାରିଲେ ରଜତର ବାପା। 


       ହଁ,କିଏ ଏଠି ହାଟୁଆ ନୁହେଁ ଯେ!ତେଣୁ ମୋତେ ହାଟୁଆ ମନେକରିବା ସେମାନଙ୍କର ଭୁଲ୍ ନୁହେଁ ଭାବିଲି।ହସିଦେଇ ପଚାରିଲି - " ଏ ବୟସରେ ବି ହାଟକୁ ଆସି ସଜନା ଶାଗ,ଅମୃତଭଣ୍ଡା ବିକିବାକୁ ପଡୁଛି? " 


      - " ବସି ଖାଇବା କ'ଣ ଭଲ, ବାବୁ ?ଯେତିକି ପାରୁଛୁ ସେତିକି ପୁଅକୁ ସହଯୋଗ କରୁଛୁ। ଗରିବ ସଂସାର।ବାପ,ପୁଅ,ସ୍ତ୍ରୀ, ମାଆ - ସମସ୍ତେ ଲାଗିଗଲେ ସିନା ଭଲରେ ଚଳିବୁ। " ସେ ଉତ୍ତରରେ କହିଲେ। 


       ମୁଁ ହାଁ କରି ଚାହିଁ ରହିଲି ତାଙ୍କ ମୁହଁକୁ। 


       ସମୟ ବଦଳେଇ ଦେଇପାରେ, ହେଲେ ନିଜେ ବଦଳି ପାରେନାହିଁ। 


       - " ହଁ,ତୁମେ ଠିକ୍ କହିଛ। ସବୁ ହାତ ମିଶିଲେ ଯାଇ ଏଠି ଗୋଟିଏ ପରିବାର ଭଲରେ ଚଳେ। " ଅଳ୍ପରେ ଏତିକି ତାଙ୍କୁ କହିଲି। 


       ଧୀରେ ଧୀରେ ରୁଦ୍ଧ ହୋଇ ଆସୁଥିଲା ମୋର ଶ୍ବାସ।ମୁହଁ ବୁଲାଇ ମୁଁ ସେଠାରୁ ଫେରିଆସିଲି। ଆଉ ହାଟରେ ବୁଲିବାକୁ ମୋର ମନ ଲାଗିଲା ନାହିଁ।ହାଟରୁ ବାଟକୁ ବାହାରି ଆସିଲି। ଏବେ ବାଟ ସାରା ମୋର ମନେ ହେଉଥିଲା ଏଇ ଟିକେ ଆଗରୁ ମୁଁ ଯାହାଙ୍କୁ ଭେଟିଥିଲି, ସେ ହେଉଛନ୍ତି, ' ଆମ ସମୟର ସମୟ '। ହଁ, ସେ ଆଉ କେହି ନୁହନ୍ତି। ସେ ହେଉଛନ୍ତି, ' ଆମ ସମୟର ସମୟ '।


Rate this content
Log in

Similar oriya story from Abstract